ଓଡ଼ିଆ ଡାକ୍ତର ସ୍ୱରୂପ ମିଶ୍ର କେନିୟା ସାଂସଦ

News Story - Posted on 2017-08-10

 

ଆଫ୍ରିକା ମହାଦେଶର କେନିୟାରେ ରାଜନୀତିକ ସଫଳତା ଅର୍ଜନ କରିଛନ୍ତି ଜଣେ ଓଡ଼ିଆ ଡାକ୍ତର। ତାଙ୍କ ନାଁ ହେଉଛି ସ୍ୱରୂପ ରଂଜନ ମିଶ୍ର। ଡାକ୍ତର ମିଶ୍ର କେନିୟାର ଉଷିନ ଗେସୁ ରାଜ୍ୟର କେସେସ ନିର୍ବାଚନ ମଣ୍ଡଳୀରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି। କେନିୟାର ଉଷିନ ଗେସୁ କାଉଣ୍ଟିରେ ଡାକ୍ତର ସ୍ୱରୂପ କିପରୋପ ମିଶ୍ର ଏକ ଲୋକପ୍ରିୟ ନାମ। ସେଠାରେ ସେ ଅନେକ ଡାକ୍ତରଖାନା ପ୍ରତିଷ୍ଠା କରିବା ସହିତ ସମାଜସେବା କରନ୍ତି।

 

୧୯୬୫ ମସିହାରେ ଜନ୍ମିତ ଡାକ୍ତର ମିଶ୍ର ଓଡ଼ିଶାର ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜରୁ ଡାକ୍ତରୀ ପାଶ‌୍‍ କରିବା ପରେ ପ୍ରଥମେ ମୁମ୍ୱାଇରେ କାର୍ଯ୍ୟ କରୁଥିଲେ। କିନ୍ତୁ ୧୯୯୭ ମସିହାରେ ସେ ଓ ତାଙ୍କର ପତ୍ନୀ ପଲ୍ଲବୀ ମିଶ୍ର ଚାକିରି ସନ୍ଧାନରେ କେନିୟା ଚାଲିଯାଇଥିଲେ। ସେତେବେଳେ ସେମାନଙ୍କ ନିକଟରେ ମାତ୍ର ୫୦୦ ଡଲାର ଥିଲା। ଏବେ ସେମାନେ କେନିୟା ଓ ରୁଆଣ୍ଡାରେ ୧୦୦ ନିୟୁତ ଡଲାର ମୂଲ୍ୟର ଏକାଧିକ ଡାକ୍ତରଖାନାର ମାଲିକ। ସେମାନଙ୍କର ମେଡିହିଲ‌୍‍ ନାମରେ ଏକ କମ୍ପାନୀ ଅଛି। ଏହି ଗୋଷ୍ଠୀ କେନିୟା ଓ ରୁଆଣ୍ଡାରେ ଏକାଧିକ ଡାକ୍ତରଖାନା ପ୍ରତିଷ୍ଠା କରିଛନ୍ତି।

 

ଡାକ୍ତରଖାନା ପରିଚାଳନା ସହିତ ଡାକ୍ତର ମିଶ୍ର କେନିୟାର ଏଲଡୋରେଟ‌୍‍ ଓ କେସେସ ଅଂଚଳରେ ଅନେକ ସାମାଜିକ ସହାୟତା କାର୍ଯ୍ୟକ୍ରମ ସହିତ ଜଡ଼ିତ ଅଛନ୍ତି। ସେଠାକାର କାଲେଞ୍ଜିନ‌୍‍ ସଂପ୍ରଦାୟରେ ସେ ଅତ୍ୟନ୍ତ ଲୋକପ୍ରିୟ। ସେଥିପାଇଁ ସେଠାକା ଲୋକମାନେ ତାଙ୍କୁ କାଲେଞ୍ଜିନ ଭାଷାରେ କିପରୋପ ଆରପ ଚେଲୁଲେ ନାମ ଦେଇଛନ୍ତି। ଅସହାୟ ଲୋକଙ୍କୁ ସହାୟ ହେବା, ଗରୀବ ଲୋକଙ୍କୁ ରୋଜଗାରର ବାଟ ଦେଖାଇବା ସହିତ ସେଠାକା ସାମାଜିକ ଓ ସାଂସ୍କୃତିକ ଜୀବନରେ ଅନ୍ତରଙ୍ଗ ଭାବେ ସାମିଲ ହୋଇ ଡାକ୍ତର ମିଶ୍ର ଲୋକପ୍ରିୟତା ଅର୍ଜନ କରିଛନ୍ତି।

 

କେସେସେ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାଙ୍କ ସପକ୍ଷରେ ୨୩,୩୧୪ ଜଣ ଭୋଟର ମତ ଦେଇଥିଲେ। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ ଉଷିନ ଗେସୁ ପ୍ରଦେଶର ବାଚସ୍ପତି ଆଇଜାକ‌୍‍ ତେରେର। ସେ ପାଇଥିଲେ ମାତ୍ର ୫,୬୮୧ ଖଣ୍ଡ ଭୋଟ। ପ୍ରଚଳିତ ସାଂସଦ ଜେମ୍ସ ବେଟ୍ଟଙ୍କ ସପକ୍ଷରେ ପଡ଼ିଥିଲା ମାତ୍ର ୨,୨୩୮ ଭୋଟ। ପ୍ରାର୍ଥୀ ହେବାର ଏହି ପ୍ରତିଯୋଗିତା ଏପ୍ରିଲ ମାସରେ ଶେଷ ହୋଇଥିଲା। ଚଳିତ ଅଗଷ୍ଟ ୭ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ସେ ବିପୁଳ ସମର୍ଥନ ହାସଲ କରି ସଂସଦକୁ ନିର୍ବାଚିତ ହୋଇଥିବା ଜଣାପଡ଼ିଛି।

 

ନିର୍ବାଚନ ଜିତିଲେ ତାଙ୍କ ଅଂଚଳର ସମସ୍ତ ପରିବାରକୁ ସେ ଗୋଟିଏ ଲେଖାଏଁ ଗାଈ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ସେଠାକା ଲୋକମାନଙ୍କୁ ସ୍ୱାବଲମ୍ୱୀ କରିବ ବୋଲି ତାଙ୍କର ବିଶ୍ୱାସ ରହିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top