ଜରିମାନା ହେଲା ୧୭୫୭୬ କୋଟି ଟଙ୍କା

News Story - Posted on 2017-08-08

ଖଣି ଦୁର୍ନୀତି ଉପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଜରିମାନା ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ସୁପ୍ରିମ କୋର୍ଟଙ୍କ ଦ୍ୱାରା ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ସିଇସିଙ୍କ ହିସାବ ଆଧାରରେ ରାଜ୍ୟ ସରକାର ଖଣି ଲିଜ୍ଧାରୀମାନଙ୍କ ଠାରୁ ଜରିମାନା ଆଦାୟ କରିବେ । ଏଥିପାଇଁ ୧୦ ଦିନ ମଧ୍ୟରେ ଖଣି ଲିଜଧାରୀମାନଙ୍କୁ ନୋଟିସ ଦିଆଯିବ । ଡିସେମ୍ବର ୩୧ ତାରିଖ ସୁଦ୍ଧା ଖଣି ଲିଜଧାରୀମାନଙ୍କଠାରୁ ଜୋରିମାନା ଆଦାୟ କରିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

 

ଖଣି ଦୁର୍ନୀତି ଉପରେ ସୁପ୍ରିମ କୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ମିଶ୍ର, ଖଣି ପ୍ରମୁଖ ସଚିବ ରାଜ କୁମାର ଶର୍ମାଙ୍କ ସମେତ ଖଣି ଓ ଜଙ୍ଗଲ ଆଇନ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ ଯେ, ସୁପ୍ରିମ କୋର୍ଟଙ୍କ ରାୟକୁ କଡାକଡି ଭାବେ ପାଳନ କରାଯିବ । ସିଇସିଙ୍କ ହିସାବ ଅଧାରରେ ଖଣି ଲିଜଧାରୀମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ । ୧୦ ଦିନ ମଧ୍ୟରେ ଖଣି ଲିଜଧାରୀମାନଙ୍କୁ ନୋଟିସ ଜାରି କରାଯିବ । ଯେଉଁ ଗୁଡିକ ପ୍ରସ୍ତୁତ ହୋଇସାରିଛି ସେଗୁଡିକୁ ତୁରନ୍ତ ନୋଟିସ ଦିଆଯିବ ଓ ଅନ୍ୟ ସମସ୍ତଙ୍କୁ ଆସନ୍ତା ୧୦ ଦିନ ମଧ୍ୟରେ ନୋଟିସ ପଠାଯିବ । ସୁପ୍ରିମ କୋର୍ଟଙ୍କ ରାୟର ପାରା ୧୫୬ ସ୍ପଷ୍ଟ ଭାବେ ଫାଇନ ଆଦାୟ ସଂକ୍ରାନ୍ତରେ ଉଲ୍ଲେଖ କରିଛନ୍ତି । ପରିବେଶ ମଞ୍ଜୁରୀ ଉଲ୍ଲଘଂନ କ୍ଷେତ୍ରରେ ସିଇସିଙ୍କ ହିସାବ ଆଧାରରେ ଆଦାୟ କରାଯିବାକୁ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହାଛଡା ମାଇନିଂ ପ୍ଲାନ ବାହାରେ ଅଧିକ ଖଣିଜ ଉତ୍ତୋଳନ ପାଇଁ ଆଉ ୨ ହଜାର କୋଟି ଟଙ୍କା ଆଦାୟ କରାଯିବ ।

 

ସେହିପରି ଜଙ୍ଗଲ ଆଇନ ଉଲ୍ଲଘଂନ କ୍ଷେତ୍ରରେ କେତେ ଟଙ୍କା ଜୋରିମନା ଆଦାୟ ହେବ ଆସନ୍ତା ୪ ଦିନ ମଧ୍ୟରେ ଆକଳନ କରାଯିବ । ସିଇସି ପରିବେଶ ଉଲ୍ଲଘଂନ ପାଇଁ ୧୭୫୭୬ କୋଟି ୧୬ ଲକ୍ଷ ଟଙ୍କା ଜରିମାନା କରିଥିବା ବେଳେ ସେଥିମଧ୍ୟରୁ ୧୭୦୯୧ କୋଟି ୨୪ ଲକ୍ଷ ଟଙ୍କା ଲୁହାପଥର ଓ ୪୮୪୯୨ ଲକ୍ଷ ଟଙ୍କା ମାଙ୍ଗାନିଜ ଖଣି କ୍ଷେତ୍ରରେ ଜରିମାନା ଆଦାୟ କରିବାକୁ ଆକଳନ କରିଛନ୍ତି । ଉତ୍ପାଦନ ମୂଲ୍ୟର ୩୦ ପ୍ରତିଶତ ଆଦାୟ କରିବାକୁ ସିଇସି ସୁପାରିଶ କରିଥିଲେ । ସିଇସି ଆଇବିଏମର ବେଞ୍ଚମାର୍କ ଦର ଆଧାରରେ ଜରିମାନା କରିଛନ୍ତି । ସିଇସି ରିପୋର୍ଟ ଆଧାରରେ ୨୦୦୦-୨୦୦୧ ଆଥିକ ବର୍ଷଠାରୁ ଅଧିକ ୨୧୫.୫ ନିୟୁତ ଟନ୍ ବେଆଇନ ଲୁହାପଥର ଓ ମାଙ୍ଗାନିଜ ଉତ୍ତୋଳନ କରାଯାଇଛି । ଏହାଦ୍ୱାରା ଟାଟାଷ୍ଟିଲ, ଏସଏଲ ମାଇନସ, ଇନ୍ଦ୍ରାଣୀ ପଟ୍ଟନାୟକ, ରୁଙ୍ଗଟା ମାଇନସ ସିରାଜୁଦ୍ଦିନ କମ୍ପାନୀ, ଓଏମସି ପ୍ରଭୃତି ଡିସେମ୍ବର ୩୧ ତାରିଖ ପୂର୍ବରୁ ସରକାରଙ୍କ ଠାରେ ଜୋରିମାନା ପୈଠ କରିବେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top