ଦୀପକ ମିଶ୍ର ପରବର୍ତ୍ତୀ ସିଜେଆଇ

News Story - Posted on 2017-08-08

ବିଚାରପତି ଦୀପକ ମିଶ୍ର ହେବେ ସୁପ୍ରିମ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ବିଦାୟୀ ପ୍ରଧାନ ବିଚାରପତି ଜେଏସ ଖେହାରଙ୍କ ସୁପାରିଶ କ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଏହି ପଦ ପାଇବାରେ ସେ ହେଉଛନ୍ତି ତୃତୀୟ ଓଡ଼ିଆ । ତାଙ୍କ ପୂର୍ବରୁ ତାଙ୍କର ଦାଦା ବିଚାରପତି ରଙ୍ଗନାଥ ମିଶ୍ର ପ୍ରଥମ ଓଡ଼ିଆ ଭାବେ ଏହି ପଦ ଅଳଂକୃତ କରିଥିଲେ । ପରେ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ ମଧ୍ୟ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ।

 

ବର୍ତ୍ତମାନର ପ୍ରଧାନ ବିଚାରପତି ଜେଏସ ଖେହାର ଅଗଷ୍ଟ ୨୭ ତାରିଖରେ ଅବସର ଗ୍ରହଣ କରିବେ । ସେହି ଦିନ ବିଚାରପତି ମିଶ୍ରଙ୍କୁ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ହେବେ ଭାରତର ୪୫ତମ ପ୍ରଧାନ ବିଚାରପତି । ସେ ଏହି ପଦରେ ୧୩ ମାସ କାର୍ଯ୍ୟ କରି ୨୦୧୮ ଅକ୍ଟୋବର ୨ ତାରିଖରେ ଅବସର ଗ୍ରହଣ କରିବେ ।

 

୧୯୫୩ ଅକ୍ଟେବାର ୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ବିଚାରପତି ଦୀପକ ମିଶ୍ର ଓଡ଼ିଶା ହାଇକୋର୍ଟରେ ଜଣେ ଓକିଲ ଭାବେ ଆଇନ ପେସା ଆରମ୍ଭ କରିଥିଲେ । ସେ ସାମ୍ବିଧାନିକ, ଦେୱାନୀ, ଫୌଜଦାରୀ, ରାଜସ୍ୱ, ସେବା ଓ ବିକ୍ରି କର ଆଦି ମାମଲାରେ ଓକିଲାତି କରୁଥିଲେ । ୧୯୯୬ ମସିହା ଜାନୁଆରୀ ୧୭ ତାରିଖରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ଜଣେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ୧୯୯୭ ଡିସେମ୍ବର ୧୯ ତାରିଖରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା ।

 

୨୦୦୯ ଡିସେମ୍ବର ୨୩ ତାରିଖରେ ବିଚାରପତି ମିଶ୍ର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୧୦ ମେ ୨୪ ତାରିଖରେ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୧ ଅକ୍ଟୋବର ୧୦ ତାରିଖରେ ତାଙ୍କୁ ସୁପ୍ରିମ କୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଥିଲା ।

 

ବିଚାରପତି ଦୀପକ ମିଶ୍ର ଜଣେ ଜନବାଦୀ ବିଚାରପତି ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ସେ ୟାକୁବ ମେମୋନ ଫାଶୀଦଣ୍ଡ ମାମଲାରେ ରାତି ଅନିଦ୍ରା ହୋଇ ଶୁଣାଣି କରିଥିଲେ ଓ ସକାଳ ୫ଟାରେ ରାୟ ଦେଇଥିଲେ । ସେହି ରାୟରେ ସେ କହିଥିଲେ ଯେ ୟାକୁବ ମେମୋନର ଫାଶି ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବା ଆଇନ ସହିତ ଖେଳ ହେବ । ଏହାର ଦୁଇ ଘଣ୍ଟା ପରେ ୟାକୁବକୁ ଫାଶୀ ଦିଆଯାଇଥିଲା । ସେ ମଧ୍ୟ ନିର୍ଭୟା ଧର୍ଷଣ ଓ ହତ୍ୟା ମାମଲାର ବିଚାର କରିଥିବା ଖଣ୍ଡପୀଠର ସଦସ୍ୟ ଥିଲେ ।

 

ବିଚାରପତି ମିଶ୍ରଙ୍କ ପୂର୍ବରୁ ତାଙ୍କ ଦାଦା ବିଚାରପତି ରଙ୍ଗନାଥ ମିଶ୍ର ପ୍ରଥମ ଓଡ଼ିଆ ଭାବେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ପଦ ଅଳଂକୃତ କରିଥିଲେ । ପରେ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ ଏହି ପଦ ପ୍ରାପ୍ତ ହୋଇଥିଲେ । ବିଚାରପତି ଦୀପକ ମିଶ୍ରଙ୍କ ପିତା ହେଉଛନ୍ତି ସ୍ୱର୍ଗତ ଲୋକନାଥ ମିଶ୍ର । ସେ ଆସାମର ରାଜ୍ୟପାଳ ଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top