ରାୟ ସ୍ପଷ୍ଟ, ଅସ୍ୱଚ୍ଛ ଖଣିଲବି

News Story - Posted on 2017-08-07

ଓଡ଼ିଶାର ମହା ଖଣି ଦୁର୍ନୀତି ନେଇ ହୋଇଥିବା ମାମଲାରେ ସୁପ୍ରିମ କୋର୍ଟ ସ୍ପଷ୍ଟ ରାୟ ଦେଇଥିଲେ ମଧ୍ୟ କେକେତ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି ଓ ଅପରାଧୀ ଖଣି ପଟ୍ଟାଦାରମାନେ କିପରି କମ୍ ଜରିମାନା ଦେଇ ଖସିଯିବେ ସେଥିପାଇଁ ପରିବେଶ ସୃଷ୍ଟି କରୁଛନ୍ତି । ଅଗଷ୍ଟ ୨ ତାରିଖରେ ସୁପ୍ରିମ କୋର୍ଟ ସ୍ପଷ୍ଟ ରାୟ ଦେଇ ଏମଏମଡିଆର ଆଇନର ୨୧(୫) ଧାରା ଅନୁସାରେ ଜାରି ହୋଇଥିବା ଜରିମାନାର ଶତ ପ୍ରତିଶତ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିମାଣ ୬୮,୭୦୦ କୋଟି ଟଙ୍କା ।

 

୨୦୦୯ ମସିହାରେ ଓଡ଼ିଶାର ମହା ଖଣି ଦୁର୍ନୀତି ଲୋକଲୋଚନକୁ ଆସିବା ପରେ ରାଜ୍ୟ ସରକାର ନିଜ ଭାବମୂର୍ତ୍ତି ବଂଚାଇବା ପାଇଁ ୨୦୧୨ ମସିହାରେ ଏମଏମଡିଆର ଆଇନର ୨୧(୫) ଧାରା ଅନୁସାରେ ଅନେକ ଖଣି ଉପରେ ୬୮,୭୦୦ କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରିଥିଲେ । ଏହା ବିରୋଧରେ କେତେକ ଖଣି କମ୍ପାନୀ ଟ୍ରିବ୍ୟୁନାଲ ଯାଇଥିଲେ । ଟ୍ରିବ୍ୟୁନାଲ୍ରେ ଓଡ଼ିଶା ସରକାର ପ୍ରାୟତଃ ଚୁପ୍ ବସିଥିବାରୁ ଏହି ଜରିମାନା ଏଯାଏଁ ଆଦାୟ ହୋଇପାରି ନାହିଁ ।

 

ଅଗଷ୍ଟ ୨ ତାରିଖରେ ସୁପ୍ରିମ କୋର୍ଟ ଦେଇଥିବା ରାୟ ଅନୁସାରେ ସରକାର ପୂର୍ବରୁ ଖଣି ଓ ଖଣିଜ ବିକାଶ ଏବଂ ନିୟନ୍ତ୍ରଣ ଆଇନ ବା ଏମଏମଡିଆର ଆଇନ ୧୯୫୭ର ୨୧(୫) ଧାରା ଅନୁସାରେ ଧାର୍ଯ୍ୟ କରିଥିବା ଜରିମାନାର ୧୦୦ ପ୍ରତିଶତ ଆଦାୟ କରିବା କଥା । ସୁପ୍ରିମ କୋର୍ଟଙ୍କ ରାୟର ୧୫୦ ଓ ୧୫୨ ପାରାରେ ଉଲ୍ଲେଖ ରହିଛି ଯେ କେବଳ ଲିଜ୍ ଅଂଚଳ ବାହାରେ ହୋଇଥିôବା ଖଣି ଖନନ ନୁହେଁ ଲିଜ୍ ଅଂଚଳ ଭିତରେ ହୋଇଥିବା ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ ମଧ୍ୟ ଏମଏମଡିଆର ଆଇନର ୨୧(୫) ଧାରା ଲାଗୁ ହେବ ଏବଂ ଯେଉଁ ଲିଜ୍ଧାରୀମାନେ ପରିବେଶ ଅନୁମୋଦନ ବିନା ବା ବାହାରେ ଖଣିଜ ଉତ୍ତୋଳନ କରିଛନ୍ତି ଏହି ଧାରା ଅନୁସାରେ ଦଣ୍ଡିତ ହେବେ । ଏହି ରାୟର ୧୫୩ ନମ୍ବର ପାରାରେ କୁହାଯାଇଛି ଯେ ଯେଉଁ ଲିଜ୍ଧାରୀମାନେ ପରିବେଶ ଓ ଜଙ୍ଗଲ ଅନୁମୋଦନ ଉଲ୍ଲଙ୍ଘନ କରିଛନ୍ତି ସେମାନେ ଉତ୍ତୋଳିତ ହୋଇଥିବା ଖଣିଜର ୧୦୦ ପ୍ରତିଶତ ମୂଲ୍ୟ ଜରିମାନା ଆକାରରେ ଜମା କରିବେ ।

 

ଏହି ରାୟରେ ସୁପ୍ରିମ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ଏମଏମଡିଆର ଆଇନର ୨୧(୫) ଧାରାରେ ଯେଉଁ ସଂଶୋଧନ କରାଯାଇଛି ତାହା ଗ୍ରହଣୀୟ ନୁହେଁ । ୨୦୧୨ ମସିହାରେ ତକ୍ରାଳୀନ ଉପା ସରକାର ଖଣି ପଟ୍ଟାଦାରମାନଙ୍କୁ ସୁରକ୍ଷା ଦେବାକୁ ଯାଇଁ ଏହି ଧାରାରେ ସଂଶୋଧନ କରିଥିଲେ । ସଂଶୋଧନରେ କୁହାଯାଇଥିଲା କେବଳ ଲିଜ୍ ଅଂଚଳ ବାହାରେ ହୋଇଥିôବା ଖଣିଜ ଉତ୍ତୋଳନକୁ ବେଆଇନ ବୋଲି କୁହାଯିବ । କିନ୍ତୁ ୨୦୧୭ ଅଗଷ୍ଟ ୨ ତାରିଖରେ ସୁପ୍ରିମ କୋର୍ଟ ଦେଇଥିବା ରାୟରେ ଏହି ସଂଶୋଧନକୁ ରଦ୍ଦ କରିଦିଆଯାଇଛି । ତେଣୁ ଲିଜ୍ଧାରୀମାନେ ଲିଜ୍ ଅଂଚଳ ଭିତରେ ଓ ବାହାରେ ଯେତେ ଖଣିଜ ପଦାର୍ଥ ବେଆଇନ ଭାବେ ଉତ୍ତୋଳନ କରି ବିକ୍ରି କରିଛନ୍ତି ତାହାର ମୂଲ୍ୟ ଜରିମାନା ଆକାରରେ ଦେବାକୁ ବାଧ୍ୟ ।

 

ଓଡ଼ିଶା ସରକାରଙ୍କ ପାଖରେ ଏଭଳି ଖଣି ପଟ୍ଟାଦାରଙ୍କର ହିସାବ ରହିଛି । ସେମାନେ କେଉଁ ବର୍ଷ କେତେ ଖଣିଜ ଉତ୍ତୋଳନ କଲେ, କେତେ ବିକିଲେ, କାହାକୁ ବିକିଲେ, କେତେ ଦରରେ ବିକିଲେ, ସେସବୁର ହିସାବ ଓଡ଼ିଶା ସରକାରଙ୍କ ନିକଟରେ ରହିଛି ବା ରହିବା କଥା । ସେମାନେ କେତେ ଖଣି ଅଂଚଳ ଲିଜ୍ ନେଇଛନ୍ତି, କେତେ ଖଣିଜ ଉତ୍ତୋଳନ କରିବାକୁ ମଂଜୁରୀ ପାଇଛନ୍ତି ତାହାର ହିସାବ ମଧ୍ୟ ଓଡ଼ିଶା ସରକାରଙ୍କ ପାଖରେ ରହିଛି ବା ରହିବା ବିଧେୟ । ତାହାକୁ ତର୍ଜମା କରି ଦେଖିଲେ ସେମାନେ ଯେତେ ପରିମାଣର ଖଣିଜ ପଦାର୍ଥ ଏମଏମଡିଆର ଆଇନର ୨୧(୫) ଧାରା ଅନୁସାରେ ବେଆଇନ ଭାବେ ଉତ୍ତୋଳନ କରିଛନ୍ତି ତାହାର ଶତକଡ଼ା ଶହେ ମୂଲ୍ୟ ଜରିମାନା ଦେବାକୁ ବାଧ୍ୟ ଓ ଓଡ଼ିଶା ସରକାର ସେହି ପରିମାଣର ଡିମାଣ୍ଡ ନୋଟ୍ ଜାରି କରିବା ଉଚିତ ।


ପ୍ରତିକ୍ରିୟା

Anand Pradhan - Email: ratnakar2111@gmail.com - Posted on 2017-08-09 10:32:59

Omnipotent chhota Bhim Rasputin.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top