ସ୍ତନ୍ୟପାନକୁ ପ୍ରୋତ୍ସାହନ ଦେବା କାହିଁକି?

News Story - Posted on 2017-08-05

ସନ୍ତୋଷ ଜୈନ ପାସୀ
ଆକାଂକ୍ଷା ଜୈନ

 

(ବିଶ୍ୱ ସ୍ତନ୍ୟପାନ ସପ୍ତାହ ୧-୭ ଅଗଷ୍ଟ ଉପଲକ୍ଷେ)
ସ୍ତନ୍ୟପାନ ଶୈଶବ ଅବସ୍ଥା ଏବଂ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଏକ ସୁସ୍ଥ ଜୀବନର ମୂଳଦୁଆ ପ୍ରତିଷ୍ଠା କରିଥାଏ । ପ୍ରତ୍ୟେକ ଶିଶୁ ନିଜର ସଠିକ୍ ଅଭିବୃଦ୍ଧି ଏବଂ ବିକାଶ ପାଇଁ ଉପଯୁକ୍ତ ପୋଷଣ, ଯତ୍ନ, ସୁରକ୍ଷା, ସ୍ନେହ ଏବଂ ଲାଳନପାଳନ ଆବଶ୍ୟକ କରିଥାଏ । ଡବ୍ଲୁଏଚ୍ଓ ଏବଂ ୟୁନିସେଫ୍ର ପରାମର୍ଶ ଅନୁଯାୟୀ, ପ୍ରତ୍ୟେକ ଶିଶୁ ଜନ୍ମ ହେବାର ଏକ ଘଂଟା ମଧ୍ୟରେ ସ୍ତନ୍ୟପାନ କରିବା ଆବଶ୍ୟକ; ଏବଂ ସେହି କୋଲୋଷ୍ଟ୍ରମ୍ (ମୋଟା, ହଳଦିଆ ଏବଂ ଅଠାଳିଆ କିନ୍ତୁ ଅତି ପୋଷକ ମା’ କ୍ଷୀର) ଶିଶୁକୁ ନିଶ୍ଚିତ ଭାବେ ଦିଆଯିବା ଉଚିତ୍ । ଆହୁରି, ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ସ୍ତନ୍ୟପାନ (କେବଳ ସ୍ତନ୍ୟପାନ ଏବଂ ଅନ୍ୟ କୌଣସି ଖାଦ୍ୟ କିମ୍ବା ପାନୀୟ, ଏପରିକି ପାଣି ମଧ୍ୟ ନୁହେଁ) କରାଯିବା ଆବଶ୍ୟକ; କେବଳ ମା’ ସ୍ତନରୁ ଶିଶୁକୁ କ୍ଷୀର ଦିଆଯିବା ଉଚିତ୍; ଏଥିରେ ବୋତଲ, ଟିଟ୍ସ୍ ଏବଂ ପେସିଫାଏର ଉପଯୋଗ କରାଯିବା ଉଚିତ୍ ନୁହେଁ; ଏବଂ ୬ ମାସ ପରେ ଶିଶୁକୁ ବୟସ ଅନୁରୂପ ଖାଦ୍ୟ ଦିଆଯିବା ସହିତ ଦୁଇ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଯିବା ଉଚିତ୍ ।

 

ପ୍ରକୃତିର ଅମୂଲ୍ୟ ଉପହାର- ମା’ କ୍ଷୀର ଶିଶୁ ପାଇଁ ଉପଯୁକ୍ତ ଖାଦ୍ୟ ଯାହାର ଅନ୍ୟ କୌଣସି ବିକଳ୍ପ ନାହିଁ । ଏହା କେବଳ ଯଥେଷ୍ଟ ପରିମାଣର ଶକ୍ତି ଯୋଗାଇ ନଥାଏ, ବରଂ ଉପଯୁକ୍ତ ପରିମାଣ/ଗୁଣବତ୍ତାର ପୁଷ୍ଟିସାର, ଶ୍ୱେତସାର ଏବଂ ଲାକ୍ଟୋଜ୍, ଖଣିଜ (ବିଶେଷ କରି ଲୌହସାର), ଭିଟାମିନ୍ ଏବଂ ଜଳ ସହିତ ବିଭିନ୍ନ ସ୍ୱାସ୍ଥ୍ୟ ଉପଯୋଗୀ ଉପାଦାନ ଯେପରିକି ଲାକ୍ଟୋଫେରିନ୍, ବିଫିଡସ୍ ଫ୍ୟାକ୍ଟର, ଏନ୍ଜାଇମ୍ସ ଏବଂ ପ୍ରତିଷେଧକ ତତ୍ୱ (ମୁଖ୍ୟତଃ ଇମ୍ୟୁନୋଗ୍ଲୋବ୍ୟୁଲିନ୍ ଏ) ଯୋଗାଇଥାଏ । ସର୍ବୋପରି ଏହା ଶିଶୁର ଶାରୀରିକ ଆବଶ୍ୟକତା ମେଂଟାଇଥାଏ । ଏହା ପ୍ରଦୂଷଣ ମୁକ୍ତ, ସହଜରେ ଉପଲବ୍ଧ, ଶସ୍ତା, ହଜମ କରିବା ସହଜ ଯାହା ଶିଶୁର ପ୍ରତିଷେଧକ ଶକ୍ତି ବଢ଼ାଇବା ସହ ତା’କୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ । ଏମିତିକି, ମା’ କ୍ଷୀର ନବଜାତକର ପ୍ରଥମ ଟୀକା । ସ୍ତନ୍ୟପାନ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହ ପରବର୍ତ୍ତୀ ଜୀବନରେ ମଣିଷକୁ ଏନ୍ସିଡିରୁ ମୁକ୍ତ ରଖିଥାଏ, ଏହା ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ ମଧ୍ୟ ହ୍ରାସ କରିଥାଏ । ଆହୁରି ସ୍ତନ୍ୟପାନ ମା’ ଓ ଶିଶୁ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ ଯାହା ଶିଶୁର ଭାବଗତ/ମାନସିକ ବିକାଶରେ ସହାୟକ ହୋଇଥାଏ; ଏବଂ ଏହାଦ୍ୱାରା ଶିଶୁର ମସ୍ତିଷ୍କ ବିକାଶ ଭଲ ଭାବେ ହୋଇପାରିଥାଏ । କେବଳ ସେତିକି ନୁହେଁ, ସ୍ତନ୍ୟପାନ ମା’ର ମଧ୍ୟ ବହୁତ ଉପକାର କରିଥାଏ-ଏହା ପ୍ରସବ ପରିବର୍ତ୍ତୀ ରକ୍ତସ୍ରାବ ସହିତ ସ୍ତନ୍ୟ/ଗ୍ରୀବା କର୍କଟ ବିପଦରୁ ମଧ୍ୟ ସୁରକ୍ଷା ଦେଇଥାଏ । ସ୍ତନ୍ୟପାନ କରାଉଥିବା ମହିଳାଙ୍କଠାରେ ସାଧାରଣତଃ ଅଧିକ ଓଜନ/ମୋଟାପଣ ଭଳି ସମସ୍ୟା ଦେଖାଯାଇନଥାଏ । ସ୍ତନ୍ୟପାନର ଅର୍ଥ ହେଉଛି ପ୍ରାକୃତିକ ନିରୋଧକ- ଏହା ପରିବାର ନିୟୋଜନ ଏବଂ ଶିଶୁ ଜନ୍ମରେ ବ୍ୟବଧାନକୁ ପ୍ରୋତ୍ସାହନ ଯୋଗାଇଥାଏ ।

 

ମା’ର କ୍ଷୀର ସବୁଠୁ ଉପଯୁକ୍ତ/ପୂର୍ଣ୍ଣପୋଷକ ଖାଦ୍ୟ; ଡାକ୍ତର ବାରଣ ନକରିବା ପର୍ଯ୍ୟନ୍ତ, ସ୍ତନ୍ୟପାନ ମା’ ଏବଂ ଶିଶୁର ଅସୁସ୍ଥତା ସମୟରେ ମଧ୍ୟ ଜାରି ରହିବା ଉଚିତ୍ । ନିରାପଦ ଅନୂପୁରକ ଖାଦ୍ୟ ୬ ମାସ ପରେ ଦିଆଯିବା ଉଚିତ୍ ଏହା ଶିଶୁର ପୋଷଣ ଆବଶ୍ୟକତା ଏବଂ ମା’କ୍ଷୀର ମାଧ୍ୟମରେ ଦିଆଯାଉଥିବା ପୋଷଣ ମାଧ୍ୟମରେ ଦେଖାଦେଉଥିବା ବ୍ୟବଧାନକୁ ଦୂର କରିଥାଏ । ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ ମା’କୁ ଧୂମପାନ କିମ୍ବା ମଦ୍ୟପାନ ନକରିବା ଲାଗି ପରାମର୍ଶ ଦିଆଯାଇଥାଏ, କାରଣ ଏହା ଉଭୟ ମା’ ଏବଂ ଶିଶୁପାଇଁ ବିପଜ୍ଜନକ ହୋଇପାରେ । ଏଥିସହିତ ସ୍ତନ୍ୟପାନ କରାଇବା ପୂର୍ବରୁ ଏବଂ ପରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ପରାମର୍ଶ ଦିଆଯାଇଥାଏ । ଶିଶୁକୁ ପ୍ରତିଦିନ ହାରାହାରି ୮ ଥର କିମ୍ବା ଆବଶ୍ୟକତା ଅନୁଯାୟୀ ମା’କ୍ଷୀର ଖୁଆଇବା ଉଚିତ୍ । ଏହା ଜରୁରୀ ଅଟେ ଯେ ପ୍ରତ୍ୟେକ ମା’ ଶିଶୁକୁ କ୍ଷୀର ଖୁଆଇବାର ସଠିକ୍ ଉପାୟ ଜାଣିବା ଉଚିତ୍-କିପରି ଖୁଆଯିବ, କେତେବେଳେ ଖୁଆଯିବ, ଏବଂ କେତେଥର ଖୁଆଯିବା ସହିତ ସ୍ତନ୍ୟପାନର ଅନ୍ୟ ଦିଗ ଏବଂ କେତେମାତ୍ରାରେ ଦିଆଯିବ ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଉଚିତ୍ ।

 

ଅଧ୍ୟୟନରୁ ଜଣାପଡ଼ିଛି ଯେ ଜନ୍ମ ନେବାର ୧ ଘଂଟା ମଧ୍ୟରେ ସ୍ତନ୍ୟପାନ ଦ୍ୱାରା ନବଜାତକର ମୃତ୍ୟୁକୁ ୨୦% ପର୍ଯ୍ୟନ୍ତ ହ୍ରାସ କରିପାରେ ଏବଂ କେବଳ ସ୍ତନ୍ୟପାନ କରୁଥିବା ଶିଶୁ ଡାଇରିଆ ଏବଂ ନିମୋନିଆ କାରଣରୁ ମୃତ୍ୟୁବରଣ କରିବାର ଆଶଙ୍କା ୧୧-୧୫ ଗୁଣ କମ୍ ଥାଏ । ତେବେ, ଏନ୍ଏଫ୍ଏଚ୍ଏସ୍-୪ ତଥ୍ୟ ଦର୍ଶାଇଛି ଯେ ୪୧.୬% ଶିଶୁ(୩ ବର୍ଷରୁ କମ୍) ଜନ୍ମ ନେବାର ପ୍ରଥମ ଘଂଟା ମଧ୍ୟରେ ସ୍ତନ୍ୟପାନ କରିଥାନ୍ତି ଏବଂ ୫୪.୯% ଶିଶୁ (୬ ମାସରୁ କମ୍) କେବଳ ସ୍ତନ୍ୟପାନ କରିଥାନ୍ତି; ଏହି ପରିମାଣ ୨୦୦୫-୦୬ (ଏନ୍ଏଚ୍ଏଫ୍ଏସ୍-୩)ରେ ଯଥାକ୍ରମେ ୨୩.୪% ଏବଂ ୪୬.୪% ଥିଲା । ଉପଯୁକ୍ତ ନବଜାତକ ଏବଂ ଶିଶୁ ଆହାର ସମ୍ପର୍କରେ ସଚେତନତାକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ବର୍ତମାନ ସମୟର ଆବଶ୍ୟକତା ।

 

ସ୍ତନ୍ୟପାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ସହ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଉଦ୍ଦେଶ୍ୟରେ ୧୯୯୨ ପରଠାରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପ୍ରତିବର୍ଷ (୧-୭ ଅଗଷ୍ଟ) ୧୭୦ଟି ଦେଶରେ ପାଳିତ ହୋଇ ଆସୁଛି । ଚଳିତ ବର୍ଷର ବିଷୟବସ୍ତୁ ରହିଛି “ସଫଳ ସ୍ତନ୍ୟପାନ ପାଇଁ ପରିବେଶ ସୃଷ୍ଟି କରିବା ଲାଗି ସମ୍ମିଳିତ ଉଦ୍ୟମ ।” ଆହୁରି ଦୀର୍ଘସ୍ଥାୟୀ ଫଳାଫଳ ପାଇଁ ସମସ୍ତେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ଦିଗରେ ମିଳିମିଶି କାର୍ଯ୍ୟ କରିବା ଏହାର ଉଦ୍ଦେଶ୍ୟ । ୨୦୧୬ରେ ୱାର୍ଲ୍ଡ ଆଲାଏନ୍ସ ଫର୍ ବ୍ରେଷ୍ଟ ଫିଡିଂ ଆକ୍ସନ୍(ଡବ୍ଲ୍ୟୁଏବିଏ) ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍ଡିଜି) ହାସଲ କରିବା ଦିଗରେ ଯାତ୍ରା ଆରମ୍ଭ କରିଥିଲା । ପ୍ରତ୍ୟେକ ଲକ୍ଷ୍ୟକୁ ସ୍ତନ୍ୟପାନ ସହିତ ଯୋଡ଼ିବା ଏବଂ ସ୍ୱାସ୍ଥ୍ୟସେବା ସମର୍ଥକ/କର୍ମୀ, ନୀତିନିର୍ଦ୍ଧାରକଙ୍କ ସହିତ ରାଜନୈତିକ ସହଯୋଗ ଏବଂ ଗଣମାଧ୍ୟମକୁ ଏହି ଉଦ୍ଦେଶ୍ୟ ସହିତ ଯୋଡ଼ିବା ଲାଗି କାର୍ଯ୍ୟାରମ୍ଭ କରାଯାଇଥିଲା । ୨୦୨୫ ସୁଦ୍ଧା ସ୍ତନ୍ୟପାନ ପରିମାଣକୁ ୫୦% କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ଅଧିବେଶନର ଜାଗତିକ ଲକ୍ଷ୍ୟକୁ ଅଗ୍ରାଧିକାର ଦେବା ଲାଗି ସମସ୍ତ ସରକାର ସହମତ ହୋଇଥିଲେ ।

 

ସ୍ତନ୍ୟପାନକୁ ପ୍ରତ୍ୟକ୍ଷ/ପରୋକ୍ଷ ପ୍ରୋତ୍ସାହନ ଦେବା ଲାଗି ଆମ ସରକାର ବହୁ କାର୍ଯ୍ୟକ୍ରମ/ଯୋଜନା ଏବଂ ପଦକ୍ଷେପ ହାତକୁ ନେଇଛନ୍ତି । ଯାହା ମଧ୍ୟରେ ରହିଛି:

ନଭେମ୍ବର ୨୦୧୬ରେ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳରେ ଏକ ଜାତୀୟସ୍ତରର ଫ୍ଲାଗ୍ଶିପ୍ କାର୍ଯ୍ୟକ୍ରମ- ମା’ (ମଦର୍ସ ଆବ୍ସଲ୍ୟୁଟ୍ ଆଫେକ୍ସନ୍) କାର୍ଯ୍ୟକାରୀ କରାଯାଇଛି । ଏହା ଜନସାଧାରଣଙ୍କ ମଧ୍ୟରେ ସ୍ତନ୍ୟପାନ ହାର ଏବଂ ଶିଶୁ ଆହାର ଅଭ୍ୟାସରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିଥାଏ । ଏହା ଅଧୀନରେ ଆଶାକର୍ମୀମାନଙ୍କୁ ପ୍ରତ୍ୟେକ ଗର୍ଭବତି ଏବଂ ପ୍ରସୂତି (୨ ବର୍ଷରୁ କମ୍ ଶିଶୁଙ୍କ ମା’)ଙ୍କ ନିକଟରେ ପହଂଚି ଆଇୱାଇସିଏଫ୍ର ମୌଳିକ ଅଭ୍ୟାସ ସମ୍ପର୍କରେ ସଚେତନ କରିବା ଲାଗି କୁହାଯାଇଥିଲା । ତାଲିମ୍ପ୍ରାପ୍ତ ଏଏନ୍ଏମ୍ଙ୍କୁ ନିୟୋଜିତ କରିବା (ପ୍ରତ୍ୟେକ ଉପକେନ୍ଦ୍ର) ଏବଂ ଆବଶ୍ୟକତା ପଡ଼ିଲେ ମା’ମାନଙ୍କୁ ସ୍ୱାସ୍ଥ୍ୟସେବା ତାଲିମ୍ ଦେବା ଲାଗି ସ୍ୱାସ୍ଥ୍ୟକର୍ମୀଙ୍କୁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ପଦକ୍ଷେପ ଯେପରିକି ଉଭୟ ଗୋଷ୍ଠୀଗତ ଏବଂ ସୁବିଧାଗତ ସ୍ତରରେ ସ୍ତନ୍ୟପାନ/ଶିଶୁ ଆହାର ପାଇଁ ସହଯୋଗ, ପ୍ରୋତ୍ସାହନ, ସୁରକ୍ଷା ଦେବା ଏବଂ ଏହାର ତୀକ୍ଷ୍ଣ ନିରୀକ୍ଷଣ ବ୍ୟବସ୍ଥା କରିବା ଲାଗି କୁହାଯାଇଥିଲା ।

 

ଇଣ୍ଡିଆ ନ୍ୟୁବର୍ଣ୍ଣ ଆକ୍ସନ୍ ପ୍ଲାନ୍ (ଆଇଏନ୍ଏପି)ର ଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ନବଜାତକ ମୃତ୍ୟୁ ହାରକୁ ଏକକ ସଂଖ୍ୟାକୁ ଆଣିବା (ବିଶ୍ୱସ୍ତରୀୟ ଲକ୍ଷ୍ୟଠାରୁ ୫ ବର୍ଷ ଆଗରେ) ଏବଂ ପ୍ରମୁଖ ବିଷୟ ଯେପରିକି ଗର୍ଭଧାରଣ ପୂର୍ବ ଏବଂ ପ୍ରସବ ପୂର୍ବବର୍ତ୍ତୀ ଯତ୍ନ, ତ୍ୱରିତ ନବଜାତକ ଯତ୍ନ, ସୁସ୍ଥ ଏବଂ କ୍ଷୁଦ୍ର/ଅସୁସ୍ଥ ନବଜାତକଙ୍କ ଯତ୍ନ ସହିତ ନବଜାତକ ବଂଚିରହିବା ପାଇଁ ଯତ୍ନ ଆଦି ପ୍ରତି ବିଶେଷ ଗୁରୁତ୍ୱ ଦେବା । ୨୦୨୫ ସୁଦ୍ଧା ସ୍ତନ୍ୟପାନ ହାର (ଜନ୍ମନେବାର ପ୍ରଥମ ଏକ ଘଂଟା ମଧ୍ୟରେ) ୯୦%ରେ ପହଂଚାଇବା ଲାଗି ଏହା ଲକ୍ଷ୍ୟ ରଖିଛି ।


ମାତୃତ୍ୱ ଲାଭ କାର୍ଯ୍ୟକ୍ରମ (ଏମ୍ଡବ୍ଲ୍ୟୁସିଡି) ମାଧ୍ୟମରେ ଗର୍ଭବତୀ/ପ୍ରସୂତି ମହିଳାମାନଙ୍କୁ କ୍ଷତିପୂରଣ ଏବଂ ପ୍ରଥମ ୬ ମାସ ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା ଲାଗି ଆର୍ଥିକ ସହାୟତା (ଟ. ୬୦୦୦/-) ଦିଆଯାଉଛି । ନବଜାତକ ଯତ୍ନ ସୁବିଧା, ସ୍ୱତନ୍ତ୍ର ନବଜାତକ ଯତ୍ନ ୟୁନିଟ୍, ନବଜାତକ ଯତ୍ନ କର୍ଣ୍ଣର, ଘରୋଇ ନବଜାତକ ଯତ୍ନ ଏବଂ ମା’ ଓ ନବଜାତକ ଶିଶୁ ପାଇଁ ଏପରି କେତେକ ସମର୍ପିତ ଯୋଜନା ରହିଛି ଯାହା ଗୁରୁତ୍ୱପୂର୍ଣ୍ଣ ଭାବେ ସମୟୋପଯୋଗୀ ସ୍ତନ୍ୟପାନକୁ ପ୍ରୋତ୍ସାହନ ଯୋଗାଉଛି ।

 

୨୦୧୬ ନଭେମ୍ବର ପର ଠାରୁ, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ମାଧ୍ୟମରେ ସୁନିଶ୍ଚିତ, ବ୍ୟାପକ ସୁବିଧା ଥିବା ମାଗଣା ପ୍ରସବପୂର୍ବ ଯତ୍ନ ପ୍ରତି ମାସର ୯ ତାରିଖରେ ଦିଆଯାଉଛି । ଗର୍ଭବତୀ ଏବଂ ୫ ବର୍ଷରୁ କମ୍ ଶିଶୁଙ୍କ ପାଇଁ ପୂର୍ଣ୍ଣ ସ୍ୱାସ୍ଥ୍ୟସେବା/ପ୍ରତିଷେଧକ ସେବା ସୁନିଶ୍ଚିତ କରିବା ଲାଗି ମା’ ଓ ଶିଶୁ ଟ୍ରାକିଂ ବ୍ୟବସ୍ଥା (ଏମ୍ଓଏଚ୍ଏଫଡବ୍ଲ୍ୟୁ) ମାଧ୍ୟମରେ ସୂଚନା ପ୍ରଯୁକ୍ତିର ଉପଯୋଗ କରାଯାଇଛି । ଏହା ଏକ ସୃଜନଶୀଳ, ୱେବ୍ ଆଧାରିତ ଆପ୍ଲିକେସନ୍ ଯାହା ସେବା ପ୍ରଦାନକୁ ଉପଲବ୍ଧ/ତଦାରଖ କରୁଛି ଏବଂ ସେବା ପ୍ରଦାନକାରୀ ଏବଂ ହିତାଧିକାରୀଙ୍କ ମଧ୍ୟରେ ଏକ ବିଶିଷ୍ଟ ଯୋଗାଯୋଗ ବ୍ୟବସ୍ଥା ପ୍ରତିଷ୍ଠା କରିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେପି ନଡ୍ଡା ଏହା କହିଛନ୍ତି ଯେ ସ୍ତନ୍ୟପାନ ଏକ ପ୍ରାକୃତିକ ସ୍ୱାସ୍ଥ୍ୟପ୍ରଦ ପଦକ୍ଷେପ ଯାହାକୁ ପ୍ରତ୍ୟେକ ସ୍ତରରେ ପ୍ରୋତ୍ସାହିତ କରାଯିବା ଉଚିତ୍ । ଆଇୱାଇସିଏଫ୍ ସୂଚକାଙ୍କରେ ଉନ୍ନତି ଆଣିବା ଲାଗି, ଆବଶ୍ୟକ ସମ୍ବଳ ଆବଂଟନ ସହିତ ପରାମର୍ଶ ରଣନୀତି ସୁଦୃଢ଼ ହେବା ଆବଶ୍ୟକ, ଦକ୍ଷତା ବିକାଶ ଏବଂ ପ୍ରଭାବୀ ଯୋଗାଯୋଗ ପ୍ରତ୍ୟେକ ସ୍ତରରେ ହେବା ଉଚିତ୍ । ମିଳିତ ପଦକ୍ଷେପ ଏବଂ ଦୀର୍ଘସ୍ଥାୟୀ ପ୍ରଭାବ ପାଇଁ ମୌଳିକ ଆଇୱାଇସିଏଫ୍ ଅଭ୍ୟାସକୁ ଆପଣାଇବା, ପ୍ରୋତ୍ସାହନ ଦେବା ଏବଂ ଉପଲବ୍ଧ କରାଇବା ନିମନ୍ତେ ଧାଈ, ନର୍ସ, ଡାକ୍ତର, ପୋଷଣ ବିଶେଷଜ୍ଞ, ଜନସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ୍ ଦିଆଯିବାର ଆବଶ୍ୟକତା ରହିଛି ।

 

ସ୍ୱାସ୍ଥ୍ୟସେବାରେ ସ୍ତନ୍ୟପାନ ପରାମର୍ଶଦାତା/ଦକ୍ଷ ସହଯୋଗୀ ରହିବା ଉଚିତ୍ । ଅନ୍ୟପଟେ ଗୋଷ୍ଠୀ ସ୍ତରରେ ତାଲିମ୍ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ/ମାତୃତ୍ୱ ସହଯୋଗୀ ଗୋଷ୍ଠୀ ମା’ମାନଙ୍କୁ ସ୍ତନ୍ୟପାନ ପାଇଁ ସହାୟତା କରିପାରିବେ । ଗର୍ଭବତୀ ମହିଳା ଏବଂ କିଶୋରୀ ସ୍ତନ୍ୟପାନ ପ୍ରକ୍ରିୟା ସମ୍ପର୍କରେ ସଚେତନ ହେବା ଉଚିତ୍; ଏବଂ ଶିଶୁକନ୍ୟାକୁ ଉପଯୁକ୍ତ ସ୍ତନ୍ୟପାନର ସମାନ ଅବସର ମିଳିବା ଉଚିତ୍ । ସ୍ତନ୍ୟପାନକୁ ପ୍ରୋତ୍ସାହନ ଦେବା ଲାଗି ଶିଶୁ ଅନୁକୂଳ ଡାକ୍ତରଖାନା ବ୍ୟତୀତ, ମା’ମାନେ ନମନୀୟ, ବିସ୍ତୃତ ମାତୃତ୍ୱ ଅବକାଶ ପାଇବା ଏବଂ ଆବଶ୍ୟକ ବିରତି ସହିତ କାର୍ଯ୍ୟସ୍ଥଳୀରେ ସ୍ତନ୍ୟପାନ କୋଠରୀର ବ୍ୟବସ୍ଥା କରିବା ଉଚିତ୍ । ନିକଟରେ, ତାମିଲନାଡ଼ୁ ସରକାର ବସ୍ ଟର୍ମିନାଲ୍ ଭଳି ସର୍ବସାଧାରଣ ସ୍ଥାନରେ ୩୦୦ ଶୀତତାପ ନିୟନ୍ତ୍ରିତ ସ୍ତନ୍ୟପାନ କୋଠରୀ ନିର୍ମାଣ କରିଛନ୍ତି । ଆହୁରି, ଇନଫ୍ୟାଂଟ୍ ମିଲ୍କ ସବ୍ଷ୍ଟିଚ୍ୟୁଟ୍ (ଆଇଏମ୍ଏସ୍) ଆଇନ୍କୁ ପ୍ରତି ରାଜ୍ୟରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ସହିତ ପ୍ରତ୍ୟେକସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମକୁ ନିୟମିତ ତଦାରଖ କରିବାର ଆବଶ୍ୟକତା ରହିଛି । (ପିଆଇବି)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top