ଏସ୍ଆଇଇଟିର ପୁନରୁଦ୍ଧାର ଜରୁରୀ

News Story - Posted on 2017-08-05

ପ୍ରଦୀପ ପ୍ରଧାନ

ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟରେ ଉପଗ୍ରହ ମାଧ୍ୟମରେ ଶିକ୍ଷାକୁ ସମସ୍ତ ବିଦ୍ୟାଳୟକୁ ସମ୍ପ୍ରସାରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମ ଦୂରଦର୍ଶନ ମାଧ୍ୟମରେ ପ୍ରସାରଣ କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗକୁ ଟିଭି ଥିବା ବିଦ୍ୟାଳୟଗୁଡ଼ିକର ତାଲିକ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବାସ୍ତବରେ ୧୯୮୨ ମସିହାରେ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ ଏବଂ ଯେଉଁ ରାଜ୍ୟମାନଙ୍କରେ ଇନ୍ସାଟ ଉପଗ୍ରହ ଉପଲବ୍ଧ ଥିଲା ସେହି ରାଜ୍ୟମାନଙ୍କରେ ଏସ୍ଆଇଇଟି ପ୍ରତିଷ୍ଠା କରାଯାଇ ଉପଗ୍ରହ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା କରାଯାଇଥିଲା । କେନ୍ଦ୍ର ସରକାର ଓଡ଼ିଶା ସମେତ ୬ଟି ରାଜ୍ୟରେ ଏହି ଯୋଜନା ଆରମ୍ଭ କରିଥିଲେ । ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟକାରୀ ହୋଇଆସୁଥିଲା । ଏସ୍.ଆଇ.ଇ.ଟି.ରେ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମମାନ ପ୍ରସ୍ତୁତି କରାଯାଇ ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ଏହାର ପ୍ରସାରଣ କରାଯାଇଥିଲା । ସେହି ସମୟରେ କେନ୍ଦ୍ର ସରକାର ପ୍ରତ୍ୟେକ ବିଦ୍ୟାଳୟ ପାଇଁ ରଙ୍ଗୀନ ଟେଲିଭିଜନ ସେଟ୍ ଓ ଆର୍.ସି.ସି.ପି. (ରେଡ଼ିଓ କମ୍ କ୍ୟାସେଟ୍ ପ୍ଲେୟାର) ଏବଂ ଅନ୍ୟାନ୍ୟ ଯନ୍ତ୍ର ଯୋଗାଇ ଦେଇଥିଲେ । ପୁନଶ୍ଚ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଏସ୍.ଆଇ.ଇ.ଟି.ରେ ଏକ ଅତ୍ୟାଧୁନିକ ଷ୍ଟୁଡ଼ିଓ ନିର୍ମାଣ କରାଯିବା ସହ ଉନ୍ନତ ମାନର କ୍ୟାମେରା ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲା । ଏହି ସଂସ୍ଥାର ବୈଷୟିକ ଦକ୍ଷତା ବୃଦ୍ଧି ପାଇଁ ଏହାର କର୍ମ·ରୀମାନଙ୍କୁ ଦେଶ ତଥା ଦେଶ ବାହାରକୁ ପଠାଇ ବୈଷୟିକ ଜ୍ଞାନକୌଶଳର ତାଲିମ ଦିଆଯାଇଥିଲା । ଏହି ସଂସ୍ଥା ଶିକ୍ଷାଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଦୂରଦର୍ଶନ ଏବଂ ରେଡ଼ିଓ ମାଧ୍ୟମରେ ଏହାର ପ୍ରସାରଣ କରାଇ ପିଲାଙ୍କ ନିକଟରେ ପହଂଚାଇବାରେ ସକ୍ଷମ ହୋଇଥିଲା ଏବଂ ସ୍କୁଲ୍ ପିଲାଙ୍କ ଦ୍ୱାରା ବେଶ୍ ଆଦୃତି ଲାଭ କରିଥିଲା ।

 

ରାଜ୍ୟରେ ଏସ୍.ଆଇ.ଇ.ଟିର କାର୍ଯ୍ୟ ପ୍ରଶଂସନୀୟ ହୋଇଥିବା ବେଳେ ୨୦୧୩ ମସିହାରେ ଏହି ସଂସ୍ଥାର ଆବଶ୍ୟକତା ନଥିବା ଦର୍ଶାଇ ରାଜ୍ୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରି ହଠାତ୍ ବନ୍ଦ କରିଦେଲେ । ଏହି ସରକାରୀ ବିଜ୍ଞପ୍ତିରେ ସରକାର କେତେଗୁଡ଼ିଏ କାରଣ ଦର୍ଶାଇଥିଲେ ଯଥା : କେନ୍ଦ୍ର ସରକାର ଅନୁଦାନ ଦେବାକୁ ମନାକଲେ, କର୍ମ·ରୀମାନେ ସବୁବେଳେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲେ ଏବଂ ଏସ୍.ଆଇ.ଇ.ଟି. ଚଳାଇବା ପାଇଁ କର୍ମ·ରୀମାନେ ସେମାନଙ୍କର ଅକ୍ଷମତା ପ୍ରକାଶ କଲେ । ଉକ୍ତ ଯୁକ୍ତିର ସତ୍ୟାସତ୍ୟ ଜାଣିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସୂଚନା ଅଧିକାର ଆଇନ୍ ବଳରେ ଏ ସମ୍ପର୍କରେ ତଥ୍ୟ ମଗାଯାଇଥିଲା । କେନ୍ଦ୍ର ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏ ସମ୍ପର୍କରେ କୌଣସି ଚିଠି ରାଜ୍ୟ ସରକାରଙ୍କୁ ଦେଇନାହାଁନ୍ତି ବୋଲି ଦର୍ଶାଇଥିଲେ ।

 

ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଏସ୍.ଆଇ.ଇ.ଟି.କୁ ୨୦୧୨-୧୩ ଆର୍ଥିକ ବର୍ଷରେ ୪୦ କୋଟି ଟଙ୍କା ଅନୁଦାନ ଦେଇଥିଲେ ଯାହାକୁ ରାଜ୍ୟ ସରକାର ଖର୍ଚ୍ଚ ନ କରି ପକାଇ ରଖିଥିଲେ । କିନ୍ତୁ ରାଜ୍ୟ ସରକାର ଚଂଚକତା କରି ଏକ ମିଥ୍ୟା ଚିଠି ପ୍ରସ୍ତୁତ କରି ଏହାକୁ କେନ୍ଦ୍ର ସରକାର ଦେଇଛନ୍ତି ବୋଲି ଦର୍ଶାଇ ସୂଚନା ଆଇନ୍ ଅନୁଯାୟୀ ପ୍ରଦାନ କରିଥିଲେ ଏବଂ ଅନ୍ୟାନ୍ୟ କାରଣ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । କେନ୍ଦ୍ର ସରକାର ଦେଇଥିବା ଉତ୍ତର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ତାଳମେଳ ନ ରହିବା ଏବଂ ମନଇଚ୍ଛା ଏସ୍.ଆଇ.ଇ.ଟି. ବନ୍ଦ କରିଦେବା ଦର୍ଶାଇ ଏହା ବିରୁଦ୍ଧରେ କର୍ମ·ରୀ ସଂଘ ଏବଂ ସିଭିଲ୍ ସୋସାଇଟି ତରଫରୁ ହାଇକୋର୍ଟରେ ଏକ ମକଦ୍ଦମା ଦାୟର ହେବା ସହ ଏହାର ତୁରନ୍ତ ପୁନରୁଦ୍ଧାର ଏବଂ ସମସ୍ତ ବୈଷୟିକ ଜ୍ଞାନକୌଶଳ ନିପୁଣ ଛଟେଇ କର୍ମ·ରୀଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ପ୍ରାର୍ଥନା କରାଯାଇଥିଲା । ଗତ ମେ, ୨୦୧୭ରିଖରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ କେନ୍ଦ୍ର ସରକାର ଏସ୍.ଆଇ.ଇ.ଟି. ବନ୍ଦ ପାଇଁ କୌଣସି ଚିଠି ଦେଇନଥିବାର ଦର୍ଶାଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ସରକାର ଚଂଚକତାର କରି ଏହି ଅନୁଷ୍ଠାନକୁ ବନ୍ଦ କରିଛନ୍ତି । ତେଣୁ ମନରେ ସ୍ୱତଃ ପ୍ରଶ୍ନ ଉଠେ, ରାଜ୍ୟ ସରକାର ଏପରି ଅନୁଷ୍ଠାନକୁ ବନ୍ଦ କରିବା ପଛରେ ରହସ୍ୟ କ’ଣ?

 

୨୦୧୧-୧୨ ମସିହାରେ କେନ୍ଦ୍ର ସରକାର ରାଜ୍ୟର ୪୦୦୦ ବିଦ୍ୟାଳୟରେ କମ୍ପୁଟର ପ୍ରଶିକ୍ଷକମାନଙ୍କୁ ନିଯୁକ୍ତି କରି ଛାତ୍ରଛାତ୍ରୀମାନଙ୍କୁ କମ୍ପୁଟର ଶିକ୍ଷା ଦେବା ପାଇଁ ଏକ ପାଂଚ ବର୍ଷିଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ହାରାହାରି ୮୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନର ବଜେଟ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କଲେ ଏବଂ ଏଥିପାଇଁ ଅର୍ଥ ମଧ୍ୟ ପ୍ରଦାନ କଲେ । ଯେହେତୁ ୨୦୦୪ ମସିହାରୁ ଏସ୍.ଆଇ.ଇ.ଟି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକରେ କମ୍ପୁଟର ଶିକ୍ଷା ପ୍ରଦାନ କରାଯାଇ ଆସୁଅଛି, କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମକୁ ଏସ୍.ଆଇ.ଇ.ଟି ମାଧ୍ୟମରେ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ କମ୍ପୁଟର ଶିକ୍ଷା ପାଇଁ ଆସିବାକୁ ଥିବା ଅର୍ଥକୁ ହଡ଼ପ କରି ନିଜର ସୁବିଧା ପାଇଁ ଖର୍ଚ୍ଚ କରିବା ଏବଂ ଲାଭ ଉଠାଇବା ପାଇଁ ଓଡ଼ିଶାର ଦୁର୍ନୀତିଗ୍ରସ୍ତ ଅମଲା ତଥା ତକ୍ରାଳୀନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଲାଗିପଡ଼ିଲେ । ଏସ୍.ଆଇ.ଇ.ଟି ମାଧ୍ୟମରେ ଉକ୍ତ ଅର୍ଥ ଖର୍ଚ୍ଚ ହେଲେ, ଏଥିରୁ ଅର୍ଥ ହଡ଼ପ କରିବା ସମ୍ଭବ ନୁହେଁ ଭାବି କିପରି ଉକ୍ତ ସଂସ୍ଥାକୁ ବନ୍ଦ କରାଯିବ, ସେଥିପାଇଁ ଅମଲାମାନେ ସମସ୍ତ ଚକ୍ରାନ୍ତ କଲେ ଏବଂ ରାତାରାତି ଏକ ଠକ କମ୍ପାନୀ ଓଡ଼ିଶା ନଲେଜ କର୍ପୋରେସନ ଲିମିଡ଼େଟ (ଓ.କେ.ସି.ଏଲ୍) ଗଠନ କରି ଏହା ସରକାରୀ କମ୍ପାନୀ କହି ୨୦୧୨ ମସିହାରେ ଗେଜେଟ ନୋଟିଫିକେଶନ କଲେ । ଏହି ଗେଜେଟ ନୋଟିଫିକେଶନରେ ଏପରି ଚଂଚକତା କରାଗଲା ଯେଉଁଥିରେ ଏହି କମ୍ପାନୀ ଅଧ୍ୟକ୍ଷ ନିଜେ ମୁଖ୍ୟ ଶାସନ ସଚିବ ରହିଲେ ଏବଂ ରାଜ୍ୟ ସରକାର ଓ ମହାରାଷ୍ଟ୍ରର ଅନ୍ୟ ଏକ ଠକ, ଦୁର୍ନୀତିଗ୍ରସ୍ତ କମ୍ପାନୀ ମହାରାଷ୍ଟ୍ର ନଲେଜ କର୍ପୋରେସନ ଲିମିଟେଡ଼ ବା ଏମ୍କେସିଏଲ୍ ସହିତ ମିଶି ଏକ ଯୁଗ୍ମ ପରି·ଳନା କମିଟି ଗଠନ କରାଯାଇ ଉକ୍ତ ସଂସ୍ଥାର କର୍ମ·ରୀଙ୍କୁ ଓକେସିଏଲ୍ର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର କରାଗଲା । ଓ.କେ.ସି.ଏଲ୍.ର ରେଜିଷ୍ଟ୍ରେସନ ପାଇଁ ରାଜ୍ୟ ସରକାର ସମସ୍ତ ଅର୍ଥ ପ୍ରଦାନ କରିଥିଲେ । କମ୍ପୁଟର ଶିକ୍ଷା ପାଇଁ ଆସିଥିବା ଅନୁଦାନକୁ ଏସ୍.ଆଇ.ଇ.ଟି.କୁ ନ ଦେଇ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକାଇ ରଖିଲେ ।

 

ଏହା ପରେ ଏସ୍.ଆଇ.ଇ.ଟି.କୁ ବନ୍ଦ କରିବାର ଚକ୍ରାନ୍ତ ଆରମ୍ଭ ହେଲା ଏବଂ ମିଥ୍ୟା ଓ କଳ୍ପୋଳକଳ୍ପିତ ମନଗଢା ଯୁକ୍ତି ଦର୍ଶାଇ (ଯାହାକି ପୂର୍ବରୁ ଦର୍ଶାଯାଇଛି), ଏସ୍.ଆଇ.ଇ.ଟିକୁ ୨୩.୪.୨୦୧୩ରେ ବନ୍ଦ କରାଗଲା ବୋଲି ଘୋଷଣା କଲେ । ସେହିବର୍ଷ କୌଣସି ଟେଣ୍ଡର ପ୍ରକ୍ରିୟା ନ କରି ରାଜ୍ୟ ସରକାର ମନଇଚ୍ଛା ଓ.କେ.ସି.ଏଲ୍କୁ ସରକାରୀ ସଂସ୍ଥା ଦର୍ଶାଇ କମ୍ପୁଟର ଶିକ୍ଷା ପାଇଁ ଆସି ପଡ଼ି ରହିଥିବା କେନ୍ଦ୍ରୀୟ ଅନୁଦାନ ୫୦ କୋଟି ଟଙ୍କା ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଦାନ କଲେ ଏବଂ ତା ପରବର୍ତ୍ତୀ ତିନି ବର୍ଷରେ ୧୭୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଓ.କେ.ସି.ଏଲ. ଏହି ଅର୍ଥର ବ୍ୟାପକ ଦୁରୁପଯୋଗ କରିବା, କମ୍ପୁଟର ଶିକ୍ଷକ ନିଯୁକ୍ତି ନାମରେ କୋଟି କୋଟି ଟଙ୍କା ଲୁଟ୍ କରିବା, ରାଜ୍ୟର ଅମଲାମାନଙ୍କର ପରିବାରବର୍ଗଙ୍କ ନିୟନ୍ତ୍ରଣରେ ଓ.କେ.ସି.ଏଲ୍. କାମ କରିବା, କମ୍ପୁଟର କିଣାରେ କୋଟି କୋଟି ଟଙ୍କା ହଡ଼ପ ସମ୍ପର୍କୀତ ତଥ୍ୟ ସୂଚନା ଅଧିକାର ଆଇନ୍ ବଳରେ ହୋଇଛି ଏବଂ ଓ.କେ.ସି.ଏଲ୍.ର ଦୁର୍ନୀତି ଏବଂ ଅର୍ଥ ହଡ଼ପ ବିରୁଦ୍ଧରେ କମ୍ପୁଟର ଶିକ୍ଷକଙ୍କର ଆନ୍ଦୋଳନ ଅବ୍ୟାହତ ରହିଛି । କମ୍ପୁଟର ଶିକ୍ଷକମାନଙ୍କର ନ୍ୟାୟ ସଂଗତ ଭାବି ବା ଅଭିଯୋଗ ଉପରେ ରାଜ୍ୟ ସରକାର କିଛି ପଦକ୍ଷେପ ନେଇପାରିବେ ନାହିଁ ବୋଲି ଦର୍ଶାଇଛନ୍ତି । ଫଳରେ ବିଭିନ୍ନ ବିଦ୍ୟାଳୟରେ ·ଲିଥିବା ଏହି ଶିକ୍ଷା କାର୍ଯ୍ୟକ୍ରମ ଏକ ପ୍ରହସନରେ କେବଳ ପରିଣତ ହୋଇନାହିଁ ବରଂ ଦୁର୍ନୀତିଗ୍ରସ୍ତ ରାଜ୍ୟ ଅମଲାଙ୍କ ପରିବାର ବର୍ଗଙ୍କର ଅର୍ଥ ଉପାର୍ଜନ ସଂସ୍ଥାରେ ପରିଣତ ହୋଇଛି ।

 

ଓ.କେ.ସି.ଏଲ୍. ଏକ ସରକାରୀ ବା ବେସରକାରୀ କମ୍ପାନୀ ସମ୍ପର୍କରେ ସୂଚନା ଅଧିକାର ଆଇନ୍ ବଳରେ ରାଜ୍ୟ ସରକାରଙ୍କୁ ତଥ୍ୟ ମଗାଯାଇଥିଲା । ସରକାର ଯୋଗାଇ ଦେଇଥିବା ତଥ୍ୟରୁ ଜଣାପଡ଼ିଲା ଉକ୍ତ କମ୍ପାନୀରେ ସରକାର ଅଂଶଧନ ୫୦ ଭାଗରୁ କମ୍ ଏବଂ କମ୍ପାନୀର ସମସ୍ତ ପ୍ରଶାସନିକ ଏବଂ ଆର୍ଥିକ ପରି·ଳନାର ଦାୟିତ୍ୱ ଅଂଶୀଦାର କମ୍ପାନୀ ଏମ୍.କେ.ସି.ଏଲ୍ ହାତରେ । ତେଣୁ ଏହା କିପରି ସରକାରୀ କମ୍ପାନୀ ଅଭିଯୋଗ କରି ସିଭିଲ୍ ସୋସାଇଟି ତରଫରୁ ପ୍ରଶ୍ନ କରାଯିବା ଏବଂ ଆନ୍ଦୋଳନ ହେଲା ପରେ ସି.ଏ.ଜି. ଏହାର ଅଡ଼ିଟ୍ କରାଇ ଓ.କେ.ସି.ଏଲ୍ ଏକ ସରକାରୀ ସଂସ୍ଥା ନୁହେଁ ବୋଲି ସ୍ପଷ୍ଟ କରିଥିଲେ । ତେଣୁ ମନରେ ସ୍ୱତଃ ପ୍ରଶ୍ନ ଉଠେ, ରାଜ୍ୟର ଅମଲାମାନେ ଏହାକୁ ସରକାରୀ ସଂସ୍ଥାଭାବେ ଦର୍ଶାଇଲେ କାହିଁକି? କାରଣ ହେଉଛ, ସରକାରୀ ବ୍ୟବସ୍ଥାରେ ସରକାର ବିନା ଟେଣ୍ଡରରେ କୌଣସି ବେସରକାରୀ ସଂସ୍ଥା ଟେଣ୍ଡର ବା କାମ ଦେଇପାରିବେ ନାହିଁ । ତେଣୁ ରାଜ୍ୟ ଅମଲାମାନେ ବିନା ଟେଣ୍ଡରରେ କେନ୍ଦ୍ର ଅନୁଦାନ ହଡ଼ପ କରିବା ପାଇଁ ଓ.କେ.ସି.ଏଲ୍.କୁ ସରକାରୀ ସଂସ୍ଥା ଦର୍ଶାଇ ଏହି ଅର୍ଥ ନେଇଗଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଗଣମାଧ୍ୟମରେ ଏହି ବିଷୟ ବାରମ୍ବାର ଆଲୋଚନା ହେଲାପରେ ରାଜ୍ୟ ସରକାର ବାଧ୍ୟ ହୋଇ ଓ.କେ.ସି.ଏଲ୍ ଏକ ପବ୍ଲିକ ସେକ୍ଟର ୟୁଟିଲିଟି କମ୍ପାନୀ ଦର୍ଶାଇଥିଲେ ।

 

କେନ୍ଦ୍ର ବା ରାଜ୍ୟ ଅର୍ଥକୁ ନିଜର ପରିବାର ଏବଂ ସମ୍ପର୍କୀୟମାନଙ୍କ ହାତରେ ଦେଇ ସୁଚିନ୍ତିତ ଉପାୟରେ କିପରି ହଡ଼ପ କରାଯାଏ ଏବଂ ·କିରୀରୁ ଅବସର ନେଲା ପରେ ମଧ୍ୟ ସରକାରୀ ଅର୍ଥରେ କିପରି ମଉଜ ମଜଲିସ୍ କରାଯାଏ, ଏହାର ଏକ ବାସ୍ତବ ଏବଂ ପରୀକ୍ଷିତ ଉଦାହରଣ ହେଉଛି ଓ.କେ.ସି.ଏଲ୍ ।

 

ରାଜ୍ୟ ସରକାର ଏସ୍.ଆଇ.ଇ.ଟି. କରିଆସୁଥିବା ଏଜୁସାଟ (ଉପଗ୍ରହ ମାଧ୍ୟମରେ ଶିକ୍ଷା) କାର୍ଯ୍ୟକ୍ରମକୁ ବିଜ୍ଞାନ ଏବଂ କାରିଗଗରୀ କୌଶଳ ବିଭାଗ ମାଧ୍ୟମରେ ପୁଣିଥରେ ଆରମ୍ଭ କରିବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ ପାଇଁ ବହୁ ଅର୍ଥ ଖର୍ଚ୍ଚ ହେବ । ତେଣୁ ରାଜ୍ୟ ଅମଲାମାନେ ନିଜର ଏକ ବେସରକାରୀ ସଂସ୍ଥା ବା କମ୍ପାନୀ ମାଧ୍ୟମରେ କରିବା ପାଇଁ ଚିନ୍ତା ଆରମ୍ଭ କଲେଣି । ଯେହେତୁ କାର୍ଯ୍ୟକ୍ରମ ଏସ୍.ଆଇ.ଇ.ଟି. ଆଗରୁ କରିଆସିଛି, ଏହାର ଛଟେଇ ଥିବା ତାଲିମପ୍ରାପ୍ତ ଏବଂ ଅଭିଜ୍ଞ କର୍ମ·ରୀମାନେ ଅଛନ୍ତି ଏବଂ ସମସ୍ତ ପ୍ରକାରର ମୂଲ୍ୟବାନ ଯନ୍ତ୍ରପାତି, ଇନ୍ଫ୍ରାଷ୍ଟକଚ୍ର ଅଛି । ତେଣୁ ଉକ୍ତ ସଂସ୍ଥାକୁ ପୁନରୁଦ୍ଧାର କରି ଏହି କାର୍ଯ୍ୟକ୍ରମ ହସ୍ତାନ୍ତର କରିବା ଜରୁରୀ । ନଚେତ୍ ଏହି କାର୍ଯ୍ୟକ୍ରମ ଦୁର୍ନୀତିଗ୍ରସ୍ତ ଅମଲାମାନଙ୍କର ଅର୍ଥ ଲୁଟ୍ କେବଳ ମାଧ୍ୟମ ହେବ, ଏଥିରେ ସନ୍ଦେହ ନାହିଁ ।

ରାଜ୍ୟ ଆବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ, ମୋ-୯୯୩୭୮୪୩୪୮୨


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top