ବିଜେପିର ପଲିଟିକାଲ୍‍ ମ୍ୟାଚ୍‍ ଫିକ୍ସିଂ

News Story - Posted on 2017-08-05

ସୂର୍ଯ୍ୟମଣି ମିଶ୍ର

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା, ଏହାର କେଇ ସେକେଣ୍ଡ୍‍ ପରେ ମୋଦିଜୀଙ୍କ ଟ୍ୱିଟ୍‍, ଦିଲ୍ଲୀରେ ଏହି ସମୟରେ ବିଜେପି ସଂସଦୀୟ ବୋର୍ଡ଼ର ବୈଠକ, ଅନୁଷ୍ଠିତ ଏହି ବୈଠକରେ ୩ ସଦସ୍ୟ ବିଶିଷ୍ଟ କମିଟିର ଘୋଷଣା ଏହା ଏକ ବିଚିତ୍ର ସଂଯୋଗ ବୋଲି କାହିଁକି ଗ୍ରହଣ କରିବା? ରାଜନୀତିର ଏହି ରଙ୍ଗାରଙ୍ଗ ଦୃଶ୍ୟର ସମୟ ଥିଲା ମୋଟ ୩୦ ମିନିଟ ମାତ୍ର ।

 

ବିହାରକୁ ମିଶାଇ ଦେଶର ୨୨ଟି ରାଜ୍ୟରେ ବିଜେପି ଏବଂ ସହଯୋଗୀଙ୍କ ସମର୍ଥନର ସରକାର । କଂଗ୍ରେସ ମାତ୍ର ପଞ୍ଜାବ, ହରିୟାଣା, କର୍ଣ୍ଣାଟକ, ମେଘାଳୟ ଓ ମିଜୋରାମ ଭଳି ୫ଟି ରାଜ୍ୟରେ ସୀମିତ । ଅର୍ଥାତ୍‍ କଂଗ୍ରେସ ଦଳ ଏବେ ଆଉ ଜାତୀୟ ଦଳ ସ୍ଥିତିରେ ନାହିଁ । ଆଞ୍ଚଳିକ ଦଳରେ ରହିଯାଇଛି । ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ ମିଶାଇ ୨୯ଟି ରାଜ୍ୟରେ ବିଜେପି ସରକାର ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି । କିଛି ବୁଝିହେଉନି ଗତ ୩ ବର୍ଷ ମଧ୍ୟରେ ମୋଦିଜୀ, ମୋହନ ଭାଗବତଜୀ ଏବଂ ଅମିତ ଶାହଙ୍କ ତ୍ରିକୋଣୀୟ ଘେରାବନ୍ଦୀ ।

 

ନୀତୀଶଙ୍କୁ ଏବେ କ୍ଷମତା ପୁରୁଷ ଓ କେହି କେହି କ୍ଷମତା କୁମାର ବୋଲି କହିବା ଆରମ୍ଭ କରିଛନ୍ତି । ନୀତୀଶ କୁମାରଙ୍କ ଭଳି ମର୍ଯ୍ୟାଦା ପୁରୁଷୋତ୍ତମ ସମନେତାଙ୍କୁ କ୍ଷମତା କୁମାର କହିବା ନୀତୀଶ କୁମାରଙ୍କ ପାଇଁ କଟା ଘା’ରେ ଚୁନ ସଦୃଶ ଭଳି । ହୁଏତ ଏହା ମଧ୍ୟରେ ନୀତୀଶ କୁମାର କାର୍ଯ୍ୟଟିର ସମସ୍ତ ବିରୋଧ ପରେ ବି ୧୩୧ ସଂଖ୍ୟା ବିଶିଷ୍ଟ ବିଧାୟକଙ୍କ ସମର୍ଥନ ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟ ସଭା ସାଂସଦ ଆର୍‍ସିପି ସିଂହ ନୀତୀଶଙ୍କ ମାର୍ଗଦର୍ଶକ ରହିଛନ୍ତି । ଯିଏକି ରାଜନୈତିକ କ୍ଷେତ୍ରର ସମସ୍ତ ପରିଚାଳନା କରୁଛନ୍ତି । ଏମିତି ସ୍ଥିତି ହୋଇଛି ଯେ ଶରଦ ଯାଦବଙ୍କ ଭଳି ନେତା ଚୁପ୍‍ ରହିବାକୁ ବାଧ୍ୟ ହୋଇଛନ୍ତି । ଅର୍ଥାତ୍‍ ଚୁପ୍‍ ରହିବାକୁ ନିରବ ମଣିଛନ୍ତି । ୪ ଦଶକର ଅନୁଭବୀ ନେତା ହେଉଛି ନୀତୀଶ କୁମାର । ଲାଲୁଙ୍କ ପୁଅ ତେଜସ୍ୱୀଙ୍କର ମାତ୍ର ୨୦ ମାସର ରାଜନୈତିକ ଅନୁଭବ । ରାଜନୈତିକ ସୁବିଧାବାଦ ଏଭଳି ମୁଣ୍ଡ ଟେକିଛି ଯେ ନୈତିକତା ଖୋଜା ପଡ଼ିଲାଣି । ତେଜସ୍ୱୀଙ୍କ ପାଇଁ ଶେଷ ହୋଇଯାଇଛି ଅମୃତର ପରିବର୍ତ୍ତନ । ଅତୀତର ବିପରୀତ ମତ ମନ୍ତବ୍ୟକୁ ନୀତୀଶ କୁମାର ଆଡ଼େଇ ଦେଇଛନ୍ତି । ୨୬ ଜୁଲାଇ ସନ୍ଧ୍ୟାରେ ମୋଦି-ନୀତୀଶ ସମ୍ବାଦ ଏହିପରି ଦେଖିବାକୁ ମିଳିଥିଲା । ଦେଶର କୌଣସି ପ୍ରଧାନମନ୍ତ୍ରୀ ପୂର୍ବରୁ ବିରୋଧୀ ଦଳର ସରକାରକୁ ଭାଙ୍ଗିବା ନେଇ ଅଭିନନ୍ଦନ ବାର୍ତ୍ତା ଦେବା ପ୍ରଥମ । ଏଥିପ୍ରତି ଉତ୍ସାହ ଅତୀତର କୌଣସି ପ୍ରଧାନମନ୍ତ୍ରୀ ଦେଖାଇନାହାନ୍ତି । ମନେ ହେଉଛି ପ୍ରଧାନମନ୍ତ୍ରୀ ମୋଦିଜୀ ଏକାଧିକଥର ନିଜ ଭାବନାକୁ ନିଜ ନିୟନ୍ତ୍ରଣରେ ରଖିପାରୁନାହାନ୍ତି । ସମୟ, କାଳ, ପରିସ୍ଥିତିକୁ ଖାତିର ନକରି ଅଭିନନ୍ଦନ ଜଣାଉଛନ୍ତି । ଶବ୍ଦ ଉପରେ ଧ୍ୟାନ ପକାଇଲେ ଶୁଭ କାମନା ଦେଇପାରିବେ ପ୍ରଧାନମନ୍ତ୍ରୀ । କିନ୍ତୁ ବଧେଇ ଏବଂ ଶୁଭ କାମନାରେ ଫରକ ରହିଛି । ମୋଦିଜୀଙ୍କ ସମର୍ଥନ କରିବା କଥା ଭୁଲ୍‍ ନାହିଁ । ନୀତୀଶଙ୍କ ଇସ୍ତଫା ଏହାର କେତେ ସେକେଣ୍ଡ ପରେ ମୋଦିଜୀଙ୍କ ଟ୍ୱିଟ୍‍ ଏହି ସମୟରେ ଚାଲୁଥିଲା ଯେଉଁ ସମୟରେ ବିଜେପି ସଂସଦୀୟ ବୋର୍ଡ଼ ବୈଠକ ବସିଥିଲା । ବୈଠକରେ ୩ ସଦସ୍ୟ କମିଟି ଘୋଷଣା ଥିଲା, ନିଶ୍ଚିତ ମନେ ହେଉଥିଲା ଏକ ବିଚିତ୍ର ସଂଯୋଗ । ରାଜନୀତି ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଦେଇ ୩ ସଦସ୍ୟ କମିଟି ଗଠନ ହେଲା । ଏହି ୩ ଜଣ ବ୍ୟକ୍ତି କିଏ ଥିଲେ, ବିହାର ବିଜେପିର ଅଧ୍ୟକ୍ଷ ଶୁଶୀଲ କୁମାର ମୋଦି, ନିତ୍ୟାନନ୍ଦ ରାୟ, ଏହି ସମୟ ଯାଏ ବିହାର ବିଧାନସଭାର ବିରୋଧୀ ଦଳର ନେତା ପ୍ରେମ କୁମାର । ମାତ୍ର ଦେଢଘଣ୍ଟା ଭିତରେ ସ୍ଥିର ହେଲା ଯେ, ନୀତିଶଙ୍କୁ ବିଜେପି ସମର୍ଥନ ଦେବ । ଏହି କମିଟି ଦେଶରେ ପ୍ରଥମ କମିଟି ଏତେଶୀଘ୍ର ରିପୋର୍ଟ ଦେଇପାରିବ ।

 

ଓଡ଼ିଶାର ଏସ୍‍ସି ଜମିରଙ୍କୁ ଛାଡ଼ି ଦେଶରେ ଆଉ କଂଗ୍ରେସର ରାଜ୍ୟପାଳ ନାହାନ୍ତି । କେତେବେଳେ କଂଗ୍ରେସ ସେବାଦଳ ପକ୍ଷରୁ କାର୍ଯ୍ୟକ୍ରମ ଦେଖାଯାଉଥିଲା, ଏବେ ପ୍ରାୟ ଦୁର୍ଲ୍ଲଭ । କଂଗ୍ରେସର ଛାତ୍ର ସଂଗଠନ ଏନ୍‍ଏସ୍‍ୟୁୱାଇ ମହାବଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଯେଉଁ ଦବଦବା ଥିଲା ତାହା ଏବେ ହ୍ରାସ ପାଇଛି । ଭାରତୀୟ ମହିଳା କଂଗ୍ରେସ ଓ ଯୁବ କଂଗ୍ରେସର ସଦସ୍ୟ ସଂଖ୍ୟା କେତେ ତାହାର ସୂଚନା ମିଳୁନି । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହୁଛନ୍ତି ବିଶ୍ୱର ସବୁଠୁ ଅଧିକ ସଦସ୍ୟ ଥିବା ଦଳର ସେ ହେଉଛନ୍ତି ଅଧ୍ୟକ୍ଷ । ତୁମର କ’ଣ ଅଛି? ରାହୁଳ ଗାନ୍ଧି ଏହାର ଜବାବ ଦେବା ସ୍ଥିତିରେ ପହଞ୍ôଚ ପାରିନାହାନ୍ତି । କେବଳ ସେ ଯେଉଁ ସୂଚନା ଦେଉଛନ୍ତି ନିଜ ସ୍ଥିତି ସଂପର୍କରେ ତାହା ହେଉଛି ମୋ ପାଖରେ ମୋ ମା’ ଅଛି ।

 

ପ୍ରଶ୍ନ ହେଉଛି ଯେଉଁ ଦଳ କ୍ଷମତାରେ ଥାଏ ସେ କ’ଣ ଚାହିଁବ ବିରୋଧୀ ଦଳ ଦୃଢ ହେଉ । ୩୩ ବର୍ଷ ପୂର୍ବେ ୧୯୮୪ରେ ଯେତେବେଳେ ବିଜେପିର ମାତ୍ର ୨ ଜଣ ସାଂସଦ ଲୋକସଭାରେ ଥିଲେ ତାଙ୍କୁ କ’ଣ କଂଗ୍ରେସ ସେତେବେଳେ ୨୦ରୁ ୫୦ ଆସନ ଛାଡ଼ି ଦେଇଥିଲା । ବିଜେପିର ଏଜେଣ୍ଡା ଏବେ କେବଳ କଂଗ୍ରେସ ନୁହେଁ, ବିରୋଧୀଦଳ ମୁକ୍ତ ଭାରତ ମହା ଅଭିଯାନରେ । ଏଥିପାଇଁ ଏହି ଦଳ ଆଗକୁ ବଢୁଛି । ନୋଟବନ୍ଦୀରେ ୧୨୫ ଲୋକ ମୃତ୍ୟୁବରଣ କଲେ, ସଂଘ କି ବିଜେପିର କୌଣସି ନେତା ଏନେଇ ଅବଶୋଷର ଗୋଟିଏ ଶବ୍ଦ ପାଟିରୁ ବାହାର କଲେନି । ନୋଟବନ୍ଦୀ କାରଣରୁ ଜିଡ଼ିପି ହ୍ରାସ ହେଲା । ତେବେବି ବିଜେପି ଉତ୍ତରପ୍ରଦେଶରେ ବିଜୟୀ ହେଲା, କାହାର ଦୁର୍ବଳତା ପାଇଁ? ଜିଏସ୍‍ଟି ଦେଖୁ ଦେଖୁ କାର୍ଯ୍ୟକାରୀ କରାଗଲା, ଲୋକ ବେକାର, ଦରଦାମ୍‍ ବୃଦ୍ଧି, ଅପରାଧ, କର୍ପୋରେଟ ଜଗତର ଶୋଷଣ ଓ ଏକଛତ୍ରବାଦକୁ ଦେଖୁଛନ୍ତି । ଗୋସୁରକ୍ଷା ନାମରେ ଆତଙ୍କର ବାତାବରଣ ସୃଷ୍ଟି ହେଉଛି । ଜାତି ଓ ଧର୍ମନାମରେ ହିଂସାର ଚିତ୍ର ବଢିଚାଲିଛି ।

 

ଏହା ପରେ ବି ଦେଶର ଲୋକ କ୍ଷମତାସୀନ ଦଳ ସହ ରହିଛନ୍ତି । କେବେ ଚିନ୍ତା କରାଯାଇଛି କି ୪ ଦଶକ ମଧ୍ୟରେ ହଠାତ୍‍ ୪୦ ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କିପରି ଯୋଜନାବଦ୍ଧ ମାଧ୍ୟମରେ ଦେଶବାସୀଙ୍କ ହୃଦୟକୁ ବଦଳେଇବା ପାଇଁ କାମ କରୁଛି ଏବଂ ବଦଳାଇ ପାରିଛି । ଦେଶ ବାହାରେ ଯେଉଁ ସମର୍ଥନ ଶକ୍ତି ସଂଘପ୍ରତି ରହିଛି ତାଙ୍କର କ’ଣ ଅବଦାନ? ସଂଘର ବିଦେଶୀ ନେଟୱାର୍କ ଏବଂ ଦେଶର ଦୀନନାଥ ବତ୍ରାଙ୍କୁ ଜାଣନ୍ତି କି? ୮୮ ବର୍ଷ ବୟସର ଦୀନନାଥ ବତ୍ରା ଏବେ ଏହି ବିଶାଳ ବୃକ୍ଷର ଫଳ ଖାଉଛନ୍ତି । ଯାହାର ବୀଜ ରୋପଣ ସେ ୧୯୬୬ରେ କରିଥିଲେ । ୨୦୧୯ରେ ଲୋକ ଆର୍‍ଏସ୍‍ଏସ୍‍ ସହ ସମ୍ବନ୍ଧ, ଶିକ୍ଷା, ସଂସ୍କୃତି, ଉତ୍‍ଥାନର ମୁଖ୍ୟ ଦୀନନାଥ ବତ୍ରାଙ୍କୁ ସେଯାଏ ଠିକ୍‍ ଭାବେ ଜାଣିବେ । ଲୋକ ଏହାକୁ ଠିକ୍‍ ଭାବେ ମାନିବେ ଓ ଗ୍ରହଣ କରିବେ । ଯାହା ସଂଘ ସମର୍ଥକଙ୍କ ଇଣ୍ଡିଆ କହିବ ଏବଂ ଯେଉଁ ପୁନଃରଚିତ ପାଠ୍ୟ ପୁସ୍ତକରେ ଲେଖା ହେବ! ୧୯୬୦ରେ ଦୀନନାଥ ବତ୍ରା କୁରୁକ୍ଷେତ୍ରର ଗୀତା ସିନିୟର ସ୍କୁଲ୍‍ରେ ନିଯୁକ୍ତ ହୋଇଥିଲେ । ଏହା ସେହି ଗୀତା ସ୍କୁଲ ଯାହାର ପ୍ରତିଷ୍ଠା ମାଧବ ରାଓ ସଦାଶିବ ରାଓ ଗୋଲୱାଲକର ଥିଲେ । ୧୯ ନଭେମ୍ବର ୧୯୪୬ରେ ସେ ଏହାର ପ୍ରତିଷ୍ଠା କରିଥିଲେ ।

 

ଆର୍‍ଏସ୍‍ଏସ୍‍ର ଏହା ପ୍ରଥମ ବିଦ୍ୟାଳୟ ଥିଲା । ୧୯୪୮ରେ ସଂଘ ଉପରେ ପ୍ରତିବନ୍ଧକ ଲାଗିଲା । ଗୀତା ସ୍କୁଲ ଭଳି ମଡ଼େଲ୍‍ ଶିକ୍ଷା ସଂସ୍ଥାର ପ୍ରସାର ଏଇଠି ଅଟକି ଗଲା । ଅବସ୍ଥା ଠିକ୍‍ ହେବା ପରେ ଅର୍ଥାତ୍‍ ବଦଳି ଯିବା ପରେ ଗୋରଖପୁରରେ ୧୯୫୨ରେ ନାନାଜି ଦେଶମୁଖ ସରସ୍ୱତୀ ଶିଶୁ ମନ୍ଦିରର ଭିତ୍ତିପ୍ରସ୍ତର ପକାଇଲେ । କିଛି ବର୍ଷ ପରେ ଶିଶୁ ଶିକ୍ଷା ପ୍ରଶାସନ ସମିତି ଗଠନ ହେଲା । ୧୯୭୭-୭୮ ରେ ବିଦ୍ୟା ଭାରତ ଭଳି ସଂଘ ପରିବାର ପକ୍ଷରୁ ବୃହତ୍‍ ଶିକ୍ଷା ସଂସ୍ଥା ଗଠନ ହେଲା । ଯାହାର କାମ ହେଲା ଦେଶସାରା ବିଦ୍ୟାଳୟ ଶିକ୍ଷା ମାଧ୍ୟମରେ ସଂଘର ବିଚାରଧାରାର ପ୍ରଚାର ଓ ପ୍ରସାର କରିବ । ଦିନନାଥ ବତ୍ରା ବିଦ୍ୟାଭାରତୀର ଅଧ୍ୟକ୍ଷ ଥିଲେ ।

 

୧୨ ଫେବୃୟାରୀ ୨୦୦୬ରେ ପ୍ରଧାନମନ୍ତ୍ରୀ ମୋଦି ବିଦ୍ୟାଭାରତୀର ଜାତୀୟ ଆଚାର୍ଯ୍ୟ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ପ୍ରଶ୍ନ ହେଉଛି ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର କୌଣସି କାର୍ଯ୍ୟକ୍ରମକୁ ଆଜିଯାଏ କାହିଁକି ଯାଇନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଦ୍ୟାଭାରତୀ ଜାତୀୟ ଆଚାର୍ଯ୍ୟ ସମ୍ମିଳନୀକୁ ଯିବାର ଉକ୍ରଣ୍ଠାକୁ ନେଇ ଏବେ ପ୍ରଶ୍ନ । ୪ ଦଶକ ମଧ୍ୟରେ ବିଦ୍ୟା ଭାରତୀ ନିକଟରେ ୧୨,୩୬୪ ବିଦ୍ୟାଳୟ, ୪୨ ମହାବିଦ୍ୟାଳୟ, ୧୨ ଏକକ ସେବାକେନ୍ଦ୍ର, ୧,୪୩,୬୪୩ ଶିକ୍ଷକ, ୩୪,୫୨,୬୧୫ ଛାତ୍ର ଅଛନ୍ତି । ଏଇଠି ଧ୍ୟାନ ଦେବାର ବିଷୟ ହେଉଛି ଯେ, ସମଗ୍ର ଦେଶରେ ସଂଘ ଦ୍ୱାରା ସମାନ ଶିକ୍ଷା ଦେବାର ଉଦ୍ୟମ ୪୦ ବର୍ଷ ଧରି ଲାଗିରହିଛି । ଏହି ବିଦ୍ୟାଳୟରେ ପଢିଥିବା ଛାତ୍ର ଆଜି ଦିନରେ ପରିପକ୍ୱ ମତଦାତା ହୋଇସାରିଲେଣି । ଅଧିକାଂଶ ସଂଘର କ୍ୟାଡ଼ର ଅଛନ୍ତି । ସେମାନେ ଆର୍‍ଏସ୍‍ଏସ୍‍ର ବଡ଼ ଏଜେଣ୍ଡାର ସେଟ୍‍ ହୋଇଛନ୍ତି । କେବଳ ଶିକ୍ଷା କ୍ଷେତ୍ରରେ ନିଜର ପ୍ରବେଶକୁ ସଂଘ ସୁନିଶ୍ଚିତ କରିଛି ତାହା ନୁହେଁ, ବିଜେପିର ସଦସ୍ୟ ସଂଖ୍ୟା ଏବେ ୧୦ କୋଟିରୁ ଅଧିକ ହେଲାଣି । ୫୫ ଲକ୍ଷ ୨୦ ହଜାର ସ୍ୱୟଂସେବକ । ଭାରତୀୟ ମଜଦୂର୍‍ ସଂଘ ଏହା ହେଉଛି ସଂଘର ଶ୍ରମିକ ସଂଗଠନ । ଏହାର ସଦସ୍ୟ ସଂଖ୍ୟା ୮୩ ଲକ୍ଷ ୧୮ ହଜାର ୪୮ରେ ପହଞ୍ôଚଛି । ଏହାସହ ୫୮୯ ପ୍ରକାଶନ ସଦସ୍ୟ, ୪ ହଜାର ପୂର୍ଣ୍ଣକାଳୀନ ସଦସ୍ୟ, ପୂର୍ବତନ ସୈନିକଙ୍କୁ ନେଇ ୧ ଲକ୍ଷ ସଦସ୍ୟ, ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗଦଳର ସଦସ୍ୟ ସଂଖ୍ୟା ୬ ଲକ୍ଷ ୮୫ ହଜାର, ବିଜେପି ଦଳର ବିଧାୟକ ସଂଖ୍ୟା ୧୪୮୯ ଏବଂ ସାଂସଦଙ୍କ ସଂଖ୍ୟା ୨୮୩ ।

 

୧୨୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତବର୍ଷରେ ଯଦିଓ ସଂଘ ପରିବାରର ରାଜନୈତିକ, ସାଂସ୍କୃତିକ ତଥା ଶ୍ରମିକ ସଂଗଠନର ସଦସ୍ୟ ସଂଖ୍ୟା ବହୁତ କମ୍‍ । ତେବେ ବିଜେପିର ଆଧିପତ୍ୟ ଅଧିକ ଜୋର୍‍ ହୋଇଛି । ନିର୍ବାଚନରେ ମାତ୍ର ୩୧ ପ୍ରତିଶତ ଭୋଟ ପାଇ ଦେଶର ଶାସନକୁ ନିଜ ହାତମୁଠାରେ ରଖିଛି । ବିରୋଧୀ ଦଳ ସପକ୍ଷରେ ୬୮ ପ୍ରତିଶତ ଭୋଟ ଥାଇ ମଧ୍ୟ ଏହି ଦଳଗୁଡ଼ିକର ଏକତାର ଅଭାବ ହେତୁ ସଂଘ ପରିବାର ତଥା ବିଜେପି ପାଇଁ ସ୍ୱର୍ଣ୍ଣ ଯୁଗର ସୁଯୋଗ ଆଣିଦେଇଛି ।

 

ଏପରି ଭ୍ରମ ନରହିବା ଉଚିତ୍‍ ଯେ, ଏହି ପ୍ରକ୍ରିୟା ଦ୍ୱାରା ଦେଶର ସଂଖ୍ୟା ଗରିଷ୍ଠ ହିନ୍ଦୁ ସମାଜ ପାଇଁ ଭଲ ହେବାକୁ ଯାଉଛି । କାହିଁକି ନା ଯେଉଁ ଧରଣର ସୂଚନା ଏହି ବିଦ୍ୟାଳୟରେ ବଣ୍ଟାଯାଉଛି ତାହା ଦେଶର ସଂହତି ଓ ସଂପ୍ରୀତିକୁ ଦୃଢ କରିବାରେ ପ୍ରତିକୂଳବାର୍ତ୍ତା ଦେଉନାହିଁକି ? ତାଜମହଲ ଯେଉଁଠି ରହିଛି ସେଠାରେ ଏକ ଶିବ ଥିଲା । ଯାହାର ନାମ ଥିଲା ‘ତେଜୋ ମହାଳୟା’ । କୁତବ୍‍ ମୀନାର ବିଷ୍ଣ୍‍ୁଧ୍ୱଜ ଥିଲା । ରାଣାପ୍ରତାପ ହାରି ନଥିଲେ ଆକବରଙ୍କଠାରୁ । ଏହିଭଳି ଶିକ୍ଷା ଦିଆଯାଉଛି ସଂଘ ପରିବାର ଦ୍ୱାରା ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ । ସଂଘର ପୁରୁଣା ଏଜେଣ୍ଡା ଦେଶର ଅକାଦେମି, ସେନ୍ସରବୋର୍ଡ଼, କଳା ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରକୁ ନିୟନ୍ତ୍ରଣ କରିବା । ସଂଘ ଚାହୁଁଛି ଏପରି ଜଣେଜଣେ ବ୍ୟକ୍ତିଙ୍କ ହାତରେ ଏହିସବୁ ସଂସ୍ଥା ଓ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ଦିଆଯିବ ଯେଉଁମାନେ ଲୋକଙ୍କ ରାୟକୁ ବଦଳାଇପାରିବେ ।
ଆଜି ଦେଶର ସଭ୍ୟତାର ସ୍ଥିତି କ’ଣ, କାହିଁକି ହିଂସାର ବାତାବରଣ, କାହିଁକି ହିଂସା ସୀମାଲଙ୍ଘିବାରେ ଲାଗିଛି, କ’ଣ ଏହା ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା । ବର୍ବରତାର ପ୍ରବୃତ୍ତି ବଢିବାରେ ଲାଗିଛି । ରାଜନୀତି ସଭ୍ୟତା ଓ ସଂସ୍କୃତିକୁ ଯୋଡ଼ିଥାଏ । ଉଚ୍ଚ ସୋପାନରେ ପହଞ୍ଚାଇବା ପାଇଁ ପରସ୍ପର ଭାଇଚାରାକୁ ବଳିଷ୍ଠ କରିଥାଏ । କିନ୍ତୁ ଆଜି ଦିନରେ କ୍ଷମତା ପାଇଁ ଧର୍ମ ଓ ଜାତିର ଠିକାଦାରମାନେ ଲୋକଙ୍କ ମଧ୍ୟରେ ଉଗ୍ରବାଦର ଭାବନାକୁ ଉଦ୍ରେକ କରି ଚାଲିଛନ୍ତି । ଗୋଟିଏ ପଟେ ପ୍ରଚାର ହେଉଛି ଦେଶ ଜଗତ୍‍ଗୁରୁ ହେବ, ଅନ୍ୟ ପଟରେ କ୍ଷମତାର ଦଖଲ ପାଇଁ ସମସ୍ତ ଅଗଣତାନ୍ତ୍ରିକ ତଥା ଅମାନବୀୟ କାର୍ଯ୍ୟଧାରାକୁ ଆପଣଉଥିବା ନେତାଙ୍କ ସଂଖ୍ୟା ବଢିଚାଲିଛି । ଏହା ଯେପରି ସଂଘ ପରିବାର ପାଇଁ ସୁଯୋଗ ଦେଇଛି । ବିଜେପି ପାଇଁ ସ୍ୱର୍ଣ୍ଣଯୁଗ ଆରମ୍ଭ ହୋଇଛି । ନୀତି ନୈତିକତାର ପୃଷ୍ଠଭୂମି ବଦଳିବାରେ ଲାଗିଛି । ଦୀର୍ଘ ୪ଦଶନ୍ଧିର ଉଦ୍ୟମ ସଂଘ ପରିବାରକୁ ସଫଳତା ଆଣିଦେଇଛି । ବିରୋଧୀ ଦଳ ବିଚାରଗତ ବିଭ୍ରାନ୍ତିରେ ଘାଣ୍ଟି ଚକଟି ହେଉଛନ୍ତି । ଗୋଟିଏ ପଟେ ବିଜେପି ଓ ତାର ମେଣ୍ଟ ଶକ୍ତିଶାଳୀ ହେଉଥିବାବେଳେ, ଅନ୍ୟପଟରେ କଂଗ୍ରେସ ଓ ତାର ମେଣ୍ଟ ଦଳ ମଧ୍ୟରେ ସମତା ଓ ଏକତାର ସ୍ୱରୂପ ସ୍ପଷ୍ଟ ହେଉନି । ବାମଦଳଗୁଡ଼ିକ ଯେଭଳି ଭାବରେ ବିଜେପିକୁ ପରାଜିତ କରି ଏକ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି ତାହା ଜନତାଙ୍କ ବିଶ୍ୱାସ ଭାଜନ ହୋଇପାରିନି । ବିରୋଧୀଦଳ ମଧ୍ୟରେ ମତାଦର୍ଶଗତ ପାର୍ଥକ୍ୟ ତଥା ଏକତାର ଅଭାବ ସଂଘ ପରିବାର ଏବଂ ବିଜେପି ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିଛି । ବିଜେପିକୁ ଯେତେ ସାମ୍ପ୍ରଦାୟିକ ଦଳ ବୋଲି ପ୍ରଚାର କରାଗଲେ ହେଁ ଏହା ଜନତାଙ୍କୁ ଛୁଇଁପାରିନି । ବିରୋଧୀ ଦଳର ଏହି ଦୁର୍ବଳତା ବିଜେପି ପାଇଁ ସୃଷ୍ଟି କରିଛି ସ୍ୱର୍ଣ୍ଣଯୁଗର ସମୟ । ଦେଖିବାକୁ ମିଳୁଛି ବିଜେପିର ପଲିଟିକାଲ୍‍ ଭୋଟ ଫିକ୍ସିଂ ।

ଭୁବନେଶ୍ୱର, ସଂପର୍କ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top