ବୌଦ୍ଧଧର୍ମରେ ଧାରଣୀର ପ୍ରୟୋଗ

News Story - Posted on 2017-08-05

ମାନସ କୁମାର ରାଉତ

 


ଧର୍ମ ଏକ ଛୋଟିଆ ଶବ୍ଧ । ମାତ୍ର ଏହାର ସଂଜ୍ଞା ଖୋଜିବା ଏକ କଠିନ କାର୍ଯ୍ୟ । ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀ ବେଳକୁ ବୌଦ୍ଧଧର୍ମର ଉତ୍ପତ୍ତି ହୋଇଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ଏହା ଏକ ସାମାଜିକ ଗଣଧର୍ମରେ ରୂପାନ୍ତରିତ ହୋଇଥିଲା । ଓଡିଶା ବା ପ୍ରଚୀନ କଳିଙ୍ଗରେ ଏହାର ବୀଜ ବପନ କରିଥିଲେ କଳିଙ୍ଗର ଦୁଇ ବଣିକ ଭ୍ରାତା ତପସୁ ଓ ଭଲ୍ଲିକ । ଏହି ଦୁଇ ଭ୍ରାତା ବୁଦ୍ଧଦେବଙ୍କୁ ମଧୁ ପିଷ୍ଟକ ବା ଆରିସା ପିଠା ଅର୍ପଣ କରି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ଏବଂ ତାଙ୍କଠାରୁ କେଶ ଏବଂ ନଖ ଅସ୍ଥିର ଅବଶେଷ ପ୍ରାପ୍ତ କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ଦୁଇଟି ବୃହତ ସ୍ତୁପରେ ସ୍ଥାପନ କରିଥିଲେ । ଏବେ ତରାପୁରରେ ରହିଥିବା ସ୍ତୁପକୁ ଗବେଷକ କେଶ ଅସ୍ତି ସ୍ତୁପ ଭାବେ ଚିହ୍ନଟ କରିଛନ୍ତି । ଏଠାରେ କେଶସ୍ତୁପ ରହିଥିବା ବ୍ରାହ୍ମୀ ଭାଷାରେ ଏକ ଖୋଦିତ ଲିପି ରହିଛି । ପରେ ସମଗ୍ର ଉତ୍କଳରେ ଏହି ଧର୍ମ ପରିବ୍ୟାପ୍ତ ହେବା ସହ ଉତ୍କଳ ଏକ ସେତୁ ଭଳି ସମଗ୍ର ବିଶ୍ୱକୁ ବୌଦ୍ଧଧର୍ମ ପରିବ୍ୟାପ୍ତ ହେବାରେ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିିଥିଲା । ପରେ ପରେ ଅନ୍ୟ ବୌଦ୍ଧ ଭିକ୍ଷୁ ବା ସାଧୁମାନଙ୍କ ପ୍ରଚେଷ୍ଟା ଫଳରେ ଏଠାରେ ବୌଦ୍ଧଧର୍ମର କେତେକ ନୂତନ ମତବାଦ ବା ଶାଖା ମାର୍ଗ ଉନ୍ମୁକ୍ତ ହୋଇଥିଲା । ଫଳରେ ବୌଦ୍ଧଧର୍ମ ଉନ୍ନତିର ଶିଖରରେ ପଂହଚିଥିବା ବେଳେ ଏହି ନୂତନ ମାର୍ଗଗୁଡିକ ବିଶ୍ୱଧାରୀ ହୋଇପରିଥିଲା । ହେଲେ ବିଶ୍ୱର କୋଣଅନୁକୋଣରେ ଆଜି ବୌଦ୍ଧଧର୍ମ ଜୀବିତ ରହିଥିବା ବେଳେ ଉତ୍କଳରେ ନୂତନତା ମାର୍ଗର ପ୍ରଚଳନ ଓ ତାହାର ବ୍ୟାପକତା ଫଳରେ ଏହା ତନ୍ତ୍ରମନ୍ତ୍ର ଆଡକୁ ଅଗ୍ରସର ହୋଇ ପରିଶେଷରେ ଯୌନଲିପ୍ତ କାରଣରୁ ପରିଶେଷରେ ଏହି ବୃହତ ଗଣଧର୍ମର ପତନ ଘଟିଥିଲା । ମାତ୍ର ଅନେକ ଗବେଷକ ଆଜି ବି ଏଭଳି ମତ ସହ ସମ୍ମତ ହୋଇପାରୁ ନାହାନ୍ତି । କାରଣ ବୌଦ୍ଧ କଳା ସ୍ଥାପତ୍ୟ ମଧ୍ୟରେ ଏଭଳି କୌଣସି ମିଥୁନ ବା ମୈଥୁନ କଳାସ୍ଥାପତ୍ୟ ମିଳିବାର ପ୍ରାଚୁର୍ଯ୍ୟତା ନାହିଁ ।

 

ଅନ୍ୟପଟରେ ଏକ ଗଣଧର୍ମ ହୋଇଥିବା ବେଳେ ତାହା କିପରି ଏତେ ସହଜରେ ଲୁପ୍ତ ହେଲା ତାହାକୁ ଅନେକେ ସହଜରେ ଗ୍ରହଣ କରିପାରୁନହାନ୍ତି । ଏହି ଧର୍ମଧାରାରେ କେବଳ ସ୍ତୁପ ହିଁ ପ୍ରଥମ ପୂଜାସ୍ଥଳ ହୋଇଥିଲା । ତହିଁରେ ଅସ୍ଥିଅଂଶ ଖଚିତ କରାଯାଇ ପୂଜାର୍ଚ୍ଚନା କରାଯାଉଥିଲା । ପ୍ରଥମ ଶତାବ୍ଦୀରେ କନିଷ୍କଙ୍କ ସମୟରେ କଣ୍ଡଳବନଠାରେ ୪ର୍ଥ ବୌଦ୍ଧ ସମ୍ମିଳନୀ ବସୁମିତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଯେଉଁ ସମୟରେ ବୌଦ୍ଧଧର୍ମରେ ମହାଯାନ ନାମରେ ଏକ ଧାର୍ମିକ ତତ୍ତ୍ୱଯୁକ୍ତ ଶାଖାର ଉତ୍ପତ୍ତି ହୋଇଥିଲା । ଏହି ସମୟରେ ରାଜା କନିଷ୍କ ପ୍ରଥମଥର କରି ଏକ ମୂର୍ତ୍ତି ପ୍ରତିମାକୁ ଧାରଣ ପୂର୍ବକ ଗ୍ରାମ ପରିଭ୍ରମଣ କରିଥିଲେ ।

 

ଏହା ପରେ ବୌଦ୍ଧଧର୍ମରେ ମୂର୍ତ୍ତିପୂଜାର ପ୍ରଚଳନ ଆରମ୍ଭ ହେବା ସହିତ ବୌଦ୍ଧ ଧର୍ମରେ ଧାରଣୀ ଏକ ବିଶ୍ୱାସ ଭାବେ ବିକଶିତ ହୋଇଥିଲା । ଏହି ଧାରଣୀର ବିଶ୍ୱାସ ସମୟର ତାଳରେ ବିକଶିତ ହେଲା । ଏଥିରେ ନୂତନତାର ବିଶ୍ୱାସ ନିର୍ବାଣ, ନିରୋଧ, ଅନୁକମ୍ପା, ଦୁର୍ଗତି ପରିଶେଧନ, ଭୟରୁ ମୁକ୍ତି ଏବଂ ନିଜର ଅଦ୍ୱିତୀୟ ବିିଶ୍ୱାସ ବା ଅଭୟ ଯୋଡ଼ିହୋଇ ଧାରଣୀଗୁଡିକ ବହୁଳ ଭାବରେ ବ୍ୟବହୃତ ହେଲା । ଉଦୟଗିରି, ରତ୍ନଗିରି ଏବଂ ଲଳିତଗିରରେ ଆବିଷ୍କୃତ ଧାରଣୀଗୁଡିକ ଏହାର ପ୍ରମାଣ । ପରବର୍ତ୍ତୀ ସମୟରେ ତନ୍ତ୍ରମନ୍ତ୍ରର ପ୍ରଚଳନ ହୋଇଥିବା ସତ୍ତେ୍ୱ ଏହି ଧାରଣୀ ତାହାର ବିଶ୍ୱାସନୀୟତା ହରାଇନାହିଁ । ବରଂ ଏହା ତନ୍ତ୍ରମନ୍ତ୍ର ସହିତ ତାଳ ଦେଇ ନିଜର ବିଶ୍ୱାସନୀୟତା ବଜାୟ ରଖିଥିଲା ।

ଧାରଣୀ
ଧାରଣୀ କହିଲେ ଏକ ବିଧି ବା ବିଧାନକୁ ବୁଝାଇଥାଏ ଯେଉଁଥିରେ କି କେତେକ ମନ୍ତ୍ର ବା ବକ୍ତବ୍ୟ (ବୁଦ୍ଧ, ବୋଧିସ୍ତବା ବା ପ୍ରସିଦ୍ଧ ବୌଦ୍ଧ ସାଧୁମାନଙ୍କର) ସ୍ତୋତ୍ର ମାଧ୍ୟମରେ ଲିଖିତ କରାଯାଇଥାଏ । ସଂସ୍କୃତ ଭାଷାରେ ଏହି ଶବ୍ଦଟି ‘ଧର୍’ରୁ ଉନ୍ନୀତ ଯାହାର ଅର୍ଥ ଧାରଣ କରିବା ବା ଭରଣ କରିବା । ଅନ୍ୟ ଅର୍ଥରେ ଧାରଣୀ ହେଉଛି ଏକ ଶ୍ରୁତି ସହାୟକ ଯେଉଁଥିରେ କେତେକ ଶ୍ରୁତି ମନ୍ତ୍ର ଭଳି ସମାପିତ ହୋଇଥାଏ ।
କୌକାଇ ବୌଦ୍ଧସାଧୁଙ୍କ ମତରେ ଧାରଣୀ ହେଉଛି ଏକ ତତ୍ତ୍ୱ୍ୱଯୁକ୍ତ ମନ୍ତ୍ର । ଏଥିରେ ଗୂଢ଼ ରହସ୍ୟ ପାଇଁ ମନ୍ତ୍ରକୁ ଉପଯୋଗ କରାଯାଏ । ସମସ୍ତ ମନ୍ତ୍ରକୁ ସର୍ବସମ୍ମୁଖରେ ପ୍ରକାଶ କରାଯାଉ ନଥିବା ବେଳେ ଧାରଣୀ ସର୍ବସମ୍ମୁଖରେ ଆବୃତ୍ତି କରାଯାଏ ବୋଲି ସେ ଦର୍ଶାଇଛନ୍ତି । ଏହାକି ପ୍ରତ୍ୟେକ ବୌଦ୍ଧ ଧର୍ମାବଲମ୍ବୀଙ୍କ ଶୂନ୍ୟତା ଆଡକୁ ଏକ ମାର୍ଗ ବୋଲି ସେ ମତ ଦେଇଛନ୍ତି ।

 

ଗବେଷକ ରେଡ୍ ପାଇନଙ୍କ ମତରେ ଧାରଣୀ ହେଉଛି ନିଜ ଭିତରେ ବଦଳି ପାରୁଥିବା ଏକ ବକ୍ତବ୍ୟ ବା ମନ୍ତ୍ର । ଯାହାର କିଛି ନିର୍ଦ୍ଦିଷ୍ଟ ତତ୍ତ୍ୱ ରହିଛି । ଜନ୍ ନଟିରଙ୍କ ଭାଷାରେ ମନ୍ତ୍ର ହିନ୍ଦୁ ଧର୍ମର ବେଦରୁ ଆନୀତ ହୋଇଥିବା ବେଳେ ଧାରଣୀ ବୌଦ୍ଧଧର୍ମ ପୂର୍ବରୁ ହୋଇନାହିଁ । ଯାହାକି ମନ୍ତ୍ରକୁ ସ୍ୱତନ୍ତ୍ର ଭାଷା ଏବଂ ତତ୍ତ୍ୱ ସହିତ ଏକ ଭାଷ୍ୟ ମାଧ୍ୟମରେ ପରିସ୍ପୁଷ୍ଟ କରାଇଥାଏ । ଏହି ଧାରଣୀ ବୌଦ୍ଧଧର୍ମରେ ବହୁଳଭାବେ ପ୍ରଚଳିତ । ଓଡିଆ ଭାଷରେ ତତ୍ତ୍ୱଯୁକ୍ତ ମନ୍ତ୍ରକୁ ଦୋହା ଆକାରରେ ପରିପ୍ରକାଶ କରିବା ହିଁ ଧାରଣୀ ବୋଲି ଅନୁମେୟ । ଏଭଳି ଧାରଣୀ କରି ତାହାକୁ ସ୍ତୁପ ମଧ୍ୟରେ ନିକ୍ଷେପ କଲେ ଲକ୍ଷେ ପାପରୁ ମୁକ୍ତି ମିଳିଥାଏ ବୋଲି ବୌଦ୍ଧଧର୍ମରେ ବିଶ୍ୱାସ ରହିଛି ।

 

ହେ ଧର୍ମ ହେତୁ ପ୍ରଭାବ ଧାରଣୀ, ନୀଳକଣ୍ଠ ଧାରଣୀ, ଉପନିଶ ବିଜୟ ଧାରଣୀ ଓ ଚୁଣ୍ଡି ଧାରଣୀ ଆଦି ଚାରିଗୋଟି ଧାରଣୀ ବୌଦ୍ଧଧର୍ମରେ ଅଧିକ ମାତ୍ରାରେ ପ୍ରଚଳିତ । ଏଥିମଧ୍ୟରେ ‘ହେ ଧର୍ମ ହେତୁ ପ୍ରଭାବ’ ଧାରଣୀ ସର୍ବାଧିକ ପ୍ରଚଳିତ । ଓଡିଶାର ବୌଦ୍ଧତ୍ରିରତ୍ନ ହୀରକ ତ୍ରିଭୂଜରେ ଏହି ଧାରଣୀ ସର୍ବବ୍ୟାପୀ ଥିଲା ।

 

‘ହେ ଧର୍ମ ହେତୁ ପ୍ରଭାବ’ ଧାରଣୀ- ଏହା ହେଉଛି ବୌଦ୍ଧ ଧର୍ମର ପ୍ରସିଦ୍ଧ ସଂସ୍କୃତ ମନ୍ତ୍ର ଯାହାକି ପୁରାତନ ସମୟରେ ପ୍ରଚଳିତ ଥିଲା । ଏପରକି ପାଲି ଗ୍ରନ୍ଥରେ ଧାରଣୀ ଉତ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଧାରଣୀର ଉତ୍ପତ୍ତି ମୁଖ୍ୟତଃ ଅର୍ହତ ବା ଅସଜ୍ଜି (ସଂସ୍କୃତରେ ଅସଜିତ) ଭଳି ଦୁଇଟି ଶବ୍ଦରୁ ଆସିଥିବା ପ୍ରତୀୟ ହେଉଥିବା ବେଳେ ଯେଉଁ ସମୟରେ ବୁଦ୍ଧଦେବ ଶିକ୍ଷାଦାନ କରୁଛନ୍ତି ସେହି ସମୟରେ ସାରିପୁତ୍ତ ପ୍ରଥମ ପଥ ବା ସତ୍ପଥ ଉପରେ ନିଜର ବନ୍ଧୁ ମୋଗଲିୟାନଙ୍କୁ କହି ନିଜର ୫୦୦ ସାଧୁ ଶିଷ୍ୟକୁ ଧରି ବୁଦ୍ଧଙ୍କ ଶିଷ୍ୟତ୍ୱ ପାଇଁ ଯାଇଛନ୍ତି ।

 

ହେ ଧର୍ମ ହେତୁ ପ୍ରଭାବ ହେତୁନ, ତେସାମ ତଥାଗତଃ ହୟବଦତ, ତେଷା ଚ ୟୋ ନିରୋଧ, ଏବଂ ବାଦି ମହାଶ୍ରମଣ । ଏହି ଧାରଣୀର ଅର୍ଥ ସମସ୍ତ ଅପୂର୍ବର ପରିସର କୌଣସି କାରଣରୁ ଆସିଥାଏ । ଏହି କାରଣଗୁଡିକୁ ତଥାଗତ ବୁଦ୍ଧ ପ୍ରକାଶ କରିଛନ୍ତି । ଏଥିରୁ ବିରତ ହେବା କିମ୍ବା ଦଣ୍ଡରୁ ମୁକ୍ତ ହେବା ପରେ ତାଙ୍କୁ ମହାନ ଶ୍ରମଣରେ ପରିଣତ କରିଥାଏ । ପାଲିରେ ଏହାକୁ ଦୁଃଖ, ସମୁଦାୟ ଏବଂ ନିରୋଧକୁ ବୁଝାଇଥାଏ । ଅର୍ଥାତ ସମୁଦାୟ ଅପୂର୍ବ ଦୁଃଖରୁ ବିରତ ହେବା । ଯେତେବେଳେ ମହାଯାନରେ ମନ୍ତ୍ରକୁ ଗ୍ରହଣ କରାଗଲା ସେହି ସମୟରେ ଏହି ମନ୍ତ୍ରଗୁଡିକ ବିଭିନ୍ନ ମାର୍ଗରେ ପରିଦର୍ଶିତ ହୋଇଥିଲେ । ଏହାର ଅନ୍ୟ ଦୁଇଟି ଧାଡି ଶ୍ଳୋକ ମାଲେସିଆର କେଡାହରେ ଆବିଷ୍କୃତ ବୁକ୍ତି ମେରିୟମ ଶିଳାଲେଖରେ ଲେଖାଯାଇଛି ।

 

ଅଜୈନ÷କ କର୍ମ ଜନ୍ମନହ କର୍ମ କର୍ମଣେ, ଜୈନାନ ନ ଚୈତେ କର୍ମ କର୍ମ ଭବୈନ ନଂ ଜୟତେ । ଜନ୍ମର କାରଣ ହେଉଛି କର୍ମ, କର୍ମ କର୍ମକୁ ପାସୋରିବା ଏକତ୍ରୀକୃତ ନୁହେଁ । ବରଂ ଜ୍ଞାନଦ୍ୱାରା କର୍ମର ସଠିକ ଏକତ୍ରୀକରଣ କରିବା । ଯଦି କର୍ମ ନାହିଁ ତେବେ ପୁନଃଜନ୍ମର ମଧ୍ୟ କିଛି ମୂଲ୍ୟ ନାହିଁ ବୋଲି ଏହି ଶ୍ଳୋକରେ କୁହାଯାଇଛି । ଧାରଣୀ ମଧ୍ୟରେ ଅନ୍ୟ ଦୁଇଟି ପ୍ରସିଦ୍ଧ ମନ୍ତ୍ର ହେଉଛି ‘ଓମ ମଣି ପଦ୍ମେ ହୁମ’ ଓ ‘ଅଷ୍ଟମଙ୍ଗଳ’ ।
ନୀଳକଣ୍ଠ ଧାରଣୀ- ଏହି ଧାରଣୀକୁ ମହାନ ଅନୁକମ୍ପା ବା କରୁଣାମନ୍ତ୍ର ଧାରଣୀ ଭାବରେ ପ୍ରସିଦ୍ଧ । ଏହି ଧାରଣୀଟି ମହାଯାନ ସମୟରେ ଉତ୍ପତ୍ତି ଲାଭ କରିଥିଲା । ଏହାକୁ ବୌଦ୍ଧସତ୍ୱ ଅବଲୋକିତେଶ୍ୱର କହିଯାଇଛନ୍ତି ।

 

ମହାକରୁଣାଚିତ୍ତସୂତ୍ର ଅନୁସାରେ ‘ଓମ ମଣି ପଦ୍ମେ ହୁମ’ ପ୍ରସିଦ୍ଧ ମନ୍ତ୍ର ପୂର୍ବ ଏସିଆରେ ପ୍ରଚଳିତ । ଏହାକୁ ଶୋଧନ କରିବାରେ ବ୍ୟବହୃତ କରାଯାଇଥାଏ । ଏପରକି ପବିତ୍ରକରଣର ସୁରକ୍ଷା ପାଇଁ ଏହାର ଅବୃତ୍ତି କରାଯାଇଥାଏ । ଏହା ଚୀନର ନୀଳଦେବ ଲୋକେଶ୍ୱରରୁ ଆସିଅଛି । ଏହାକୁ ଅମୋଘବଜ୍ର ଅନୁବାଦ କରିଥିଲେ । ପରେ ଏହା ଜାପାନ, କୋରିଆ, ଭିଏତନାମ ଆଦି ବିଭିନ୍ନ ସ୍ଥାନକୁ ପରିବ୍ୟାପ୍ତ ହୋଇଥିଲା ।
ନମୋ ରତ୍ନ ତ୍ରୟାୟ, ନମୋ ଆର୍ଯ୍ୟ ଅବିଲୋକିତେଶ୍ୱରାୟ, ବୋଧିସତ୍ୱ, ମହାସତ୍ୱ ମହାକରୁଣାକାୟ, ଓମ ସର୍ବ ରବିୟେ ସୁଦାନାଦଶ୍ୟ ନମସ୍ୟ, କତିଭ୍ୟ ଇମାମା ଆର୍ଯ୍ୟ ଅବଲୋକିତେଶ୍ୱର ରାମଧାବ, ନମ ନରକିଳ ହିରିହ ମହା ହତ ସ୍ୱାମେ ସବ ଅର୍ଥତ ଶୁଭମ ଅଜୟମ, ସର୍ବ ସତ ନାମ-ବସତେ ନମୋ ବକ ମାଭିତତେ ତଡୟାତ, ଓମ ଅବଲିକେତେଶ୍ୱ କ୍ରତେ ଇ ହରିହି ମହାବୋଧିସତ୍ୱ ସର୍ବ ସର୍ବ ମାଳା ମାଳା ମାହି ମାହି ମାହି ରହିଡାୟମା, କୁରୁ କୁରୁ କର୍ମ, ଧୁରୁ ଧୁରୁ ବିଜୟତେ ମହା ବିଜୟତେ, ଧର ଧର ଧାରନିଶ୍ୱରାୟ ଚଳ ଚଳ ମାମା ବିମଳା ମୁକ୍ତଳେ, ଏହି ଏହି ସିନା ଆର୍ଶମ ପରିସରି ବିଶ୍ୱ ବିଶ୍ୱମ ପ୍ରୟାସ, ହୁଳୁ ହୁଳୁ ମାର ହୁଳୁ ହୁଳି ହରିନ୍ଦ୍ର ସର ସର ସରି ସରି ସୁରୁ ସୁରୁ, ବୋଧିଆୟ,ବୋଧିଆୟ, ବୋଧିଆୟ, ବୋଧିଆୟ, ମତ୍ରେୟ ନିରବନ୍ଦ ଦର୍ଶନ, ଭାୟମନା ସ୍ୱାହା, ସିଦ୍ଧୟା ସ୍ୱାହା, ମହାସିଦ୍ଧାୟ ସ୍ୱାହା, ସିଦ୍ଧ ଯୋଗିଶ୍ୱରାୟ ସ୍ୱାହା, ନାରକଳି ସ୍ୱାହା, ମାରନିରା ସ୍ୱାହା, ସିରି ସହ ମୁଖାୟ ସ୍ୱାହା, ସର୍ବ ମହା ଆମିଦାୟ ସ୍ୱାହା, ପଦ୍ମକଷ୍ଟେ ସ୍ୱାହା, ନରକନ୍ଦି ବଳଗଳା ସ୍ୱାହା, ମବରି ଶଙ୍କରାୟ ସ୍ୱାହା, ନମଃ ରତ୍ନ ତ୍ରିହ÷ହ, ନମ ଆର୍ଯ୍ୟ ଅବଲୋକିତେଶ୍ୱର ସ୍ୱାହା, ଓମଃ ସିଦ୍ଧାନ୍ତ ମନ୍ତ୍ର ଫଢ଼ାୟ ସ୍ୱାହା ।

 

ଉସନିଶ ବିଜୟ ଧାରଣୀ- ଏହା ହେଉଛି ମହାଯାନ ଧାରାର ଏକ ମନ୍ତ୍ର । ସଂସ୍କୃତରେ ଏହା ସର୍ବଦୁର୍ଗତି ପରିଶୋଧନ ଉସନିଶ ବିଜୟ ଧାରଣୀ ସୂତ୍ର ନାମରେ ଜଣା ଯାଇଥାଏ । ଏହା ସଂସ୍କୃତରୁ ଚାଇନିଜ ଭାଷାକୁ (ଖ୍ରୀଷ୍ଟାଦ୍ଧ ୬୭୯-୯୮୮) ୮ ଥର ଅନୁବାଦ କରାଯାଇଛି । ଫଳରେ ଏହା ଚୀନରେ ବହୁଳ ଭାବରେ ପ୍ରଚଳିତ ହୋଇପାରିଛି । ତାଙ୍ଗ ରାଜବଂଶ ସମୟରେ ଏହାର ପ୍ରସାର କରାଯାଇଥିଲା । ଏହାର ମୋଧିମଣ୍ଡ ମଞ୍ଜୁଶ୍ରୀ ସହିତ ସର୍ମ୍ପକ ରହିଛି ।

 

ଏହି ଧାରଣୀ ଅନୁସାରେ ସମଗ୍ର ବିଶ୍ୱକୁ ଅସୁବିଧାରୁ ଦୂର କରିବା ଏବଂ ଦୁଃଖ ଦୂରେଇ ଖୁସିରେ ଅଧିକ କାଳ ରହିବା ପାଇଁ ଏହାକୁ ବ୍ୟବହୃତ କରାଯାଇଥାଏ । ଏହାର ଆବୃତ୍ତି ଫଳରେ ବୁଦ୍ଧଦେବଙ୍କ ମାର୍ଗରେ ଚାଲିବା ସୁଗମ ହୋଇଥାଏ ।

 

ସୂତ- ଏକ କାହାଣୀ ଅନୁସାରେ ଦେବପୁତ୍ର ସୁଷ୍ଟତିଙ୍କ ନିଜର ପୁନଃଜନ୍ମ (୬ ଗୋଟି ପଶୁ ଜନ୍ମ ଯଥା କୁକୁର, ଘୁଷୁରୀ, ଗଧିଆ, ମାଙ୍କଡ, କାଉ, ଶାଗୁଣା) ସମ୍ପର୍କରେ ଜଣାପଡିବା ପରେ ସେ ଏଥିରେ ବିଚଳିତ ହୋଇ ସୁକ୍ରଦେବଙ୍କ ସାହାଯ୍ୟରେ ବୁଦ୍ଧଙ୍କ ଶରଣ ନେଇଛନ୍ତି । ଏଥିରୁ ମୁକ୍ତ ହେବା ପାଇଁ ବୁଦ୍ଧଦେବ ତାଙ୍କୁ ଉସନିଶ ବିଜୟ ଧାରଣୀ ସମ୍ପର୍କରେ ଜ୍ଞାନ ଦେଇଛନ୍ତି । ଏହାକୁ ଆବୃତ୍ତି କରି ସେ ମୁକ୍ତ ହେବା ପରେ ଜମ୍ବୁଦୀପ ସମେତ ବିଭିନ୍ନ ସ୍ଥାନକୁ ଏହାର ପ୍ରସାର କରାଇଛନ୍ତି ।

 

ନମ ଭଗବତେ ତ୍ରିଲୋକ-ପ୍ରତିଭିସିଷ୍ଟାୟ, ବୁଦ୍ଧାୟ ଭଗବତେ, ତହୟାଥା ଓମ ବିଶୋଧାୟ,ବିଶୋଧାୟ, ଅସମ-ସମ ସମାନ୍ତବଭୋଷ-ସ୍ରର୍ପରଣ ଗତି ଗାହାଣ ସ୍ୱାଭାବ ବିଶୁଧେ, ଅବିଶିନ୍ତ ମମ ସ୍ୱାଗତ ବର ବାଛନ ଅର୍ମତ ଅଭିଷେକ ମହାମନ୍ତ୍ର ଫଢ଼ାଇ, ଅହୟ ଅହୟ ଅୟ ସମ ଧାରଣୀ ଶୋଧାୟ ଶୋଧାୟ ଗଗନ ସ୍ୱଭାବ ବିଶୁଧେ, ଉସନିଶ ବିଜୟ ବିଶୁଧେ ସହ୍ରସ ରଶ୍ମି ସମ ଚଡତୈ, ସର୍ବ ତଥାଗତ ହୃଜୟେ ଅଧିସ୍ଥାନଧିଷ୍ଟିତେ ମହା ମୁଦ୍ରେ, ବଜ୍ର କାୟ ସମହୀତାନ ବୁଶୁଧେ, ସର୍ବ ଅପରଣ ଅପୟେ ଦୁର୍ଗତି ପରି ବିଶୁଧେ, ପ୍ରତି ନିର୍ବତୟ ଆୟୁ ସୁଧେ, ତଥାୟ ଭୂତକୋଟି ପରିଶେଧେ ବିଶୁପ୍ତ ସୁଧେ, ଜୟ ଜୟ ବିଜୟ ବିଜୟ ସ୍ୱାହହର ସ୍ୱହର ସର୍ବ ବୁଦେ୍ଧ ଅଧିଷ୍ଟିତ ସୁଧେ, ବଜ୍ର ବଜ୍ର ଗଧେ ବଜ୍ରରାମ, ଭବତୁ ସମ ସରିରାମ, ସର୍ବ ସତବାନମ ଚ କାୟେ ପରି ବିଶୁଧେ, ସର୍ବଗତ ପରିଶୁଧେ, ସର୍ବ ତଥାଗତ ସମବସ୍ତୁ ଅଧିଷ୍ଟିତେ, ବୁଦ୍ଧ ବୁଦ୍ଧ ବିବୁଦ୍ଧ ବିବୁଦ୍ଧ, ବୋଧାୟ ବୋଧାୟ ବିବୋଧାୟ ବିବୋଧାୟ ସମସ୍ତ ପରିଶୁଧେ, ସର୍ବ ତଥାଗତ ହୃଦୟେ ଅଧିଷ୍ଟାନଧିଷ୍ଟିତେ ମହାମୁଦ୍ରେ ସ୍ୱାହା ।

 

ଚୁଣ୍ଡୀ ଧାରଣୀ- ଏହି ଧାରଣୀ ଚୀନରେ ବହୁଳ ପ୍ରଚଳିତ ।
ନମହ ସପ୍ତନାମ ସାମାୟସମବୁଦ୍ଧ, କୋତିନାମ ତଡାୟଥ, ଓମ ଚଳେ ଚଳେ ଚୁଣ୍ଡି ସ୍ୱାହା ।

 

ଏହାକୁ ଆବୃତ୍ତି କରିବା ପୂର୍ବରୁ ତିନିଥର ପଠନ କରାଯାଇଥାଏ । କୌଣସି ବରଦାନ ବା ଦାନ ଦିଆଯାଇଥିବା ଦ୍ରବ୍ୟ ବସ୍ତୁର ସୁରକ୍ଷା କରିବା ପାଇଁ ଏହାକୁ ଆବୃତ୍ତି କରାଯାଇଥାଏ ।

 

ଏହି ଧାରଣୀକୁ ଯେଉଁ ଭିକ୍ଷୁ, ଭିକ୍ଷୁଣୀ, ଛାତ୍ରଛାତ୍ରୀ, ୮ ଲକ୍ଷ ଥର ଆବୃତ୍ତି କରିବ ସେ ପ୍ରତ୍ୟେକ ଜନ୍ମରେ ମଧ୍ୟ ବୁଦ୍ଧ ଏବଂ ବୋଧିସତ୍ୱମାନଙ୍କ ଦର୍ଶନ ଲଭି ପାରିବ । ପ୍ରତ୍ୟେକ ଜନ୍ମରେ ସେମାନେ ବୋଧିସତ୍ୱ ପରି ଜୀବନ ନିର୍ବାହ କରିପାରିବେ । ଏପରକି ସେମାନେ ଏହାର ଅଭିଭାବକ ମଧ୍ୟ ହୋଇପରିବେ ବୋଲି ବିଶ୍ୱାସ ରହିଛି । ଏହି ଧାରଣୀର ଆବୃତ୍ତି କରିବା ଫଳରେ ସମ୍ପୂର୍ଣ୍ଣ ନିର୍ବାଣ ସହିତ ମଧ୍ୟ ସର୍ମ୍ପକ ରକ୍ଷା କରାଯାଇପରିବ ବୋଲି ବୌଦ୍ଧ ଧର୍ମାଲମ୍ବୀମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି ।

 

ତେବେ ବୌଦ୍ଧ ଧର୍ମରେ ଧାରଣୀ ବା ମନ୍ତ୍ରର ବିଶ୍ୱାସ ଅଧିକ କ୍ରିୟଶୀଳ ହୋଇଥିବା ବେଳେ ଓଡିଶାରେ ମଧ୍ୟ ଏକ ଅଦ୍ୱିତ୍ୱୀୟ ବିଶ୍ୱାସ ରଚିବା ସହିତ ଏହାକୁ ଦୀର୍ଘକାଳ ପର୍ଯ୍ୟନ୍ତ ସଂଜୀବିତ କରି ରଖିପାରିଥିଲା । ଏହାର ଆବୃତ୍ତି ଫଳରେ ଭିକ୍ଷୁ ଭିକ୍ଷୁଣୀ, ଛାତ୍ରଛାତ୍ରୀ, ବୌଦ୍ଧ ଧର୍ମାଲମ୍ବୀମାନେ ନିର୍ବାଣପ୍ରାପ୍ତ କରିବାର ବିଶ୍ୱାସ ସଦା ପ୍ରଚଳିତ ହୋଇ ରହିଆସିଛି ।

ଗବେଷକ, ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ
କଦଳା, ହରିଦାସପୁର, ଧର୍ମଶାଳା, ଯାଜପୁର
ମୋ-୯୮୫୩୯୭୬୯୧୯


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top