ବିଜେଡିରେ ବୈଜୟନ୍ତ ଏକଘରିଆ!

News Story - Posted on 2017-08-04

ବିଜେଡିର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଡ଼ୁଆ ବଢ଼ୁଛି । ଦଳୀୟ ନେତାଙ୍କଠାରୁ ତାଙ୍କୁ ସୁରକ୍ଷା ମିଳୁନି । ଦଳ ଭିତରେ ସେ ଏକରକମ ଏକୁଟିଆ ହେବାରେ ଲାଗିଛନ୍ତି । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ତାଙ୍କ ବିରୋଧରେ କରିଥିବା ଅଭିଯୋଗ ପଛରେ ତାଙ୍କ ଅଫିସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭୂମିକା ଥିବା ଅଭିଯୋଗ କରି ଅଧିକ ଏକଲା ହୋଇଯାଇଛନ୍ତି ବୈଜୟନ୍ତ । ତାଙ୍କ ଅଫିସର ଏତାଦୃଶ ଟିପ୍ପଣୀକୁ ନାପସନ୍ଦ କରିଛନ୍ତି ଦଳର ଜଣେ ମନ୍ତ୍ରୀ ଓ ଜଣେ ବିଧାୟକ ।

 

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କରିଥିବା ଅଭିଯୋଗ ପଛରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ଭୂମିକା ଥିବା ନେଇ ସାଂସଦଙ୍କ ରାଜନୀତିକ ସଚିବ ଜ୍ୟୋତି ଘୋଷଙ୍କର ମନ୍ତବ୍ୟ ଗତକାଲି ଓଟିଭିରେ ପ୍ରସାରିତ ହୋଇଥିଲା । ଅଜିତ ଯୋଗୀ ଭଡ଼ାଟିଆ ସାଜି ଏଭଳି ଅଭିଯୋଗ କରିଛନ୍ତି ବୋଲି ସେ କହିଥିଲେ । ତାଙ୍କର ଏହି ମନ୍ତବ୍ୟକୁ ଦଳ ଓ ସରକାରରୁ ତୀବ୍ର ବିରୋଧ ହୋଇଛି ।

 

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ ଏହି ବିବାଦରେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ସଂପୃକ୍ତ କରିବା ଠିକ ନୁହେଁ । ଯାହା ବିରୋଧରେ ଅଭିଯୋଗ ସେ ନିଜେ ତାହାର ଜବାବ ଦେବା ଉଚିତ । ସେହିଭଳି ବିଜେଡି ବିଧାୟକ ସମୀର ଦାଶ କହିଛନ୍ତି ଯେ ଯାହା ବିରୋଧରେ ଅଭିଯୋଗ ସେ ନିଜେ ତାହାର ଉତ୍ତର ଦେବା ଉଚିତ । ତା’ ନକରି ସେ ଅନ୍ୟ ଲୋକ ଲଗାଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ବିରୋଧରେ ଅଭିଯୋଗ କରିବା ଉଚିତ ନୁହେଁ । ଏହାକୁ ଲୋକେ ଗ୍ରହଣ କରିବେ ନାହିଁ ।

 

ଦଳର ଅନ୍ୟ କୌଣସି ନେତା ଏଯାଏଁ ଏ ବିଷୟରେ ବୈଜୟନ୍ତଙ୍କ ପକ୍ଷରେ ଓକିଲାତି କରି ନାହାନ୍ତି କି ତାଙ୍କୁ ସୁରକ୍ଷା ଦେବା ପାଇଁ ଭିନ୍ନମତ ଦେଇ ନାହାନ୍ତି । ଅଧିକନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରଙ୍କ ବିରୋଧରେ ତାଙ୍କର ରାଜନୀତିକ ସଚିବ ଅଭିଯୋଗ କରିବା ପରେ ଦଳର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ମାପିଚୁପି ନିରବତା ଅବଲମ୍ବନ କରୁଛନ୍ତି ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ, ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପୁଅ ଅଭିଷେକ ସିଂହଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଉଠାଇଥିଲେ । ଚିଦାମ୍ବରମଙ୍କ ଦୁର୍ନୀତିରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ କମ୍ପାନୀ ସଂପୃକ୍ତ ଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ବୈଜୟନ୍ତଙ୍କ କମ୍ପାନୀକୁ ୨୩୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଛାଡ଼ କରାଯାଇଥିଲା । ତାଙ୍କ କମ୍ପାନୀକୁ ବିଦେଶୀ ପୁଂଜିନିବେଶ ଅନୁମୋଦନ ମିଳିଥିଲା । ଏସବୁ ପଛରେ ଚିଦାମ୍ବରମଙ୍କ ଭୂମିକା ଥିଲା । ଚିଦାମ୍ବରମ ବୈଜୟନ୍ତଙ୍କ କମ୍ପାନୀର ଓକିଲ ଓ ତାଙ୍କ ପତ୍ନୀ ନଳିନୀ ଚିଦାମ୍ବରମ ସେହି କମ୍ପାନୀର ଶେୟାର ହୋଲ୍ଡର । ତେଣୁ ଚିଦାମ୍ବରମଙ୍କ ସହିତ ପଣ୍ଡାଙ୍କ ଦୁର୍ନୀତିର ମଧ୍ୟ ତଦନ୍ତ ହେଉ ବୋଲି ଯୋଗୀ ଦାବି କରିଥିଲେ ।

 

ତାଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିବାକୁ ଯାଇଁ ବୈଜୟନ୍ତଙ୍କ ରାଜନୀତିକ ସଚିବ କହିଥିଲେ ଯେ ରାଜନୀତିରେ ଅପ୍ରାସଙ୍ଗିକ ହୋଇପଡ଼ିଥିବା ଅଜିତ ଯୋଗୀ ଅନ୍ୟ କାହାର ଭଡ଼ାଟିଆ ସାଜି ଏପରି ଅମୂଳକ ଅଭିଯୋଗ ଉଠାଇଛନ୍ତି । ତେବେ ଏ ପ୍ରସଙ୍ଗରେ ଖୋଦ ବୈଜୟନ୍ତ ଏପର୍ଯ୍ୟନ୍ତ ତୁଣ୍ଡ ନଫିଟାଇବା ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟାନ୍ୟ ଅନେକ ପ୍ରସଙ୍ଗରେ ଟୁଇଟ କରି ପ୍ରତିକ୍ରିୟା ପ୍ରକାଶ କରୁଥିବା ସାଂସଦ ଏ କ୍ଷେତ୍ରରେ କାହିଁକି ନୀରବ ରହିଛନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି ।

 

ଅନ୍ୟପକ୍ଷରେ ଅଜିତ ଯୋଗୀ ପୁଣି ନିଜର ଅଭିଯୋଗ ଦୋହରାଇ କହିଛନ୍ତି ଯେ ସେ ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ତଥ୍ୟ ଆଧାରିତ । ଏହାର ସମସ୍ତ ପ୍ରମାଣ ତାଙ୍କ ନିକଟରେ ରହିଛି । ସିବିଆଇ ତଦନ୍ତ ହେଲେ ଦୋଷୀ ଧରାପଡ଼ିବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top