କେତେ ଜରିମାନା ଦେବେ ଖଣି କମ୍ପାନୀ?

News Story - Posted on 2017-08-04

ସୁପ୍ରିମ କୋର୍ଟଙ୍କ ରାୟ ପରେ ବେଆଇନ ଭାବେ ଖଣିଜ ଲୁଟ୍ କରିଥିବା କମ୍ପାନୀଙ୍କଠାରୁ କେତେ ଜରିମାନା ଆଦାୟ କରିବେ ଓଡ଼ିଶା ସରକାର? ଏ ହିସାବ କରିବ କିଏ? ଓଡ଼ିଶା ସରକାର ନା ବେଆଇନ କାର୍ଯ୍ୟ କରିଥିବା ଖଣି କମ୍ପାନୀ? ରାୟ ପ୍ରକାଶ ପାଇବାର ଦୁଇ ଦିନ ଅତିବାହିତ ହୋଇଥିଲେ ମଧ୍ୟ ଏ ନେଇ ବିଭିନ୍ନ ମହଲରୁ ସନ୍ଦେହ ଦୂର ହୋଇନାହିଁ ।

 

ଓଡ଼ିଶାରେ ଶାସନ ଓ ପ୍ରଶାସନର ପୂର୍ଣ୍ଣ ସହଯୋଗରେ ବର୍ଷବର୍ଷ ଧରି ହୋଇଥିଲା ଖଣିଜ ପଦାର୍ଥ ହରିଲୁଟ୍ । ଓଡ଼ିଶା ଖଣି ଦୁର୍ନୀତି ସଂପର୍କୀତ ମାମଲାରେ ସୁପ୍ରିମ କୋର୍ଟ ବିଚାରପତି ମଦନ ବି. ଲୋକୁର ଓ ଦୀପକ ଗୁପ୍ତା ଯେଉଁ ରାୟ ପ୍ରକାଶ କରିଛନ୍ତି ସେଥିରେ ଏହା କୁହାଯାଇଛି । ‘ଓଡ଼ିଶାରେ ବ୍ୟାପକ ଖଣି କାରବାରକୁ ଦୃଷ୍ଟିରେ ରଖି ଏବେ ଦେଖାଯାଉଛି ଯେ ଖଣି କାରବାର ଉପରେ କୌଣସି ଫଳପ୍ରଦ ଯାଞ୍ଚ ହେଉନାହିଁ କି ରାଜ୍ୟରେ ଗୋଟେ ଫଳପ୍ରଦ ଖଣିନୀତି ନାହିଁ ।’ (ରାୟର ପାରା ୨୦୯)

 

‘ନିଃସନ୍ଦେହରେ, ଜଙ୍ଗଲ ଓ ପରିବେଶ ଅନୁମୋଦନ ବିନା ବ୍ୟାପକ ଖଣି କାରବାର ଚାଲିଥିଲା ଓ ଏଥିରେ ଅନେକ ପ୍ରକାର ଗମ୍ଭୀର ତ୍ରୁଟି ପରିଲକ୍ଷିତ ହୋଇଛି । ଯେଉଁମାନେ ଏପରି କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ କଥା । କିନ୍ତୁ ବର୍ତ୍ତମାନ ଦେଶର ଅନ୍ୟ ଭାଗରେ ମଧ୍ୟ ଏଭଳି ଆଇନ ଓ ନୀତିର ଉଲ୍ଲଙ୍ଘନକୁ ରୋକାଯିବା ଦରକାର ।’ (ରାୟର ପାରା ୨୧୧)

 

ଏବେ ଓଡ଼ିଶା ସରକାର ଅନ୍ତତଃ ଉପଯୁକ୍ତ ଜରିମାନା ଆଦାୟ କରି ନିଜର ପୂର୍ବ ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିବା ଦରକାର । କିନ୍ତୁ ଖଣି କମ୍ପାନୀଗୁଡ଼ିକ ଉପଯୁକ୍ତ ଜରିମାନା ନଦେବା ପାଇଁ ମଧ୍ୟ ଚକ୍ରାନ୍ତ ଆରମ୍ଭ କରିଛନ୍ତି । ସେମାନେ ଶାସନ ଓ ପ୍ରଶାସନରେ ପୂରି ରହିଥିବା ସେମାନଙ୍କର ଏଜେଣ୍ଟମାନଙ୍କ ଜରିଆରେ ଜରିମାନା ହିସାବ କମାଇବାକୁ ଚାପ ପକାଉଛନ୍ତି । ପୂର୍ବାଂଚଳ ଖଣି ସଂଘର ପ୍ରବୋଧ ମହାନ୍ତି କହି ସାରିଲେଣି ଯେ ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ସର୍ବାଧିକ ୧୭ ହଜାର କୋଟି ଟଙ୍କାର ଜରିମାନା ହିସାବା ହେବା କଥା । ଅନେକ ଖଣି କମ୍ପାନୀ ପୂର୍ବରୁ ଏନପିଭି ଓ ଜଙ୍ଗଲକଟା ପାଇଁ କ୍ଷତିପୂରଣ ବାବଦରେ ଅନେକ ଅର୍ଥ ଜମା କରିଥିବାରୁ ତାହାକୁ ମଧ୍ୟ ହିସାବ ହେଉଥିବା ଜରିମାନାରୁ କାଟିଦେବା ଉଚିତ ବୋଲି ସେ ମତ ଦେଇଛନ୍ତି ।

 

କିନ୍ତୁ ପୂର୍ବରୁ ଓଡ଼ିଶା ସରକାର ଖଣି କମ୍ପାନୀଙ୍କ ବେଆଇନ କାରବାର ପାଇଁ ୬୧ ହଜାର କୋଟି ଟଙ୍କାର ଜରିମାନା ନୋଟିସ ଜାରି କରିଥିଲେ । ତାହା ଏଯାଏଁ ଆଦାୟ ହୋଇନାହିଁ । ପ୍ରବୋଧ ମହାନ୍ତି ଯେଉଁ ୧୭ ହଜାର କୋଟି ଟଙ୍କାର ହିସାବ ଦେଇଛନ୍ତି ଏକ ସମୟରେ ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ତାହା ହିସାବ କରିଥିଲା । କିନ୍ତୁ ସୁପ୍ରିମ କୋର୍ଟ ପୂର୍ବରୁ ନିଯୁକ୍ତ କରିଥିବା କ୍ଷମତା ସଂପନ୍ନ କମିଟି ସେତେବେଳେ ହିସାବ କରିଥିଲେ ଯେ ଓଡ଼ିଶାରେ ୨୧୫ ନିୟୁତ ଟନର ଖଣିଜ ପଦାର୍ଥ ବେଆଇନ ଭାବେ ଲୁଟ୍ ହୋଇଛି ।

 

ଏବେ ସୁପ୍ରିମ କୋର୍ଟ ଦେଇଥିବା ରାୟ ଅନୁସାରେ ଜଙ୍ଗଲ ଓ ପରିବେଶ ଅନୁମୋଦନ ଉଲ୍ଲଙ୍ଘନ କରିଥିବା ଖଣି ପଟ୍ଟାଦାରମାନେ ଉତ୍ତୋଳନ କରିଥିବା ଖଣିଜ ପଦାର୍ଥର ୧୦୦ ପ୍ରତିଶତ ମୂଲ୍ୟ ଜରିମାନା ଦେବେ । (ରାୟର ପାରା ୧୫୩)

 

୨୦୦୦-୦୧ ବର୍ଷରୁ ସିଇସି ଧାର୍ଯ୍ୟ କରିଥିବା ପଦ୍ଧତି ଅନୁସାରେ ଖଣିଜ ପଦାର୍ଥର ୧୦୦ ପ୍ରତିଶତ ମୂଲ୍ୟ ନିର୍ଦ୍ଧାରଣ ହେବ । (ରାୟର ପାରା ୧୫୬)

 

ଜଙ୍ଗଲ ଅନୁମୋଦନ ଉଲ୍ଲଙ୍ଘନ ପାଇଁ ଏମଏମଡିଆର ଆଇନର ୨୧(୫) ଧାରା ଅନୁସାରେ ଖଣିଜ ପଦାର୍ଥର ୧୦୦ ପ୍ରତିଶତ ଯାଏଁ ପୂର୍ଣ୍ଣ ମୂଲ୍ୟ ଆଦାୟ କରାଯିବ । (ରାୟର ପାରା ୧୮୩)

 

ଏମଏମଡିଆର ଆଇନର ୨୧(୫) ଧାରା ଅନୁସାରେ କ୍ଷତିପୂରଣ ହିସାବ କରାଯିବା ସମୟରେ ପୂର୍ବରୁ ଦିଆଯାଇଥିବା ଏନପିଭି, ଅତିରିକ୍ତ ଏନପିଭି ଏବଂ ଅନ୍ୟ ଦଣ୍ଡମୂଳକ କ୍ଷତିପୂରଣକୁ ହିସାବ କରାଯିବ ନାହିଁ । ତାହା ଅଲଗା । ତାହାକୁ ଫେରସ୍ତ କରାଯିବ ନାହିଁ କି ଆଡଜଷ୍ଟ କରାଯିବ ନାହିଁ । (ରାୟର ପାରା ୧୮୪)

 

ଜଙ୍ଗଲ ଅନୁମୋଦନ ଉଲ୍ଲଙ୍ଘନ କ୍ଷେତ୍ରରେ ଜରିମାନା ହିସାବ ୧୯୯୮ ମସିହା ଜାନୁଆରୀ ୭ ତାରିଖରୁ ହେବ । (ରାୟର ପାରା ୧୮୬)

 

ଏବେ ପ୍ରଶ୍ନ ଉଠୁଛି ଓଡ଼ିଶା ସରକାର ସୁପ୍ରିମ କୋର୍ଟଙ୍କର ଏହି ରାୟ ଭିତ୍ତିରେ ଜରିମାନା ହିସାବ କରିବେ ନା ଖଣି ପଟ୍ଟାଦାରଙ୍କ ଚାପରେ ପଡ଼ି ନୂଆ କିଛି ବିଭ୍ରାନ୍ତିକର ହିସାବ ବାହାର କରିବେ? ରାଜ୍ୟ ସରକାର ତାଙ୍କର ପୂର୍ବ ଜରିମାନା ନୋଟିସ ଉପରେ ଅଟଳ ରହିଲେ ଖଣି ପଟ୍ଟାଦାରମାନେ ୬୧ ହଜାର କୋଟି ଟଙ୍କାର ଜରିମାନା ଦେବାକୁ ବାଧ୍ୟ । ଯଦି ଖଣି ପଟ୍ଟାଦାରଙ୍କ କଥାରେ ପଡ଼ି ଆଇବିଏମ ହିସାବକୁ ଚୂଡ଼ାନ୍ତ କରାଯାଏ ତେବେ ସେମାନେ ମାତ୍ର ୧୭ ହଜାର କୋଟି ଟଙ୍କା ଦେଇ ଖସିଯାଇ ପାରିବେ । କିନ୍ତୁ ସରକାର ଯଦି ସିଇସିଙ୍କ ୨୧୫ ନିୟୁତ ଟନ ଲୁହା ପଥରର ଦର ହିସାବ କରନ୍ତି ତେବେ ଟନ୍ ପିଛା ହାରାହାରି ୪ ହଜାର ଟଙ୍କା ହିସବାରେ ୯୦ ହଜାର କୋଟି ଟଙ୍କାର ଜରିମାନା ଆଦାୟ ହୋଇପାରିବ ।

 

୨୦୦୦-୦୧ ବର୍ଷରେ ଲୁହା ପଥର ଦର ୨-୪ ହଜାର ଟଙ୍କା ଥିଲେ ମଧ୍ୟ ୨୦୦୨-୦୩ ବର୍ଷରୁ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ୨୦୦୭-୦୮ ବେଳକୁ ଏହା ୬ ହଜାର ଟଙ୍କାକୁ ଟପି ଯାଇଥିଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top