ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା

News Story - Posted on 2017-08-03

ଅରୁଣ ଜେଟ୍ଲୀ

 

ସୁପର ପାୱାର ବା ବୃହତ ଶକ୍ତି ହେବାକୁ ଇଚ୍ଛା ରଖୁଥିବା ରାଷ୍ଟ୍ର କ’ଣ ପ୍ରତିରକ୍ଷା ଉପକରଣର ଆମଦାନୀ ଉପରେ କ୍ରମାଗତ ନିର୍ଭରଶୀଳ ରହିପାରିବ କି? ଅବା ନିଜସ୍ୱ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ ଓ ପ୍ରତିରକ୍ଷା ଉଦ୍ୟୋଗର ଆଧାରର ବିକାଶକୁ ଅଣଦେଖା କରିପାରିବ କି? ନିଶ୍ଚିତ ଭାବେ ନୁହେଁ । ସ୍ୱଦେଶୀ ରକ୍ଷା ଉତ୍ପାଦନ ଅବା ରକ୍ଷା ଉଦ୍ୟୋଗ ଆଧାର ହେଉଛି ଗୋଟିଏ ରାଷ୍ଟ୍ରର ଦୀର୍ଘକାଳୀନ ସାମରିକ ରଣନୀତି ପାଇଁ ଆବଶ୍ୟକ ଉପାଦାନ । ଆମଦାନୀ ଉପରେ ଅତ୍ୟଧିକ ନିର୍ଭରଶୀଳତା ନା କେବଳ ସମୃଦ୍ଧ ସାମରିକ ରଣନୀତିିି ଓ ଭାରତକୁ ଏହି ଅଂଚଳରେ ସୁରକ୍ଷା କ୍ଷେତ୍ରରେ ଭୂମିକାକୁ ସମସ୍ୟାରେ ପକାଉଛି ବରଂ ଆର୍ଥିକ ଦୃଷ୍ଟିକୋଣରୁ ବିକାଶର ସମ୍ଭାବନା ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଚିନ୍ତାର ବିଷୟ । ଯଦିଓ କ୍ଷମତାର ସମସ୍ତ ଦିଗ ମିଶି ସୁପର ପାୱାରକୁ ଗଠନ କରେ ତଥାପି ରାଷ୍ଟ୍ରର ଉତ୍ଥାନକୁ ମହାନ୍ ଓ ସୁପର ପାୱାର ମାନ୍ୟତା ଦେବାରେ ସାମରିକ କ୍ଷମତା ହିଁ ଚାବିକାଠି ହୋଇଥାଏ । ଇତିହାସକୁ ଅନୁଧ୍ୟାନ କଲେ, ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗର ଇତିହାସ ୨୦୦ ବର୍ଷରୁ ଅଧିକ । ବ୍ରିଟିଶ କାଳରେ ବନ୍ଧୁକ ଓ ଗୋଳାବାରୁଦର ନିର୍ମାଣ ପାଇଁ ଅସ୍ତ୍ରଶସ୍ତ୍ର କାରଖାନା ସ୍ଥାପନ ହୋଇଥିଲା । ପ୍ରଥମ ଅସ୍ତ୍ରଶସ୍ତ୍ର କାରଖାନାର ସ୍ଥାପନ ୧୮୦୧ ମସିହାରେ କାଶୀପୁରରେ ହୋଇଥିଲା । ସ୍ୱାଧୀନତା ପୂର୍ବରୁ ମୋଟ ୧୮ଟି ଅସ୍ତ୍ରଶସ୍ତ୍ର କାରଖାନା ନିର୍ମାଣ ହୋଇଥିଲା । ଏବେ ଭୌଗୋଳିକ ଦୃଷ୍ଟିରୁ ଭାରତର ପ୍ରତିରକ୍ଷା ଉଦ୍ୟୋଗ ଭିତ୍ତିଭୂମି ମଧ୍ୟରେ ସମଗ୍ର ଦେଶରେ ୪୧ଟି ଅସ୍ତ୍ରଶସ୍ତ୍ର କାରଖାନା ରହିଛି । ୯ଟି ରାଷ୍ଟ୍ରାୟତ୍ତ ରକ୍ଷା ଉଦ୍ୟୋଗ, ୨୦୦ରୁ ଊଦ୍ଧ୍ୱର୍ ଘରୋଇ କ୍ଷେତ୍ରରେ ଲାଇସେନ୍ସପ୍ରାପ୍ତ କମ୍ପାନୀ ଓ କିଛି ହଜାର କ୍ଷୁଦ୍ର, ମଧ୍ୟମ ଓ ସୂକ୍ଷ୍ମ ଉଦ୍ୟୋଗ ମଧ୍ୟ ବୃହତ କମ୍ପାନୀ ଓ ରାଷ୍ଟ୍ରାୟତ୍ତ ରକ୍ଷା ଉଦ୍ୟୋଗକୁ ଆବଶ୍ୟକ ଉପକରଣ ଯୋଗାଉଛନ୍ତି । ଡିଆରଡିଓର ୫୦ରୁ ଊଦ୍ଧ୍ୱର୍ ରକ୍ଷା ପ୍ରୟୋଗଶାଳା ମଧ୍ୟ ଦେଶରେ ପ୍ରତିରକ୍ଷା ବିନିର୍ମାଣର ସମଗ୍ର ଇକୋ-ସିଷ୍ଟମର ଅଂଶବିଶେଷ ହୋଇ ରହିଛନ୍ତି ।

 

୨୦୦୦ ମସିହା ସୁଦ୍ଧା ପ୍ରାୟ ଆମର ପ୍ରମୁଖ ପ୍ରତିରକ୍ଷା ଉପକରଣ ଓ ସାମରିକ ଯନ୍ତ୍ରାଂଶ ବ୍ୟବସ୍ଥା ଆମଦାନୀ ହେଉଥିଲା କିମ୍ବା ଲାଇସେନ୍ସଭୁକ୍ତ ଉତ୍ପାଦନ ଅଧୀନରେ ଭାରତରେ ଥିବା ଅସ୍ତ୍ରଶସ୍ତ୍ର କାରଖାନା ଓ ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା ଉଦ୍ୟୋଗ ଦ୍ୱାରା ଉତ୍ପାଦିତ ହେଉଥିଲା । ଡିଆରଡିଓ ଦେଶର ଏକମାତ୍ର ପ୍ରତିରକ୍ଷା ଗବେଷଣା ଓ ବିକାଶ ଏଜେନ୍ସି ଭାବେ ବହୁ ପରିମାଣରେ ସ୍ୱଦେଶୀ ଜ୍ଞାନକୌଶଳ ବିକଶିତ କରୁଛି ଓ ସହଯୋଗ ପାଇଁ ଯୋଗଦାନ ଦେଉଛି । ଯାହାଫଳରେ ଗବେଷଣା ଓ ବିକାଶ କ୍ଷେତ୍ରରେ ଡିଆରଡିଓ ଏବଂ ରାଷ୍ଟ୍ରାୟତ୍ତ ରକ୍ଷା ଉଦ୍ୟୋଗର ପ୍ରୟାସରେ ଦେଶ ଏଭଳି ଏକ ସ୍ତରରେ ପହଂଚିଛି ଯେଉଁଠି ଆମେ ସମସ୍ତ ପ୍ରକାରର ରକ୍ଷା ଉପକରଣ ଓ ବ୍ୟବସ୍ଥାର ବିନିର୍ମାଣକୁ ବିକଶିତ କରିବାରେ ସମର୍ଥ ହୋଇଛୁ । ଏବେ ଏକ ମୋଟାମୋଟି ଆକଳନ ଅନୁସାରେ ଆମର ମୋଟ ପ୍ରତିରକ୍ଷା କ୍ରୟର ୪୦ ପ୍ରତିଶତ ସ୍ୱଦେଶୀ ଉତ୍ପାଦନ ଅଟେ । କେତେକ ପ୍ରମୁଖ କ୍ଷେତ୍ରରେ ସ୍ୱଦେଶୀକରଣର ଏକ ମହତ୍ୱପୂର୍ଣ୍ଣ ପରିମାଣକୁ ହାସଲ କରିପାରିଛୁ । ଉଦାହରଣ ସ୍ୱରୂପ, ଟି-୦ ଟ୍ୟାଙ୍କର ୭୪ ପ୍ରତିଶତ ସ୍ୱଦେଶୀ, ପଦାତିକ ଲଢୁଆ ସାଂଯୁଆ ଗାଡି(ବିଏମ୍ପି-୨)ର ୯୭ ପ୍ରତିଶତ ସ୍ୱଦେଶୀ, ସୁଖୋଇ ୩୦ ଯୁଦ୍ଧ ବିମାନର ୫୮ ପ୍ରତିଶତ ସ୍ୱଦେଶୀ, କ୍ରୁଜ କ୍ଷେପଣାସ୍ତ୍ରର ୯୦ ପ୍ରତିଶତ ସ୍ୱଦେଶୀ ଅଟେ । ଲାଇସେନ୍ସପ୍ରାପ୍ତ ଉତ୍ପାଦନ ଆଧାରରେ ନିର୍ମିତ ପ୍ଲାଟଫର୍ମରୁ ସ୍ୱଦେଶୀକରଣ ହାସଲ ବ୍ୟତୀତ ଆମେ ନିଜର ଗବେଷଣା ଓ ବିକାଶ ମାଧ୍ୟମରେ କେତେକ ପ୍ରମୁଖ ପ୍ରଣାଳୀକୁ ସ୍ୱଦେଶୀ ଭାବେ ବିକଶିତ କରିବାରେ ସଫଳତା ହାସଲ କରିଛ । ଏଥିରେ ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ, ଆଧୁନିକ ହାଲୁକା ହେଲିକପ୍ଟର, ହାଲୁକା ଲଢୁଆ ବିମାନ, ପିନାକ ରକେଟ, ସେଂଟ୍ରାଲ ଅଧିଗ୍ରହଣ ରାଡାର, ଅସ୍ତ୍ରଶସ୍ତ୍ର ଠାବକାରୀ ରାଡାର, ଯୁଦ୍ଧକ୍ଷେତ୍ରରେ ନଜର ରଖୁଥିବା ରାଡାର ଭଳି ବିଭିନ୍ନ ପ୍ରକାରର ରାଡାର ସାମିଲ ଅଛି । ଏହି ପ୍ରଣାଳୀରେ ୫୦ରୁ ୬୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ମଧ୍ୟ ସାମିଲ ଅଛି ।

 

ସରକାରୀ ମାଲିକାନାରେ ଥିବା ବିନିର୍ମାଣ କମ୍ପାନୀ ଓ ଡିଆରଡିଓ ମାଧ୍ୟମରେ ଉପରୋକ୍ତ ଅଗ୍ରଗତି ସହ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗ କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ସାମିଲ କରି ପ୍ରତିରକ୍ଷା ଉଦ୍ୟୋଗ ଭିତ୍ତିଭୂମିକୁ ବିସ୍ତାର କରିବାର ସମୟ ଠିକ୍ ଥିଲା । ୨୦୦୧ ମସିହାରେ ସରକାର ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ୨୬ ପ୍ରତିଶତ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ସାମିଲ କରି ଘରୋଇ କ୍ଷେତ୍ରର ପ୍ରବେଶକୁ ଅନୁମତି ଦେଇଥିଲେ । ଆମର ନିଜସ୍ୱ ରକ୍ଷା ଉଦ୍ୟୋଗ ଭିତ୍ତିଭୂମିର ନିର୍ମାଣ ଦିଗରେ ଦେଶରେ ଉପଲବ୍ଧ ଉଦ୍ୟୋଗ ଓ ଅଭିଜ୍ଞତାକୁ ସମଗ୍ର ସ୍ପେକ୍ଟ୍ରମ କ୍ଷମତାର ସମ୍ଭାବନାକୁ ବିକଶିତ କରିବା ଆମର ପ୍ରୟାସ ଅଟେ । ଯାହାକି ଆତ୍ମ ନିର୍ଭରଶୀଳତାକୁ ଆଗେଇ ନେଇଛି । ୨୦୦୧ ମସିହାରେ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରାଯିବା ମାଧ୍ୟମରେ ରକ୍ଷା ବିନିର୍ମାଣ କ୍ଷେତ୍ରରେ ଘରୋଇ ଭାଗିଦାରୀର ବିକାଶ ଗତ ୩-୪ ବର୍ଷ ପର୍ଯନ୍ତ ବିଶେଷ ଉଲ୍ଲେଖନୀୟ ନ ଥିଲା । ଅସ୍ତ୍ରଶସ୍ତ୍ର କାରଖାନା ଓ ରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଯୋଗାଣ କରୁଥିବା ଯନ୍ତ୍ରାଂଶ, ସାଜ-ସରଂଜାମ ଓ ଉପକରଣର ଉତ୍ପାଦନ ବହୁ ପରିମାଣରେ ସୀମିତ ଥିଲା । ଗତ ୩ ବର୍ଷ ମଧ୍ୟରେ ଲାଇସେନ୍ସିଂ ବ୍ୟବସ୍ଥାରେ ଉଦାରୀକରଣ ସହ ବିଭିନ୍ନ ରକ୍ଷା ନିର୍ମାଣ ପାଇଁ ୧୨୮ଟି ଲାଇସେନ୍ସ ଜାରି କରାଯାଇଛି । ଫଳରେ ଗତ ୧୪ ବର୍ଷ ମଧ୍ୟରେ ଏହି ଅବଧି ପୂର୍ବରୁ କେବଳ ୨୧୪ଟି ଲାଇସେନ୍ସ ଜାରି କରାଯାଇଥିଲା ।

 

ପ୍ରତିରକ୍ଷା ହେଉଛି ଏକକ୍ରେତାଧିକାର କ୍ଷେତ୍ର ଯେଉଁଠି ସରକାର ଏକମାତ୍ର କ୍ରେତା । ଘରୋଇ ରକ୍ଷା ଉଦ୍ୟୋଗର ସଂରଚନା ଓ ବିକାଶ ମଧ୍ୟ ସରକାରଙ୍କ କ୍ରୟ ନୀତି ଦ୍ୱାରା ସଂଚାଳିତ ହୋଇଥାଏ । ତେଣୁ ସରକାର ସ୍ୱଦେଶୀ ନିର୍ମିତ ଉପକରଣକୁ ପ୍ରାଥମିକତା ଦେବା ପାଇଁ କ୍ରୟ ନୀତିକୁ ସମୃଦ୍ଧ କରିଛନ୍ତି । ବିନିର୍ମାଣ କ୍ଷେତ୍ରର ସାମରିିକ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା ପାଇଁ ଯଥା ଯୁଦ୍ଧ ବିମାନ, ହେଲିକପ୍ଟର, ବୁଡାଜାହାଜ ଓ ଅସ୍ତ୍ରଶସ୍ତ୍ର ବହନକାରୀ ଗାଡ଼ି ପାଇଁ ସରକାର ନିକଟରେ ଏକ ରଣନୀତିକ ଭାଗିଦାରୀ ନୀତି ଘୋଷଣା କରିଛନ୍ତି । ଯେଉଁଥିରେ ଉପକରଣ ନିର୍ମାଣକାରୀ ପ୍ରକୃତ ବିଦେଶୀ କମ୍ପାନୀ(ଓଇଏମ୍) ସହ ଭାରତୀୟ କମ୍ପାନୀଗୁଡ଼ିକ ଯୌଥ ଉଦ୍ୟୋଗ ଗଠନ କିମ୍ବା ଅନ୍ୟପ୍ରକାରର ଭାଗିଦାରୀ କରିପାରିବେ । ଜ୍ଞାନକୌଶଳ ହସ୍ତାନ୍ତର ମାଧ୍ୟମରେ ଭାରତରେ ନିର୍ମାଣ କରିପାରିବେ ।

 

ଗତ ୩ ବର୍ଷ ମଧ୍ୟରେ ନିଆଯାଇଥିବା ନୀତି ଓ ପଦକ୍ଷେପର ପରିମାଣ ପ୍ରତିଫଳିତ ହେବା ଆରମ୍ଭ ହେଲାଣି । ୩ ବର୍ଷ ପୂର୍ବରୁ ୨୦୧୩-୧୪ ମସିହାରେ ଭାରତୀୟ ବିକ୍ରେତାଙ୍କଠାରୁ ପୁଞ୍ଜି କ୍ରୟର ମାତ୍ର ୪୭.୨ ପ୍ରତିଶତ ଥିବାବେଳେ ୨୦୧୬-୧୭ ମସିହାରେ ଏହା ୬୦.୬ ପ୍ରତିଶତକୁ ବୃଦ୍ଧି ପାଇଛି । ସ୍ୱଦେଶୀ ଡିଜାଇନ, ଦେଶ ଭିତରେ ବିକାଶ ଓ ରକ୍ଷା ଉପକରଣ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ନୀତି ଓ ସଂସ୍କାର ପ୍ରକ୍ରିୟା ହାତକୁ ନେଇଛନ୍ତି ।

 

ଏଥିରେ ଲାଇସେନ୍ସିଂ ଓ ଏଫ୍ଡିଆଇ ନୀତିର ଉଦାରୀକରଣ, ଅଫ୍ସେଟ୍ ଗାଇଡଲାଇନ୍କୁ ସୁବ୍ୟବସ୍ଥିତ କରିବା, ରପ୍ତାନୀ ନିୟନ୍ତ୍ରଣ ପ୍ରକ୍ରିୟାକୁ ଯୁକ୍ତିସଂଗତ କରିବା, ସାର୍ବଜନୀନ ଓ ଘରୋଇ କ୍ଷେତ୍ର ମଧ୍ୟରେ ସ୍ତରର ସମସ୍ୟାକୁ ସମାଧାନ କରିବା ସାମିଲ ଅଛି । ରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ପୁନରୁଦ୍ଧାର କରିବା ପାଇଁ କେତେକ ପଦକ୍ଷେପ ନିଆଯାଇଛି । ସମସ୍ତ ରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଅସ୍ତ୍ରଶସ୍ତ୍ର କାରଖାନା ବୋର୍ଡ(ଓଏଫ୍ବି)କୁ କ୍ଷୁଦ୍ର,ମଧ୍ୟମ ଓ ସୂକ୍ଷ୍ମ ଉଦ୍ୟୋଗଠାରୁ ସେମାନଙ୍କର ଆମଦାନୀ ବୃଦ୍ଧିକୁ ବାଧ୍ୟତାମୂଳକ କରାଯାଇଛି । ଯାହାଫଳରେ ନିର୍ମାଣ କ୍ଷେତ୍ର ପାଇଁ ଏକ ଇକୋ-ସିଷ୍ଟମ ଦେଶ ଭିତରେ ବିକଶିତ ହୋଇପାରିବ । ରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଓଏଫ୍ବିକୁ ଆମଦାନୀ ଲକ୍ଷ୍ୟ ଦିଆଯାଇଛି ଓ ଖର୍ଚ୍ଚକୁ ହ୍ରାସ କରିବା ଏବଂ ଅକ୍ଷମତାକୁ ଦୂର କରିବାର ସେମାନଙ୍କର ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ କରିବା ପାଇଁ କୁହାଯାଇଛି ।

 

ଜାହାଜ ନିର୍ମାଣ କ୍ଷେତ୍ରରେ ସ୍ୱଦେଶୀକରଣର ଏକ ମହତ୍ୱପୂର୍ଣ୍ଣ ପ୍ରତିଶତକୁ ଆମର ପ୍ରତିରକ୍ଷା ସିପୟାର୍ଡ ହାସଲ କରିପାରିଛି । ଏବେ ନୌସେନା ଓ ତଟରକ୍ଷୀ ବାହିନୀ ଦ୍ୱାରା ଭାରତୀୟ ସିପ୍ୟାର୍ଡର ସମସ୍ତ ଜାହାଜ ଓ ପେଟ୍ରୋଲିଂ ଜାହାଜ ଆଦି ନିର୍ମାଣର ଅର୍ଡର ଦିଆଯାଉଛି । ଧୀରେ ଧୀରେ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରି ସେମାନଙ୍କୁ ଅଧିକ ଉତ୍ତରଦାୟୀ କରିବା ଓ ପରିଚାଳନା ସାମର୍ଥ୍ୟ ବୃଦ୍ଧି କରାଯାଉଛି । ଗତ ୩ ବର୍ଷ ମଧ୍ୟରେ ରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଓଏଫ୍ବିର ଉତ୍ପାଦନର ମୂଲ୍ୟ(ଭିଓପି) ପ୍ରାୟ ୨୮ ପ୍ରତିଶତ ବୃଦ୍ଧି ପାଇଛି ଓ ଉତ୍ପାଦନ ୩୮ ପ୍ରତିଶତ ବଢ଼ିଛି । ସେହିପରି ରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଆମର ଯାତ୍ରା ମହତ୍ୱପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଂଚିଛି । ସ୍ୱାଧୀନତା ପରେ, ଯେତେବେଳେ ଆମେ ମୁଖ୍ୟତଃ ଆମଦାନୀ ସହ ଆରମ୍ଭ କରିଲୁ, ଧୀରେ ଧୀରେ ୭୦, ୮୦ ଓ ୯୦ ଦଶନ୍ଧିରେ ଲାଇସେନ୍ସପ୍ରାପ୍ତ ଉତ୍ପାଦନ ଆଡ଼କୁ ଅଗ୍ରସର ହେଉଥିଲୁ । ଏବେ ସ୍ୱଦେଶୀ ଡିଜାଇନ୍, ବିକାଶ ଓ ନିର୍ମାଣ କ୍ଷେତ୍ରରେ ଅଗ୍ରସର ହେବା ଆରମ୍ଭ କରିଛୁ । ଅଟୋମୋବାଇଲ, କମ୍ପ୍ୟୁଟର ସଫ୍ଟୱେୟାର, ଭାରି ଇଞ୍ଜିନିୟରିଂ ଆଦି ଭଳି ଅନ୍ୟ କ୍ଷେତ୍ରରେ ସ୍ଥାୟୀ ନୀତି ଆଡ଼କୁ, କୁଶଳ ପ୍ରଶାସନିକ ପ୍ରକ୍ରିୟାରେ ଭାରତୀୟ ରକ୍ଷା ଉଦ୍ୟୋଗ ହିଁ ଅବସରର ଫାଇଦା ନେବ ବୋଲି ମୁଁ ଆଶାବାଦୀ ଅଛି । ଆମେ ନିକଟ ଅତୀତରେ ପ୍ରମୁଖ ରକ୍ଷା ଉପକରଣ, ଡିଜାଇନ୍, ବିକାଶ ଓ ନିର୍ମାଣ ପ୍ଲାଟଫର୍ମରେ ଆଖିଦୃଶିଆ ସୁଧାର ଆଣିପାରିବୁ । ସଂସ୍କାରର ପ୍ରକ୍ରିୟା ଓ ଇଜ୍ି ଅଫ୍ ଡୁଇଙ୍ଗ୍ ବିଜିନେସ୍ ହେଉଛି ଏକ ନିୟମିତ ପ୍ରକ୍ରିୟା ଏବଂ ସରକାରୀ ଓ ଶିଳ୍ପ ସଂସ୍ଥାକୁ ମିଳିତ ଭାବେ କାର୍ଯ୍ୟ କରି ପାରିପାଶ୍ୱିର୍କ ବ୍ୟବସ୍ଥା ବିକଶିତ କରିବାକୁ ହେବ । ଯାହାକି ଏହି କ୍ଷେତ୍ର ପାଇଁ ଅଭିବୃଦ୍ଧି ଓ ସ୍ଥାୟୀତ୍ୱ ନିମନ୍ତେ ଆବଶ୍ୟକ ଏବଂ ଏହା ଆମର ଜାତୀୟ ସୁରକ୍ଷା ପାଇଁ ଦୀର୍ଘକାଳୀନ ସ୍ୱାର୍ଥ ହୋଇପାରିବ ।

(ଲେଖକ ହେଉଛନ୍ତି ଭାରତର ପ୍ରତିରକ୍ଷା, ଅର୍ଥ, ଔଦ୍ୟୋଗିକ ବ୍ୟାପାର ମନ୍ତ୍ରୀ ।)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top