ନିମୋନିଆ ବିରୋଧରେ ସଂଗ୍ରାମ

News Story - Posted on 2017-08-03

ଜେ. ପି. ନଡ୍ଡା

 

ଦେଶବାସୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା କରିବା ସହ ଦେଶର ପ୍ରତ୍ୟେକ ମହିଳା, ପୁରୁଷ ଏବଂ ପିଲାଙ୍କୁ ନିଜ ଜୀବନ ବଂଚାଇବା ଓ ସୁସ୍ଥ ଜୀବନ ଯାପନ ପାଇଁ ସବୁ ପ୍ରକାର ସୁଯୋଗ ପ୍ରଦାନ କରିବା ପାଇଁ ବର୍ତ୍ତମାନର ସରକାର ୨୦୧୪ ମସିହାରେ ଦେଶବାସୀଙ୍କୁ ପ୍ରତିଶ୍ରୃତି ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଅନେକ ରୋଗ କବଳରୁ ଶିଶୁମାନଙ୍କୁ ରକ୍ଷା କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ସେଥି ମଧ୍ୟରୁ ସାର୍ବଜନୀନ ଟୀକାକରଣର ଆରମ୍ଭ ଏବଂ ଏହାକୁ ସମସ୍ତଙ୍କ ନିକଟରେ ପହଁଚାଇବା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ । ନରେନ୍ଦ୍ର ମୋଦୀଜୀଙ୍କ ଦୂରଦର୍ଶୀ ନେତୃତ୍ୱ ଜରିଆରେ ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତି ଥିଲା । ଏହି ଅବସରରେ ଆଜି ବିଶ୍ୱାସର ସହ କହୁଛି ଯେ, ଏହି ପ୍ରତିଶ୍ରୃତିକୁ ସଂପୂର୍ଣ୍ଣ କରିବା ଦିଗରେ ଦେଶ ଅଗ୍ରସର ହେଉଛି ।

 

ଗତ କିଛି ଦଶନ୍ଧି ଧରି ଆମ ପିଲାମାନେ ବିଭିନ୍ନ ମହାମାରୀରେ ଆକ୍ରାନ୍ତ ହୋଇ ଅସମୟରେ ମୃତ୍ୟୁ ମୁଖରେ ପଡୁଥିଲେ । ସମ୍ପ୍ରତି ବାଳ ଏବଂ ଶିଶୁ ମୃତ୍ୟୁକୁ କମ୍ କରିବା ନିମନ୍ତେ ନୂଆ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଗତ ଦୁଇବର୍ଷ ମଧ୍ୟରେ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଜରିଆରେ ଇନ୍ଆକ୍ଟିଭେଟେଡ ପୋଲିଓ ଟୀକା (ଆଇପିଭି) ଡାଇରିଆ ବିରୋଧରେ ରୋଟାଭାଇରସ ଟୀକା (ଆରଭିଭି) ଏବଂ ମିଳିମିଳା - ରୁବେଲା ବିରୋଧି (ଏମ୍ଆର) ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେହିପରି ନ୍ୟୁମୋକୋକାଲ କଂଜ୍ୟୁଗେଟ୍ ଭେକସିନ (ପିସିଭି) ନାମରେ ନିମୋନିଆ ବିରୋଧରେ ଏକ ଟୀକାକୁ ମୁଖ୍ୟ ଅସ୍ତ୍ର ରୂପେ ବ୍ୟବହାର କରାଯାଇଛି । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ୟୁଏଚଓ) ପରାମର୍ଶ ଅନୁରୂପ । ଏହି ଟୀକା ନିମୋନିଆର ଅତ୍ୟନ୍ତ ସାମାନ୍ୟ କାରଣ ବିରୋଧରେ କାର୍ଯ୍ୟ କରୁଛି । ଯାହାକି ଏକ ବାକ୍ଟେରିଆରୁ ସୃଷ୍ଟି ଏବଂ ଏହାକୁ ନ୍ୟୁମୋକୋକସ କୁହାଯାଏ । ଏହି ବାକ୍ଟେରିଆ ଦ୍ୱାରା କାନରେ ସଂକ୍ରମଣ, ମସ୍ତିଷ୍କ ଜ୍ୱର ଏବଂ ରକ୍ତ ସଂକ୍ରମଣ ପରି ରୋଗ ସୃଷ୍ଟି ହୋଇଥାଏ । ଏହି ରୋଗ ଦ୍ୱାରା ମୃତ୍ୟୁ କିମ୍ବା ଗଭୀର ବିକଳାଙ୍ଗତାର ସ୍ଥିତି ସୃଷ୍ଟି ହୋଇଥାଏ ।

 

ଦୀର୍ଘଦିନ ହେବ ଏହି ଟୀକା ଆମ ଦେଶର ଘରୋଇ କ୍ଷେତ୍ରରେ ଉପଲବ୍ଧ ଥିଲା । କେବଳ ଧନୀ ଶ୍ରେଣୀର ପିଲାଙ୍କୁ ଏହି ଟୀକା ମିଳିପାରୁଥିଲା । କିନ୍ତୁ ଏହାକୁ ଆଜି ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଆମେ ପ୍ରୟାସ କରିଛୁ । ବିଶେଷ କରି ଏହି ଟୀକା କିପରି ବଂଚିତ ବର୍ଗର ପିଲାମାନଙ୍କ ନିକଟରେ ପହଁଚିପାରିବ ତାହାର ବ୍ୟବସ୍ଥା କରାଯାଇଛି । ଜୀବନ ବଂଚାଇବା ପାଇଁ ଏହି ଟୀକାର ଉପଲବ୍ଧତା କେବଳ ଥିଲାବାଲାଙ୍କ ନିକଟରେ ନୁହେଁ, ଏହା କିପରି ସମସ୍ତ ପିଲାଙ୍କ ନିକଟରେ ପହଁଚିପାରିବ ତାହାର ବ୍ୟବସ୍ଥା କରାଯାଇଛି । ପିସିବି ପରି ଟୀକା ମାଧ୍ୟମରେ ଆମେ ଦେଶର ନାଗରିକକୁ ଉନ୍ନତ ଭବିଷ୍ୟତ ଦେଇ ପାରିବା ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସୁସ୍ଥ ଏବଂ ସକରାତ୍ମକ କରିବା ପାଇଁ ଅଗ୍ରସର ହେବା ନିମନ୍ତେ ଉଦ୍ୟମ ଜାରି ରହିଛି ।

 

ଏହି ଟୀକାକରଣ କାହିଁକି ବୋଲି କିଛି ଲୋକ ପ୍ରଶ୍ନ କରୁଛନ୍ତି । ପୂର୍ବ ପିଢି ମଧ୍ୟ ଡାଇରିଆ, ମିଳିମିଳା ଓ ନିମୋନିଆ ରୋଗରେ ପୀଡିତ ହେଉଥିଲେ । ତେବେ ଏବେ ଆମ ପିଲାମାନଙ୍କୁ ଏହି ଟୀକାକରଣରେ ସାମିଲ କରାଯିବାର କ’ଣ ଆବଶ୍ୟକତା ରହିଛି? ଏହି ପ୍ରବନ୍ଧକୁ ଆପଣ ସଂପୂର୍ଣ୍ଣ ପଢିବା ବେଳକୁ ନିମୋନିଆରେ ଗୋଟିଏ ଶିଶୁର ମୃତ୍ୟୁ ହୋଇ ସାରିଥିବ । ପ୍ରତି ତିନି ମିନିଟରେ ଦେଶରେ ଗୋଟିଏ ଶିଶୁ ନିମୋନିଆର ଶିକାର ହେଉଛି । ଆମେ ସେହି ଶିଶୁକୁ ବଂଚାଇ ତା ଜୀବନ ସୁରକ୍ଷିତ କରିବା ଜରୁରୀ ।

 

ଏହାକୁ ଏକ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ (ୟୁଆଇପି) ଜରିଆରେ ଆରମ୍ଭ କରିବା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଟୀକାର ଆବଶ୍ୟକତା, ସୁରକ୍ଷା ଏବଂ କ୍ଷମତା ସଂପର୍କରେ ବିଚାର କରି ନିଷ୍ପତି ନିଆଯାଇଛି । ଦେଶରେ କୌଣସି ପ୍ରକାର ନୂଆ ଟୀକାର ପ୍ରଚଳନ ପୂର୍ବରୁ ଏହା ରୋଗର ବୋଝ ମହାମାରୀ ରୋକିବା କ୍ଷେତ୍ରରେ ଏହାର କ୍ଷମତା ଏହାର ଉପଲବ୍ଧତା ଏବଂ ମୂଲ୍ୟ ସଂପର୍କରେ ଟୀକାକରଣ ସଂପର୍କୀତ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ) ଦ୍ୱାରା ସମୀକ୍ଷା କରାଯାଇଥାଏ । ଅଭିଜ୍ଞ ତଥା ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏନଟିଏଜିଆଇର ସୁପାରିସକୁ ସଶକ୍ତ କାର୍ଯ୍ୟକ୍ରମ କମିଟି ଏବଂ ମିଶନ ଷ୍ଟିୟରିଂ ଗୃପ (ଏମଏସଜି) ଅନୁମୋଦନ କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ନୂତନ ଟୀକାର ପ୍ରଚଳନ କରାଯାଇଥାଏ ।

 

ଏନଟିଏଜିଆଇର ଅନୁମୋଦନ ପରେ ପିସିଭି ସମେତ ସମସ୍ତ ନୂତନ ଟୀକାକୁ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଥାଏ । ନିମୋନିଆରେ ଆକ୍ରାନ୍ତ ହୋଇ ଭାରତ ସମେତ ସମଗ୍ର ବିଶ୍ୱରେ ପ୍ରାଣ ହରାଉଥିବା ଶିଶୁଙ୍କୁ ପିସିଭି ଏହି ଜୀବାଣୁ ବକଳରୁ ସୁରକ୍ଷା ଦେଉଛି । ବିହାର, ଉତ୍ତର ପ୍ରଦେଶ ଏବଂ ହିମାଚଳ ପ୍ରଦେଶର କିଛି ଅଂଶରେ ଆମେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ତେବେ ଖୁବ୍ ଶୀଘ୍ର ଏହା ଦେଶର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଆରମ୍ଭ କରାଯିବ । ଏହା ଏକ ବ୍ୟୟ ବହୁଳ ଟୀକା ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାକୁ ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ସୁସ୍ଥ ସମାଜ ପାଇଁ ରାଜକୋଷ ଉପରେ ଚାପ ପଡୁଥିଲେ ମଧ୍ୟ ଏହାକୁ ସରକାର ବହନ କରିଛନ୍ତି ।

 

ନିମୋନିଆରେ ବର୍ଷକୁ ପାଖାପାଖି ୧.୮ ଲକ୍ଷ ଶିଶୁଙ୍କ ମୃତ୍ୟୁ ଏବଂ ୨୦ ଲକ୍ଷରୁ ଉଦ୍ଧ୍ୱର୍ ଶିଶୁ ଏହାର ଶିକାର ହେବା ଘଟଣା ସରକାରଙ୍କ ପାଇଁ ଆର୍ôଥକ ବୋଝ ହୋଇଛି । ନିମୋନିଆ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସାରେ ଶିଶୁର ପିତାମାତାଙ୍କୁ ହସପିଟାଲ ବିଲ୍ ବାବଦରେ ମୋଟା ଅଙ୍କ ପୈଠ କରିବାକୁ ପଠୁଛି । ଶିଶୁଟିକୁ ସୁସ୍ଥ କରିବା ପାଇଁ ସେମାନଙ୍କର ମାସ ମାସର ରୋଜଗାର ଖର୍ଚ୍ଚ ହୋଇଯାଉଛି । କେବଳ ସେତିକି ନୁହେଁ, ଯେଉଁ ସମୟ ସେମାନେ ନିଜ କାର୍ଯ୍ୟରେ ଦେଇଥାନ୍ତେ, ସେହି ସମୟକୁ ପୀଡିତ ଶିଶୁମାନଙ୍କ ସେବାରେ ଦେଉଥିବାରୁ ଏହା ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ସୁସ୍ଥ ଶିଶୁମାନଙ୍କର ଅନ୍ୟ ଅସୁସ୍ଥ ଶିଶୁ ତୁଳନାରେ ଅଧିକ ଜ୍ଞାନର ବିକାଶ ହୋଇଥାଏ । ସେମାନେ ସ୍କୁଲରେ ଭଲ କରିଥାନ୍ତି ଏବଂ ପରବର୍ତ୍ତୀ ଅବସ୍ଥାରେ ଜୀବନର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିଥାନ୍ତି । ତେଣୁ କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ । ସୁସ୍ଥ ଜନତାଙ୍କ ଯୋଗୁଁ ଆର୍ôଥକ ବିକାଶ ହୋଇଥାଏ ଏବଂ ଲୋକ ଖୁବଶୀଘ୍ର ଗରୀବ ଚକ୍ରରୁ ବାହାରି ବିକାଶ ପଥରେ ଆଗେଇ ଥାଏ । ଏପରି ସ୍ଥଳେ ସାର୍ବଜନୀନ ଟୀକାକରଣ ଦେଶର ଆର୍ଥିକ ବିକାଶ ଓ ବିକଶିତ ଭାରତ ନିର୍ମାଣ ଦିଗରେ ଏକ ମହତ୍ୱପୂର୍ଣ୍ଣ ନିବେଶ । ନିମୋନିଆ ମୃତ୍ୟୁ କ୍ଷେତ୍ରରେ ବିଶ୍ୱରେ ଭାରତ ଆଗରେ ରହିଛି । ତେଣୁ ସାର୍ବଜନୀନ ଟୀକାକରଣ ଦ୍ୱାରା ଏହି ସୂଚୀରେ ପରିବର୍ତ୍ତନ କରିବା ହେଉଛି ଆମର ଲକ୍ଷ୍ୟ ।

 

ବିଗତ ବର୍ଷରେ ରୋଗ ଓ ତତଜନିତ ମୃତ୍ୟୁ ହାର ହ୍ରାସ କରିବା କ୍ଷେତ୍ରରେ ଟୀକାକରଣର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ବସନ୍ତ ଏବଂ ପ୍ଲେଗ ପରି ରୋଗ ଆଉ ଆମ ପାଇଁ ଚିନ୍ତାର କାରଣ ହୋଇ ରହିନାହିଁ । ସେହିପରି ଭାରତ ମଧ୍ୟ ଏବେ ପୋଲିଓ ମୁକ୍ତ ରାଷ୍ଟ୍ର ହୋଇ ପାରିଛି । ଏବେ ମାତୃ ଓ ଶିଶୁ ମଧ୍ୟ ଟିଟାନସ ମୁକ୍ତ ହୋଇ ପାରିଛନ୍ତି । ଦେଶରେ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ସରକାରଙ୍କ ନିବେଶ ଓ ପ୍ରତିବଦ୍ଧତା ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ । ଏହି ଟୀକାକରଣ କାର୍ଯ୍ୟକ୍ରମ ଦ୍ୱାରା ବର୍ତ୍ତମାନ ଦେଶର ଶିଶୁଙ୍କୁ ୧୧ଟି ମାରାତ୍ମକ ଓ ବିପଦଜନକ ରୋଗନିରୋଧ ଟୀକା ଦିଆଯାଉଛି । ପିସିଭି ଟୀକାକରଣ ଦ୍ୱାରା ଏହି ସଂଖ୍ୟା ଏବେ ୧୨ରେ ପହଁଚିଛି । ନିକଟରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ-୪) ଦ୍ୱାରା ଜାରି କରାଯାଇଥିବା ସଂଖ୍ୟା ଅନୁସାରେ ଭାରତରେ ସଂପୂର୍ଣ୍ଣ ଟୀକାକରଣ ୬୨ ପ୍ରତିଶତ ହୋଇଛି । ଏହା ଏକ ଦଶନ୍ଧି ପୂର୍ବରୁ ମାତ୍ର ୪୩.୫ ପ୍ରତିଶତ ଥିଲା । ଅ।।ହୁରି ଅଧିକ ଟୀକାକୁ ସାମିଲ କରିବା ଏବଂ ଅଧିକ ଅଂଚଳକୁ ସାମିଲ କରିବା ଦ୍ୱାରା ଶିଶୁ ଓ ବାଳ ମୃତ୍ୟୁ ହାରରେ ଆହୁରି ହ୍ରାସ ଅଣାଯାଇପାରିବ । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ୨୦୧୪ରେ ମିଶନ ଇନ୍ଦ୍ରଧନୁଷ ଆରମ୍ଭ କରାଯାଇଥିଲା । ୨୦୨୦ ସୁଦ୍ଧା ଦେଶର ୯୦ ପ୍ରତିଶତ ଶିଶୁଙ୍କୁ ଜୀବନରକ୍ଷକ ଟୀକାରେ ସାମିଲ କରିବା ହେଉଛି ଏହାର ଲକ୍ଷ୍ୟ । ଆମ ମାନନୀୟ ପ୍ରଧାନମନ୍ତ୍ରୀ କିନ୍ତୁ ଏହି ସମୟସୀମାକୁ ହ୍ରାସ କରି ୨୦୧୮ରେ ଧାର୍ଯ୍ୟ କରିଛନ୍ତି । ତେଣୁ ଏହି ଲକ୍ଷ୍ୟ ହାସଲ ପାଇଁ ଏବେ ଜୋରଦାର ପ୍ରୟାସ ଚାଲୁରହିଛି । ଦେଶର କୌଣସି ଶିଶୁ ଯେପରି ଏହି ଲାଭରୁ ବଂଚିତ ନହୁଅନ୍ତି, ସେଥିପ୍ରତି ଳକ୍ଷ୍ୟ ରଖାଯାଇଛି ।

 

ନିଜର ପ୍ରତିଶ୍ରୃତି ପାଳନ କରିବା ଏବଂ ହଜାର ହଜାର ଶିଶୁଙ୍କ ଜୀବନ ବଂଚାଇବା ହେଉଛି ଆମର କର୍ତ୍ତବ୍ୟ । ଏହି ସବୁ ରୋଗ ଯୋଗୁଁ ଅନେକ ଶିଶୁ ପାଂଚ ବର୍ଷ ମଧ୍ୟ ବଂଚିପାରୁ ନାହାଁନ୍ତି । ଏହି ମହତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ ପାଇଁ ଦେଶରେ ଚାଲିଥିବା ଟୀକାକରଣ କାର୍ଯ୍ୟରେ ଯେପରି ମନ୍ଥରତା ନଆସେ ସେଥି ପାଇଁ ଦୃଷ୍ଟି ଦିଆଯାଉଛି । ଆସନ୍ତୁ ଶିଶୁଙ୍କୁ ସଠିକ ସମୟରେ ଟୀକା ଦେଇ ସେମାନଙ୍କୁ ଏହି ମାରାତ୍ମକ ରୋଗରୁ ସୁରକ୍ଷା ପ୍ରଦାନ କରିବା । (ପିଆଇବି)

(ଲେଖକ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ।)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top