ଖଣି ଲୁଟେରା ଦେବେ ୧୦୦% ଜରିମାନା

News Story - Posted on 2017-08-02

ବେଆଇନ ଖଣି କାରବାର ଜରିଆରେ ଓଡ଼ିଶାରୁ ହଜାର ହଜାର କୋଟି ଟଙ୍କା ମୂଲ୍ୟର ଖଣିଜ ପଦାର୍ଥ ଚୋରି କରିଥିବା କମ୍ପାନୀଙ୍କ ଉପରେ ଶତ ପ୍ରତିଶତ ଜରିମାନା ଧାର୍ଯ୍ୟ କରିଛନ୍ତି ସୁପ୍ରିମ କୋର୍ଟ । ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ସେମାନେ ଜରିମାନା ଅର୍ଥ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଓଡ଼ିଶା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଆବେଦନକାରୀ କରିଥିବା ଦାବିକୁ କୋର୍ଟ ଖାରଜ କରିଦେଇଛନ୍ତି । ଏହି ରାୟ ଓଡ଼ିଶା ସରକାର ଓ ଖଣି କମ୍ପାନୀଙ୍କୁ କିଞ୍ଚିତ ଆଶ୍ୱସ୍ତି ପ୍ରଦାନ କରିଛି । ତେବେ ସୁପ୍ରିମ କୋର୍ଟ ଜିନ୍ଦଲ ଷ୍ଟିଲ ଆଣ୍ଡ ମାଇନ୍ସ, ରୁଙ୍ଗଟା ମାଇନ୍ସ, ସାରଦା ମାଇନ୍ସ ଓ ଏସ୍ସେଏଲ ମାଇନ୍ସର ବେଆଇନ ଖଣି କାରବାର ଏବଂ ଖଣି ଖନନ ମାମଲାର ଅଲଗା ଶୁଣାଣି କରିବେ ।

 

ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ କମନ କଜ୍ ସଂସ୍ଥା ପକ୍ଷରୁ ଓଡ଼ିଶା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରି ସୁପ୍ରିମ କୋର୍ଟରେ ଦାଖଲ କରିଥିବା ମାମଲାର ରାୟ ଆଜି ପ୍ରକାଶ ପାଇଛି । ବିଚାରପତି ମଦନ ବି. ଲୋକୁର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶାରେ ୨୦୦୦-୦୧ ବର୍ଷରୁ ବ୍ୟାପକ ଖଣିଜ ଲୁଟ୍ ହୋଇଥିôବା ସାବ୍ୟସ୍ତ କରିଛନ୍ତି । ଏହି ସମୟ ମଧ୍ୟରେ ଖଣି କମ୍ପାନୀମାନେ ଯେତେ ଲୁହା ପଥର ଓ ମାଙ୍ଗାନିଜ ବେଆଇନ ଭାବେ ଉତ୍ତୋଳନ କରିଛନ୍ତି ତାହାର ଶତ ପ୍ରତିଶତ ମୂଲ୍ୟ ଜରିମାନା ଆକାରରେ ଦାଖଲ କରିବାକୁ ବିଚାରପତି ଦ୍ୱୟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ସୁପ୍ରିମ କୋର୍ଟଙ୍କ ନିଯୁକ୍ତ କ୍ଷମତା ସଂପନ୍ନ କମିଟି ବେଆଇନ ଖଣି କାରବାରର ୩୦ ପ୍ରତିଶତ ଜରିମାନା ଆଦାୟ କରିବାକୁ ସୁପାରିଶ କରିଥିଲେ । କିନ୍ତୁ ଏହି ଖଣ୍ଡପୀଠ ଏହାକୁ ୧୦୦ ପ୍ରତିଶତ ଯାଏଁ ବଢ଼ାଇ ଦେଇଛନ୍ତି ।

 

ସୁପ୍ରିମ କୋର୍ଟଙ୍କର ଏହି ରାୟ ଫଳରେ ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟିଲ ଆଣ୍ଡ ମାଇନ୍ସ, ରୁଙ୍ଗଟା ମାଇନ୍ସ, ସିରାଜୁଦ୍ଦିନ ଆଣ୍ଡ କୋ, ଏସ୍ସେଏଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ଇନ୍ଦ୍ରାଣୀ ପଟ୍ଟନାୟକ ଆଦି ଖଣି କମ୍ପାନୀଙ୍କୁ ହଜାର ହଜାର କୋଟି ଟଙ୍କାର ଜରିମାନା ଦେବାକୁ ହେବ । ଏପରିକି ଓଡ଼ିଶା ସରକାରଙ୍କ ଅଧୀନସ୍ତ ଓଡ଼ିଶା ଖଣି ନିଗମକୁ ମଧ୍ୟ କେଇ ହଜାର କୋଟି ଟଙ୍କାର ତଣ୍ଡ ଗଣିବାକୁ ପଡ଼ିବ ।

 

କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଯଦି ବେଆଇନ ଖଣି କାରବାର ହୋଇଛି ତେବେ ଲିଜଧାରୀମାନେ ତାହାର ପରିଣାମ ଭୋଗ କରିବା ଦରକାର, ସେମାନେ ବେଆଇନ ଭାବେ ଯେତେ ଖଣିଜ ଉତ୍ତୋଳନ କରିଛନ୍ତି ୭୦ ପ୍ରତିଶତ କାହିଁକି ଭୋଗ କରିବେ ଏବଂ ରାଜ୍ୟ ସରକାର କାହିଁକି ତାଙ୍କର ଶତ ପ୍ରତିଶତ ପ୍ରାପ୍ୟ ହରାଇବେ? କୋର୍ଟ ବେଆଇନ ଖଣି କମ୍ପାନୀଙ୍କ ପ୍ରତି ତୀର୍ଯ୍ୟକରେ କହିଛନ୍ତି ଯେ ସେମାନେ ସେମାନଙ୍କ ପିଠା ଖାଇବେ ଓ ସାଇତି ରଖିବେ- ଏହା କେମିତି ସମ୍ଭବ ହେବ? ସିଇସି ବା ସୁପ୍ରିମ କୋର୍ଟ ନିଯୁକ୍ତ କ୍ଷମତା ସଂପନ୍ନ କମିଟିର ସୁପାରିଶ ଅନୁସାରେ ୨୦୦୦-୦୧କୁ ଖଣି ଲୁଟର ମୂଳବର୍ଷ ଭାବେ ଗ୍ରହଣ କରିଛନ୍ତି ସୁପ୍ରିମ କୋର୍ଟ । ଏହି ବର୍ଷ ହିଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିଜୁ ଜନତା ଦଳର ସରକାର ପ୍ରତିଷ୍ଠିତ ହୋଇଥିଲା ।

 

ତେବେ ସୁପ୍ରିମ କୋର୍ଟଙ୍କ ଆଦେଶ ମାନିଲେ ବେଆଇନ ଖଣି କାରବାରୀ କମ୍ପାନୀଗୁଡ଼ିକ କେତେ ଜରିମାନା ଦାଖଲ କରିବେ? ଖଣି ଦୁର୍ନୀତିର ଧରପଗଡ଼ ଚାଲିଥିବା ସମୟରେ ରାଜ୍ୟ ସରକାର ବେଆଇନ ଖଣି କାରବାର କରିଥିବା କମ୍ପାନୀଙ୍କ ଉପରେ ୫୮ ହଜାର କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରିଥିଲେ, ଯାହା ଏଯାଏଁ ଆଦାୟ ହୋଇନାହିଁ ବା ରାଜ୍ୟ ସରକାର ସେଦିଗରେ ଠୋସ ପଦକ୍ଷେପ ଗ୍ରହଣ କରି ନାହାନ୍ତି । ସେହିପରି ଭାରତ ସରକାରଙ୍କ ଅଧୀନସ୍ତ ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ବେଆଇନ ଭାବେ ଉତ୍ତୋଳିତ ହୋଇଥିବା ଖଣିଜର ମୂଲ୍ୟ ୧୭,୫୭୬ କୋଟି ଟଙ୍କା ବୋଲି ହିସାବ କରିଥିଲା । ସିଇସିଙ୍କ ରିପୋର୍ଟ ଅନୁସାରେ ଖଣି କମ୍ପାନୀଗୁଡ଼ିକ ୨୧୫.୫ ନିୟୁତ ଟନର ଖଣିଜ ବେଆଇନ ଭାବେ ଉତ୍ତୋଳନ କରିଥିଲେ ।

 

ଶତ ପ୍ରତିଶତ ଜରିମାନା ଧାର୍ଯ୍ୟ କରିବା ସହିତ ସୁପ୍ରିମ କୋର୍ଟ ଏହି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ହୋଇଥିବା ଦାବିକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଆମେ ଏହି ନିର୍ଦ୍ଦେଶ ଦେବୁ ନାହିଁ । ବରଂ ଓଡ଼ିଶାରେ ଯେପରି ବ୍ୟାପକ ଖଣି ଲୁଟ୍ ହୋଇଛି ତାହା ରୋକିବାକୁ କ’ଣ କରାଯିବ ସେନେଇ ସୁପ୍ରିମ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ଆମେ ନିର୍ଦ୍ଦେଶ ଦେଉଛୁ । ଏହି କମିଟି ଓଡ଼ିଶାରେ କିପରି ଭାବେ ବେଆଇନ ଖଣି କାରବାର ହେଲା, ଏହାକୁ କିପରି ରୋକାଯାଇ ପାରିବ ସେ ଦିଗରେ ଅନୁସନ୍ଧାନ କରିବେ । ସେହିପରି ଜାତୀୟ ଖଣି ନୀତିର ଅବଧି ୧୦ ବର୍ଷ ଉପରେ ହୋଇଯାଇଥିବାରୁ ଏଭଳି କାରବାର ରୋକିବା ପାଇଁ ନୂଆ କରି ଖଣି ନୀତି ପ୍ରଣୟନ କରିବାକୁ ମଧ୍ୟ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

କୋର୍ଟଙ୍କର ଏହି ସମସ୍ତ ଆଦେଶ ଡିସେମ୍ବର ୩୧ ତାରିଖ ଭିତରେ କାର୍ଯ୍ୟକାରୀ ହେବ । ଓଡ଼ିଶା ମୁଖ୍ୟ ଶାସନ ସଚିବ ୬ ସପ୍ତାହ ବା ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେଇ ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖଣି କମ୍ପାନୀଗୁଡ଼ିକ ଧାର୍ଯ୍ୟ ଜରିମାନା ଦାଖଲ ନକଲା ଯାଏଁ ଖଣି କାର୍ଯ୍ୟ ଆରମ୍ଭ ହେବ ନାହିଁ ।

 

ସୂଚନାଯୋଗ୍ୟ ଯେ ପୂର୍ବରୁ ଓଡ଼ିଶା ଖଣି ଦୁର୍ନୀତିର ତଦନ୍ତ କରିଥିବା ବିଚାରପତି ଏମବି ଶାହା କମିଶନ ଏହି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ପୂର୍ବର ଉପା ସରକାର ଶାହା କମିଶନଙ୍କ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପକାଇ ରଖିଲେ । ମୋଦି ସରକାର ଆସିଲା ପରେ କ୍ୟାବିନେଟ ଏହି ରିପୋର୍ଟକୁ ଶତ ପ୍ରତିଶତ ଗ୍ରହଣ କଲେ ସତ ହେଲେ ତିନି ବର୍ଷ ବିତିଗଲା ପଛେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ନାହିଁ । ଏହି ଖଣି ଲୁଟ୍ ପାଇଁ କମ୍ପାନୀଗୁଡ଼ିକ ସରକାରୀ କଳ ସହିତ ମିଶି ଜଙ୍ଗଲ ଓ ପରିବେଶ ଆଇନ ଉଲ୍ଲଙ୍ଘନ କରିବା ସହିତ ରାଜସ୍ୱ, ରାଜଭାଗ, ପରିବହନ, ଖଣି ଓ ଖଣିଜ ବିକାଶ, ଖଣି ଲିଜ୍ ଆଦି ଅନେକ ଆଇନ ଓ ନିୟମ ଉଲ୍ଲଙ୍ଘନ କରି ହଜାର ହଜାର କୋଟି ଟଙ୍କାର ବେଆଇନ ଫାଇଦା ଉଠାଇଛନ୍ତି । ରାଜନୀତିକ ମହଲର ଅଭିଯୋଗ ଅନୁସାରେ ୨୦୦୦ରୁ ୨୦୧୦ ମଧ୍ୟରେ ଓଡ଼ିଶାରୁ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ଖଣିଜ ପଦାର୍ଥ ବେଆଇନ ଭାବେ ଲୁଟ୍ ହୋଇଛି ।

 

ଏହି ରାୟ ସଂପର୍କରେ ରାଜ୍ୟ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି ଯେ ଆମେ ଆଗେ କୋର୍ଟଙ୍କ ରାୟ ତର୍ଜମା କରିବୁ, ତା’ପରେ ତାହା ପାଳନ କରିବୁ । ଅନ୍ୟପକ୍ଷରେ ପୂର୍ବାଞ୍ଚଳ ଖଣି ସଂଘର ସାଧାରଣ ସଂପାଦକ ପ୍ରବୋଧ ମହାନ୍ତି କହିଛନ୍ତି ଯେ ୧୮୭ରୁ ୧୦୨ ଖଣି ବନ୍ଦ ଅଛି । ଏବେ କମ୍ପାନୀଗୁଡ଼ିକ ଏତେ ଟଙ୍କା କେଉଁଠୁ ଆଣି ଜମା କରିବେ? ତା’ଛଡ଼ା ରାଜ୍ୟ ସରକାର ତାଙ୍କ ଜରିମାନା ହିସାବ ବଦଳାନ୍ତୁ ବୋଲି ସେ ଦାବି କରିଛନ୍ତି । ତାଙ୍କ କହିବା କଥା ହେଲା ଅନେକ ଖଣି କମ୍ପାନୀ କାମ୍ପା ଓ ଜିଲ୍ଲା ଖଣି ପାଣ୍ଠିକୁ ଟଙ୍କା ଦେଇଛନ୍ତି । ତାହାକୁ ମଧ୍ୟ ହିସାବକୁ ନିଆଯିବା ଉଚିତ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top