ସହଭାଗୀ ଚାଷ-ଭାଗଚାଷର ବିକଳ୍ପ

News Story - Posted on 2017-07-29

ପ୍ରସନ୍ନ କୁମାର ମିଶ୍ର

 

ଆମ ରାଜ୍ୟରେ ବାସ କରୁଥିବା ପ୍ରାୟ ଶହେ ଲକ୍ଷ ପରିବାରଙ୍କ ମଧ୍ୟରୁ ପ୍ରାୟ ୧୭୬ ଲକ୍ଷ ଲୋକ କର୍ମଜୀବୀ। ସେମାନଙ୍କ ମଧ୍ୟରୁ ୨୪ ପ୍ରତିଶତ କୃଷକ ଏବଂ ୩୮ ପ୍ରତିଶତ କୃଷି ଶ୍ରମିକ। ସଂଖ୍ୟା ଦୃଷ୍ଟିରୁ ଚାଷ ଜମି ଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୪୫ ଲକ୍ଷ ଏବଂ କୃଷି ଶ୍ରମିକଙ୍କ ସଂଖ୍ୟା ପ୍ରାୟ ୭୦ ଲକ୍ଷ। ୨୦୧୦-୧୧ କୃଷି ସେନ‌୍‍ସସ‌୍‍ ତଥ୍ୟ ଅନୁଯାୟୀ ଆମ ରାଜ୍ୟର ପ୍ରାୟ ୪୬ ଲକ୍ଷ ୬୦ ହଜାର ଜମି ମାଲିକଙ୍କର ଜମି ପରିମାଣ ହାରାହାରି ଏକ ହେକ୍ଟର‌୍‍ରୁ ସାମାନ୍ୟ ଅଧିକ। ସେମାନଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ମାଲିକ ନାମମାତ୍ର ଚାଷୀ ଗୋଷ୍ଠୀର; ଏକ ପଞ୍ଚମାଂଶ କ୍ଷୁଦ୍ରଚାଷୀ ଶ୍ରେଣୀର। ଏହି ଦୁଇ ଶ୍ରେଣୀର ଚାଷୀଙ୍କ ପାଖରେ ସମୁଦାୟ ୪୮.୫୨ ଲକ୍ଷ ହେକ୍ଟର ଚାଷ ଜମି ମଧ୍ୟରୁ ଅଛି ପ୍ରାୟ ୭୧ ପ୍ରତିଶତ ଜମି। ୩ ହେକ୍ଟରରୁ ଅଧିକ ଜମିଥିବା ଚାଷୀଙ୍କ ପାଖରେ ଥିବା ଜମି ପରିମାଣ ହେଲା ୧୪.୭୧ ଲକ୍ଷ ହେକ୍ଟର, ସମୁଦାୟ ଚାଷଜମିର ପ୍ରାୟ ୩୦ ପ୍ରତିଶତ। ପ୍ରାୟ ୩ ଲକ୍ଷ ୭୭ ହଜାର ଚାଷୀ ଏହି ୩୦ ପ୍ରତିଶତ ଜମିର ମାଲିକ।

 

ରାଜ୍ୟର ଚାଷ ଜମି ଏବଂ ଆମ ମାନବ ସମ୍ୱଳର ଏହି ସ୍ଥୂଳ ପୃଷ୍ଠଭୂମିରୁ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ନିଷ୍କର୍ଷ ହେଲା ରାଜ୍ୟର ସମୁଦାୟ କର୍ମଜୀବୀଙ୍କ ମଧ୍ୟରୁ ୬୨ ପ୍ରତିଶତ କର୍ମଜୀବୀ ଚାଷକାର୍ଯ୍ୟ ସହିତ ସମ୍ପୃକ୍ତ। କିନ୍ତୁ ଜମି ମାଲିକମାନଙ୍କ ମଧ୍ୟରୁ ଅନେକେ ଆଜି ପରିସ୍ଥିତି ଦୃଷ୍ଟିରୁ ଉଦାସୀନ ଚାଷୀ। ଅନେକ ଜମି ମାଲିକ ଅଣଚାଷ କାରବାରକୁ ମୁଖ୍ୟ ବୃତ୍ତି ଭାବରେ ଗ୍ରହଣ କରିଛନ୍ତି। ଉଚ୍ଚ ଶିକ୍ଷିତ ଜମି ମାଲିକମାନେ ସରକାରୀ, ବେସରକାରୀ ସଂସ୍ଥାରେ ନିୟୋଜିତ; ଜମିଠାରୁ ଅନେକ ଦୂରରେ ବସବାସ କରନ୍ତି। କେତେକ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ, କେତେକ ବିଦେଶରେ ମଧ୍ୟ ଅବସ୍ଥାପିତ। ଆମର ଶହେ ପରିବାର ମଧ୍ୟରୁ ମାତ୍ର ୪୫ ଜଣଙ୍କର ଜମି ଅଛି। ୫୫ ଜଣ ଭୂମିହୀନ। ଆଜି ଭୂମିହୀନ ମୁଖ୍ୟତଃ ଜମି ଉପରେ ନିର୍ଭରଶୀଳ। ଚାଷ ଜମିରେ ଭଲ ଚାଷ ହେଲେ ଏମାନେ ଭଲରେ ରହିବେ। ଜମି ମାଲିକ କୌଣସି କାରଣରୁ ଜମି ପଡ଼ିଆ ରଖିଲେ ଜମିହୀନ ଶ୍ରମିକ ଅସୁବିଧାର ସମ୍ମୁଖୀନ ହେବ। ଆର୍ଥିକ ସନ୍ତୁଳନ ଏବଂ ନ୍ୟାୟ ପାଇଁ ଜମିକୁ ଫଳପ୍ରସୂ କରିବାକୁ ହେବ।

 

ଆମ ମୂଲ୍ୟବାନ ଚାଷଜମି ଉଦାସୀନ ପ୍ରଭୁତ୍ୱ ଦ୍ୱାରା ଅବହେଳିତ ଅବସ୍ଥାରେ ନ ରହି କିପରି ବ୍ୟକ୍ତିଗତ ଏବଂ ରାଷ୍ଟ୍ରୀୟ ସ୍ତରରେ ଅଧିକ ସମ୍ପଦ ସୃଷ୍ଟି କରିବ ଏ ସମ୍ପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଆମ ରାଜ୍ୟ ସରକାର କିଛି ସମୟଧରି ଭାଗଚାଷୀ ପ୍ରସଙ୍ଗ ସମ୍ପର୍କରେ ଏକ ସନ୍ତୋଷଜନକ ଆଇନ ବ୍ୟବସ୍ଥା ପ୍ରଣୟନ ପାଇଁ ସକ୍ରିୟ ହୋଇଛନ୍ତି। କିନ୍ତୁ ଏ ଦିଗରେ ଅଗ୍ରଗତି ନିର୍ଣ୍ଣାୟକ ଅବସ୍ଥାରେ ପହଞ୍ଚି ନଥିବା ବୋଧହୁଏ। ପ୍ରସଙ୍ଗଟିକୁ ଜମି ମାଲିକ ବନାମ ଭାଗଚାଷୀ ଆଭିମୁଖ୍ୟ ପରିପ୍ରେକ୍ଷୀରେ ବିଚାର କଲେ ଆମେ ସମାଧାନର ସୂତ୍ର ନ ପାଇବା ଅଧିକ ସ୍ୱାଭାବିକ। ଜମି ମାଲିକର ମାଲିକାନା ବଦଳରେ ଏକ ବିକଳ୍ପ ପ୍ରଭୂତ୍ୱ ଅବସ୍ଥାପିତ କରିବା ପାଇଁ ଯେକୌଣସି ପ୍ରୟାସ କେବଳ ଏକ ସଂଘର୍ଷମୟ ବାତାବରଣ ସୃଷ୍ଟି କରିବ। ତେଣୁ ଏହି ସ୍ପର୍ଶକାତର ପ୍ରସଙ୍ଗର ଅସଲ ଉଦ୍ଦେଶ୍ୟ ପ୍ରତି ଆମେ ଦୃଷ୍ଟିଦେବା ଆବଶ୍ୟକ। ଆଜି ଆମ ରାଜ୍ୟର ଚାଷ ଜମି ମାଲିକର ପ୍ରମୁଖ ଆବଶ୍ୟକତା ହେଉଛି ଏକ ପରିଶ୍ରମକ୍ଷମ ସହଯୋଗୀ। ଏହି ଏକମାତ୍ର ଆବଶ୍ୟକତା ପୂରଣ ହୋଇ ପାରିଲେ ଜମି ମାଲିକ ନିଜ ତତ୍ତ୍ୱାବଧାନରେ ଜମିକୁ ଉତ୍ପାଦନକ୍ଷମ ଅବସ୍ଥାରେ ରଖିପାରିବ। ଭାଗଚାଷୀର ଅସ୍ତିତ୍ୱ ଏହି କ୍ଷେତ୍ରରେ ରହିବ ନାହିଁ ଏବଂ ଦୀର୍ଘଦିନରୁ ଅବ୍ୟାହତ ଅନିଶ୍ଚିତ ଅବସ୍ଥାର ଅବସାନ ହୋଇପାରିବ।

 

ଆମକୁ ଜମିହୀନ ବ୍ୟକ୍ତିକୁ କାମ ପାଖକୁ ଆଣିବାକୁ ହେବ। ଜମିହୀନ ବ୍ୟକ୍ତିର ପରିଶ୍ରମ କରିବା କ୍ଷମତା ବ୍ୟତୀତ ଅନ୍ୟ ସମ୍ୱଳ ନାହିଁ-ନା ଅର୍ଥ ଅଛି, ନା ଅନ୍ୟ କିଛି ସମ୍ପତ୍ତି। ଜମି ମାଲିକ ବିଭିନ୍ନ କାରଣରୁ ଅନେକ ଦିନରୁ ଚାଷବାସ ଛାଡ଼ିଲେଣି। ତେଣୁ ଚାଷର ପରମ୍ପରା କ୍ରମଶଃ ଭୁଶୁଡି ଯାଉଛି। ଜମିହୀନ ବ୍ୟକ୍ତିଟିକୁ କେବଳ ଜମିର ମାଲିକାନା, କିଛି ଆର୍ଥିକ ସହାୟତା ଦେଇ ଆମେ ଚାଷ ପରମ୍ପରାରୁ ପୁନରୁଦ୍ଧାର କରିବା ସମ୍ଭବ ନୁହେଁ। ୧୯୬୦ ଦଶକରେ ଭୂସଂସ୍କାର ଆଇନ ମାଧ୍ୟମରେ ଅନେକ ଜମିହୀନ ବ୍ୟକ୍ତି ଜମି ମାଲିକର ବଳକା ଜମିର ମାଲିକାନା ପାଇଥିଲେ। କିନ୍ତୁ ସେହି ହିତାଧିକାରୀମାନେ ଅନେକ କ୍ଷେତ୍ରରେ ତାଙ୍କ ଅର୍ଜିତ ସମ୍ପତ୍ତିର ସଦ‌୍‍ଉପଯୋଗ କରି ପାରି ନଥିଲେ ଏବଂ ଅନେକ କ୍ଷେତ୍ରରେ ତାଙ୍କ ଜମି ହସ୍ତାନ୍ତର ହୋଇଯାଇଥିଲା। ଦାରିଦ୍ର୍ୟ ଅବ୍ୟାହତ ରହିଲା। ଆଜି ସରକାର ମୁଖ୍ୟତଃ ଏହ ଜମିହୀନ ଗୋଷ୍ଠୀକୁ ଟଙ୍କିକିଆ ଚାଉଳ ଦେଉଛନ୍ତି; ଅନ୍ୟାନ୍ୟ ସୁଲଭ ସାମଗ୍ରୀ ଦେଉଛନ୍ତି କିନ୍ତୁ ଏହି ବ୍ୟୟବହୁଳ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର କର୍ମସଂସ୍କୃତି ଜାଗୃତ ହୋଇ ପାରୁ ନାହିଁ, ବରଂ ଦାରିଦ୍ର୍ୟ ଅଣ୍ଟାଭିଡି ଅଧିକ  ବଳବାନ‌୍‍ ହେଉଛି। କର୍ମ ବିମୁଖତା ଉଗ୍ରତର ହେଉଛି।

 

ଏହି ଗୋଷ୍ଠୀକୁ ବର୍ତ୍ତମାନ କାମ ଦେବା ପାଇଁ ଏବଂ ତାଙ୍କ ଭରଣପୋଷଣ ଓ ଚାଷକାମ ଶିଖାଇବା ଦାୟିତ୍ୱ ଜମି ମାଲିକମାନଙ୍କ ଉପରେ ନ୍ୟସ୍ତ କରାଯାଉ। ବେଶୀ ଜମି ଥିବା ଜମି ମାଲିକ ଏକର ପିଛା ଗୋଟିଏ ପରିବାରର ଦାୟିତ୍ୱ ବହନ କରୁ। ବର୍ତ୍ତମାନ ପରିସ୍ଥିତିରେ ଏହି ଶ୍ରେଣୀର ଜମି ମାଲିକମାନେ ଏହି ପ୍ରସ୍ତାବ ସ୍ୱାଗତ କରିବାର ସମ୍ଭାବନା ଉଜ୍ଜ୍ୱଳ ମନେହୁଏ। ତା’ କାରଣ ହେଲା ବିଭିନ୍ନ କାରଣ ଯୋଗୁଁ ସମୟକ୍ରମେ ମାଲିକାନା ଥିବା ସତ୍ତ୍ୱେ ନିଜ ବ୍ୟକ୍ତିଗତ ତତ୍ତ୍ୱାବଧାନରେ ଜମିଚାଷ କରିବା ତାଙ୍କ ପକ୍ଷରେ ସହାୟକ ଅଭାବରେ ସମ୍ଭବପର ହେଉ ନାହିଁ। ଦୁଇ ପୁରୁଷ ଧରି ଜମି ମାଲିକମାନେ ତାଙ୍କର ଉତ୍ତରାଧିକାରୀମାନଙ୍କୁ ପାଠ ପଢ଼ାଇ ଚାକିରୀ ପାଇଁ ପ୍ରସ୍ତୁତ କରି ସାରିଛନ୍ତି। ଜମି ପଡିଆ ପଡୁଛି। ପ୍ରକୃତ ଜମିହୀନମାନେ ଏତେ ନିଃସ୍ୱ ଯେ ବିସ୍ତାର ଜମି ପଡ଼ିଆ ପଡ଼ିଲେ ମଧ୍ୟ ଜମିକୁ ଉଠିଆ କରି ଚାଷ କରି ନିଜ ଗୁଜରାଣ ମେଣ୍ଟାଇବା ଅବସ୍ଥାରେ ନାହାନ୍ତି। ଟଙ୍କିକିଆ ଚାଉଳ ସେମାନଙ୍କୁ ଖାଲି ବଞ୍ଚାଇଦେବ କିନ୍ତୁ ଏକ ସୃଜନଶୀଳ ବ୍ୟକ୍ତିତ୍ୱ ହେବାର ସ୍ୱାଭିମାନ ଫେରାଇ ପାରିବ ନାହିଁ। ଏହା କରିବା ପାଇଁ ନୂତନ ବ୍ୟବସ୍ଥା ଆବଶ୍ୟକ। ଏହି ବିକଳ୍ପର ରୂପରେଖର ନିମ୍ନରେ କିଞ୍ଚିତ ସୂଚନା ପ୍ରଦାନ କରୁଛି।

 

ଜମି ମାଲିକ ଜମିହୀନ ପରିବାର ପାଇଁ ଯେଉଁ ଏକ ଏକର ଜମି ଚିହ୍ନଟ କରିବେ, ପ୍ରଥମେ ସେଇ ଜମିରେ ପାଣିର ବ୍ୟବସ୍ଥା କରିବା। ସୁଲଭ ଉପାୟ ହେଉଛି ସେଇ ଜମିରେ ଯେତିକି ବୃଷ୍ଟିପାତ ହେଉଛି, ତାହାକୁ ବାହାରକୁ ଛଡ଼ା ନ ଯାଇ ସ୍ଥାନୀୟ ଭାବରେ ମାଟି ଭିତରକୁ ଯିବା ପାଇଁ ବ୍ୟବସ୍ଥା କରିବା। ବାର୍ଷିକ ୧୫୦୦ ମିଲିମିଟର ବର୍ଷାଜଳ ସେହି ଜମି ଅବତଳରେ ସମ୍ପୂର୍ଣ୍ଣ ମାତ୍ରାରେ ଗଚ୍ଛିତ ହେବା ପାଇଁ ପର୍ଯ୍ୟାପ୍ତ ଜାଗା ଅଛି। କେବଳ ଜଳର ଅନ୍ତଃକ୍ଷରଣ ବ୍ୟବସ୍ଥା ହେବା ଆବଶ୍ୟକ। ସେଥିପାଇଁ ପ୍ରତ୍ୟେକ ପ୍ଲଟ‌୍‍ର ହିଡ଼ଗୁଡ଼ିକୁ ଅନ୍ତତଃ ଷାଠିଏ ସେଣ୍ଟିମିଟର ଉଚ୍ଚ କରିବା ଆବଶ୍ୟକ ଏବଂ ପ୍ଲଟ‌୍‍ର ଖାଲୁଆ କୋଣରେ ଗୋଟିଏ ଏକ ଘନମିଟର ଆକାରର ସୋକ‌୍‍ପିଟ‌୍‍ଟିଏ କରିବା ଆବଶ୍ୟକ। ପ୍ଲଟ‌୍‍ରେ ସୁବିଧା ସ୍ଥାନରେ ଏକ ମିଟର ବ୍ୟାସର ଗୋଟିଏ କୂଅର ବ୍ୟବସ୍ଥା ଆବଶ୍ୟକ। ଜମିହୀନ ପରିବାରର ଚାଷ ଖର୍ଚ୍ଚ ଏବଂ ଖାଇବା ଖର୍ଚ୍ଚ ବାବଦରେ ଆବଶ୍ୟକ ହେଉଥିବା ଅର୍ଥ ଜମି ମାଲିକ ମାରଫତ‌୍‍ରେ ଦେବାର ବ୍ୟବସ୍ଥା ହେବା ଆବଶ୍ୟକ। ହିଡ଼ ଉଚ୍ଚ କରିବା ଏବଂ କୂପ ପାଇଁ ଅର୍ଥ ସରକାର ବହନ କରିବା ଆବଶ୍ୟକ, କାରଣ ଜମି ମାଲିକ ଗୋଟିଏ ଗରିବ ପରିବାରକୁ ସ୍ୱାଭିମାନ ସହିତ ବର୍ଷତମାମ ପାଳନ କରିବାର ଗୁରୁଦାୟିତ୍ୱ ବହନ କରୁଛି ଏବଂ ତାହାର ପରିବାରକୁ କର୍ମସଂସ୍କୃତି ପ୍ରଦାନ କରୁଛି। କୃଷି ଋଣ ଜମି ମାଲିକ ନାମରେ ମଞ୍ଜୁର ହେବା ଆବଶ୍ୟକ ଏବଂ ଜମି ମାଲିକ ଏହି ଅର୍ଥ ଆବଶ୍ୟକତା ମୁତାବକ ଜମିହୀନକୁ ଯୋଗାଇବା ଆବଶ୍ୟକ। ବିକ୍ରୀଲବ୍ଧ ଧନରୁ ପ୍ରଥମେ ଋଣ ପରିଶୋଧ ହେବ ଏବଂ ଅବଶିଷ୍ଟ ରାଶି ଜମି ମାଲିକ ଏବଂ ଭୂମିହୀନ ପରିବାର ସମାନ ଭାବରେ ପାଇବେ। ଜମିହୀନ ବ୍ୟକ୍ତିଙ୍କ ପତ୍ନୀ କମ୍ପୋଷ୍ଟ ଉତ୍ପାଦନ କରି ଏହି ଜମିରେ ବିନିଯୋଗ ପାଇଁ ବିକ୍ରୀ କରି ବିକ୍ରୟମୂଲ୍ୟ ନିଜେ ପାଇବେ। ଉନ୍ନତ ହିଡ଼ରେ ଯେଉଁ ଫସଲ ହେବ ତାର ତତ୍ତ୍ୱାବଧାନ ପରିବାରର ପିଲାମାନେ ପାଠରେ ବ୍ୟାଘାତ ନ ପହଞ୍ଚାଇ କରିବେ ଏବଂ ବିକ୍ରୀଲବ୍ଧ ରାଶି ପିଲାମାନଙ୍କ ପାଇଁ ସଞ୍ଚୟ କରାଯିବ। କୃଷି ପଦ୍ଧତି ଜୈବିକ ହେବ। ବାୟୁ ସଞ୍ଚାଳନ (ଆରୋବିକ‌୍‍) ପ୍ରଣାଳୀରେ ଜଳସେଚନ ହେବ। ରସାୟନିକ ସାର ବା ଔଷଧର ପ୍ରୟୋଗ ହେବ ନାହିଁ। ଜମିହୀନ ପରିବାର ପାଇଁ ହଳେ ବଳଦ ବ୍ୟବସ୍ଥା କରାଯିବ। ଉପଯୁକ୍ତ କୃଷି ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ପଞ୍ଚାୟତ ପ୍ରମୁଖ ଭୂମିକା ଅବଲମ୍ୱନ କରିବେ। ପରିସ୍ଥିତି ଅନୁକୂଳ ହେଲେ ତୃତୀୟ ଫସଲ ଚାଷ ମଧ୍ୟ କରାଯିବ। ପ୍ରତ୍ୟେକ ଏକର ଜମିରୁ ମୋଟ ବାର୍ଷିକ ଆୟ ଏକ ଲକ୍ଷ ଟଙ୍କା ହେବାର ଲକ୍ଷ୍ୟ ଧାଯ୍ର୍ୟ ହେବ ଏବଂ ଜମି ମାଲିକ ଏବଂ ସହାୟକ ପରିବାର ଏହା ସାକାର କରିବା ପାଇଁ କାର୍ଯ୍ୟ କରିବେ।

 

ଏହି ପରିକଳ୍ପନା କାର୍ଯ୍ୟକାରୀ କରାଗଲେ ଆମ ରାଜ୍ୟରେ ସାତ ଏକର ଚାଷ ଜମିରୁ ଅଧିକ ଥିବା ୩.୭୭ ଲକ୍ଷ ଜମି ମାଲିକମାନଙ୍କର ମୋଟ ୩୬.୭୭ ଲକ୍ଷ ଏକର ଜମିରେ ପ୍ରାୟ ୩୭ ଲକ୍ଷ ଜମିହୀନ ପରିବାରଙ୍କ ଥଇଥାନ ସମ୍ଭବ ହେବା ସଙ୍ଗେ ସଙ୍ଗେ ଆମ କୃଷିର ଏକ ବୈପ୍ଲବିକ ପରିବର୍ତ୍ତନ ସମ୍ଭବ ହେବ। ବର୍ତ୍ତମାନ ଅବ୍ୟାହତ ଭାଗଚାଷ ବ୍ୟବସ୍ଥା ରାଜ୍ୟର କୃଷିକୁ ସମୃଦ୍ଧ କରିପାରି ନାହିଁ। ଏହା ଭାଗଚାଷୀଙ୍କର ଅବସ୍ଥାରେ ଉନ୍ନତି ଆଣି ପାରି ନାହିଁ। ଏହି ବ୍ୟବସ୍ଥା ଜମି ମାଲିକଙ୍କ ହିତ ସାଧନ କରିବାରେ ଅକ୍ଷମ ହୋଇଛି। ଏହି ବ୍ୟବସ୍ଥାର ଏକ ସନ୍ତୋଷଜନକ ବିକଳ୍ପର ଆବଶ୍ୟକତା ରହିଛି। ଏହାର ଉଦ‌୍‍ଘାଟନ ଏକ ଆହ୍ୱାନ। ଉପରୋକ୍ତ ପରିକଳ୍ପନା ସେହି ଆହ୍ୱାନର ଏକ ନିରପେକ୍ଷ ଉତ୍ତର ଭାବରେ ପାଠକମାନେ ଗ୍ରହଣ କରିବା ପାଇଁ ଅନୁରୋଧ।

 

ବିଜେବି ନଗର, ଭୁବନେଶ୍ବର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top