ନିଜ ଭିତରେ ନିଆଁ ସହ ସଂଗ୍ରାମ

News Story - Posted on 2017-07-29

ସୂର୍ଯ୍ୟମଣି ମିଶ୍ର

 

ଆଜି ଏଭଳି ଏକ ସମୟ, ଯେଉଁ ସମୟରେ ଏକାକୀ ନିଃସଙ୍ଗତାକୁ ନେଇ ନ୍ୟାୟ ନପାଇ ଆତ୍ମହତ୍ୟା କରିବାକୁ ବାଧ୍ୟ। ଆଉ ଆଜି ଏପରି ଏକ ସମୟ, ଯଦି ଉପଦ୍ରବ ବା ଗଣ୍ଡଗୋଳ ସ୍ଥାନ ନଜାଣି ଚାଲିଗଲ ତ, ହତ୍ୟାର ଶିକାର ହୋଇପାର। ଆଜି ଏପରି ଏକ ସମୟ, ଯେଉଁ ସମୟରେ ଜଣେ ମଣିଷ ଆଉ ଜଣେ ମଣିଷକୁ ଶିକାର କରୁଛି, ଠିକ୍ ଜଙ୍ଗଲରେ ବଳଶାଳୀ ପଶୁ ଯେପରି ଦୁର୍ବଳକୁ ଶିକାର କରିଥାଏ। ସଭ୍ୟତାର ଉତ୍କର୍ଷରେ ପାଦ ଥାପିଲା ପରେ ବି ଜଙ୍ଗଲୀ ଜନ୍ତୁଙ୍କ ହାବଭାବ ଓ ସ୍ୱଭାବ ଏବେ ମଣିଷଠାରୁ ଦେଖିବାକୁ ମିଳୁଛି। ଉପଦ୍ରବର ଜନ୍ମ ଭୂମିରୁ ଆକାଶ ଯାଏ ସବୁଠି ଦୃଶ୍ୟମାନ। ମଣିଷ ତ ଭୂମିରୁ ଆକାଶ ଯାଏ ଘର ନିର୍ମାଣ କଲାଣି। ଅତୀତର ସମସ୍ତ ପାଚେରୀକୁ ଭାଙ୍ଗି ନିଜର ଅଧିକାରକୁ ସାବ୍ୟସ୍ତ କରୁଛି। ସଂପର୍କ, ଚିନ୍ତା ଏବଂ ଅନୁଭବକୁ ଜାହିର‍୍‌ କରୁଛି। ଆମ ଦେଶ ତ ଏବେ ଏକ ଜୀବନ୍ତ ସାମାଜିକ ପ୍ରୟୋଗଶାଳା ପାଲଟିଛି, ଯେଉଁଠି ନୂଆ ନୂଆ ମଣିଷକୁ ନିର୍ମାଣ କରାଯାଉଛି।

 

ମହାତ୍ମା ଗାନ୍ଧି ସବୁଦିନ ଗାଉଥିଲେ, ‘ଈଶ୍ୱର ଆଲ୍ଲା ତେରେ ନାମ‍୍‌, ସବ‍୍‌ କୋ ସନ‍୍‌ମତି ଦେ ଭଗବାନ!’ କିନ୍ତୁ ତାଙ୍କର ଏହି ପ୍ରତିଦିନର ଗାଇବା ସଂଗୀତ ବା ପ୍ରାର୍ଥନାଟି ନାଥୁରାମ‍୍‌ ଗଡ଼ସେଙ୍କ ଭଳି ଲୋକଙ୍କୁ ସନମତି ବା ସଦ‍୍‌ଗତି ଦେଇପାରିଲା ନାହିଁ। ଆଜି ଦିନରେ ବି ନୁହେଁ। ଗାନ୍ଧିବାଦର କଥା କହୁଥିବା ଲୋକମାନେ ସମସ୍ତଙ୍କୁ ସଦ‍୍‌ବୁଦ୍ଧି ଦେଇ ପାରିନାହାନ୍ତି। ଏହି ଯେପରି ସବୁଦିନିଆ ଘଟୁଥିବା ଘଟଣା ସଂପର୍କରେ ଉଲ୍ଲେଖ କରାଯାଇପାରେ- ଯଥା, ଆମେ ଜାଣିନାହୁଁ, କିଛି ଦେଖିନାହୁଁ, ମଣିଷ ମାରୁଥିବା ଲୋକଙ୍କ ସହ ଆମର କିଛି ସଂପର୍କ ନାହିଁ, ଗାନ୍ଧିଙ୍କୁ ମାରିବା ପରେ ନାଥୁରାମଙ୍କୁ ଚିହ୍ନିଥିବା ଲୋକ ବି ଏପରି କହୁଥିଲେ। ନାଥୁରାମ ଗାନ୍ଧିଜୀଙ୍କୁ ହତ୍ୟା କରିବା ପାଇଁ ହାତରେ ଧରିଥିବା ବନ୍ଧୁକର ଗୁଳି ଯେ ତାଙ୍କର ନଥିଲା, ତାଙ୍କୁ କୌଣସି ଏକ ସଂଗଠନ ଓ ବ୍ୟକ୍ତି ଦେଇଥିଲେ ନିଶ୍ଚୟ। କିନ୍ତୁ କେହି ସ୍ୱୀକାର କଲେ ନାହିଁ, ତାଙ୍କ ହାତରେ ଥିବା ବନ୍ଧୁକର ଗୁଳି ତାଙ୍କର ଥିଲା ବା ତାଙ୍କ ସଂଗଠନର ଥିଲା ବୋଲି।

 

ଆଜି ଯେପରି ହତ୍ୟାକାରୀଙ୍କୁ ଚିହ୍ନିଥିବା ଲୋକ ଓ ସଂଗଠନ ବି ସ୍ୱୀକାର କରୁନାହାନ୍ତି, ସତ୍ୟକୁ ଠିକ୍ ସେହିପରି ନାଥୁରାମ ଗାନ୍ଧିଜୀଙ୍କୁ ହତ୍ୟା କରିବା ପରେ ଦେଖିବାକୁ ମିଳିଥିଲା। ଗାନ୍ଧିଜୀଙ୍କ ହତ୍ୟା ବ୍ୟକ୍ତି ଭାବରେ କରାଯାଇନଥିଲା। ତାଙ୍କ ଆଦର୍ଶ ବିରୋଧରେ ହତ୍ୟା କରାଯାଇଥିଲା। ସେହିଦିନଠୁ ଦେଶରେ ବନ୍ଧୁକର ଯେପରି ଜୟ ଆରମ୍ଭ ହୋଇଛି। ଧର୍ମ, ଜାତି, ଗାଈ, ପତାକା, ମନ୍ଦିର-ମସ‍୍‌ଜିଦ‍୍‌-ଗିରିଜା, ସମ୍ୱିଧାନ-ସଂସଦ, ନଦୀ ଓ ମୂର୍ତ୍ତିଙ୍କୁ ପ୍ରତୀକ ଭାବରେ ବ୍ୟବହାର କରାଯାଇ ସୃଷ୍ଟି କରାଯାଉଛି ଅସହିଷ୍ଣୁତାର ବାତାବରଣ। ଏହି ଅସହିଷ୍ଣୁତାରୁ ଜନ୍ମ ନେଉଛି ବନ୍ଧୁକଧାରୀ ମଣିଷ ହତ୍ୟାକାରୀ ମଣିଷଙ୍କୁ। ନାମ ବଦଳିଛି, ଚେହେରା ବଦଳିଛି, ନୋଟ ବଦଳିଛି, ଭୋଟ ଗ୍ରହଣର ମାର୍ଗ ବଦଳିଛି, ଚାହାରୁ ମଦର ଆତିଥ୍ୟର ଧାରା ବଦଳିଛି, ମିଛ ସତକୁ ନେଇ ନୂଆ ଦୋକାନ ଖୋଲିଛି, ନୂଆ ଠିକଣା ବି ଏବଂ ନୂଆ ମଣିଷମରା ଠିକାଦାରମାନେ ଦେଶ ବ୍ୟାପୀ ସମତଳରୁ ଜଙ୍ଗଲ ଯାଏ ଲମ୍ୱିଲେଣି। ପ୍ରଥମେ ମଣିଷକୁ ଅସହିଷ୍ଣୁ କରାଯାଉଛି। ଶାସନ ପ୍ରଶାସନଠାରୁ ସମବିଚାରର ସଂଗଠନ ଏନେଇ ନିଜ ଅସହିଷ୍ଣୁତାର ଏଜେଣ୍ଡାକୁ କାର୍ଯ୍ୟକାରୀ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ମନ୍ତ୍ରୀ ଯାଏ ନିଜ ଭାବର କଥାକୁ ଭାତ ଭାବରେ ପରଶୁଛନ୍ତି। କିନ୍ତୁ ଭାବ ଯେପରି ସମଦର୍ଶିତାର ସହ ସମସ୍ତଙ୍କୁ ଅସହିଷ୍ଣୁତାର ବିଷରୁ ମୁକ୍ତ କରିପାରୁନାହିଁ। ବନ୍ଧୁକ ମୂନରୁ ଗୁଳିର ଗର୍ଜନ ଥମୁନାହିଁ।

 

ଗାଈ ପବିତ୍ର ଓ ପ୍ରିୟ। ଆମ ଦେଶ ଭାରତ ଏକ କୃଷିପ୍ରଧାନ ଦେଶ। ଗାଈକୁ ପବିତ୍ର ଓ ପ୍ରିୟ ଭାବେ ୯୦ ପ୍ରତିଶତ ଲୋକ ଗ୍ରହଣ କରିଥାନ୍ତି। ତେବେ ଗାଈକୁ ରାଜନୀତି ଓ ଗାଈକୁ ବିରୋଧ କରି ନିଜ ଅସ୍ତିତ୍ୱକୁ ପ୍ରଦର୍ଶିତ କରିବାର ପ୍ରତିଯୋଗିତା ହିଁ ନିଜ ଭିତରେ ନିଆଁ ସହ ସଂଗ୍ରାମ ବୋଲି ବିବେଚନା କରିବାକୁ ପଡ଼ିବ। ସରକାରରେ ଥିବା କେତେକ ମନ୍ତ୍ରୀ ଯେପରି ଢଙ୍ଗରେ ଗାଈକୁ ନେଇ ଭୋଟ ବ୍ୟାଙ୍କ ରାଜନୀତି ତିଆରି କରୁଛନ୍ତି, ଏହା ନିଜ ଭିତରେ ନିଆଁ ସହ ସଂଗ୍ରାମକୁ ସୂଚାଇଛି। ପ୍ରକୃତରେ ସରକାରରେ ଥିବା ମନ୍ତ୍ରୀମାନଙ୍କର ଗାଈ ପ୍ରତି ଭଲପାଇବା ଥିବା କୁହାଯାଇନପାରେ। କାରଣ ସରକାର ସ୍ମାର୍ଟ ସିଟି ଘୋଷଣା କରିଛନ୍ତି। ଏହି ସ୍ମାର୍ଟ ସିଟିରେ ଗାଈ କେଉଁଠି ରହିବ? ତା ପାଇଁ ସ୍ଥାନ କେଉଁଠି? ଯେଉଁ ବିକାଶକୁ ନେଇ ଦେଶ ଆଗକୁ ବଢ଼ୁଛି, ସେଠାରେ ଗାଈ ରହିବାର ସ୍ଥାନ ଥିବା ସୂଚନା ମିଳୁନି।

 

ନୀତି ଆୟୋଗଙ୍କ ପକ୍ଷରୁ ଭିଜନ‍୍‌ ଷ୍ଟେଟ‍୍‌ମେଣ୍ଟ୍-୨୦୨୦ରେ ଗାଈ ରହିବାର ସ୍ଥାନ ସଂପର୍କରେ ସୂଚନା ନାହିଁ। ଯାହା ପାଇଁ ରହିବାର ସ୍ଥାନ ନାହିଁ, ତାହାର ଉପଯୋଗ କେଉଁଠୁ ଆସିବ? ବିଚାର (ଆଦର୍ଶ) ନାମରେ ଶାସନ ଗାଦିକୁ ବଞ୍ଚାଇ ରଖାଯାଇପାରେ। କିନ୍ତୁ ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ଓ ସମୃଦ୍ଧି ସମ୍ଭବ ନୁହେଁ। ଏବେ ତ ଦେଶ ବ୍ୟାପୀ କୃଷି ଓ କୃଷକ ସଂକଟରେ। ଏହି ସମୟରେ ସେମାନଙ୍କର ପବିତ୍ର ଓ ପ୍ରିୟ ଗାଈ ସଂକଟମୁକ୍ତ ବୋଲି କୁହାଯିବ କି? ଆଧୁନିକ ସମାଜ ପ୍ରଗତିର ଦୌଡ଼ରେ। କିନ୍ତୁ ଦେଖିବାକୁ ମିଳୁଛି ଗାଈ ନାମରେ ମୁସଲମାନଙ୍କୁ ମାରିଦିଆଯାଉଛି, ଦଳିତ ମରୁଛନ୍ତି, ଡାହାଣୀ କହି ମହିଳାଙ୍କୁ ମାରିଦିଆଯାଉଛି। ଏଥିପାଇଁ ବୋଧହୁଏ ଏବେ ସଚେତନ ନାଗରିକ କହିବା ଆରମ୍ଭ କରିଛନ୍ତି ‘ମୋ ନାମରେ ହତ୍ୟା କରନାହିଁ।’

 

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି- ଗୋ ସୁରକ୍ଷା ନାମରେ ମଣିଷଙ୍କ ହତ୍ୟାକୁ ଗାନ୍ଧି ଓ ବିନୋବା ଭାବେ ମଞ୍ଜୁର ଦେଇନାହାନ୍ତି। ଗାନ୍ଧି ଓ ବିନୋବା ଉଭୟେ ଗୋ’ହତ୍ୟାକୁ ଗ୍ରହଣ କରିନଥିଲେ। କିନ୍ତୁ ଗୋ’ହତ୍ୟାକୁ ବନ୍ଦ ପାଇଁ ମଣିଷ ହତ୍ୟାକୁ ବିରୋଧ କରିଥିଲେ। ଆଜି ଦିନରେ ପ୍ରଧାନମନ୍ତ୍ରୀ ମୋଦି ଗୋ’ ସୁରକ୍ଷା ନାଁରେ ଉପଦ୍ରବ ଓ ହତ୍ୟାକୁ ବିରୋଧ କରିଛନ୍ତି, କିନ୍ତୁ ଉପଦ୍ରବ କମୁନି କି ହତ୍ୟାର।

 

ଗାନ୍ଧି, ବିନୋବା ବଳପୂର୍ବକ ଜମି ଅଧିଗ୍ରହଣକୁ ମଞ୍ଜୁର ଦେଇନଥିଲେ। କିନ୍ତୁ ଆଜିର ସରକାର ଜମି ଅଧିଗ୍ରହଣ ଚଳାଇ ରଖିଛନ୍ତି। ବିନୋବା କହିଥିଲେ, ରାଷ୍ଟ୍ର ସଂସ୍ଥା ସବୁଠୁ ବିପଦପୂର୍ଣ୍ଣ ସଂସ୍ଥା। ଯେଉଁ ସଂସ୍ଥା ସାମାଜିକ ଗୋଲାମୀ ସେବା ବ୍ୟତୀତ ଜନତାଙ୍କୁ ଅନ୍ୟ କିଛି ଦେଇପାରିନାହିଁ। ସଭ୍ୟତାର ବିକାଶ କ୍ରମଶଃ ହେବ ବୋଲି ବିନୋବା କହିଥିଲେ। କିନ୍ତୁ ଆଜି ବିକାଶର ବାଧକ ହୋଇଛି ଅସହିଷ୍ଣୁତା ଓ ବନ୍ଧୁକର ଗୁଳି। ଚାଲିଛି ଅସହମତିର ସ୍ୱାଧୀନତା ଉପରେ ଆକ୍ରମଣ। ଏହା ଦେଶର ସଭ୍ୟତାର କ୍ରମବିକାଶ ଦିଗରେ କେବଳ ପ୍ରତିବନ୍ଧକ ନୁହେଁ, ସମାଜର ଅଖଣ୍ଡତା ପ୍ରତି ବିପଦ ମଧ୍ୟ।

 

ମୋ ନାମରେ ହତ୍ୟା କର, ମୋ ନାମରେ ହତ୍ୟା କରନାହିଁ, ମୋ ନାମ ହେଉଛି ଏହି ଦେଶର ସାଧାରଣ ନାଗରିକର ନାମ। ନାମ, ଧାମ, ଜାତି ଏବଂ ଧର୍ମକୁ ନେଇ ଯେପରି ହତ୍ୟାର ବିଭୀଷିକା ସଂଗଠିତ ହେଉଛି ଓ କରାଯାଉଛି, ମନେହେଉଛି ଅନେକ ନାଥୁରାମ ଆଜି ଦିନରେ ଗାନ୍ଧିଜୀଙ୍କ ଭଳି ଅହିଂସାକୁ ଧର୍ମ, କର୍ମ ଓ ବ୍ରତ ଭାବେ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ହତ୍ୟା କରିବା ପାଇଁ ଘୁରିବୁଲୁଛନ୍ତି। ନାହିଁ ଏଠି ତର୍କ, ତର୍କ କଲେ ମୃତ୍ୟୁଦଣ୍ଡ ମିଳିବାର ଭୟ। ବିତର୍କ ଗଠନମୂଳକ ହେଉ, ସରକାରରେ ଥିବା ଓ ମାନବବାଦ ଉପରେ ଅଧିକ ଭାଷଣ ଦେଉଥିବା ବ୍ୟକ୍ତିମାନେ ମଧ୍ୟ ଚାହୁଁନାହାନ୍ତି। ଫଳରେ ମନେହେଉଛି ନିଜ ଭିତରେ ନିଆଁ ସହ ସଂଗ୍ରାମ କରିବାର ସମୟ ଦେଇ ମୁଁ ଓ ମୋ ଭଳି ଅନେକ ନିରୀହ ଦିନ ବିତାଉଛୁ।

 

ଭୁବନେଶ୍ୱର, ସଂପର୍କ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top