ନବୀନ ଭଣ୍ଡଙ୍କ ପିସି କାରବାର!

News Story - Posted on 2017-07-29

ପ୍ରଦୀପ ପ୍ରଧାନ

 

ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ପ୍ରଶାସନରେ ଚାଲିଥିବା ପିସି ବା ପର୍ସେଣ୍ଟ କାରବାରକୁ ବନ୍ଦ କରିବା ପାଇଁ ପ୍ରଶାସନିକ ଅଧିକାର ତଥା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କିଏ ଏବଂ କାହିଁକି ଏପରି କଥା କହିବାକୁ କହିଲା, ତାହା ଅନୁସନ୍ଧାନ ସାପେକ୍ଷ। କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି, ତାହାର ତର୍ଜମା ହେବା ଜରୁରୀ।

 

ପିସି ସଂସ୍କୃତି ତଥା ସରକାରୀ କାର୍ଯ୍ୟ ବା ସାହାଯ୍ୟ ପାଇଁ ଲାଞ୍ଚ କାରବାର ରାଜ୍ୟ ପ୍ରଶାସନରେ ଏକ ସାଧାରଣ ଘଟଣା। ଜଣେ ସାଧାରଣ ଲୋକଙ୍କୁ ଭତ୍ତା, ଇନ୍ଦିରା ଆବାସ ଗୃହ, ରେସନ କାର୍ଡ ପାଇବା, ଏନ‌୍‍ଆରଇଜିଏ କାମରେ ମଜୁରୀ, ଜମିବାଡ଼ି ପଟ୍ଟା ଇତ୍ୟାଦି ପାଇଁ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ପଡ଼ିଥାଏ। ସେହିପରି ଠିକାଦାରୀ କାମରେ ତଥା ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟରେ ଠିକାଦାର ବା କାର୍ଯ୍ୟକାରୀ ସଂସ୍ଥାମାନଙ୍କୁ ମନ୍ତ୍ରୀ, ବିଧାୟକ, ଅଫିସରମାନଙ୍କୁ ପିସି ଦେବାକୁ ପଡ଼ିଥାଏ। ଇଞ୍ଜିନିୟରିଂ ବିଭାଗଗୁଡ଼ିକରେ ପିସି କାରବାର ଦୈନନ୍ଦିନ ଘଟଣା। ଏହା ଏକ ଅଲିଖିତ ପ୍ରଥା। ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ଏହି ଦୁର୍ନୀତିରେ ସମ୍ପୃକ୍ତ ଥାଆନ୍ତି।

 

ସେହିପରି ବ୍ଲକ ଏବଂ ଜିଲ୍ଲାସ୍ତରରେ ସରକାରୀ ଯୋଜନା କାର୍ଯ୍ୟକାରିତାରେ ସମ୍ପୃକ୍ତ ଥିବା ଅଧିକାରୀମାନେ ଯଥା ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ୱରେ ଥିବା ମଣ୍ଡଳ ଶିକ୍ଷା ଅଧିକାରୀ, ଆଇସିଡ଼ିଏସ‌୍‍ ଦାୟିତ୍ୱରେ ଥିବା ଶିଶୁ ବିକାଶ ଅଧିକାରୀ, ପିଡ଼ିଏସ‌୍‍ ଦାୟିତ୍ୱରେ ଥିବା ମାର୍କେଟିଙ୍ଗ ଇନିସ‌୍‍ପେକ୍ଟରମାନେ ଉପରିସ୍ଥ ଅଧିକାରୀ, ବିଧାୟକମାନଙ୍କୁ ପ୍ରତି ମାସରେ ଲାଞ୍ଚ ଦେଇଥାନ୍ତି। ଏତଦ‌୍‍ବ୍ୟତୀତ ସରକାରୀ ଯୋଜନାରେ ଆସୁଥିବା କୋଟି କୋଟି ଟଙ୍କାକୁ ବିଭିନ୍ନ ବାଟରେ ହରିଲୁଟ‌୍‍ କରାଯାଇଥାଏ।

 

ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଏହି ଦୁର୍ନୀତି ବ୍ୟାପକ ହୋଇଛି। ସରକାରୀ ସଂସଦର ସୀମାହୀନ ଲୁଟ‌୍‍ ସରକାରୀ କାର୍ଯ୍ୟାଳୟରେ ଖୁଲାମଖୁଲା ଦୁର୍ନୀତି ଭୟାନକ ରୂପ ନେଇଛି। ଏହି ଦୁର୍ନୀତି ବିରୁଦ୍ଧରେ ବିଭିନ୍ନ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ଏବଂ ଏହା ବିରୁଦ୍ଧରେ ଲଗାତର ଅଭିଯୋଗ ହେଲା ପରେ ମଧ୍ୟ ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ମରିବା ଯୋଗୁଁ ସରକାର ବଦନାମ ହେଲା ପରେ ନବୀନ ପଟ୍ଟନାୟକ ତାଙ୍କର ତଥାକଥିତ ନିର୍ମଳ ଭାବମୂର୍ତ୍ତି ରକ୍ଷା କରିବାକୁ ଯାଇ ଦୁର୍ନୀତି ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି। ବାସ୍ତବରେ ରାଜ୍ୟରେ ଦେଖା ଦେଇଥିବା ବ୍ୟାପକ ହରିଲୁଟ‌୍‍, ଖଣି ଦୁର୍ନୀତି, ଜମି ଦୁର୍ନୀତି, ଚିଟ‌୍‍ଫଣ୍ଡ ଘୋଟାଲା, ଡାଲି ଦୁର୍ନୀତିର ଉନ୍ମାଦତା ହେଉଛନ୍ତି ନବୀନ ପଟ୍ଟନାୟକ। ଏହିସବୁ ଦୁର୍ନୀତି ସମ୍ପର୍କରେ ବାରମ୍ୱାର ଅଭିଯୋଗ ସତ୍ତ୍ୱେ ସେ ଏହାର ତଦନ୍ତ କରାଇ ନାହାଁନ୍ତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବରଂ ଦୁର୍ନୀତିଗ୍ରସ୍ତ ଅଧିକାରୀ, ମନ୍ତ୍ରୀ, ବିଧାୟକମାନଙ୍କୁ ସୁରକ୍ଷା ଦେଇ ଆସିଛନ୍ତି।

 

ବାସ୍ତବରେ ପ୍ରଶାସନରେ ଦୁର୍ନୀତିକୁ ବନ୍ଦ କରିବାକୁ ହେଲେ ଦୁର୍ନୀତି ବିରୋଧୀ ଅନୁଷ୍ଠାନ ଗଢି ଦୁର୍ନୀତି ବିରୋଧରେ ଆସୁଥିବା ଅଭିଯୋଗଗୁଡ଼ିକର ତଦନ୍ତ କରି ସମୟବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ଏହାଦ୍ୱାରା ଦୁର୍ନୀତିଗ୍ରସ୍ତ ଲୋକ ଭୟ ପାଇବେ ଏବଂ ଦୁର୍ନୀତି ବିରୁଦ୍ଧରେ ଲଢିବା ପାଇଁ ସାହସ ପାଇବେ। କିନ୍ତୁ ଦେଖାଯାଇଛି ନବୀନ ପଟ୍ଟନାୟକ ଆରମ୍ଭରୁ ଦୁର୍ନୀତି ବିରୁଦ୍ଧରେ କହି ଆସୁଥିବା ବେଳେ ଅପରପକ୍ଷରେ ରାଜ୍ୟରେ ଥିବା ଦୁର୍ନୀତି ବିରୋଧୀ ଅନୁଷ୍ଠାନକୁ ଭାଙ୍ଗି ଚାଲିଛନ୍ତି।

 

ପ୍ରଥମତଃ ପ୍ରଶାସନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବଜାୟ ରଖିବା ସହ ଦୁର୍ନୀତିର ପ୍ରତିହତ ପାଇଁ ସୂଚନା ଅଧିକାର ଆଇନ‌୍‍ ପ୍ରଣୟନ କରାଯାଇଛି। ଦୁର୍ନୀତି ବିରୁଦ୍ଧରେ ଲଢିବା ପାଇଁ ଦେଶର ନାଗରିକ ମାନଙ୍କ ହାତରେ ଏହା ଏକ ପ୍ରଧାନ ଅସ୍ତ୍ର। ଏହି ଆଇନ‌୍‍ର କାର୍ଯ୍ୟକାରିତା ପରେ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଦୁର୍ନୀତି ଲୋପ ପାଇବ ବୋଲି ଆଶା କରାଯାଉଥିଲା। କିନ୍ତୁ ନବୀନ ପଟ୍ଟନାୟକ ସରକାର ଏହି ଆଇନ‌୍‍କୁ କାର୍ଯ୍ୟକାରୀ କରାଇ ନ ଦେବା ପାଇଁ ବିଧିବଧ ଚକ୍ରାନ୍ତ କରିଚାଲିଲେ। ଜନସାଧାରଣ କିପରି ସୂଚନା ପାଇଁ ଆବେଦନ ଏବଂ ଅପିଲ‌୍‍ ନ କରିପାରିବେ, ସେଥିପାଇଁ ଏକ ଉଦ୍ଭଟ, ଅବାନ୍ତର ଓଡ଼ିଶା ସୂଚନା ଅଧିକାର ନିୟମାବଳି ପ୍ରଣୟନ କଲେ। ସୂଚନା ପାଇଁ ଆବେଦନ କରିବା ପାଇଁ ଏପରି ଏକ ବାଧ୍ୟତାମୂଳକ ୧୧ ସ୍ତମ୍ଭ ବିଶିଷ୍ଟ ଦରଖାସ୍ତ ଫର୍ମ କରିଛନ୍ତି ଯାହାକୁ ସାଧାରଣ ଲୋକେ କଦାପି ପୂରଣ କରିପାରିବେ ନାହିଁ କି ଆବେଦନ କରିପାରିବେ ନାହିଁ। ସେହିପରି ଅପିଲ‌୍‍ ପାଇଁ ବାଧ୍ୟତାମୂଳକ ଅପିଲ‌୍‍ ଫର୍ମ କରିବା ସହ ବେଆଇନ‌୍‍ ଭାବେ ପ୍ରଥମ ଅପିଲ‌୍‍ ପାଇଁ ୨୦ ଟଙ୍କା ଏବଂ ଦ୍ୱିତୀୟ ଅପିଲ‌୍‍ ପାଇଁ ୨୫ ଟଙ୍କା ଧାର୍ଯ୍ୟ କରିଛନ୍ତି। ପୁଣି ଏହି ଅର୍ଥ କେବଳ କୋର୍ଟ ଫି ମାଧ୍ୟମରେ ଦେବାକୁ ପଡ଼ିବ। ଅର୍ଥାତ‌୍‍ ଅପିଲ‌୍‍ କରିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ କୋର୍ଟକୁ ଯାଇ କୋର୍ଟ ଫି ଆଣି ଦେବାକୁ ପଡ଼ିବ। ଏସବୁ ପ୍ରତିବନ୍ଧକ ସତ୍ତ୍ୱେ ଯେଉଁମାନେ ସୂଚନା ଅଧିକାର ଆଇନ‌୍‍କୁ ବ୍ୟବହାର କରି ଦୁର୍ନୀତି ବିରୁଦ୍ଧରେ ଲଢୁଛନ୍ତି ସେମାନଙ୍କୁ ଗୁଣ୍ଡା ଲଗାଇ ବା ବିଜୁ ଜନତା ଦଳର ଅସାମାଜିକ କର୍ମୀମାନେ ମରଣାନ୍ତକ ଆକ୍ରମଣ କରୁଛନ୍ତି ଏବଂ ପୋଲିସ‌୍‍ ପ୍ରଶାସନ ସେମାନଙ୍କୁ ସାହାଯ୍ୟ କରୁଛି। ସୂଚନାଧିକାର କର୍ମୀମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରିନାହାଁନ୍ତି। ରାଜ୍ୟରେ ହୁଇସିଲ‌୍‍ ବ୍ଲୋୟର ପ୍ରୋଟେକ୍ସନ ଆକ୍ଟ କରିବାକୁ ସୂଚନାଧିକାର କର୍ମୀମାନେ ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି।

 

ଦ୍ୱିତୀୟତଃ, ୨୦୦୮ ମସିହାରେ ଜାତୀୟ ଗ୍ରାମାଞ୍ଚଳ କର୍ମ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ବ୍ୟାପକ ହରିଲୁଟ‌୍‍, ଅର୍ଥ ତୋଷାରପାତ ତଦନ୍ତ କରି ଦିଲ୍ଲୀସ୍ଥିତ ଏକ େସ୍ୱଚ୍ଛାସେବୀ ସଂଗଠନର ମୁଖ୍ୟ ପର୍ଶୁରାମ ରାୟ ରାଜ୍ୟରେ ୫୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଦର୍ଶାଇ ଏହାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମ କୋର୍ଟରେ ମକଦ୍ଦମା କଲେ। ୨୦୦୯ ମସିହାରେ ସୁପ୍ରିମ କୋର୍ଟ ଏହାର ବିଚାର କରି ଏନ‌୍‍ଆରଇଜିଏ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଦୁର୍ନୀତି ସମ୍ପର୍କୀତ ଅଭିଯୋଗର ତଦନ୍ତ ପାଇଁ ଏକ ସ୍ୱାଧୀନ ଓ ନିରପେକ୍ଷ ଅଭିଯୋଗ ମିମାଂସା ବ୍ୟବସ୍ଥା କରିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ୨୦୧୦ ଏବଂ ୨୦୧୧ରେ ସମସ୍ତ ଜିଲ୍ଲାରେ ଅମ୍ୱୁଦସମ୍ୟାନ ଗଠନ କଲେ। ପ୍ରଥମ ଦୁଇବର୍ଷ ଏହି ଅମ୍ୱୁଦସମ୍ୟାନ ଏନ‌୍‍ଆରଇଜିଏ କାମର ଦୁର୍ନୀତି ସମ୍ପର୍କୀତ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ଲୋକମାନେ ମଧ୍ୟ ନ୍ୟାୟ ପାଉଥିଲେ। କିନ୍ତୁ ୨୦୧୩ ମସିହାରୁ ସରକାରୀ ଚକ୍ରାନ୍ତ କରାଯାଇ ସମସ୍ତ ଜିଲ୍ଲାରେ ଏହି ସଂସ୍ଥାକୁ ବନ୍ଦ କରାଇ ଦିଆଗଲା। ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାରୁ ଏବଂ ଏଠାରେ ଏନ‌୍‍ଆରଇଜିଏ କାମରେ ଦୁର୍ନୀତି ହେଉନଥିବା ଦର୍ଶାଇବା ପାଇଁ ଉକ୍ତ ଜିଲ୍ଲାରେ ନିଯୁକ୍ତ ଆମ୍ୱୁଦସମ୍ୟାନଙ୍କୁ କାମ କରାଇ ଦିଆଗଲା ନାହିଁ। ତାଙ୍କୁ ଏଭଳି ହଇରାଣ କରାଗଲା, ସେ କୌଣସି ଗୋଟିଏ ଦୁର୍ନୀତିର ତଦନ୍ତ କରିପାରିଲେ ନାହିଁ। ବର୍ତ୍ତମାନ ରାଜ୍ୟରେ ମାତ୍ର ୬ଟି ଜିଲ୍ଲାରେ ଅମ୍ୱୁଦସମ୍ୟାନ ନିଯୁକ୍ତ ହୋଇଛନ୍ତି। ମାଲକାନଗିରି ଜିଲ୍ଲାରେ ନିଯୁକ୍ତ ଅମ୍ୱୁଦସମ୍ୟାନଙ୍କୁ ପ୍ରଶାସନିକ ସାହାଯ୍ୟ ଯୋଗାଇ ଦିଆନଯିବାରୁ ସେ ଆଠ ମାସ ଧରି କାମ କରିପାରୁ ନାହାଁନ୍ତି।

 

ତୃତୀୟତଃ, ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେଙ୍କ ନେତୃତ୍ୱରେ ସମଗ୍ର ଦେଶରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନ ଯୋଗୁଁ କେନ୍ଦ୍ର ସରକାର ଲୋକପାଳ ଓ ଲୋକାୟୁକ୍ତ ଆଇନ‌୍‍ ୨୦୧୩ରେ ପ୍ରଣୟନ କଲେ। ପ୍ରଶାସନର ବିଭିନ୍ନ ସ୍ତରରେ ଦୁର୍ନୀତି ସମ୍ପର୍କୀତ ଅଭିଯୋଗର ନିରପକ୍ଷ ଏବଂ ସମୟବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏହି ଆଇନ‌୍‍ର ମୂଳ ଲକ୍ଷ୍ୟ। ଏହା ଆଇନ‌୍‍ ଆଧାରରେ ରାଜ୍ୟ ସରକାର ୨୦୧୪ ମସିହାରେ ଓଡ଼ିଶା ଲୋକାୟୁକ୍ତ ବିଲ‌୍‍ ବିଧାନସଭା ପାସ‌୍‍ କରାଇ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧରେ ଅଙ୍ଗୀକାର ବଦ୍ଧତା ରହିଛି, ତାହା ପ୍ରଚାର କରାଇଲେ। ଦୀର୍ଘ ୩ ବର୍ଷ ବିତିଗଲା କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟରେ ଲୋକାୟୁକ୍ତ ଗଠନ ହେଲା ନାହିଁ। ତେଣୁ ଦୁର୍ନୀତ ସମ୍ପର୍କୀତ ଅଭିଯୋଗର ତଦନ୍ତ ପାଇଁ ରାଜ୍ୟର କୌଣସି ସ୍ୱାଧୀନ ଅନୁଷ୍ଠାନ ନାହିଁ। ୨୦୧୩ ମସିହାରୁ ରାଜ୍ୟରେ ଥିବା ଲୋକପାଳ ଅନୁଷ୍ଠାନରେ ନିଯୁକ୍ତି ନ କରି ଏହି ଅନୁଷ୍ଠାନକୁ ବନ୍ଦ କରିଦେଇଛନ୍ତି।

 

ଚତୁର୍ଥତଃ, ରାଜ୍ୟରେ ଲୋକମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଲୋକ ସେବା ଅଧିକାର ଆଇନ‌୍‍, ୨୦୧୨ ପ୍ରଣୟନ କରିଛନ୍ତି। କିନ୍ତୁ ଏହି ଆଇନ‌୍‍ର ସଠିକ‌୍‍ କାର୍ଯ୍ୟକାରିତାର ଅଭାବ, ଆଇନ‌୍‍କୁ କାର୍ଯ୍ୟକାରୀ କରେଇ ନ ଦେବା ପାଇଁ ବିଭିନ୍ନ ସରକାରୀ ଦପ୍ତରରେ ପ୍ରଶାସନିକ ଅଧିକାରୀମାନଙ୍କ ଷଡ଼ଯନ୍ତ୍ର, ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ଏବେ ବି ତହସିଲ‌୍‍ ଅଫିସ‌୍‍ରେ ଜାତିଗତ ପ୍ରମାଣପତ୍ର ବା ଜମି ପଟ୍ଟା ପାଇବା ପାଇଁ ଲାଞ୍ଚ ଦେବାକୁ ପଡୁଛି।

 

ରାଜ୍ୟର ଦୁର୍ନୀତି ବିରୁଦ୍ଧରେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଦୁଇଟି ସଂସ୍ଥା ରାଜ୍ୟ ଭିଜିଲାନ୍ସ ଏବଂ କ୍ରାଇମ ବ୍ରାଞ୍ଚ କାମ କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଲଗାତର ହସ୍ତକ୍ଷେପ ଏବଂ ଦୁର୍ନୀତିଗ୍ରସ୍ତ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ସୁରକ୍ଷା ଦେବା ଯୋଗୁଁ ଦୁଇଟି ସଂସ୍ଥା ଦୁର୍ନୀତି ବିରୋଧରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିପାରି ନାହାଁନ୍ତି। ଡ଼ାଲି ଦୁର୍ନୀତି, ଶକ୍ତି ବିଭାଗର ଦୁର୍ନୀତି, ଓମ‌୍‍ଫେଡ଼ ଦୁର୍ନୀତି, ଭୁବନେଶ୍ୱର-କଟକ ଜମି ଦୁର୍ନୀତି, ଘଙ୍ଗାପାଟଣା ଜମି ଦୁର୍ନୀତି ଇତ୍ୟାଦି ତଦନ୍ତ ହୋଇପାରି ନାହିଁ। ମୁଖ୍ୟମନ୍ତ୍ରୀ ଅନୁମତି ନ ଦେବାରୁ ୧୦ ଜଣ ଦୁର୍ନୀତିଗ୍ରସ୍ତ ଆଇଏଏସ‌୍‍ଙ୍କ ବିରୁଦ୍ଧରେ ସମସ୍ତ ପ୍ରମାଣ ଥାଇ ମଧ୍ୟ ଭିଜିଲାନ୍ସ ତଦନ୍ତ କରିପାରୁ ନାହିଁ।

 

ତେଣୁ ମୁଖ୍ୟମନ୍ତ୍ରୀଙ୍କର ପିସି ବନ୍ଦ ପାଇଁ ନିର୍ଦ୍ଦେଶ ବା ଦୁର୍ନୀତି ବିରୋଧୀ ସ୍ଲୋଗାନ କେବଳ ଲୋକଙ୍କୁ ଠକିବା ପାଇଁ ଉଦ୍ଦିଷ୍ଟ। ରାଜ୍ୟରେ ଯେଉଁ ବ୍ୟାପକ ହରିଲୁଟ‌୍‍ ହୋଇଛି, ତାହା ନବୀନ ପଟ୍ଟନାୟକଙ୍କ ପ୍ରଚ୍ଛନ୍ନ ସହାୟତାରେ ହୋଇଛି ଏବଂ ଏହି ଦୁର୍ନୀତିର ସିଂହଭାଗ ଲାଭ ତାଙ୍କ ଭାଇ ପ୍ରେମ ପଟ୍ଟନାୟକଙ୍କ କମ୍ପାନୀକୁ ଯାଇଛି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥାନ୍ତି। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ଖଣି ଦୁର୍ନୀତିଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦୁର୍ନୀତିର ତଦନ୍ତ ଚାହୁଁନାହାଁନ୍ତି। କାଳେ ନିଜର ଭାବମୂର୍ତ୍ତି ଧରା ପଡ଼ିଯିବ ସେଥିପାଇଁ ସେ ବେଳେ ବେଳେ ଏହିପରି ଦୁର୍ନୀତି ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ପୁଣି ସେ ନିଜେ ଏହି କଥା କହୁନାହାଁନ୍ତି, କିଛି ଅମଲା ଏହା ଲେଖି ଦେଉଛନ୍ତି ଏବଂ ସେ ପଢି କରି ପ୍ରେସ‌୍‍ରେ କହୁଛନ୍ତି। ଏହିଭଳି ଏକ ଭଣ୍ଡ ଚରିତ୍ରକୁ ଆମେ ଗ୍ରହଣ କରିଚାଲିଛୁ। ଫଳରେ ରାଜ୍ୟରେ ବିକାଶ ହେବା ପରିବର୍ତ୍ତେ ଅନାହାର, ଅର୍ଦ୍ଧାହାର, ଦାରିଦ୍ର୍ୟ, ଭିକାରୀ, ଶିଶୁ ପୁଷ୍ଟିହୀନତା ବଢିବାରେ ଲାଗିଛି।

 

ସୂଚନାଧିକାର କର୍ମୀ, ମୋ-୯୯୩୭୮୪୩୪୮୨


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top