ମଣିଷ ଖାଉ ବାଘମାଂସ!

News Story - Posted on 2017-07-29

ବୈଷ୍ଣବ ଜେନା

 

ଭାରତୀୟ ଭୌଗୋଳିକ ବିବିଧତାର ଏକ ନିଚ୍ଛକ ଉଦାହରଣ ହେଉଛି ତାମିରାବଣୀ ନଦୀ। କାରଣ ଏହା ଦେଶର ଏକମାତ୍ର ନଦୀ ଯାହାକି ଦକ୍ଷିଣରୁ ଉତ୍ପତ୍ତି ହୋଇ ଦୀର୍ଘ ୧୨୫ କିଲୋମିଟର ପର୍ଯ୍ୟନ୍ତ ଉତ୍ତରକୁ ଯାଇ ବଙ୍ଗୋପସାଗରରେ ମିଶିଛି। ତାମିଲନାଡୁ ଓ କେରଳ ରାଜ୍ୟର ସୀମାବର୍ତ୍ତୀ ଅଂଚଳ ତଥା ପଶ୍ଚିମଘାଟ ପର୍ବତମାତା ଅଞ୍ଚଳ ହେଉଛି ଏହାର ଉତ୍ପତ୍ତି ସ୍ଥଳ। ଏହା ମୁଖ୍ୟତଃ ତାମିଲ‌୍‍ନାଡୁର ତିରୁନେଲଭେଲି ଏବଂ ତୁତିକୋରିନ‌୍‍ ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହେଉଛି। ଉତ୍ପତ୍ତିସ୍ଥଳଠାରୁ କିଛି ଦୂରରେ ଅଛି କଲ୍ଲକଟ ଏବଂ ମୁଣ୍ଡନଥୁରାଇ ଜଙ୍ଗଲ। ଅପୂର୍ବ ପ୍ରାକୃତିକ ଶୋଭା ସେଠାରେ ରହିଛି। ମହାଭାରତରେ ଏହି ତାମିରାବରଣୀ ନଦୀର ବର୍ଣ୍ଣନା ଚାଲିଛି। ତେଣୁ ଏହାକୁ ପୂଣ୍ୟତୋୟା କୁହାଯାଇଥାଏ।

 

ଅତୀତରେ ଏହା ଚିରସ୍ରୋତା ଥିଲା। ମାତ୍ର ପରବର୍ତ୍ତୀ ସମୟରେ ଅର୍ଥାତ‌୍‍ ଗତ ଶତାବ୍ଦୀର ଦ୍ୱିତୀୟ ଭାଗ ବେଳକୁ ସେହି ଅଞ୍ଚଳରେ ବ୍ୟାପକ ଜଙ୍ଗଲ କଟାଯୋଗଁୁ ଏହି ନଦୀ ପ୍ରଭାବିତ ହେଲା ଏବଂ ସ୍ରୋତ ହ୍ରାସ ପାଇଲା। ଏପରିକି ବର୍ଷରେ ମାତ୍ର ୪ ମାସ ଏହି ନଦୀରେ ପାଣି ରହିଲା, ବାକି ସମୟ ଏହା ଶୁଖିଲା ପଡ଼ିଲା। ଏହା ଜନସମାଜ, ଜୀବଜଗତ ଓ ବୃକ୍ଷଲତା ପାଇଁ ସମସ୍ୟା ସୃଷ୍ଟି କଲା। ତେବେ ସେହି କଲ୍ଲିକଟ ଓ ମୁଣ୍ଡନଥୁରାଇ ଜଙ୍ଗଲ (ନଦୀର ଉଭୟ ପାର୍ଶ୍ୱରେ) ବାଘଙ୍କ ପାଇଁ ଅନୁକୂଳ ହୋଇଥିବା ଅନୁଭବ କରି ସରକାର ୧୯୯୨ ମସିହାରେ ତାହାକୁ ବ୍ୟାଘ୍ର ଅଭୟାରଣ୍ୟ ଭାବେ ଘୋଷଣା କଲେ। ଏବେ ସେହି ତାମିରାବରଣୀ ନଦୀର ଚିତ୍ର ବଦଳି ଗଲାଣି। ୧୯୪୬ରୁ ୧୯୯୦ ମଧ୍ୟରେ ହୋଇଥିବା ଆକଳନ ଅନୁସାରେ ଏହି ନଦୀରେ ହାରାହାରି ୧୩ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ଏବେ ୨୩ ହଜାର ଘନଫୁଟ ପାଣି ପ୍ରବାହିତ ହେଉଛି। ଅର୍ଥାତ‌୍‍ ୭୫ ପ୍ରତିଶତ ବୃଦ୍ଧି ହୋଇଛି।

 

ଏହା ପଛର କାହାଣୀ ହେଉଛି ବାଘ ବଂଶ ବୃଦ୍ଧି। ବାଘ ବଂଶ ବୃଦ୍ଧି କାରଣରୁ ଚୋରା କାଠ ବେପାରୀମାନେ ଆଉ ଜଙ୍ଗଲକୁ ଭୟରେ ଗଲେନାହିଁ। ଗୋରୁ ମହିଷାଦି ପ୍ରାଣୀମାନେ ମଧ୍ୟ ଗଲେନାହିଁ। ଯାହାଫଳରେ ସେହି ଅଞ୍ଚଳରେ ଦେଖାଯାଉଥିବା ସୋଲ‌୍‍ ଜାତୀୟ ଗଛ ବଢ଼ିବା ସହିତ ଘାସଜାତୀୟ ଗୁଳ୍ମମାନ ବଢ଼ିଲା। ସେହି ଘାସ ଅଞ୍ଚଳ ବୃଦ୍ଧି ହେତୁ ବର୍ଷାପାଣିକୁ ମାଟିରେ ଧରି ରଖାଯାଇପାରିଲା। ଅପର ପକ୍ଷରେ ସେହି ସୋଲ ଜାତୀୟ ଗଛଗୁଡ଼ିକ ମରିଗଲା ପରେ ପଡ଼ିଯାଇ ବିପୁଳ ପରିମାଣର ଜଳଧାରଣ କଲା। ସେହି ଗଛ ଅତ୍ୟନ୍ତ ହାଲୁକା ଓ ସ୍ପଞ୍ଜ ପରି। ସେଥିରେ ବହୁ ପାଣି ବର୍ଷା ସମୟରେ ରହିଯାଏ। ପରବର୍ତ୍ତୀ ସମୟରେ ତାହା ନିଗିଡ଼ି କ୍ଷୁଦ୍ର ଝରଣା ବା ନାଳ ମାଧ୍ୟମରେ ତାମିରାବରଣୀ ନଦୀରେ ପଡ଼ିଲା। ଫଳରେ ତାହା ସୁନାବ୍ୟା ହୋଇଗଲା। ମୋଟ ଉପରେ କହିବାକୁ ଗଲେ ବାଘଙ୍କ ଯୋଗଁୁ ଏହି ପୂଣ୍ୟତୋୟା ନଦୀଟି ତାହାର ପୂର୍ବ ପରିଚୟ ଫେରି ପାଇଲା। ଏହି ଘଟଣା ଏବେ ବିଶ୍ୱର ପରିବେଶ ପ୍ରେମୀ, ଜଳସଂଗ୍ରାମୀ ଓ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରେ ନୂତନ ଆଶାର ସଂଚାର କରିଛି।

 

ନିକଟରେ ଇକୋସିଷ୍ଟମ ସର୍ଭିସେସ‌୍‍ ଜର୍ଣ୍ଣାଲରେ ବାଘମାନଙ୍କ ସମ୍ପର୍କରେ ଆଉ ଏକ ବିସ୍ମୟକର ତଥ୍ୟ ପ୍ରକାଶ ପାଇଛି। ତାହାର ଶୀର୍ଷକ ହେଉଛି - ମେକିଂ ଦି ହିଡନ‌୍‍ ଭିଜିବୁଲ‌୍‍ : ଇକୋନୋମିକ‌୍‍ ଭାଲ୍ୟୁସେନ‌୍‍ ଅଫ‌୍‍ ଟାଇଗର ରିଜର୍ଭସ‌୍‍ ଇନ‌୍‍ ଇଣ୍ଡିଆ। ସେଥିରେ ଦର୍ଶାଯାଇଛି ଯେ, ଦୁଇଟି ବ୍ୟାଘ୍ରଙ୍କ ପାଇଁ ଭାରତ ସରକାର ଯେତିକି ଖର୍ଚ୍ଚ କରୁଛନ୍ତି ତାହା ମହାକାଶକୁ  ପ୍ରେରିତ ମଙ୍ଗଳଯାନଠାରୁ ବହୁ ଅଧିକ। କାରଣ ଦୁଇଟି ବାଘଙ୍କ ପାଇଁ ଭାରତ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମଙ୍ଗଳଯାନ ପାଇଁ ଖର୍ଚ୍ଚ ହୋଇଥିଲା ୪୫୦ କୋଟି ଟଙ୍କା। ଏବେ ଭାରତ ବର୍ଷର ବିଭିନ୍ନ ଜଙ୍ଗଳରେ ଚିଡ଼ିଆଖାନାରେ ପ୍ରାୟ ୨ ହଜାର ୨୨୬ଟି ବାଘ ଅଛନ୍ତି। ଯାହାକି ସମଗ୍ର ବିଶ୍ୱରେ ଥିବା ବାଘଙ୍କ ସଂଖ୍ୟାର ଅଧାରୁ ଅଧିକ। ଏମାନଙ୍କ ପାଇଁ ଖର୍ଚ୍ଚ ହେଉଛି ୫ ଲକ୍ଷ ୭୦ ହଜାର କୋଟି ଟଙ୍କା। ତେବେ ଭାରତରେ ଏହି ବାଘକୁ ବଞ୍ଚାଇ ରଖିବା ବା ସୁରକ୍ଷିତ ରଖିବା ଦ୍ୱାରା ସାମଗ୍ରିକ ଭାବେ ୧୪ ଲକ୍ଷ କୋଟି ଟଙ୍କାର ଫାଇଦା ମିଳୁଛି। ଏହାଛଡା ଜଙ୍ଗଲ ପରିବେଶ ତଥା ଜୈବ ବିବିଧତା ସ୍ଥିର ରହୁଛି।

 

ତୃତୀୟ ଅବତାରଣାଟି କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧିଙ୍କ ବକ୍ତବ୍ୟ ଉପରେ ଆଧାରିତ। କିଛି ବର୍ଷ ତଳେ ସେ ଓଡ଼ିଶା ଆସିଥିବା ବେଳେ କହିଥିଲେ ଯେ, ଗୋଟିଏ ଧଳା ବାଘ ହେଉଛି ନାଲ‌୍‍କୋ ପରି ଏକ ଆଲୁମିନିୟମ କାରଖାନାଠାରୁ ମୂଲ୍ୟବାନ‌୍‍ ଓ ରାଜ୍ୟ ପାଇଁ ଲାଭଦାୟକ। ଅର୍ଥାତ‌୍‍ ନାଲ‌୍‍କୋ ଯେତିକି ରାଜସ୍ୱ ଓଡ଼ିଶା ସରକାରଙ୍କୁ ଦେଉଛି - ଗୋଟିଏ ଧଳା ବାଘ ତାହାଠାରୁ ଅଧିକ ଦେଇପାରିବ।

 

ଏହି ତିନୋଟି ପ୍ରସଙ୍ଗକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ, ବାଘ ବଂଶ ବୃଦ୍ଧି ଆମ ଦେଶ ପାଇଁ ନିହାତି ଆବଶ୍ୟକ। କାରଣ ବାଘ ଏକ ଶୁଖିଲା ନଦୀକୁ ଚିରସ୍ରୋତା କରିପାରୁଛି ଏବଂ ଦେଶକୁ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧି କରିପାରୁଛି। ଦେଶକୁ ପର୍ଯ୍ୟଟକମାନଙ୍କୁ ବହୁ ସଂଖ୍ୟାରେ ଆଣିପାରୁଛି। ଜଙ୍ଗଲ ସୁରକ୍ଷିତ ରହୁଛି। ଏହାଛଡ଼ା ଏହା ମଧ୍ୟ ତୃଣଭୋଜି ପ୍ରାଣୀ ସଂଖ୍ୟା ବୃଦ୍ଧି କରୁଛି। ଏହି ପ୍ରସଙ୍ଗରେ ଆମ ଦେଶର ବଲାଙ୍ଗୀରରେ ଆଦିବାସୀ ଲୋକକଥାମାନ ରହିଛି। ତାହା ହେଉଛି ବାଘ ଖାଉଥିବାରୁ ହରିଣ, ସଂବର ବଣ ମଇଁଷି, ଠେକୁଆ, କୁଟୁରା ଆଦିର ବଂଶ ବୃଦ୍ଧି ଘଟିଥାଏ। ସେହିପରି ଭାବେ କୁହାଯାଇପାରେ ଯେ, ମଣିଷ ଯାହା ଖାଏ ତାହାର ବୃଦ୍ଧି ଘଟେ। ଶାଗ-ପନିପରିବାଠାରୁ ଆରମ୍ଭ କରି ମାଛମାଂସ ପର୍ଯ୍ୟନ୍ତ ହେଉଛି ମଣିଷର ଖାଦ୍ୟ। କହିବା ବାହୁଲ୍ୟ ଯେ ଏଗୁଡ଼ିକର ବୃଦ୍ଧି କେବଳ ମଣିଷ ଖାଉଥିବା ଯୋଗଁୁ ସମ୍ଭବ ହେଉଛି। କାରଣ ମଣିଷ ନିଜେ ସେଥିପାଇଁ ଉଦ୍ୟମ କରୁଛି। ବୈଜ୍ଞାନିକ ପଦ୍ଧତିରେ ହେଉ ବା ଆଦିମ ଯୁଗରୁ ଆରମ୍ଭ ହୋଇଆସୁଥିବା ପାରମ୍ପରିକ ପଦ୍ଧତିରେ ହେଉ ମଣିଷ ତାହାର ଖାଦ୍ୟକୁ ବଢ଼ାଇ ପାରୁଛି। ମଣିଷ ଖାଉଥିବାରୁ ଏବେ ବିଶ୍ୱରେ ଦୈନିକ ୧୦୦ କୋଟି ପର୍ଯ୍ୟନ୍ତ କୁକୁଡା ଜନ୍ମ ହେଉଛନ୍ତି। ଛେଳି ଓ ମେଣ୍ଢା ଉତ୍ପାଦନ ବଢ଼ି ବଢ଼ି ଚାଲିଛି। ବିଭିନ୍ନ ପ୍ରଜାତିର ଘୁଷୁରୀ ବାହାରିଲେଣି। ସମୁଦ୍ର ମଧ୍ୟରେ ମାଛ ଚାଷ (ଇଲିଶି, ଖଇଙ୍ଗା ଓ ଭେକ୍ଟି) ହେଲାଣି।

 

ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ମଣିଷ ଏବେ ବାଘ ମାଂସ ଖାଇବାର ସମୟ ଆସିଛି। ମଣିଷ ଖାଇଲେ ହିଁ ବାଘ ବଂଶ ବୃଦ୍ଧି ହେବ। ଏହା ନିରାଟ ସତ୍ୟ। ତେବେ ବାଘ ମାଂସ ଯେ ମଣିଷ ନଖାଏ, ତାହା ନୁହେଁ। ଆମ ରାଜ୍ୟର କୋରାପୁଟ ଜିଲ୍ଲରେ ଲୋକମାନେ ବାଘ ମାଂସ ଖାଆନ୍ତି। ଏହା ଖାଇଲେ ମଣିଷ ପେଟ ଭିତରେ ରହିଯାଇଥିବା ହାଡ଼, କଣ୍ଟା ଓ ବାଳ ପରି ଦ୍ରବ୍ୟ ବାଘମାଂସ ଦ୍ୱାରା ପାଣି ପରି ମିଳେଇଯାଏ ଓ ମଣିଷର ଅଧିକ ବର୍ଷ ଯୌବନ ଶକ୍ତି ରହେ ବୋଲି ବୋଲି ପ୍ରବାଦ ଅଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଫ୍ରିକା ମହାଦେଶରେ ବହୁ ରାଷ୍ଟ୍ର ଅଛନ୍ତି ଯେଉଁମାନଙ୍କର ଜାତୀୟ ସମ୍ୱଳ ହେଉଛି ବନ୍ୟପ୍ରାଣୀ। ସେହି ଦେଶମାନଙ୍କରେ ମଧ୍ୟ ବନ୍ୟପ୍ରାଣୀମାନଙ୍କୁ ମଣିଷର ଆହାର ପାଇଁ ସୁଯୋଗ ଦିଆଯାଏ। ତେବେ ଏକ ନିର୍ଦ୍ଦିଷ୍ଟ ବୟସ ହେଲାପରେ ଉଭୟ ତୃଣଭୋଜି ଓ ମାଂସଭୋଜି ବନ୍ୟପ୍ରାଣୀକୁ ମଣିଷର ଆହର ପାଇଁ ଛାଡ଼ିଦିଆଯାଏ। ଏହାଦ୍ୱାରା ସେହି ଦେଶମାନଙ୍କରେ ବନ୍ୟପ୍ରାଣୀ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା କଥା ଏକ ରିପୋର୍ଟରେ ପ୍ରକାଶ ପାଇଛି।

 

ଏହା ସୁବିଦିତ ଯେ, କୃତ୍ରିମ ଉପାୟରେ ବାଘର ବଂଶ ବୃଦ୍ଧି ଘଟାଇବା ପାଇଁ ସଫଳ ଉଦ୍ୟମ ହୋଇନାହିଁ। ବାଘ କେବଳ ତାହାର ବଂଶଗତ ପ୍ରକ୍ରିୟାରେ ବଂଶକୁ ବଞ୍ଚାଇ ରଖିଛି। ବାଘ ଓ ବିଲେଇ ଏକା ବଂଶର ବୋଲି ସମସ୍ତେ ଜାଣନ୍ତି। ଯଦି ଗୋଟିଏ ମାଈ ବିଲେଇ ବର୍ଷକୁ  ତିନିଥର ତିନି-ଚାରୋଟି ଲେଖା ଛୁଆ ଜନ୍ମ କରୁଛି, ତାହା ବାଘ ଦ୍ୱାରା ମଧ୍ୟ ସମ୍ଭବ ହୋଇପାରିବ। ଏବେ ବାଘ ବର୍ଷକୁ ଥରେ କିମ୍ୱା ଦୁଇ ବର୍ଷରେ ଥରେ ଛୁଆ ଜନ୍ମ କରୁଛି। ଜୀବନକାଳ ମଧ୍ୟରେ ଗୋଟିଏ ମାଈ ବାଘ ୧୦ଟି ଛୁଆଜନ୍ମ କରେ, ତନ୍ମଧ୍ୟରୁ ୨ଟି ବଞ୍ଚି ରହିଲେ ବଡ଼ କଥା ହେଉଛି। ଏଥିପାଇଁ କେହି ବିଶେଷ ଧ୍ୟାନ ଦେଉନାହାନ୍ତି। ବିଳମ୍ୱ ହେଲେ ବି ମଣିଷ ଏବେଠାରୁ ବାଘ ମାଂସ ଖାଇବା ଆରମ୍ଭ କରୁ। ସେମାନଙ୍କ ବଂଶ ବୃଦ୍ଧିର ବାଟ ଫିଟିଯିବ! ତେବେ ଜଙ୍ଗଲରେ କିମ୍ୱା ଚିଡ଼ିଆଖାନାରେ ଥିବା ବାଘକୁ ମାରି ଖାଇଦେଲେ ଚଳିବ ନାହିଁ। ଜଙ୍ଗଲରେ କୃତ୍ରିମ ଉପାୟରେ ବା ବୈଜ୍ଞାନିକ ପଦ୍ଧତିରେ ସେମାନଙ୍କର ବଂଶ ବୃଦ୍ଧି କରାଯାଉ। ଏକ ନିର୍ଦ୍ଦିଷ୍ଟ ବୟସରେ ପହଞ୍ଚିବା ପରେ ଅର୍ଥାତ‌୍‍ ପ୍ରଜଜନ କ୍ଷମତା ହରାଇବା ପରେ ସେମାନଙ୍କୁ ମଣିଷର ଖାଦ୍ୟଭାବେ ଦିଆଯାଉ। ମଣିଷ ସେହି ଦୁର୍ମୁଲ୍ୟ ମାଂସର ସ୍ୱାଦ ପାଇବା ସହିତ ପେଟ ରୋଗରୁ  ମୁକ୍ତ ହେବ। ଅସୀମ ବଳଶାଳୀ ହେବ ଏବଂ ଅକ୍ଷୟ ଯୌବନ ପ୍ରାପ୍ତ ହେବ!

 

ଭୁବନେଶ୍ବର, ସଂପର୍କ- ୯୪୩୭୦୦୭୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top