୨୦ ସୁଦ୍ଧା ଚାଲିବ ତାଳଚେର ସାର କାରଖାନା

News Story - Posted on 2017-07-28

ଓଡ଼ିଶାର ତାଳଚେର ସାର କାରଖାନାର ପୁନରୁଦ୍ଧାର ପ୍ର୍ରକ୍ରିୟା ଜାରି ରହିଛି । ୨୦୨୦ ଡିସେମ୍ବର ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ଏବଂ କାରଖାନାରୁ ଉତ୍ପାଦନ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଆଜି ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତରରେ ସଡ଼କ ପରିବହନ, ରାଜପଥ, ଜାହାଜ ଚଳାଚଳ, ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟ ଏହି ସୂଚନା ଦେଇଛନ୍ତି ।

 

ସେ କହିଛନ୍ତି ଯେ, ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ଏଫସିଆଇଏଲ) ତାଳଚେର ୟୁନିଟର ପୁନରୁଦ୍ଧାର ଦାୟିତ୍ୱ ମିଳିତ ଭାବେ କେତେକ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଉପରେ ନ୍ୟସ୍ତ କରିଛି । ସେମାନେ ହେଲେ ରାଷ୍ଟ୍ରୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫ), ଗେଲ (ଇଣ୍ଡିଆ) ଲିମିଟେଡ, ସିଆଇଏଲ ଏବଂ ଏଫସିଆଇଏଲ । ଏଥିପାଇଁ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ଼ (ଟିଏଫଏଲ) ନାମକ ଏକ ଯୌଥ କମ୍ପାନୀ ଗଠନ କରାଯାଇଛି । ତାଳଚେରରେ ବାର୍ଷିକ ୧.୨୭ ନିୟୁତ ମେଟ୍ରିକ ଟନ କ୍ଷମତାର ଆମୋନିଆ-ୟୁରିଆ ପ୍ଲାଂଟ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଜାରି ରହିଛି ।

 

ଏଥିସହ ରାମଗୁଣ୍ଡମ, ଗୋରଖପୁର, ସିନ୍ଦ୍ରୀ ଏବଂ ବରଉନିରେ ମଧ୍ୟ ଏହି କ୍ଷମତାର ଉତ୍ପାଦନ ପାଇଁ ସାର କାରଖାନା ପୁନରୁଦ୍ଧାର ପ୍ରକ୍ରିୟା ଜାରି ରହିଛି । ଜାତୀୟ ତାପଜ ଶକ୍ତି ନିଗମ, କୋଲ ଇଣ୍ଡିଆ ଲିମିଟେଡ, ଭାରତୀୟ ତୈଳ ନିଗମ ଏବଂ ଏଫସିଆଇଏଲ/ଏଚଏଫସିଏଲକୁ ନେଇ ଗଠିତ ହିନ୍ଦୁସ୍ତାନ ଉର୍ବରକ ଏଣ୍ଡ ରସାୟନ ଲିମିଟେଡ଼ ଏହି କାରଖାନାଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ କରୁଛି ।

 

ଏବେ ମୋଟ ୮ଟି ରାଷ୍ଟ୍ରାୟତ୍ତ ସାର କାରଖାନା ବନ୍ଦ ପଡ଼ିଛି । ଏଥିରୁ ୫ଟି ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ୨୦୧୮ ନଭେମ୍ବର ସୁଦ୍ଧା ରାମଗୁଣ୍ଡମ, ୨୦୨୦ ଅଗଷ୍ଟ ସୁଦ୍ଧା ଗୋରଖପୁର, ୨୦୨୦ ସେପ୍ଟେମ୍ବର ସୁଦ୍ଧା ସିନ୍ଦ୍ରୀ ଏବଂ ୨୦୨୦ ଅକ୍ଟୋବର ସୁଦ୍ଧା ବରଉନି କାରଖାନାର ପୁନରୁଦ୍ଧାର ପ୍ରକ୍ରିୟା ଶେଷ ହୋଇଯିବ ବୋଲି ମନ୍ତ୍ରୀ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top