୭୦ ବର୍ଷରେ ୨୫ ପ୍ରଧାନମନ୍ତ୍ରୀ ବିଦା

News Story - Posted on 2017-07-28

ପାନାମା ପେପର ସ୍କାଣ୍ଡାଲରେ ପାକିସ୍ତାନ ସୁପ୍ରିମ କୋର୍ଟ ଦେଶର ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାକୁ ଲଗାଇ ତୃତୀୟ ଥର ପାଇଁ ଶରିଫ କାର୍ଯ୍ୟକାଳ ସଂପୂର୍ଣ୍ଣ କରିବା ପୂର୍ବରୁ ଗାଦୀ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଏହିପରି ଭାବେ ପାକିସ୍ତାନର ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ମଧ୍ୟ କାର୍ଯ୍ୟକାଳ ସଂପୂର୍ଣ୍ଣ କରିପାରି ନାହାନ୍ତି ।

 

ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିଆକତ ଅଲି ଖାଁ ୧୯୪୭ ଅଗଷ୍ଟ ୧୫ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ନିଜର କାର୍ଯ୍ୟକାଳ ଶେଷ କରିବା ପୂର୍ବରୁ ୧୯୫୧ ଅକ୍ଟୋବର ୧୬ ତାରିଖରେ ରାୱଲପିଣ୍ଡଠାରେ ତାଙ୍କୁ ହତ୍ୟା କରାଗଲା ।

 

ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଖ୍ୱାଜା ନଜିମୁଦ୍ଦିନଙ୍କୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ୧୯୫୩ ଏପ୍ରିଲ ୧୭ ତାରିଖରେ ବରଖାସ୍ତ କରିଥିଲେ ଗଭର୍ଣ୍ଣର ଜେନେରାଲ ଗୁଲାମ ମହମ୍ମଦ ।

 

ନଜିମୁଦ୍ଦିନଙ୍କ ପରେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ ମହମ୍ମଦ ଅଲି ବୋଗ୍ରା । କିନ୍ତୁ ୧୯୫୪ ମସିହାରେ ତାଙ୍କୁ ମଧ୍ୟ ବରଖାସ୍ତ କରିଥିଲେ ଗଭର୍ଣ୍ଣର ଜେନେରାଲ ଗୁଲାମ ମହମ୍ମଦ ।

 

ତେବେ ପରେ ବୋଗ୍ରାଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରାଯାଇଥିଲା । ଏଥର ମଧ୍ୟ ତାଙ୍କୁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ୧୯୫୫ ମସିହାରେ ବରଖାସ୍ତ କରିଥିଲେ ପରବର୍ତ୍ତୀ ଗଭର୍ଣ୍ଣର ଜେନେରାଲ ଇସ୍କନ୍ଦର ମିର୍ଜା ।

 

ସେହିପରି ଭାବେ ଗଭର୍ଣ୍ଣର ଜେନେରାଲ ଇସ୍କନ୍ଦର ମିର୍ଜାଙ୍କ ସହିତ ବିବାଦ ଲାଗି ରହିବାରୁ ଶେଷରେ ବାଧ୍ୟ ହୋଇ ୧୯୫୬ ସେପ୍ଟେମ୍ବର ୧୨ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଚୌଧୁରୀ ମହମ୍ମଦ ଅଲୀ ।

 

ତାଙ୍କ ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଆୱାମି ଲିଗର ମୁଖ୍ୟ ହୁସେନ ଶହୀଦ ସୁହରାୱର୍ଦ୍ଦି । ୧୯୫୭ ମସିହାରେ ତାଙ୍କୁ ମଧ୍ୟ ବରଖାସ୍ତ କରିଥିଲେ ଗଭର୍ଣ୍ଣର ଜେନେରାଲ ଇସ୍କନ୍ଦର ମିର୍ଜା । ତାଙ୍କ ପରେ ଇବ୍ରାହିମ ଇସମାଇଲ ଚୁନ୍ଦ୍ରିଗାରଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ ଇସ୍କନ୍ଦର ମିର୍ଜା । କିନ୍ତୁ ମାତ୍ର ୨ ମାସ ପରେ ଚୁନ୍ଦ୍ରିଗାର ୧୯୫୭ ଡିସେମ୍ବର ମାସରେ ଇସ୍ତଫା ଦେଇଥିଲେ ।

 

ତାଙ୍କ ପରେ ପ୍ରଧାନମନ୍ତ୍ରୀ ହୋଇଥିବା ଫିରୋଜ ଖାଁ ନୁନ୍ ମଧ୍ୟ ନିଜର କାର୍ଯ୍ୟକାଳ ପୂରଣ କରିପାରି ନଥିଲେ । ୧୯୫୮ ମସିହାରେ ପାକିସ୍ତାନରେ ସାମରିକ ଶାସନ ଜାରି କରି ଜେନେରାଲ ଆୟୁବ ଖାଁ ତାଙ୍କୁ ବରଖାସ୍ତ କରିଥିଲେ । ଏହା ପରେ ଦୀର୍ଘକାଳ ଧରି ପାକିସ୍ତାନରେ ସାମରିକ ଶାସନ ବଳବତ୍ତର ରହିଥିଲା ।

 

୧୯୭୧ ଡିସେମ୍ବର ମାସରେ ମାତ୍ର ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ ନୁରୁଲ ଅମିନ । ଏହା ପରେ ଜୁଲଫିକର ଅଲୀ ଭୁଟ୍ଟୋ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଅନୁସାରେ ୧୯୭୩ ଯାଏଁ ରାଷ୍ଟ୍ରପତି ପଦରେ ରହିଥିଲେ । କିନ୍ତୁ ପରେ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୭୭ ନିର୍ବାଚନରେ ସେ ବହୁମତ ପାଇ ପ୍ରଧାନମନ୍ତ୍ରୀ ହୋଇଥିଲେ । ମାତ୍ର ସେହିବର୍ଷ ସାମରିକ ବିଦ୍ରୋହ ଜରିଆରେ ତାଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲକରିଥିଲେ ଜେନେରାଲ ମହମ୍ମଦ ଜିଆ ଉଲ ହକ୍ । ଭୁଟ୍ଟୋଙ୍କୁ ୧୯୭୯ ମସିହାରେ ଫାଶି ଦିଆଯାଇଥିଲା । ଜେନେରାଲ ଜିଆ ୧୯୮୮ ମସିହାରେ ତାଙ୍କର ମୃତ୍ୟୁ ଯାଏଁ ୧୧ ବର୍ଷ ଧରି କ୍ଷମତାରେ ରହିଥିଲେ ।

 

୧୯୮୫ ମସିହାରେ ପାକିସ୍ତାନରେ ଅନୁଷ୍ଠିତ ହୋଇଥିବା ନିର୍ଦ୍ଦଳୀୟ ନିର୍ବାଚନରେ ମହମ୍ମଦ ଖାଁ ଜୁନେଜୋ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୮୮ ମେ ୨୯ ତାରିଖରେ ତାଙ୍କ ସରକାରଙ୍କୁ ବରଖାସ୍ତ କରାଯାଇଥିଲା ।

 

ତାଙ୍କ ପରେ ସେହିବର୍ଷ ଡିସେମ୍ବର ୨ ତାରିଖରେ ବେନଜୀର ଭୁଟ୍ଟୋ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ୧୯୯୦ ଅଗଷ୍ଟ ୫ ତାରିଖରେ ତାଙ୍କୁ ବରଖାସ୍ତ କରିଥିଲେ ରାଷ୍ଟ୍ରପତି ଗୁଲାମ ଇଶାକ୍ ଖାଁ । ବେନଜୀରଙ୍କୁ ତଡ଼ିବା ପରେ ଗୁଲାମ ମୁସ୍ତାଫା ଜାଟୋଇଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଗୁଲାମ ଇଶାକ ଖାଁ ।

 

୧୯୯୦ ଅକ୍ଟୋବରରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ନବାଜ ଶରିଫ । କିନ୍ତୁ ୧୯୯୩ ମସିହାରେ ରାଷ୍ଟ୍ରପତି ଗୁଲାମ ଇଶାକ୍ ଖାଁ ତାଙ୍କ ସରକାରକୁ ବରଖାସ୍ତ କରିଥିଲେ । ତେବେ ପରେ ପାକିସ୍ତାନର ସୁପ୍ରିମ କୋର୍ଟ ଶରିଫଙ୍କୁ ପୁଣି ଥରେ ଶରିଫଙ୍କ ସରକାରକୁ ଗାଦିନସିନ କରିଥିଲେ । କିନ୍ତୁ ତକ୍ରାଳୀନ ସେନାଧ୍ୟକ୍ଷ ଜେନେରାଲ ୱାହିଦ କାକର ୧୯୯୩ ଜୁଲାଇ ୧୮ ତାରିଖରେ ଉଭୟ ରାଷ୍ଟ୍ରପତି ଗୁଲାମ ଇଶାକ୍ ଖାଁ ଏବଂ ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ । ଶରିଫଙ୍କ ଇସ୍ତଫା ପରେ ମୋଇନୁଦ୍ଦିନ ଅହମଦ କ୍ୟୁରେଶୀଙ୍କୁ କାମଚଳା ପ୍ରଧାନମନ୍ତ୍ରୀ କରାଯାଇଥିଲା ।

 

ସେହି ୧୯୯୩ ମସିହାରେ ବେନଜୀର ଭୁଟ୍ଟୋ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । କିନ୍ତୁ ୧୯୯୬ ନଭେମ୍ବର ମାସରେ ତାଙ୍କ ସରକାରକୁ ବରଖାସ୍ତ କରିଥିଲେ ତକ୍ରାଳୀନ ରାଷ୍ଟ୍ରପତି ଫାରୁକ ଲେଘାରି ।

 

ବେନଜୀରଙ୍କ ପରେ ୧୯୯୭ ମସିହାରେ ପୁନର୍ବାର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ ନବାଜ ଶରିଫ । ୧୯୯୯ ଅକ୍ଟୋବର ୧୨ ତାରିଖରେ ଜେନେରାଲ ପରଭେଜ ମୁଶାରଫ ସାମରିକ ବିଦ୍ରୋହ ଜରିଆରେ ତାଙ୍କ ସରକାରକୁ ଗାଦିଚ୍ୟୁତ କରି ସାମରିକ ଶାସନ ଜାରି କରିଥିଲେ । ଜେନେରାଲ ମୁଶାରଫଙ୍କ ସାମରିକ ଏକଛତ୍ରବାଦ ସମୟରେ ୪ ଜଣ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେମାନେ ହେଲେ ଜଫରୁଲ୍ଲା ଖାଁ, ଚୌଧୁରୀ ଶୁଜାତ, ଶୌକତ ଅଜିଜ ଏବଂ ମହମ୍ମଦ ମିଆଁ ସୁମ୍ରୁ । ଜଫରୁଲ୍ଲା ଖାଁ ମାତ୍ର ୧୯ ମାସ ପାଇଁ ପଦରେ ଥିଲେ । ଚୌଧୁରୀ ଶୁଜାତ ୨ ମାସରେ ତଡ଼ା ଖାଇଥିଲେ । ଶୌକତ ଅଜିଜ ୨୦୦୪ ଅଗଷ୍ଟ ୨୦ ତାରିଖରୁ ୨୦୦୭ ନଭେମ୍ବର ୧୬ ଯାଏଁ ପଦ ସମ୍ଭାଳିଥିଲେ ।

 

୨୦୦୮ ସାଧାରଣ ନିର୍ବାଚନରେ ପାକିସ୍ତାନ ପିପୁଲସ ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କଲା ଓ ୟୁସଫ ରାଜା ଗିଲାନି ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ ହେଲେ । କିନ୍ତୁ ୨୦୧୨ ମସିହାରେ ସୁପ୍ରିମ କୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ସେ ପଦ ହରାଇଲେ । ତା’ପରେ ୨୦୧୩ ମାର୍ଚ୍ଚ ଯାଏଁ ବାକି କାର୍ଯ୍ୟକାଳ ପୂରଣ କରିଥିଲେ ରାଜା ପରଭେଜ ଆସ୍ରଫ ।

 

୨୦୧୩ ନିର୍ବାଚନରେ ପୁନର୍ବାର ସଂଖ୍ୟାଗରିଷ୍ଠତା ହାସଲ କରି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ନବାଜ ଶରିଫ । ପାନାମାଗେଟ୍ ସ୍କାଣ୍ଡାଲରେ ସୁପ୍ରିମ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଅଯୋଗ୍ୟ ଘୋଷଣା କରିବା ପରେ ୨୦୧୭ ଜୁଲାଇ ୨୮ ତାରିଖରେ ତାଙ୍କୁ ମଧ୍ୟ ଇସ୍ତଫା ଦେବାକୁ ହେଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top