ହେପାଟାଇଟିସ ନିୟନ୍ତ୍ରଣ ପାଇଁ ପ୍ରୟାସ

News Story - Posted on 2017-07-28

ସନ୍ତୋଷ ଜୈନ ପାସୀ/ ଅକାଂକ୍ଷା ଜୈନ

 

ହେପାଟାଇଟିସ ସଂକ୍ରମଣ ଯୋଗୁଁ ଯକୃତ (ଲିଭର) ସଂପର୍କୀତ ରୋଗ ହୋଇଥାଏ। ୨୦୧୫ ମସିହାରେ ଏହି ରୋଗରେ ଆକ୍ରାନ୍ତ ହୋଇ ସାରା ବିଶ୍ୱରେ ୧୩.୪ ଲକ୍ଷ ଲୋକଙ୍କ ଜୀବନହାନୀ ଘଟିଛି। ପୁରୁଣା  ଯକୃତ ରୋଗ କିମ୍ୱା ଯକୃତ କ୍ୟାନସର ହେଉଛି ହେପାଟାଇଟିସ ରୋଗର ପ୍ରମୁଖ କାରଣ। ସିରୋସିସ କାରଣରୁ ୭,୨୦,୦୦୦ ଲୋକ ପ୍ରାଣ ହରାଉଥିବା ବେଳେ ହେପ୍ଟୋ ସେଲ୍ୟୁଲାର କାର୍ସିନେମା କାରଣରୁ ୪,୭୦,୦୦୦ ଲୋକ ପ୍ରାଣ ହରାଉଛନ୍ତି। ଏବେ ମଧ୍ୟ ହେପାଟାଇଟିସ ସଂକ୍ରମଣ କାରଣରୁ ମୃତ୍ୟୁ ସଂଖ୍ୟା ବଢି ଚଲିଛି।

 

ହେପାଟାଇଟିସ ସଂକ୍ରମଣ ଏକ ଜନ ସ୍ୱାସ୍ଥ୍ୟ ସମସ୍ୟା। ୫ଟି ମଧ୍ୟରୁ କୌଣସି ଗୋଟିଏ ହେପାଟୋଟ୍ରୋପିକ‌୍‍ ଭୂତାଣୁରୁ ଏହା ହୋଇଥାଏ। ସେଗୁଡିକ ମଧ୍ୟରେ ହେପାଟାଇଟିସ ଏ. ବି. ସି. ଡି ଏବଂ ଇ ଅନ୍ତର୍ଭୁକ୍ତ। ଏହି ସବୁ ରୋଗର ଉପଚାର, ରୋଗ ବ୍ୟାପିବାର ପ୍ରଣାଳୀ ଓ ରୋଗ ଚିହ୍ନଟ ଆଦି ବ୍ୟବସ୍ଥା ଭିନ୍ନ ଭିନ୍ନ ପ୍ରକାର।  ବିଶ୍ୱର ୨୪ କୋଟି ଲୋକ ଦୀର୍ଘ ସମୟ ଧରି ହେପାଟାଇଟିସ ବି ଏବଂ ୧୩ ରୁ ୧୫ କୋଟି ଲୋକ ହେପାଟାଇଟିସ ସି ଦ୍ୱାରା ସଂକ୍ରମିତ। ବିଶ୍ୱ ହେପାଟାଇଟିସ ରିପୋର୍ଟ ୨୦୧୭ ରୁ ଜଣା ଯାଇଛି ଯେ, ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଜୀବନ ରକ୍ଷକ ଯାଂଚ ଏବଂ ଉପଚାର ଠାରୁ ବହୁତ ଦୂରରେ, ଫଳ ସ୍ୱରୂପ ଏମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଣା ଲିଭର ରୋଗ ଏବଂ କ୍ୟାନସର ରେ ପୀଡିତ ଫଳରେ ଏମାନଙ୍କ ମୃତ୍ୟୁ ହିଁ ଶେଷ କଥା। ଜନ ସ୍ୱାସ୍ଥ୍ୟ ପ୍ରତି ଦେଖା ଦେଇଥିବା ଏହି ବିପଦକୁ ଦୃଷ୍ଟିରେ ରଖି ୨୦୩୦ ମସିହା ସୁଦ୍ଧା ହେପାଟାଇଟିସ ସଂକ୍ରମଣ ଦୂର କରିବା, ଏଥି ନିମନ୍ତେ ଆବଶ୍ୟକ  ପଦକ୍ଷେପ ନେବା ଏବଂ ବିଶ୍ୱକୁ ଏହି ମାରାତ୍ମକ ରୋଗରୁ ମୁକ୍ତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ମାର୍ଗରେଟ ଚାନ‌୍‍ ସବୁ ଦେଶକୁ ଅନୁରୋଧ କରିଛନ୍ତି। ପୋଷଣୀୟ ବିକାଶ ଉଦ୍ଦେଶ୍ୟ ୩ ଲକ୍ଷ୍ୟ ୩ (ସିଡିଜି ୩.୩) ହେପାଟାଇଟିସ ସଂକ୍ରମଣ ଦଳ ଜନିତ ଓ ଅନ୍ୟ ସଂକ୍ରାମକ ରୋଗର ମୁକାବିଲା ପାଇଁ ଦୃଢ ପଦକ୍ଷେପ ନେବାକୁ  ଆହ୍ୱାନ କରିଛି।

 

ଭାରତରେ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ହେପାଟାଇଟିସ ସି ରୁ ଇ ପର୍ଯ୍ୟନ୍ତ ଏକ ଚାଲେଂଜ ରୂପେ ମୁଣ୍ଡ ଟେକିଛି। ଏମାନଙ୍କ ମଧ୍ୟରେ ହେପାଟାଇଟିସ ବି ରୋଗୀଙ୍କ ସଂଖ୍ୟା ଅଧିକ। ଏକ ଆକଳନରୁ ଜଣା ଯାଇଛି ଯେ, ପ୍ରାୟ ୪ କୋଟି ଲୋକ ଏହି ରୋଗରେ ପୀଡିତ। ଯାହାକି ଜନ ସଂଖ୍ୟାର ୩ ରୁ ୪ ପ୍ରତିଶତ। ତେବେ ଭୌଗୋଳିକ ଦୃଷ୍ଟିକୋଣରୁ ମଧ୍ୟ ଏହା ଭିନ୍ନ। ଯେପରି ଅରୁଣାଚଳ ପ୍ରଦେଶ ଏବଂ ଆଣ୍ଡାମାନ ଅଧିବାସୀ ବହୁଳ ସଂଖ୍ୟାରେ ଏହି ରୋଗରେ ଆକ୍ରାନ୍ତ।

 

ପ୍ରତିବର୍ଷ ଜୁଲାଇ ୨୮ କୁ ବିଶ୍ୱ ହେପାଟାଇଟିସ ଦିବସ ରୂପେ ପାଳନ କରାଯାଉଛି। ହେପାଟାଇଟିସ ସଂକ୍ରମଣ ସଂପର୍କରେ ବିଶ୍ୱ ସ୍ତରରେ ଜନ ଜାଗରଣ ସହ ଏହାର ନିୟନ୍ତ୍ରଣ  ରୋଗ ଚିହ୍ନଟ  ଏବଂ ଚିକିତ୍ସା ପ୍ରତି ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟମ କରାଯାଉଛି। ୨୦୩୦ ସୁଦ୍ଧା ଏହି ରୋଗର ସଂପୂର୍ଣ୍ଣ ବିଲୋପ ଲକ୍ଷ୍ୟରେ ପ୍ରୟାସ କରାଯାଉଛି। ଜେନେଭାଠାରେ ଅନୁଷ୍ଠିତ ୬୯ତମ  ବିଶ୍ୱ ସ୍ୱାସ୍ଥ୍ୟ ପରିଷଦରେ ଆଗାମୀ ୧୩ ବର୍ଷ ମଧ୍ୟରେ ଏହି ସଂକ୍ରାମକ ରୋଗ ପାଇଁ ୧୬୪ ଟି ସରକାର ସମ୍ମତ ପ୍ରକାଶ କରିଛନ୍ତି। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଥମ ରଣନୀତି ( ୨୦୧୬-୨୦୨୧) ମଧ୍ୟରେ ହେପାଟାଇଟିସ ବି ଓ ହେପାଟାଇଟିସ ସି ର ବିଲୋପ ପାଇଁ ନିଷ୍ପତି ନିଆଯାଇଛି।  ହେପାଟାଇଟ୍ସ ର ବିଲୋପ ପାଇଁ  ‘ନୋହେପ‌୍‍’ର ଶୁଭାରମ୍ଭ କରାଯାଇଛି। ଚଳିତ ବର୍ଷ  ଅଥାର୍ତ‌୍‍ ୨୦୧୭ ର ବାର୍ତା ହେଉଛି  ‘ହେପାଟାଇଟିସ ର ବିଲୋପ’।

 

ହେପାଟାଇଟିସ ସଂକ୍ରମଣରେ ବିଭିନ୍ନତା ଥିଲେ ମଧ୍ୟ ରୋଗର ଅନ୍ତିମ ପର୍ଯ୍ୟାୟରେ ଅଧିକାଂଶ ଲକ୍ଷଣରେ  ସାମଞ୍ଜସ୍ୟ ରହିଛି। ଯେପରି ଜ୍ୱର, କ୍ଲାନ୍ତ ଅନୁଭବ,  ଅରୁଚି, ବାନ୍ତି, ପେଟରେ ଯନ୍ତ୍ରଣା  ଏବଂ ବିଭିନ୍ନ ଗଣ୍ଠିସ୍ଥାନରେ କଷ୍ଟ ଅନୁଭବ କରିବା ଆଦି ଅନ୍ତଭୁର୍କ୍ତ। ହେପାଟାଇଟିସ ‘ଏ’ ଏବଂ ଇ ରୋଗର ସଂକ୍ରମଣ ସାଧାରଣତଃ ମୁହଁ, ଏବଂ ମଳଦ୍ୱାର ଦେଇ ହୋଇଥାଏ।   ସେହିପରି ହେପାଟାଇଟିସ ବି, ସି ଓ ଡି ର ସଂକ୍ରମଣ ଅସୁରକ୍ଷିତ ରକ୍ତ ଗ୍ରହଣ, ଦୂଷିତ ଛୁଂଚି ଏବଂ ସିରିଂଜର ବ୍ୟବହାର, ଯୌନ ସଂଚରଣ  ଏବଂ ମା’ଠାରୁ ଶିଶୁକୁ ସଂଚାରଣ ଦ୍ୱାରା ହୋଇଥାଏ। ହେପାଟାଇଟିସ ଡି ଓ ଇ ତୁଳନାରେ ହେପାଟାଇଟିସ ଏ ବି ଏବଂ ସି ରୋଗୀ ଅଧିକ ଦେଖାଯାଇଥାନ୍ତି।

 

ହେପାଟାଇଟିସ ଏ ଭୂତାଣୁ

 

ସଂକ୍ରମିତ ବ୍ୟକ୍ତିର ମଳରେ ରୋଗର ଜୀବାଣୁ ଥାଆନ୍ତି। ଦୂଷିତ ପାଣି, ଖାଦ୍ୟ ଏବଂ ଅସୁରକ୍ଷିତ ଯୌନ ସଂପର୍କ (ପ୍ରଜନନ ସମୟର ୧୫ରୁ ୫୦ ଦିନ ମଧ୍ୟରେ) ଏହି ରୋଗ ବ୍ୟାପିଥାଏ। ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ପ୍ରଭାବିତ କରିଥାଏ। କେତେକ କ୍ଷେତ୍ରରେ ଗମ୍ଭୀର ସଂକ୍ରମଣ ଯୋଗୁଁ ଏହା ପ୍ରାଣ ଘାତକ ପାଲଟିଥାଏ। ରୋଗୀ ନିମନ୍ତେ ସମୁଚିତ ଖାଦ୍ୟ ବ୍ୟବସ୍ଥା ଏବଂ ଚିକିତ୍ସାର ଆବଶ୍ୟକତା ରହିଛି। ତେବେ ଏହି ରୋଗ ପାଇଁ ଟୀକା ମଧ୍ୟ ଉପଲବ‌୍‍ଧ ହେଉଛି।

 

ହେପାଟାଇଟିସ ବି ଭୂତାଣୁ

 

ଏହି ସଂକ୍ରମଣ ରକ୍ତ ଏବଂ ଶୁକ୍ରାଣୁ ଜରିଆରେ ବ୍ୟାପିଥାଏ। ସାଧାରଣ ଦୂଷିତ ରକ୍ତ ଗ୍ରହଣ କଲେ, ଦୂଷିତ ଛୁଂଚି ସିରିଂଜ ବ୍ୟବହାର କଲେ, ସଂକ୍ରମିତ ରୋଗୀ ସହ ଯୌନ ସଂପର୍କ ରଖିଲେ ଏବଂ କେତେକ କ୍ଷେତ୍ରରେ ସଂକ୍ରମିତ ମା’ଠାରୁ ପ୍ରଜନନର ୪୫ ରୁ ୧୬୦ ଦିନ ମଧ୍ୟରେ ଏହା ଶିଶୁକୁ ସଂକ୍ରମିତ ହୋଇଥାଏ। ଭାରତରେ ଏହି ସଂକ୍ରମଣ କାରଣରୁ ୩୦ ପ୍ରତିଶତ ଲୋକ ଲିଭର ସିରୋସିସ ଏବଂ ୪୦ରୁ ୫୦ ପ୍ରତିଶତ ଲୋକ ଲିଭର କ୍ୟାନସର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ କ୍ଷେତ୍ରରେ ରୋଗୀକୁ  ନିୟମିତ ପରୀକ୍ଷା କରି ସତର୍କ ଦୃଷ୍ଟିରେ ରଖିବା ଆବଶ୍ୟକ। ଏହାଛଡା ଜୀବାଣୁ ରୋଧି ଚିକିତ୍ସାର ମଧ୍ୟ ଆବଶ୍ୟକତା ରହିଛି। ଏଥି ପାଇଁ ମଧ୍ୟ ପ୍ରଭାବକାରୀ ଓ ସୁରକ୍ଷିତ ଟୀକା ଉପଲବ୍ଧ ହେଉଛି।

 

ହେପାଟାଇଟିସ ସି

 

ଏହି ରୋଗର ସଂକ୍ରମଣ ମଧ୍ୟ ଦୂଷିତ ରକ୍ତ,  ଶୁକ୍ରାଣୁ ଆଦି ଜରିଆରେ ବ୍ୟାପିଥାଏ। ଏହାର ସଂଚରଣ ପ୍ରଣାଳୀ ଏବଂ ଚିକିତ୍ସା ମଧ୍ୟ ଏଚ.ବି.ବି ପରି କରାଯାଇଥାଏ। ପ୍ରଜନନର ୧୪ରୁ ୧୮୦  ଦିନ ମଧ୍ୟରେ ଏହା ସଂକ୍ରମଣିତ ହୋଇଥାଏ। ୨୦୧୪ର ଲିଭର ଆଣ୍ଡ ବାଇଲେରୀ ସାଇନ୍ସ ସଂସ୍ଥାନ ରିପୋର୍ଟରୁ ଜଣାଯାଇଛି ଯେ, ପାଖାପାଖି ୧.୨ କୋଟି ଲୋକ ଦୀର୍ଘ ସମୟ ଧରି ହେପାଟାଇଟିସ ସି ଦ୍ୱାରା ଆକ୍ରାନ୍ତ। ବିଶେଷ କରି ପଞ୍ଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମ ଆଦି ରାଜ୍ୟରେ ଏହି ରୋଗୀଙ୍କ ସଂଖା ଅଧିକ। ତେବେ ଏହି ରୋଗରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଟୀକା ବାହାରି ପାରି ନାହିଁ। ଦୀର୍ଘ ସମୟ ଧରି ହେପାଟାଇଟିସ ବି ଏବଂ ସି ଦ୍ୱାରା ସଂକ୍ରମିତ ରହିଲେ ଏହା ସିରୋସିସ, ଏବଂ ଯକୃତ କ୍ୟାନ୍ସରର ବିପଦ ସୃଷ୍ଟି କରିଥାଏ।

 

ହେପାଟାଇଟିସ ଡି ଭୂତାଣୁ ହେଉଛି ଏକ ଆରଏନଏ ଭୂତାଣୁ ଯାହାକି ହେପାଟାଇଟିସ ବି ର ସହାୟତାରେ ସଂକ୍ରମିତ ହୋଇଥାଏ। ତେଣୁ ଏଚ ବି ବି ରେ ସଂକ୍ରମିତ ରୋଗୀଙ୍କୁ ଏହା ସହଜରେ ଆକ୍ରମଣ କରି ଥାଏ। ସମଗ୍ର ବିଶ୍ୱରେ ପାଖାପାଖି ୧.୨ କୋଟି ଲୋକ ଦୀର୍ଘ ସମୟ ଧରି ଏଚ ବି ବି ଏବଂ  ଏବଂ ଏଚ ଡି ବି. ରୋଗରେ ସଂକ୍ରମିତ। ଏହି ଦୋହରା ସଂକ୍ରମଣ ଅଧିକ ଗମ୍ଭୀର ଓ ଘାତକ ହୋଇଥାଏ। ଏହାର  ସଂକ୍ରମଣ ପାଖାପାଖି ଏଚ. ବି.ବି. ସଂକ୍ରମଣ ସହ ସମାନ। ତେବେ ଏହି  ରୋଗ ଅତିକମ‌୍‍ ମାତ୍ରାରେ ମା’ଠାରୁ ଶିଶୁକୁ ହେଉଥିବା ଦେଖାଯାଇଥାଏ। ହେପାଟାଇଟିସ ବି ର ଟୀକା ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ କାମ କରିଥାଏ। ହେପାଟାଇଟିସ ଇ ଭୂତାଣୁ ଏକ ଛୋଟ ଭୂତାଣୁ। ଏହାର ସଂକ୍ରମଣ ଦୂଷିତ ପାଣି ଓ ଖାଦ୍ୟ ଦ୍ୱାରା ହୋଇଥାଏ। ଏହା ପ୍ରଜନନ ଅବଧିର ୨ ରୁ ୧୦ ସପ୍ତାହ ଭିତରେ ହୋଇଥାଏ। ସମଗ୍ର ବିଶ୍ୱରେ ପାଖାପାଖି ୨ କୋଟି ଲୋକ ଏଥିରେ ରେ ସଂକ୍ରମିତ। ଏହା ଦ୍ୱାରା ବର୍ଷକୁ ୫୬ ହଜାର ୬୦୦ ଲୋକ ପ୍ରାଣ ହରାଉଛନ୍ତି। ଏହା ବିଶ୍ୱର ସବୁ ଅଂଚଳରେ ଦେଖା ଯାଉଥିଲେ ମଧ୍ୟ ଦକ୍ଷିଣ ପୂର୍ବ ଏସିଆରେ ଏହାର ପ୍ରଭାବ ବେଶୀ ମାତ୍ରାରେ ଦେଖାଯାଏ। ହେପାଟାଇଟିସ ଇ ସଂକ୍ରମିତ ଗର୍ଭବତୀ ମହିଳା ଦ୍ୱିତୀୟ, ତୃତୀୟ ମାସରେ ଲିଭର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଫଳରେ ଗର୍ଭପାତ କିମ୍ୱା ମୃତ୍ୟୁର ଗମ୍ଭୀର ବିପଦ ଦେଖାଦେଇଥାଏ। ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ‌୍‍ ସେମାନେ ସାଧାରଣତଃ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଜଳରେ ଗୁଣବତ୍ତା ରକ୍ଷା ମାନବ ମଳର ସମୁଚିତ ନିଷ୍କାସନ, ଖାଦ୍ୟ ସୁରକ୍ଷା ଏବଂ ଅନ୍ୟାନ୍ୟ ଉପାୟ ଅବଲମ୍ୱନ କରି ଏହି ରୋଗର ସଂକ୍ରମଣକୁ ରୋକାଯାଇ ପାରିବ। ଚୀନକୁ ବାଦ ଦେଲେ ଭାରତ କିମ୍ୱା ଅନ୍ୟ କୌଣସି ଦେଶରେ ଏହାର ଟୀକା ମିଳେ ନାହିଁ।

 

ଦୀର୍ଘ ବର୍ଷ ଧରି ହେପାଟାଇଟିସର ୫୦ ପ୍ରତିଶତ ବୋଝ ବହନ କରିବା କ୍ଷେତ୍ରରେ ଭାରତ ହେଉଛି ବିଶ୍ୱରେ ଏକାଦଶ ରାଷ୍ଟ୍ର। ହେପାଟାଇଟିସର ଆଶଙ୍କାକୁ ଦୃଷ୍ଟିରେ ରଖି ୨୦୦୪ ମସିହାରେ ଦେଶର ପାଖାପାଖି ୧୨ ଲକ୍ଷ ଭାରତୀୟ ଶିଶୁଙ୍କୁ ହେପାଟାଇଟିସ ବି ଟୀକାର ୩ ଟି ଖୋରାକ‌୍‍ ଦିଆଯାଇଛି। ଏହା ପରେ ୨୦୦୭ -୦୮ ବର୍ଷରେ ହେପାଟାଇଟିସ ବି  ଟୀକାକରଣ ସାର୍ବଜନୀନ କରାଯାଇଛି। ଦ୍ୱାଦଶ ପଂଚ ବାର୍ଷିକ ଯୋଜନାରେ ରାଷ୍ଟ୍ରୀୟ ହେପାଟାଇଟିସ ସଂକ୍ରମଣ ନିୟନ୍ତ୍ରଣ ଓ ସୁରକ୍ଷା କାଯ୍ର୍ୟକ୍ରମ ଶୁଭାରମ୍ଭ ଦେଶରେ କରାଯାଇଛି। ଏହା ଛଡା ସରକାର ରୋଗ ନିୟନ୍ତ୍ରଣ ରାଷ୍ଟ୍ରୀୟ କେନ୍ଦ୍ର ଅଧୀନରେ ୩୦ କୋଟିର ବଜେଟ ଅଟକଳ ସହ ରାଷ୍ଟ୍ରୀୟ ହେପାଟାଇଟିସ ସଂକ୍ରମଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

 

ଭାରତରେ ଟୀକାକରଣକୁ ଅଧିକ ଯୁକ୍ତି ସଂଗତ କରାଯିବାର ଆବଶ୍ୟକତା ରହିଛି। ସେହିପରି ଏଚସିଭି ଓ ଏଚଇଭି ଟୀକାର ଉପଲବ୍ଧତା ଓ ବିକାଶକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ବିଶୁଦ୍ଧ ପାନୀୟ ଜଳ ଓ ସମୁଚିତ ସ୍ୱଚ୍ଛତାର ସଂଗଠିତ ପ୍ରୟାସ ସତ୍ତ୍ବେ ଏହାକୁ ଅଧିକ ପ୍ରମୁଖତା ଦେବାର ଆବଶ୍ୟକତା ରହିଛି। ରକ୍ତ ଗ୍ରହଣ, ଛୁଂଚି ଲଗାଇବା ବେଳେ ସୁରକ୍ଷା ଉପାୟକୁ ସୁନିଶ୍ଚିତ କରିବା ହେଉଛି  ହେପାଟାଇଟିସରୁ ବର୍ତ୍ତବାର ପ୍ରମୁଖ ଉପାୟ। ହେପାଟାଇଟିସ ସଂକ୍ରମଣ ପ୍ରସଙ୍ଗର ସମାଧାନ ପାଇଁ ସମର୍ପିତ ଉଦ୍ୟମ, ପ୍ରଶିକ୍ଷିତ ଜନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଯଥେଷ୍ଟ ଆବଶ୍ୟକତା ରହିଛି।

 

ଭାରତକୁ ହେପାଟାଇଟିସ ମୁକ୍ତ ରାଷ୍ଟ୍ର କରିବା ପାଇଁ ଏହି ରୋଗରୁ ବର୍ତିବାର ସମସ୍ତ ଉପାୟକୁ ସୁନିଶ୍ଚିତ କରିବା ସହ ସମସ୍ତଙ୍କ  ସମନ୍ୱୟ ସହଯୋଗ ଓ ବ୍ୟାପକ କାଯ୍ର୍ୟ ଯୋଜନାର ଆବଶ୍ୟକତା  ରହିଛି। (ପିଆଇବି)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top