ଅମର ଯବାନ ଶହୀଦ ଶ୍ରୀନିବାସ ପାତ୍ର

News Story - Posted on 2017-07-28

ହେମାଙ୍ଗ ପ୍ରସାଦ ରାଉଳ

 

୧୬ ବର୍ଷ ପୂର୍ବର କଥା ମନେପଡେ଼। ଦେଶସେବା ଓ ସାଧନାର ଏକ ଶୁଦ୍ଧ ସଂକଳ୍ପ ନେଇ ପ୍ରତିଜ୍ଞାର ଦୀପ୍ତ ଜ୍ୱଳନ ନେଇ ଯେଉଁ ପ୍ରଜ୍ଞାର ପ୍ରଦୀପଟିଏ ଜଗଦଳପୁର‌୍‍ ଗ୍ରାମରେ ଜଳି ଉଠିଥିଲା ସେ ଆଉ କେହି ନୁହଁନ୍ତି, ଭାରତମାତାର ଯୋଗ୍ୟତମ ବୀର ପୁରୁଷ ଶହୀଦ‌୍‍ ଏସ‌୍‍. ଶ୍ରୀନିବାସ ପାତ୍ର। ଏହି ପବିତ୍ରଭୂମିରେ ଜନ୍ମନେବା ଦିନଠାରୁ ହିଁ ପବିତ୍ର ମାଟିକୁ ସ୍ପର୍ଶକରି ଦେଶ ମାତୃକାର ସେବା ପାଇଁ ମନ ବଳାଇଥିଲେ। ପିଲାଟିବେଳୁ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଯେଉଁ ଅଦମ୍ୟ ସାହସ ଏବଂ ଉଦ୍ୟମ ଦେଖାଇଥିଲେ ତାହା ତାଙ୍କୁ ମଣିଷ ପରି ମଣିଷଟିଏ ହେବା ପାଇଁ ଅପୂର୍ବ ମନ୍ତ୍ରରେ ଦୀକ୍ଷିତ କରାଇଥିଲା।

 

ମାନବିକତାର ବେଦୀ ତଳେ ଯିଏ ଦେଶ ଓ ଦଶର ସେବା ପାଇଁ ନିଜକୁ ସଂପୂର୍ଣ୍ଣ ଭାବେ ସମର୍ପିିତ କରିଥିଲେ ସେହି ସୌମ୍ୟ ପୁରୁଷ ଶ୍ରୀନିବାସ। ଆଜି ସେ ଘରେଘରେ ଜଣେ ମହାନ‌୍‍ ଏବଂ ବୀର ପୁରୁଷ ଭାବେ ପୂଜା ପାଇ ଆସୁଛନ୍ତି। ଏହା କ’ଣ ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ ନୁହେଁ?

 

ଦେଶସେବା ପାଇଁ ସେ ସୈନ୍ୟ ବାହିନୀରେ ଯୋଗ ଦେବା ନିମନ୍ତେ ବାରମ୍ୱାର ସାକ୍ଷାତକାର ଦେଇ ଶେଷରେ ନିଯୁକ୍ତି ପାଇ ଦେଶସେବା କାର୍ଯ୍ୟରେ ଯୋଗ ଦେଇଥିଲେ। ଏହିଭଳି କିଛିବର୍ଷ ବିତିଯିବା ପରେ ଶ୍ରୀନିବାସଙ୍କ ବିବାହ ସଂପନ୍ନ ହୋଇଥିଲା। ବିବାହ ପାଇଁ ନେଇଥିବା ଛୁଟି ବିବାହର ସାତ ଦିନରେ ଶେଷ ହୋଇଯିବା ପରେ ଆଉ କିଛିଦିନ ଛୁଟିକୁ ବଢ଼ାଇବା ପାଇଁ ଟେଲିଗ୍ରାମ‌୍‍ ମାଧ୍ୟମରେ ଉଚ୍ଚ ପଦାଧିକାରୀଙ୍କୁ ଜଣାଇଥିଲେ। କିନ୍ତୁ ଛୁଟି ସରିଲାଣି ତୁରନ୍ତ କାର୍ଯ୍ୟରେ ଯୋଗଦିଅ ବୋଲି ଖବର ଆସିଲା ଶ୍ରୀନିବାସଙ୍କ ନିକଟକୁ। ବଡ଼ ଦୁଃଖରେ ସ୍ତ୍ରୀ ଶ୍ରୀମତି ବାସନ୍ତୀଙ୍କୁ ଏବଂ ପିତା- ମାତାଙ୍କୁ କହିଲେ, ମୋତେ ଆଉ ଛୁଟି ମିଳୁନାହିଁ ତେଣୁ ନିଶ୍ଚୟ ଯିବାକୁ ହେବ। ମୁଁ ଯିବାପରେ ଫ୍ୟାମିଲି କ୍ୱାର୍ଟର‌୍‍ ପାଇଁ ଆବେଦନ କରିବି, କ୍ୱାର୍ଟର‌୍‍ ମିଳିବା ପରେ ମଁୁ ଆସି ତୁମକୁ ସାଥୀରେ ନେଇଯିବି ବୋଲି କହି ସ୍ତ୍ରୀକୁ ବୁଝାଇଥିଲେ।

 

ଏହା ଶୁଣିବାକ୍ଷଣି ବାସନ୍ତୀଙ୍କ ଆଖିରୁ ଝରୁଥିବା ଲୁହକୁ ଦେଖି ସ୍ତ୍ରୀର ଆଖିର ଲୁହ ପୋଛି କହିଥିଲେ, ମୁଁ କିଛିଦିନ ପରେ ପୁଣି ଫେରିବି ଆଉ ତୁମକୁ ସାଥୀରେ ନେଇଯିବି। ଏତିକି କହି ପିତା-ମାତା, ବଡ଼ଭାଇ, ଭଉଣୀଙ୍କ ଆଶୀର୍ବାଦ ନେଇ ଚାଲିଯାଇଥିଲେ ଦେଶସେବା ପାଇଁ।

 

ତେବେ ବିଧିର ବିଧାନ କିନ୍ତୁ କିଛି ଅଲଗା ଥିଲା। କଥାରେ ଅଛି, ବିଧିର ବିଧାନ କେ କରିବ ଆନ। ଠିକ‌୍‍ ସେହିଭଳି ଫେରିବାର ସ୍ୱପ୍ନ ଆଉ ସତ ହେଲାନାହିଁ। କାର୍ଯ୍ୟରେ ଯୋଗ ଦେବାବେଳେ କାର‌୍‍ଗିଲ‌୍‍ରେ ପାକ‌୍‍ ଅନୁପ୍ରବେଶକାରୀଙ୍କ ସହ ଭାରତୀୟ ସୈନିକଙ୍କ ଯୁଦ୍ଧ ଚାଲିଥାଏ। ଏତିକିବେଳେ ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଯୁଦ୍ଧରେ ସାମିଲ‌୍‍ ହେବାକୁ ପଡ଼ିଥିଲା ଶ୍ରୀନିବାସଙ୍କୁ। ସେହି ପାକ‌୍‍ ଅନୁପ୍ରବେଶକାରୀଙ୍କ ସହ ସଂଘର୍ଷକରି ପ୍ରାଣବଳି ଦେଇଥିବା ଓଡ଼ିଆବୀର ଥିଲେ ଏସ‌୍‍. ଶ୍ରୀନିବାସ ପାତ୍ର। ସେ ଚିରଦିନ ପାଇଁ ନିଦ୍ରାରେ ଶୋଇ ପଡ଼ିଥିଲେ।

 

ତାଙ୍କ ମର ଶରୀର ନିଜଗ୍ରାମ ତଥା ଜନ୍ମସ୍ଥାନ ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ‌୍‍ ଜଗଦଳପୁର‌୍‍ ଗ୍ରାମରେ ପଞ୍ଚତତ୍ତ୍ୱରେ ବିଲୀନ ହୋଇଯାଇଛି। ବୀରଗତି ପ୍ରାପ୍ତ ଶ୍ରୀନିବାସଙ୍କୁ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହକାରେ ହଜାର ହଜାର ନରନାରୀଙ୍କ ଉପସ୍ଥିତିରେ ଆବେଗାପ୍ଲୁତ ପରିବଶେରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା। କୋମଳମତି ସ୍କୁଲ‌୍‍ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି କଲେଜ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ବ୍ୟବସାୟୀ, ଓକିଲ, ସାମ୍ୱାଦିକ, ବରିଷ୍ଠ ନାଗରିକଙ୍କ ସମେତ ହଜାର ହଜାର ସଂଖ୍ୟାରେ ଲୋକେ ରାସ୍ତାକଡ଼ରେ ଛିଡ଼ାହୋଇ ଅମର ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଗୋଳାବନ୍ଧ ସ୍ଥିତ ଏଡ଼ିଜିଏମ‌୍‍ ହସ୍ପିଟାଲ‌୍‍ ଠାରେ ମରଶରୀରକୁ ରଖାଯାଇଥିଲା। ଇଂଜିନିୟରିଂ ସ୍କୁଲ‌୍‍ ନିକଟରେ ପହଞ୍ଚିବା ପରେ ଶହଶହ ଜନସାଧାରଣ ଦେଶଭକ୍ତି ସଂଗୀତ ଏବଂ ଶହୀଦ‌୍‍ ଶ୍ରୀନିବାସ ଅମର ରହେ କହି ସାମରିକ ଟ୍ରକ‌୍‍ରେ ଶବାଧାରକୁ ନିଆଯାଇଥିଲା। ଶହଶହ ଲୋକଙ୍କ ଦେଶଭକ୍ତି ସ୍ଲୋଗାନ‌୍‍ରେ ଏବଂ ମହିଳାମାନଙ୍କ ହୁଳହୁଳିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା।

 

ଏହି ଶବାଧାରରେ ସେତେବେଳର ଜିଲ୍ଲାପାଳ ସନ୍ତୋଷ କୁମାର ଶତପଥିଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତି, ପୋଲିସ‌୍‍ଏସ‌୍‍ପି, ଗୋଳାବନ୍ଧରୁ ଆସିଥିବା ୧୮ ଜଣ ବରିଷ୍ଠ ଅଧିକାରୀ, ୨୩୨ ଜଣ ଜବାନ‌୍‍ ସୁସଜ୍ଜିତ ପଟୁଆରରେ ଆସି ଶେଷକୃତ୍ୟରେ ଉପସ୍ଥିତ ରହି ଜବାନ‌୍‍ଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଦୀର୍ଘ ୧୨ କିଲୋମିଟର‌୍‍ ଦୂରରୁ ବ୍ରହ୍ମପୁର ‌୍‍ଇଞ୍ଜିନିୟରିଂ ସ୍କୁଲ‌୍‍ ଛକ ନିକଟରୁ ଶୋଭାଯାତ୍ରା ବାହାରି ସହରର ମୁଖ୍ୟରାସ୍ତା ଦେଇ ପରିକ୍ରମା କରି ଶେଷରେ ଜଗଦଳପୁର‌୍‍ ଗ୍ରାମ ବଡ଼ପଡ଼ିଆଠାରେ ପହଞ୍ଚିଥିଲା। ସେଠାରେ ସାମରିକ ବାହିନୀର ତୋପ ସଲାମୀ ପରେ ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ଶହୀଦ‌୍‍ ଶ୍ରୀନିବାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଶ୍ରୀନିବାସଙ୍କ ବଡ଼ଭାଇ ମଙ୍ଗୁଳୁ ପାତ୍ର ମୁଖାଗ୍ନି ଦେବା ପୂର୍ବରୁ କଫିନ‌୍‍ରୁ ମୃତଶରୀର ବାହାର କରି ରଖିବା ସମୟରେ ସୃଷ୍ଟି ହୋଇଥିଲା ଅତ୍ୟନ୍ତ ଶୋକାକୂଳ ପରିବେଶ। ବ୍ରହ୍ମପୁର‌୍‍ ସହର ତଥା ଗଂଜାମ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତଥା ରାଜନୈତିକ, ପ୍ରଶାସନିକ ବ୍ୟକ୍ତି ଉପସ୍ଥିତ ରହି ଏହି ଶହୀଦ‌୍‍ଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

 

ଏହି ମହାନ‌୍‍ ଦେଶଭକ୍ତ ଶହୀଦ‌୍‍ ହେବା ପରେ ତାଙ୍କ ମା’ ପୁଅକୁ ଝୁରିଝୁରି ପାଗଳ ପାଲଟିଥିଲେ। ପ୍ରଶାସନର ଅଣଦେଖାରେ ସେ ଘଷି ଗୋଟାଇ ଗୋଟାଇ ଶେଷରେ ଇହଧାମ ତ୍ୟାଗ କରିଥିଲେ। ଏପରିକି ତାଙ୍କ ପିତାଙ୍କୁ ମଧ୍ୟ କୌଣସି ସରକାରୀ ଅନୁକମ୍ପା ମିଳିନଥିବା ଜଣାପଡ଼ିଛି। ସରକାରୀ ଅନୁଦାନ ପାଇ ତାଙ୍କ ସ୍ତ୍ରୀ ଅନ୍ୟତ୍ର ବିବାହ କରି ଖୁସିରେ ଜୀବନ ବିତାଇଲେ। ଶ୍ରୀନିବାସଙ୍କ ସ୍ମ୍ମୃତିସ୍ତମ୍ଭକୁ ମଧ୍ୟ ଦେଖିବାକୁ ଆସିନଥିଲେ।

 

ଶହୀଦ‌୍‍ ଶ୍ରୀନିବାସଙ୍କ ଜୀବନ ସାଧନାର ଜୀବନ ଥିଲା। ତାଙ୍କରି ସେବା ମନୋବୃତ୍ତି ଏବଂ ସ୍ପଷ୍ଟବାଦିତା ତାଙ୍କୁ ଏତେବର୍ଷ ପରେ ମଧ୍ୟ ଦେଶବାସୀଙ୍କ ମନରେ ଏକ ଉଜ୍ୱଳତମ ନକ୍ଷତ୍ର ଭଳି ଚିର ସ୍ମରଣୀୟ କରି ରଖିଛି। ସେହି ବୀର ପୁରୁଷଙ୍କୁ କୋଟି କୋଟି ସଲାମ‌୍‍।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top