ଏକ ଢାଞ୍ଚାଗତ ଅର୍ଥନୈତିକ ସଂସ୍କାର

News Story - Posted on 2017-07-28

ବିବେକାନନ୍ଦ ନାୟକ, ଚାଟାର୍ଡ ଆକାଉଣ୍ଟାଣ୍ଟ‌୍‍

 

ଯଦିଓ ଏହା ଅଗଷ୍ଟ ୧୫ ପରି ସ୍ମରଣୀୟ ନୁହେଁ, କିନ୍ତୁ ଜୁଲାଇ ୧ ମଧ୍ୟରାତ୍ରୀ ଭାରତୀୟ ଅର୍ଥନୀତି ଇତିହାସରେ ଏକ ବିଶେଷ ମୁହୂର୍ତ୍ତ ଭାବେ ସ୍ଥାନିତ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୃଢତା ଏବଂ ୨୯ ରାଜ୍ୟର ଆଂଚଳିକ ସ୍ୱାର୍ଥଜଡ଼ିତ ଅଭିମତକୁ ଆଖି ଆଗରେ ରଖି ମୂଳ ଜିଏସ‌୍‍ଟି ନୀତିରେ କିଛି ପରିବର୍ତ୍ତନ ଦ୍ୱାରା ଏହି ଐତିହାସିକ ଆଇନ ପ୍ରଣୟନ ସମ୍ଭବ ହୋଇପାରିଛି। ବିଳମ୍ୱରେ ହେଲେ ମଧ୍ୟ, ସୀମାନ୍ତ ରାଜ୍ୟ ଜାମ୍ମୁକାଶ୍ମୀର ଜିଏସ‌୍‍ଟିକୁ ଗ୍ରହଣ କରିଛି। ଏହା ସ୍ୱାଗତଯୋଗ୍ୟ ଅଟେ। ଏହା ସଂସ୍କାର ଭିତ୍ତିକ ଅର୍ଥନୈତିକ ଆଇନର ନୀତିଗତ ଲକ୍ଷ୍ୟ ପାଇଁ ପରିପୂରକ। ଏହି ନିୟମ ପ୍ରଣୟନ ଦ୍ୱାରା ପ୍ରାୟ ୧୭ଗୋଟି ପରୋକ୍ଷକର ଏବଂ ୨୩ଗୋଟି ଉପକର (ସେସ‌୍‍) ନିଶ୍ଚିହ୍ନ ହୋଇଗଲା। ସାରା ଭାରତରେ ଏକ ଆଇନ ସମ୍ୱଳିତ ପରୋକ୍ଷ କର ଲାଗୁ ହେଲା।

 

ଏହି ଜିଏସ‌୍‍ଟି ଆଇନ ସଂସଦୀୟ ପ୍ରକ୍ରିୟାରେ ଗତ ଅଢେଇ ବର୍ଷ ବିତର୍କୀତ/ଆଲୋଚିତ ହୋଇଛି। ମୋଦି ସରକାର ଆସିବାର ପ୍ରଥମ ବର୍ଷ ୨୦୧୪ ଡିସେମ୍ୱରରେ ଜିଏସ‌୍‍ଟି ବିଲ‌୍‍ ସଂସଦରେ ପୁନଃ ଉପସ୍ଥାପିତ ହୋଇଥିଲେ ମଧ୍ୟ ୨୦୧୭ ଜୁଲାଇ ୧ ମଧ୍ୟରାତ୍ରରୁ ଲାଗୁ ହୋଇପାରିଲା। ଏପରିକି ଜୁନ‌୍‍ ୩୦ରେ ମଧ୍ୟ ବିଭିନ୍ନ ରାଜ୍ୟର ଦାବୀ ନେଇ ଶେଷ ସଂଶୋଧନ ହୋଇଥିଲା। ସଂପୂର୍ଣ୍ଣ ପ୍ରକ୍ରିୟା ତତ‌୍‍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଗଠିତ ଅର୍ଥନୈତିକ ମଣ୍ଡଳୀ ଦ୍ୱାରା ମୂଳ ଅବଧାରଣା ହେବାଠାରୁ ପ୍ରାୟ ୧୮ ବର୍ଷ ଲାଗିଗଲା। ଏହି ଦୁଇ ଦଶନ୍ଧି ମଧ୍ୟରେ ବହୁ ରାଜନେତା ଏବଂ ଅର୍ଥନୈତିକ ପଣ୍ଡିତମାନେ ଏହି ପରୋକ୍ଷ କର ପ୍ରଣାଳୀର ମୂଳଦୁଆ ବିଛାଇବାରେ ସହଯୋଗ କରିଛନ୍ତି। ବାଜପେୟୀଙ୍କ ଦ୍ୱାରା ଜିଏସ‌୍‍ଟିର ନକ୍ସା ପ୍ରସ୍ତୁତ କରିବା ପାଇଁ ଏକ କମିଟି ଗଠନ ହୋଇଥିଲା। ଉଦାର ଓ ବିଜ୍ଞ ବାଜପେୟୀ ଏହି କମିଟିର ମୁଖ୍ୟ ଭାବେ ପଶ୍ଚିମବଂଗର ବାମପନ୍ଥୀ ସରକାରର ଅର୍ଥମନ୍ତ୍ରୀ ଅସୀମ ଦାବୀଗୁପ୍ତା (ଯିଏକି ଜଣେ ଅର୍ଥନୀତିଜ୍ଞ)ଙ୍କୁ ମନୋନୀତ କରିଥିଲେ।

 

ପ୍ରଣିତ ଜିଏସ‌୍‍ଟି ଆଇନକୁ ଅତ୍ୟୁତ୍ତମ କୁହାଯାଇ ନ ପାରେ। ବିଭିନ୍ନ ରାଜୟର ସ୍ୱାର୍ଥ ଏବଂ ସବୁ ଶ୍ରେଣୀର ଲୋକମାନଙ୍କର ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ନୀତିଗତ ପ୍ରକ୍ରିୟା ଏବଂ କର ହାରରେ ସାଲିସ‌୍‍ କରାଯାଇଛି। ଆମ ଦେଶରେ ଗରୀବି ସୀମାରେଖା ତଳେ ସଂଖ୍ୟାଧିକ ଲୋକ ଥିବାବେଳେ, କୋଟିପତି ମାନଙ୍କର ସଂଖ୍ୟା ମଧ୍ୟ କମ‌୍‍ ନୁହେଁ। ତେଣୁ ଭାରତ ପରି ବୃହତ୍ତ ଗଣତନ୍ତ୍ରରେ ଆଦର୍ଶଗତ ‘ଏକ ହାର’ ବିଶିଷ୍ଟ ଜିଏସ‌୍‍ଟି ଆଇନ ଉପରେ ରାଜନୈତିକ ଦଳମାନଙ୍କର ସହମତି ସମ୍ଭବ ହେଲାନାହିଁ। ଫଳତଃ ଜିଏସ‌୍‍ଟିରେ ମୁଖ୍ୟତଃ ୫ଟି କର ହାର ରହିଲା। ଏହାଛଡା ଆଶା କରାଯାଉଥିବା ପ୍ରାଥମିକ ପ୍ରଣୟନ ଜନିତ ଅସୁବିଧା ଅସାମଞ୍ଜସ୍ୟତା ଦେଖାଯାଇଛି। ଏହାସତ୍ତ୍ୱେ ଜିଏସ‌୍‍ଟି ଆଇନ ଏକ ଐତିହାସିକ ସଂସ୍କାର ଭିତ୍ତିକ ପରିବର୍ତ୍ତନ।

 

ୟୁପିଏର ପୂର୍ବ ଦଶନ୍ଧି ଶାସନ ସମୟରେ, ସଂସଦରେ ଆବଶ୍ୟକ ସଂଖ୍ୟା ନ ଥାଇ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଅର୍ଥମନ୍ତ୍ରୀ ପି.ଚିଦାମ୍ୱରମ ଓ ପ୍ରଣବ ମୂଖାର୍ଜୀଙ୍କର ସାହସିକ ପଦକ୍ଷେପ ମଧ୍ୟ ସ୍ମରଣୀୟ। ୟୁପିଏ ସରକାର ୨୦୦୬ରେ ବଜେଟ‌୍‍ରେ ଜିଏସ‌୍‍ଟି ଘୋଷଣା କରିଥିଲେ। ବିଳମ୍ୱରେ ହେଲେ ମଧ୍ୟ ୨୦୧୧ରେ (ଦ୍ୱିତୀୟ ଇନିଂସରେ) ୟୁପିଏ ସରକାର ସଂସଦରେ ଜିଏସ‌୍‍ଟି ବିଲ‌୍‍ ଉପସ୍ଥାପନା କରିଥିଲା। ୨୦୧୪ ସାଧାରଣ ନିର୍ବାଚନରେ ମୋଦୀଙ୍କ ସପକ୍ଷରେ ବିପୁଳ ଜନସମର୍ଥନ ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟରେ ବିଜେପିର ବିଜୟ, ଲୋକସଭା ଓ ରାଜ୍ୟସଭାରେ ଜିଏସ‌୍‍ଟି ବିଲ‌୍‍ ସପକ୍ଷରେ ସଂଖ୍ୟା ମଜ‌୍‍ବୁତ‌୍‍ କରିବାରେ ସାହାଯ୍ୟ କରିଥିଲା। ପ୍ରଧାନମନ୍ତ୍ରୀଙ୍କର ଦୃଢତା ଏବଂ ଅର୍ଥମନ୍ତ୍ରୀଙ୍କର ରାଜନୈତିକ ମୂଲ‌୍ଚାଲ‌୍‍ ଦକ୍ଷତା ଜିଏସ‌୍‍ଟି ବିଲ‌୍‍କୁ ସଂସଦରେ ପାରିତ ହେବା ପାଇଁ ସାହାଯ୍ୟ କରିଥିଲା। ତେଣୁ ବିଶେଷ ଶ୍ରେୟ ନିଶ୍ଚିତ ଭାବରେ ମୋଦୀ ଏବଂ ଅରୁଣ ଜେଟ‌୍‍ଲୀଙ୍କୁ ଯିବ।

 

ଜିଏସ‌୍‍ଟି ଦ୍ୱାରା ପରୋକ୍ଷ କର ପ୍ରଣାଳୀରେ ସରଳୀକରଣ ହେଲା। ପ୍ରାୟ ୪୦ଟି କର ଓ ଉପକର ନିଶ୍ଚିହ୍ନ ହେବା ଦ୍ୱାରା ବିକ୍ରେତା ତା’ର ସାମଗ୍ରୀ ଏବଂ ସେବାକୁ ସହଜରେ ମୂଲ୍ୟାୟନ କରିବା ସହିତ ଦୈନିକ ରେକର୍ଡ ସୁବିଧାରେ ରଖିପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ପରୋକ୍ଷ କର ପ୍ରଣାଳୀ ଭାରତ ପରି ଏକ ବୃହତ ରାଷ୍ଟ୍ରକୁ ଏକ ବଜାର ଭିତ୍ତିକ ଅର୍ଥନୀତିରେ ପରିଣତ କଲା। ଏହାଦ୍ୱାରା କୌଣସି ଦ୍ରବ୍ୟ ଉପରେ ବାରମ୍ୱାର କର ପ୍ରକ୍ରିୟା ଲୁପ୍ତ ପାଇଲା। ବହୁ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦାମ‌୍‍ କମିବାର ସମ୍ଭାବନା ଅଛି। ସାଧାରଣରେ ଦୃଶ୍ୟମାନ ଉପଲବ୍ଧି ହେଲା, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ବ୍ୟାପକ ସୁବିଧା। ବିଭିନ୍ନ ରାଜ୍ୟର ପ୍ରବେଶ ପଥରେ ଅଂସଖ୍ୟ ଦ୍ରବ୍ୟବାହୀ ଯାନଗୁଡ଼ିକ ଦିନ ଦିନ ଧରି ପଡି ରହିବାର ଦୃଶ୍ୟ ଆଉ ଦେଖିବାକୁ ମିଳିବ ନାହିଁ। ଏହାଦ୍ୱାରା ଉଭୟ ସମୟ ଓ ଖର୍ଚ୍ଚର ବଚତ‌୍‍ ହେବ।

 

ଜିଏସ‌୍‍ଟି ପୂର୍ବରୁ ଆମଦାନୀକାରୀ ବ୍ୟବସାୟୀମାନେ ବିଦେଶରୁ (ଯଥା-ବ୍ୟାଙ୍ଗକ‌୍‍, ସିଙ୍ଗାପୁର, ଗୁଆଙ୍ଗ‌୍‍ଡଙ୍ଗ‌୍‍) ଦ୍ରବ୍ୟ ଆମଦାନୀ କରୁଥିଲେ। ଆମଦାନୀ କରୁଥିବା ଜିନିଷର ମୂଲ୍ୟଠାରୁ କମ‌୍‍ ଘୋଷଣା କରୁଥିଲେ। ତା’ପରେ ସେହି ଦ୍ରବ୍ୟକୁ ବିନା ବିଲ‌୍‍ରେ ବିଭିନ୍ନ ଜାଗାରେ ବିକ୍ରିକରି କର ଫାଙ୍କୁଥିଲେ। ମୁନାଫାଖୋରମାନେ ବିଭିନ‌୍‍ ସୋପାନରେ କର ଫାଙ୍କି କଳା ଧନ ଠୁଳ କରିବାରେ ସଫଳ ହେଉଥିଲେ। ଭାରତରେ ଥିବା ଉତ୍ପାଦନକାରୀମାନେ ବିଶେଷ କ୍ଷତିଗ୍ରସ୍ତ ହେଉଥିଲେ। କାରଣ, ତାଙ୍କର ଫ୍ୟାକ୍ଟ୍ରିଠାରେ ଉତ୍ପାଦନ ରେକର୍ଡ ହେଉଥିଲା ଏବଂ ତା’ଉପରେ ଉପିାଦନ ଶୁଳ୍କ ଦେଉଥିଲେ। ଜିଏସ‌୍‍ଟି ଆସିବା ଦ୍ୱାରା ବ୍ୟବସାୟୀମାନେ ଶତ ପ୍ରତିଶତ ସାଧୁତାର ସହିତ ରେକର୍ଡ ପତ୍ର ରଖିବେ, ତାହା କହିହେବ ନାହିଁ। କିନ୍ତୁ ଜିଏସ‌୍‍ଟି ଦ୍ୱାରା କର ଫାଙ୍କିବା ଅଧିକ କଷ୍ଟକର ଏବଂ ଦଣ୍ଡନୀୟ ହେବ। ବିଭିନ୍ନ ସୋପାନରେ ଆଗରୁ ଦେଇଥିବା କର ଉପରେ ରିହାତି ପ୍ରଣାଳୀ ମଧ୍ୟ ଏକ ଆନ୍ତରୀଣ ନିୟନ୍ତ୍ରକ ଭାବେ କାର୍ଯ୍ୟ କରିବ।

 

ବହୁ ପୂର୍ବରୁ ୧୮୮୭ ମସିହାରେ ଆମେରିକାରେ ଆନ୍ତଃରାଜ୍ୟ ବାଣିଜ୍ୟ ଆଇନ ଆସିଥିଲା। ଏହା ଆମେରିକା ଅର୍ଥନୀତିରେ ସବୁଠାରୁ ବଡ଼ ସଂସ୍କାରଧର୍ମୀ ଆଇନ ବୋଲି ବିବେଚନା କରାଯାଏ। ମୂଳତଃ ତତ‌୍‍କାଳୀନ ରେଲେୱ କଂପାନୀମାନଙ୍କର ଆଂଚଳିକ ଏକାଧିକାରକୁ ପ୍ରତିହିତ କରିବା ପାଇଁ ଏହି ଆଇନ ଆସିଥିଲା। ଏହି ଆଇନ ଆମେରିକାର ବିଭାଜିତ ଅର୍ଥନୀତିକୁ ସଂଗଠିତ କରିଥିଲା। ଆଜି ଆମେରିକା ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତି ଭାବରେ ସମ୍ମାନ୍ନିତ ହୋଇଛି। ଜିଏସ‌୍‍ଟିକୁ ଏହିପରି ଏକ ଐତିହାସିକ ସଂସ୍କାର ଭିତ୍ତିକ ପରୋକ୍ଷ କର ପ୍ରଣାଳୀ ଭାବେ ବିବେଚନା କରାଯାଏ। ଜିଏସ‌୍‍ଟି ନିଶ୍ଚିତ ଭାବରେ ଅର୍ଥନୈତିକ ବିକାଶରେ ସାହାଯ୍ୟ କରିବ। ଆମ ଦେଶରେ ସମାନ୍ତରାଳ କଳା ଅର୍ଥନୀତି ସମୂହ ଘରୋଇ ଉତ୍ପାଦର ଏକ ପଞ୍ଚମାଂସ। ଜିଏସ‌୍‍ଟି ଦ୍ୱାରା ଏହି ବିଶାଳ କଳା ଅର୍ଥନୀତି ପ୍ରଭାବିତ ହେବ ଏବଂ ଏହାର ଏକ ବିଶେଷ ଭାଗ ଏହି ପରୋକ୍ଷ କର ଜାଲରେ ଆସିବା ପାଇଁ ବାଧ୍ୟ ହେବ। ଅନୁମାନ କରାଯାଏ, ଜିଏସ‌୍‍ଟି ଦ୍ୱାରା ଜିଡିପିର ଅଭିବୃଦ୍ଧି ହାର ୧% ରୁ ୧.୫% ପର୍ଯ୍ୟନ୍ତ ବଢିବ।

 

ଜିଏସ‌୍‍ଟିର ଆର୍ଥିକ ଅନଗ୍ରସର ଲୋକମାନଙ୍କର ବିଶେଷ ଧ୍ୟାନ ଦିଆଯାଇଛି। ଯେହେତୁ ଗ୍ରାମାଞ୍ଚଳରେ ୭୦% ଲୋକ କୃଷି ଉାପରେ ନିର୍ଭର କରନ୍ତି, ସମସ୍ତ କୃଷି ସମ୍ୱନ୍ଧୀୟ ଆବଶ୍ୟକୀୟ ଦ୍ରବ୍ୟକୁ ୦% କର ହାରରେ ରଖାଯାଇଛି। ଆଜି ପର୍ଯ୍ୟନ୍ତ ଏହି କୃଷିଭିତ୍ତିକ ଦ୍ରବ୍ୟ ଉପରେ ବିଭିନ୍ନ ରାଜ୍ୟରେ କର ହାର ୫% ରୁ ୨୦% ପର୍ଯ୍ୟନ୍ତ ଥିଲା। କେନ୍ଦ୍ର ସରକାର ଏତଦ‌୍‍ଜନିତ କ୍ଷତିକୁ ରାଜ୍ୟ ସରକାରଙ୍କୁ ଭରଣା କରିବ। ଏହାଛଡା ଗରିବ ଲୋକମାନଙ୍କୁ ଧ୍ୟାନରେ ରଖି ସେମାନଙ୍କର ଖାଦ୍ୟ ଏବଂ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଉପରେ କର ହାର ୦%ରୁ ୫% ଭିତରେ ରଖାଯାଇଛି। କିଛି ରାଜନୈତିକ ଦଳମାନେ ଜିଏସ‌୍‍ଟିର ୧୮% ହିସାବରେ ଗୋଟିଏ କର ହାର ଦାବୀ କରି ଜିଏସ‌୍‍ଟିକୁ ବିରୋଧ କରିଥିଲେ। ଭାରତ ପରି ଏକ ଆୟ ବୈଷମତା ଥିବା ଦେଶରେ ଗୋଟିଏ ପରୋକ୍ଷ କର ହାର ଏକ ଅବାସ୍ତବ ପ୍ରସ୍ତାବ। ଆମ ଦେଶର ସାମାଜିକ ଓ ଅର୍ଥନୈତିକ ଅବସ୍ଥାକୁ ଆଖି ଆଗରେ ରଖି ଭିନ୍ନ ଭିନ୍ନ କର ହାର ସ୍ୱାଗତଯୋଗ୍ୟ।

 

ଜୁଲାଇ ୧ଠାରୁ ଜିଏସ‌୍‍ଟି ପ୍ରଣୟନ ପରେ କେତେକ ରାଜନୈତିକ ଓ ଅଣରାଜନୈତିକ ସଂଗଠନମାନେ ଅସନ୍ତୁଷ୍ଟ ହୋଇଛନ୍ତି ଏବଂ ବିରୋଧ ଜାହିର ମଧ୍ୟ କରିଛନ୍ତି। ବଡ଼ ଏକ ଯୋଜନା ପ୍ରଣୟନ ସମୟରେ ଏହା ଏକ ସାମୟିକ ଅସାମଞ୍ଜସ୍ୟତା। ଆଜିର ଡିଜିଟାଲ ସମୟରେ ପ୍ରାୟ ୬ ମାସ ମଧ୍ୟରେ ସବୁ ଅଂଶୀଦାରମାନେ ଏହି ପରୋକ୍ଷ କର ପ୍ରକ୍ରିୟାରେ ଠିକ‌୍‍ ଭାବେ ଖାପ‌୍‍ ଖୁଆଇ ନେବେ ବୋଲି ଆଶା କରାଯାଏ। ଏଠାରେ ପ୍ରଧାନମନ୍ତ୍ରୀଙ୍କର ଲୋକପ୍ରିୟତା ଏବଂ ବିଭିନ୍ନ ବର୍ଗର ଲୋକମାନଙ୍କ ପାଖରେ ଗ୍ରହଣୀୟତା ବିଶେଷ କାମରେ ଆସିଛି। ଭେନେଜୁଏଲ‌୍‍ା ପରି ଛୋଟ ଦେଶରେ ବିମୁଦ୍ରାୟନ ସମୟରେ ବଡ଼ ଧରଣର ବିକ୍ଷୋଭ ଓ ଆନ୍ଦୋଳନ ମାନ ଦେଖା ଦେଇଥିଲା। ଭାରତ ପରି ବିଶାଳ ଗଣତନ୍ତ୍ରରେ କାଁ ଭାଁ ଆନ୍ଦୋଳନ (ଅଧିକାଂଶରେ ରାଜନୈତିକ ଦଳମାନଙ୍କର ସମର୍ଥନ ଥିଲା)କୁ ଛାଡିଦେଲେ ସାଧାରଣ ଲୋକମାନେ ବହୁତ ଶୀଘ୍ର ବିମୁଦ୍ରାୟନକୁ ଗ୍ରହଣ କରି ନେଇଥିଲେ। ଆଜି ସାଧାରଣରେ ବିମୁଦ୍ରାୟନର କୌଣସି ନକରାମିକ ଛାପ ନାହିଁ। ଖୁବ‌୍‍ଶୀଘ୍ର ସାଧାରଣ ବ୍ୟବସାୟୀମାନେ ଏହି ଐତିହାସିକ ଅର୍ଥନୈତିକ ସଂସ୍କାର ଜିଏସ‌୍‍ଟିକୁ ଆପଣେଇ ନିଜକୁ ପ୍ରସ୍ତୁତ କରିବେ। ସେ ଯାହା ହେଉନା କାହିଁକି, ଜିଏସ୍‌ଟର ଅର୍ଥନୈତିକ ବିକାଶ ଉପରେ ସୁଦୂର ପ୍ରସାରୀ ପ୍ରଭାବକୁ ଅସ୍ୱୀକାର କରିହେବ ନାହିଁ।

 

ମଧୁସୂଦନ ନଗର, ଭୁବନେଶ୍ୱର,

ମୋ.-୯୪୩୯୯୫୫୮୦୪ 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top