ଧ୍ବଜାସ୍ତମ୍ଭର ଉଚ୍ଚତା କେତେ?

News Story - Posted on 2017-07-27

ସରଳ କୁମାର ଦାସ

 

ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜାତୀୟ ପତାକା ଗର୍ବ ଓ ସ୍ବାଭିମାନର ପ୍ରତୀକ। ଏହି ପତାକା ଆମ ଭିତରେ ଦେଶପ୍ରେମ ଏପରି ସଞ୍ଚାରି ଦିଏ ଯେ ଗୋଟିଏ ପକ୍ଷରେ ଖେଳାଳୀ ଓ ଶିଳ୍ପୀଙ୍କ ପ୍ରଦର୍ଶନରେ ଶ୍ରେଷ୍ଠତା ଆସିଯାଉଥିବା ବେଳେ ଅନ୍ୟ ପକ୍ଷରେ ଯୁଦ୍ଧଭୂମିରେ ସୈନିକ ତା’ର ପ୍ରାଣର ଆହୂତି ଦେବାକୁ ତିଳେମାତ୍ର କୁଣ୍ଠାବୋଧ କରିନଥାଏ। ଅଗଷ୍ଟ ପନ୍ଦର ଓ ଜାନୁଆରୀ ଛବିଶରେ ଫରଫର ହୋଇ ଉଡୁଥିବା ଜାତୀୟ ପତାକାକୁ ଦେଖି ମନ ଉଲ୍ଲସିତ ହୋଇଥାଏ। ଏପରିକି ସୁପ୍ରିମକୋର୍ଟଙ୍କ ରାୟ ପରେ ଏଣିକି ପ୍ରତ୍ୟେକ ନାଗରିକ ବେସରକାରୀ ଭାବେ ପ୍ରତ୍ୟହ ଜାତୀୟ ପତାକା ଉଡାଇବାରେ ମଧ୍ୟ ଆଉ କୌଣସି ପ୍ରତିବନ୍ଧକ ନାହିଁ।  ମାତ୍ର ଏହି ପତାକାକୁ ଉପଯୁକ୍ତ ସମ୍ମାନ ଜଣାଇବା ପ୍ରତ୍ୟେକ ଭାରତୀୟଙ୍କ ଯେଭଳି କର୍ତ୍ତବ୍ୟ, ଜାଣତ ବା ଅଜାଣତରେ ଏହି ପତାକା ପ୍ରତି ଅସମ୍ମାନ ହେବାର ସମ୍ଭାବନାକୁ ପ୍ରତିହତ କରିବା ମଧ୍ୟ ଠିକ ସେଭଳି ଏକ ଗୁରୁ ଦାୟିତ୍ବ।

 

ଗତ ଦୁଇ ତିନି ବର୍ଷ ମଧ୍ୟରେ ଦେଶର ଅନେକ ସ୍ଥାନରେ ଭବ୍ୟ ଧ୍ବଜାସ୍ତମ୍ଭରେ ଜାତୀୟ ପତାକା ଉଡା ହେଉଥିବା ଖବରମାନ ଶୁଣିବାକୁ ମିଳୁଛି। ମନେହେଉଛି, କାହାର ସ୍ତମ୍ଭ ସବୁଠୁ ଉଚ୍ଚ, ସେଥିପାଇଁ ଯେପରି ଏକ ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଗତ ୧୮ ମାର୍ଚ୍ଚ ୨୦୧୭ ଦିନ ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ପଞ୍ଜାବର ଆଟାରୀଠାରେ ଭାରତର ସର୍ବୋଚ୍ଚ ଧ୍ବଜାସ୍ତମ୍ଭରେ ଧ୍ବଜାରୋହଣ କରା ଯାଇଥିଲା। ଏହି ଧ୍ବଜାସ୍ତମ୍ଭର ଉଚ୍ଚତା ୩୬୦ ଫୁଟ। ଏଥିରେ ଉଡୁଥିବା ପତାକାଟିର ଦୈର୍ଘ୍ୟ ୧୨୦ ଫୁଟ ଓ ପ୍ରସ୍ଥ ୮୦ ଫୁଟ କ୍ଷ କୁହାଯାଏ, ପତାକାଟି ଯେପରି ପାକିସ୍ତାନର ଲାହୋର ସହରରୁ ଦୃଷ୍ଟିଗୋଚର ହୋଇପାରିବ, ସେହି ଉଦ୍ଦେଶ୍ୟରେ ଏହି ସୁଉଚ୍ଚ ଧ୍ବଜାସ୍ତମ୍ଭର ପରିକଳ୍ପନା କରାଯାଇଥିଲା। ଦେଶର ଅନ୍ୟ ସ୍ଥାନମାନଙ୍କରେ ଥିବା ଭବ୍ୟ ଧ୍ବଜାସ୍ତମ୍ଭମାନଙ୍କ ମଧ୍ୟରେ କୋହ୍ଲାପୁର (୩୦୩ ଫୁଟ), ରାଞ୍ଚି (୨୯୩ ଫୁଟ), ହାଇଦ୍ରାବାଦ (୨୯୧ ଫୁଟ), ରାୟପୁର (୨୬୯ ଫୁଟ), ଫରିଦାବାଦ (୨୫୦ ଫୁଟ), ପୁନେ (୨୩୭ ଫୁଟ), ଭୋପାଳ (୨୩୫ ଫୁଟ) ଅନ୍ୟତମ। ହରିଆନାର କୈଥାଲଠାରେ ଦେଶର ପ୍ରଥମ ୨୦୭ ଫୁଟ ଉଚ୍ଚତା ବିଶିଷ୍ଟ ଧ୍ବଜାସ୍ତମ୍ଭ ସ୍ଥାପିତ ହେଲାପରେ ଦିଲ୍ଲୀର କନ୍ନଟପ୍ଲେସ, ଲକ୍ଷ୍ନୌ ଭଳି ଅନେକ ସ୍ଥାନରେ ଏହି ସମାନ ଉଚ୍ଚତା ବିଶିଷ୍ଟ ଧ୍ବଜାସ୍ତମ୍ଭମାନ ସ୍ଥାପିତ ହୋଇଛି। ଓଡିଶାର ସର୍ବୋଚ୍ଚ ଓ ସର୍ବବୃହତ୍ ଜାତୀୟ ପତାକା କଟକ ହାଇକୋର୍ଟ ପରିସରରେ ଅବସ୍ଥିତ, ଯାହାର ଉଚ୍ଚତା ୨୧୫ ଫୁଟ ଏବଂ ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୭୨ ଓ ୪୮ ଫୁଟ।

 

କେନ୍ଦ୍ର ସରକାରଙ୍କ ମାନବ ସମ୍ଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ଅନୁଦାନପ୍ରାପ୍ତ ସମସ୍ତ ବିଶ୍ବିଦ୍ୟାଳୟକୁ ନିଜନିଜ ପରିସରରେ ୨୦୭ ଫୁଟ ଉଚ୍ଚତା ବିଶିଷ୍ଟ ଧ୍ବଜାସ୍ତମ୍ଭ ସ୍ଥାପନ କରି ଜାତୀୟ ପତାକା ଉତ୍ତୋଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ଏଭଳି ୫୨ଟି (୪୬ଟି ୟୁଜିସି ଓ ୬ଟି କେନ୍ଦ୍ର ସରକାରଙ୍କଠାରୁ ସିଧାସଳଖ) ଅନୁଦାନପ୍ରାପ୍ତ ବିଶ୍ବିଦ୍ୟାଳୟ ରହିଛି। ପ୍ରତିଟି ଧ୍ବଜାସ୍ତମ୍ଭ ସ୍ଥାପନା ପାଇଁ ଅନ୍ୟୁନ ୪୫ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବାରୁ ଏ ବାବଦରେ ୨୩ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ହେବ। ଏହା ବ୍ୟତୀତ ପ୍ରତିବର୍ଷ ପତାକାଗୁଡିକର ରକ୍ଷଣାବେକ୍ଷଣ ପାଇଁ ବେଶ ମୋଟା ଅଙ୍କର ଅର୍ଥ ବ୍ୟୟ କରିବାକୁ ହେବ। ବିଶ୍ବିଦ୍ୟାଳୟଗୁଡିକର ଅନ୍ୟାନ୍ୟ ଅପରିହାର୍ଯ୍ୟ କାମ ପାଇଁ ଅର୍ଥ ବାଧକ ସାଜୁଥିବା ବେଳେ ସୁଉଚ୍ଚ ଧ୍ବଜାସ୍ତମ୍ଭ ସ୍ଥାପନ ପାଇଁ ଏତେ ପରିମାଣର ଅର୍ଥ ବିନିଯୋଗ କେତେ ଦୂର ଯୁକ୍ତିଯୁକ୍ତ, ତାହା ବିତର୍କର ବିଷୟ।

 

ଭାରତୀୟ ପତାକା କୋଡ, ୨୦୦୨ରେ ୯ଟି ମାନକ ଆକାରର ପତାକା ବିଷୟରେ ଉଲ୍ଲେଖ ଅଛି। ତଦନୁଯାୟୀ ସର୍ବବୃହତ୍ ପତାକାର ଦୈର୍ଘ୍ୟ ୬୫୦୦ ମିଲିମିଟର (୨୧ ଫୁଟ) ଓ ପ୍ରସ୍ଥ ୪୨୦୦ ମିଲିମିଟର (୧୪ ଫୁଟ) ହେବା କଥା। ତା’ଠାରୁ ବଡ ଆକାରର ପତାକା ଉତ୍ତୋଳନ କରିବାକୁ ହେଲେ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ନେବାକୁ ପଡିଥାଏ। ଏବେ ବିଭିନ୍ନ ସ୍ଥାନରେ ଅନେକ ବୃହତ୍ ଆକାରର ଜାତୀୟ ପତାକା ଉତ୍ତୋଳନ କରିବାକୁ ଆଗ୍ରହ ପ୍ରକାଶ ପାଉଥିବାରୁ ଭାରତୀୟ ପତାକା କୋଡରେ ଆବଶ୍ୟକୀୟ ସଂଶୋଧନ ଆଣିବା ଅଧିକ ସମୀଚିନ ମନେହୁଏ।

 

ପୁନଶ୍ଚ, ଭାରତୀୟ ପତାକା କୋଡର ପ୍ରାବଧାନ ଅନୁଯାୟୀ ଜାତୀୟ ପତାକା ହାତକଟା ଓ ହାତବୁଣା ଉଲ, କପା ବା ରେଶମର ଖଦୀ ପଟ୍ଟରେ ପ୍ରସ୍ତୁତ ହେବା ଉଚିତ। ଅବଶ୍ୟ ସାଧାରଣ ନାଗରିକ ଯେ କୌଣସି କନାରେ ତିଆରି ଜାତୀୟ ପତାକାକୁ ଉଡାଇପାରିବେ। ସରକାରୀ ଅଟ୍ଟାଳିକା, ପରିସର ଓ କାର୍ଯ୍ୟକ୍ରମରେ ବ୍ୟବହୃତ ଜାତୀୟ ପତାକା ଖଦୀରେ ପ୍ରସ୍ତୁତ ହୋଇଥିବା ବାଧ୍ୟତାମୂଳକ। ପତାକାର ଆକାର ବୃଦ୍ଧି ହେଲେ ଏହାର ଓଜନ ଯଥେଷ୍ଟ ବଢିଯାଏ। ପୁନଶ୍ଚ, ବେଳେବେଳେ ଅଧିକ ଉଚ୍ଚତାରେ ପବନର ବେଗ ଯଥେଷ୍ଟ ବେଶି ହୋଇଥିବାରୁ ପତାକାଟି ତାହା ସହି ନପାରି କ୍ଷତିଗ୍ରସ୍ତ ହୋଇଥାଏ। ଠିକ୍ ସେଇଆ ହେଲା ଆଟାରୀଠାରେ। ଉଦଘାଟନର ମାସକ ମଧ୍ୟରେ ୪ଟି ପତାକା କ୍ଷତିଗ୍ରସ୍ତ ହେଲା ଓ ସେସବୁକୁ ବଦଳାଇବାକୁ ପଡିଲା।

 

ଏଠାରେ ଉଲ୍ଲେଖଯୋଗ୍ୟ, ଅଟାରିରେ ଲାଗିଥିବା ପ୍ରତିଟି ପତାକାର ଓଜନ ୧ କୁଇଣ୍ଟାଲ ଓ ମୂଲ୍ୟ ୧ ଲକ୍ଷ ଟଙ୍କା। ତେଣୁ ଏହି ପତାକାର ଦାୟିତ୍ବରେ ଥିବା ଅମୃତସର ବିକାଶ ଟ୍ରଷ୍ଟ ଏହି ରକ୍ଷଣାବେକ୍ଷଣ ଜନିତ ବିଶାଳ ଖର୍ଚ୍ଚକୁ ବହନ କରିବା ପାଇଁ ବ୍ୟତିବ୍ୟସ୍ତ ହେବା ସ୍ବାଭାବିକ। ଏକ ଆକଳନ ଅନୁଯାୟୀ ଏ ବାବଦରେ ବର୍ଷକୁ ଅନ୍ୟୁନ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ।  ସେମାନଙ୍କ ପକ୍ଷରେ ଏହି ଖର୍ଚ୍ଚ ବହନ କରିବା କଷ୍ଟକର ହେଉଥିବାରୁ ସାଧାରଣ ନାଗରିକଙ୍କଠାରୁ ସାହାଯ୍ୟ ନେବା କଥା ଚିନ୍ତା କରୁଛନ୍ତି। ଅନ୍ୟ ପକ୍ଷରେ ପତାକାର ଆକାର କମାଇ ୭୨ ଫୁଟ ଦୈର୍ଘ୍ୟ ଓ ୪୮ ଫୁଟ ପ୍ରସ୍ଥ ବିଶିଷ୍ଟ କରିବା ପାଇଁ ମଧ୍ୟ ବିଚାର କରୁଛନ୍ତି। ଅର୍ଥାତ୍, ଏତେ ଉଚ୍ଚ ଧ୍ବଜାସ୍ତମ୍ଭ ଓ ତହିଁରେ ବିଶାଳକାୟ ପତାକା ସେମାନଙ୍କ ପାଇଁ ସମସ୍ୟାର କାରଣ ହୋଇଛି।

 

ଦେଶଭକ୍ତିକୁ ଭବ୍ୟ ଢଙ୍ଗରେ ପ୍ରଦର୍ଶନ କରିବାରେ କୌଣସି ଅସୁବିଧା ନାହିଁ, ବରଂ ଏହା ଅନ୍ୟା ଅନେକଙ୍କଠାରେ ଉନ୍ମାଦନା ସୃଷ୍ଟି କରିଥାଏ। ହେଲେ ଏଥିପାଇଁ ଆମେ ପ୍ରକୃତିର ନିୟମକୁ ତ ଅଣଦେଖା କରି ପାରିବା ନାହିଁ, କି ତା’ ବିରୁଦ୍ଧରେ ଯାଇପାରିବା ନାହିଁ। ଜାତୀୟ ପତାକାକୁ ସୂର୍ଯ୍ୟାସ୍ତ ପରେ ଅବତରଣ କରାଯିବାର ନିୟମ ଥିଲେ ମଧ୍ୟ, ୧୦୦ ଫୁଟ ଓ ଅଧିକ ଉଚ୍ଚତା ବିଶିଷ୍ଟ ଧ୍ବଜାସ୍ତମ୍ଭରେ ବିଶେଷ ସୁରକ୍ଷା ଓ ଆଲୋକର ବ୍ୟବସ୍ଥା ସହ ଜାତୀୟ ପତାକାକୁ ଦିନରାତି ୨୪ ଘଣ୍ଟା ଉଡାଯାଇ ପାରିବ। ଅଧିକ ଉଚ୍ଚତାରେ ବେଶି ବେଗରେ ପବନ ବହିବା ଯେପରି ସୁନିଶ୍ଚିତ, ଜାତୀୟ ପତାକାରେ ବ୍ୟବହୃତ କନା ସେହି ବେଗର ପବନକୁ ଦିନରାତି ସମ୍ଭାଳି ନ ପାରି କ୍ଷତିଗ୍ରସ୍ତ ହେବା ମଧ୍ୟ ସେପରି ନିଶ୍ଚିତ। ଏ ପରିସ୍ଥିତିରେ ପତାକାକୁ ସୁରକ୍ଷା ଦେବାର ଉପାୟ ଉପଲବ୍ଧ ନଥିବାରୁ, ଆମେ ଜାତୀୟ ପତାକାକୁ ଜାଣିଶୁଣି କ୍ଷତିଗ୍ରସ୍ତ ହେବାକୁ ଛାଡି ଦେଇପାରିବା କି ? ପ୍ରକାରାନ୍ତରେ, ଏହା ଜାତୀୟ ପତାକା ପ୍ରତି ଅସମ୍ମାନ ନୁହେଁ କି? କେନ୍ଦ୍ର ସରକାର ଭବ୍ୟ ଧ୍ବଜାସ୍ତମ୍ଭରେ ଜାତୀୟ ପତାକା ଉଡାଇବା ପାଇଁ ଅନୁମତି ଦେବାର ନିଷ୍ପତ୍ତିକୁ ପୁନର୍ବିଚାର କରିବା ଉଚିତ। ଅଳ୍ପ ଉଚ୍ଚତାର ଅପେକ୍ଷାକୃତ କ୍ଷୁଦ୍ର ପତାକାଟିଏ ଦ୍ବାରା ଆମ ଦେଶଭକ୍ତି କୌଣସି ଭାବେ ଊଣା ହେବନାହିଁ। ହଁ, କ୍ଷୁଦ୍ର ହିଁ ସୁନ୍ଦର।                                    

 

୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ

ଭୁବନେଶ୍ବର - ୭୫୧୦୧୨

ମୋ. ୯୪୩୭୦୩୮୦୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top