ସରକାର ଚାହିଁଲେ ବନ୍ଦ ହେବ ପିସି

News Story - Posted on 2017-07-27

ଗୋଲକ ବିହାରୀ ନାୟକ

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଏବଂ ବ୍ଲକସ୍ତରରେ ଚାଲିଥିବା ପିସି ବନ୍ଦ କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତ ମାସରେ ଅନୁଷ୍ଠିତ ଜିଲ୍ଲାପାଳ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି। ୧୭ ବର୍ଷର ଶାସନ ପରେ ବିଳମ୍ୱରେ ହେଲେ ମଧ୍ୟ ବିକାଶ କାର୍ଯ୍ୟ ପାଇଁ ଅର୍ଥକୁ ଯେପରି ହରିଲୁଟ‌୍‍ କରି ସରକାରୀ କର୍ମଚାରୀମାନେ ଖାଉଛନ୍ତି, ତାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା କିପରି କାର୍ଯ୍ୟରେ ପରିଣତ ହେବ, ସେଥିପାଇଁ ନିଷ୍ଠାପର ଉଦ୍ୟମ ହେବା ଦରକାର ଏବଂ ସେଥିରେ ଲୋକଙ୍କର ସହଯୋଗ ନିତାନ୍ତ ଜରୁରୀ। ସରକାର ଓ  ଲୋକ ଉଭୟ ଚାହିଁଲେ ଶାସନ କଳରେ ବହୁତ ବର୍ଷ ଧରି ଚାଲି ଆସୁଥିବା ପିସି କାରବାର ବନ୍ଦ ହୋଇପାରିବ।

 

ଆମ ରାଜ୍ୟରେ ବ୍ଲକ, ତହସିଲ‌୍‍, ଜିଲ୍ଲା କାର୍ଯ୍ୟାଳୟଠାରୁ ଆରମ୍ଭ କରି ସରକାରଙ୍କର ବଡ଼ ବଡ଼ ସବୁ ଦପ୍ତରରେ ପିସି (ପରସେଣ୍ଟଜ‌୍‍) କାରବାର ଜୋରସୋର‌୍‍ରେ ଚାଲିଛି। ସରକାରୀ ଅଫିସମାନଙ୍କରେ ଯେକୌଣସି କାର୍ଯ୍ୟଟିଏ କରିବାକୁ ହେଲେ ସମ୍ପୃକ୍ତ କର୍ମଚାରୀମାନଙ୍କୁ କିଛି ଅର୍ଥ ଦେବାକୁ ପଡ଼ିଥାଏ। ଲାଞ୍ଚ ନ ଦେଲେ କୌଣସି କାମ ହୋଇପାରେ ନାହିଁ। ବିନା ଲାଞ୍ଚରେ କୌଣସି ସରକାରୀ କାର୍ଯ୍ୟ କରିବା ଅସମ୍ଭବ। ରାଜ୍ୟରେ ବ୍ଲକ, ଜଳସେଚନ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ପ୍ରଭୃତି ଅଫିସ‌୍‍ମାନଙ୍କରେ ସବୁ ସରକାରଙ୍କ ସମୟରେ ଏହି ପିସି ଦେବାକଥା ଖୋଲାଖୋଲି ଚାଲେ। କେତେ ଟଙ୍କାର ବିଲ‌୍‍ ପାସ‌୍‍ କରିବା ପାଇଁ କେତେ କାହାକୁ ପିସି ଦିଆଯିବା ଦରକାର ତାହା ସ୍ଥିରୀକୃତ ହୋଇଥାଏ। ଶହେ ଟଙ୍କାର ଉନ୍ନୟନ କାର୍ଯ୍ୟ ପାଇଁ ୫୦/୬୦ ଟଙ୍କା ପିସି ଦେବାକୁ ପଡେ଼। ଜାଣି ନଜାଣି ପାରିଲା ପରି ସବୁ ବଡ଼ ବଡ଼ ବାବୁଙ୍କ ଜ୍ଞାତସାରରେ ଏହି କାରବାର ଚାଲେ। ସ୍ୱାଧୀନତା ପରଠାରୁ ସବୁ ଦଳର ସରକାରଙ୍କ ସମୟରେ ଏହି ପ୍ରଥା ଚାଲିଆସିଛି। ଆମ ରାଜ୍ୟରେ କେବଳ ନୁହେଁ, ସମଗ୍ର ଦେଶରେ, ସବୁ ରାଜ୍ୟମାନଙ୍କରେ ଏହି ଲାଞ୍ଚ ଦେବା କାରବାର ସବୁ ସମୟରେ ଚାଲିଆସିଛି। ସେଥିପାଇଁ ଭାରତବର୍ଷର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ଶାସନରେ ଥିବା ସମୟରେ କହିଥିଲେ ପ୍ରଶାସନିକ ସ୍ତରରେ ବ୍ୟାପକ ଦୁର୍ନୀତି ଚାଲିଛି। ଜନସାଧାରଣଙ୍କର କଲ୍ୟାଣ ନିମନ୍ତେ ବରାଦ କରାଯାଉଥିବା ଅର୍ଥର ଶତକଡ଼ା ୮୫ ଭାଗ ବାଟମାରଣା ହୋଇଥିବା ସେ କହିଥିଲେ।

 

ଏହି ପିସି କାରବାର ବା ଲାଞ୍ଚ ସହିତ ସମସ୍ତେ ଯେ ସମ୍ପୃକ୍ତ ତାହା ନୁହେଁ, ଆନେକ ସଚ୍ଚୋଟ ଅଫିସର, କର୍ମଚାରୀ ଅଛନ୍ତି, ଯେଉଁମାନେ ଏହାଠାରୁ ଦୂରରେ ରହିଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥା ଯାହା ସେଠାରେ ଦୁର୍ନୀତିର ସ୍ରୋତ ଏତେ ପ୍ରଖର ଯେ, ସେଥିରେ ସେମାନେ ପେଶିହୋଇ ଯାଇଛନ୍ତି। ସେହି ସଚ୍ଚୋଟ ଅଫିସର ଏବଂ କର୍ମସ୍ଖରୀମାନଙ୍କୁ ଅପେକ୍ଷାକୃତ ପ୍ରାଧାନ୍ୟ ନଥିବା କାର୍ଯ୍ୟ ଦାୟିତ୍ୱରେ ଅବସ୍ଥାପିତ କରାଯାଇଥାଏ।

 

ଅତ୍ୟନ୍ତ ଆନନ୍ଦର କଥା ୧୭ ବର୍ଷ ଶାସନ କରିବା ପରେ ନିଜର ଅଭିଜ୍ଞତାରୁ ଅନେକ କଥା ଶିଖି ଶାସନ କଳରୁ ପିସି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ସ୍ୱାଗତଯୋଗ୍ୟ ପଦକ୍ଷେପ। ସାଧାରଣ ଜନତା ଏହି ପ୍ରକାର ପଦକ୍ଷେପକୁ ସ୍ୱାଗତ କରୁଛନ୍ତି। ଦୁର୍ନୀତିଗ୍ରସ୍ତ ଲୋକମାନଙ୍କ ମଧ୍ୟରେ ଛାନିଆ ପଶିଗଲାଣି। କିନ୍ତୁ ବାସ୍ତବରେ ଏହା କେତେଦୂର କାର୍ଯ୍ୟକାରୀ ହୋଇପାରିବ, ସେଥିପାଇଁ ସମସ୍ତେ ସନ୍ଦିହାନ।

 

ରାଜ୍ୟର ଶାସକ ଦଳକୁ ଅନେକାଂଶରେ ପରିଚାଳିତ ଏକ ନିୟନ୍ତ୍ରିତ କରୁଥିବା ରାଜନେତାମାନେ ଏହି କାର୍ଯ୍ୟରୁ ନିବୃତ୍ତ ରହିବା ଦରକାର। ନବୀନ ବାବୁ ଯଦି ପ୍ରକୃତରେ ରାଜ୍ୟକୁ ଦୁର୍ନୀତିମୁକ୍ତ କରି ଏକ ସ୍ୱଚ୍ଛ ଶାସନ ରାଜ୍ୟବାସୀଙ୍କୁ ଦେବାକୁ ଚାହୁଁଛନ୍ତି, ତାଙ୍କୁ ଘେରି ରହିଥିବା ଦୁର୍ନୀତିଗ୍ରସ୍ତ ରାଜନେତା ଏବଂ ରାଜନୈତିକ କର୍ମୀମାନଙ୍କ ଠାରୁ ଦୂରେଇ ରହି ସଚ୍ଚୋଟ, ନୀତିବାନ ରାଜନେତା ଏବଂ କର୍ମୀମାନଙ୍କୁ ନିଜର ସହକର୍ମୀ ହିସାବରେ ବାଛନ୍ତୁ। ଯେଉଁମାନେ କି ତାଙ୍କର ଏହି ମହତ‌୍‍ କାର୍ଯ୍ୟରେ ସାହାଯ୍ୟ କରିପାରିବେ। କେବଳ ସରକାରୀ କର୍ମଚାରୀ, ଅଫିସରମାନଙ୍କୁ ଦୋଷ ଦେଲେ ହେବ ନାହିଁ। ସମାଜସେବା କରିବାକୁ ବାହାରିଥିବା ରାଜନେତାମାନେ ମଧ୍ୟ ନିଜ କାର୍ଯ୍ୟକୁ ସଂଯତ, ଶୃଙ୍ଖଳିତ କରିବା ଦରକାର  ଏବଂ ନିଜେ ସଚ୍ଚୋଟ ରହି ଗରୀବ ଜନସାଧାରଣଙ୍କର ସେବା କରିବା ଦରକାର।

 

ପିସି ଗ୍ରହଣ କରିବା ଧରାପଡ଼ିଲେ ଫୌଜଦାରୀ ମାମଲା ଦାୟର ହେବା ସହ ତୁରନ୍ତ ଏଫ.ଆଇ.ଆର. ରୁଜୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ପଞ୍ଚାୟତ ଏବଂ ବ୍ଲକସ୍ତରରେ ପିସି କାରବାରରେ ରାଜନୈତିକ ନେତାଙ୍କ ସମ୍ପୃକ୍ତି ଧରାପଡ଼ିଲେ, ସେମାନଙ୍କ ବିରୋଧରେ ମଧ୍ୟ ଫୌଜଦାରୀ ମାମଲା ରୁଜୁ ହେବ ବୋଲି ମୁଖ୍ୟଶାସନ ସଚିବଙ୍କ ପତ୍ରରେ ଉଲ୍ଲେଖ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ମୁଖ୍ୟ ଶାସନ ସଚିବ ପିସି କାରବାରକୁ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟରେ ତାଗିଦ‌୍‍ କରିଛନ୍ତି।

 

ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ କର୍ମଶାଳାରେ ଉଦ‌୍‍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ବହୁତ ପିସି କାରବାର ହେଉଛି ବୋଲି ସୂଚାଇ ଦେଇଥିଲେ। ପ୍ରକୃତରେ ଦେଖିବାକୁ ଗଲେ ଯେକୌଣସି ଜନକଲ୍ୟାଣକାରୀ ଯୋଜନାରେ ପିସି କାରବାର ହେଉଅଛି। ଯେଉଁ ବିଭାଗ ଗୁଡ଼ିକରେ ଶହ ଶହ କୋଟି ଟଙ୍କାର କାରବାର ହେଉଛି, ଯୋଜନା ଅନ୍ତର୍ଭୁକ୍ତ ବହୁ ବିକାଶମୂଳକ କାର୍ଯ୍ୟ ହେଉଛି, ସେଥିରେ ପିସି କାରବାର ଅଧିକ ହେଉଛି।

 

୨୦୧୪ ମସିହା ସାଧାରଣ ନିର୍ବାଚନ ସମୟରେ ଦୁର୍ନୀତି ଓ କଳାଟଙ୍କା ବିରୋଧରେ ସଂଗ୍ରାମର ପ୍ରତିଶ୍ରୁତି ଦେଇ ମୋଦିଙ୍କ ନେତୃତ୍ୱାଧୀନ ଏନ‌୍‍.ଡ଼ି.ଏ. କ୍ଷମତାକୁ ଆସିଲା। ଏହା ଭିତରେ ତିନିବର୍ଷ ବିତିଗଲାଣି। ସରକାରଙ୍କର ସଫଳତା କାହାଣୀ ଶୁଣାଇବା ପାଇଁ ଦେଶର ସବୁ ରାଜ୍ୟମାନଙ୍କରେ ଉତ୍ସବମାନ ଆୟୋଜିତ ହେଲାଣି। ଯେଉଁ ଭାରତୀୟମାନେ ସୁଇସ‌୍‍ ବ୍ୟାଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଦେଶୀ ବ୍ୟାଙ୍କରେ ଯେଉଁ କଳାଟଙ୍କା ଜମା  କରିଥିବେ, ତାହା ଫେରାଇ ଅଣାଯିବ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ମୋଦି ଦେଇଥିଲେ। କିନ୍ତୁ ଏହା କରିବା ଦିଗରେ କୌଣସି ପଦକ୍ଷେପ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇ ନଥିବାରୁ ଦେଶବାସୀ ନିରାଶ ହେଉଛନ୍ତି। ଦୁର୍ନୀତି ବିରୋଧରେ ସର୍ବୋଚ୍ଚ ସାମ୍ୱିଧାନିକ ଅନୁଷ୍ଠାନ ‘ଲୋକପାଳ’ର ଉନ୍ମୋଚନ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ଭବ ହେଲା ନାହିଁ। ମୋଦି ସରକାର ଆସିବା ପୂର୍ବରୁ ୨୦୧୩ ମସିହାରେ ଏହି ଐତିହାସିକ ଲୋକପାଳ ବିଲ‌୍‍ ସଂସଦରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇସାରିଥିଲା। ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଦୁର୍ନୀତି ବିରୁଦ୍ଧରେ ଯାହା କୁହାଯାଉଛି ତାହା କରାଯାଉ ନାହିଁ।

 

ଏସବୁ ସତ୍ତ୍ୱେ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୁଦ୍ଧରେ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସ୍ୱାଗତଯୋଗ୍ୟ। ନବୀନ ବାବୁଙ୍କର ଏକ ସ୍ୱଚ୍ଛ ଭାବମୂର୍ତ୍ତି ଓଡ଼ିଶାର ଜନସାଧାରଣଙ୍କ ନିକଟରେ ରହିଛି। ନଚେତ‌୍‍ ସେ ଚାରିଥର ମୁଖ୍ୟମନ୍ତ୍ରୀ ହୋଇପାରିନଥାନ୍ତେ। ସେ ଏହି ଯେଉଁ ପିସି ହଟାଇବା ପାଇଁ ଆହ୍ୱାନ ଦେଇଛନ୍ତି, ତାକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କଲେ ତାହା ନିଶ୍ଚିତ ସମ୍ଭବ ହୋଇପାରିବ। ପ୍ରଶାସନକୁ ସ୍ୱଚ୍ଛ ଏବଂ ଦକ୍ଷ କରିବା ଉଦ୍ଦେଶ୍ୟରେ ସେ ପ୍ରଥମେ ପ୍ରତ୍ୟେକ ବିଭାଗର ସଚିବ, ବିଭାଗର ନିର୍ଦ୍ଦେଶକ, ଜିଲ୍ଲାର ଜିଲ୍ଲାପାଳ, ସମସ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ, ପ୍ରତ୍ୟେକ ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀମାନଙ୍କୁ ପିସି କାରବାରରେ ଅଙ୍କୁଶ ଲଗାଇବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦିଅନ୍ତୁ। ସେହିପରି ପୋଲିସ‌୍‍, ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ ପ୍ରଭୃତିଙ୍କୁ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ନିର୍ଦ୍ଦେଶ ଦିଅନ୍ତୁ। ନିଜ ଦଳର ନେତା, କର୍ମୀ ଓ ଜନସାଧାରଣର ସହଯୋଗରେ ପିସି କାରବାର ବନ୍ଦ କରିବା ଦିଗରେ ଉଦ୍ୟମ ଜାରି ରଖନ୍ତୁ। ସରକାର ଏବଂ ଲୋକ ଉଭୟଙ୍କ ସହଯୋଗରେ ଏହା ବନ୍ଦ ହୋଇପାରିବ।

 

ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ବିହନ ନିଗମ

ଫୋନ‌୍‍-୯୪୩୭୩୧୮୭୩୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top