ଅଳିଆ ପାହାଡ- ଏକ ଆହ୍ବାନ

News Story - Posted on 2017-07-27

ସୁଧିରେନ୍ଦ୍ର ଶର୍ମା

 

ଦେଶର ଅଧିକାଂଶ ବଡ, ମଧ୍ୟମ  ଏବଂ ଛୋଟ ସହରମାନଙ୍କରେ ଅଶୋଧିତ ଅଳିଆ ଆବର୍ଜନାର ପାହାଡ ସାଧାରଣତଃ ଦୃଷ୍ଟିଗୋଚର ହୋଇଥାଏ। ଯେ କୌଣସି ସହରକୁ ଗଲେ ଆଗନ୍ତୁକମାନଙ୍କ ସ୍ୱାଗତ ଆବର୍ଜନାର ସ୍ତୁପ ଜରିଆରେ କରାଯିବା ପରି ମନେ ହୁଏ।  ସହରରେ ଇତଃସ୍ତତଃ ଭାବେ ପଡି ରହିଥିବା ଆବର୍ଜନା ଦ୍ରୁତଗତିରେ ବୃଦ୍ଧି ପାଉଥିବା ସମୃଦ୍ଧିକୁ ଦର୍ଶାଇଥାଏ। ଏହାର ପରିମାଣ ସ୍ୱରୂପ ପ୍ରାୟ ସବୁ ସହରରେ ଏହି କୁଢ କୁଢ ଅଳିଆ ଆବର୍ଜନା ମାନବ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱର ସମସ୍ୟା ପାଲଟିଛି। ଏହି ସବୁ ଅଳିଆ ଆବର୍ଜନାକୁ କିପରି ପ୍ରଭାବୀ ଢଂଗରେ ନଷ୍ଟ କରାଯିବ ତାହାର ଉପାୟ ଏପର୍ଯ୍ୟନ୍ତ କରାଯାଇ ପାରିନାହିଁ।

 

ଏହି ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର କ୍ଷେତ୍ର ଆଧାରିତ ବିକାଶ ଏବଂ  ସହରୀ ସ୍ତରରେ ସ୍ମାର୍ଟ ସମାଧାନ ଜରିଆରେ ଜୀବନ ଶୈଳୀରେ ସୁଧାର ପାଇଁ ସ୍ୱଚ୍ଛ ଭାରତ ଅଭିଯାନ (ଏସବିଏ ) ଏବଂ ସ୍ମାର୍ଟ ସିଟି ମିଶନ (ଏସ‌୍‍ସିଏମ‌୍‍)ର ଆରମ୍ଭ କରିଛନ୍ତି। ଏଥିପାଇଁ ତିନିବର୍ଷ ପାଇଁ (୨୦୧୭-୧୮ ରୁ ୨୦୧୯-୨୦) ପର୍ଯ୍ୟନ୍ତ କାର୍ଯ୍ୟ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ମ୍ୟୁନିସିପାଲିଟି ଅଂଚଳରେ ସୃଷ୍ଟି ହେଉଥିବା କଠିନ ବର୍ଜ୍ୟବସ୍ତୁ ସମସ୍ୟାର ମୁକାବିଲା ପାଇଁ ନୀତି ଆୟୋଗ ପକ୍ଷରୁ ବ୍ୟାପକ ଢାଂଚା ପ୍ରସ୍ତୁତ କରାଯାଇଛି। 

 

ବାସ୍ତବତାରେ ପରିବର୍ତ୍ତନ ସହ ବିକାଶ ରଣନୀତିରେ ତାଳମେଳ ରଖିବା ପାଇଁ ନୀତି ଆୟୋଗକୁ ତିନିବର୍ଷ ମଧ୍ୟରେ ନୀତିଗତ ପରିବର୍ତ୍ତନ ପାଇଁ ସାଧନ ଏବଂ ଦୃଷ୍ଟିକୋଣ ବିକଶିତ କରିବା ଦାୟିତ୍ୱ ପ୍ରଦାନ କରାଯାଇଛି। ନୀତି ଆୟୋଗ ଏହି ତିନି ବର୍ଷର ଏଜେଣ୍ଡାକୁ ଅଧିକ ଯୁକ୍ତିସଂଗତ ନିଷ୍କର୍ଷ ପାଇଁ ସାତ ବର୍ଷୀୟା ରଣନୀତି ଓ ପନ୍ଦର ବର୍ଷର ଦୂରଦୃଷ୍ଟି ରଖି କାର୍ଯ୍ୟ କରିବ। ସ୍ଥିତିର ବିଶାଳତାକୁ ନଜରରେ ରଖି ଏହି କାର୍ଯ୍ୟସୂଚୀରେ ଆବର୍ଜନାର ପରିଚାଳନା ପାଇଁ ମ୍ୟୁନିସିପାଲଟି ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଆବଶ୍ୟକତାକୁ ସ୍ୱୀକାର କରିଛି।

 

୨୦୧୧ ଜନ ଗଣନା ଅନୁଯାୟୀ ୭,୯୩୫ ଟି ସହରରେ ବସବାସ କରୁଥିବା ୩୭୭ ନିୟୁତ ଲୋକଙ୍କ ଦ୍ୱାରା ପ୍ରତ୍ୟହ ୧୭୦,୦୦୦ ଟନ‌୍‍ କଠିନ ବର୍ଜ୍ୟବସ୍ତୁ ସୃଷ୍ଟି କରାଯାଉଛି। ଏହି ତଥ୍ୟ ଆଧାରରେ, ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ନୀତି ଆୟୋଗ ପକ୍ଷରୁ ଏହି ଏଜେଣ୍ଡା ଠିକ‌୍‍ ସମୟରେ ବିକଶିତ କରାଯାଇଛି। କାରଣ ୨୦୩୦ ମସିହା ବେଳକୁ  ଯେତେବେଳେ ସହର ଗୁଡିକର ଜନ ସଂଖ୍ୟା ୫୯୦ ନିୟୁତ ହୋଇଯିବ, ସେତେବେଳେ ଏହି ସହରଗୁଡିକରୁ ସୃଷ୍ଟି ହେବାକୁ ଥିବା କଠିନ ବର୍ଜ୍ୟବସ୍ତୁର ପରିଚାଳନା କଷ୍ଟକର ବ୍ୟପାର ହୋଇ ପଡିବ।  ସାମାଜିକ ଏବଂ  ଆର୍ଥିକ ବାସ୍ତବିକତାକୁ ଦୃଷ୍ଟିରେ ରଖି ଏହି ସମସ୍ୟାର ଯଥାଶୀଘ୍ର ଟେକ୍ନିକାଲ ସାମାଧାନର ଆବ୍ୟଶ୍ୟକତା ରହିଛି ଏବଂ ନୀତି ଆୟୋଗଙ୍କ କାର୍ଯ୍ୟସୂଚୀ ଏହି ସମସ୍ୟାର ଦୂରକରଣ ଦିଗରେ ପ୍ରୟାସ ଚଳାଇଛି।

 

ଏହି ଏଜେଣ୍ଡାରେ ସମାଧାନ ପାଇଁ ଦୁଇ ପ୍ରକାର ପ୍ରସ୍ତାବ ଦିଆଯାଇଛି। ବଡ ବଡ ମ୍ୟୁନିସିପାଲିଟି  ଅଂଚଳରୁ ବାହାରୁ ଥିବା କଠିନ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କରିବା ଏବଂ ଛୋଟ ତଥା ଅର୍ଦ୍ଧ ସହରାଂଚଳରେ କଠିନ ବର୍ଜ୍ୟବସ୍ତୁର ମୁକାବିଲା କରି ଖତ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। କଠିନ ବର୍ଜ୍ୟବସ୍ତୁ ସଫା କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସରକାରୀ ଓ ଘରୋଇ ଭାଗିଦାରିତାରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ‌୍‍ଏଚଏଆଇ) ସହଯୋଗରେ େୱଷ୍ଟ ଟୁ ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆ (ଡବ୍ଲୁଇସିଆଇ) ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି।

 

ପ୍ରତିଷ୍ଠା ହେବା ପରେ ଏହି ପ୍ରସ୍ତାବିତ ନିଗମ ୨୦୧୯ ସୁଦ୍ଧା ଶହେଟି ସ୍ମାର୍ଟ ସହରରେ ବୃଦ୍ଧି ପାଉଥିବା କଠନ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପାଇଁ ପ୍ଲାଂଣ୍ଟ ବସାଇ ଏ ଦିଗରେ କାର୍ଯ୍ୟ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ପରି ପ୍ଲାଂଣ୍ଟ  ପ୍ରତିଷ୍ଠା କରିବାକୁ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଗଠିତ ସବ‌୍‍ ଗ୍ରୃପ ୨୦୧୫ ଅଗଷ୍ଟ ମାସରେ ଦେଇଥିବା ରିପୋର୍ଟରେ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ ମଧ୍ୟ ବ୍ୟାପକ ସମର୍ଥନ ମିଳିଥଲା। କାରଣ ଆବର୍ଜନାର ମାତ୍ରା ହ୍ରାସ କରି ୨୦୧୮ ସୁଦ୍ଧା ଏହି ପ୍ଲାନ୍ଟ ଜରିଆରେ ୩୩୦ ମେଗାୱାଟ ଏବଂ ୨୦୧୯ ରେ ୫୧୧ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇ ପାରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

 

ସମାଧାନ ପାଇଁ ପ୍ରସ୍ତାବ ରଖି ନୀତି ଆୟୋଗ ଥର୍ମାଲ ପାଇ ରୋଲସିସ ଏବଂ ପ୍ଲାଜମା ଗ୍ୟାସିଫିକେସନ ଟେକ୍ନୋଲୋଜି ପ୍ରତିଷ୍ଠାର ଲାଭ କ୍ଷତିର ଅନୁପାତର ମଧ୍ୟ ମୂଲ୍ୟାଙ୍କନ କରିଛି। ଏହି ଦୁଇଟି ଯାକ ପ୍ରସ୍ତାବ ଅତ୍ୟନ୍ତ ବ୍ୟୟ ବହୁଳ। ତେବେ ନୀତି ଆୟୋଗଙ୍କ ଏହି ପ୍ରସ୍ତାବକୁ କିପରି ଗ୍ରହଣ କରାଯିବ, ତାହା ରାଜ୍ୟ ମାନଙ୍କ ଉପରେ ନିର୍ଭର କରୁଛି। ତେବେ ମୁଖ୍ୟମନ୍ତ୍ରୀମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଅଧିକ ସମର୍ଥନ ମିଳିବାର ସମ୍ଭାବନା ରହିଛି।

 

ତେବେ ବୈଷୟିକ ଏବଂ ପରିବେଶ ଆଧାରରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦିଆ ଯାଇଥିବା ପ୍ଲାନ୍ଟ ପ୍ରତି। ରିପୋର୍ଟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ଜ୍ୟବସ୍ତୁର ପ୍ରକୃତି ହେଉଛି, ଯେଉଁଥିରେ ଏହାର ମିଶ୍ରଣ ହୁଏ ତାହା ପୂର୍ଣ୍ଣମାତ୍ରାରେ ଦହନ ଉପଯୁକ୍ତ  ହୁଏ ନାହିଁ। ସହର ଗୁଡିକର ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ମଧ୍ୟରେ ୮୦ ପ୍ରତିଶତ ପଦାର୍ଥ ସଢା ପଚା ଖାଦ୍ୟ ଏବଂ ଜୈବିକ ପଦାର୍ଥ ହୋଇ ଥିବାରୁ ନିର୍ଦ୍ଧାରିତ ବାୟୁ ଗୁଣବତ୍ତା ମାନଙ୍କରେ ଏଗୁଡିକୁ ନଷ୍ଟ କରିବା  ବର୍ତ୍ତମାନର ପ୍ଲାନ୍ଟ ଗୁଡିକ ନିମନ୍ତେ କଷ୍ଟକର। ନଗର ନିଗମ ବର୍ଜ୍ୟବସ୍ତୁ ପରିଚାଳନାରେ ପ୍ରତି  ଟନ‌୍‍ ପିଛା ୫୦୦ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛି। ସେଥି ମଧ୍ୟରୁ ଆବର୍ଜନା ଏକତ୍ରିତ କରିବାରେ ୬୦ ରୁ ୭୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ସେସବୁକୁ ଡମ୍ପୟାର୍ଡ ପର୍ଯ୍ୟନ୍ତ ନେବାରେ ଅବଶିଷ୍ଟ ୨୦ରୁ ୩୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇ ଯାଉଛି। ଫଳରେ ଆବର୍ଜନା ଗୁଡିକର ପରିଚାଳନା ଏବଂ ସେ ସବୁକୁ ନଷ୍ଟ କରିବା ପାଇଁ ଟଙ୍କାର ନିଅଣ୍ଟ ହେଉଛି। ଏହା ଛଡା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଆବର୍ଜନାର ଡମ୍ପିୟାର୍ଡ ସୃଷ୍ଟି କରିବା ମଧ୍ୟ ଏକ ଚ୍ୟାଲେଞ୍ଜ ହୋଇଛି।

 

ବର୍ଜ୍ୟବସ୍ତୁରୁ କମ୍ପୋଷ୍ଟ ଖତ ଏବଂ ବାୟୋଗ୍ୟାସ ଉତ୍ପନ୍ନ କରିବା କ୍ଷେତ୍ରରେ ସ୍ଥାନର ଅଭାବକୁ  ମଧ୍ୟ ଏହି ଏଜେଣ୍ଡାରେ  ରେଖାଙ୍କିତ କରାଯାଇଛି। ଏହା ଛଡା ଆବର୍ଜନାକୁ ନେଇ କେତେକ  ସ୍ଥାନରେ କମ୍ପୋଷ୍ଟ ପ୍ରସ୍ତୁତ କରିବା ପାଇଁ ଉଦ୍ୟମ କରାଯାଉଛି। ବିକଳ୍ପ ସ୍ୱରୂପ ବନସ୍ପତି ଖତ ପ୍ରସ୍ତୁତ କରିବା ପାଇଁ ସରକାର ବିଚାର କରି ଅଶିକ୍ଷିତ ଯୁବକଙ୍କ ପାଇଁ ରୋଜଗାରର ବିକଳ୍ପ ପନ୍ଥା ସୃଷ୍ଟି ନିମନ୍ତେ ଏହାକୁ ରାଷ୍ଟ୍ରୀୟ ବିକାଶ ମିଶନରେ ସାମିଲ କରିପାରନ୍ତି।

 

ଏକଥା ସ୍ପଷ୍ଟ ଯେ, ଦେଶର ବିବିଧ ସାମାଜିକ, ଆର୍ଥିକ ବାସ୍ତବତାକୁ ଦୃଷ୍ଟିରେ ରଖି ଏକ ସମାନ ବିକଳ୍ପ ସୃଷ୍ଟି କରିବା ସମ୍ଭବ ନୁହେଁ। ତେବେ ସାମଜିକ ଓ ପରିବେଶ ସମସ୍ୟା ଉପରେ ସମୟ ପୂର୍ବରୁ ଆଲୋଚନା ପାଇଁ ସରକାରଙ୍କୁ ଶ୍ରେୟ ଦିଆଯିବା ଉଚିତ‌୍‍। ଦେଶକୁ ସ୍ୱଚ୍ଛ ଏବଂ ସବୁଜ କରିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ସହିତ ନୀତି ଆୟୋଗଙ୍କ ଦ୍ୱାରା ପ୍ରସ୍ତାବିତ ଏଜେଣ୍ଡା ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ଏକ ଉଚିତ‌୍‍ ପଦକ୍ଷେପ ବୋଲି ସ୍ୱୀକାର କରିବାକୁ ପଡିବ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top