ହଡ଼ପ ହେଉଛି ଶ୍ରମିକଙ୍କ ସ୍ବାସ୍ଥ୍ୟ ବୀମା!

News Story - Posted on 2017-07-27

କର୍ମଚାରୀ ରାଜ୍ୟ ବୀମା ଆଇନ ଅନୁସାରେ ଶିଳ୍ପାନୁଷ୍ଠାନ ଗୁଡ଼ିକରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିୟୋଜିତ କର୍ମଚାରୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଥିବା ବ୍ୟବସ୍ଥାର ବ୍ୟାପକ ଉଲଂଘନ ଚାଲିଛି। ୨୦୧୨-୧୩ ଠାରୁ ୨୦୧୫-୧୬ ଆର୍ଥିକ ବର୍ଷ ମଧ୍ୟରେ ପ୍ରାୟ ୧୩,୭୭୩ ସଂସ୍ଥା ଦେୟ ପୈଠ କରି ନଥିବା କଥା ବିଭାଗୀୟ ମନ୍ତ୍ରୀ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତର ବିଧାନ ସଭାରେ ଦେଇ ଏହା ସ୍ୱୀକାର କରିଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ୨୦୧୨-୧୩ ଆର୍ଥିକ ବର୍ଷରୁ ୨୦୧୫-୧୬ ଆର୍ଥିକ ବର୍ଷ ମଧ୍ୟରେ ଖିଲାପ କରିଥିବା ସଂସ୍ଥାମାନଙ୍କ ସଂଖ୍ୟା ଯଥାକ୍ରମେ ୨୩୭୮, ୨୬୬୫, ୨୮୫୨, ୨୯୦୭ ଓ ୨୯୭୧ ରହିଛି।

 

ହେଲେ ଖିଲାପକାରୀ ସଂସ୍ଥାମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଏଥିପାଇଁ ସରକାର ବଦନାମ ହେଉଛନ୍ତି ବୋଲି ମନ୍ତ୍ରୀଙ୍କ ବକ୍ତବ୍ୟରୁ ଶ୍ରମ ବିଭାଗ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କେତେ ତତ୍ପର ତାହା ସୂଚନା ଦେଉଛି।

 

ଏହି ଆଇନର ବ୍ୟବସ୍ଥା ଅନୁଯାୟୀ କର୍ମଚାରୀ ପାଇଥିବା ମାସିକ ଦରମାର ୪.୭୫ ଶତାଂଶ ଓ ଅନୁରୁପ ନିଯୁକ୍ତିକାରୀ ସଂସ୍ଥା ଦ୍ୱାରା ୧.୭୫ ଶତାଂଶ ସ୍ୱାସ୍ଥ୍ୟ ବୀମା ଦେୟ ବୀମା ନିଗମରେ ପ୍ରତି ମାସ ପୈଠ କରିବା କଥା। ହେଲେ, କର୍ମଚାରୀମାନଙ୍କ ଦରମାରୁ ଆବଶ୍ୟକୀୟ ଦେୟ କାଟି ନିଆଯାଉଥିଲେ ମଧ୍ୟ ଏହା ପୈଠ ନ ହୋଇ ସଂପୃକ୍ତ ସଂସ୍ଥାଗୁଡ଼ିକ ଏହାକୁ ହଡ଼ପ କରୁଛନ୍ତି।

 

ସାଧାରଣତଃ ଠିକା ସଂସ୍ଥା ଦ୍ୱାରା ନିୟୋଜିତ କର୍ମଚାରୀମାନଙ୍କ ଦେୟ ବାବଦକୁ ମୂଳ ନିଯୁକ୍ତକାରୀ ସଂସ୍ଥା ଦେୟ ଦେଇ ଦେଉଥିଲେ ମଧ୍ୟ ସଂପୃକ୍ତ ଠିକା ସଂସ୍ଥାଗୁଡ଼ିକ ଏହାକୁ ବୀମା ନିଗମରେ ପୈଠ କରୁନାହାଁନ୍ତି। ଦେୟ ନିୟମିତ ପୈଠ ନ କରିବା ଯୋଗୁଁ ସଂପୃକ୍ତ କର୍ମଚାରୀ ଓ ନିର୍ଭରଶୀଳ ପରିବାର ସଦସ୍ୟ ଆଇନତଃ ପାଇବାକୁ ଥିବା ସ୍ୱାସ୍ଥ୍ୟ ସେବାରୁ ବର୍ଷ ବର୍ଷ ଧରି  ବଂଚିତ ହେଉଛନ୍ତି।

 

ବିଗତ ୬ ବର୍ଷ ମଧ୍ୟରେ ଚିହ୍ନଟ ହୋଇଥିବା ଗୋଟିଏ ଖିଲାପି ସଂସ୍ଥା ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଦ୍ୱାରା ସଂପୃକ୍ତ ଶ୍ରମ ବିଭାଗ ଅଧିକାରୀ ଓ ସଂସ୍ଥା ମାଲିକମାନଙ୍କ ମଧ୍ୟରେ ବୁଝାମଣା ହୋଇ ଶ୍ରମିକମାନଙ୍କୁ ଶୋଷଣ କରାଯାଇଥିବା ପ୍ରତୀୟମାନ ହେଉଛି। କେବଳ ବେସରକାରୀ ସଂସ୍ଥା ନୁହେଁ ଇଡ଼କୋ, ଇପିକଲ, ଓ.ସି.ସି, ଓ.ବି.ସି.ସି, ବିହନ ନିଗମ ଭଳି  ବହୁ ପ୍ରତିଷ୍ଠିତ ସରକାରୀ ଶିଳ୍ପାନୁଷ୍ଠାନ ଗୁଡ଼ିକରେ ନିୟୋଜିତ ଠିକା କର୍ମଚାରୀମାନଙ୍କ ଦେୟ ବର୍ଷ ବର୍ଷ ଧରି ପୈଠ ହୋଇନଥିବା ଓ ମୁଖ୍ୟ ନିଯୁକ୍ତିକାରୀ ସଂସ୍ଥା ହିସାବରେ ଏହି ଆଇନର ଉଲଂଘନ ପ୍ରତି ଆଖିବୁଜି ଦେବା ଯୋଗୁଁ ଠିକାରେ ନିଯୁକ୍ତ କର୍ମଚାରୀମାନେ ନିଜର କଷ୍ଟାର୍ଜିତ ସ୍ୱଳ୍ପ ଦରମାରୁ ଦେୟ ବାବଦକୁ ଦେଉଥିଲେ ମଧ୍ୟ ଏହା ପୈଠ ନହେବା କାରଣରୁ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛି।

 

ଏହି ଖିଲାପକାରୀଙ୍କ ତାଲିକାର ଶୀର୍ଷରେ ରହିଛି ମାଇଣ୍ଡମାର୍ଟ ନାମକ ଏକ ଠିକା ସଂସ୍ଥା, ଯିଏକି ବହୁ ସରକାରୀ ଅନୁଷ୍ଠାନ ଓ ଦପ୍ତରଗୁଡ଼ିକୁ ବହୁ ସଂଖ୍ୟାରେ ଠିକା କର୍ମଚାରୀ ଯୋଗାଇ ଦେଇଛି। କିଛି ବରିଷ୍ଠ ପ୍ରଶାସକଙ୍କ ବାହୁଛାୟା ତଳେ ରହି କାର୍ଯ୍ୟ କରୁଥିବା ଏହି ସଂସ୍ଥା ବର୍ଷ ବର୍ଷ ଧରି ଶ୍ରମ ଆଇନ ଗୁଡ଼ିକର ବ୍ୟାପକ ଉଲଂଘନ କରୁଥିଲେ ମଧ୍ୟ, କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କ ନରମ ଆଭିମୁଖ୍ୟ ଯୋଗୁଁ ହିତାଧିକାରୀମାନେ ମାଗଣା ସ୍ୱାସ୍ଥ୍ୟ ସେବାରୁ ବର୍ଷ ବର୍ଷ ଧରି ବଂଚିତ ହେଉଛନ୍ତି। ମାଇଣ୍ଡମାର୍ଟ ସମେତ ଅନ୍ୟାନ୍ୟ ଖିଲାପି ସଂସ୍ଥାମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଗଲେ ଖିଲାପକାରୀମାନଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢ଼ନ୍ତା ନାହିଁ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top