ଗଢ଼ିବା ଚାଲ ଏକବିଂଶ ଶତାବ୍ଦୀର ଭାରତ!

News Story - Posted on 2017-07-25

ରାମନାଥ କୋବିନ୍ଦ, ମହାମହିମ ରାଷ୍ଟ୍ରପତି

 

ମୋର ଦେଶବାସୀ,
ମୋତେ, ଭାରତର ରାଷ୍ଟ୍ରପତି ପଦର ଦାୟିତ୍ୱ ଦେଇଥିବାରୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ମୁଁ ସମ୍ପୂର୍ଣ୍ଣ ବିନମ୍ରତାର ସହିତ ଏହି ପଦକୁ ଗ୍ରହଣ କରୁଅଛି । ଏଠାରେ ସେଂଟ୍ରାଲ୍ ହଲ୍କୁ ଆସି ମୋର ଅନେକ ପୁରୁଣା ସ୍ମୃତି ତାଜା ହୋଇଯାଇଛି । ମୁଁ ସଂସଦର ସଦସ୍ୟ ରହିଆସିଛି ଏବଂ ଏହି କେନ୍ଦ୍ରୀୟ କକ୍ଷରେ ମୁଁ ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ସହିତ ବିଚାର-ବିନିମୟ କରିଛି । ଅନେକ ସମୟରେ ଆମେ ସହମତ ହେଉଥିଲୁ, ଅନେକ ଥର ଅସହମତ । କିନ୍ତୁ ଏହା ସତ୍ତେ୍ୱ୍ୱ ଆମେ ସମସ୍ତେ ପରସ୍ପରର ବିଚାରକୁ ସମ୍ମାନ କରିବା ଶିଖିଛୁ । ଏହା ହିଁ ଗଣତନ୍ତ୍ରର ବିଶେଷତ୍ୱ ।

ମୁଁ ଏକ ଛୋଟ ଗ୍ରାମର ମାଟି ଘରେ ପାଳିତ-ବଡ଼ ହୋଇଛି । ମୋର ଯାତ୍ରା ବହୁତ ଲମ୍ବା, କିନ୍ତୁ ଏହି ଯାତ୍ରା କେବଳ ମୋର ନୁହେଁ । ଆମ ଦେଶ ଏବଂ ଆମ ସମାଜର ଏହି ଗାଥା ରହିଛି । ପ୍ରତ୍ୟେକ ଆହ୍ୱାନ ସତ୍ତେ୍ୱ୍ୱ ଆମ ଦେଶରେ, ସମ୍ବିଧାନର ପ୍ରସ୍ତାବନାରେ ଉଲ୍ଲିଖିତ- ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ବନ୍ଧୁତ୍ୱର ମୂଳମନ୍ତ୍ରର ପାଳନ କରାଯାଇଛି ଏବଂ ମୁଁ ଏହି ମୂଳମନ୍ତ୍ରକୁ ସର୍ବଦା ପାଳନ କରିଚାଲିବି ।

 

ମୁଁ ଏହି ମହାନ ରାଷ୍ଟ୍ରର ୧୨୫ କୋଟି ନାଗରିକଙ୍କୁ ପ୍ରଣାମ କରୁଛି ଏବଂ ମୋ ପ୍ରତି ଯେଉଁ ବିଶ୍ୱାସ ଦେଖାଇଛନ୍ତି, ତା’କୁ ସଫଳ କରିବା ଲାଗି ବଚନ ଦେଉଛି । ମୁଁ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ଯେ ମୁଁ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍, ଡକ୍ଟର ଏପିଜେ ଅବଦୁଲ୍ କାଲାମ ଏବଂ ମୋର ପୂର୍ବବର୍ତ୍ତୀ ଶ୍ରୀ ପ୍ରଣବ ମୁଖର୍ଜୀ, ଯାହାଙ୍କୁ ଆମେ ସ୍ନେହରେ ‘ପ୍ରଣବ ଦା’ କହୁ, ସେମାନଙ୍କ ଭଳି ମହାତ୍ମାଙ୍କ ପଦଚିହ୍ନରେ ଚାଲିବାକୁ ଯାଉଛି ।

 

ସାଥୀଗଣ, ଆମର ସ୍ୱାଧୀନତା, ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରୟାସର ପରିଣାମ ଥିଲା । ପରେ ସର୍ଦ୍ଦାର ପଟେଲ୍ ଆମ ଦେଶର ଏକୀକରଣ କରିଥିଲେ । ଆମ ସମ୍ବିଧାନର ପ୍ରମୁଖ ଶିଳ୍ପୀ ବାବାସାହେବ ଆମ୍ବେଦକର ଆମ ସମସ୍ତଙ୍କଠାରେ ମାନବୀୟ ଗରିମା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ସଂଚାର କରିଥିଲେ ।

 

ସେ ଏହି କଥାରେ ସନ୍ତୁଷ୍ଟ ନଥିଲେ ଯେ କେବଳ ରାଜନୈତିକ ସ୍ୱାଧୀନତା ଯଥେଷ୍ଟ । ତାଙ୍କ ପାଇଁ, ଆମର କୋଟି କୋଟି ଲୋକଙ୍କ ଆର୍ଥିକ ଏବଂ ସାମାଜିକ ସ୍ୱାଧୀନତାର ଲକ୍ଷ୍ୟ ହାସଲ କରିବା ମଧ୍ୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା ।

 

ଏବେ ସ୍ୱାଧୀନତା ପ୍ରାପ୍ତିର ୭୦ ବର୍ଷ ପୂରଣ ହେବାକୁ ଯାଉଛି । ଆମେ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ଅଛୁ, ସେହି ଶତାବ୍ଦୀ, ଯାହା ଉପରେ ଆମ ସମସ୍ତଙ୍କର ଭରସା ଅଛି ଯେ ଏହା ଭାରତର ଶତାବ୍ଦୀ ହେବ, ଭାରତର ଉପଲବ୍ଧୀ ହିଁ ଏହି ଶତାବ୍ଦୀର ଦିଗ ଏବଂ ସ୍ୱରୂପ ନିର୍ଦ୍ଧାରଣ କରିବ । ଆମକୁ ଏକ ଏପରି ଭାରତର ନିର୍ମାଣ କରିବାକୁ ହେବ ଯାହା ଆର୍ଥିକ ନେତୃତ୍ୱ ଦେବା ସହିତ ନୈତିକ ଆଦର୍ଶ ମଧ୍ୟ ଉପସ୍ଥାପିତ କରିବ । ଆମ ପାଇଁ ଦୁଇଟି ମାନଦଣ୍ଡ କେବେ ଭିନ୍ନ ହୋଇପାରିବ ନାହିଁ । ଏ ଦୁଇଟି ଯୋଡ଼ି ହୋଇ ରହିଛି ଏବଂ ସବୁବେଳେ ଏ ଦୁଇଟି ଯୋଡ଼ି ହୋଇ ରହିବା ଆବଶ୍ୟକ ।

 

ସାଥୀଗଣ, ଦେଶର ସଫଳତାର ମନ୍ତ୍ର ଏହାର ବିବିଧତାରେ ରହିଛି । ବିବିଧତା ହିଁ ଆମର ଆଧାର ଅଟେ, ଯାହା ଆମକୁ ଅଦ୍ୱିତୀୟ କରିଥାଏ । ଏହି ଦେଶରେ ଆମକୁ ରାଜ୍ୟ ଏବଂ କ୍ଷେତ୍ର, ସମ୍ପ୍ରଦାୟ, ଭାଷା, ସଂସ୍କୃତି, ଜୀବନଶୈଳୀ ଭଳି ଅନେକ କଥାର ସମ୍ମିଶ୍ରଣ ଦେଖିବାକୁ ମିଳିଥାଏ । ଆମେ ଖୁବ୍ ଭିନ୍ନ, ତଥାପି ଏକ ଏବଂ ଏକଜୁଟ୍ ହୋଇ ରହୁ ।

 

ଏକବିଂଶ ଶତାବ୍ଦୀର ଭାରତ, ଏପରି ଏକ ଭାରତ ହେବ ଯାହା ଆମର ପୁରାତନ ମୂଲ୍ୟବୋଧ ଅନୁରୂପ ହେବା ସହିତ ଚତୁର୍ଥ ଔଦ୍ୟୋଗିକ ବିପ୍ଳବକୁ ବିସ୍ତାର କରିବ । ଏଥିରେ ନା କୌଣସି ବିରୋଧାଭାସ ଅଛି ଏବଂ ନା କୌଣସି ପ୍ରକାରର ବିକଳ୍ପର ପ୍ରଶ୍ନ ଉଠୁଛି । ଆମକୁ ନିଜ ପରମ୍ପରା ଏବଂ ପ୍ରଯୁକ୍ତି, ପ୍ରାଚୀନ ଭାରତର ଜ୍ଞାନ ଏବଂ ସମକାଳୀନ ଭାରତର ବିଜ୍ଞାନକୁ ସାଥୀରେ ନେଇ ଚାଲିବାକୁ ହେବ ।

 

ଗୋଟିଏ ପଟେ ଯେଉଁଠି ଗ୍ରାମ ପଂଚାୟତସ୍ତରରେ ଗୋଷ୍ଠୀଗତ ଭାବନା ଦ୍ୱାରା ବିଚାର-ବିମର୍ଶ କରି ସମସ୍ୟାଗୁଡ଼ିକର ସମାଧାନ ହେବ, ଅନ୍ୟପଟେ ଡିଜିଟାଲ୍ ରାଷ୍ଟ୍ରରେ ଆମକୁ ବିକାଶର ନୂଆ ଉଚ୍ଚତାରେ ପହଂଚିବାରେ ସହାୟତା କରିବ । ଏହା ଆମର ଜାତୀୟ ପ୍ରୟାସଗୁଡ଼ିକର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ।

 

ରାଷ୍ଟ୍ର ନିର୍ମାଣ କେବଳ ସରକାରଙ୍କ ଦ୍ୱାରା କରାଯାଇନଥାଏ । ସରକାର ସହାୟକ ହୋଇପାରେ, ସମାଜର ଉଦ୍ଯୋଗୀ ଏବଂ ସୃଜନାତ୍ମକ ପ୍ରବୃତ୍ତିକୁ ଦିଗ ଦେଖାଇପାରେ, ପ୍ରେରଣା ସାଜିପାରେ । ରାଷ୍ଟ୍ରନିର୍ମାଣର ଆଧାର-ରାଷ୍ଟ୍ରୀୟ ଗୌରବ । ଆମେ ଗର୍ବିତ ଭାରତର ମାଟି ଓ ପାଣିକୁ ନେଇ; ଆମେ ଗର୍ବିତ ଭାରତର ବିବିଧତା, ସର୍ବଧର୍ମ ସମଭାବ ଏବଂ ସମାବେଶୀ ବିଚାରଧାରାକୁ ନେଇ; ଆମେ ଗର୍ବିତ ଭାରତର ସଂସ୍କୃତି, ପରମ୍ପରା ଏବଂ ଆଧ୍ୟାତ୍ମ ପ୍ରତି; ଆମେ ଗର୍ବିତ ଦେଶର ପ୍ରତ୍ୟେକ ନାଗରିଙ୍କ ପ୍ରତି; ଆମେ ଗର୍ବିତ ନିଜ କର୍ତ୍ତବ୍ୟ ନିର୍ବାହ ପ୍ରତି, ଏବଂ ଆମେ ଗର୍ବିତ ପ୍ରତ୍ୟେକ ଛୋଟରୁ ଛୋଟ କାମକୁ ନେଇ ଯାହା ଆମେ ପ୍ରତିଦିନ କରିଥାଉ ।

 

ସାଥୀଗଣ, ଦେଶର ପ୍ରତ୍ୟେକ ନାଗରିକ ରାଷ୍ଟ୍ର ନିର୍ମାତା ଅଟନ୍ତି । ଆମ ଭିତରୁ ପ୍ରତ୍ୟେକ ବ୍ୟକ୍ତି ଭାରତୀୟ ପରମ୍ପରା ଏବଂ ମୂଲ୍ୟବୋଧର ସଂରକ୍ଷକ ଅଟେ ଏବଂ ଏହି ପରମ୍ପରାକୁ ଆମେ ଆଗାମୀ ପିଢ଼ିକୁ ଦେଇଯିବୁ । ଦେଶର ସୀମାକୁ ସୁରକ୍ଷା ଦେଉଥିବା ଏବଂ ଆମକୁ ସୁରକ୍ଷିତ ରଖୁଥିବା ଏବଂ ଆମକୁ ସୁରକ୍ଷିତ ରଖୁଥିବା ସଶସ୍ତ୍ର ବାହିନୀ, ରାଷ୍ଟ୍ର ନିର୍ମାତା ଅଟନ୍ତି । ଯେଉଁ ପୋଲିସ ଏବଂ ଅର୍ଦ୍ଧସାମରିକ ବଳ, ଆତଙ୍କବାଦ ଏବଂ ଅପରାଧ ସହ ଲଢ଼ୁଛନ୍ତି, ସେମାନେ ରାଷ୍ଟ୍ରନିର୍ମାତା ଅଟନ୍ତି । ଯେଉଁ କୃଷକମାନେ ମୁଣ୍ଡଫଟା ଖରାରେ ଦେଶର ଲୋକମାନଙ୍କ ପାଇଁ ଅନ୍ନ ଉତ୍ପାଦନ କରୁଛନ୍ତି, ସେମାନେ ରାଷ୍ଟ୍ରନିର୍ମାତା ଅଟନ୍ତି, ଏବଂ ଆମକୁ ଏହା ମଧ୍ୟ ଭୁଲିବା ଉଚିତ୍ ନୁହେଁ, ଯେ କ୍ଷେତରେ ବହୁ ଅଧିକ ସଂଖ୍ୟାରେ ମହିଳାମାନେ କାମ କରିଥାନ୍ତି । ଯେଉଁ ବୈଜ୍ଞାନିକମାନେ ୨୪ ଘଂଟା ପରିଶ୍ରମ କରୁଛନ୍ତି, ଭାରତୀୟ ମହାକାଶ ମିଶନ୍କୁ ମଙ୍ଗଳ ପର୍ଯ୍ୟନ୍ତ ନେଇଯାଉଛନ୍ତି, କିମ୍ବା କୌଣସି ପ୍ରତିଷେଧକର ଆବିଷ୍କାର କରୁଛନ୍ତି, ସେମାନେ ରାଷ୍ଟ୍ର ନିର୍ମାତା ଅଟନ୍ତି । ଯେଉଁ ନର୍ସ କିମ୍ବା ଡାକ୍ତର ସୁଦୂର କୌଣସି ଗ୍ରାମରେ, କୌଣସି ରୋଗୀର ଗମ୍ଭୀର ରୋଗ ସହ ଲଢ଼ିବାରେ ତା’ର ସହାୟତା କରୁଛନ୍ତି, ସେମାନେ ରାଷ୍ଟ୍ର ନିର୍ମାତା ଅଟନ୍ତି । ଯେଉଁ ନବଯୁବକ ନିଜ ଷ୍ଟାର୍ଟ ଅପ୍ ଆରମ୍ଭ କରିଛନ୍ତି ଏବଂ ସ୍ୱରୋଜଗାରଦାତା ହୋଇପାରିଛନ୍ତି, ସେ ରାଷ୍ଟ୍ର ନିର୍ମାତା ଅଟନ୍ତି । ଏହି ଷ୍ଟାର୍ଟ ଅପ୍ କିଛି ବି ହୋଇପାରେ । କୌଣସି ଛୋଟ କ୍ଷେତରେ ଆମ୍ବରୁ ଆଚାର ତିଆରି କରିବାର କାମ, କାରୀଗରମାନଙ୍କ କୌଣସି ଗ୍ରାମରେ କାର୍ପେଟ୍ ବୁଣିବାର କାମ କିମ୍ବା ପୁଣି କୌଣସି ଲେବୋରେଟୋରୀ, ଯେଉଁଠି ବଡ଼ ସ୍କ୍ରିନ୍ ଦ୍ୱାରା ଉଜ୍ଜଳ ଆଲୋକ ପ୍ରସ୍ତୁତ କରାଯାଇଥିବ । ସେହି ଆଦିବାସୀ ଏବଂ ସାଧାରଣ ନାଗରିକ, ଯିଏ ଜଳବାୟୁ ପରିବର୍ତ୍ତନର ଆହ୍ୱାନର ମୁକାବିଲାରେ ଆମ ପରିବେଶ, ଆମର ଜଙ୍ଗଲ, ଆମ ଜଙ୍ଗଲଜୀବଙ୍କ ରକ୍ଷା କରୁଛନ୍ତି ଏବଂ ସେହି ଲୋକ ଯେଉଁମାନେ ନବୀକରଣଯୋଗ୍ୟ ଶକ୍ତିର ମହତ୍ୱ ବଢ଼ାଇଛନ୍ତି, ସେମାନେ ରାଷ୍ଟ୍ର ନିର୍ମାତା ଅଟନ୍ତି । ସେହି ପ୍ରତିବଦ୍ଧ ଲୋକସେବକ ଯିଏ ପୂର୍ଣ୍ଣ ନିଷ୍ଠାର ସହିତ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି, କେଉଁଠି ପାଣିରେ ବୁଡ଼ିଥିବା ସଡ଼କ ଉପରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଛନ୍ତି, କେଉଁଠି କୌଣସି କୋଠରୀରେ ବସି ଫାଇଲ୍ରେ କାମ କରୁଛନ୍ତି, ସେମାନେ ରାଷ୍ଟ୍ର ନିର୍ମାତା ଅଟନ୍ତି । ସେହି ଶିକ୍ଷକ, ଯେଉଁମାନେ ନିଃସ୍ୱାର୍ଥ ଭାବନା ନେଇ ଯୁବକମାନଙ୍କ ମାର୍ଗଦର୍ଶନ କରୁଛନ୍ତି, ସେମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରୁଛନ୍ତି, ସେମାନେ ରାଷ୍ଟ୍ର ନିର୍ମାତା ଅଟନ୍ତି । ସେହି ଅଗଣିତ ମହିଳା ଯେଉଁମାନେ ଘରେ ଏବଂ ବାହାରେ, ସବୁ ଦାୟିତ୍ୱ ତୁଲାଇବା ସହିତ ନିଜ ପରିବାରର ଲାଳନ-ପାଳନ କରୁଛନ୍ତି, ନିଜ ସନ୍ତାନମାନଙ୍କୁ ଦେଶର ଆଦର୍ଶ ନାଗରିକ କରି ଗଢ଼ିତୋଳୁଛନ୍ତି, ସେମାନେ ରାଷ୍ଟ୍ର ନିର୍ମାତା ଅଟନ୍ତି ।

 

ସାଥୀଗଣ, ଦେଶର ନାଗରିକ ଗ୍ରାମ ପଂଚାୟତଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ନିଜ ପ୍ରତିନିଧି ବାଛିଥାନ୍ତି, ସେହି ପ୍ରତିନିଧିଙ୍କ ଠାରେ ନିଜ ଆସ୍ଥା ଏବଂ ଆଶା ଜାହିର କରିଥାନ୍ତି । ନାଗରିକମାନଙ୍କ ଅଭିଳାଷ ପୂରଣ କରିବା ଲାଗି ଏହି ଜନପ୍ରତିନିଧି ନିଜ ଜୀବନ ରାଷ୍ଟ୍ରର ସେବାରେ ଲଗାଇ ଦେଇଥାନ୍ତି ।

 

କିନ୍ତୁ ଆମର ଏହି ପ୍ରୟାସ କେବଳ ଆମ ପାଇଁ ନୁହେଁ । ଶହ ଶହ ବର୍ଷ ଧରି ଭାରତ ବସୁଧୈବ କୁଟୁମ୍ବକମ୍ ପରମ୍ପରା ପ୍ରତି ଆକର୍ଷିତ ହୋଇଛି । ବିଶ୍ୱ ସମୁଦାୟ ଅନ୍ତର୍ଜାତୀୟ ସମସ୍ୟାର ସମାଧାନ ପାଇଁ ଆମ ଆଡ଼କୁ ଦେଖୁଛି । ଆତଙ୍କବାଦ ହେଉ, କଳାଧନ କାରବାର କିମ୍ବା ଜଳବାୟୁ ପରିବର୍ତ୍ତନ । ଜାଗତିକ ପରିଦୃଶ୍ୟରେ ଆମର ଉତ୍ତରଦାୟିତ୍ୱ ମଧ୍ୟ ଜାଗତିକ ହିଁ ହୋଇଯାଇଛି ।

 

ଏହି ଭାବନା ଆମକୁ, ଆମର ଜାଗତିକ ପରିବାର ସହିତ, ବିଦେଶରେ ରହୁଥିବା ମିତ୍ର ଏବଂ ସହଯୋଗୀଙ୍କ ସହିତ, ବିଶ୍ୱର ଭିନ୍ନ ଭିନ୍ନ କ୍ଷେତ୍ରରେ ରହି ନିଜ ଯୋଗଦାନ ଦେଉଥିବା ପ୍ରବାସୀ ଭାରତୀୟଙ୍କ ସହିତ ଯୋଡ଼ିଥାଏ । ଏହି ଭାବନା ଆମକୁ ଅନ୍ୟ ଦେଶକୁ ସହାୟତା କରିବା ଲାଗି ତତ୍ପର କରିଥାଏ - ତାହା ଅନ୍ତର୍ଜାତୀୟ ସୌର ସଂଗଠନର ବିସ୍ତାର କରିବା ହେଉ, କିମ୍ବା ପୁଣି ପ୍ରାକୃତିକ ବିପର୍ଯ୍ୟୟ ସମୟରେ, ସର୍ବପ୍ରଥମେ ସହଯୋଗ ପାଇଁ ଆଗକୁ ଆସିବା ହେଉ ।

 

ଏକ ରାଷ୍ଟ୍ର ଭାବରେ ଆମେ ବହୁତ କିଛି ହାସଲ କରିଛୁ, କିନ୍ତୁ ଏହା ଠାରୁ ଆହୁରି ଅଧିକ କରିବାର ପ୍ରୟାସ, ଆହୁରି ଉନ୍ନତ କରିବାର ପ୍ରୟାସ, ନିରନ୍ତର ହୋଇଚାଲିବା ଉଚିତ୍ । ଏହା ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ୨୦୨୨ରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ପର୍ବ ପାଳନ କରିବାକୁ ଯାଉଛି । ଆମକୁ ଏକ କଥା ପ୍ରତି ଲଗାତାର ଧ୍ୟାନ ରଖିବାକୁ ହେବ ଯେ ଆମର ପ୍ରୟାସ ଦ୍ୱାରା ସମାଜର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ସେହି ବ୍ୟକ୍ତି ପାଇଁ ଏବଂ ଗରିବ ପରିବାରର ସେହି ଶେଷ ଝିଅ ପାଇଁ ମଧ୍ୟ ନୂଆ ସମ୍ଭାବନାର ସୁଯୋଗ ଦ୍ୱାର ଖୋଲି ପାରିବ । ଆମର ପ୍ରଯତ୍ନ ଶେଷ ଗ୍ରାମର ଶେଷ ଘରେ ପହଂଚିବା ଦରକାର । ଏଥିରେ ନ୍ୟାୟ ପ୍ରଣାଳୀର ପ୍ରତ୍ୟେକ ସ୍ତରରେ, ତୀବ୍ରତାର ସହିତ, କମ୍ ଖର୍ଚ୍ଚରେ ନ୍ୟାୟ ଦେବାର ବ୍ୟବସ୍ଥା ମଧ୍ୟ ସାମିଲ କରାଯିବା ଉଚିତ୍ ।

 

ସାଥୀଗଣ, ଏହି ଦେଶର ନାଗରିକ ଆମ ଶକ୍ତିର ମୂଳ ସ୍ରୋତ । ମୁଁ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ଯେ ରାଷ୍ଟ୍ରର ସେବା ପାଇଁ, ମୋତେ ଏହି ଲୋକମାନଙ୍କଠାରୁ ଏହି ପ୍ରକାରର ନିରନ୍ତର ଶକ୍ତି ମିଳିଚାଲିଥିବ ।

 

ଆମକୁ ଦ୍ରୁତ ବିକାଶ ଲାଭ କରୁଥିବା ଏକ ଦୃଢ଼ ଅର୍ଥ ବ୍ୟବସ୍ଥା, ଏକ ଶିକ୍ଷିତ, ନୈତିକ ଏବଂ ଗୋଷ୍ଠୀଗତ ସମାଜ, ସମାନ ମୂଲ୍ୟବୋଧ ଏବଂ ସମାନ ସୁଯୋଗ ଦେଉଥିବା ସମାଜର ନିର୍ମାଣ କରିବାକୁ ହେବ । ଏପରି ଏକ ସମାଜ ଯାହାର କଳ୍ପନା ମହାତ୍ମା ଗାନ୍ଧୀ ଏବଂ ଦୀନ୍ ଦୟାଲ୍ ଉପାଧ୍ୟାୟ କରିଥିଲେ । ଏହା ଆମର ମାନବୀୟ ମୂଲ୍ୟବୋଧ ପାଇଁ ମହତ୍ୱପୂର୍ଣ୍ଣ ଅଟେ । ଏହା ଆମର ସ୍ୱପ୍ନର ଭାରତ ହେବ । ଏପରି ଏକ ଭାରତ, ଯାହା ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବ । ସେପରି ଏକ ଭାରତ, ଏକବିଂଶ ଶତାବ୍ଦୀର ଭାରତ ହେବ ।

 

ଆପଣ ସମସ୍ତଙ୍କୁ ଅନେକ-ଅନେକ ଧନ୍ୟବାଦ । ଜୟ ହିନ୍ଦ! ବନ୍ଦେ ମାତରମ୍!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top