ଆଗେ ଜୟୀ, ପଛେ ବକ୍ସି

News Story - Posted on 2017-07-25

ଡକ୍ଟର ଧୀରେନ୍ଦ୍ର ନନ୍ଦ   

 

ଓଡିଶାର ପାଇକମାନଙ୍କର ବୀରତ୍ୱ ଭାରତ ଇତିହାସରେ ବିରଳ। ଦୀର୍ଘ ଦୁଇ ଶହ ବର୍ଷ ତଳର ପାଇକ ବିଦ୍ରୋହର ଗୁରୁତ୍ୱକୁ ଉପଲବ୍ଧି କରି କେନ୍ଦ୍ର ସରକାର ଦେଶର ସାଧାରଣ ବଜେଟରେ ଏଥିପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ ଘୋଷଣା କରିବା ଓଡିଶାର ଜନ ସାଧାରଣଙ୍କ ପାଇଁ ଗର୍ବ ଓ ଗୌରବର କଥା। ସେଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ଅରୁଣ ଜେଟ‌୍‍ଲୀ ଏବଂ ଓଡିଶାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ‌୍‍ ଏବଂ ରାଜ୍ୟର ସମସ୍ତ ସାଂସଦ ଧନ୍ୟବାଦର ପାତ୍ର। ଏହାଦ୍ୱାରା କେବଳ ପାଇକ ବିଦ୍ରୋହ ନୁହେଁ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଓଡିଶାର ଅବଦାନ ଅତ୍ୟନ୍ତ ସ୍ପଷ୍ଟ ହୋଇଯିବ। ଏହି ବିଦ୍ରୋହରେ ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ବିଷୟ ଇଂରେଜମାନଙ୍କ ଠାରୁ ଆରମ୍ଭ କରି ଓଡିଶାର କେତେକ ଐତିହାସିକ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କୁ ଜାତୀୟ ସ୍ତରରେ ଉପଯୁକ୍ତ ମାନ୍ୟତା ମିଳିପାରିବ।

 

ଜୟୀ ରାଜଗୁରୁଙ୍କ ବୀରତ୍ୱରେ ମୁଗ୍ଧ ହୋଇ ଗଜପତି ଦ୍ୱିତୀୟ ମୁକୁନ୍ଦଦେବ ଦେୱାନ ଓ ବକ‌୍‍ସିଙ୍କୁ ଶାସନ କାର୍ଯ୍ୟରେ ଅବଜ୍ଞା ଓ ଅବହେଳା ଦେଖାଇବାରୁ ଉଭୟେ ଅଭିମାନରୁ ଶାସନ କାର୍ଯ୍ୟରୁ ଦୂରେଇ ଗଲେ। ମାତ୍ର ରାଜଗୁରୁ ତାହାକୁ ତିଳେ ମାତ୍ର ଭ୍ରୁକ୍ଷେପ ନ କରି ପୂର୍ବଭଳି ଶାସନ କାର୍ଯ୍ୟ ଚଳାଇଲେ। ସେ ସମ୍ମିଳିତ ଭାବେ ଓଡିଶାରୁ ଇଂରେଜମାନଙ୍କୁ ହଟାଇବାପାଇଁ ମରହଟ୍ଟା ଶକ୍ତିର ସାମରିକ ସାହାଯ୍ୟ ଲୋଡିଲେ। ସେ କୂଟନୀତି ପ୍ରୟୋଗ କରି ହରିଶପୁର, କୁଜଙ୍ଗ ଓ କନିକାରେ ବିଦ୍ରୋହାଗ୍ନି ପ୍ରଜ୍ଜ୍ୱଳିତ ଇଂରେଜ ଶାସକଙ୍କ ଶକ୍ତି ବିକେନ୍ଦ୍ରିତ କରି ସେମାନଙ୍କ ସାମରିକ କର୍ତ୍ତୃତ୍ବକୁ ହ୍ରାସ କରିଦେଲେ। କଣ୍ଣେର୍ଲ ହାରକୋର୍ଟ ଦେଇଥିବା ଚାଳିଶି ହଜାର ଟଙ୍କା ସେ ରାଜାଙ୍କୁ ନଦେଇ ରାଜାଙ୍କ ମଙ୍ଗଳ ଦୃଷ୍ଟିରୁ ପାଇକ ବାହିନୀ ପୁନର୍ଗଠନ ପାଇଁ ଖର୍ଚ୍ଚ କରିଦେଲେ। ବିଦେଶୀ ଇଂରେଜମାନଙ୍କୁ ରାଜ୍ୟରୁ ହଟାଇବା ପାଇଁ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ସେହି ଲକ୍ଷ୍ୟ ସାଧନାରେ ଲାଗି ରହିଥିଲେ। ଇଂରେଜମାନେ ୧୮୦୩ ମସିହାରେ ନଭେମ୍ୱର ମାସ ୨୯ ତାରିଖରେ ଏକ ଯୁକ୍ତିନାମା ପ୍ରସ୍ତୁତ କରି ସେଥିରେ ସ୍ୱାକ୍ଷର ଦେବାକୁ ସମସ୍ତ ରାଜାଙ୍କ ପାଖକୁ ପଠାଇଲେ। ସେଥିରେ ରାଜାମାନେ ଇଂରେଜମାନଙ୍କର ବଶ୍ୟତା ସ୍ୱୀକାର କରିବା ସହିତ ଏକ ନିର୍ଦ୍ଦିଷ୍ଟ କର ଦେବା କଥା ଉଲ୍ଲେଖ ଥିଲା। ବହୁ ଦେଶୀୟ ରାଜା ଇଂରେଜ ସରକାରଙ୍କ ଆନୁଗତ୍ୟ ସ୍ୱୀକାର କରି ସେଥିରେ ସ୍ୱାକ୍ଷର କଲେ। ଖୋରଧା ରାଜା କିନ୍ତୁ ଜୟୀ ରାଜଗୁରୁଙ୍କ ପରାମର୍ଶ କ୍ରମେ ଏହି ଚୁକ୍ତି ପତ୍ରରେ ସ୍ୱାକ୍ଷର କଲେନାହଁି। ୧୮୦୪ ମସିହା ଅକ୍ଟୋବର ମାସରେ ଇଂରେଜ ଓ ପାଇକ ସେନା ମଧ୍ୟରେ ସଂଘର୍ଷ ଆରମ୍ଭ ହେଲା। କଣ୍ଣେର୍ଲ ହାରକୋର୍ଟ ଚାରି ହଜାର ପାଇକ ସୈନ୍ୟ ଦେଖି ଭୀତସ୍ତତଃ ହୋଇପଡିଥିଲେ।

 

ମହାନ‌୍‍ ବିପ୍ଳବୀ ଜୟୀ ରାଜଗୁରୁଙ୍କ ସଂଗ୍ରାମ ଓ ଖୋରଧାକୁ ମୁକ୍ତ ଓ ସ୍ୱାଧୀନ କରିବାର ପ୍ରୟାସ ଊନ୍ନବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଏକ ନୂତନ ଉଛ୍ୱାସ ଓ ଉଦ୍ଦୀପନା ସୃଷ୍ଟି କରିଥିଲା। ବିଶିଷ୍ଟ ଐତିହାସିକ ବିପନ ଚନ୍ଦ୍ରଙ୍କ ମତରେ ଓଡିଶାର ଏହି ପାଇକ ବିଦ୍ରୋହ ୧୮୦୪ ମସିହାରୁ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଏବଂ ଖୋାର୍ଦ୍ଧାଠାରେ ଇଂରେଜମାନଙ୍କ ସହିତ ଜୟୀ ରାଜଗୁରୁଙ୍କର ୨୧ ଦିନ ଧରି ଯୁଦ୍ଧ ହୋଇଥିଲା। ପରବର୍ତ୍ତୀ ସମୟରେ ଜୟୀ ରାଜଗୁରୁ ବନ୍ଦୀ ହେଲେ ଏବଂ ୧୮୦୬ ମସିହାରେ ଇଂରେଜମାନେ ତାଙ୍କୁ ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟା କରିଥିଲେ। ତଥାପି ଏହି ଆନ୍ଦୋଳନ ଦବିଯାଇ ନଥିଲା। ତା’ର ୧୧ ବର୍ଷ ପରେ ଏହି ଆନ୍ଦୋଳନ ପୁନର୍ବାର ଉଗ୍ରରୂପ ଧାରଣ କରିଥିଲା, ଯାହାକୁ ଦକ୍ଷତାର ସହିତ ପରିଚାଳନା କରିଥିଲେ ପାଇକ ସର୍ଦ୍ଦାର ବକ୍ସି ଜଗବନ୍ଧୁ। ଏହି ବିଦ୍ରୋହଟି ଭାରତର ଅନ୍ୟ ରାଜ୍ୟ ଅପେକ୍ଷା ସବୁଠାରୁ ଅଧିକ ସମୟ ଧରି ଚାଲିଥିଲା।

 

ଏହି ବିଦ୍ରୋହରେ ପାଇକ ମାନଙ୍କ ସହିତ ଅନେକ ରାଜା, ମହାରାଜା, ଜମିଦାର, ସାଧାରଣ ବ୍ୟକ୍ତି, ଜଙ୍ଗଲରେ ରହୁଥିବା ଆଦିବାସୀମାନେ ମଧ୍ୟ ସାମିଲ‌୍‍ ହୋଇଥିଲେ। ଏଣୁ ଏହି ବିଦ୍ରୋହକୁ ଅନେକ ଐତିହାସିକ ଓଡିଶାର ଗଣ ବିପ୍ଳବ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି। ଏହି ବିଦ୍ରୋହର ପରବର୍ତ୍ତ ପର୍ଯ୍ୟାୟରେ ପିଣ୍ଡିକି ବାହୁବଳେନ୍ଦ୍ର, ତାପଙ୍ଗ ଦଳବେହେରା, ମାଧବଚନ୍ଦ୍ର ରାଉତରାୟ, କୃତ୍ତିବାସ ପାଟ୍ଟଶାଣୀ, ଚକରା ବିଶୋଇ ପ୍ରମୁଖ ସ୍ୱାଧୀନଚେତା ଦେଶପ୍ରେମୀ ୧୮୨୭ ମସିହା ପର୍ଯ୍ୟନ୍ତ ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ କରି ଅନେକ ନିର୍ଯ୍ୟାତନା ପାଇବା ସହିତ କେତେକ ମୃତ୍ୟୁ ଦଣ୍ଡ ପାଇଥିବା ବିଷୟ ଇତିହାସରେ ବର୍ଣ୍ଣନା କରାଯାଇଛି। ଏହି ବିଦ୍ରୋହ ପାଇଁ ଓଡିଶାର ଖୋର୍ଦ୍ଧା, ଘୁମୁସର, ଗଙ୍ଗପଡା, ପିପିଲି, ପୁରୀ, ରଥିପୁର, ପଂଚଗଡ, ବାଙ୍କୀ, ମରିଚିପୁର, ହରିଶପୁର ଆଦି ବିଭିନ୍ନ ସ୍ଥାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପାଇକ ବିଦ୍ରୋହ ୧୮୦୪ରୁ ଆରମ୍ଭ ହୋଇଥିବାରୁ ଏହାକୁ ୧୮୧୭ରୁ ଆରମ୍ଭ ହୋଇଥିବାର ଯୁକ୍ତି କଲେ ଏହି ବିଦ୍ରୋହର ମୁଖ୍ୟ ସୁତ୍ରଧର ମହାନ‌୍‍ ସଂଗ୍ରାମୀ ଶହୀଦ‌୍‍  ଜୟୀ ରାଜଗୁରୁ ଇତିହାସରୁ ବିଲୀନ ହୋଇଯିବେ। ତେଣୁ ପାଇକ ବିଦ୍ରୋହର ୨୦୦ ପୂର୍ତ୍ତୀ ଅବସରରେ ୧୮୦୪ରୁ ୧୮୨୭ ମଧ୍ୟରେ ଘଟିଥିବା ଏହି ବିଦ୍ରୋହର ମୁଖ୍ୟ ସୂତ୍ରଧର ଜୟୀ ରାଜଗୁରୁଙ୍କୁ ବିଶେଷ ଗୁରୁତ୍ୱ ଦେବା ସହିତ ଏଥିରେ ସଂଶ୍ଳିଷ୍ଟ ଥିବା ସମସ୍ତ ସଂଗ୍ରାମୀ ମାନଙ୍କୁ ଯଥୋଚିତ ସମ୍ମାନ ଦିଆଯାଉ ଏବଂ ଏଥିରେ ସଂପୃକ୍ତ ସମସ୍ତ ସ୍ଥାନରେ ଏହି ଉତ୍ସବ ପାଳନ କରାଯାଉ।

 

ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତୀ ଅବସରରେ କେତେକ ନିର୍ଦ୍ଦିଷ୍ଟ ଉଲ୍ଲେଖନୀୟ କାର୍ଯ୍ୟ କରାଯିବା ପାଇଁ ଏକ ୧୦ ଦଫା ଦାବୀ ସମ୍ୱଳିତ ପ୍ରସ୍ତାବ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଖୋର୍ଦ୍ଧାର ଜୟୀ ରାଜଗୁରୁ ସ୍ମୃତି ସଂସଦ ସହିତ ଅନ୍ୟ ୧୯ଟି ସାମାଜିକ ଏବଂ ସାଂସ୍କୃତିକ ସଂସ୍ଥା ତରଫରୁ ଦିଆଯାଇଛି। ତନ୍ମଧ୍ୟରେ ପ୍ରଥମତଃ ଓଡିଶାର ଏହି ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱଧୀନତା ଆନ୍ଦୋଳନ ରୂପେ ଘୋଷଣା କରାଯାଉ। ଦ୍ୱିତୀୟତଃ ଏହି ପାଇକ ବିଦ୍ରୋହର ମୁଖ୍ୟ ସୁତ୍ରଧର ଜୟୀ ରାଜଗୁରୁଙ୍କୁ ଭାରତର ପ୍ରଥମ ଶହୀଦ‌୍‍ ଭାବରେ ଘୋଷଣା କରାଯାଇ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଡାକ ଟିକେଟ ପ୍ରଚଳନ ହେଉ। ସେହିପରି ଜୟୀ ରାଜଗୁରୁ ଏବଂ ବକ୍ସି ଜଗବନ୍ଧୁଙ୍କର କର୍ମଭୂମି ଖୋର୍ଦ୍ଧାଠାରେ ଏକ ୨୦୦ ଫୁଟ ବିଶିଷ୍ଟି ଆକର୍ଷଣୀୟ ସ୍ମୃତିସ୍ତମ୍ଭ ସ୍ଥାପନ କରାଯାଇ ତାହାକୁ ଜାତୀୟ ସ୍ତରରେ ଏକ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦିଆଯାଉ; ଦେଶର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧାଗଡ଼ର ସର୍ବାଙ୍ଗୀନ ଉନ୍ନତି ସହିତ ସେଠାରେ ଓଡିଶାର ବିଭିନ୍ନ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ଥିବା ପ୍ରତ୍ୟେକ ସଂଗ୍ରାମୀ ଯୋଦ୍ଧାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ; ଖୋର୍ଦ୍ଧାଗଡ ମଧ୍ୟରେ ଏକ ଉଚ୍ଚକୋଟୀର ପାଇକ ମ୍ୟୁଜିୟମ ସ୍ଥାପନ କରାଯିବା ସହିତ ତତ୍କାଳୀନ ଖୋର୍ଦ୍ଧାଗଡର ବିବରଣୀକୁ ଆଧାର କରି ଏକ ମଡେଲ ପ୍ରସ୍ତୁତ କରି ସେଥିରେ ସମସ୍ତ ଐତିହାସିକ ବିବରଣୀ ଲିପିବଦ୍ଧ କରାଯାଇ ଏହି ମ୍ୟୁଜିୟମରେ ସ୍ଥାନୀତ ହେଉ; ବକ୍ସି ଜଗବନ୍ଧୁଙ୍କ ଜନ୍ମସ୍ଥାନ ଗଡରୋଢଙ୍ଗ ଦେଇ ଯାଇଥିବା ରାଜପଥକୁ ତାଙ୍କ ନାମରେ ନାମିତ କରାଯାଉ; ଜୟୀ ରାଜଗୁରୁଙ୍କର ଜନ୍ମସ୍ଥାନ ବୀର ହରେକୃଷ୍ଣପୁର ଏବଂ ବକ୍ସି ଜଗବନ୍ଧୁଙ୍କ ଜନ୍ମସ୍ଥାନ ଗଡରୋଢଙ୍ଗ ଠାରେ ତାଙ୍କର ପୁର୍ଣ୍ଣ ଅବୟବ ମୂର୍ତ୍ତି ସ୍ଥାପନ କରାଯାଉ; ଭାରତ ସରକାରଙ୍କର ସାମରିକ ବାହିନୀରୁ ଗୋଟିଏ ବାହିନୀକୁ ପାଇକ ବାହିନୀ ନାମରେ ନାମିତ କରାଯାଉ।

 

ଅନ୍ୟ ଦାବିଗୁଡ଼ିକ ହେଲା, ଖୋର୍ଦ୍ଧାଗଡର ଇଷ୍ଟଦେବୀ ବରୁଣେଇ ପୀଠକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦିଆଯିବା ସହିତ ସେଠାରେ ଏକ ପାନ୍ଥନିବାସ ନିର୍ମାଣ କରାଯାଉ; ଜୟୀ ରାଜଗୁରୁଙ୍କ ନାମରେ ପୁରୀ ଠାରୁ ଏକ ଏକ୍ସପ୍ରେସ ମେଲ ଟ୍ରେନ ପ୍ରଚଳନ କରାଯିବା ସହିତ ଜୟୀ ରାଜଗୁରୁଙ୍କର ଜନ୍ମ ଭୂମି ସହିତ ସଂଲଗ୍ନ ରେଳଷ୍ଟେସନ ମାଳତିପାଟପୁରକୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯାଉ; ଆଗାମୀ ପିଢ଼ୀକୁ ଉତ୍ସାହର ବାର୍ତ୍ତା ଦେବାପାଇଁ ପାଇକ ବିଦ୍ରୋହର ସମ୍ପୂର୍ଣ୍ଣ ଘଟଣାବଳୀର ଇତିହାସକୁ ଗବେଷଣା ମାଧ୍ୟମରେ ଲିପିବଦ୍ଧ କରାଯାଇ ସାମଗ୍ରିକ ଭାବରେ ଏକ ପୁସ୍ତକ ପ୍ରକାଶନ କରାଯିବା ଉଚିତ; ଏହି ବୀର ପୁରୁଷଙ୍କର କର୍ମଭୂମି ଖୋର୍ଦ୍ଧା ଠାରେ ଏହାର ମୁଖ୍ୟ ଉସିବ ପାଳନ କରାଯାଉ ଏବଂ ଏହି ବିଦ୍ରୋହ ସହିତ ସଂପୃକ୍ତ ପ୍ରତ୍ୟେକ ସଂଗ୍ରାମୀଙ୍କର ଜନ୍ମ ସ୍ଥାନରେ ମଧ୍ୟ ଏହି ଉତ୍ସବ ପାଳନ କରାଯାଉ; ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ଏହି ପାଇକ ବିଦ୍ରୋହର ସ୍ମୃତି ଚାରଣ ଉଦ୍ଦେଶ୍ୟରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉ।

 

ଶହୀଦ ଜୟୀ ରାଜଗୁରୁ ସ୍ମତି ପରିଷଦ, ଲୋକତନ୍ତ୍ର ସେନାନୀ ସଂଘ, ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ସମିତି, ଇତିହାସ ସଂକଳନ ସମିତି, ଅଖିଳ ଓଡିଶା ବ୍ରାହ୍ମଣ ମହାସଭା, ପୂଜ୍ୟ ପୂଜା ସଂସଦ, ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ, ଉତ୍କଳ ସମ୍ମିଳନୀ, ପାଇକ ଫାଉଣ୍ଡେସନ, ଐତିହାସିକ ସମାଜ, ପତଞ୍ଜଳୀ ଯୋଗ ସମିତି ଆଦି ଓଡିଶାର ପ୍ରମୁଖ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ଗୁଡିକ ଏହାକୁ ଦୃଢ଼ ସମର୍ଥନ କରି କହିଛନ୍ତି ୧୮୦୪ ରୁ ୧୮୨୭ ମଧ୍ୟରେ ଘଟିଥିବା ଏହି ପାଇକ ବିଦ୍ରୋହରେ ସଂପୃକ୍ତ ସମସ୍ତ ସ୍ଥାନରେ ଏହି ଉତ୍ସବ ପାଳନ ହେବା ସହିତ ସମସ୍ତ ସଂଗ୍ରାମୀ ମାନଙ୍କୁ ଯଥୋଚିତ ସମ୍ମାନ ଦିଆଯିବା ଉଚିତ‌୍‍।

 

ଅଧ୍ୟକ୍ଷ, ଜୟୀ ରାଜଗୁରୁ ସ୍ମୃତି ସଂସଦ, ଓଡିଶା

ରାଜ୍ୟ ସହସଂଯୋଜକ ଏବଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱଦେଶୀ ଜାଗରଣ ମଂଚ, ଓଡିଶା

ଚେୟାରମ୍ୟାନ‌୍‍, ବିବେକାନନ୍ଦ ଇନ‌୍‍ଷ୍ଟିଚ୍ୟୁଟ‌୍‍ ଅଫ‌୍‍ ଆଡ଼‌୍‍ଭାନ୍ସଡ଼ ଏଜୁକେସନାଲ‌୍‍ ରିସର୍ଚ୍ଚ ଆଣ୍ଡ‌୍‍ ଟେକ୍ନୋଲୋଜି (ଭାରତ)

ଖୋର୍ଦ୍ଧା - ୭୫୨୦୫୭ (ଓଡିଶା), ଚଳଭାଷ - ୯୪୩୭୦୦୬୭୨୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top