କମୁଛି କାହିଁକି ପ୍ରାମାଣିକ ବିହନ ଉତ୍ପାଦନ?

News Story - Posted on 2017-07-24

ଗୋଲକ ବିହାରୀ ନାୟକ

 

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ରାଜ୍ୟର ଶତକା ୮୫ ଭାଗ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। କୃଷିର ଉନ୍ନତି ଉପରେ ରାଜ୍ୟର ଅର୍ଥନୈତିକ ବିକାଶ ନିର୍ଭରଶୀଳ।

 

ଓଡ଼ିଶାରେ ଆଞ୍ଚଳିକ ଭିତ୍ତିରେ କୃଷି ଜଳବାୟୁ ଅନୁଯାୟୀ ବିଭିନ୍ନ ପ୍ରକାରର ଫସଲ ଚାଷ କରାଯାଇଥାଏ। ଆମ ରାଜ୍ୟରେ ଧାନ, ଗହମ, ମକା, ବାଜରା, ମୁଗ, ବିରି, ହର ପ୍ରଭୃତି ଡାଲି ଜାତୀୟ ଫସଲ ଚାଷ କରାଯାଉଅଛି। ସେହିପରି ତୈଳବୀଜ ଫସଲ ଚିନାବାଦାମ, ରାଶି, ସୋରିଷ, ସୂର୍ଯ୍ୟମୁଖୀ, ଅଳସୀ, ଜଡ଼ା ଏବଂ ତନ୍ତୁ ଜାତୀୟ ଫସଲ କପା, ଝୋଟ ଏବଂ ଉଦ୍ୟାନ କୃଷି ଫସଲ ଫଳ, ପନିପରିବା ଚାଷ କରାଯାଇଥାଏ। ବିଭିନ୍ନ ଫସଲର ଉତ୍ପାଦନ ବୃଦ୍ଧି ଦିଗରେ ଉନ୍ନତ ପ୍ରାମାଣିକ ବିହନର ସର୍ବପ୍ରଥମ ଆବଶ୍ୟକତା ରହିଛି। ଆମ ରାଜ୍ୟରେ ଅଧିକାଂଶ ଫସଲର ଉତ୍ପାଦକତା ଜାତୀୟ ହାର ଠାରୁ କମ୍ ରହିଛି। ଏହାକୁ ବୃଦ୍ଧି କରିବା ପାଇଁ ଉନ୍ନତ ପ୍ରାମାଣିକ ବିହନର ଉପଯୋଗ ଅଧିକ କରିବା ଆବଶ୍ୟକ। ଏହା ନିଶ୍ଚିତ ଯେ, ଅଧିକ ଅମଳକ୍ଷମ ବିହନ ବ୍ୟବହାର ଦ୍ବାରା ଅଧିକ ଉତ୍ପାଦନ ମିଳେ। ଓଡ଼ିଶାରେ ବିହନର ଚାହିଦା ଯଥେଷ୍ଟ ଅଧିକ ଥିଲେ ମଧ୍ୟ ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ କେତେକ ବାଧା ସୃଷ୍ଟି ହେବାର ଲକ୍ଷ୍ୟ କରାଯାଇଛି।

 

ଆମ ରାଜ୍ୟ ମୁଖ୍ୟ ଫସଲ ହେଉଛି ଧାନ। ଓଡ଼ିଶାରେ ଯେତେ ଫସଲ ଚାଷୀ କରନ୍ତି, ସେଥିରୁ ୯୦ ଭାଗ ହେଉଛି ଧାନ। ଆମ ରାଜ୍ୟର ଚାଷୀଙ୍କ ବ୍ୟବହାର ପାଇଁ ବର୍ଷକୁ ପ୍ରାୟ ୨୪ ଲକ୍ଷ କୁଇଣ୍ଟାଲ ଧାନ ବିହନ ଦରକାର। ଏଥିମଧ୍ୟରୁ ରାଜ୍ୟ ବିହନ ନିଗମ ମୁଖ୍ୟତଃ ପ୍ରାମାଣିକ ଧାନ ବିହନ ନିଜ ଜ୍ଞାନ କୌଶଳରେ ଉତ୍ପାଦନ କରି ଯୋଗାଇଥାଏ। ଚଳିତବର୍ଷ ଖରିଫ୍ ଋତୁରେ ରାଜ୍ୟ ବିହନ ନିଗମ ଜୁଲାଇ ୨୦ ତାରିଖ ସୁଦ୍ଧା ୨ ଲକ୍ଷ ୬୦ ହଜାର କୁଇଣ୍ଟାଲ ପ୍ରାମାଣିକ ଧାନ ବିହନ ଚାଷୀଙ୍କୁ ଯୋଗାଇଥିବା ଜଣାପଡ଼ିଛି। ୨୦୧୫-୧୬ରେ ରାଜ୍ୟ ବିହନ ନିଗମ ଓଡ଼ିଶାର ଚାଷୀଙ୍କୁ ୩ ଲକ୍ଷ ଟନ ଏବଂ ୨୦୧୬-୧୭ରେ ୩ ଲକ୍ଷ ଟନ ଧାନ ବିହନ ଯୋଗାଇଥିଲା। କିନ୍ତୁ ଏହାର ୫ ବର୍ଷ ପୂର୍ବରୁ ୨୦୦୯-୧୦ରେ ୪୦୦୫୨୧ ଏବଂ ୨୦୧୦-୧୧ରେ ୫ ଲକ୍ଷ ଟନରୁ ଉର୍ଦ୍ଧ୍ବ ପ୍ରାମାଣିକ ଧାନ ବିହନ ରାଜ୍ୟ ବିହନ ନିଗମ ଦ୍ବାରା ଚାଷୀଙ୍କୁ ଯୋଗାଇ ଦିଆଯାଇଥିଲା। ଏହି ପରିସଂଖ୍ୟାନରୁ ଜଣାପଡୁଛି ଯେ, ରାଜ୍ୟ ବିହନ ନିଗମରେ ବର୍ଷକୁ ବର୍ଷ ପ୍ରାମାଣିକ ଧାନ ବିହନର ଉତ୍ପାଦନ ବଢିବା ପରିବର୍ତ୍ତେ କମିବାରେ ଲାଗିଛି। ଅଧିକ ପ୍ରାମାଣିକ ବିହନ ଉତ୍ପାଦନ କରିବା ଏବଂ ତାକୁ ପ୍ରକ୍ରିୟାକରଣ କରିବାର ଯଥେଷ୍ଟ ଭିତ୍ତିଭୂମି ଥିଲେ ମଧ୍ୟ ଅଧିକ ପ୍ରାମାଣିକ ବିହନ ଉତ୍ପାଦିତ ହୋଇପାରି ନଥିବାର କାରଣ କ’ଣ? ନିକଟରେ କୃଷି ବିଭାଗର ଦାୟିତ୍ବ ନେଇଥିବା ନୂତନ କୃଷିମନ୍ତ୍ରୀ ଏହାର କାରଣ ଅନୁଧ୍ୟାନ କରି ଦେଖିବା ସଙ୍ଗେ ସଙ୍ଗେ ଏହାର ପ୍ରତିକାର ଦିଗରେ ପଦକ୍ଷେପ ନେବା ଆବଶ୍ୟକ।

 

ପ୍ରାମାଣିକ ବିହନ ଉପଯୋଗ ଦ୍ବାରା ଅମଳ ପରିମାଣ ଶତକା ୧୫ରୁ ୨୦ ଭାଗ ବୃଦ୍ଧି ଘଟିଥାଏ। ରାଜ୍ୟର ବିହନ ଚାହିଦା ପୂରଣ କରିବା ପାଇଁ ବିହନ ଗ୍ରାମ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିରେ ରାଜ୍ୟ କୃଷି ବିଭାଗ, ରାଜ୍ୟ ବିହନ ନିଗମ ଏବଂ ଓଡ଼ିଶା ରାଜ୍ୟ ବିହନ ପ୍ରାମାଣିକରଣ ସଂସ୍ଥା ମିଳିତ ଭାବରେ କାର୍ଯ୍ୟ କରନ୍ତି। ଉନ୍ନତ ମାନର ଗୁଣାତ୍ମକ ବିହନ ଉତ୍ପାଦନ ନିମିତ୍ତ ଏକ ନିର୍ଦ୍ଦିଷ୍ଟ ପଦ୍ଧତି ଅନୁସରଣ କରାଯାଏ। ଭବିଷ୍ୟତର ବିହନ ଆବଶ୍ୟକତାକୁ ପର୍ଯ୍ୟାଲୋଚନା କରି ପ୍ରଥମତଃ ପ୍ରଜନନ ବିହନ ଓଡ଼ିଶା ରାଜ୍ୟ କୃଷି ବିଶ୍ବବିଦ୍ୟାଳୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ରାଜ୍ୟରେ ଥିବା ଗବେଷଣା ପ୍ରତିଷ୍ଠାନରୁ ସଂଗ୍ରହ କରାଯାଏ। ଏହି ପ୍ରଜନନ ବିହନ କୃଷି ବିଭାଗ, ରାଜ୍ୟ ବିହନ ନିଗମ ଏବଂ କୃଷି ବିଶ୍ବିଦ୍ୟାଳୟ ଅଧୀନରେ ଥିବା କ୍ଷେତ୍ରରେ ଚାଷ କରାଯାଇ ପିଣ୍ଡ ବିହନ ପ୍ରସ୍ତୁତ କରାଯାଏ। ଆବଶ୍ୟକତା ଅନୁଯାୟୀ ସ୍ଥଳବିଶେଷରେ ଅଗ୍ରଣୀ ଚାଷୀମାନଙ୍କ ମଧ୍ୟରେ ପିଣ୍ଡ ବିହନ ପ୍ରସ୍ତୁତ କରାଯାଇଥାଏ। ଏହି ପିଣ୍ଡ ବିହନକୁ ଗ୍ରାମ୍ୟ ବିହନ ଉତ୍ପାଦନ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥାଏ ଏବଂ ଏଥିରୁ ପ୍ରାମାଣିକ ବିହନ ଉତ୍ପାଦନ କରାଯାଇଥାଏ। ଏହି ପ୍ରାମାଣିକ ବିହନକୁ କୃଷି ବିଭାଗ ବିଭିନ୍ନ ବ୍ଲକରେ ଥିବା ତାହାର ବିକ୍ରୟ କେନ୍ଦ୍ରମାନଙ୍କ ଜରିଆରେ ଚାଷୀଙ୍କୁ ଯୋଗାଇଥାଏ।

 

ଓଡ଼ିଶା ରାଜ୍ୟ ବିହନ ନିଗମ ରାଜ୍ୟରେ ଚାଷ କରାଯାଉଥିବା ବିଭିନ୍ନ ପ୍ରକାର ଫସଲ ବିହନ ଯଥା : ଧାନ, ମକା, ମାଣ୍ଡିଆ, ହର, ମୁଗ, ବିରି, ବୁଟ, ମଟର, ଚିନାବାଦାମ, ରାଶି, ସୋରିଷ, ଅଳସୀ ଏବଂ ପନିପରିବା ବିହନ ଗ୍ରାମ ଉତ୍ପାଦନ ଯୋଜନାରେ ଉତ୍ପାଦନ କରିଥାଏ।

 

ଚାଷୀ ନିଜେ ତା’ର ଚିରାଚରିତ ଭାବେ ଧାନ ବିହନ ରଖି ତାକୁ ବ୍ୟବହାର କରିଥାଆନ୍ତି। ଏହି ଧାନକୁ ପରୀକ୍ଷା କରି ଦେଖାଯାଇଛି ଯେ, ପ୍ରାୟ ଅଧିକାଂଶ ବିଲରେ ଫସଲର ୫ରୁ ୧୫ ଭାଗ ମିଶା ଧାନଗଛ ଓ ବାଳୁଙ୍ଗା (ଅଣଧାନଗଛ) ମିଶି ରହିଛି। ଏହି ମିଶା ଧାନ ଯେ ଅମଳ କମ୍ ହେବା ସହିତ ଏଥିରୁ ରଖିଥିବା ବିହନ ନିମ୍ନମାନର ହୁଏ ଓ ଆଗାମୀ ଫସଲ ଉତ୍ପାଦନ ହ୍ରାସ ପାଏ।

 

ଓଡ଼ିଶାରେ ହାଇବ୍ରିଡ଼ ଧାନ ଚାଷର ପ୍ରବର୍ତ୍ତନ ଏକ ସମୟୋପଯୋଗୀ ପଦକ୍ଷେପ। ମାତ୍ର ଏ ସମ୍ପର୍କୀୟ ଜ୍ଞାନକୌଶଳ ଅନେକ ଚାଷୀଙ୍କ ନିକଟରେ ପହଞ୍ଚିପାରି ନାହିଁ। ସୁତରାଂ ରାଜ୍ୟ କୃଷି ସମ୍ପ୍ରସାରଣ କର୍ମଚାରୀମାନେ ଏ ଦିଗରେ ବିଶେଷ ଯନିବାନ ହେବା ଆବଶ୍ୟକ।

 

ଡାଲି ଓ ତୈଳଜାତୀୟ ଫସଲ ସାଧାରଣତଃ ଆମ ରାଜ୍ୟରେ ଦ୍ବିିତୀୟ କିମ୍ବା ତୃତୀୟ ଫସଲ ହିସାବରେ ଚାଷ କରାଯାଏ। କିନ୍ତୁ ଏ ପ୍ରକାର ଚାଷ ଆମ ଚାଷୀମାନେ ଠିକ୍ ଭାବରେ କରନ୍ତି ନାହିଁ। ଅଧିକ ଅମଳକ୍ଷମ ବିହନର ବ୍ୟବହାର ମଧ୍ୟ ସୀମିତ। ଫଳରେ ଉତ୍ପାଦନ କମ୍ ହେଉଛି। ଅନୁମୋଦିତ ପ୍ରଣାଳୀରେ ଖତ, ସାର ଓ ଅଧିକ ଅମଳକ୍ଷମ ବିହନର ବ୍ୟବହାର ଦ୍ବାରା ଆଦାୟ ଯଥେଷ୍ଟ ଅଧିକ ହୋଇପାରିବ, ଏଥିରେ ସନ୍ଦେହ ନାହିଁ।

 

ନୂତନ କୃଷି ନୀତର ପ୍ରଣୟନ ଓ ପ୍ରଚଳନ ଫଳରେ ଓଡ଼ିଶାର ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ ଓ ରାଜ୍ୟର ଅଧକାଂଶ କ୍ଷୁଦ୍ର, ନାମାମାତ୍ର ଓ ଭାଗଚାଷୀ ଆତ୍ମନିର୍ଭରଶୀଳ ହୋଇପାରିବେ। ଆମର କୃଷି ବୈଜ୍ଞାନିକମାନେ ଦିନକୁ ଦିନ ନୂଅ ନୂଆ କିସମର ଅଧିକ ଅମଳକ୍ଷମ ବିହନ ଉତ୍ପାଦନ କରି ଚାଷୀଙ୍କୁ ଯୋଗାଇବାକୁ ସମର୍ଥ ହୋଇପାରିଛନ୍ତି। କିନ୍ତୁ ଆମର ଚାଷୀ ଏହି ବିହନକୁ ବ୍ୟବହାର କରିବାର ଜ୍ଞାନକୌଶଳ ଶିଖିନାହାଁନ୍ତି। ଏଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସଚେତନ କରାଇବାର ଆବଶ୍ୟକତା ରହିଛି।

 

ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ବିହନ ନିଗମ

ଫୋନ୍-୯୪୩୭୩୧୮୭୩୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top