ସାଂସ୍କୃତିକ ରାହାଜାନୀ ଓ ଓଡ଼ିଆ ଭାଷା !

News Story - Posted on 2017-07-24

ସୁଭାଷ ଚନ୍ଦ୍ର ପଟ୍ଟନାୟକ

 

ବୁଝିବାକୁ  କଠିନ ହୋଇଥିବା ସତ୍ତ୍ବେ, ପୁରାତନ କବିତା ବା ଗୀତ ଏବେ ବି ସାଧାରଣ ଓଡ଼ିଆଟିଏ ଉଲ୍ଲସିତ ଚିତ୍ତରେ ଗାଇପାରେ।

 

ଚାରୁ ଚନ୍ଦ୍ରାନନା ଚମ୍ପକବରଣା କାଲି ଏହି ବାଟେ ଗଲା ରେ।

ଚଂଦ୍ର ଅବତଂଶ ନନ୍ଦନ ଜନମତିଥି ଚନ୍ଦ୍ର ମୋତେ କଲା ରେ।

 

ଏହା ବୁଝିବାକୁ କଷ୍ଟ; କିନ୍ତୁ ଏବେ ବି ଗାଉଁଲି ଓଡ଼ିଆଟିଏ ସ୍ବର ଲମ୍ବେଇ ଏହାକୁ ଗାଉଛି। ଏହାର ଲେଖକ କେଉଁ ପୁରସ୍କାର ପାଇଥିଲେ ଜଣା ନାହିଁ। କିଂତୁ ଏ ଲେଖାକୁ ଲୋକ ଖୋଜି ଆଣି ପଢୁଛି। ଅଥଚ ବହୁବ ପୁରସ୍କାର ପାଇଥିବା କବିଙ୍କ ଲେଖା –

 

ରାତି ଦୀର୍ଘ

ଚୁପ୍ ଚାପ୍ ସ୍ତବ୍ଧ

ଦୀପ ପରି ଡେଣା କଂପନୁଁ ବଂଚିତ

ତାରା ସବୁ ଝଡ଼ିଗଲେ ଅଂଧାରରେ ହୋଇ କକ୍ଷଚ୍ୟୁତ..

 

ବୁଝିବାକୁ ସହଜ ହେଲେ ବି ଲୋକେ ଏକୁ ମନେରଖନ୍ତିନି ବା ଖୋଜି ଆଣି ପଢ଼ନ୍ତିନି। ଅତଏବ, ସାହିତ୍ୟ ପ୍ରତି ଆସକ୍ତି ଓ ବିରକ୍ତି ଉଭୟ ବି ରହିପାରେ।

 

ସାହିତ୍ୟ ଆସେ ଭାଷାରୁ। ଭାଷା ଦେଇଥିବା ଶବ୍ଦରୁ। ସାହିତ୍ୟ ସାହିତ୍ୟିକଙ୍କର; କିନ୍ତୁ ଭାଷା ସାଧାରଣ ମଣିଷର। ଶବ୍ଦ ସାହିତ୍ୟ ପାଇଁ ଆସକ୍ତି ବା ବିରକ୍ତି ଉପୁଜାଏ। ଅଥଚ ଭାଷା ପାଇଁ ବିରକ୍ତି ନ ଥାଏ; ଥାଏ କେବଳ ଆସକ୍ତି। ସାହିତ୍ୟ ଆମ ମା’ ନୁହେଁ; ଭାଷା ଆମ ମା’; ଭାଷା ଆମ ମାତୃଭାଷା, ଆମ ଭାଷା ଜନନୀ। ସାହିତ୍ୟ ବିଗିଡି ଗଲେ ତାକୁ ସୁଧାରି ହେବ। ଯେମିତି ଦରବାରୀ ସାହିତ୍ୟ ବଦଳି ଗଲା ପ୍ରଗତିଶୀଳ ସାହିତ୍ୟକୁ। କ୍ଲୀଷ୍ଟ ଶବ୍ଦର ସାହିତ୍ୟ ବଦଳି ଯାଇ ପାରିବ ସରଳ ଶବ୍ଦର ସାହିତ୍ୟକୁ। ସାହିତ୍ୟ ପଣ୍ୟ ହୋଇପାରିବ; ଭାଷା ନୁହେଁ।

 

ସାହିତ୍ୟକୁ ନେଇ ବେପାର ବଣିଜ ଚାଲିଥିଲା, ଚାଲିଛି, ଚାଲିବ। ମାତ୍ର ଭାଷା ଆମ ମା’- ତାକୁ ନେଇ ବେପାର ବଣିଜ - ବଡ଼ ଦୁଃସହ।

 

ଏହି ଦୁଃସହ ଦୁଃଖ ଓଡ଼ିଶାରେ ଏବେ ଉଛୁଳି ଉଠୁଛି। କେତେକ ଭାଷା ବେପାରୀ ନିଜକୁ ଭାଷାବିତ୍ ବୋଲି କହି ଏପରି ଅନୈତିକ ଆଚରଣର କଳା ଇଲାକାକୁ ଟାଣି ନେଉଛନ୍ତି ଆମ ଭାଷାକୁ, ଯହିଁ ପ୍ରତି ସାରା ରାଜ୍ୟ ସତର୍କ ନ ହେଲେ ଆମ ଭାଷା ପାଇଁ ବି ବଢ଼ିଯିବ ସାଧାରଣ ମଣିଷ ମନରେ ବିରକ୍ତି। ଏହି ନିବନ୍ଧରେ ମୁଁ କେବଳ ଗୋଟିଏ ଉଦାହରଣ ଦେବି। ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଉପରେ ଏହା ଆଧାରିତ।

 

ଓଡ଼ିଶା ଓ ଓଡ଼ିଆ ସ୍ବାର୍ଥଥର ପ୍ରହରୀ ଭାବେ ଓଡ଼ିଶାମ୍ୟାଟର୍ସ.କମ୍‌ ହେଉଛି ଓଡ଼ିଶାର ପ୍ରଥମ ନଭଃମଂଚ। ଏହାକୁ 1999ରେ ମୁଁ ଆରମ୍ଭ କରିଥିଲେ ବି ଏହା ବିଧିବଦ୍ଧ ଭାବେ ଆତ୍ମପ୍ରକାଶ କଲା ସନ 2000ରେ। ଏଥିରେ 2006 ଏପ୍ରିଲ 3 ତାରିଖରେ ମୁଁ ଏକ ନିବନ୍ଧ ପ୍ରକାଶ କରିଥିଲି ଯାହାର ଶୀର୍ଷକ ଥିଲା ସୁପିରିଅର ଲାଙ୍ଗୁଏଜ୍ ଓଡ଼ିଅ ସଫର୍ସ ବିକଜ୍ ଅଫ୍ ଇନଫିରିଅର ଲିଡରଶିପ୍‌। ତହିଁରେ ଶାସ୍ତ୍ରୀୟ ସଂସ୍କୃତ ଠାରୁ ପ୍ରାଚୀନତର ଓଡ଼ିଆ ଭାଷା କିପରି ଭାଷାବିମୁଖୀ ନେତୃତ୍ବ ହେତୁ ସଂକଟରେ ପଡିଛି ସେ ସଂପର୍କରେ ଆଲୋଚନା ହୋଇଥିଲା। ଏହାର ପ୍ରାୟ ୪ ବର୍ଷ ପରେ ୨୦୧୦ ଜୁଲାଇ ୧୭ ତାରିଖରେ ଓଡିଶା ଲେଖକ ସାମ୍ମୁଖ୍ୟର ସଭାପତି ଶ୍ରୀଯୁକ୍ତ ସାତକଡ଼ି ହୋତା ଓଡ଼ିଆ ଭାଷା ପାଇଁ ଶାସ୍ତ୍ରୀୟ ମାନ୍ୟତା ସକାଶେ ଆଶୁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି କଲେ। ଅବଶେଷରେ ଏହି ମାନ୍ୟତା ୨୦୧୪ ମାର୍ଚ୍ଚ ୧୧ ତାରିଖରେ ବିଘୋଷିତ ହେଲା।

 

ମାତ୍ର ଭୁବନେଶ୍ବରରେ ଭାଷା ବେପାର କରୁଥିବା ଏକ ଘରୋଇ ସଂସ୍ଥା ଏହି ମାନ୍ୟତାର ଶ୍ରେୟ ହଡ଼ପ କରି ତହିଁର ପ୍ରୟୋଗ ଦ୍ବାରା ନିଜ ଆୟର ପଥ ସୁଗମ କରିବାକୁ ଏପରି ଧୂର୍ତ୍ତତା ଅବଲମ୍ବନ କରିଛି ଯେ ଓଡ଼ିଆ ଭାଷା ଜନନୀର ଜୀବନରେ ଏହି ଗୁରୁତ୍ବପୂର୍ଣ୍ଣ ଘଟଣାର ଇତିହାସ ଅପବିତ୍ର ହୋଇପଡ଼ିଛି।

 

ଶ୍ରୀଯୁକ୍ତ ହୋତାଙ୍କ ହେତୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଓଡିଶା ରାଜ୍ୟ ସରକାର ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ବାରା ଏକ ପ୍ରାମାଣିକ ଦଲିଲ ତିଆରି କରିଥିଲେ ବିଭିନ୍ନ ବିଦ୍ବାନଙ୍କୁ ବ୍ୟବହାର କରି।  ଏଥିରେ ଭାଷାବିତ୍ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ସୁବ୍ରତ କୁମାର ପୃଷ୍ଟି ଅନ୍ତର୍ଭୁକ୍ତ।  ଏ ଦିହେଁ ମିଶି ‘ଓଡ଼ିଆ ଭାଷା ଅଧ୍ୟୟନ ଓ ଗବେଷଣା ପ୍ରତିଷ୍ଠାନ’ (ଓ.ଭା.ଅ.ଗ.) ନାମକ ଏକ ଘରୋଇ ସଂସ୍ଥା ଗଢ଼ିଛନ୍ତି ଯାହା ଏକ ‘ଓଡ଼ିଆ ବିଶ୍ବବିଦ୍ୟାଳୟ’ ବସାଇବାକୁ ସରକାରଙ୍କ ସାହାଯ୍ୟ ଚାହୁଁଥିଲା। ଏଥିପାଇଁ ଏହା ନିଜେ ଗବେଷଣା କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଏକ ପ୍ରତିଷ୍ଠାନ ଭାବେ ପ୍ରମାଣପତ୍ର ଦେବାର ଆବଶ୍ୟକତା ଥିଲା। ଏହି ପ୍ରମାଣପତ୍ର ହାସଲ କରିବାକୁ କୌଶଳକ୍ରମେ ଏମାନେ ଭାଷା ପ୍ରତିଷ୍ଠାନ ପ୍ରସ୍ତୁତ କରିଥିବା ପ୍ରମାଣ ପରିପୂରିତ ଦଲିଲଟିକୁ ହାତେଇ ଓ.ଭା.ଅ.ଗ. ତାହାକୁ ପ୍ରସ୍ତୁତ କରିଥିବା କହି ନିଜକୁ ଏକ ଭାଷା-ଗବେଷଣା ସଂସ୍ଥା ଭାବେ ଦେଖାଇବାକୁ ଚେଷ୍ଟା କରିଛନ୍ତି।

 

ଏହି କାମରେ ଏମାନଙ୍କୁ ସାହାଯ୍ୟ କରିଛନ୍ତି କେତେକ ସ୍ଖଳିତ ରାଜନେତା ଓ ଆଇ.ଏ.ଏସ. ଅଫିସର। ଫଳରେ ଏକ କିମ୍ଭୁତକିମାକାର ପରିସ୍ଥିତି ଉପୁଜିଛି। ଓଡିଶା ସରକାର ଶାସ୍ତ୍ରୀୟ ମାନ୍ୟତା ପାଇଁ ଯେଉଁ ଯୁକ୍ତିପତ୍ର ତିଆରି କରିଥିଲେ ତାହାକୁ ଓ.ଭା.ଅ.ଗ. ତିଆରି କରିଥିବା ଦର୍ଶାଇ କେଆଇଏସ ଫାଉଂଡେସନ ନାମକ ସଂସ୍ଥା କ୍ଲାସିକାଲ ଓଡ଼ିଆ ଶୀର୍ଷକରେ ପ୍ରକାଶ କରିଛଂତି ଓ ଏହା ଖଣ୍ଡ ପ୍ରତି ଦେଢ଼ ହଜାର ଟଂକା ଦାମରେ ବିକ୍ରି ହେଉଛି। ଏଥିରେ ଭାଷାବିତ୍ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ‘ଲେଖକ’ ବୋଲି ଦର୍ଶାଯାଇଛି। ତାଙ୍କୁ ଓ ତାଙ୍କ ସହଯୋଗୀ ସୁବ୍ରତ କୁମାର ପୃଷ୍ଟିଙ୍କୁ ଏଥିପାଇଁ ଯୁଗ୍ମ ମାନ୍ୟତା ଦିଆଯାଇଥିଲା ବେଳେ ଖୁଣ୍ଟିଆ ଓ ତାଙ୍କ ରାଜନୀତିକ ସହଯୋଗୀମାନେ ମିଳିତ ଭାବେ ଏହାକୁ ତିଆରି କରିଥିବା କୁହା ହୋଇଛି।

 

ଏହା ଦ୍ବାରା ଆମ ମାତୃଭାଷା ଜୀବନରେ ଦୁଇଟି ଅଭୂତପୂର୍ବ ବିପତ୍ତି ଦେଖା ଦେଇଛି। ପ୍ରଥମଟି ହେଲା, ଭାଷା ଇତିହାସର ବିକୃତିକରଣ ଓ ଦ୍ବିତୀୟଟି ହେଲା, ଭାଷା ମାଫିଆର ଅଭ୍ୟୁତ୍ଥାନ।  

 

ନଥିପତ୍ର ଅନୁଧ୍ୟାନରୁ ଜଣା ଯାଏ, ସରକାରୀ ଦଲିଲଟି ଚୋରାରେ ରାମଚନ୍ଦ୍ର ଖୁଣ୍ଟିଆଙ୍କ ପାଖରେ ପହଂଚିଛି ଓ ସେ ତା’ର ରାଜନୈତିକ ଓ ବ୍ୟାବସାୟିକ ଉପଯୋଗ କରିଛନ୍ତି। ଏହି ଅପରାଧରେ ଦେବୀ ବାବୁ ଏବଂ ତାଙ୍କ ସହଯୋଗୀ ସୁବ୍ରତ କୁମାର ପୃଷ୍ଟି ଜଡିତ ଓ ଏହାର ଉପଭୋକ୍ତା। ଏହି ସମଗ୍ର ଘଟଣା ଏପରି ରହସ୍ୟାବୃତ୍ତ ଯେ, ଏବଂ ଏହି ଅପରାଧ ସହ ସେତେବେଳେ ମନ୍ତ୍ରୀ ଥିବା ଦୁଇଜଣ ବ୍ୟକ୍ତି ଯାହାଙ୍କ ମଧ୍ୟରୁ ଏବେ ବି ଜଣେ ମନ୍ତ୍ରୀ ଅଛନ୍ତି ଏବଂ ସେମାନଙ୍କ ସାଙ୍ଗକୁ ଶାସନ ସଚିବ ସ୍ତରୀୟ ଏପରି କିଛି ବ୍ୟକ୍ତି ଏତେ ପରିମାଣରେ ଜଡିତ ଯେ, ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ତଦନ୍ତ କରାଗଲେ ସତ ହୁଏତ ପଦାକୁ ଆସି ନ ପାରେ। ସୁତରାଂ କୌଣସି ବାହାର ସଂସ୍ଥା ବା କେନ୍ଦ୍ର ତଦନ୍ତ ବ୍ୟୁରୋ ଦ୍ବାରା ତଦନ୍ତ କରାଯାଇ ଓଡ଼ିଆ ଭାଷା ଉପରେ ଦେଖାଦେଇଥିବା ଉପରୋକ୍ତ ଦୁଇ ବିପତ୍ତିର ମୁଳୋତ୍ପାଟନ କରାଯାଉ ବୋଲି ଭାଷା ଆଂଦୋଳନ ଦାବି କରୁଛି।

 

ଘଟଣାଟି ହେଲା, ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦାବି କରିବାକୁ ମନ ସ୍ଥିର କରି ସେହି ଦାବି ସପକ୍ଷରେ ସପ୍ରମାଣ ଯୁକ୍ତିପତ୍ର ତିଆରି କରିବାକୁ ଓଡିଶା ସରକାର ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଆଦେଶ ଦେଲେ। ତହିଁର ନିର୍ଦ୍ଦେଶକ ସେତେବେଳେ ଥିଲେ ଅଧ୍ୟାପକ ହରିହର କାନୁନଗୋ। ସେ ଡଃ ଗଗନେନ୍ଦ୍ରନାଥ ଦାସ, ଡଃ ଖଗେଶ୍ବର ମହାପାତ୍ର, ଡଃ କୈଳାଶ ଚନ୍ଦ୍ର ଟିକାୟତରାୟ, ଡଃ ସ୍ନିଗ୍ଧା ତ୍ରିପାଠୀ, ଡଃ ବସନ୍ତ କୁମାର ପଂଡା ଓ ଡଃ ଅମୀୟ କୁମାର ପଟ୍ଟନାୟକଙ୍କୁ ନେଇ ଏକ କମିଟି ଗଠନ କରିଥିଲେ, ଯାହା ପରେ ପରିବର୍ଦ୍ଧିତ ହୋଇଥିଲା। ପ୍ରତିଷ୍ଠାନ ପ୍ରସ୍ତୁତ ଏକ ତାଲିକା ଅନୁଯାୟୀ ବିଭିନ୍ନ ବ୍ୟକ୍ତିଙ୍କଠାରୁ ତଥ୍ୟନିବନ୍ଧ ମଗାଯାଇ ସେଗୁଡିକୁ ଏକତ୍ର ସାନ୍ଧି, ତହିଁର ଇଂରାଜୀ ଭାଷା-ରୂପ ତିଆରି କରାଯାଇ ଦଲିଲଟି ଚୂଡ଼ାନ୍ତ କରାଗଲା ୩୧.୫.୨୦୧୩ ତାରିଖରେ। ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ସମେତ ସଭ୍ୟମାନେ ତଥା ଉପସ୍ଥିତ ମନ୍ତ୍ରୀ ଓ ସଚିବ ତହିଁରେ ସ୍ବାକ୍ଷର କରିଥିଲେ। ଅଥଚ ଏହି ଏକା ଦଲିଲକୁ ୧୦.୬.୨୦୧୩ ତାରିଖରେ ରାମଚନ୍ଦ୍ର ଖୁଂଟିଆ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି ନିଜର ଦଲିଲ ଭାବେ, ଯାହା ସେ ଦେବୀ ପ୍ରସନ୍ନ ପଟ୍ଟନାୟକ ଲେଖିଥିବା ଓ ସେ ଏବଂ ତାଙ୍କ ସହଯୋଗୀ ସୁବ୍ରତ କୁମାର ପୃଷ୍ଟିଙ୍କ  ଓ.ଭା.ଅ.ଗ. ଦ୍ବାରା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି। ସବୁଠୁ ମାରାତ୍ମକ କଥା ହେଲା, ୩୧.୫.୨୦୧୩ରେ ସ୍ବାକ୍ଷରିତ ଯେଉଁ ସରକାରୀ ଦଲିଲକୁ ରାମଚନ୍ଦ୍ର ଖୁଂଟିଆ ଦେବୀ ବାବୁଙ୍କ ଓ.ଭା.ଅ.ଗ. ଦ୍ବାରା ପ୍ରସ୍ତୁତ ଦଲିଲ ଭାବେ ଦାଖଲ କରିଛନ୍ତି ତହିଁରେ ସରକାରୀ କମିଟିର ସଦସ୍ୟମାନଙ୍କ ନାମ ତଥା ତଥ୍ୟପତ୍ର ଦେଇ ଏହି ଦଲିଲକୁ ଜନ୍ମ ଦେଇଥିବା ବିଦ୍ବାନମାନଙ୍କ ନାମ ଉତଖାତ ହୋଇ ଅନ୍ୟ ଲୋକଙ୍କ ନାମ ଖୋଦିତ ହୋଇଛି।

 

ଏପରି ସାଂସ୍କୃତିକ ରାହାଜାନି ଏଥି ପୂର୍ବରୁ କେବେ ଘଟି ନଥିଲା ଓଡ଼ିଶାରେ। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ସମସ୍ତ କର୍ମକର୍ତ୍ତା ଏହା ଜାଣନ୍ତି। ଏହା ଜାଣିଥିବା ହେତୁ, ଯେତେବେଳେ ଶାସ୍ତ୍ରୀୟ ମାନ୍ୟତା ଉତ୍ସବ ପାଳିତ ହେଲା ସରକାରୀ ସ୍ତରରେ ଦେବୀ ବାବୁଙ୍କୁ ଡକା ହୋଇ ନ ଥିଲା। ଦେବୀ ବାବୁ ଏହା ସ୍ବୀକାର କରି ଲେଖିଛନ୍ତି, ସାହିତ୍ୟ ଏକାଡେମୀ ଏଥିପାଇଁ ଯେଉଁ ସଭା ଡାକିଥିଲେ ସେଠିକି ମତେ ନିମନ୍ତ୍ରଣ ମଧ୍ୟ କଲେ ନାହିଁ। ମୁଁ ସେ ସଭାକୁ ଯାଇଥିଲି। ଏଥିରେ ପାଞ୍ଚଟି ବହି ଲୋକାର୍ପଣ କରାଗଲା। ଚାରୋଟିର ଲେଖକ/ ସମ୍ପାଦକଙ୍କୁ ମଂଚ ଉପରକୁ ଡକାଗଲା। ପଞ୍ଚମ, ଶାସ୍ତ୍ରୀୟ ମାନ୍ୟତା ପାଇଁ, ଯାହା ମୋ ତତ୍ବାବଧାନରେ ପ୍ରସ୍ତୁତ କରିଯାଇଛି ବୋଲି ସରକାର ନିଜେ ଛାପିଛନ୍ତି, ତା’ର ଲୋକାର୍ପଣ ବେଳେ ମତେ ଡାକାଗଲା ନାହିଁ।  (ସମାଜ ତା ୧୭ ଜୁଲାଇ ୨୦୧୬)।  ମୁଁ ସଂସ୍କୃତି ବିଭାଗର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କୁ ପଚାରିଥିଲି କି, ଏହି ଦଲିଲଟି ଲୋକାର୍ପିତ ହେଲାବେଳେ ସଭା କକ୍ଷରେ ଉପସ୍ଥିତ ଥିବା ଦେବୀ ବାବୁଙ୍କୁ ମଞ୍ଚକୁ ନ ଡାକିବା କ’ଣ ଉଚିତ ଥିଲା? ସେ ତତ୍କାଳ ଉତ୍ତର ଦେଇଥିଲେ, ତାଂକୁ? ଯିଏ ଆମ ଦଲିଲ ଚୋରିକରି ରାମ ଖୁଣ୍ଟିଆଙ୍କୁ ଦେଇଦେଲେ ତାଙ୍କୁ ଡାକିଥାନ୍ତୁ ମଂଚ ଉପରକୁ?  ମୁଁ ହତବାକ ହୋଇ ଯାଇଥିଲି।

 

ଏ ଭିତରେ ଡଃ ପଟ୍ଟନାୟକ ଦୁଇଟି ଦୈନିକ ଖବର କାଗଜରେ ଏକ ନିବନ୍ଧ ଲେଖି କହିଛନ୍ତି ଯେ, ଉଭୟ ସରକାରୀ ଓ ବେସରକାରୀ ଦଲିଲରେ ତହିଁର ପ୍ରସ୍ତୁତିର ଶ୍ରେୟ ତାଙ୍କୁ ହିଁ ଦିଆ  ଯାଇଛି; ସୁତରାଂ ଉଭୟ ଦଲିଲ ସମାନ ହେବା ସ୍ବଭାବିକ।  ଏହା ଓଡ଼ିଆ ଭାଷାର ଇତିହାସକୁ ବିକୃତ ଓ ବିଭ୍ରାନ୍ତ କରିଛି। ଆମ ଚଳନ୍ତି ଇତିହାସ ଏପରି ବିକୃତ ହେବା ଦୁର୍ଭାଗ୍ୟଜନକ।  ଏହାର ପ୍ରତିକାର ପାଇଁ ଶାସ୍ତ୍ରୀୟ ମାନ୍ୟତାର ପ୍ରକୃତ ଇତିହାସ ପ୍ରତିଷ୍ଠିତ ହେବା ଦରକାର। ସେଥିପାଇଁ ସିବିଆଇ ତଦନ୍ତ ଉପରେ ଆମେ ଗୁରୁତ୍ବ ଦେଉଛୁ।

 

ଓଡ଼ିଆ ଭାଷା ଜନନୀର ଜୟ ହେଉ।

 

ଅଧ୍ୟକ୍ଷ, ଭାଷା ଆନ୍ଦୋଳନ, ଓଡିଶା


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top