ଉପଗ୍ରହ-ଶିକ୍ଷାର ପତନ ପାଇଁ ଦାୟୀ କିଏ?

News Story - Posted on 2017-07-23

ସତ୍ୟ ନାରାୟଣ ସାହୁ

 

ଭାରତରେ ଅଗଷ୍ଟ ୧୯୭୫ ମସିହାରେ ଭାରତ ସରକାରଙ୍କର ଆଣବିକ ଶକ୍ତି ବିଭାଗ ଏବଂ ଆମରିକାର ନ୍ୟାସନାଲ ଏରୋନୋଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ ବା ନାସାର ସହାୟତାରେ ଆରମ୍ଭ କରାଯାଇଥିଲା ସାଟଲାଇଟ୍‌ ଇନ୍‌ଷ୍ଟ୍ରକ୍ସନାଲ ଟେଲିଭିଜନ ଏକ୍ସପେରିମେଣ୍ଟ ବା ଏସଆଇଟିଇ। ଲକ୍ଷ୍ୟ ଥିଲା ଗ୍ରାମାଂଚଳ ଜନସାଧାରଣଙ୍କୁ କୃଷି, ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଶିକ୍ଷା ଉପରେ ସଚେତନ କରାଇବା। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ତରଫରୁ  ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଆକାଶବାଣୀ ମାଧ୍ୟମରେ ଏହାର ପ୍ରସାରଣ କାରାଯାଉଥିଲା। ପ୍ରଥମ ପର୍ଯ୍ୟାୟରେ ଓଡିଶା ସମେତ ରାଜସ୍ଥାନ, ବିହାର, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକର ସମୁଦାୟ ୨୦ଟି ଜିଲ୍ଲାର ୨୪୦୦ ଗ୍ରାମକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ୟୁଏନଡିପି, ୟୁନିସେଫ, ୟୁନେସକୋ, ଏବଂ ଆଇଟିୟୁ ଭଳି ଆର୍ନ୍ତଜାତୀୟ ସଂସ୍ଥାମାନେ ଏଥିପାଇଁ ସହାୟତାର ହାତ ବଢ଼ାଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ପ୍ରଚେଷ୍ଟାରେ ଓଡିଶାର ସମ୍ୱଲପୁର, ଢେଙ୍କାନାଳ ଏବଂ ବୌଦ-ଫୁଲବାଣି ଜିଲ୍ଲାଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା।

 

ଏହି କାର୍ଯ୍ୟକ୍ରମକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା। ପ୍ରଥମଟି ଥିଲା ଏଜୁକେସନାଲ ଟେଲିଭିଜନ ବା ଇଟିଭି, ଯେଉଁଥିରେ ବିଦ୍ୟାର୍ଥୀମାନଙ୍କ ପାଇଁ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରାଯଉଥିଲା। ସେ ସମୟରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଲକ୍ଷରୁ ଊର୍ଦ୍ଧ୍ବ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରି ସେମାନଙ୍କର ଦକ୍ଷତା ବୃଦ୍ଧି କରାଯାଇ ପାରିଥିଲା। ହିନ୍ଦି, ଓଡିଆ, ତେଲୁଗୁ ଓ କନ୍ନଡ଼ ଭାଷାରେ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରାଯାଇ ରବିବାର ବ୍ୟତିତ ଅନ୍ୟ ୬ ଦିନରେ ପ୍ରତିଦିନ ଦେଢ ଘଂଟାର କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା। କାର୍ଯ୍ୟକ୍ରମର ଅନ୍ୟ ଦିଗଟି ଥିଲା ଇନଷ୍ଟ୍ରକ୍ସନାଲ ଟେଲିଭିଜନ ବା ଆଇଟିଭି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିରକ୍ଷର ବୟଷ୍କଙ୍କପାଇଁ ସ୍ୱାସ୍ଥ୍ୟ, ସ୍ୱଛତା, ପରିବାର ନିୟନ୍ତ୍ରଣ, ପୁଷ୍ଟିକର ଆହାର, କୃଷିର ଉନ୍ନତି ସର୍ବୋପରି ଜାତୀୟତବାଦ ଉପରେ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରାଯାଇ ୨ ଘଂଟା ୩୦ ମିନିଟ ସମୟ ପାଇଁ ପ୍ରସାରଣ କରାଯାଉଥିଲା। କାର୍ଯ୍ୟକ୍ରମଗୁଡିକର ଗବେଷଣା ଓ ମୁଲ୍ୟାୟନ ପାଇଁ ଟାଟା ଇନିଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସର ଅଧ୍ୟକ୍ଷ ଏମ.ଏସ. ଗୋରେଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଢାଯାଇ ଥିଲା। କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ବମ୍ୱେରେ ଏହାର ଷ୍ଟୁଡିଓ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରାଥମିକ ଶିକ୍ଷାର ବ୍ୟାପକ ପ୍ରସାର ପାଇଁ  ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟେନିଂ ବା ଏନସିଇଆରଟିକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଗଲା।

 

ପ୍ରଥମରୁ ଏଟିଏସ-୬ ଉପଗ୍ରହ ମାଧ୍ୟମରେ ଏହାର ପ୍ରସାରଣ କରାଯାଉଥିଲା। ସପ୍ତମ ପଂଚବାର୍ଷିକୀ ଯୋାଜନାରେ ୧୯୮୨ ମସିହାରେ ଭାରତର ନିଜସ୍ୱ ନିର୍ମିତ ଉପଗ୍ରହର ଇଣ୍ଡିଆନ ନ୍ୟାସନାଲ ସାଟେଲାଇଟ୍‌ ସିଷ୍ଟମ ବା ଇନସାଟର ଉତକ୍ଷେପଣ ପରେ ଏହି କାର୍ଯ୍ୟକ୍ରମକୁ ଇନସାଟ ନାମରେ ପରିବର୍ତ୍ତନ କରାଯାଇ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଗଲା। କେନ୍ଦ୍ର ସରକାରଙ୍କର ଶିକ୍ଷା ଏବଂ ସଂସ୍କୃତି ବିଭାଗ ତରଫରୁ ୧୯୮୪ ମସିହାରେ ଇନସାଟ ଉପଗ୍ରହ ଉପଲବ୍ଧ ହେଉଥିବା ରାଜ୍ୟ ଯଥା, ଉତ୍ତର ପ୍ରଦେଶ, ବିହାର, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ଓଡିଶାରେ ରାଜ୍ୟ ଶିକ୍ଷା ପ୍ରାଦ୍ୟୋଗୀକି ପ୍ରତିଷ୍ଠାନ ବା ଏସଆଇଇଟି ମାନ ଏବଂ ନୂଆଦିଲ୍ଲୀରେ କେନ୍ଦ୍ରୀୟ ଶିକ୍ଷା ପ୍ରାଦ୍ୟୋଗୀକି ସଂସ୍ଥାନ ବା ସିଆଇଇଟି ପ୍ରତିଷ୍ଠା କରାଯିବାର ନିଷ୍ପତି ନିଆଯାଇଥିଲା। ଏହା ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଭାବରେ ଓଡିଶା ରାଜ୍ୟ ସରକାରଙ୍କର ଶିକ୍ଷା ଏବଂ ଯୁବ କଲ୍ୟଣ  ବିଭାଗ ଅଧୀନରେ ଆରମ୍ଭ ହେଲା।

 

ସଂସ୍ଥାଟି ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର କୌଣସି ପରିସ୍ଥିତିରେ ରାଜ୍ୟରେ ଇନସାଟ କାର୍ଯ୍ୟକ୍ରମକୁ ବନ୍ଦ କରାଯିବ ନାହିଁ ବୋଲି କେନ୍ଦ୍ରକୁ ଏକ ଲିଖିତ ପ୍ରତିଶୃତି ଦେଇଥିଲେ। ରାଜ୍ୟ ସରକାରଙ୍କ ପ୍ରଦତ୍ତ ୪ ଏକର ପରିମିତ ଜମି ଉପରେ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଇସ୍ରୋ ଦ୍ୱାରା ଏହାର ଗୃହ କାର୍ଯ୍ୟ ସଂପନ୍ନ ହେଲାପରେ ତା୧୩. ୦୩.୧୯୮୭ରିଖରୁ ଏହାର ସମସ୍ତ କାର୍ଯ୍ୟ ନିଜସ୍ୱ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ହେଲା। କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଉନ୍ନତ ଯନ୍ତ୍ରପାତି ଯୋଗାଇ ଦେବା ସହ ଏକ ଅତ୍ୟାଧୁନିକ ଷ୍ଟୁଡିଓ ନିର୍ମାଣ କରିଥିଲେ। ନବେ ଦଶନ୍ଧିରେ ଏସଆଇଇଟି ଓଡିଶା ଦ୍ୱାରା ପ୍ରସ୍ତୁତ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଚହଳ ପକାଇଥିଲା। ୨୦୦୪ ମସିହାରେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାର ଏଡୁସାଟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରଥମ ଦଫାରେ ଏସଆଇଇଟିରେ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରାଯାଇ ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ‘କିରଣ’ ଏବଂ ‘ଧ୍ୱନି’ ନାମରେ ପ୍ରସାରତି ହେଇ ଘରେ ଘରେ ଆଦୃତ ହୋଇ ପାରିଥିଲା। କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ବିଦ୍ୟଳୟଗୁଡିକୁ ରଂଗୀନ ଟେଲିଭିଜନ ସେଟ ଏବଂ ରେଡିଓ-କମ୍‌-କ୍ୟାସେଟ ପ୍ଲେୟାର ବା ଆରସିସିପି ଯୋଗାଇ ଦିଆଯାଇଥିଲା। ବିଦ୍ୟାର୍ଥୀମାନେ କଳାପଟା ଏବଂ ଶିକ୍ଷକ ବିନା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାଠ ପଢି ପାରୁଥିଲେ।

 

୨୦୦୪ ମସିହାରେ ଇନସାଟ ଯୋଜନାର ନୂତନ ସଂସ୍କରଣ ଆଇସିଟି ଇନ ସ୍କୁଲ ଭାବରେ ନାମରେ ନାମିତ ହେଲା। କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ପ୍ରତ୍ୟେକ ବିଦ୍ୟାଳୟରେ କମ୍ପ୍ୟୁଟର ଲାବ୍‌ ପ୍ରତିଷ୍ଠା କରାଯାଇ ଇଂଟର୍ନେଟ ସଂଯୋଗୀକରଣ କରାଯିବ। ଏସଆଇଇଟିରେ ପ୍ରସ୍ତୁତ କାର୍ଯକ୍ରମ ଗୁଡିକ େୱବସାଇଟରେ ଅପଲୋଡ କାରଯିବା ସହ ସିଡି ଓ ଡିଭିଡି ପ୍ରସ୍ତୁତ କାରାଯିବ ଓ ବିଦ୍ୟାର୍ଥୀମାନେ ଇଂଟର୍ନେଟ ଏବଂ ସିଡି ଡିଭିଡି ମାଧ୍ୟମରେ ଶିକ୍ଷା ଲାଭ କରପାରିବେ। ଏହା ର୍ହି ଥିଲା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ। ଦୁର୍ଭାଗ୍ୟର ବିଷୟ ଠିକ ଏହି ସମୟରେ ରାଜ୍ୟ ସରକାରଙ୍କ ଅଣଦେଖାରୁ ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ନକରିବା ତଥା ପରିଚାଳନାଗତ ତ୍ରୁଟି ପାଇଁ ଏସଆଇଇଟି ନିଜର ଅସ୍ତିତ୍ୱ ହରାଇ ବସିଲା। କର୍ମଚାରୀମାନଙ୍କ ବାରମ୍ୱାର ନିବେଦନ ସତ୍ତ୍ବେ ରାଜ୍ୟ ସରକାର ଏହି ସଂସ୍ଥାପାଇଁ ଏକ ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତ କଲେନାହିଁ। ସଂସ୍ଥାଟିପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନ କ୍ରମେ ୧୧୮ଟି ପଦବୀ ସୃଷ୍ଟି କରାଯାଇ ଏଥିରେ ନିଯୁକ୍ତି ଦିଆଯାଇଥିଲା। ୨୦୦୦୨ ମସିହାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅର୍ଥ ବିଭାଗର ଅନୁମୋଦନ କ୍ରମେ ଏହି ସଂସ୍ଥାପାଇଁ ନିଯୁକ୍ତି ପାଇଥିବା ୬୩ ଜଣ କର୍ମଚାରୀଙ୍କ ଡେପୁଟେସନ ଚଂଚକତାର ସହିତ ମଞ୍ଜୁର କଲେ। ଏହାକୁ ଭିତ୍ତି କରି ୨୦୦୪ ମସିହାରେ କେନ୍ଦ୍ର ସରକାରଙ୍କ ମାନବ ସମ୍ୱଳ ବିଭାଗ ଡେପୁଟେଡ କର୍ମଚାରୀଙ୍କୁ ଫେରାଇ ନନେଲେ ସେମାନଙ୍କ ଦରମା ବାବଦକୁ ଅର୍ଥ ଦେବେ ନାହିଁ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ଏକ ଚିଠି ଦେଇଥିଲେ। ଦରମା ନପାଇ କର୍ମଚାରୀମାନେ ହନ୍ତସନ୍ତ ହେବା ପରେ ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ଦରମା ପାଇଁ ବ୍ୟବସ୍ଥା କଲେ।

 

ଧୀରେ ଧୀରେ ଅବସ୍ଥା ସୁଧୁରୁଥିବାବେଳେ ହଠାତ ଗଣଶିକ୍ଷା ବିଭାଗ ୨୯.୦୩.୨୦୧୨ ମସିହାରେ ଏକ ବିଜ୍ଞପ୍ତି ଜାରି କରି ଏଠାରୁ ୪୫ ଜଣ କର୍ମଚାରୀଙ୍କୁ ଅପସାରଣ କରି ନେଲେ ଓ ଏହାର ଏକ ବର୍ଷ ପରେ ଅର୍ଥାତ ୨୯.୦୪.୨୦୧୩ ତାରିଖରେ ଏସଆଇଇଟିକୁ ‘କେନ୍ଦ୍ର ସରକାର ଅନୁଦାନ ବନ୍ଦ’ ଏବଂ ‘କେନ୍ଦ୍ର ସରକାର ଏହାକୁ ବନ୍ଦ କରିଦେଲେ’ ଦର୍ଶାଇ ଏହାକୁ ବନ୍ଦ କରିଦେଲେ। କେନ୍ଦ୍ର ସରକାରଙ୍କ ନାମରେ ମିଥ୍ୟା ଚିଠି ପାଇଁ  ଗତ ୨୬.୦୪.୨୦୧୭ ତାରିଖରେ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟରେ ନିସର୍ତ୍ତ କ୍ଷମା ପ୍ରର୍ଥନା କରିଛନ୍ତି। ପୁନଶ୍ଚ ଆଇସିଟି କାର୍ଯ୍ୟକ୍ରମର ବିଫଳତାକୁ ଦେଖି ରାଜ୍ୟ ସରକାର ଜୁଲାଇ ୬, ୨୦୧୭ ତାରିଖରେ ଏଡୁସାଟ କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ ପାଇଁ ନିଷ୍ପତି ନେଇଛନ୍ତି।

 

ଏଠାରେ ରାଜ୍ୟ ସରକାରଙ୍କ ପାଇଁ ଏକ ପ୍ରଶ୍ନ, ସଂପୂର୍ଣ୍ଣ ଭିତ୍ତିଭୂମି ଏବଂ କୁଶଳୀ କର୍ମଚାରୀ ଥିବା ଏକ ଅନୁଷ୍ଠାନକୁ ବନ୍ଦ କରି କିଛି କର୍ମଚାରୀମାନଙ୍କୁ ଅନ୍ୟତ୍ର ଦରମା ପ୍ରଦାନ ଓ କିଛି କର୍ମଚାରୀଙ୍କୁ ଛଟେଇ କରି କେଉଁ ପରିସ୍ଥତିରେ ପୁନଶ୍ଚ ଏଡୁସାଟ କାର୍ଯ୍ୟକ୍ରମକୁ ଆରମ୍ଭ କରିବାକୁ ଯାଉଛନ୍ତି? ଏସଆଇଇଟିକୁ ଚଂଚକତା କରି ବନ୍ଦ କଲାପରେ ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟ ସରକାର ନିଶ୍ଚିତ ଭାବରେ ଏହାର ଗୁରୁତ୍ୱ ଉପଲବ୍ଧ କରିପାରୁଛନ୍ତି। ସେଥିପାଇଁ ବିଜ୍ଞାନ ଓ କାରୀଗର କୌଶଳ ବିଭାଗରେ ଏହାର ପୁନର୍ବିନ୍ୟାସ ପାଇଁ ଉଦ୍ୟମ କରୁଛନ୍ତି।

 

ଏମ-୭୨, ବରମୁଣ୍ଡା ହାଉସିଂବେର୍ଡ କଲୋନୀ, ଭୁବନେଶ୍ୱର,୭୫୧୦୦୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top