ପରିବେଶର କ୍ଷତି କରିବ ସ୍ମାର୍ଟ ସିଟି!

News Story - Posted on 2017-07-22

ଉପଯୁକ୍ତ ଭିତ୍ତିଭୂମି ଓ ଦରକାରୀ ସୁବିଧା ନହେଲେ ଭାରତର ସ୍ମାର୍ଟ ସିଟି ପରିକଳ୍ପନା ପରିବେଶ ଉପରେ ଅତ୍ୟନ୍ତ ଭୟଙ୍କର ପ୍ରଭାବ ପକାଇବାର ଆଶଙ୍କା ରହିଛି । ବଢ଼ତି ସହରୀ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଭାରତ ସରକାର ଦେଶରେ ୧୦୦ ସ୍ମାର୍ଟ ସିଟି ବିକଶିତ କରିବା ପାଇଁ ଯୋଜନା କରିଛନ୍ତି । କିନ୍ତୁ ଇଂଲଣ୍ଡର ଲିଙ୍କନ ବିଶ୍ୱବିଦ୍ୟାଳୟର ଗବେଷଣା ଅନୁସାରେ ପରିବେଶ ଉପରେ ଏହାର ଭୟଙ୍କର କୁପ୍ରଭାବ ପଡ଼ିବ ।

 


ସ୍ମାର୍ଟ ସିଟି ପ୍ରକଳ୍ପ ଜରିଆରେ ଭାରତର ଅନେକ ସହରରେ ୪-୫ ତାଲା ଘରଗୁଡ଼ିକ ୪୦-୬୦ ତାଲାରେ ପରିଣତ ହୋଇପାରନ୍ତି । ଏପରି ବିକାଶ ପରିପୋଷଣୀୟ, ସ୍ମାର୍ଟ ଓ ପରିବେଶ ସହନଶୀଳ ହେବ ବୋଲି ୨୦୧୫ ମସିହାରେ ଘୋଷଣା କରିଥିଲେ ଭାରତ ସରକାର । କିନ୍ତୁ ସେତେବେଳେ ପରିବେଶ ଉପରେ ସ୍ମାର୍ଟ ସିଟି ପ୍ରକଳ୍ପର କି ପ୍ରଭାବ ପଡ଼ିବ ତାହା ଆକଳନ କରାଯାଇ ନଥିଲା ।

 


ସ୍ମାର୍ଟ ସିଟି ପ୍ରକଳ୍ପର ପ୍ରଚାର ଓ ବିକାଶ ସଙ୍ଗେସଙ୍ଗେ ଏସବୁ ସହରରେ ଜନସଂଖ୍ୟା ବୃଦ୍ଧି ପାଇବା ନିଶ୍ଚିତ । ଅଧିକ ଲୋକ ରହିବା ଭଳି ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ହେବ ଓ ଏହି ଲୋକମାନେ ରହିବେ । କିନ୍ତୁ ସହରରେ ଅଧିକ ଲୋକ ରହିଲେ ସେମାନଙ୍କ ଚଳଣି ପାଇଁ ଅଧିକ ବିଦ୍ୟୁତ ଓ ଅଧିକ ପାନୀୟ ଜଳର ଆବଶ୍ୟକତା ପଡ଼ିବ । ତାହା କୁଆଡ଼ୁ ଆସିବ? ପୁଣି ଅଧିକ ଲୋକ ଅଧିକ ଆବର୍ଜନାର କାରଣ ହେବେ । ଅଧିକ ଲୋକଙ୍କ ଯୋଗୁଁ ସହରରେ ଅଧିକ କଠିନ ବର୍ଜ୍ୟବସ୍ତୁ, ଅଧିକ ଗ୍ରୀନ ହାଉସ ଗ୍ୟାସ ଓ ଅଧିକ ନର୍ଦ୍ଦମା ନିର୍ଗତ ହେବ । ତାହାକୁ କିପରି ପରିଚାଳନା କରାଯିବ?

 


ଭାରତ ସରକାର ମୁମ୍ବାଇର ୧୬.୫ ଏକର ପରିମିତ ଭେଣ୍ଡି ବଜାରକୁ ସ୍ମାର୍ଟ ସିଟି ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି । ଏହି ସ୍ମାର୍ଟ ପ୍ରକଳ୍ପର ସମୀକ୍ଷା କରିଥିଲେ ଲିଙ୍କନ ବିଶ୍ୱବିଦ୍ୟାଳୟର ଗବେଷକ ଦଳ । ସେଥିପାଇଁ ସେମାନେ ସହରକୁ ଆସୁଥିବା ସମ୍ବଳ ଓ ନିର୍ଗତ ହେଉଥିବା ଆବର୍ଜନା ଇତ୍ୟାଦିର ଆକଳନ କରିଥିଲେ । ଏହା ସହିତ ଜନସଂଖ୍ୟା, ଆବାସ, ପାର୍କିଂ ସ୍ଥାନ, ମୁକ୍ତ ଅଂଚଳ, ସଡ଼କ ଓ ଲ୍ୟାଣ୍ଡସ୍କେପ ଆଦି ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା ।

 

ଭେଣ୍ଡି ବଜାର ପରି ସମଗ୍ର ମୁମ୍ବାଇକୁ ଯଦି ସ୍ମାର୍ଟ ସିଟି ଭାବେ ବିକଶିତ କରାଯାଏ ତେବେ ତାହାର କି ପ୍ରଭାବ ପଡ଼ିବ ସେନେଇ ଏହି ଗବେଷକ ଦଳ ବୈଜ୍ଞାନିକ ପଦ୍ଧତି ପ୍ରୟୋଗ କରି ସମୀକ୍ଷା କରିଛନ୍ତି । ଏଭଳି ସହରରେ ଅନେକ ସମୟରେ ବିଦ୍ୟୁତ କାଟ ହେବ ବା ଲୋକେ ବିଦ୍ୟୁତ ବ୍ଲାକ ଆଉଟ ଭୋଗିବେ । ସେହିପରି ନର୍ଦ୍ଦମା ଓ ଆବର୍ଜନାର ଉପଯୁକ୍ତ ପରିଚାଳନା ଅଭାବରୁ ଜନସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବ । ପରିବେଶ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ିବା ସୁନିଶ୍ଚିତ ।

 

ସହର ଯୋଜନା କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରଫେସର ହୁଗ୍ ବାୟର୍ଡ଼ କହିଛନ୍ତି ଯେ ସ୍ମାର୍ଟ, ବିଶ୍ୱ ସ୍ତରୀୟ, ଜୀବନଯୋଗ୍ୟ, ସବୁଜ ଓ ପରିବେଶବନ୍ଧୁ ପରି ଶବ୍ଦ ଯୋଡ଼ି ଯେଉଁସବୁ ସହର ବିକାଶ ପାଇଁ ଚିନ୍ତା କରାଯାଉଛି ତାହା ପ୍ରକୃତିରେ କେତେ ସ୍ମାର୍ଟ ସେନେଇ କେହି ସ୍ପଷ୍ଟ ନୁହନ୍ତି । ସ୍ମାର୍ଟ ସହରର ବଢ଼ତି ଜନସଂଖ୍ୟା ପାଇଁ ସରକାର କେଉଁଠୁ ଅଧିକ ବିଜୁଳି ଓ ପାଣି ଆଣିବେ ତାହା ଏଯାଏଁ ଚିନ୍ତା କରି ନାହାନ୍ତି । ସେହିପରି ସେମାନଙ୍କ ଗାଡ଼ି ପାର୍କିଂ ପାଇଁ କେଉଁଠି ସୁବିଧା ହେବ ସେ କଥା ମଧ୍ୟ ସ୍ଥିର ହୋଇନାହିଁ । ସେମାନଙ୍କ ଚଳଣିରୁ ବାହାରୁଥିବା ଅଳିଆ ଆବର୍ଜନ କେଉଁଠି କିପରି ପକାଯିବ ବା ଶୋଧନ କରାଯିବ ସେ ବାବଦରେ ମଧ୍ୟ ନିର୍ଦ୍ଦିଷ୍ଟ ଯୋଜନା କିଛି ନାହିଁ ।

 

ଏହିସବୁ କାରଣରୁ ସ୍ମାର୍ଟ ସିଟି ପ୍ରକଳ୍ପ ଏହିସବୁ ସହରର ପରିବେଶ ପ୍ରତି ବିପଜ୍ଜନକ ହୋଇପାରେ । ଏହାର ପ୍ରଭାବରେ ଅଧିକ ଲୋକ ସ୍ୱାସ୍ଥ୍ୟ ସମସ୍ୟା ଭୋଗ କରିପାରନ୍ତି । ସରକାର ଏସବୁ ବିଷୟ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଏହି ଗବେଷଣା ରିପୋର୍ଟରେ ପରାମର୍ଶ ଦିଆଯାଇଛି । ରିପୋର୍ଟଟି ଜର୍ଣ୍ଣାଲ ଅଫ୍ କଣ୍ଟେମ୍ପୋରାରି ଅର୍ବାନ ଆଫାୟାର୍ସରେ ପ୍ରକାଶ ପାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top