ସାମ୍ବାଦିକର ସମ୍ମାନର ପ୍ରଶ୍ନ

News Story - Posted on 2017-07-22

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଓଡ଼ିଶାର ଗୋଟିଏ ଅଂଚଳର ସାମ୍ବାଦିକମାନଙ୍କୁ ୫୦୦ ଟଙ୍କା ଲେଖାଏଁ ଦିଆଯିବା ଘଟଣାକୁ ନେଇ ଜୁଲାଇ ୨୧ ତାରିଖରେ ଏକ ବିବାଦ ଉଠିଥିଲା । ଏ ବିଷୟ ବିଭିନ୍ନ ଖବରକାଗଜ ଓ ଟେଲିଭିଜନ ଚାନେଲରେ ଖବର ହୋଇଛି । ଏଥିରେ ଓଡ଼ିଆ ସାମ୍ବାଦିକଙ୍କର କେଇ କଡ଼ାର ଇଜ୍ଜତ ତଳେ ପଡ଼ିଲା ତାହା ସେମାନେ ହିସାବ କରିବା ଉଚିତ ।


ଓଡ଼ିଶାରେ ସାମ୍ବାଦିକମାନଙ୍କୁ ଏପରି ଟଙ୍କା ବଣ୍ଟାଯିବା କିଛି ନୂଆ କଥା ନୁହେଁ । କିଛି ବର୍ଷ ପୂର୍ବରୁ ପୁରୀରେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସାମ୍ବାଦିକମାନଙ୍କୁ ୩୦୦ ଟଙ୍କା ଲେଖାଏଁ ମିଳିଥିଲା । ତାହାକୁ ମଧ୍ୟ ସାମ୍ବାଦିକମାନେ ବିରୋଧ କରିଥିଲେ ।


କଥା ହେଉଛି, ସାମ୍ବାଦିକମାନଙ୍କୁ ଏଭଳି ନେତାମାନେ ତିନିଶ ପାଁଶ ଦେବାକୁ ସାହସ କରୁଛନ୍ତି କିପରି? ସେମାନଙ୍କର ଦବାର ଅଭ୍ୟାସ ଅଛି ନା ଏମାନଙ୍କର ନବାର ଅଭ୍ୟାସ ଅଛି? ସାମ୍ବାଦିକମାନେ କାହାଠାରୁ ଏମିତି ଟଙ୍କା ନେଉ ନଥିଲେ ସାଂସଦ ଓ ମନ୍ତ୍ରୀ ଟଙ୍କା ଦେଇ ନଥାନ୍ତେ ନିଶ୍ଚୟ ।

 

ସାମ୍ବାଦିକମାନେ କ’ଣ ଗିଫ୍ଟ ଭାଉଚର ନିଅନ୍ତି ନାହିଁ? ଜିନିଷ ଉପହାର ନିଅନ୍ତି ନାହିଁ? ଭୋଜିଭାତ ଖାଆନ୍ତି ନାହିଁ? ମଦ ପିଅନ୍ତି ନାହିଁ? ଗାଡ଼ିଭଡ଼ା ନିଅନ୍ତି ନାହିଁ?

 

ଓଡ଼ିଶାରେ ଏହା ଏକ ସଂସ୍କୃତିରେ ପରିଣତ ହୋଇଗଲାଣି । ପ୍ରେସ୍ କନ୍ଫରେନ୍ସ ମାନେ ଚାଜଳଖିଆ ନହେଲେ ଲଞ୍ଚ ବା ଡିନର । ତା’ ସହିତ ଉପହାର । ବ୍ୟାବସାୟିକ ସଂସ୍ଥା ଡାକିଥିଲେ ଉପହାର । ପୂଜା ଓ ଦୀପାବଳିରେ ଭେଟି । ମଝିରେ ମଝିରେ ଷ୍ଟାର ହୋଟେଲ ଓ କ୍ଲବରେ ଅଧରାତି ଯାଏଁ ମଦ୍ୟପାନର ନିମନ୍ତ୍ରଣ ।

 

ସେମାନଙ୍କ ପାଇଁ ଏସବୁ ସୌଜନ୍ୟ ହୋଇପାରେ । କିନ୍ତୁ ଏ ସୌଜନ୍ୟତାରେ କାହାର ସମ୍ମାନ ରହୁଛି ବା ଯାଉଛି?

 

କଥାରେ ଅଛି, ଲୁଣ ଖାଇବ ଯିଏ ଗୁଣ ଗାଇବ ସିଏ । ସାମ୍ବାଦିକମାନେ ଯଦି କାହାର ଲୁଣ ଖାଇବେ ତାଙ୍କର ଗୁଣ ଗାଇବେ ନା ନିନ୍ଦାଗାନ କରିବେ? କିଏ କ’ଣ ମାଗଣାରେ ଉପହାର ଓ ଟଙ୍କା ଦିଏ? ତା’ର ଫାଇଦା କ’ଣ? କେଇ ଟଙ୍କା ଖର୍ଚ୍ଚ କରି ଯଦି ଭଲ ପ୍ରଚାର ହେଉଛି ତେବେ ସେ ସୁଯୋଗ କାହିଁକି କିଏ ଛାଡ଼ିବ?

 

ବଜାରରେ ହଜାରେ ସଂସ୍ଥାର ହଜାରେ ମାର୍କେଟିଂ ଏଜେଣ୍ଟ ଅଛନ୍ତି । ଆଉ କେଇ ଶହ ସେଇ ତାଲିକାରେ ଯୋଡ଼ିହେଲେ ଅସୁବିଧା କ’ଣ? ବରଂ କମ୍ ଖର୍ଚ୍ଚରେ ଅଧିକ ପବ୍ଲିସିଟି । ପୁଣି ସତକୁ ଚାପିଦେବାର ସହଜ ଉପାୟ । ତେଣୁ ସେମାନେ ଦେବେ । ସେମାନେ ଜାଣିଛନ୍ତି ସେମାନେ କ’ଣ?
ସେମାନେ ବି ଜାଣିଛନ୍ତି ଏମାନେ କ’ଣ?

 

ଗଣମାଧ୍ୟମ ଗଣଙ୍କଠାରୁ ଦୂରେଇ ଯାଇ ନେତା ଓ କଂପାନୀଙ୍କ ମୁଖପତ୍ର ହେବାକୁ ଚେଷ୍ଟା କଲେ ଇଜ୍ଜତ ଏମିତି ବିକ୍ରି ହୁଏ । ମାଲିକମାନେ ବିଜ୍ଞାପନ ପାଇଁ ବିକ୍ରି ହେବେ । ସଂପାଦକମାନେ ଘରଦ୍ୱାର କରିବେ, ଭାରତ ଭ୍ରମଣରେ ଯିବେ । ସାମ୍ବାଦିକମାନେ ଲଫାପା ପାଇବେ ।
କଥାରେ ଅଛି, ଆଲୋ ସଖୀ ଆପଣା ମହତ ଆପେ ରଖି!

 

ସାମ୍ବାଦିକ ଯଦି ନିଜର ସମ୍ମାନ ଓ ସ୍ୱାଭିମାନ ଜଗିବ ନାହିଁ ତେବେ ନେତା, ବାବୁ ଓ ବ୍ୟବସାୟୀମାନେ ତାଙ୍କୁ ଇଜ୍ଜତ କାହିଁକି ଦେବେ?


ପ୍ରତିକ୍ରିୟା

Dilip kumar Chopdat - Email: chopdarkumar@gmail.com - Posted on 2017-07-22 22:11:37

बिल्कुल ,सौ प्रतिशत सच्ची बात है. लेकिन दूसरों के ऊपर एक उंगली उठाने से पहले देखना चाहिए कि खुद पर तीन इमली दिशा दिखा रहे है . धन्यवाद

ମହେନ୍ଦ୍ର ମିଶ୍ର - Email: mkmishra29@gmail.com - Posted on 2017-07-25 14:53:04

ସାମ୍ବାଦିକମାନଙ୍କର ଇଜ୍ଜତ କିଛି ବଢ଼ିଛି ବୋଲି ମୁଁ ଭାଉଛି, କାରଣ ୨୦୧୫ ମସିହାରେ ସାଂସଦ ପିନାକୀ ମିଶ୍ରଙ୍କ ସଭାରେ ଲଫାପାରେ ୩୦୦ଟଙ୍କା ୨୦୧୭ରେ କେନ୍ଦ୍ରମନ୍ତ୍ରୀମାନଙ୍କ ସଭାବେଳକୁ ୫୦୦ରେ ପହଞ୍ଚିଛି। ଦେଶ ଓ ରାଜ୍ୟର ସ୍ଥିତି ଓ ରାଜନୀତି ଯାହା ୨୦୧୯ ନିର୍ବାଚନ ବେଳକୁ ଏହି ସାମ୍ବାଦିକ ଲଫାପା ୧୦୦୦ରେ ପହଞ୍ଚିଥିବ ବୋଲି ଜଣାପଡ଼ୁଛି। ସବୁକିଛି ଯଦି ଠିକ୍‌ଭାବେ ଚାଲେ ସେତେବେଳକୁ ଗୋଟିକିଆ ୧୦୦୦ଟଙ୍କିଆ ନୋଟ୍‌ ମଧ୍ୟ ବାହାରିଯାଇଥିବ। ତେଣୁ ୧୦୦୦ଟଙ୍କିଆ ଲଫାପା ସାମ୍ବାଦିକମାନଙ୍କୁ ଦେବାରେ ଅସୁବିଧା ନଥିବ। କଥା ହେଉଛି , ସାମ୍ବାଦିକମାନଙ୍କୁ ବିଭିନ୍ନ ସଭା ସମିତିରେ ନଗଦ ଟଙ୍କା ବା ଉପହାର ବା ଆହୁରି ତଳେଇକି ଦେଖିଲେ ଜଳଖିଆ , ପାନ ବା ମିଠା ଖର୍ଚ୍ଚ ଦେବା ବା ମିଳିବା ଅନେକ ବର୍ଷରୁ ଜାରି ରହିଛି। କେବଳ କଥାଟି ହେଉଛି କେଉଁଠି ଏହା ଲୋକଲୋଚନକୁ ଆସୁଛି ଓ ଅନେକ ସ୍ଥାନରେ ରହିଯାଉଛି। ଆଜିର ତାରିଖରେ ମୋଟାମୋଟିଭାବେ ‘ଦରିଦ୍ର’ ରାଜ୍ୟଭାବେ ଖାତି ପାଇଥିବା ଓଡ଼ିଶାର ସାଧାରଣ ଲୋକ ଭାବନ୍ତି କୌଣସି ସମ୍ବାଦ ବା ଖବର ଛାପିବା ପାଇଁ ପଇସା ବା ଉପହାର ବା ଖର୍ଚ୍ଚ ନିଶ୍ଚିତ ଆବଶ୍ୟକ। ଏକଥା ମୁଁ କହୁନାହିଁ, ଓଡ଼ିଶାର ବିଭିନ୍ନ ଅଞ୍ଚଳର ସାଧାରଣ ଲୋକଙ୍କର ଏହା ବଦ୍ଧମୁଳ ଧାରଣା ହୋଇଛି। ଏବେ ପ୍ରଶ୍ନ ଉଠୁଛି ଏହି ଧାରଣା ହେଲା କେମିତି, ଓ ଏହା ବଳବତ୍ତର ରହିଛି କିପରି। ଆହୁରି ଏକ ଆଲୋଚନାର ବିଷୟ ହେଉଛି ଯେଉଁ ଗଣମାଧ୍ୟମର ପ୍ରଚାର ଓ ପ୍ରସାର ଯେତେ ଅଧିକ ତାର ପ୍ରତିନିଧିମାନଙ୍କର ଆଶା ଓ ଅପେକ୍ଷା ମଧ୍ୟ ଅଧିକ, ଏକଥା ଲୋକେ ମଧ୍ୟ ଜାଣିଛନ୍ତି, ତେଣୁ ଅନୁଗୁଲ ଘଟଣାରେ ସବୁ ବର୍ଗର ଓ ସବୁ ପ୍ରକାରର ସାମ୍ବାଦିକମାନଙ୍କୁ ଗୋଟିଏ ପ୍ରକାରର ତଉଲିବା ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି।

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top