କାହିଁକି ରଦ୍ଦ ହେଲା ଏସ‌୍‍ଇବିସି ସଂରକ୍ଷଣ?

News Story - Posted on 2017-07-20

ରାଜ୍ୟ ସରକାରଙ୍କୁ ପୁଣି ଏକ ଶକ୍ତ ଅଦାଲତି ଝଟ‌୍‍କା ଲାଗିଛି। ସାମାଜିକ ଓ ଶୈକ୍ଷିକ ପଛୁଆ ବର୍ଗ ବା ଏସ‌୍‍ଇବିସିଙ୍କ ପାଇଁ ସରକାରୀ ସ୍ଖକିରି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ସରକାର ପ୍ରଣୟନ କରିଥିବା ଆଇନକୁ ନାକଚ କରି ସ୍ୟାଟ‌୍‍ ଯେଉଁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ ତାହାକୁ ଓଡିଶା ହାଇକୋର୍ଟ କାଏମ‌୍‍ ରଖିଛନ୍ତି।

 

ଏଠାରେ ଉଲ୍ଲେଖନୀୟ ଯେ ୨୦୦୮ ମସିହାରେ ବିଧାନସଭାରେ ବ୍ୟାପକ ବିତର୍କ ପରେ ଏ ସଂକ୍ରାନ୍ତ ବିଲ‌୍‍ ଗୃହୀତ ହୋଇ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଥିଲା। ଏସ‌୍‍ଇବିସିଙ୍କ ପାଇଁ ଏହି ସଂରକ୍ଷଣ ଆଇନରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରଖାଯାଇଥିଲା। ସାମ୍ୱିଧାନିକ ବ୍ୟବସ୍ଥା ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ପୂର୍ବରୁ ୩୮.୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ ଥିବାବେଳେ ଏହି ନୂଆ ଆଇନ ଅନୁଯାୟୀ ସ୍ଥାନ ସଂରକ୍ଷଣ ୬୫.୭୫ ପ୍ରତିଶତରେ ପହଂଚିଥିଲା। ଏହି ଆଇନକୁ ସମ୍ୱିଧାନର ନବମ ଅନୁଚ୍ଛେଦରେ ସ୍ଥାନିତ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଚିଠି ଲେଖିଥିବା ବେଳେ ଏ ସଂକ୍ରାନ୍ତରେ କୌଣସି କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ନୂଆ ସଂରକ୍ଷଣ ଆଇନ କାର୍ଯ୍ୟକାରୀ ହୋଇଥିଲା।

 

ଏହି ଆଇନକୁ ବାତିଲ‌୍‍ କରିବା ଦାବି ନେଇ ଅମର ଛାଟୋଇ ନାମକ ଜଣେ ଚାକିରି ପ୍ରତ୍ୟାଶୀ ସ୍ୟାଟ‌୍‍ରେ ଏକ ମାମଲା ରୁଜୁ କରିଥିଲେ। ଏହି ଆଇନକୁ କୌଣସି ଅଦାଲତ ନାକଚ କରିନଥିବାରୁ ତାହା ବଳବତ୍ତର ରହିବ ବୋଲି ସେତେବେଳେ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ତେବେ ସୁପ୍ରିମ‌୍‍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ "କ୍ୱାଣ୍ଟିଫାଏବୁଲ ଡାଟା’ ସଂଗ୍ରହ ନକରି ଓ ସମ୍ୱିଧାନର ନବମ ଅନୁଚ୍ଛେଦରେ ସ୍ଥାନିତ ନକରି ଏହାକୁ କାର୍ଯ୍ୟକାରୀ  କରାଗଲେ ତାହା ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାର ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ସ୍ୟାଟ‌୍‍ ଏହି ଆଇନକୁ ରଦ୍ଦ କରିଦେଇଥିଲେ। ଏହା ବିରୁଦ୍ଧରେ ରାଜ୍ୟ ସରକାର ହାଇକୋର୍ଟରେ ରିଟ‌୍‍ ଆବେଦନ କରି ସ୍ୟାଟ‌୍‍ଙ୍କ ରାୟକୁ ଅସିଦ୍ଧ ଘୋଷଣା ଲାଗି ନିବେଦନ କରିଥିଲେ।

 

ଓଡିଶା ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପି.ପି ରାୟ ଓ ଆଡଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର ପ୍ରମୁଖ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ପ୍ରତିପକ୍ଷ ଅମର ଛାଟୋଇଙ୍କ ପକ୍ଷରୁ ସ୍ୟାଟ‌୍‍ର ପୂର୍ବତନ ସରକାରୀ ଓକିଲ ପ୍ରହଲାଦ କୁମାର ସିଂହ ଓ ଅନ୍ୟତମ ଓକିଲ ଅମିୟ ଛାଟୋଇ ଏହି ମାମଲା ଲଢି ସରକାରଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ। ବିଚାରପତି କୁମାରୀ ସଞ୍ଜୁ ପଣ୍ଡା ଓ ସୁଜିତ ନାରାୟଣ ପ୍ରସାଦଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ବିସ୍ତୃତ ଶୁଣାଣି କରିବା ପରେ ସ୍ୟାଟ‌୍‍ଙ୍କ ରାୟଙ୍କୁ କାଏମ ରଖିବା ସହିତ ଓଡିଶା ସରକାରଙ୍କ ରିଟ‌୍‍ ଆବେଦନକୁ ଖାରଜ କରିଦେଇଛନ୍ତି।

 

ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ କେନ୍ଦ୍ର ସରକାର ଏସ‌୍‍ଇବିସିଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିଥିବା ବେଳେ ଓଡିଶା ପାଇଁ ଏହା ମଧ୍ୟ ପ୍ରଯୁଜ୍ୟ। ତେବେ ଓଡିଶାରେ ଏସ‌୍‍ସି ଓ ଏସ‌୍‍ଟିଙ୍କ ସଂରକ୍ଷଣ ସୀମା ଜାତୀୟ ହାରଠାରୁ ଅଧିକ ରହୁଥିବାରୁ ଏହା ବିରୁଦ୍ଧରେ ଆବେଦନକାରୀ କାହିଁକି ସ୍ୟାଟ‌୍‍ରେ ସ୍ୱର ଉଠାଇନଥିଲେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

 

ଏଠାରେ ଉଲ୍ଲେଖନୀୟ ଯେ ମଣ୍ଡଳ କମିଶନ ଗଣ୍ଡଗୋଳ ପରେ ବିଜୁ ପଟ୍ଟନାୟକଙ୍କ ସରକାର ଜଷ୍ଟିସ ଏନ.କେ ଦାଶ କମିଶନ ବସାଇ ପଛୁଆ ବର୍ଗଙ୍କ ଲାଗି ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ। ପରେ ଏହାକୁ ୨୭ ପ୍ରତିଶତକୁ ବଢାଯାଇଥିଲା ଏବଂ ସ୍ୟାଟ‌୍‍, ହାଇକୋର୍ଟ ଓ ସୁପ୍ରିମକୋର୍ଟ ଏହି ବର୍ଦ୍ଧିତ ସଂରକ୍ଷଣକୁ ନାକଚ କରିଦେବା ପରେ ଆଇନ ଅଦାଲତଙ୍କ ରାୟ ଯେଭଳି ପ୍ରତିବନ୍ଧକ ସୃଷ୍ଟି ନକରିବ ତାହାକୁ ଆଖି ଆଗରେ ରଖି ବିଧାନସଭାରେ ବିଲ‌୍‍ ଆଣି ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top