ରେଳ ଉପରୁ ଚିଲିକା ଦର୍ଶନ

News Story - Posted on 2017-07-18

ଉତ୍କଳମଣି ଗୋପବନ୍ଧୁ ଦାସ

 

ରହ ରହ କ୍ଷଣେ ବାଷ୍ପୀୟ ଶକଟ,

ଦେଖିବି ଚିଲିକା ଚାରୁ ଚିତ୍ରପଟ।

ଚିତ୍ର ମଣେ ଯେଣୁ ନାହିଁ ଅନୁଭବ,

ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ?

 

ନୀଳ ବୀଚିମାଳା ଧୀରେ ଧୀରେ ଯାଏ,

ଲାଗଇ ସ୍ବପନେ ଦେଖିଲା ପରାଏ।

ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ,

ଓଲଟିଣ ତଳେ ଦିଶନ୍ତି ଯୁଗଳ।

 

ଘୋର ନାଦେ ଯହୁଁ ଉଠିଲେ ସେ ନଭେ,

ଉଠେ ଶତ ଖଗ ଚିଲିକା-ଗରଭେ।

ସତ୍ୟ ବୋଲି ମନେ ନ ହେଉ ପ୍ରତୀତ,

ପଲକେ ସେ ଦୃଶ୍ୟ ହୁଏ ତିରୋହିତ।

 

ଦୂରେ ଘେନିଯାଏ ନିଦାରୁଣ ଯାନ,

ଆସେ ପୁଣି ତରୁ ଶିଳା ବ୍ୟବଧାନ।

ନିମିଷେ ଲୁଚାଏ ନିମିଷେ ଦେଖାଏ,

ସ୍ବପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ।

 

କାହିଁ ଦିଶେ ନୀଳ କାହିଁ ସୁଶ୍ୟାମଳ,

କାହିଁ ବା ଧୂସର କାହିଁବା ଧବଳ।

ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘଘକାୟା,

ପ୍ରକାଶି ଚିଲିକା କରୁ କେତେ ମାୟା?

 

ଦେବୀ ବୀଣାପାଣି ଶାଶ୍ବତ ସେବକ

କବି ରାଧାନାଥ ସୁଷମା-ଗ୍ରାହକ,

ଭ୍ରମି ବହୁ ସ୍ଥାନ ବିଶାଳ ଭାରତେ

ବହୁ ନଦୀ ମରୁ କାନନ ପର୍ବତେ

ଦେଖିଲେ ପ୍ରକୃତି ବିବିଧ ପ୍ରକାଶ,

କିନ୍ତୁ ଶୋଭାଲୁବ୍ଧ ଶୁଦ୍ଧ ଅଭିଳାଷ।

 

ସୁଖ-ଶାନ୍ତି-ପ୍ରୀତି କାହିଁ ଏକାଧାରେ,

ନ ପାଇଲେ ଯଥା ମିଳେ ତୋହଠାରେ।

ଉତ୍କଳର ତୁହି ସୌନ୍ଦର୍ଯ୍ୟର ଖଣି,

ସାରସ୍ବତ ନେତ୍ରେ ବାଛି ତହୁଁ ମଣି।

 

ସୁଦକ୍ଷ ବିନ୍ଧାଣି ରଚି ଯେଉଁ ହାର

ଅର୍ପିଲେ ଉତ୍କଳ ଭାରତୀ ଗଳାର,

ଚିରଦିନ ତାହା ରାଜିବ ରୁଚିର,

ତା ଦେଖି ଭାବୁକେ ଲୋଡ଼ିବେ ତୋ ତୀର।

 

ମୁଁ ଅଧମ ମୋର ଭାବୁକତା ନାହିଁ,

ତଥାପି ଏ ପ୍ରାଣ କେ ଜାଣେ କିପାଇଁ

ନିରନ୍ତର ଲୋେଡ଼ ସୌନ୍ଦର୍ଯ୍ୟ ବ୍ୟାକୁଳେ,

ତେଣୁ ଭାବିଥିଲି ଆସି ତୋର କୂଳେ

ଦେଖିବି ତୋ ଶୋଭା ଦିନେ ନିକାଞ୍ଚନେ,

କର୍ମ-ବନ୍ଧେ ଥିଲା ମନ କଥା ମନେ।

ଏତେକାଳ ଅନ୍ତେ ପଡ଼ିଥିଲା ଯୋଗ,

ଆହା ସେ ସୁଯୋଗ ହେଲା କାହିଁ ଭୋଗ!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top