ବ୍ଲଡଗ୍ରୁପ ଲାଞ୍ଚ ପଜିଟିଭ

News Story - Posted on 2017-07-18

ପରଂବ୍ରହ୍ମ ତ୍ରିପାଠୀ

 

ସେଦିନ ସକାଳୁ ରାଗ ତମତମ ହୋଇ ଆମ ଘରେ ପହଞ୍ଚିଲେ ବାରିକ ମଉସା। ମଉସା ହେଉଛନ୍ତି ବାପାଙ୍କ ସହକର୍ମୀ ଆଉ ଆମର ବହୁ ଦିନର ପାରିବାରିକ ବନ୍ଧୁ। ଶାନ୍ତ ସ୍ବଭାବର ଲୋକ, ହେଲେ ସେଦିନ ରାଗରେ ତାଙ୍କ ମୁହଁ ପୂରା ଲାଲ ପଡିଯାଇଥାଏ। କ’ଣ ହେଇଛି ବୋଲି ବାପା ପଚାରିବାରୁ ବାରିକ ମଉସା ଏକ ନିଶ୍ବାସସରେ କହିଲେ, ଆଉ ପାରି ହେବନି ତ୍ରିପାଠୀ ବାବୁ, ସବୁଠି  ଚୋରୀ, ଲାଞ୍ଚ, ଖଚ, ମିଛ। ବାପା ଘଟଣାକୁ ହାଲୁକା କରିବା ପାଇଁ କହିଲେ, ଦୁନିଆ ତ ସେମିତି ହେଲାଣି। କ’ଣ ହେଇଛି କହୁନାହାନ୍ତି! ମାଉସା କହିଲେ, ପ୍ରଥମ ପେନସନ ପାଇଁ ଯାଇଥିଲି ଟ୍ରେଜେରୀ ଅଫିସକୁ। ପିଅନ କହୁଛି ଶହେ ଟଙ୍କା ଦିଅ ନହେଲେ ପେନସନ ହେବନି। ଶେଃ, ସବୁଠି ଲାଞ୍ଚ, କ’ଣ ହେବ ଏ ରାଜ୍ୟର? ବାପା ତାଙ୍କ ସ୍ବଭାବ ସୁଲଭ ଢଙ୍ଗରେ କହିଲେ, କ’ଣ ଆଉ କରିବା ବାରିକ ବାବୁ, ଏବେ ତ ହାତଗୁଞ୍ଜା ନଦେଲେ କିଛି ହେଉନି, ପଇସା ଦେଇ ନିଜ କାମ କରେଇ ନେଲେ ଗଲା। କଥାଟାକୁ ଏତେ ଧରନ୍ତୁନି। ବାପାଙ୍କ ଏମିତି ପ୍ରବୋଧନା ପରେ ମଉସା ଶାନ୍ତ ହେଲେ।

 

ଏବେ ଯେଉଁ କଥାଟି କହିବାକୁ ଯାଉଛି ସେଇଟା ଏଇ ବାହୁଡାର ଚାରିଦିନ ପୂର୍ବର କଥା। ସନ୍ଧ୍ୟାବେଳେ ଘରକୁ ଆସିଲେ ବାରିକ ମଉସା। ଭାରି ଖୁସି ଜଣା ପଡୁଥାନ୍ତି। ମିଠା ପ୍ୟାକେଟଟା ବୋଊ ହାତକୁ ବଢେଇ ଦେଲେ। ବାପା ଖୁସିର କାରଣ ପଚାରିବାରୁ ମଉସା କହିଲେ ଲିତୁ ଭୁବନେଶ୍ବରରେ ଘର କିଣିଛି, ବାହୁଡା ଦିନ ପ୍ରତିଷ୍ଠା। ମତେ ଫୋନରେ ଜିଦି କରି କହିଛି ଆପଣ ଆଉ ଭାଉଜଙ୍କୁ ଜଣେଇ ଦେବାକୁ। ବାହୁଡା ଦିନ ସାଙ୍ଗ ହେଇ ଆମେ ସମସ୍ତେ ଭୁବନେଶ୍ବର ଯିବା। ଲିତୁ ହେଉଛି ମାଉସାଙ୍କ ଏକମାତ୍ର ପୁଅ ଆଉ ଏଇ ତିନିବର୍ଷ ତଳେ ସେ ରାଜ୍ୟ ସରକାରଙ୍କ ଏକ ବିଭାଗରେ କନିଷ୍ଠ କିରାଣୀ ଭାବେ ଯୋଗ ଦେଇଛି।

 

ବାପା ଖୁସି ହେଇ କହିଲେ ବଢିଆ କଥା। ନିଶ୍ଚିତ ଯିବା। ଘର କେତେ ପଡିଲା? ମଉସା କହିଲେ ସତେଇଶ ଲକ୍ଷ। କହିଲା ବେଳକୁ ତାଙ୍କ ଆଖିରେ ବାପାପଣିଆର ଦମ୍ଭ ଅହଂକାର ଝଲସୁଥିଲା। ବାପା ପଚାରିଲେ ଆପଣ କ’ଣ ପୂରା ପିଏଫ ପଇସାଟା ଲିତୁକୁ ଦେଇଦେଲେ? ମଉସା ମୁଣ୍ଡ ଟୁଙ୍ଗାରି ନାଇଁ କଲେ। ବାପାଙ୍କ ଅନୁସନ୍ଧିତ୍ସା ଟିକେ ବଢିଗଲା। ପଚାରିଲେ, ଆଉ କ’ଣ ତା ଶଶୁର ଘର ଲୋକେ ସାହାଯ୍ୟ କଲେ କି? ମଉସା ଏଥର ଏମିତି ମୁଣ୍ଡ ଟୁଙ୍ଗାରିଲେ ଯେମିତି ଶଶୁରଘର କଥା ପଚାରି ବାପା ବହୁତ ବଡ ଭୁଲଟେ କରିଦେଇଛନ୍ତି। ତା’ପରେ ବାପା ପୁଣି ପଚାରିଲେ, ତାହାଲେ ଲିତୁ କ’ଣ ଲୋନ କଲା? ମଉସା ଦର୍ପରେ ମୁଣ୍ଡ ଟୁଙ୍ଗାରି କହିଲେ ଲୋନ କାହିଁକି କରିବ ମ?

 

ବାପା ଆଉଥରେ ପଚାରିଲେ, ତାହାଲେ ଏତେ ପଇସା ଆସିଲା କେଉଁଠୁ? ମଉସା ସ୍ମିତହାସ୍ୟ ଦେଇ କହିଲେ, ଥିଲା ତା ପାଖରେ। ବାପାଙ୍କ ଆଖିରେ ସେତବେଳକୁ ଆଶ୍ଚର୍ଯ୍ୟର ଚିହ୍ନ। ମଉସାଙ୍କୁ ବାପା କହିଲେ ଲିତୁ ପାଖରେ କ’ଣ 27 ଲକ୍ଷ ଜମା ଥିଲା? ବର୍ଷ ତିନିଟାରେ କ’ଣ ସେ ଦରମାରୁ ଏତେ ପଇସା ସଞ୍ଚୟ କରିଦେଲା? ମଉସା ବୋଧେ ବୁଝିପାରିଲେ ବାପା କ’ଣ କହିବାକୁ ଚାହୁଁଛନ୍ତି। ସେଇଥିପାଇଁ ତ କଥାକୁ ଗୋଳେଇ ଦେଇ କହିଲେ, ଛାଡନ୍ତୁ ମ ତ୍ରିପାଠୀ ବାବୁ, ମୁଁ ବାହୁଡା ଦିନ ଠିକ ସକାଳୁ ଆସି ପହଞ୍ଚିବି ଆପଣ ଦୁହେଁ ରେଡି ହୋଇ ଥିବେ।

 

ଆଉ କିଏ ନେଲେ ଲାଞ୍ଚ, ହେଲେ ନିଜେ କି ନିଜ ପିଲା ସେଇ କାମ କଲେ ସେଇଟା ହେଉଛି ବାହାଦୁରୀ, ପରିବାପାଣିଆ। ଏଇଟା ଆମ ଚରିତ୍ର ନୁହେଁ କି? ଆମେ କ’ଣ ଝିଅ ପାଇଁ ବର ଖୋଜିବା ପୂର୍ବରୁ ବରପାତ୍ରର ଉପୁରି କେତେ ସେ ବିଷୟରେ ସବିଶେଷ ଅନୁସନ୍ଧାନ କରୁ ନଥାଉ କି? ସାତ ହଜାର ଦରମା ହେଲେ କ’ଣ ହେଲା ପୋଷ୍ଟିଂ ପରା ଜାମଶୋଲା ଗେଟରେ! ଦେଢ ହଜାର ଦରମା, କିନ୍ତୁ ଯେତକ ଇନ୍ଦିରା ଆବାସ ହେବ ସେ ସବୁଥିରୁ ପରା ଗୋଟାକେ ଦୁଇ ହଜାର! ଜୋଇଁ ଆମର ତହସିଲ ଅଫିସରେ ଅଛନ୍ତି, ତାଙ୍କ ଦରମା କ’ଣ ପଚାରୁଛ? ଥରେ ଭାବିଲେ, ଆମେ ଝିଅ ପାଇଁ ଜୋଇଁ ଖୋଜିଲା ବେଳେ ଏ ସବୁ କରିତକର୍ମାପଣିଆ କଥା ଦେଖୁ ଆଉ କହୁ କି ନାଇଁ? ପ୍ରଧାନମନ୍ତ୍ରୀ କହୁଛନ୍ତି ଲାଞ୍ଚମୁକ୍ତ ଭାରତ, ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରୁଛନ୍ତି ପିସିକୁ ନେଇ। କଣ ଲାଭ ଅଛି ସେଥିରେ? ଲାଞ୍ଚ ପରା ଆମ ରକ୍ତରେ, ଆମ ମାନସିକତାରେ ଆମର ପର ବ୍ଲଡ଼ଗ୍ରୁପ ଲାଞ୍ଚ ପଜିଟିଭ।

 

ମୋ ସାନ ଭଉଣୀ ହରିଦ୍ରାକ୍ଷୀ କାମ କରେ ଗୋଟେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଗ୍ରାମୀଣ ଶାଖାରେ ବ୍ରାଞ୍ଚ ମ୍ୟାନେଜର ଭାବେ। ତା ଚାକିରି ଆରମ୍ଭ ଦିନ କଥା କହୁଛି। ଗୋଟେ ଲୋକର ସେ ଲକ୍ଷେ ଟଙ୍କାର ଚାଷୀ ଋଣ କରେଇ ଦେଲା। ଲୋନ ମଞ୍ଜୁର ହେବା ପରଦିନ ସେ ଲୋକ ହାଜର ହରିଦ୍ରାକ୍ଷୀ ଘରେ। ହାତରେ ଗୋଟେ ପଲିଥିନରେ ଧାମରା ଇଲିଶି ଦୁଇ କିଲୋ ଆଉ ତା’ ଭିତରେ ଚାରି ଖଣ୍ଡ ପାଞ୍ଚଶ ଟଙ୍କିଆ ନୋଟ।

 

ଭଉଣୀ ପଚାରିଲା, ମଉସା ଇଏ କ’ଣ? ଲୋକ ଜଣକ କହିଲେ, ଭେଟି।  ହରିଦ୍ରାକ୍ଷୀ ବଡ ପାଟି କରି କହିଲା ମଉସା ଉଠାନ୍ତୁ ଏ ଜିନିଷ, ମୁଁ ଆପଣଙ୍କ ଡକୁମେଣ୍ଟ ଦେଖି ଲୋନ ଦେଲି, ସେଇଟା ମୋ କାମ। ଆପଣ କ’ଣ ପାଇଁ ମତେ ଲାଞ୍ଚ ଦଉଛନ୍ତି? ଲୋକ ଜଣକ କ’ଣ ପ୍ରତ୍ୟୁତ୍ତର ଦେଲେ ଜାଣିଛନ୍ତି? ସିଏ କହିଲେ, ବେଶୀ ଭଦ୍ର ଦେଖେଇ ହ ନା ଝିଅ, ପଇସା ଯଦି ମନକୁ ପାଇଲାନି ତାହାଲେ କହ ଆଉ ପାଂଶ ଦେବି। ଯାତ୍ରା କ’ଣ କରୁଛୁ ଯେ ବ୍ୟାଙ୍କ ମ୍ୟାନେଜର ଲାଞ୍ଚ ନିଅନ୍ତିନି ବୋଲି?

 

କାମ ହେବାକୁ ଅପେକ୍ଷା କରିବା ପାଇଁ ଧୈର୍ଯ୍ୟ ନହିଁ। ଆଜି ଆଉ ଏବେ ହିଁ ଆମ କାମ ହେବା ଦରକାର, ସେଥିପାଇଁ ପଚାଶ ଶହେ ହାତଗୁଞ୍ଜା ଦେଲେ ଚଳିବ।  ଆମର ଏ ପ୍ରକୃତି ସାମ୍ନା ଲୋକକୁ ଲାଞ୍ଚ ନେବାକୁ ପରୋକ୍ଷରେ ନୁହେଁ ପ୍ରତ୍ୟକ୍ଷ ଭାବେ ପ୍ରରୋଚିତ କରୁଛି। ଆପଣଙ୍କ ପାଖେ ସମୟ ନାହିଁ ବୋଲି ଆପଣ ହାତଗୁଞ୍ଜା ଦେଲେ ଆଉ କାମ କରେଇ ନେଲେ। କିନ୍ତୁ ଯାହା ପାଖେ ସମୟ ଅଛି ସେ କାହିଁକି ଲାଞ୍ଚ ଦେବ? ହେଲେ କାମ କରେଇବାକୁ ବସିଥିବା ଆଉ କେବଳ ସେଇ କାମ କରିବା ପାଇଁ ଦରମା ପାଇ ଚୌକି ଗରମ କରୁଥିବା ବାବୁ ଜଣକ କ’ଣ ଏକଥା ବୁଝିବେ? ଆପଣଙ୍କ ଅଧୈର୍ଯ୍ୟ ମନୋବୃତ୍ତି ପାଇଁ ତ ଲାଞ୍ଚ ଇଲିଶି ସେ ଲୋକ ମୁହଁରେ ବହୁ ଆଗରୁ ଲାଗିଛି ନା!  ଗରିବ ଲୋକଟେ ବା ନିଜ କାମକୁ ଆଇନ ଅନୁସାରେ ଠିକ ସମୟରେ କରେଇନେବା ଲୋକଟେ ଯେତେବେଳେ ସେଇ କାମ ପାଇଁ ପହଞ୍ଚୁଛି ବାବୁଙ୍କ ଭାଲୁ ଜିଭ କ’ଣ ତାକୁ ଛାଡୁଛି? ତା କାମ ଚାଟିବା ଆଉ ସେ ଚାଟୁଛି।

 

କାମ କରେଇ ଦେବା ପାଇଁ ଚା ପାଣି ପାନ ଖର୍ଚ୍ଚ ଦେବା ଯେ ଗୋଟେ ଗୁରୁତର ଅପରାଧ ଆମେ ଅନେକ ସମୟରେ ଭାବୁନା। କାମଟି କରିବା ଯେ ଚଉକିରେ ବସିଥିବା ଲୋକଟିର କର୍ତ୍ତବ୍ୟ ଆଉ ସେଥିପାଇଁ ସେ ସରକାରୀ ତହବିଲରୁ ମାସକୁ ମାସ ଦରମା ପାଉଛି ଆମେ ଏ ସତ୍ୟଟିକୁ ଜାଣି ମଧ୍ୟ କେଜାଣି କାହିଁକି ଅନେକ ସମୟରେ ଅଣଦେଖା କରିଥାଉ। ଶିକ୍ଷକ ନେତା ଆମ ପିଏଫ କରେଇବା ପାଇଁ ନେବେ ହଜାରେ, ଆମକୁ ଲାଗେ ଏଇଟା ତ ତାର ନେବା କଥା। ଆସୋସିଏସନ ଲୋକଟା ଡେଥ ବେନିଫିଟ କାଗଜପତ୍ରରେ ସାଇନ କରିବାକୁ ମାଗିବ ଲକ୍ଷେ, ଆମେ ସେ କଥାକୁ କେବେ ଅଯୌକ୍ତିକ ବୋଲି ଭାବୁନା, ବରଂ କୁର୍ନିସ ହେଇ କହୁ ଆଜ୍ଞା ଟିକେ ଶୀଘ୍ର କରେଇଦେବେ। ଆମର ଏ ଅଣଦେଖା  ଲକ୍ଷ ଲକ୍ଷ କୁଜି ଶିକ୍ଷକ ଆଉ ଶ୍ରମିକ ନେତାଙ୍କୁ ଚା ପାଣି ପାନଖର୍ଚ୍ଚ ଯେ ସେମାନଙ୍କର ନ୍ୟାୟୋଚିତ ଅଧିକାର ସେଭଳି ଏକ ବଦ୍ଧମୂଳ ଧାରଣା ସୃଷ୍ଟି କରିଛି। ଦୋଷୀ ଆମେ ନିଜେ ଆଜ୍ଞା, ଦୋଷ ଆମ ବ୍ଲଡ଼ଗ୍ରୁପ ଲାଞ୍ଚ ପଜିଟିଭରେ। କଥାଟି କାନକୁ ମଧୁର ଶୁଣା ଯାଇ ନପାରେ, ହେଲେ ଏଥିରେ ସତ୍ୟତା ଶହେରୁ ଶହେ। ଆମେ ନିଜେ ସେ ମାନସିକତାରୁ ନ ବାହାରିବା ଯାଏ କ’ଣ ସତରେ ଲାଞ୍ଚ ବନ୍ଦ କରିହେବ? ମତେ ଲାଗୁନି, ବାକି ବିଚାର ଆପଣଙ୍କର।

 

ନାଉଗାଁହାଟ, ଜଗତସିଂହପୁର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top