ବଢ଼ୁଛି ଜମି ଓ ପରିବେଶ କର୍ମୀଙ୍କ ହତ୍ୟା

News Story - Posted on 2017-07-17

ଭାରତରେ ଜମି ଅଧିକାର ଓ ପରିବେଶ ସୁରକ୍ଷା ପାଇଁ ଲଢ଼େଇ କରୁଥିବା ଲୋକଙ୍କ ହତ୍ୟା ଘଟଣା ବର୍ଷକ ଭିତରେ ୩ ଗୁଣ ବୃଦ୍ଧି ପାଇଛି। ଏଭଳି ହତ୍ୟା ସଂଖ୍ୟା ଅଧିକ ନହେଲେ ମଧ୍ୟ ଏହା ଭାରତର ସାଂପ୍ରତିକ ପରିସ୍ଥିତି ସଂପର୍କରେ ଆତଙ୍କଜନକ ବାର୍ତ୍ତା ବହନ କରୁଛି। ଗ୍ଲୋବାଲ ୱିଟନେସ‌୍‍ ନାମକ ଇଂଲଣ୍ଡର ଏକ ସଂସ୍ଥା ପ୍ରକାଶ କରିଥିବା ଏକ ରିପୋର୍ଟରେ ଏହି ତଥ୍ୟ ରହିଛି। ରିପୋର୍ଟ ଅନୁସାରେ ‘ବିକାଶ ବିରୋଧୀ’ଙ୍କୁ ଦମନ କରିବା ପାଇଁ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଏପରି ଘଟଣା ଘଟୁଛି।

 

ଏହି ରିପୋର୍ଟ ଅନୁସାରେ ଭାରତରେ ୨୦୧୫ ମସିହାରେ ଜମି ଅଧିକାର ଓ ପରିବେଶ ସୁରକ୍ଷା ପାଇଁ ଲଢ଼େଇ କରୁଥିବା ୬ ଜଣ ସାମାଜିକ କର୍ମୀଙ୍କୁ ହତ୍ୟା କରାଯାଇଥିଲା। ୨୦୧୬ ମସିହାରେ ସେହି ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଦୁଃଖର କଥା ହେଉଛି ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ମୃତ୍ୟୁ ପାଇଁ ପୁଲିସ ଦାୟୀ। ଏହି ସମୟ ମଧ୍ୟରେ ଜଙ୍ଗଲରେ ଗଛକଟା ଓ ବ୍ୟାପକ ଖଣି ଖନନ ବିରୋଧରେ ପ୍ରତିବାଦ ବିକ୍ଷୋଭ କରୁଥିବା ପ୍ରାୟ ୧୦ ଜଣ ପୁଳିସ ଗୁଳିରେ ନିହତ ହୋଇଛନ୍ତି।

 

‘ପୃଥିବୀର ରକ୍ଷକ’ ଶୀର୍ଷକ ଏହି ରିପୋର୍ଟ ଅନୁସାରେ ଏହି ସମୟରେ ସାରା ପୃଥିବୀରେ ୨୦୦ ଜଣଙ୍କୁ ଏହି କାରଣରୁ ହତ୍ୟା କରାଯାଇଛି। ଏମାନେ ସମସ୍ତେ ପରିବେଶ ସୁରକ୍ଷା ଓ ଜମି ଅଧିକାର ସପକ୍ଷରେ ଆନ୍ଦୋଳନ କରୁଥିଲେ। ଏଭଳି ହତ୍ୟା କ୍ଷେତ୍ରରେ ଭାରତଠାରୁ ମାତ୍ର ତିନିଟି ଦେଶ ଆଗରେ ଅଛନ୍ତି। ୨୦୧୬ ମସିହାରେ ବ୍ରାଜିଲେରେ ୪୯, କଲମ୍ୱିଆରେ ୩୭ ଜଣ ଓ ଫିଲିପ୍ପାଇନ୍ସରେ ୧୭ ଜଣଙ୍କୁ ହତ୍ୟା କରାଯାଇଛି। ଭାରତର ପଡ଼ୋଶୀଙ୍କ ମଧ୍ୟରେ ବାଂଲାଦେଶରେ ଏହି ବର୍ଷ ୭ ଜଣଙ୍କୁ ହତ୍ୟା କରାଯାଇଛି। ତେବେ ଗତ ବର୍ଷ ଚୀନ ଓ ପାକିସ୍ତାନରେ ଜଣେ ଲେଖାଏଁ ସାମାଜିକ କର୍ମୀ ନିହତ ହୋଇଛନ୍ତି।

 

ଭାରତବର୍ଷରେ ବିକାଶର ସ୍ଲୋଗାନ ଦେଉଥିବା ସରକାରଙ୍କ ତତ୍ତ୍ୱାବଧନରେ ରାଷ୍ଟ୍ର ଦମନମୂଳକ ନୀତି ଅବଲମ୍ୱନ କରୁଛି। ବିକାଶକୁ ବିରୋଧ କରୁଥିବା ଜଙ୍ଗଲ ଓ ଜମି ଅଧିକାର ଲଢ଼େଇର ନେତାମାନଙ୍କୁ ପୁଲିସ ଅପରାଧୀ ଭାବେ ବିବେଚନା କରୁଛି। ନିୟମଗିରି ସୁରକ୍ଷା ପାଇଁ ଲଢ଼େଇ କରୁଥିବା ଓଡ଼ିଶାର ଡଙ୍ଗରିଆ କନ୍ଧଙ୍କ ସଂଗ୍ରାମ ଓ ସେଭ‌୍‍ ଛତିଶଗଡ଼ ଆନ୍ଦୋଳନ ବିଷୟରେ ଏହି ରିପୋର୍ଟରେ ଉଲ୍ଲେଖ ରହିଛି।

 

ଯେଉଁ ବେସରକାରୀ ସଂଗଠନ ଏଭଳି ଲଢ଼େଇକୁ ସମର୍ଥନ କରୁଛି ବା ଲଢ଼େଇରେ ସାମିଲ ହେଉଛି ସରକାର ସେସବୁ ସଂସ୍ଥାର ଲାଇସେନ୍ସ ବାତିଲ କରିଦେଉଛନ୍ତି, ସେମାନଙ୍କ ଅନୁଦାନ ବ୍ୟବସ୍ଥାରେ ହସ୍ତକ୍ଷେପ କରୁଛନ୍ତି। ରିପୋର୍ଟରେ ଏଭଳି ଘଟଣାର ଉଦାହରଣ ଭାବେ ଗ୍ରୀନପିସ‌୍‍ ବିରୋଧରେ ସରକାର ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଉଲ୍ଲେଖ ରହିଛି।

 

ପରିବେଶ ସୁରକ୍ଷା, ଲୋକଙ୍କ ଜମି ଓ ଜଙ୍ଗଲ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଏନଜିଓଙ୍କ ଦମନ କରିବା ପାଇଁ ସରକାର ସେମାନଙ୍କର ବିଦେଶ ଅନୁଦାନ ପଂଜୀକରଣ ବା ଏଫସିଆରଏ ଲାଇସେନ୍ସ ରଦ୍ଦ କରୁଛନ୍ତି। ସେମାନଙ୍କ ବିରୋଧରେ ମାଓବାଦୀ ସଂପର୍କର ଅଭିଯୋଗ ଲଗାଇ ହଇରାଣ କରାଯାଉଛି। ଭାରତର ଆଇନ ଅନୁସାରେ ତଫସିଲଭୁକ୍ତ ଆଦିବାସୀ ଅଂଚଳରେ ଜଙ୍ଗଲ ଜମିରେ ଅଣଜଙ୍ଗଲ କାର୍ଯ୍ୟ କରିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ମତାମତ ନେବା ଜରୁରୀ ହୋଇଥିଲେ ହେଁ ଅନେକ କ୍ଷେତ୍ରରେ ସରକାର ତାହା କରୁ ନାହାନ୍ତି। ଲୋକଙ୍କ ଅନୁମତି ନନେଇ ଆଗେ ବିକାଶ ପ୍ରକଳ୍ପ ଘୋଷଣା କରାଯାଉଛି। ତା’ପରେ ଲୋକଙ୍କଠାରୁ ସହମତି ଆଦାୟ କରିବାକୁ ଚେଷ୍ଟା ହେଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top