ଢଗଢମାଳି

News Story - Posted on 2017-07-15

ପ୍ରଶାନ୍ତ କୁମାର ଦାଶ

 

୧. ଭକୁଆ ହେବାକୁ ସଭିଏଁ ରାଜି

କହିଲେ ବୋଲିବେ କହୁଛି ପାଜି

ଶାଗୁଣା ବିଲୁଆ ମିଳି

ମଢ଼ ଜାତିଟାକୁ ଜୀଆଇଁଦେବେ,

ଶୋଇବା ଦୁଆର କିଳି!

 

୨. ପର ଗୋଇ ଖୋଳି ଅତି ପଣ୍ଡିତ

କାଉ କି ଗାଇବ କୋଇଲି ଗୀତ!!

 

୩. କୁକୁରକୁ ଦେଲେ ସିଂହାସନ

ବାବୁ, ଜୋତା ରଖିଥିବୁ ଦୂରେଇ

ନୋହିଲେ ସ୍ବଭାବ ଗୁଣରେ ବିଚରା

ନେଇଯିବ କେବେ ଚୋରେଇ!!

 

୪. ବେଶ ପୋଷାକରେ ସୁନ୍ଦର ଦିଶୁ

କେତେ ବାହୁନିବି ଅବିଗୁଣ ତୋର

ରୂପରେ ମଣିଷ ଗୁଣରେ ପଶୁ!!

 

୫. ଶ୍ରୀଫଳ ହେବ କି ଲାଉ

ସିଂହର ଶିକାର ଶୃଗାଳର ପିଲା

ଲୁଚି ଛପି କେେଡ଼ ବୀର ବୋଲାଉ!!

 

୬. ବୁଦ୍ଧିରେ କରିଲେ ପେଚା ରାଜୁତି

ଦିନ ଆଲୁଅରେ କିଛି ଦିଶିବନି

ଲୋଡ଼ିବୁ ଅନ୍ଧାର ରାତି!!

 

୭. ପାରିଲି କଖାରୁ ବଡ଼ି

ଗୋଟେ ମିଛ କହି ଭୁଲିଲୁ ମୁକୁନ୍ଦା

ଏବେ ନୂଆ ମିଛ ଦେ’ ଗଢ଼ି!!

 

୮. ଜମି ହଳ କଲୁ ଖତ ସାର ଦେଲୁ

ଓଲୁଅ ରୋପିଲୁ ନେଇ

ବେଳ କାଳ ଦେଖି ଖୋଳିବସିଲୁ ଯେ

କନ୍ଦମୂଳ ମିଳେ କାହିଁ!!

 

୯. ଆଷାଢ଼ ବରଷା ପାଣି,

ବାହାରେ ବୁଲୁଛୁ ଦେଖେଇ ଠାଣି!

ଚାହିଁ ତୋର ଲେଉଟାଣି,

ଦାଣ୍ଡଦୁଆରେ ଥୋଇ ଛାଞ୍ଚୁଣି

ଜଗିଛି ଯେ ଘରମଣି !!

 

୧୦. ମୁହଁକୁ ନଥାଇ ଲାଜ

ଯେତେ ପରକାରେ ଅତର ସିଞ୍ଚିଲେ

ପଲାଶ କି ହେବ ସୁଗନ୍ଧରାଜ!!

 

୧୧. ଘାସ ପତରରେ ଟୋପାଏ ପାଣି

ଝଟକୁଛି ମୋତି, ମାଣିକ, ମଣି

ତହିଁରେ କି ଶୋଷ ମରିବ?

ଅଭିଲା କଥାକୁ ଅଡ଼ି ବସିଥିଲେ

କିଏ ବା କ’ଣ କରିବ!!

 

୧୨. ତାକ ତରକା, ଚଉକା ଛକା

ପରବତ ସତେ ଓଲଟି ପଡ଼ିବ ମାରିଲେ ଟେକା!

ସ୍ବଭାବ ଗଲୁ, ଛାଡ଼ି ନ ପାରିଲେ ଜଗତ-ଓଲୁ!!

 

୧୩. ଗଛରେ ଫଳିଲା ଆମ୍ବ୍

କିଏସେ କହିଲା ଡାଳିମ୍ବ ତ

ପୁଣି କାହାକୁ ଦିଶିଲା ଶିମ୍ବ।

କାହା କଥା ଏବେ ପରତେ ଯିବି ମୁଁ

ସବୁ ମୁହେଁ ଘୋଡ଼ାଡିମ୍ବ!!

 

୧୪. ଅପଣା ଯଶ ଆପେ ବୋଲୁ

ଜନେ ବୋଲନ୍ତି ବ୍ରହ୍ମଓଲୁ!!

 

୧୫. କୂପରେ ମଣ୍ଡୂକ, ତୁଣ୍ଡେ ବ୍ରହ୍ମାଣ୍ଡ

ଜଗତେ କାହାକୁ ବୋଲିବା ଭାଣ୍ଡ!!

 

୧୬. ଘଣ୍ଟ ବାଜେ ଝାଁକ ଝେଜେଣି,

ଝାଞ୍ଜ ବାଜେ ଝୋ।

ଡାହୁକ ଡାକ, ରଥ ଅଟକ

କଉିଡ଼ କାଢ଼ି ଥୋରେ ପୁଅ,

ବଡ଼ଦାଣ୍ଡରେ ଶୋ!!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top