କା’ ସ୍ବାର୍ଥରେ ଧାମରା ଏଲଏନଜି ଟର୍ମିନାଲ?

News Story - Posted on 2017-07-13

 

ଭଦ୍ରକ ଜିଲ୍ଲା ଧାମରା ବନ୍ଦରଠାରେ ଏକ ଏଲଏନଜି ଆମଦାନୀ ଓ ରି ଗ୍ୟାସିଫିକେସନ ପ୍ରକଳ୍ପ ନିର୍ମାଣ କରା ଯାଉଛି। ଇଣ୍ଡିଆନ ଅଏଲ କର୍ପୋରେସନ ଓ ଗେଲ (ଇଣ୍ଡିଆ) ଲିମିଟେଡ ଆଦାନୀ ଗ୍ରୁପ ସହ ମିଶି ଏହି ଟର୍ମିନାଲ  ନିର୍ମାଣ କରୁଛନ୍ତି। ଏଥିରେ ୬ ହଜାର କୋଟି ଟଙ୍କା ଖର୍ଚ ହେବାର ଆକଳନ କରାଯାଇଥିବା ବେଳେ ଏହା ୨୦୨୦-୨୧ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରା ଯାଉଛି। ଏହି ଏଲଏନଜି ଟର୍ମିନାଲ ଭୁବନେଶ୍ୱର, କଟକ, ଅନୁଗୁଳ, ସମ୍ୱଲପୁର, ଝାରସୁଗୁଡା, ରାଉରକେଲା ଭଳି ସହରମାନଙ୍କର ସିଟି ଗ୍ୟାସ ବିତରଣ ନେଟବର୍କ ଓ ଶିଳ୍ପ ସଂସ୍ଥାଙ୍କ ଆବଶ୍ୟକତା ପୂରଣ କରିବ ବୋଲି କୁହାଯାଉଛି। ରାଜ୍ୟର ୧୩ଟି ଜିଲ୍ଲା ଦେଇ ଏହି ପାଇପଲାଇନ ଯିବ। ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଦେବଗଡ, ସମ୍ୱଲପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଝାରସୁଗୁଡା।

 

ନିର୍ମାଣ ହେବାକୁ ଯାଉଥିବା ୫ ଏମଏମଟିପିଏ (ମିଲିୟନ ମେଟ୍ରିକ ଟନ୍ସ ପର ଆନମ) କ୍ଷମତା ବିଶିଷ୍ଟ ଏହି ଏଲ‌୍‍ଏନ‌୍‍ଜି ଟର୍ମିନାଲର ଶୁଭ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଏହି ଗ୍ୟାସ ଟର୍ମିନାଲ ପୂର୍ବ ଭାରତର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଧାମରା ଏଲଏନଜି ଟର୍ମିନାଲ କାର୍ଯ୍ୟକ୍ଷମ ହେବା ପରେ ଏହା ସମଗ୍ର ପୂର୍ବ ଭାରତର ସମୃଦ୍ଧି ପାଇଁ ସମ୍ପର୍କର ସେତୁ ସଦୃଶ କାମ କରିବ। ଏହା ଦ୍ୱାରା ବିକାଶର ଦୌଡରେ ପଛରେ ପଡିଥିବା ଏହି ଅଂଚଳ ଦେଶର ଆର୍ଥିକ ପ୍ରଗତିର ମୁଖ୍ୟ ଧାରାରେ ସାମିଲ ହୋଇ ପାରିବ। ଭାରତ ଗ୍ୟାସଭିତ୍ତିକ ଅର୍ଥନୀତିକୁ ଆପଣାଇବା ଆରମ୍ଭ କରିଛି, ଯାହାଦ୍ୱାରା ଶତକଡ଼ା ୫୦ ଭାଗ ଗ୍ୟାସ ଗୁଜରାଟ ଏବଂ ମହାରାଷ୍ଟ୍ରରେ ଥିବା ଟର୍ମିନାଲ ମାଧ୍ୟମରେ ଆମଦାନୀ କରାଯାଉଛି। ପୂର୍ବ ଭାରତରେ ଧାମରା ପ୍ରଥମ ଏଲ‌୍‍ଏନ‌୍‍ଜି ଟର୍ମିନାଲ ନିର୍ମାଣ କରି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ସକ୍ଷମ ହେବ। କମ କାର୍ବନ ନିର୍ଗତ ହେଉଥିବା କାରଣରୁ ପ୍ରାକୃତିକ ଗ୍ୟାସ ହେଉଛି ଏକବିଂଶ ଶତାବ୍ଦୀର ଇନ୍ଧନ।

 

ଏହି ପ୍ରକଳ୍ପ ନିମନ୍ତେ ୨୫୪୦ କିମି ଦୈର୍ଘ୍ୟ ବିଶିଷ୍ଟ ପାଇପଲାଇନ ଜରିଆରେ ପ୍ରାକୃତିକ ଗ୍ୟାସ ପ୍ରବାହକୁ ସୁନିଶ୍ଚିତ କରାଯାଇ ପାରିବ ଓ ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମ ବଙ୍ଗ ଓ ଓଡିଶାର ସମସ୍ତ ପ୍ରକାର ଗ୍ରାହକ ଲାଭାନ୍ୱିତ ହୋଇ ପାରିବେ। ଏହି ପାଇପଲାଇନକୁ ୧୨୯୪୦ କୋଟି ଟଙ୍କାର ଖର୍ଚରେ ବିକଶିତ କରାଯାଉଛି। ପୂର୍ବରୁ ଆର୍ଥିକ ମାମଲାର କ୍ୟାବିନେଟ କମିଟି ଏହି ପାଇପଲାଇନ ପ୍ରକଳ୍ପ ପାଇଁ ୪୦ ପ୍ରତିଶତ କ୍ୟାପିଟାଲ ଅନୁଦାନ ୫୧୭୬ କୋଟି ଟଙ୍କାର ଅନୁମୋଦନ କରି ସାରିଛି ଓ ଏହାକୁ ଗେଲ (ଇଣ୍ଡିଆ) କାର୍ଯ୍ୟକାରୀ କରୁଛି। ପ୍ରଥମ ଥର ପାଇଁ କୌଣସି ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପ ପାଇଁ ଭାରତ ସରକାର କ୍ୟାପିଟାଲ ଗ୍ରାଂଟ ପ୍ରଦାନ କରିଛି।

 

ଏହି ଟର୍ମିନାଲରୁ ପ୍ରାକୃତିକ ଗ୍ୟାସ ପୂର୍ବ ଭାରତର ବିଭିନ୍ନ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ (ସିଜିଡି) ନେଟବର୍କକୁ ମଧ୍ୟ ଯୋଗାଣ କରାଯିବ। ରାଂଚି, ବୋକାରୋ, ଜାମଶେଦପୁର, କୋଲକାତା ପରି ସହରରେ ଥିବା ସିଜିଡି ନେଟବର୍କକୁ  ପ୍ରାକୃତିକ ଗ୍ୟାସ ଏହିଠାରୁ ଯୋଗାଇ ଦିଆଯିବ। ଘରମାନଙ୍କୁ ପାଇପ ଯୋଗେ ଗ୍ୟାସ, ଯାନବାହନ ପାଇଁ ସିଏନଜି ତଥା ବିଭିନ୍ନ ବାଣିଜ୍ୟିକ ସଂସ୍ଥାନ ଓ ଶିଳ୍ପ ପାଇଁ ସ୍ୱଚ୍ଛ ଇନ୍ଧନର ଆବଶ୍ୟକତାକୁ ସିଜିଡି ନେଟବର୍କ ପୂରଣ କରିବ। ବରୌନୀ, ହଳଦିଆ ଓ ପାରାଦୀପରେ ଥିବା ଇଣ୍ଡିଆନ ଅଏଲର ତିନୋଟି ଅଏଲ ରିଫାଇନାରୀର ଗ୍ୟାସ ଆବଶ୍ୟକତାକୁ ମଧ୍ୟ ଏହି ଏଲଏନଜି  ଟର୍ମିନାଲ ପୂରା କରିବ। ବରୌନୀ, ସିନ୍ଧ୍ରୀ ଓ ଗୋରଖପୁରଠାରେ ପୁନରୁଦ୍ଧାର କରାଯାଉଥିବା ସାର କାରଖାନାଗୁଡିକୁ ମଧ୍ୟ ଏହି ଟର୍ମିନାଲରୁ ଲାଭ ମିଳିବ।

 

ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଭଦ୍ରକ ଜିଲ୍ଲାର ୨ ଶାସକ ଦଳ ମନ୍ତ୍ରୀଙ୍କ ସହ ୩ ଜଣ ବିଧାୟକ ଯୋଗ ଦେବାପାଇଁ ଦଳ ତରଫରୁ ପ୍ରଚାର ଏବଂ ରାସ୍ତା ସାରା ବିଭିନ୍ନ ହୋଡିଂ, ବ୍ୟାନର ସହ ପତାକା ଲଗାଇଥିଲେ ମଧ୍ୟ କୌଣସି ବିଜେଡି ନେତା କି ମନ୍ତ୍ରୀ ଯୋଗ ଦେଇନଥିଲେ। କିନ୍ତୁ କେନ୍ଦ୍ର୍ର ମନ୍ତ୍ରୀ ପହଞ୍ଚିବା ବେଳକୁ କେବଳ ବିଜେପିର ୧୦ ହଜାରରୁ ଅଧିକ କର୍ମୀ ସାରା ଜିଲ୍ଲାରୁ ଏକଜୁଟ ହୋଇ ସାରିଥିଲେ। ସଭା ପରିଚାଳନା କରିଥିଲେ ଘୋଷିକା ଦୀକ୍ଷା ତିୱାରୀ। ମଞ୍ଚରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ରାଜ୍ୟ ବିଧାନସଭାର ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂଦେଓ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ, ଇଣ୍ଡିଆନ ଅଏଲର ଚେୟାରମେନ ସଞ୍ଜୀବ ସିଂ, ଗେଲର ଚେୟାରମ୍ୟାନ ବିସି ତ୍ରିପାଠୀ, ଇଣ୍ଡିଆନ ଅଏଲର ଡାଇରେକ୍ଟର ଜିକେ ସତୀଶ‌୍‍, ଗେଲ‌୍‍ର ଡାଇରେକ୍ଟର ଆଶୁତୋଷ, ଆଦାନୀ କମ୍ପାନୀର ମୁଖ୍ୟ କରନ ଆଦାନୀ, ଗ୍ୟାସ ପ୍ରକଳ୍ପର ଇଡି ଆରକେ ଟିକୁ, ଧାମରା ବନ୍ଦର ମୁଖ୍ୟ ସୁବ୍ରତ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ।

 

ତେବେ କଥା ହେଉଛି ବାସ୍ତବେର ଏହି ଟର୍ମିନାଲରୁ ସର୍ବାଧିକ ଫାଇଦା ପାଇବ କିଏ? ଧାମରା ଏଲଏନଜି ଟର୍ମିନାଲ ପ୍ରାଇଭେଟ ଲିମିଟେଡ ଏକ ଘରୋଇ କମ୍ପାନୀ। ଏହାର ମୁଖ୍ୟ ପ୍ରାୟୋଜକ ହେଉଛି ଆଦାନୀ ଗୋଷ୍ଠୀ। ଆଦାନୀ ଗୋଷ୍ଠୀ ହିଁ ଧାମରା ବନ୍ଦରର ମାଲିକ। ପୂର୍ବରୁ ଏହି ବନ୍ଦର ଟାଟା କମ୍ପାନୀ ନିକଟରେ ଥିଲା। କିନ୍ତୁ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ତାହାକୁ ଆଦାନୀ ଗୋଷ୍ଠୀ କିଣି ନେଇଛି। ଆଦାନୀ ଗୋଷ୍ଠୀ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କ ଅତ୍ୟନ୍ତ ମଧୁର। ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳୁ ଆଦାନୀ ଗୋଷ୍ଠୀକୁ ଲକ୍ଷଲକ୍ଷ କୋଟି ଟଙ୍କାର ଫାଇଦା ଦେଇଚାଲିଛନ୍ତି।

 

ଏବେ ଓଡ଼ିଶାର ଧାମରାରେ ଏହି କମ୍ପାନୀ ସହିତ ମିଶି ଭାରତ ସରକାର ଧାମରା ଏଲଏନଜି ଟର୍ମିନାଲର ବିକାଶ କରାଇବେ। ଧାମରା ଏଲଏନଜି ଟର୍ମିନାଲ ପ୍ରାଇଭେଟ ଲିମିଟେଡ଼ର ପଂଜୀକୃତ ପୁଂଜି ହେଉଛି ମାତ୍ର ୫ ଲକ୍ଷ ଟଙ୍କା! ଏହା କିପରି ୬ ହଜାର କୋଟି ଟଙ୍କାର ଟର୍ମିନାଲ ଓ ୧୨ ହଜାର କୋଟି ଟଙ୍କାର ପାଇପଲାଇନ ପକାଇବ ତାହା ବୁଝିବାର କଥା! ବାସ୍ତବରେ ଗ୍ୟାସ ପାଇପଲାଇନ ପକାଇବ ଭାରତ ସରକାରଙ୍କ ଅଧୀନସ୍ତ ଗେଲ୍‌ ବା ଗ୍ୟାସ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ। ଟର୍ମିନାଲ ନିର୍ମାଣ କରିବ ଭାରତ ସରକାର। ଲାଭ ପାଇବ ଆଦାନୀ ଗୋଷ୍ଠୀ। ମାନେ ସରକାରୀ ପୁଂଜିର ଘରୋଇ ଲାଭ!

 

ଧାମରା ବନ୍ଦର ପରିବେଶ ଓ ସାମୁଦ୍ରିକ ଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ଏକ ସ୍ପର୍ଶକାତର ଅଂଚଳ। ଏଠାରେ ଟାଟାର ବନ୍ଦର ପ୍ରକଳ୍ପକୁ ଅନ୍ତର୍ଜାତୀୟ ସ୍ତରର ପରିବେଶବାଦୀ ସଂସ୍ଥା ଗ୍ରୀନପିସ୍‌ ଘୋର ବିରୋଧ କରୁଥିଲା। ଅଲିଭ ରିଡଲେ କଇଁଛ ଓ ହେନ୍ତାଳ ଜଙ୍ଗଲର ସୁରକ୍ଷା ପ୍ରତି ଏହି ବନ୍ଦର ବିପଦ। ଏବେ କେବଳ ଖଣିଜ ଦ୍ରବ୍ୟ ଏହି ବନ୍ଦର ଦେଇ ବାହାରକୁ ଯାଉଛି। ଏଣିକି ଗ୍ୟାସ୍‌ ପରିବହନ ହେଲେ ଧାମରା ଉପକୂଳକୁ ଯିବାଆସିବା କରୁଥିବା ଜାହାଜ ସଂଖ୍ୟା ବୃଦ୍ଧି ପାଇବ। ସାମୁଦ୍ରିକ ଓ ଉପକୂଳ ପରିବେଶ ଓ ପରିବେଷ୍ଟନୀ ଉପରେ ତାହାର କି ପ୍ରଭାବ ପଡ଼ିବ ସେନେଇ ବିସ୍ତୃତ ପାରିବେଶିକ ଆକଳନ କେବେ ହେଲା କେହି ଜାଣିଲେ ନାହିଁ, କିନ୍ତୁ ପ୍ରକଳ୍ପ ମଂଜୁର ପାଇଗଲା।

 

ଗ୍ୟାସ ପାଇପଲାଇନ ଯେଉଁ ଅଂଚଳ ଦେଇ ଯିବ ସେସବୁ ଅଂଚଳରେ କେତେ ଦମକଳ ଅଫିସ ଖୋଲିବ, କେତେ ଦମକଳ ରହିବ, ସେ ବାବଦରେ କିଏ ଟଙ୍କା ଖର୍ଚ୍ଚ କରିବ ତାହା ପ୍ରଧାନେ କହିଲେ ନାହିଁ କି କରନ ଆଦାନୀ କହିଲେ ନାହିଁ। କାରଣ ଗ୍ୟାସ ପାଇପଲାଇନରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିବ ନିଶ୍ଚୟ। ନିଆଁ ଲାଗିଲେ ତ ଆଉ ଗୌତମ ଆଦାନୀ, କରନ ଆଦାନୀ କି ନରେନ୍ଦ୍ର ମୋଦିଙ୍କ ଘର କି ଶରୀର ପୋଡ଼ିବ ନାହିଁ! ପୋଡ଼ିବ ଓଡ଼ିଶା ଲୋକଙ୍କର।


ପ୍ରତିକ୍ରିୟା

Deba prasad Parija - Email: debaparija1@gmail.com - Posted on 2017-07-13 20:28:20

This article carries the real analysis.Propagation and reality is quite different.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top