ନକ୍ସଲ ହିଂସାରେ ମଲେଣି ୧୨ ହଜାର

News Story - Posted on 2017-07-13

ଗତ ଦୁଇ ଦଶନ୍ଧି ମଧ୍ୟରେ ନକ୍ସଲ ହିଂସାରେ ୧୨ ହଜାର ଲୋକ ନିହତ ହେଲେଣି। ଏମାନଙ୍କ ମଧ୍ୟରେ ଅଛନ୍ତି ୨୭୦୦ ନିରାପତ୍ତା ରକ୍ଷୀ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହି ପରିସଂଖ୍ୟାନ ଦିଆଯାଇଛି। ଅନ୍ୟ ୯୩୦୦ ନିହତ ହେଲେ ସାଧାରଣ ଲୋକ। ତେବେ ଏହି ସମୟ ମଧ୍ୟରେ ନକ୍ସଲ ନାମରେ କେତେ ଲୋକଙ୍କୁ ହତ୍ୟା କରାଯାଇଛି ତାହା ଏହି ରିପୋର୍ଟରେ ନାହିଁ।

 

ରିପୋର୍ଟ ଅନୁସାରେ ଗତ ତିନି ବର୍ଷରେ ନିରାପତ୍ତା ବାହିନୀ ମଝିରେ ମଝିରେ କ୍ଷତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ନକ୍ସଲ ହିଂସା ୨୫ ପ୍ରତିଶତ ହ୍ରାସ ପାଇଚି। ଏହି ସମୟ ମଧ୍ୟରେ ନିରାପତ୍ତା ବାହିନୀର କ୍ଷତି ପରିମାଣ ମଧ୍ୟ ୪୨ ପ୍ରତିଶତ ହ୍ରାସ ପାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୧୦ ମସିହାରେ ଛତିାଗଡ଼ର ଦାନ୍ତେୱାଡ଼ାରେ ହୋଇଥିବା ନକ୍ସଲ ଆକ୍ରମଣରେ ୭୬ ଜଣ ସିଆରପିଏଫ ଯବାନ ନିହତ ହୋଇଥିଲେ। ଏହା ପରେ ଏଭଳି ଅନ୍ୟ ଏକ ଭୟଙ୍କର ଘଟଣା ଘଟିଥିଲା ୨୦୧୭ ଏପ୍ରିଲ ୨୪ ତାରିଖରେ। ସେଦିନ ନକ୍ସଲ ଆକ୍ରମଣରେ ସିଆରପିଏଫର ୨୫ ଜଣ ଯବାନ ପ୍ରାଣ ହରାଇଥିଲେ।

 

ସେହିପରି ଏହି ସମୟ ମଧ୍ୟରେ ନକ୍ସଲଙ୍କ ନିପାତ ଘଟଣା ୬୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଆତ୍ମସମର୍ପଣ ଘଟଣା ୧୮୫ ପ୍ରତିଶତ ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ଏବେ ଦେଶର ମାତ୍ର ୩୫ଟି ଜିଲ୍ଲାରେ ଦେଶର ୯୦ ପ୍ରତିଶତ ମାଓବାଦୀ କାର୍ଯ୍ୟକଳାପ ସୀମୀତ ହୋଇଯାଇଛି। ତେବେ ଦେଶର ୧୦ଟି ରାଜ୍ୟର ୬୮ ଜିଲ୍ଲାରେ ସେମାନଙ୍କର ଉପସ୍ଥିତି ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

 

ଦେଶରେ ନକ୍ସଲ ଉପଦ୍ରବ ନିୟନ୍ତ୍ରଣ କରିବା ନିମନ୍ତେ କେନ୍ଦ୍ର ସରକାର ଜାତୀୟ ନୀତି ଓ କ୍ରିୟାନୁଷ୍ଠାନ ଯୋଜନା ବା ଏନପିଏପି ନାମରେ ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ସହିତ ସ୍ଥାନୀୟ ଅଂଚଳର ବିକାଶ ଓ ସ୍ଥାନୀୟ ଲୋକଙ୍କ ସାମ୍ୱିଦାନିକ ଓ ଆଇନଗତ ଅଧିକାର ସାବ୍ୟସ୍ତ କରାଯାଉଛି। ଯୋଜନା ଅଧୀନରେ ଏଯାବତ ୩୦୭ ପୁଲିସ ଥାନାର ସୁଦୃଢ଼ୀକରଣ କରାଯାଇଛି। ନକ୍ସଲ ଉପଦ୍ରୁତ ଅଂଚଳରେ ଏଯାଏଁ ୧୩୯୧ କିଲୋମିଟରର ସଡ଼କ ନିର୍ମାଣ ସରିଛି। ଆଗକୁ ପୁଣି ୫୪୧୨ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ସରକାର ପ୍ରକଳ୍ପ ମଂଜୁର କରିଛନ୍ତି।

 

ନକ୍ସଲ ଅଚଂଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ୨୧୮୭ ମୋବାଇଲ ଟାୱାର ନିର୍ମାଣ କରିଛନ୍ତି। ଆଗକୁ ଆହୁରି ୨୮୮୨ ଟାୱାର ନିର୍ମାଣ କରିବା ପାଇଁ ଅର୍ଥ ମଂଜୁର ହୋଇଛି। ଉପଦ୍ରୁତ ଅଂଚଳରେ ୩୫୮ ବ୍ୟାଙ୍କ ଶାଖା, ୭୫୨ ଏଟିଏମ ଓ ୧୭୮୯ ଡାକ ଘର ଖୋଲିବା ପାଇଁ ପ୍ରକଳ୍ପ ମଂଜୁର ହୋଇଛି। ଏସବୁ ବ୍ୟତିତ ଅଧିକ ବିକାଶମୂଳକ ପ୍ରକଳ୍ପ ପାଇଁ ପାଣ୍ଠି ମଂଜୁର କରିବା ନିମନ୍ତେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରିଛି।

 

ଉପଦ୍ରୁତ ଅଂଚଳର ବିକାଶ ପାଇଁ ନିରାପତ୍ତା ସଂକ୍ରାନ୍ତ ବ୍ୟୟ ବା ଏସଆରଇ ଏବଂ ସ୍ୱତନ୍ତ୍ର ଭିତ୍ତିଭୂମି କାର୍ଯ୍ୟକ୍ରମ ବା ଏସଆଇଏସ ନାମରେ ଦୁଇଟି କାର୍ଯ୍ୟକ୍ରମ ଚାଲିଛି। ଏକାଦଶ ପଂଚ ବାର୍ଷିକ ଯୋଜନାରେ ଏସଆଇଏସ ଅଧୀନରେ ପ୍ରଥମେ ୫୦୦ କୋଟି ଟଙ୍କା ମଂଜୁର ହୋଇଥିଲା। ପରେ ଆଉ ୪୬୦ କୋଟି ଟଙ୍କା ମଂଜୁର ହେଲା। ଏହି ଯୋଜନାକୁ ଦ୍ୱାଦଶ ପଂଚବାର୍ଷିକ ଯୋଜନାରେ ମଧ୍ୟ ସାମିଲା କରାଗଲା। ଏହି ପାଞ୍ଚ ବର୍ଷ ପାଇଁ ଏହି ଏସଆଇଏସ ବାବଦରେ ୩୭୩ କୋଟି ଟଙ୍କା ମଂଜୁର ହୋଇଥିଲା। ତେବେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ନିଦ୍ଦେର୍ଶରେ ଏହି ଯୋଜନା ଏବେ ବନ୍ଦ ଅଛି।

 

ଏହା ବ୍ୟତିତ ନକ୍ସଲ ଉପଦ୍ରୁତ ଅଂଚଳର ବିକାଶ ପାଇଁ ସମନ୍ୱିତ କ୍ରିୟାନୁଷ୍ଠାନ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଥିଲା। କିନ୍ତୁ ନିଟି ଆୟୋଗ ଗଠିତ ହେବା ପରେ ଏହି କାର୍ଯ୍ୟକ୍ରମର ନାଁ ବଦଳି ଅତିରିକ୍ତ କେନ୍ଦ୍ରୀୟ ସହାୟତା ବା ଏସିଏ ରଖାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ୨୦୧୬ ଜାନୁଆରୀ ୭ ତାରିଖ ସୁଦ୍ଧା ମୋଟ ୯୦୫୯ କୋଟି ଟଙ୍କା ମଂଜୁର ହୋଇଛି। ଏହି ଅର୍ଥରୁ ୮୭୧୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଅର୍ଥରେ ୧୩୯୭୨୯ଯି ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇସାରିଛି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top