ନୀତି ମଦମୁକ୍ତ, ନିର୍ଦ୍ଦେଶ ମଦଯୁକ୍ତ!

News Story - Posted on 2017-07-13

ଓଡ଼ିଶାରେ ଅଧିକରୁ ଅଧିକ ଯୁବକ ମଦ ଓ ଅନ୍ୟାନ୍ୟ ନିଶା ପ୍ରତି ଆତ୍କୃଷ୍ଟ ହେଉଥିବାରୁ ରାଜ୍ୟର ବିକାଶ ପରିବର୍ତ୍ତେ ସେମାନେ ବିନାଶର କାରଣ ହେଉଛନ୍ତି। ଏହି ଗୁରୁତର ସମସ୍ୟାକୁ ଉପଲବ୍ଧି କରି ସମଗ୍ର ରାଜ୍ୟରେ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା ଲାଗି ଓଡ଼ିଶା ଯୁବନୀତିରେ ସରକାର ଘୋଷଣା କରିଛନ୍ତି। କିନ୍ତୁ ଏହି ଯୁବନୀତି ଘୋଷଣା ୪ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ଗୋଟିଏ ହେଲେ ଗାଁକୁ ନିଜ ଉଦ୍ୟମରେ ନିଶାମୁକ୍ତ କରିନଥିବା ବେଳେ ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟକ ଯୁବକଙ୍କୁ ନିଶାଯୁକ୍ତ କରାଉଛନ୍ତି। ଏଥିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷିତ ରାଜ୍ୟ ଯୁବନୀତି ବିଫଳ ହୋଇଛି ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ଖୋଲା ଅଭିଯୋଗ କରିଛି।

 

ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଜାତିସଙ୍ଘ ଜନସଂଖ୍ୟା ପାଣ୍ଠିର ମିଳିତ ଉଦ୍ୟମରେ ଦୀର୍ଘଦିନର ବ୍ୟାପକ କସରତ ପରେ ସରକାର ପ୍ରସ୍ତୁତ କରିଥିବା ଓଡ଼ିଶା ରାଜ୍ୟ ଯୁବନୀତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୩ ଏପ୍ରିଲ‌୍‍ ମାସରେ ଘୋଷଣା କରିଥିଲେ। ଏଥିରେ ଯୁବକମାନଙ୍କ ମଧ୍ୟରେ ନିଶାର ପ୍ରସାରଜନିତ ସମସ୍ୟା ଘେନି ଗଭୀର ଉଦ‌୍‍ବେଗ ପ୍ରକାଶ କରାଯିବା ସହିତ ୯ମ ଅନୁଚ୍ଛେଦରେ ମଦ(ଆଲ‌୍‍କହଲ‌୍‍)ମୁକ୍ତ ଗ୍ରାମ ପ୍ରତିଷ୍ଠା ଲାଗି କୁହାଯାଇଥିଲା। ତେବେ ଯୁବନୀତି ଘୋଷଣାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ନିଜ ଉଦ୍ୟମରେ ଗୋଟିଏ ହେଲେ ଗାଁକୁ ନିଶାମୁକ୍ତ କରିନାହାନ୍ତି ବୋଲି ଖୋଦ‌୍‍ ଅବକାରୀ ବିଭାଗ ସ୍ୱୀକାର କରୁଛି।

 

ଅନ୍ୟପକ୍ଷରେ ବେସରକାରୀ ଉଦ୍ୟମରେ ବିଭିନ୍ନ ଜିଲ୍ଲାରେ ମହିଳାମାନଙ୍କ ସଂକଳ୍ପବଦ୍ଧ ଉଦ୍ୟମ କ୍ରମେ ବିକ୍ଷିପ୍ତ ଭାବେ ମଦମୁକ୍ତି ଅଭିଯାନ ଚାଲିଛି। ଏଥିଯୋଗୁ କେତେକ ଗାଁରେ ମଦ ପଶିପାରୁନାହିଁ। ସରକାର ଯେଉଁ କାମ କରିପାରୁନାହାନ୍ତି ତାହାକୁ ସଫଳ କରିବା ଲାଗି ମହିଳାମାନେ ଜୀବନକୁ ବାଜି ଲଗାଇ ସଂଘର୍ଷ କରୁଥିବା ବେଳେ ପୋଲିସ, ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ ସେଭଳି କୌଣସି ସହଯୋଗ ମିଳୁନାହିଁ। ଓଲଟା ଏମାନେ ମିଳିମିଶି ଗାଁରେ ଗାଁରେ କିଭଳି ମଦର ବନ୍ୟା ଛୁଟିବ ସେ କାମରେ ମାତୁଛନ୍ତି ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ ଅଭିଯୋଗ ହୋଇଛି।

 

ମଦ ବେପାରୀଙ୍କ ସ୍ୱାର୍ଥ ସାଧନ ଲାଗି ଅବକାରୀ ରାଜସ୍ୱ ଆଳରେ ରାଜ୍ୟ ସରକାର ବର୍ଷକୁ ବର୍ଷ ଜିଲ୍ଲାଗୁଡ଼ିକ ଉପରେ ଅଧିକ ଲକ୍ଷ୍ୟ ଧାର୍ଯ୍ୟ କରୁଛନ୍ତି। ୨୦୦୦ ମସିହା ବେଳକୁ ଓଡ଼ିଶାରେ ଅବକାରୀ ରାଜସ୍ୱ ପରିମାଣ ୧୩୫ କୋଟି ଟଙ୍କା ଥିବା ବେଳେ ୨୦୧୭-୧୮ରେ ସରକାର ୩୬୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି। ୨୦୦୧-୦୨ ବେଳକୁ ରାଜ୍ୟରେ ୧୭୯୮ଟି ଲାଇସେନ୍ସପ୍ରାପ୍ତ ଅବକାରୀ ଦୋକାନ ଥିବା ବେଳେ ଏହାର ସଂଖ୍ୟା ୨୦୧୬-୧୭ ବେଳକୁ ପ୍ରାୟ ୪ହଜାରରେ ପହଞ୍ଚିଥିଲା। ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକରେ ବାର୍ଷିକ ପ୍ରାୟ ୨୦ କୋଟି ଲିଟର ମଦ କାରବାର ହେଉଥିବା ବେଳେ ଚୋରାରେ ଏହାର ୩/୪ ଗୁଣରୁ ଅଧିକ ଟଙ୍କାରେ ମଦ ଯୋଗାଯାଉଛି।

 

ନିଶା କିଣିବା ଲାଗି ଓଡ଼ିଶା ଭଳି ପଛୁଆ ରାଜ୍ୟର ଲୋକେ ଏଥିପାଇଁ ବାର୍ଷିକ ୫୦ ହଜାର କୋଟିରୁ ୬୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବରବାଦ‌୍‍ କରୁଥିବା ବେଳେ ନିଶା ଯୋଗୁ ସରକାର, ସମାଜ, ପରିବାର ଓ ବ୍ୟକ୍ତିଙ୍କ କ୍ଷତିର ପରିମାଣ ବାର୍ଷିକ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଓଡ଼ିଶାରେ ହେଉଛି। ଏହା ରାଜ୍ୟର ଦାରିଦ୍ର୍ୟ, ଅନଗ୍ରସରତା, ଅପରାଧ ବୃଦ୍ଧି, ଆଇନ‌୍‍ ଶୃଙ୍ଖଳା ପରିସ୍ଥିତି, ରୋଗବ୍ୟାଧି, ଦୁର୍ଘଟଣା, ମାତୃ ଓ ଶିଶୁ ମୃତ୍ୟୁହାର ଅଧିକ ରହିବା, ଓଡ଼ିଶାରେ ମଣିଷର ହାରାହାରି ପରମାୟୁ କମ‌୍‍ ରହିବା ପାଇଁ ମୁଖ୍ୟତଃ ଦାୟୀ। ଓଡ଼ିଶାରେ ଶିକ୍ଷାର ପ୍ରସାର କ୍ଷେତ୍ରରେ ମଧ୍ୟ ନିଶା ଅନ୍ତରାୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ନିରାକରଣ ଓ ସାମାଜିକ ସୁରକ୍ଷା ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ବାଧକ ହେଉଛି।

 

ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଅବକାରୀ ବିଭାଗର ନାମ ବଦଳାଇ ଏହାକୁ ନିଶା ନିବାରଣ ବିଭାଗରେ ପରିଣତ କରିବା ଏବଂ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ସ୍ୱୀକୃତିଲାଭ କରିଥିବା ଓଡ଼ିଶା ନିଶା ନିବାରଣ ଆଇନ‌୍‍କୁ ସଂଶୋଧନ ସହ କଡ଼ାକଡ଼ି ଭାବେ ଲାଗୁ କରିବା ଏବଂ ବିହାର, କେରଳ ଭଳି ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ଓଡ଼ିଶା ମଦମୁକ୍ତି ଅଭିଯାନର ଆବାହିକା ପ୍ରମିଳା ସ୍ୱାଇଁ ଓ ଅନ୍ୟତମ ଉପଦେଷ୍ଟା ପ୍ରହଲାଦ କୁମାର ସିଂହ ପୁଣି ଥରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ସରକାର ବିଶେଷ କରି ମୁଖ୍ୟମନ୍ତ୍ରୀ ତାଙ୍କ ଘୋଷିତ ରାଜ୍ୟ ଯୁବନୀତିକୁ କଡ଼ାକଡ଼ି ଭାବେ ପାଳନ କରି ବର୍ଷକ ମଧ୍ୟରେ ସମସ୍ତ ଗ୍ରାମକୁ ମଦମୁକ୍ତ କରିବା ଲାଗି ମଦମୁକ୍ତି ଅଭିଯାନ ଆହ୍ୱାନ ଦେଇଛି।

 

ଏଥିପାଇଁ ଦଳମତ ନିର୍ବିଶେଷରେ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ନିର୍ବାଚିତ ସମସ୍ତ ଲୋକ ପ୍ରତିନିଧି, େସ୍ୱଚ୍ଛାସେବୀ ସଂଗଠନ, ସଚେତନ ନାଗରିକ ବିଶେଷ କରି ମହିଳାମାନେ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ସହିତ ରାଜ୍ୟ ଯୁବନୀତିରେ ଘୋଷିତ ମଦମୁକ୍ତ ଗ୍ରାମ ଘୋଷଣାକୁ ନିଜ ନିଜ ଅଞ୍ଚଳରେ କାମରେ କରି ଦେଖାଇବାକୁ ଓଡ଼ିଶା ମଦମୁକ୍ତି ଅଭିଯାନ ନିବେଦନ କରିଛି। ଏଠାରେ ଉଲ୍ଲେଖନୀୟ ଯେ ୧୯୯୨ରେ କଟକରେ ଘଟିଥିବା ଭୟଙ୍କର ମଦମୃତ୍ୟୁ ଦୁର୍ଘଟଣା ପରଠାରୁ ବିଶିଷ୍ଟ ସର୍ବୋଦୟ ନେତ୍ରୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡ଼ିଶା ମଦମୁକ୍ତି ଅଭିଯାନ ଗଠନ କରାଯାଇ ନିରବଚ୍ଛିନ୍ନ ଭାବେ ରାଜ୍ୟର ବିଭିନ୍ନ ଅଞ୍ଚଳର ମହିଳାମାନଙ୍କ ନେଇ ମଦ ବିରୋଧରେ ଅଭିଯାନକୁ ଉତ୍ସାହିତ କରିଆସୁଛି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top