ଖସିଲା ଲକ୍ଷେ କୋଟି ଟନ‌୍‍ର ବରଫ ଖଣ୍ଡ

News Story - Posted on 2017-07-13

 

ପଶ୍ଚିମ ଆଣ୍ଟାର୍କଟିକ ବରଫ ଗଦାରୁ ଅଲଗା ହୋଇଯାଇଛି ଲକ୍ଷେ କୋଟି ଟନ‌୍‍ର ଏକ ବରଫ ଖଣ୍ଡ। ଏହି ବରଫ ଗଦାରେ କିଛି ଦିନ ଧରି ଫାଟ ସୃଷ୍ଟି ହୋଇଥିଲା। ତାହା ବଢ଼ି ଚାଲିଥିଲା। ଯେଉଁ ବୈଜ୍ଞାନିକମାନେ ଏହା ଉପରେ ନଜର ରଖିଥିଲେ ସେମାନେ ବୁଧବାର ଏହି ସୂଚନା ଦେଇଛନ୍ତି।

 

ସ୍ୱାନ୍ସିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କହିଛନ୍ତି ଯେ ଆଣ୍ଟାର୍କଟିକାର ଲାର୍ସନ ସି ବରଫ ଗଦାରୁ ୫,୮୦୦ ବର୍ଗ କିଲୋମିଟର ପରିମିତି ଏକ ବିଶାଳ ବରଫ ଖଣ୍ଡ ସଂପୂର୍ଣ୍ଣ ଅଲଗା ହୋଇଯାଇଛି। ଜୁଲାଇ ୧୦ ସୋମବାର ଓ ଜୁଲାଇ ୧୨ ବୁଧବାର ମଧ୍ୟରେ ଏହି ଘଟଣା ଘଟିଛି। ଏହି ବରଫ ଖଣ୍ଡର ଆୟତନ ଆମେରିକାର ଡେଲାୱାର ରାଜ୍ୟଠାରୁ ବଡ଼ ଓ ଇଂଲଣ୍ଡ ରାଜଧାନୀ ଲଣ୍ଡନ ସହରର ଚାରିଗୁଣ। ଏହାର ମୋଟେଇ ୩୫୦ ମିଟର ହେବ ବୋଲି ଆକଳନ କରାଯାଇଛି। ସେହିପରି ଏହି ଖଣ୍ଡରେ ଥିବା ବରଫର ଓଜନ ଲକ୍ଷେ କୋଟି ଟନ ହେବ ବୋଲି ହିସାବ କରାଯାଇଛି। ଏବେ ଜଳ ଉପରେ ଭାସି ଭାସି ମୂଳ ଗଦାରୁ ଅଲଗା ହୋଇଯାଇଛି।

 

ଅଲଗା ହୋଇଯିବା ପରେ ଏହି ବରଫ ଖଣ୍ଡର ନୂଆ ନାମ ଏ୬୮ ରହିବ ବୋଲି ସ୍ଥିର ହୋଇଛି। ଏହା ଅଲଗା ହେବା ପରେ ଲାର୍ସନ ସି ବରଫ ଗଦା ୧୨ ପ୍ରତିଶତ ବରଫାଞ୍ଚଳ ହରାଇଲାଣି ବୋଲି ଆକଳନ କରାଯାଇଛି।

 

ଆଣ୍ଟାର୍କଟିକାର ବରଫ ଖଣ୍ଡ ମୂଳ ଗଦାରୁ ଅଲଗା ହେବା ନୂଆ କଥା ନୁହେଁ। ସେଗୁଡ଼ିକ ମୂଳ ଗଦାରୁ ଅଲଗା ହୋଇ ଭାସମାନ ଅବସ୍ଥାରେ ରହିଥାନ୍ତି। ଅନ୍ୟ ଖଣ୍ଡଗୁଡ଼ିକ ସିଧାସଳଖ ମହାସାଗରକୁ ଭାସିଯିବା କ୍ଷେତ୍ରରେ ଏହି ଅଲଗା ହୋଇଥିବା ଖଣ୍ଡଗୁଡ଼ିକ ବାଧା ସୃଷ୍ଟି କରିଥାନ୍ତି। ଯଦି ଅଲଗା ହୋଇଥିବା ଲାର୍ସନ ସି’ର ଏହି ବିଶାଳ ବରଫ ଖଣ୍ଡ ଆଣ୍ଟାର୍କଟିକ ମହାସାଗରରେ ମିଶିଯାଏ ତେବେ ବିଶ୍ୱର ଜଳପତ୍ତନ ଅତିକମରେ ୧୦ ସେଣ୍ଟିମିଟର ବା ୪ ଇଞ୍ଚ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।

 

ପ୍ରାକୃତିକ କାରଣରୁ ଆଣ୍ଟାର୍କଟିକ ବରଫ ଗଦା ଏହିପରି ଭାଙ୍ଗି ଭାଙ୍ଗି ଚାଲିଛି। ବିଶ୍ୱ ତାପନ ଯୋଗୁଁ ବରଫ ଖଣ୍ଡ ତଳେ ଥିବା ଜଳ ଉତ୍ତପ୍ତ ହୋଇ ତଳ ଆଡ଼ୁ ବରଫ ଖାଉଛି। ଉପର ଗରମ ମଧ୍ୟ ଉପର ଆଡ଼ୁ ବରଫ ତରଳାଉଛି। ଏହା ଫଳରେ ବିଶାଳ ବରଫ ଖଣ୍ଡମାନ ମୂଳ ଗଦାରୁ ଅଲଗା ହୋଇ ଭାସୁଛି। ଏହି ପ୍ରକ୍ରିୟାରେ ଲାର୍ସନ ଏ ବରଫ ଖଣ୍ଡ ୧୯୯୫ ମସିହାରେ ଭାଙ୍ଗି ଯାଇଥିଲା। ଏହାର ୭ ବର୍ଷ ପରେ ଲାର୍ସନ ବି ମଧ୍ୟ ଅଲଗା ହୋଇଯାଇଥିଲା।

 

ସ୍ୱାନ୍ସିଆ ବିଶ୍ୱବିଦ୍ୟାଳୟର ଆଦ୍ରିଆନ ଲୁକମ୍ୟାନ କହିଛନ୍ତି ଯେ ଲାର୍ସନ ସି ବରଫ ଖଣ୍ଡ ଭାଙ୍ଗିବା ଘଟଣାର କି ପ୍ରଭାବ ପଡ଼ିବ ତା’ ଉପରେ ଗବେଷଣା ହେବ। ଏହା ସମ୍ଭବତଃ ପୂର୍ବପରି ମୂଳ ଗଦା ନିକଟରେ ଭାସି ରହିବ କିମ୍ୱା ଉତ୍ତରର ଉତ୍ତପ୍ତ ଜଳ ଆଡ଼କୁ ଗତି କରି ମିଳାଇଯିବ।

 

ମଣିଷକୃତ କାରଣରୁ ବିଶ୍ୱର ତାପମାତ୍ରା ଶିଳ୍ପାୟନ ପୂର୍ବକାଳ ତୁଳନାରେ ପ୍ରାୟ ୧ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି। ଏହି ଉତ୍ତାପ ଯୋଗୁଁ ଆଣ୍ଟାର୍କଟିକାର ବରଫ ତରଳିବାରେ ଲାଗିଛି। ଆଣ୍ଟାର୍କଟିକା ବରଫ ତରଳିବା ଫଳରେ ସମୁଦ୍ର ଜଳ ପତ୍ତନ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଜଳ ପତ୍ତନ ଅଧିକ ଉଚ୍ଚକୁ ଉଠିଲେ ବିଶ୍ୱର ଉପକୂଳ ଅଂଚଳ ଜଳମଗ୍ନ ହେବା ସହିତ ଅନେକ ଧନଜୀବନ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top