ସହାୟକ ମୂଲ୍ୟରେ ଅସହାୟ ଚାଷୀ

News Story - Posted on 2017-07-11

ଗୋଲକ ବିହାରୀ ନାୟକ

 

ନିକଟରେ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୮୦ ଟଙ୍କା ବୃଦ୍ଧି କରିଛନ୍ତି। ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଁ ରାଜ୍ୟ ବିଧାନସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦିଆଯାଇଥିଲା। ଏହି ପ୍ରସ୍ତାବରେ ରାଜ୍ୟ ସରକାର କହିଥିଲେ ଯେ, ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛିା ୨୯୩୦ ଟଙ୍କା ବୃଦ୍ଧି କରାଯାଉ। ମାତ୍ର କେନ୍ଦ୍ର ସରକାର ୮୦ ଟଙ୍କା ବୃଦ୍ଧି କରିଛନ୍ତି। ଏହା ଫଳରେ ସାଧାରଣ ଧାନର କୁଇଣ୍ଟାଲ ପିଛା ଏମ‌୍‍.ଏସ‌୍‍.ପି. (ମିନିମମ ସପୋର୍ଟ ପ୍ରାଇସ‌୍‍) ବର୍ତ୍ତମାନ ୧୪୭୦ ଟଙ୍କାରୁ ୧୫୫୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଗ୍ରେଡ଼ ‘ଏ’ ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୧୫୧୦ ଟଙ୍କାକୁ ବୃଦ୍ଧି ପାଇଛି। କେନ୍ଦ୍ରର ଏହି ନିଷ୍ପତ୍ତି ଚାଷୀକୂଳକୁ ହତୋତ୍ସାହିତ କରିଛି।

 

ଆମ ରାଜ୍ୟରେ ବର୍ତ୍ତମାନ ଗୋଟିଏ କୁଇଣ୍ଟାଲ ଧାନ ଉତ୍ପାଦନ କରିବାକୁ ୨୧୦୦ ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ ହେଉଥିବା କୃଷି ଗବେଷଣା ସୂତ୍ରରୁ ପ୍ରକାଶ। ୨୧୦୦ ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ କରି ୧୬୦୦ ଟଙ୍କା ଠାରୁ କମ‌୍‍ରେ ବିକ୍ରି କଲେ ଚାଷୀ ଧାନ ଚାଷରୁ କ’ଣ ଲାଭ ପାଇବ? ଗ୍ରୀନ‌୍‍ ରିଭ୍ୟୁଲେସନର ପିତା ତଥା କୃଷି ବିଷାରଦ ସ୍ୱାମୀନାଥନ କମିଶନଙ୍କ ଧାନଚାଷୀଙ୍କ ଉତ୍ପାଦନ ଓ ଖର୍ଚ୍ଚକୁ ନେଇ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲେ ସେଥିରେ ଧାନର ଉତ୍ପାଦନ ପାଇଁ କୁଇଣ୍ଟାଲ ପିଛା ଯେତକି ଚାଷୀ ଖର୍ଚ୍ଚ କରୁଛନ୍ତି, ତା’ର ଦେଢଗୁଣା ଚାଷୀ ନ ପାଇଲେ ତାହା ତା’ର ପରିବାରର ଭରଣ ପୋଷଣ ପାଇଁ ଯଥେଷ୍ଟ ହେବ ନାହିଁ ବୋଲି କହିଥିଲେ। ୨୦୧୪ ନିର୍ବାଚନ ପୂର୍ବରୁ ବିଜେପି ମଧ୍ୟ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ, ତାଙ୍କ ଦଳ ସରକାର ଗଢିଲେ ସେମାନେ ଅନ୍ତତଃ ସ୍ୱାମୀନାଥନଙ୍କ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରିବେ। ମାତ୍ର ବର୍ତ୍ତମାନ କୁଇଣ୍ଟାଲ ପିଛା ୮୦ ଟଙ୍କା ବୃଦ୍ଧି କରିବା ଚାଷୀକୁ ହତାଶ କରିଛି। ଏହା କରିବା ଫଳରେ ମୋଦି ସରକାର କ୍ଷମତାକୁ ଆସିବା ପରେ ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେଥିରୁ ଓହରି ଯାଇଛନ୍ତି। ଲାଭାଂଶ ସହ କୃଷି ସାମଗ୍ରୀର ଦର ଧାର୍ଯ୍ୟ ଲାଗି କମିଶନଙ୍କ ସୁପାରିଶ ସେମିତି ଶୀତଳ ଭଣ୍ଡାରରେ ପଡ଼ି ରହିଛି।

 

ଅନ୍ୟ ଏକ କଥା ପ୍ରତି ଦୃଷ୍ଟିପାତ କଲେ ଜଣାଯାଏ ଯେ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୭-୧୮ ବର୍ଷର ବଜେଟ‌୍‍ ପାର୍ଲାମେଣ୍ଟରେ ଉପସ୍ଥାପନା କରି କହିଥିଲେ ଯେ, ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଅର୍ଥାତ‌୍‍ ୨୦୨୨ ସୁଦ୍ଧା ଦେଶର ଚାଷୀ ପରିବାରର ପିଛା ହାରାହାରି ମାସିକ ଆୟ ଦୁଇଗଣ ହେବ। ଚାଷୀଙ୍କ ଆୟ ପାଞ୍ଚବର୍ଷରେ ଦୁଇଗଣ ବୃଦ୍ଧି କରିବା ଲାଗି କୃଷି କ୍ଷେତ୍ରରେ ବାର୍ଷିକ ୧୨ରୁ ୧୪ ପ୍ରତିଶତ ହାରରେ ଅଭିବୃଦ୍ଧି ଦରକାର। ବର୍ତ୍ତମାନ କୃଷି କ୍ଷେତ୍ରରେ ବାର୍ଷିକ ଦର ବୃଦ୍ଧି ହାର ୧.୫ରୁ ୨ ପ୍ରତିଶତ ଥିବା ବେଳେ ଏହାକୁ ପାଞ୍ଚରୁ ଛଅଗୁଣ ବୃଦ୍ଧି କରିବା ଭଳି ବଜେଟ‌୍‍ରେ କୌଣସି ପ୍ରସ୍ତାବ ନାହିଁ କି ପୁଞ୍ଜି ବିନିଯୋଗ ଯୋଜନା ନାହିଁ। ଏଥିରୁ ଆମେ କିପରି ବୁଝିବା ଯେ, ବିଜେପି ସରକାର ଚାଷୀଙ୍କର ଆୟ ୫ବର୍ଷରେ ଦୁଇଗୁଣ କରିବ ଏବଂ ଚାଷୀର ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆସିବ। ଏହା କେବଳ ଫମ୍ପା ପ୍ରତିଶ୍ରୁତି ଭଳି ପ୍ରତୀୟମାନ ହେଉଛି।

 

ଆମ ଓଡ଼ିଶା ଚାଷୀଙ୍କ କଥା ବିଚାରକୁ ନିଆଯାଉ। ବର୍ତ୍ତମାନ ଆମ ରାଜ୍ୟର ଶତକଡ଼ା ୮୫ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ। ସେହିପରି ଚାଷୀ ହିଁ ରାଜ୍ୟର ୮୫ ପ୍ରତିଶତ ଲୋକଙ୍କୁ କର୍ମ ଯୋଗାଇଥାଏ। ରାଜ୍ୟରେ ମୋଟ ଚାଷ କରୁଥିବା ପରିବାର ମଧ୍ୟରୁ ୮୫ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ଯେଉଁ ଚାଷୀମାନଙ୍କର ୧ ଏକରରୁ ୫ ଏକର ମଧ୍ୟରେ ଜମି ରହିଥାଏ, ସେମାନଙ୍କ ମଧ୍ୟରୁ କିଛି ଚାଷୀ ଭାଗଚାଷ କରିଥାନ୍ତି। ଏହି ଭାଗଚାଷୀଙ୍କ ସଂଖ୍ୟା ସରକାରୀ ହିସାବରେ ୪୫ ଲକ୍ଷ ହେବ। ରାଜ୍ୟରେ ମାତ୍ର ୧୫ ପ୍ରତିଶତ ଚାଷୀ ହେଉଛନ୍ତି ମଧ୍ୟମ ଏବଂ ବଡ଼ଚାଷୀ। ସମସ୍ତ ଚାଷୀ ମିଶିଲେ ଓଡ଼ିଶାରେ ଯେତେ ଫସଲ କରନ୍ତି, ସେଥିରୁ ୯୦ ଭାଗ ହେଉଛି ଧାନ। ପ୍ରତିବର୍ଷ ବନ୍ୟା, ବାତ୍ୟା, ମରୁଡ଼ି ପ୍ରଭୃତି ପ୍ରାକୃତିକ ଦୁର୍ବିପାକ ବିପର୍ଯ୍ୟୟ ହେଉଥିବାରୁ ଚାଷୀଙ୍କର ଧାନ ଫସଲରେ ଅନେକ ପରିମାଣରେ ନଷ୍ଟ ହୋଇଥାଏ। ସୁତରାଂ ଚାଷୀ ତା’ର ଆଶାଜନକ ଫସଲ ଉତ୍ପାଦନ କରିପାରେ ନାହିଁ। ଚାଷୀ ତା’ର ଉତ୍ପାଦିତ ଧାନର ପ୍ରକୃତ ଖର୍ଚ୍ଚ ଠାରୁ ବହୁତ‌୍‍ କମ‌୍‍ ମୂଲ୍ୟୃରେ ସରକାରୀ ଧାର୍ଯ୍ୟ ସହାୟକ ମୂଲ୍ୟର ଏବଂ ଅନେକ ସମୟରେ ଅଣ୍ଡରରେଟ‌୍‍ରେ ଧାନ ବିକ୍ରୟ କରିଥାଏ। ଏହା ଦ୍ୱାରା ଚଷୀର ଆୟ ବଢିବ କିପରି ଏବଂ ୫ ବର୍ଷରେ ଦ୍ୱିଗୁଣିତ ହେବ କିପରି? ପ୍ରକୃତରେ ଯଦି ସରକାର ଚାଷୀର ଆୟ ଦୁଇଗୁଣ ହେଉ ବୋଲି ଚାହାଁନ୍ତି, ତେବେ ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ପର୍କରେ ନୀତି ଓ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ସ୍ୱାମୀନାଥନ କମିଶନଙ୍କ ରିପୋର୍ଟକୁ କାର୍ଯ୍ୟକାରୀ କରନ୍ତୁ। ଉତ୍ପାଦକ ଖର୍ଚ୍ଚ ଉପରେ ୫୦ ଭାଗ ଲାଭ ଦେଇ କୃଷିଜାତ ସାମଗ୍ରୀର ମୂଲ୍ୟ ଧାର୍ଯ୍ୟ ନ କଲେ ତାହା କଦାପି ଚାଷୀ ପାଇଁ ସହାୟକ ହେବ ନାହିଁ।

 

କେବଳ ଓଡ଼ିଶାରେ ନୁହେଁ ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ପ୍ରଭୃତି ଅଧିକାଂଶ ଧାନ ଉତ୍ପାଦନକାରୀ ରାଜ୍ୟରେ କୁଇଣ୍ଟାଲ ପିଛା ଧାନ ଉପିାଦନ ଖର୍ଚ୍ଚ ସହାୟକ ମୂଲ୍ୟ ଠାରୁ ଅଧିକ। କେବଳ ପଞ୍ଜାବ ଭଳି ଗୋଟିଏ ଦୁଇଟି ଅଧିକ ଉତ୍ପାଦନକ୍ଷମ ରାଜ୍ୟରେ ଉତ୍ପାଦନ ଖର୍ଚ୍ଚ ଅପେକ୍ଷାକୃତ କମ‌୍‍ ହୋଇଥିବାରୁ ସେଠାରେ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କୁ ସର୍ବାଧିକ ୪ରୁ ୫ ପ୍ରତିଶତ ଲାଭ ଦେଇଥାଏ। ଏହି କାରଣରୁ ଧାନ ଚାଷ ଆଉ ପୋଷାଉ ନାହିଁ। ଅନେକ ଲୋକ ଚାଷ ଛାଡ଼ି ଦେଉଛନ୍ତି। ଅନେକ ଚାଷୀ କୃଷିଋଣ ଶୁଝି ନପାରି ଆତ୍ମହତ୍ୟା କରୁଛନ୍ତି। କେନ୍ଦ୍ର ସରକାର ସହାୟକ ମୂଲ୍ୟର ‘ନାମମାତ୍ର ବୃଦ୍ଧି’ ଅଭାବୀ ଦୁର୍ଦ୍ଦଶାଗ୍ରସ୍ତ ଚାଷୀକୂଳ ପ୍ରତି ଅନ୍ୟାୟ ବୋଲି ଜାଣି ସୁଦ୍ଧା ଏହାର ପୁନର୍ବିଚାର ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଚାଷୀ ଅଧିକ ଅମଳ କରିପାରିଲେ, ଅଧିକ ଆୟ ଅର୍ଜନ କରିପାରିବେ, ଏହା ମଧ୍ୟ ଅନେକ କ୍ଷେତ୍ରରେ ଠିକ‌୍‍ ନୁହେଁ। ଆମ ରାଜ୍ୟରେ କେତେ ବର୍ଷ ହେବ ଓଲଟା ସ୍ଥିତି ଦେଖିବାକୁ ମିଳୁଛି। ଚାଷୀ କଠିନ ପରିଶ୍ରମ କରି ଭଲ ଉତ୍ପାଦନ କରିଥିଲେ ହେଁ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉଚିତ‌୍‍ ମୂଲ୍ୟ ପାଇପାରୁ ନାହାଁନ୍ତି।

 

ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଚଳିତବର୍ଷ ଆମ ରାଜ୍ୟର କେନ୍ଦୁଝର, ବରଗଡ଼ ପ୍ରଭୃତି ଜିଲ୍ଲାରେ ବିଲାତି ବାଇଗଣ ଚାଷୀ ବିକ୍ରି କରିନପାରି ଫୋପାଡ଼ି ନଷ୍ଟ କରିଦେଲେ। ଶହ ଶହ ଟ୍ରକ ବିଲାତି ବାଇଗଣ ନଷ୍ଟ କରି ରାସ୍ତାକଡ଼ରେ ପକାଇ ଦେଲେ। କାରଣ ଏହାର ମୂଲ୍ୟ ୧ ଟଙ୍କା କିଲୋକୁ ବ୍ୟବସାୟୀମାନେ ନିଅନ୍ତି ନାହିଁ। ଶୀତଳ ଭଣ୍ଡାର ନଥିବାରୁ ଚାଷୀମାନେ ଏହାକୁ ସଂରକ୍ଷଣ କରିପାରନ୍ତି ନାହି। କିନ୍ତୁ ଲାଭଖୋର ବ୍ୟବସାୟୀମାନେ ଯାହାକିଛି ଆଣି କଟକ, ଭୁବନେଶ୍ୱର, ରାଉରକେଲା ଭଳି ଅନ୍ୟ ସହରମାନଙ୍କରେ କିଲୋ ପ୍ରତି ୨୦/୨୫ ଟଙ୍କାରେ ବିକ୍ରି କରି ନିଜେ ଲାଭ ମାରିନିଅନ୍ତି। ସେମାନଙ୍କ ଉପରେ ସରକାରୀ କଳର ନିୟନ୍ତ୍ରଣ ନଥାଏ। ସେହିପରି କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ାର ଚାଷୀମାନେ ପିଆଜକୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଲେ। ସହରମାନଙ୍କରେ ଏହିସବୁ ସାମଗ୍ରୀର ମୂଲ୍ୟ ଅଧିକ ଥିଲେ ମଧ୍ୟ ମଝିରେ ବ୍ୟବସାୟୀମାନେ କଳାବଜାରୀ କରି ଏହି ଅବସ୍ଥା ସୃଷ୍ଟି କରନ୍ତି। ସେମାନଙ୍କ ଉପରେ ସରକାରଙ୍କର ନିୟନ୍ତ୍ରଣ ନଥାଏ। ଏହି ସମସ୍ୟାର ମୁଖ୍ୟ କାରଣ ହେଉଛି ଏହିସବୁ କୃଷିଜାତ ସାମଗ୍ରୀ ପାଇଁ ଆବଶ୍ୟକ ମୁତାବକ ଶୀତଳଭଣ୍ଡାର ନାହିଁ। ଚାଷୀ ଏବଂ ଖାଉଟିଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଅଭାବରୁ ଦଲାଲମାନେ ପରିସ୍ଥିତିର ଫାଇଦା ଉଠାଉଛନ୍ତି।

 

ରାଜଧାନୀ ଦିଲ୍ଲୀର ନିକଟବର୍ତ୍ତୀ ଉତ୍ତର ଭାରତରେ ଥିବା ରାଜ୍ୟ ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ହରିଆଣା, ପଞ୍ଜାବ ପ୍ରଭୃତି ରାଜ୍ୟ ଯଉଁଠାରେ ଗହମ ମୁଖ୍ୟ ଫସଲ, ସେଠାକାର ଚାଷୀ ଆନ୍ଦୋଳନ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ଗହମର ସହାୟକ ମୂଲ୍ୟ ବାରମ୍ୱାର ବଢାଇବାକୁ ସକ୍ଷମ ହେଉଥିବା ବେଳେ ଧାନ ଉତ୍ପାଦନକାରୀ ରାଜ୍ୟର ଚାଷୀମାନେ ଏହା କରିପାରୁ ନାହାଁନ୍ତି। କେନ୍ଦ୍ର ସରକାର ଗହମର ସହାୟକ ମୂଲ୍ୟ ଯେପରି ବାରମ୍ୱାର ବହୁତ ପରିମାଣରେ ବଢାନ୍ତି ଧାନ କ୍ଷେତ୍ରରେ ତାହା କରିନଥାନ୍ତି। ଏହିସବୁ କାରଣ ଗୁଡ଼ିକ ଯୋଗୁଁ ଧାନ ଉତ୍ପାଦନ କରୁଥିବା ଚାଷୀମାନେ ଉପଯୁକ୍ତ ସହାୟତା ମୂଲ୍ୟ ପାଇପାରୁ ନାହାଁନ୍ତି ଏବଂ ନିଜକୁ ଅସହାୟ ମନେ କରୁଛନ୍ତି।

 

ଏହିସବୁ ସମସ୍ୟାର ସମାଧାନ କେବଳ ହୋଇପାରିବ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଦେଶର କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରନ୍ତି ଏବଂ ୨୦୦୬ ମସିହାରେ ସ୍ୱାମୀନାଥନ କମିଟି ଲାାଭ ସହ ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିଥିବା ସୁପାରିଶକୁ ଗ୍ରହଣ କରନ୍ତି। ଅନ୍ୟଥା, ଦେଶରେ କୃଷି ଓ କୃଷକଙ୍କ ସମସ୍ୟା ଆହୁରି ଅଧିକ ବଢିବ ଏବଂ କୃଷକଙ୍କ ଦୁର୍ଦ୍ଦଶା ବହୁଗୁଣିତ ହେବ।

 

ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ବିହନ ନିଗମ

ଫୋନ‌୍‍-୯୪୩୭୩୧୮୭୩୧


ପ୍ରତିକ୍ରିୟା

Saral Kumar Das - Email: saral_das@yahoo.co.in - Posted on 2017-07-25 17:06:49

It is factually incorrect that wheat farmers are able to exert pressure on Government and getting better MSP. In 2005-06, the MSP of paddy was Rs570 and of wheat was Rs700 (difference of Rs130). In 2010-11, MSP of paddy was 1000 and wheat was Rs1170 (difference Rs170). In 2016-17, MSP of paddy was Rs1470 and wheat was Rs1625 (difference of Rs155). While the increase in MSP for paddy between 2005-06 to 2016-17 is 9%, the same is 8% for wheat.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top