ଗଂଗଶିଉଳି ଓ ବୋଉ

News Story - Posted on 2017-07-11

ପୁଷ୍ପାଞ୍ଜଳି କର

 

ବୋଉ ଜାଣିଛ ନା ଗଙ୍ଗଶିଉଳି ଗଛରେ ଫୁଲ ଫୁଟିଛି! ଆଜି ନୁହେଁ ମ, ଫୁଟିଲାଣି ବୋଧେ ଦୁଇ ଚାରିଦିନ ହେବ। କିନ୍ତୁ ମତେ ଦେଖିବାକୁ ସମୟ ନଥିଲା। ଏଇ ତମରି କାମରେ ବ୍ୟସ୍ତ ଥିଲି ନା! ଘରେ ତ ଗହଳ ଚହଳ ଲାଗିଥିଲା। ବଂଧୁବାଂଧବ, ସାଇପଡ଼ିଶା, ଚିହ୍ନାଜଣା ଅନେକ ଲୋକ। ତମର ସବୁ ଶୁଭେଚ୍ଛୁମାନଙ୍କର। ବାରଦିନ କୁଆଡେ଼ ବିତିଗଲା। ତମ ଯିବାର ଆଜିକୁ ହେଇଗଲା ତେରଦିନ। ତମକୁ ବାଦ‌୍‍ ଦେଇ ଯୋଉ ଘରର କଳ୍ପନା ସୁଦ୍ଧା ମୁଁ ମୁହୂର୍ତ୍ତକ ପାଇଁ କରିପାରୁନଥିଲି, ଆଜି ସେଇ କଠିନ ସତ୍ୟର ସାମ୍ନା କରୁଛି। ଶାରୀରିକ ଭାବରେ ସିନା ତମେ ଦୂରେଇ ଯାଇଛ ମୋ ଠାରୁ, ଏଇ ଜନ୍ମ ମୃତ୍ୟୁ ନିୟମର ବଶବର୍ତ୍ତୀ ହେଇ, କିନ୍ତୁ ମୋର ସୂକ୍ଷ୍ମ ଚେତନାରେ ତ ତମେ ଆଜି ବି ଅଛ ଆଉ ରହିଥିବ ସେମିତି ମୋର ସଂପୂର୍ଣ୍ଣ ଅଚେତନ ଅବସ୍ଥା ଆସିବା ପର୍ଯ୍ୟନ୍ତ। ତେଣୁ ଯିଏ ଯେତେ କୁହନ୍ତୁ, ଗୀତାର ପଂକ୍ତିମାନଙ୍କୁ ଯେତେ ଗଭୀର ଭାବେ ପଢ଼େ ବା ଯେତେ ଶାସ୍ତ୍ର ଚର୍ଚ୍ଚା କରେ, କେବେ ବି ମୁଁ ତମରି ଭାବନାକୁ ମୋ ମନରୁ ସଂପୂର୍ଣ୍ଣ କାଢ଼ି ଦେଇପାରିବିନି। ସେଥିପାଇଁ ଚେଷ୍ଟା ବି କରିବିନି। ତମେ ମୋ ଭିତରେ ଥାଇ ମତେ ଦେଖୁଥାଅ, ଭଲ ପାଉଥାଅ ଆଉ ମୋର ପ୍ରତ୍ୟେକଟି କାର୍ଯ୍ୟକୁ ନିୟନ୍ତ୍ରଣ କରୁଥାଅ।

 

ତମର କ’ଣ କିଛି ମନେ ପଡୁନି? ତମେ କ’ଣ ସତରେ ମହାଶୂନ୍ୟରେ ମିଶିଯାଇଛ? ମୁଁ ଯେଉଁ ଈଶ୍ୱରଙ୍କୁ ପୂଜା କରୁଛି ଫଟୋ ରୂପରେ, ତାଙ୍କ ଭିତରେ ଲୀନ ହେଇଯାଇଛ? କେଜାଣି ମୁଁ ତ ଏତେ ଜ୍ଞାନୀ ନୁହେଁ। କେମିତି ବା ଜାଣିବି ମୃତ୍ୟୁ ପରବର୍ତ୍ତୀ ଅବସ୍ଥାକୁ। ଯେତିକି ଜାଣିଛି ମୋର ଅନୁଭୂତିରୁ, ମଣିଷ ଯଦି ଭଲ କାମ କରେ ଜୀବନ କାଳରେ, ତେବେ ସେ କୁଆଡେ଼ ମୋକ୍ଷ ପାଇଯାଏ। ଯଦି ସେଇ ଉକ୍ତିଟା ସତ୍ୟ ହୋଇଥାଏ, ତେବେ ତମର ତ ମୋକ୍ଷଗତି ହିଁ ହେଇଥିବ। କାରଣ ମୋ ଜାଣିବାରେ ତମେ କାହାର କ୍ଷତି କରିବା ତ ଦୂରର କଥା, ସେଇ ଚିନ୍ତା ବି କରିନ। ତମ ଭଲପଣିଆର ତ ହିସାବ ମୁଁ କରିପାରିବିନି। ତମ ପାଇଁ ଦୁଇପଦ ଲେଖିବାକୁ ଚାହିଁଲେ ବି କେମିତି ଆରମ୍ଭିବି ଜାଣିପାରୁନି। ଯେତେ ଲେଖିଲେ ବି ସବୁ ଲେଖି ପାରିବିନି।

 

ତମ ସାଙ୍ଗରେ ମୋର ସଂପର୍କ ଦୀର୍ଘ ଛବିଶ ବର୍ଷର। ମନେଅଛି, ସେଦିନ ମୁଁ କଲେଜରୁ ଫେରିଥାଏ ଘରକୁ। ମତେ ବୋଉ କହିଲା ଜଲ‌୍‍ଦି ଯାଇ ବାଡ଼ିପଟ ଦୁଆରବାଟେ, ଡ୍ରେସ‌୍‍ ବଦଳେଇ ଶାଢ଼ୀ ପିନ୍ଧିପକା। ତତେ ଦେଖିବାକୁ ଆସିଛନ୍ତି ସେମାନେ। ମଁୁ କିଛି ବୁଝିବା ଆଗରୁ ଖୁଡ଼ୀ ମତେ ତାଙ୍କର ଶାଢ଼ୀ ପିନ୍ଧେଇ ଦେଲେ ଓ ଜଳଖିଆ ଟ୍ରେ ନେଇ ଡ୍ରଇଂରୁମ‌୍‍କୁ ଆସିବାକୁ କହିଲେ। ସାଙ୍ଗରେ ସେ ବି ଆସିଲେ। ମୋର ହାତଗୋଡ଼ ଥରୁଥାଏ। ଜୀବନରେ କେବେ ବି ଏଭଳି ପରିସ୍ଥିତିର ସାମ୍ନା କରି ନଥିଲି। ସେଇଟା ଥିଲା ମୋର ପ୍ରଥମ ଅନୁଭୂତି। ସୋଫାରେ ଯାଇ ତଳକୁ ମୁହଁ କରି ବସିଲି। ତା ପରେ ତମେ ଉଠିଆସି ମୋ ପାଖରେ ବସିପଡ଼ିଲ ଏବଂ ମୋ ମୁହଁକୁ ତମର ଦୁଇ ହାତରେ ତୋଳିନେଇ ମୋ କପାଳରେ ଗୋଟେ ଚୁମ୍ୱନ ଆଙ୍କିଦେଲ। ସେତେବେଳେ ମୁଁ ତମର ମୁହଁକୁ ସିଧା ହୋଇ ଚାହିଁପାରିଲି। ତା ପରେ ତମେ କହିଲ ୟାକୁଇ ତ ମୁଁ ଏତେ ଦିନ ଧରି ଖୋଜୁଥିଲି।

 

ସେଇ ମୁହୂର୍ତ୍ତରେ କେଜାଣି କାହିଁକି ମତେ ତମକୁ ଖୁବ‌୍‍ ଚିହ୍ନା ଚିହ୍ନା ଲାଗିଲା। ଯେମିତିକି ଅନେକ ଆଗରୁ ମୁଁ ତମକୁ ଦେଖିଛି, ଜାଣିଛି, ହୁଏତ ଏଇଥିପାଇଁ ହେଇଥିବ ଯେ, ତମର ସେଇ ଆଶ୍ଳେଷ ଭରା କଥା ଆଉ ସ୍ନେହପୂର୍ଣ୍ଣ ବ୍ୟବହାର ଯଥେଷ୍ଟ ଥିଲା ମୋ ପରି ଗୋଟେ କୋଡ଼ିଏ ବର୍ଷ ବୟସର ଝିଅକୁ ଦୁଇଜଣ ଅଜଣା ଲୋକଙ୍କ ଆଗରେ ସହଜ କରେଇ ଦବାପାଇଁ। ତା ପରେ ତମେ ତମ ହାତରୁ କଂକଣ ଖୋଲି ମତେ ପିନ୍ଧେଇଦେଲ ଆଉ ମାସେ ଭିତରେ ବାହାଘରର ତିଥି ଦେଖିବା ପାଇଁ କକେଇଙ୍କୁ କହି, ବାପାଙ୍କ ସାଙ୍ଗରେ ଚାଲିଗଲ। ଗଲାବେଳେ ବି ସେଇ ଆତ୍ମୀୟତାପୂର୍ଣ୍ଣ ଢ଼ଙ୍ଗରେ କହିଗଲ, ‘ମା’ରେ! ଜଲ‌୍‍ଦି ମୋ ପାଖକୁ ଚାଲି ଆସିବୁ!’

 

ତମେ ଗଲାପରେ ଅଦ‌୍‍ଭୁତ ଥିଲା ମୋର ମାନସିକ ଅବସ୍ଥା। ବାହାଘରର ଅର୍ଥ ସଂପୂର୍ଣ୍ଣ ବୁଝିନଥିଲି ଓ ସେଥିପାଇଁ ମାନସିକ ପ୍ରସ୍ତୁତି ବି ମୋର ନଥିଲା। ପାଠପଢ଼ା ବି ସରିନଥିଲା। ବିରକ୍ତି, କ୍ରୋଧ, ଅଶାନ୍ତି କ’ଣ ସବୁ ଯେ ମତେ ଲାଗୁଥାଏ, ତାହା ବର୍ଣ୍ଣିବା ବାହାରେ। ଖଟରେ ଶୋଇକି କାନ୍ଦୁଥାଏ। ବୋଉ ଆସି ମୋ ପାଖରେ ବସି ମତେ ଖୁବ‌୍‍ ବୁଝେଇଲା। ବାପା ତ ନଥିଲେ। ଭାଇ ଚାକିରୀ କରିନଥିଲା। ମୋ ତଳେ ବି ସାନ ଭଉଣୀ ପାଠ ପଢୁଥିଲା। କକେଇ, ଖୁଡ଼ୀ ଆମର ସବୁ ଦାୟିତ୍ୱ ତୁଲୋଉଥିଲେ। ଆର୍ଥିକ ସ୍ୱଚ୍ଛଳତା ସେତେଟା ନଥିଲା। ସେଥିରେ ଏତେସୁନ୍ଦର ପ୍ରସ୍ତାବ। ଶ୍ୱଶୁର ଫିଶୋରୀ ଡ଼ିପାର୍ଟମେଣ୍ଟର ଜଏଣ୍ଟ ସେକ୍ରେଟାରୀ। ଦୁଇପୁଅଙ୍କ ମଧ୍ୟରେ ଇୟେ ସାନପୁଅ, ଝିଅନାହିଁ। ତା’ ଛଡ଼ା ସେମାନଙ୍କ ତରଫରୁ କିଛି ବି ଯୌତୁକ ନାହିଁ, ଯୋଉଟାକି ସବୁଠାରୁ ଥିଲା ଗୁରୁତ୍ୱପୂର୍ଣ୍ଣ।

 

ବୋଉ ମତେ ଏସବୁ ବୁଝେଇଲା ବେଳେ ମୋ ମୁଣ୍ଡରେ କିଛି ବି ପଶୁନଥିଲା। ଖାଲି ଅସହାୟତାରେ କାନ୍ଦିବା ଛଡ଼ା କିଛି ବି କରିପାରୁନଥିଲି। ତା’ପରେ ଦିନେ ଦୁଇଦିନ ଭିତରେ ମୋର ମଧ୍ୟ ଏଇ ପାଠପଢ଼ା ଛାଡ଼ି, ବୋଉ କକେଇ ଖୁଡ଼ୀ, ଭାଇ ଭଉଣୀ ଓ ମୋର ଘରକୁ ଛାଡ଼ି, ବାହାହେଇ ଆଉ ଏକ ନୂଆ ଘରକୁ ଯାଇ ଚଳିବା ପାଇଁ ମାନସିକତା ଆପେ ଆପେ ଆସିଗଲା। ବୋଉର ଅସହାୟବୋଧତା ଆଗରେ ମତେ ସବୁକିଛିକୁ ଗ୍ରହଣ କରିନବାକୁ ପଡ଼ିଲା। ଭୟ ତ ଲାଗୁଥିଲା। କିଛିଟା ଅଜଣା ରୋମାଞ୍ଚ ବି ମନରେ ଆସୁଥିଲା। କିନ୍ତୁ ସବୁ ଭିତରେ ବି ତମର ସେଇ ସ୍ନିଗ‌୍‍ଧ ମୁହଁଟା ବେଳେ ବେଳେ ମୋ ମନରେ ଉଙ୍କି ମାରୁଥିଲା। ତମର ସେଇ ସିକ୍ତ ଗେଲ ଆଉ ଆତ୍ମୀୟତା ଭରା ‘ମା’ ରେ’ ଡାକଟା ମନେ ପଡ଼ିଗଲେ ଖୁବ‌୍‍ ଆଶ୍ୱସ୍ତ ଲାଗୁଥିଲା ସତେ। ଦିନସ୍ଥିର ହବା, ନିର୍ବନ୍ଧ, ବାହାଘର, ଝିଅବିଦା ସବୁକିଛି ସ୍ୱପ୍ନ ଭଳିଆ ଘଟିଗଲା ମାତ୍ର ଗୋଟିଏ ମାସ ମଧ୍ୟରେ। ତା ପରେ ମୁଁ ମୋର ବାପଘରର ସବୁ ବନ୍ଧନ ତୁଟେଇ ଦେଇ ଚାଲିଆସିଲି ତମ ଘରକୁ।

 

ଶାଶୁଘର ନାଁ ଶୁଣିଲେ ଗୋଟେ ଅଜଣା ଭୟରେ ଶିହରିତ ହେଇଯାଏ ମନ। କିନ୍ତୁ ସତ କହୁଛି ବୋଉ, ତମ ଘରେ ପାଦଦବାର ମୁହୂର୍ତ୍ତରୁ ହିଁ ସେହି ଭୟଟା ମୋର କୁଆଡେ଼ ଯେମିତି ଉଭେଇଗଲା। କ’ଣ ଥିଲା କେଜାଣି ତମ ଭିତରେ! ଆପଣା ପଣର ଜାଲରେ ତମେ ଏମିତି ଛନ୍ଦିଦେଲ ମତେ ଯେ, ସେଥିରୁ ମୁଁ ଆଜି ପର୍ଯ୍ୟନ୍ତ ବି ମୁକୁଳିପାରୁନି।

 

ୟାଙ୍କୁ ତ ମୁଁ ଦେଖି ନଥିଲି। ପ୍ରଥମେ ଦେଖିଲି ସେଇ ଚତୁର୍ଥୀ ରାତିରେ। ଖୁବ‌୍‍ ଭଦ୍ର ମାର୍ଜିତ ଓ ସ୍ନେହୀ ମଣିଷ। କେମିତି ବା ନହୁଅନ୍ତେ ଯେ? ତମରି ରକ୍ତରେ ଗଢ଼ା ନା! କିନ୍ତୁ ଗୋଟିଏ ଗୁଣରେ ସେ ଥିଲେ ଭିନ୍ନ ତମଠାରୁ। ସେ ତମଭଳିଆ ଏତେଟା ଏକସ‌୍‍ପ୍ରେସିଭ ନ ଥିଲେ। ମୁଁ ବି ଖୁବ‌୍‍ ଛୋଟ ଥିଲି ତାଙ୍କଠାରୁ। ପ୍ରାୟ ନଅବର୍ଷ ସାନ। ଖୁବ‌୍‍ ଅଭିମାନୀ ମଧ୍ୟ ଥିଲି। ତେଣୁ ତାଙ୍କର ଚୁପ‌୍‍ଚାପ‌୍‍ ସ୍ୱଭାବକୁ ପ୍ରଥମେ ପ୍ରଥମେ ସହ୍ୟ କରିପାରୁନଥିଲି। ଏମିତିରେ ସେ ଜମା ରାଗି ନୁହନ୍ତି। କିନ୍ତୁ ମତେ ଲାଗୁଥିଲା ଯେମିତି କି ସେ ବହୁତ ରାଗୀ। ମୋ ମନକଥା କିଛି ବୁଝୁନାହାନ୍ତି। ପିଲାଳିଆ ବୁଦ୍ଧିରେ ଏମିତି ଅନେକ ଛୋଟ ଛୋଟ କଥାରେ ମୁଁ ରାଗୁଥିଲି, ଋଷୁଥିଲି, ଅଭିମାନ କରି କାନ୍ଦୁଥିଲି। ତମେ କିନ୍ତୁ ଛାଇପରି ଜଗିଥିଲ ମତେ। ମୋର ଶୁଖିଲା ମୁହଁ ବା ମୋ ଆଖିରେ ଲୁହ ତମେ ଦେଖିପାରୁନଥିଲ ଯେମିତି। କେତେ ସୁନ୍ଦର ଭାବେ ମତେ ବୁଝେଇ ଦେଉଥିଲ। ୟାଙ୍କୁ ଗାଳି ଦଉଥିଲ ମୋର ଠିକ‌୍‍ରେ ଯନି ନେଉନାହାନ୍ତି ବୋଲି। ତମ ଆଖିରେ ଯେମିତି ମୋର କିଛି ଭୁଲ‌୍‍ ନଥିଲା।

 

ଆମ ଘରୁ ଆସିଥିବା ସବୁ ଜିନିଷପତ୍ର ଯେତେବେଳେ ଖୋଲା ହେଇଥିଲା, ତମେ ସେଠି କୁଆଡେ଼ ସମସ୍ତଙ୍କୁ କହିଦେଇଥିଲ ଯେ ତାର ବାପା ନାହାନ୍ତି, କକେଇ ଖୁଡ଼ୀ ଯେତିକି ଦେଇଛନ୍ତି ଯଥେଷ୍ଟ। ଯୋଉ ଜିନିଷ ବା ଲୁଗାପଟା ତମ ଆଖିରେ ଟିକେ ନିକୃଷ୍ଟ ଲାଗିଥିଲା, ତମେ ତାକୁ ନିଜେ ବଦଳେଇ ଦେଇଥିଲ ଯୋଉଟାର ଆଭାସ ମଧ୍ୟ ମତେ ମିଳି ନଥିଲା। ଜାଣିଥିଲି ବାହାଘରର ବହୁତ ବର୍ଷ ପରେ। ସେଇଟା ପୁଣି ଜଣେ ଦୂର ସଂପର୍କୀୟଙ୍କଠାରୁ। ସେତେବେଳେ ତମପାଇଁ ମୋର ସମ୍ମାନ ଆଉ ଭଲପାଇବା ବହୁଗୁଣିତ ହେଇଯାଇଥିଲା।

 

ପିଲାଳିଆମି ତ ମୋର ଯାଇ ନଥିଲା। ହୁଏତ ତମର ଆକଟ ବା ଶାଶୁ ପଣିଆର ଶୃଙ୍ଖଳ ପାଇଥିଲେ ସେଇଟା ମୋର ବଦଳି ଯାଇଥାଆନ୍ତା। କିନ୍ତୁ ତୁମେତ ମୋ ବୋଉଠାରୁ ବି ଆହୁରି ଅଧିକ ସ୍ନେହଶୀଳା ଥିଲ ମୋ ପାଇଁ। ମୁଁ ଶାଶୁଘରେ ଅଛି ବୋଲି ଜାଣିପାରୁ ନଥିଲି। ନାନୀ ଟିକେ ବଡ଼ଘରୁ ଆସିଥିଲେ। ତାଙ୍କର ମୋ ପାଇଁ ଏତେଟା ଆନ୍ତରିକତା ନଥିଲା। ବୋଧହୁଏ ତମର ମୋ ପାଇଁ ଏତେଟା ଅଙ୍କୁଶହୀନ ଭଲପାଇବା ତାଙ୍କୁ ଇର୍ଷାପରାୟଣା କରିଦଉଥିଲା। କିନ୍ତୁ ତୁମେ ତ ତାଙ୍କୁ ବି ସେତିକି ଭଲ ପାଉଥିଲ। ସବୁଥିରେ ସମାନତା ଥିଲା ତ ତମ ଚରିତ୍ରର ଆଉ ଏକ ବିଶିଷ୍ଟତା। ତଥାପି କାହିଁକି କେଜାଣି ସେ ଏତେଟା ଖୋଲା ହେଇପାରୁନଥିଲେ ତୁମ ସାଂଗରେ। ବୋଧହୁଏ ସେ ମୋ ଭଳିଆ ମୋ ବୋଉର ପ୍ରତିରୂପ ଦେଖି ପାରୁ ନଥିଲେ ତୁମ ଭିତରେ। ଅବଶ୍ୟ ସେ ତ ଭାଇନାଙ୍କ ସାଂଗେ ବମ୍ୱେରେ ରହୁଥିଲେ ନା! ତେଣୁ ମଝିରେ ମଝିରେ ତୁମ ପାଖରେ ରହୁଥିଲେ ବୋଲି ହୁଏତ ତାଙ୍କର ଏତେଟା ଆଟାଚ‌୍‍ମେଣ୍ଟ‌୍‍ ଆସୁ ନଥିଲା ତୁମପାଇଁ। ଏଇ କଥାଟା ତମେ ହିଁ ମତେ ବୁଝେଇ ଦେଇଥିଲ। ଯେତେବଡ଼ ଖରାପ ଲୋକ ହଉପଛେ, ତାର କେବଳ ଭଲଗୁଣଟା ହିଁ ତମେ ଦେଖିପାରୁଥିଲ।

 

ଛୋଟ ଛୋଟ କେତେ ଭୁଲ‌୍‍ ମୁଁ କରି ପକୋଉଥିଲି। ଏଇ ଯେମିତି ଗାଧେଇ ସାରି ବାଥ‌୍‍ରୁମ‌୍‍ରେ ମୋ ଲୁଗାପଟା ପକେଇ ଦେଇ ଚାଲିଆସୁଥିଲି, ଘରେ କଲା ଭଳିଆ। କିନ୍ତୁ ତା ପରଦିନ ସେଇ ଲୁଗାପଟା ସବୁ ଧୁଆହେଇ ଶୁଖି ରଖାଯାଉଥିଲା ତା ଯାଗାରେ। ସେଇଟା ତୁମେ କରେଇ ଦଉଥିଲ ଘରର କାମବାଲୀ ଦ୍ୱାରା। ଯଦି କିଏ ବି କିଛି କହୁଥିଲା, ତମର ଥିଲାସେଇ ଗୋଟିଏ ଉତ୍ତର। ଛୋଟ ଛୁଆଟା, ତା ମାଆକୁ ଛାଡ଼ିକି ଆସିଛି। କେତେ ବା ବୟସ ତାର। ଏଇଟା ତ ତାର ଖେଳାବୁଲାର ବୟସ। ଆପେ ଆପେ ସବୁ ଶିଖିଯିବନି। ଗହଣାରେ ଖୁବ‌୍‍ ସଉକି ଥିଲା ମୋର। ଯଦି କେବେ କୋଉ ଗହଣାଟା ଦେଖି ଭଲ ଲାଗୁଛି କହି ଦେଇଥିବି ତ ସେଇ ସମାନ‌୍‍ ଡିଜାଇନ‌୍‍ର ଗହଣା ଆସି ଥୁଆ ହେଇଥିବ ମୋର ଜନ୍ମ ଦିନ ବା ଆନିଭର‌୍‍ସାରୀ ପାଇଁ। ସେଇଟା ଇୟେ କରନ୍ତିନି। କର ତମେ। ବାହାଘର ପରେ ଯେବେ ପ୍ରଥମେ ମୁଁ ଯାଇଥିଲି ଘରକୁ, ସେଠି ସମସ୍ତଙ୍କର ସବୁ ପ୍ରଶ୍ନର ଉତ୍ତରରେ ମୁଁ ଗପୁଥିଲି କେବଳ ତମରି କଥା ଅନର୍ଗଳ ଭାବରେ। ବିଶ୍ୱାସ କର ବୋଉ। ମୋ ଶାଶୁଘର କହିଲେ ମୁଁ ବୁଝୁଥିଲି କେବଳ ତମକୁ। କେତେ ଅଭିମାନ ମୋର ଥିଲା ତମକୁ ନେଇ। ଆମଘରେ ସବୁ ବନ୍ଧୁବାନ୍ଧବଙ୍କ ମଧ୍ୟରେ ତମେ ହୋଇଯାଇଥିଲ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।

 

ଏମିତି ଏମିତିରେ ସମୟ ଗଡ଼ିଚାଲିଲା ଆଉ ତା ସହିତ ତାଳଦେଇ ବଢ଼ି ଚାଲିଲା ଆମ ଭିତରର ଅନ୍ତରଙ୍ଗତା ଆଉ ପରସ୍ପର ପ୍ରତି ନିର୍ଭରଶୀଳତା। ତା ପରେ ବାପାଙ୍କର ରିଟାୟାରମେଣ୍ଟ ହେଇଗଲା। ଆମେ ଫୁଲବାଣୀରୁ ଚାଲି ଆସିଲେ ଭୁବନେଶ୍ୱର। ଆମେ ରହିଲେ ଆମ ନିଜ ଘରେ। ଆମ ବାହାଘର ମଧ୍ୟ ବର୍ଷେ ପୂରିଯାଇଥାଏ। ୟାଙ୍କର ତ ବ୍ୟାଙ୍କ‌୍‍ ଚାକିରୀ ଥିଲା, ଏଠିକୁ ଟ୍ରାନ୍ସଫର ହେବା ପାଇଁ ଲାଗିଗଲା ପ୍ରାୟ ଛଅ ମାସ। ତମେ ମତେ ବାଧ୍ୟ କଲ ଯାଇଁ ତାଙ୍କ ପାଖରେ ରହିବାକୁ ଫୁଲବାଣୀରେ। ମୁଁ କିନ୍ତୁ ତମକୁ ଛାଡ଼ି ଯିବାକୁ ଚାହୁଁନଥିଲି। ତମେ ଅବା କେମିତି ଯେ ବାପାଙ୍କୁ ଛାଡ଼ି ଯାଇପାରିଥାନ୍ତ ଏଠି। ଯାହାହଉ। ଏଇ ଦ୍ୱନ୍ଦର ବି ସମାଧାନ କରିଦେଲେ ଈଶ୍ୱର। ଏଠି ପହଞ୍ଚିବା ପରେ ଜଣାପଡ଼ିଲା ଯେ ମୁଁ କନ‌୍‍ସିଭ‌୍‍ କରିଯାଇଛି। ଡକ୍ଟର ଚେକ‌୍‍ଅପ‌୍‍ କରି କହିଦେଲେ ଯେ ମୁଭମେଣ୍ଟ ନକରି ବେଡ‌୍‍ରେଷ୍ଟରେ ରହିବାକୁ ହବ। ମୋର ତମଠାରୁ ଅଲଗା ନ ରହିବାର ଇଚ୍ଛାଟାକୁ ସତେ ଯେମିତି ଈଶ୍ୱର ବୁଝିପାରିଲେ ଏବଂ ପୂରଣ ବି କରିଦେଲେ। ତା ପରେ ଇୟେ ଚାଲିଗଲେ ଫୁଲବାଣୀ ଆଉ ମୁଁ ରହିଗଲି ବାପା ଓ ତୁମ ପାଖରେ।

 

ପ୍ରତି ପନ୍ଦର ଦିନରେ ଇୟେ ଆସନ୍ତି। ପ୍ରତି ମାସରେ ଚେକ‌୍‍ଅପ‌୍‍ ପାଇଁ ଯିବାକୁ ହୁଏ। ଇୟେ ଗଲେ ବି ମୁଁ ତୁମକୁ ଭିଡ଼ିକି ନେଇଯାଏ। ମୋର ବୋଧେ ୟାଙ୍କ ଅପେକ୍ଷା ତମ ଉପରେ ବେଶି ଭରସା ଥାଏ କି କ’ଣ! ତମେ ମୋ ସାଙ୍ଗରେ ମୋ ଚେକ‌୍‍ଅପ‌୍‍ ବେଡ଼‌୍‍ ପାଖରେ ଥିଲେ ମତେ ଭୟ ଲାଗେନି। ମୋର ପ୍ରେଗ‌୍‍ନାନ‌୍‍ସୀର ପୂରା ସମୟଟା ତମେ ମତେ କେତେ ଯତ୍ନରେ ରଖୁଥିଲ। ମୋର ଛୋଟ ଛୋଟ ଖୁସି ତମ ପାଇଁ ବହୁତ ବଡ଼ ମୂଲ୍ୟ ରଖୁଥିଲା। ଖୁଏଇବା ପିନ୍ଧେଇବା ଏସବୁୁତ ପଛକଥା। ସବୁ ଉପରେ କେମିତି ଗୋଟେ ଛାଇ ତମ ମାତୃତ୍ୱର ମୁଁ ଉପଲବ୍ଧି କରୁଥିଲି ପ୍ରତିମୁହୂର୍ତ୍ତରେ।

 

ସେମିତି ସେମିତି ହେଇ ମୋର ଶ୍ୟାମା ଜନ୍ମ ହେଲା। ଝିଅ ହେଇଛି ବୋଲି ଯଦି କେହି କିଛି କହିଦେଉଥିଲା ତ ତମେ କହୁଥିଲ ଝିଅ ହେଲେ ବାପାମାଙ୍କର ଆୟୁଷ ବଢ଼େ। ତା ଛଡ଼ା ତମର କୁଆଡେ଼ କେବଳ ଝିଅ ହିଁ ଦରକାର ଥିଲା। ଏମିତି କହି ସମସ୍ତଙ୍କୁ ଚୁପ‌୍‍ କରେଇ ଦଉଥିଲ। ମୋ ବୋଉର କିନ୍ତୁ ଟିକେ ମନଦୁଃଖ ହେଇଥିଲା ନାତି ହେଲାନି ବୋଲି। ଭାଇନାଙ୍କର ଦୁଇଟା ଝିଅ ଥାଇବି ତମେ କେମିତି ମୋଠାରୁ ପୁଅ ଆଶା କରି ନଥିଲ? ନାଁ ସତରେ କେବଳ ମୋରି ଖୁସି ପାଇଁ ଏତେ ବଡ଼ ଅଭିନୟ କରି ଚାଲିଥିଲ?

 

ସମୟ ଗଡ଼ିଚାଲିଲା। ଶ୍ୟାମା ବି ଧୀରେ ଧୀରେ ବଡ଼ ହେଲା। ତାର ପାଠ ଅପେକ୍ଷା ନାଚ ଗୀତରେ ବେଶୀ ଆଗ୍ରହ ଥିଲା। ତମେ ବି ତ ଛାଇ ପରି ଲାଗିଥିଲ ତା ସାଙ୍ଗରେ। ତମର ସବୁକଥାରେ ଥିଲା ଅକୁଣ୍ଠ ସମର୍ଥନ ତା ପାଇଁ। ତାର ପ୍ରତ୍ୟେକଟି କଥାରେ ସେ ବି ମୋ ଅପେକ୍ଷା ତମକୁ ହିଁ ବେଶି ନିର୍ଭର କରିବାକୁ ଲାଗିଲା। ଏମିତିକି ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ନେଲାବେଳେ ମଧ୍ୟ। ତାର ପ୍ଲସ‌୍‍ ଟୁ ପରେ ସେ ହୋଟେଲ‌୍‍ ମ୍ୟାନେଜ‌୍‍ମେଣ୍ଟ କଲା ଚେନ୍ନାଇରେ। ସେଇଠି ପଢ଼ିଲାବେଳେ ତାର ଜଣେ ସାହପାଠୀକୁ ଭଲପାଇ ବସିଲା। ସେ କିନ୍ତୁ ଜାତି ତ ଛାଡ଼ ଆମ ଧର୍ମର ବି ନଥିଲା। ସେ ଥିଲା ମୁସଲିମ‌୍‍ ଧର୍ମ ସଂପ୍ରଦାୟର। ଖୁବ‌୍‍ ଭଲ ଘରର ଭଦ୍ରପିଲାଟା। ଦେଖିବାକୁ ବି ସୁନ୍ଦର। ମୁଁ ଯେତେବେଳେ ଜାଣିପାରିଲି ଖୁବ‌୍‍ ବ୍ୟସ୍ତ ହେଲି। ପାରୁପର୍ଯ୍ୟନ୍ତ ଚେଷ୍ଟାକଲି ତାକୁ ବୁଝେଇବାକୁ, ପଛକୁ ଫେରେଇ ଆଣିବାକୁ। ଏମିତିକି ସାରା ଜୀବନ ତା ସହିତ ସଂପର୍କ ଛିନ୍ନ କରିଦେବି ବୋଲି ମଧ୍ୟ ତାକୁ କହିଲି। କିନ୍ତୁ ତୁମେ ଥିଲ ଅବିଚଳିତ। ସେତେବେଳେ ତୁମେ ଠିଆ ହେଇ ପଡ଼ିଥିଲ ତାର ରକ୍ଷା କବଚ ହେଇ। ଯେମିତି କରିଆସିଥିଲ ସାରା ଜୀବନ ମୋ ପାଇଁ।

 

ଶ୍ୟାମା ବି ତମକୁ ହିଁ ଭରସି ପାରୁଥିଲା କେବଳ। ତମେ ତାକୁ ଧୈର୍ଯ୍ୟ ଦେଲ। ମତେ ବି ବୁଝେଇଲ ମାନସିକତାକୁ ପରିବର୍ତ୍ତନ କରିବା ପାଇଁ। ବାପାଙ୍କୁ ବି କେତେ ସୁନ୍ଦର ଭାବେ ବୁଝେଇଦେଲ ଯେ ହିନ୍ଦୁ ହଉ ଅବା ମୁସଲିମ‌୍‍, ସମସ୍ତଙ୍କ ଦେହରେ ସେଇ ଗୋଟିଏ ରଂଗର ରକ୍ତ ତ ବୋହୁଛି ନା, ତେଣୁ ତାକୁ ଗ୍ରହଣ କରିବାରେ ଦ୍ୱିଧା କଣ ପାଇଁ? ତମର ବୁଝେଇବାର ଏଇ ଅସ୍ତ୍ରଟା ଏତେ ଟାଣୁଆ ଥିଲା ଯେ, ବାପା, ତମ ପୁଅ ଆଉ ମୁଁ ସମସ୍ତେ ଧୀରେ ଧୀରେ ସବୁ ବୁଝିଗଲୁ। କିନ୍ତୁ ସମସ୍ତେ ତ ଆଉ ତମ ମାନସିକତାର ନୁହଁନ୍ତିନା। ଏ ସମାଜ କିନ୍ତୁ ତମ ଦୃଷ୍ଟିରେ ଦେଖିପାରିଲାନି ଶ୍ୟାମାକୁ ବା ତାର ନିଷ୍ପତ୍ତିକୁ। ସବୁ ବନ୍ଧୁବାନ୍ଧବ, ଏମିତିକି ନାନୀ, ଭାଇନା ମଧ୍ୟ ଠିକ‌୍‍ରେ ନେଇ ପାରିଲେନି ଆମର ଏଇ ନିଷ୍ପତ୍ତିକୁ। ତା’ର କୋର୍ଟରେ ବାହାଘର ବେଳେ କେବଳ ଜଣେ ଦୁଇଜଣ ସଂପର୍କୀୟଙ୍କୁ ଛାଡ଼ିଦେଲେ ଆଉ କେହିବି ଯୋଗ ଦେଲେନି। ଯେତେବେଳେ ଶ୍ୟାମା ତାର ଶାଶୁଘରକୁ ଚାଲିଗଲା, ମୁଁ ତ ପନ୍ଦର ଦିନ ପର୍ଯ୍ୟନ୍ତ ଠିକ‌୍‍ରେ ଖିଆପିଆ ବି କରି ପାରିନଥିଲି। ବିଛଣାରେ ପଡ଼ି ଗୁମୁରି ଗୁମୁରି କାନ୍ଦୁଥିଲି। ଯେତେବେଳେ ସବୁ ବନ୍ଧୁୁବାନ୍ଧବ, ଏମିତିକି ମୋ ଭାଇ ଓ ଭଉଣୀ ମଧ୍ୟ ମତେ ଛାଡ଼ି ଦେଇଥିଲେ ଏକାକରି, ସେତେବେଳେ ଏକା ତମେ ହିଁ ଥିଲ ମୋ ଧାରରେ।

 

ମନେପଡୁଛି, କାନ୍ଦିକାନ୍ଦି ଶୋଇପଡ଼ିଥିବି ଡ୍ରଇଂରୁମ‌୍‍ର ସୋଫା ଉପରେ। ତମେ ଆସି ଗୁଡ଼ନାଇଟ‌୍‍ ଲଗେଇ ଦଉଥିବ, ଚାଦର ଘୋଡେ଼ଇ ଦଉଥିବ, ମୋ ମୁଣ୍ଡକୁ ଆଉଁସି ଦଉଥିବ। ତୁମେ ଭାବୁଥାଅ ବୋଧେ ମୁଁ ଶୋଇ ପଡ଼ିଛି। କିନ୍ତୁ ମୁଁ ଚେଇଁଥାଏ। ସବୁ ଜାଣି ପାରୁଥାଏ। ସବୁବେଳେ ଗୋଟିଏ କଥା କୁହ ମତେ। ପରିସ୍ଥିତି ଆଗରେ ଭାଙ୍ଗିନପଡ଼ି, ସାହସର ସହିତ ସାମ୍ନା କରିବାକୁ ଶିଖାଅ ମତେ। ଯେତେବଡ଼ ସମସ୍ୟା ଆସିଲେ ବି, ତା ଭିତରୁ ସମାଧାନର ସୂତ୍ର ତମେ ଅନାୟାସରେ କାଢ଼ି ଦେଇପାରୁଥିଲ।

 

ଝିଅ ସିନା ଚାଲିଗଲା ଶାଶୁଘରକୁ, କିନ୍ତୁ ତାର କୌଣସିଟି କାମ, ଏଇ ଯେମିତି ଚତୁର୍ଥୀ, ଅଷ୍ଟମଙ୍ଗୁଳା, ଏ ସବୁତ ମୁଁ କରିପାରିଲିନି। କାରଣ ଧର୍ମତ ଭିନ୍ନ। ତେଣୁ ତାଙ୍କ ଘରେ ତ ଏସବୁ ଟ୍ରାଡ଼ିସନ‌୍‍ ନଥିଲା। ଭିତରେ ଭିତରେ କ୍ଷୋଭ ଆଉ ଅପମାନବୋଧରେ ମୁଁ ସାଂକୁଡ଼ି ଯାଉଥିଲି। ଖୁବ‌୍‍ କଷ୍ଟ ପାଉଥିଲି ମାନସିକ ସ୍ତରରେ। ସେଥିରେ ପୁଣି ବିଭିନ୍ନ ଲୋକଙ୍କର ଭିନ୍ନଭିନ୍ନ ଆକ୍ଷେପ ଆଉ ଅସହଯୋଗ। ତମକୁ କ’ଣ ସତରେ କଷ୍ଟ ହଉନଥିଲା? ତମେ କ’ଣ ଚାହିଁ ନଥିଲ ଯେ ତମ ନାତୁଣୀର ବାହାଘର ଧୂମଧାମ‌୍‍ରେ ହଉ ଆଉ ସେ ବି ସବୁ ଝିଅଙ୍କ ଭଳିଆ ବୋହୂବେଶରେ ଏଇ ଘରୁ ତମଠାରୁ ବିଦା ହେଇ ଯାଉବୋଲି? କେମିତି ହଉ ନଥିବ ଯେ? କିନ୍ତୁ ମୁଁ କ’ଣ, କେହି ମଧ୍ୟ ତମ ଚେହେରାରେ ଟିକେ ଦୁଃଖୀଭାବ, ହତାଶାବୋଧ ବା ଉଦାସୀନତା ଦେଖିପାରୁ ନଥିଲେ। ଶ୍ୟାମାର ରିସେପ‌୍‍ସନ‌୍‍ ଦିନ ମୁଁ ତ କିଛିକରିବା ଅବସ୍ଥାରେ ନଥିଲି। ତମେ ନିଜେ ଯାଇ ଗହଣା, ଶାଢ଼ୀଠାରୁ ଆରମ୍ଭ କରି ଭାର ପର୍ଯ୍ୟନ୍ତ କିଣାକିଣି କରି, ଆମ ସମସ୍ତଙ୍କୁ ସାଙ୍ଗରେ ଧରିଯାଇଥିଲ ତାଙ୍କ ଘରକୁ। ସବୁଠି ତ ସାଜିଥିଲ ମୋର ରକ୍ଷା କବଚ। ସେଠି କେମିତି ତଳେ ପକେଇ ଦେଇଥାନ୍ତ ମତେ ଯେ!

 

ଶ୍ୟାମା ଯିବାର ପ୍ରାୟ ତିନିମାସ ପରେ ତମ ଭିତରେ କିଛିଟା ପରିବର୍ତ୍ତନ ଅନୁଭବ କଲି ମୁଁ। ତମର ସେଇ ସ୍ଫୁର୍ତ୍ତୀ ଭାବଟା ଟିକେ କମିଲା ପରି ଲାଗିଲା ମତେ। ଖାଇବା ପିଇବାରେ ଏତେ ଆଗ୍ରହୀ ଲୋକଟା, କିନ୍ତୁ କହିଲ ଖାଇବାକୁ ଇଚ୍ଛା ହଉନି ବୋଲି। ଆଗ୍ରହ କୋଉଥିରେ ବା ନଥିଲା ଯେ ତୁମର? ଖାଇବା ପିଇବାରେ ଆଗ୍ରହ, ଫୁଲ ବଗିଚାରେ ଆଗ୍ରହ, ଶାଢ଼ୀ ଗହଣାରେ ଆଗ୍ରହ, ବୁଲିଯିବାରେ ଆଗ୍ରହ, ଏମିତିକି ତାସ‌୍‍ଖେଳ ଓ ଲୁଡୁଖେଳରେ ବି ଆଗ୍ରହ।

 

ମୁଁ ପ୍ରଥମେ ଭାବିଲି ବୋଧହୁଏ ଶ୍ୟାମାର ଅଭାବଟା ତମକୁ କଷ୍ଟଦଉଛି। କାରଣ ତମେ ତ ତା ସହିତ ଖୁବ‌୍‍ ଆଟାଚ‌୍‍ଡ଼ ଥିଲନା। କିନ୍ତୁ ଚାରି ପାଞ୍ଚ ଦିନ ମଧ୍ୟରେ ଦେଖିଲି ସକାଳୁ ଉଠିଲାବେଳକୁ ତମର ମୁହଁ ଫୁଲିଛି। ତା ସହିତ ଗୋଡ଼ ମଧ୍ୟ। ସନ୍ଦେହ ଲାଗିଲା, ୟେ କୌଣସି ବଡ଼ରୋଗର ଲକ୍ଷଣ ନୁହେଁ ତ? ସାଙ୍ଗେ ସାଙ୍ଗେ ତମକୁ ନେଇ ଗଲି ଡକ୍ଟରଙ୍କ ପାଖକୁ। ସେ ପ୍ରଥମ ଦେଖାରେ ରେଫର‌୍‍ କରିଦେଲେ କଟକର ହରିହର କ୍ୟାନସର‌୍‍ ଇନ‌୍‍ଷ୍ଟିଚ୍ୟୁଟ‌୍‍କୁ। ମୋ ମୁଣ୍ଡ ଉପରେ ଯେମିତି ପାହାଡ଼ ଅଜାଡ଼ି ହେଇପଡ଼ିଲା। ମତେ ଚାରିଆଡ଼ ଅନ୍ଧାର ଦେଖାଗଲା। ଆମେ ଦି’ ଜଣ ଯାଇଥାଉ ତମ ସାଙ୍ଗରେ। ବାପା ଥାଆନ୍ତି ଘରେ। ସେ ଯେତେଗୁଡ଼ିଏ ଟେଷ୍ଟ ଲେଖିଥିଲେ ସବୁ କରା ହେଲା। ସବୁଥିରେ ଆସିଲା କ୍ୟାନ‌୍‍ସର ପଜିଟିଭ‌୍‍। ତମେ କ’ଣ ଅଭିନୟ କରୁଥିଲ? ମୁଁ ବି ତ କେତେ ସୁନ୍ଦର ଅଭିନୟ କଲି ସେଇ କେତେ ଦିନ ତମ ସାଙ୍ଗରେ। ମତେ ସେଇ ଯୋଉ ଡକ୍ଟର ବୁଝେଇ ଦେଇଥିଲେ ଯେ ‘ଆପଣଙ୍କୁ ବର୍ତ୍ତମାନ ଡବଲ‌୍‍ରୋଲ‌୍‍ କରିବାକୁ ହବ। ତାଙ୍କ ଆଗରେ ହସିବେ ଆଉ ପଛରେ କାନ୍ଦିବେ’। ମୁଁ ସେଇ ଅଭିନୟଟାକୁ ନିଖୁଣ ଭାବରେ କରିବାକୁ ଚେଷ୍ଟା କଲି। ସତରେ ବୋଉ, ସେଇ କ୍ଲିନିକ‌୍‍ରୁ ଫେରିବା ପରେ ସେଦିନ ମୁଁ ଯେମିତି କଷ୍ଟ ପାଇଥିଲି, ତମର ଦେହଛାଡ଼ି ଗଲାଦିନ ମଧ୍ୟ ଏତେ ମାତ୍ରାରେ କଷ୍ଟ ମୁଁ ପାଇନଥିଲି।

 

ତା’ ପରେ ଆରମ୍ଭ ହେଲା ତମ ଚିକିତ୍ସାର ପର୍ବ। ସ୍ଥିର କଲୁ ତମକୁ ବମ୍ୱେର ଟାଟା ମେମୋରିଆଲ‌୍‍ ନେଇକି ସେଠି ଟ୍ରିଟ‌୍‍ମେଣ୍ଟ‌୍‍ କରେଇବା ପାଇଁ। ତା’ପରେ ତମର ସବୁ ଜିନିଷ ପତ୍ର ସଜଡ଼ା ସଜଡ଼ି କରି ଆମେ ବାହାରିଗଲେ ବମ୍ୱେ। ନାନୀ ଭାଇନା ତ ସେଇଠି ଥାଆନ୍ତି। ତା ପରେ ସେଠି ତମର ଯେତେ ଟେଷ୍ଟ‌୍‍ ହେଲା, ରିପୋର୍ଟ ସେଇ ଏକା ଆସିଲା। ସେଠି ଡକ୍ଟର କହିଦେଲେ କ୍ୟାନସର‌୍‍ର ଶେଷ ଅବସ୍ଥା, ଆଉ ମାତ୍ର ତିନି ଚାରି ମାସର କଥା। ଅପରେସନ‌୍‍ କରାଯାଇପାରିବନି, କେବଳ କେମୋଥେରାପି କରିବାକୁ ହେବ। ସେଇଟା ଭୁବନେଶ୍ୱରରେ ମଧ୍ୟ କରାଯାଇପାରିବ। ତମକୁ ହେଇଥିଲା ଲିଭର‌୍‍ କ୍ୟାନସର‌୍‍। ଏଠୁ ଗଲାବେଳକୁ ଠାକୁରଙ୍କୁ ଡାକୁଥିଲି, ଭୁବନେଶ୍ୱରର ସବୁ ରିପୋର୍ଟ ଭୁଲ‌୍‍ ହେଇଥାଉ। ତମର କିଛି ନହେଇଥାଉ। କିନ୍ତୁ ସବୁ ବୃଥା ହେଲା।

 

ତା’ ପରେ ଆମେ ଫେରିଆସିଲେ ଭୁବନେଶ୍ୱର। ସାରାରାସ୍ତା ମୁଁ ତୁମକୁ ବୁଝୋଉଥାଏ ଯେ ବେଶି କିଛି ହେଇନି। ଅପରେସନ‌୍‍ର ଆବଶ୍ୟକତା ନାହିଁ। କେବଳ ମେଡ଼ିସିନ‌୍‍ରେ ଠିକ‌୍‍ ହେଇଯିବ। ତମେ ବି ସବୁ କିଛି ବୁଝିଗଲା ଭଳି ବ୍ୟବହାର କରୁଥିଲ। ତାପରେ ପଣ୍ଡା ନର୍ସିଂହୋମ‌୍‍ରେ ତମର କେମୋଥେରାପି ଆରମ୍ଭ ହେଲା। କଷ୍ଟ ତ ଖୁବ‌୍‍ ହୁଏ କେମୋ ଦିଆଗଲେ। କିନ୍ତୁ ତମର ବ୍ୟସ୍ତତା ନଥାଏ କୋଉଥିରେ ବି। ଘରୁ ଗଲାବେଳେ ତମେ ଯେମିତି ସବୁଆଡେ଼ ଯାଅ, ଠିକ‌୍‍ ସେମିତି ଭଲ ଶାଢ଼ୀ ପିନ୍ଧି, ସିନ୍ଦୁର ଟୋପା ଲଗେଇ, କେବେ କେବେ ନୂଆଶାଢ଼ୀ ମଧ୍ୟ ପିନ୍ଧିକି ଯାଅ। ଲାଗେ ଯେମିତି ତମେ ହସ‌୍‍ପିଟାଲ ଯାଉନ, କେଉଁଠିକୁ ବୁଲିବା ପାଇଁ ଯାଉଛ। ଫେରିଲାପରେ କିନ୍ତୁ ଦୁଇଦିନ ପର୍ଯ୍ୟନ୍ତ ଶୋଇରୁହ ବିଛଣାରେ। ତା ପରେ ପୁଣି ଉଠିପଡ଼। ପୁଣି ଆରମ୍ଭ ହେଇଯାଏ ସେଇ ଚିରାଚରିତ ଢ଼ଙ୍ଗରେ ତମର ସମୟଚର୍ଯ୍ୟା।

 

ଯେତେ ଅସୁସ୍ଥ ଥାଅ ପଛେ, ଚାରିଟା ବାଜିଲେ ମୁହଁ ଧୋଇକି ସିନ୍ଦୁର ଆଉ କ୍ରୀମ‌୍‍ ପାଉଡ଼ର ଲଗେଇବାରେ କୌଣସି ବ୍ୟତିକ୍ରମ ହେବନାହିଁ। ଭିତରେ ଭିତରେ କ୍ୟାନ‌୍‍ସର‌୍‍ ଜୀବାଣୁ ତୁମର ଜୀବନୀଶକ୍ତିକୁ ଶୋଷି ଶୋଷି ଚାଲିଥାଆନ୍ତି। କିନ୍ତୁ ତୁମର ସେଥିପ୍ରତି ଭ୍ରୁକ୍ଷେପ ନଥାଏ।

 

ଛାତ ଉପରେ ଆମର ବଗିଚାରେ କେତେଫୁଲ ଗଛ ଲାଗିଥିଲା। ତମେ ତ ଲଗେଇଥିଲ ସବୁ। ଗେଣ୍ଡୁ, ସେବତୀ, ରଜନୀଗନ୍ଧା, ଡାଲିଆ, ମନ୍ଦାର, ମଲ୍ଲୀ, ସାତ ପ୍ରକାରର ଜାତିଜାତିକା ଗୋଲାପ ଏମିତି ଅନେକ ଗଛ। କିନ୍ତୁ ଗୋଟିଏ ଫୁଲର ଅଭାବ ଥିଲା, ସେଇଟା ହଉଛି ଗଂଗଶିଉଳି। ତମର ଭାରି ଦୁର୍ବଳତା ଥିଲା ସେଇ ଫୁଲଟା ପ୍ରତି, ଯାହା ମୁଁ ଜାଣିଥିଲି ସେଇ ଫୁଲବାଣୀରେ ଥିବା ବେଳଠାରୁ। ଆମ କ୍ୱାର୍ଟର‌୍‍ରେ ଗୋଟେ ବଡ଼ ଗଂଗଶିଉଳି ଗଛ ଥିଲା। ବର୍ଷ ତମାମ ଫୁଲ ଫୁଟୁଥିଲା ସେଥିରେ। ଘରକୁ ପଶି ଆସିଲେ ବାସ୍ନା ବିଭୋର ହେଇ ଯାଉଥିଲେ ସମସ୍ତେ। ତମେ ସବୁଦିନ ସକାଳୁ ଉଠି ଗଛକୁ ହଲେଇ ଫୁଲ ତୋଳିକି ଆଣ। କେତେ ଯତ୍ନରେ ଗଜରା ହାର ଗୁନ୍ଥିକି ଆମ କୂଳଦେବତା ରାଧାମାଧବଙ୍କୁ ପିନ୍ଧାଅ। ପୁଣି ସଂଧ୍ୟାରେ ସେଇ ଫୁଲର ମାଳାଟିଏ କରି ନିଜ ଗଭାରେ ପିନ୍ଧିପକାଅ। ଫୁଲରେ ତ ଖୁବ‌୍‍ ସଉକି ଥିଲା ତୁମର। ସେଇବେଳର ରୂପ ତୁମର କେତେ ସୁନ୍ଦର ଆଉ ସଂଭ୍ରାନ୍ତ ଥିଲା। ଆଭିଜାତ୍ୟର ଛାପ ବାରି ହେଇପଡୁଥିଲା ତମଠାରେ।

 

ସବୁବେଳେ ରୁଚିପୂର୍ଣ୍ଣ ଭାବରେ ସଜେଇ ହେଇ ରହିବାକୁ ପସନ୍ଦ କରୁଥିଲେ। କେବଳ ନିଜେ ନୁହେଁ, ଅନ୍ୟମାନଙ୍କୁ ବି ସେମିତି ରହିବାପାଇଁ ବାଧ୍ୟ କରୁଥିଲ। ମୁଁ ତ ପୂରାପୂରି ତମର ଅନୁଗାମୀ ଥିଲି। ତମେ ମତେ ଶିଖାଇଥିଲ କେମିତି ଶ୍ରୀଙ୍ଗାର କରିବାକୁ ହୁଏ। ଗାଧେଇ ଆସିବା ପରେ ସବୁଦିନ ଶାଢ଼ୀ ସହିତ ଚୁଡ଼ି ମ୍ୟାଚିଂ କରି ତମେ ପିନ୍ଧ। ମତେ ବି ପିନ୍ଧାଅ। ସଂଧ୍ୟା ପୂର୍ବରୁ ଠାକୁରଙ୍କୁ ସଂଧ୍ୟ୍ୟା ଆଳତୀ ଦବା ପୂର୍ବରୁ ନିଜେ ସଜହୁଅ। ମତେ ବି ସଜ ହେବାକୁ କୁହ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମଧ୍ୟ ତମ ନଖରୁ ନେଲ‌୍‍ପଲିସ‌୍‍ ଛାଡ଼ି ନଥିଲା ବା ତୁମର ସିନ୍ଦୁର ମଳିନ ପଡ଼ିନଥିଲା।

 

ଆମେ କିନ୍ତୁ ଫୁଲବାଣୀରୁ ଭୁବନେଶ୍ୱର ଆସିବାପରେ, ଏଠି ସେଇ ଗଂଗଶିଉଳି ଗଛ ନଥିଲା। ଜାଗା ତ ବେଶି ନଥାଏ। ତେଣୁ ତମର ଇଚ୍ଛା ଥିଲେ ବି ଆମେ ସମସ୍ତେ ମନାକଲୁ ସେଇ ଗଛଟା ଲଗେଇବାପାଇଁ। କାରଣ ସଂବାଳୁଆ ହେବେ ଓ ଘରେ ପଶିବେ। ତମେ ମଧ୍ୟ ତମ ଇଚ୍ଛାକୁ ଆମ ଉପରେ ଲଦି ନଦେଇ ଚୁପ‌୍‍ ରହିଗଲ। ତମର ଦେହ ଖରାପ ସମୟରେ ମୁଁ ମୋର ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥିଲି ତମର ସବୁ ଇଚ୍ଛାକୁ ପୂରଣ କରିବା ପାଇଁ। ତେଣୁ ଏଇ ଗଂଗଶିଉଳି କଥାଟା ମୋ ମନକୁ ଆସିବାରୁ ତମକୁ ପଚାରିଲି ଯେତେବେଳେ, ତମେ ଏଇ ସଂବାଳୁଆ କଥା କହିଲ। ମୁଁ କହିଲି, ‘ଆମେ ତ କୁଣ୍ଡରେ ଲଗାଇବା। ସଂବାଳୁଆ ହେଲେ ସର୍ଫ ପାଣି ପକେଇ ଦବା ଯେ ସବୁ ମରିଯିବେ।’

 

କି ଖୁସି ସେଦିନ ତମର! ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲ। ଆମେ ଗଲେ। ଦୁଇ ନମ୍ୱର ନର୍ସରୀରୁ କିଛି ସିଜନାଲ‌୍‍ ଚାରା ନେଇକି ଆସିଲେ। ତା ଭିତରେ ଗଂଗଶିଉଳୀ ଚାରାଟି ବି ଥାଏ। ମାଳି ତ ସବୁଗଛ ଲଗେଇଲା। ତମେ କିନ୍ତୁ ନିଜେ ଲଗେଇଲ ଗଂଗଶିଉଳୀର ଚାରାଟିକୁ। ପାଣି ବି ଦେଲ। କାହିଁକି କେଜାଣି ଟିକେ ଭାବବିହ୍ୱଳ ହେଇ ପଡ଼ିଲ। କହିଲ, ‘ମା ଲୋ, ଏଇ ଗଂଗଶିଉଳୀ ସହିତ ବୋଧେ ମୋର କୋଉ ଜନ୍ମର କିଛି ସଂପର୍କ ଅଛି। ଏଇ ଗଛଟା ନଥିଲା ବୋଲି ବୋଧହୁଏ ଆମର ଏତେ ସବୁ ଅଘଟଣ ଘଟିଗଲା। ଆଉ କିଛି ହବନି। ଏଇ ଗଂଗଶିଉଳୀ ହିଁ ଆମର ସୁଖ ସୌହାର୍ଦ୍ଦ୍ୟ ବଢ଼େଇବ। ତୁ ଦେଖିବୁ ଯେ!’

 

ରୋଗଗ୍ରସ୍ତ ଅବସ୍ଥାରେ ବି ସବୁଦିନ ଚାରିଟା ବାଜିଲେ ତମେ ଯାଅ ଛାତ ଉପରକୁ। ମୁଁ ପାଇପ‌୍‍ରେ ପାଣି ଦଉଥାଏ ଗଛମାନଙ୍କରେ। ତମେ ଯାଇ ସେଇ ଗଂଗଶିଉଳୀ ଗଛ ପାଖରେ ଗାର୍ଡେନ ଚେୟାର ପକେଇ ବସ। ତାକୁ ଟିକେ ଆଉଁସି ଦଉଥାଅ। ସବୁ ଭିତରେ ବି ଗୋଟିଏ କଥା ଡାକ୍ତରଙ୍କର ମୋ ମନରେ ଥାଏ ଯେ, ତମର ଆୟୁଷ ଆଉ ମାତ୍ର କେତେ ମାସର। ତମ ସାମ୍ନାରେ ଖୁସିଗପ, ତାସ‌୍‍ଖେଳ, ବାପାଙ୍କ ସହିତ ଧର୍ମଚର୍ଚ୍ଚା ସବୁ କରେ। କିନ୍ତୁ ରାତିରେ ଶୋଇଲା ବେଳକୁ ମୁଁ ପୂରା ଭାଙ୍ଗିଯାଏ। ଛାତି ଭିତରର ରୁଦ୍ଧ କୋହ ସବୁ ଲୁହ ହେଇ ବୋହିଆସନ୍ତି। ଚୁପୁଡ଼ି ହେଇକି କାନ୍ଦେ। ତମ ପୁଅ ମତେ ବହୁତ ବୁଝାନ୍ତି, ଧୈର୍ଯ୍ୟ ରଖିବାକୁ କହନ୍ତି। କିନ୍ତୁ ମତେ କେବଳ ଭବିଷ୍ୟତର ଭୟାବହତା ଛଡ଼ା ଆଉ କିଛି ଦେଖା ଯାଏନାହିଁ।

 

ଧୀରେ ଧୀରେ ତମର ସବୁ କେମୋ ନେବା ସରିଗଲା। ତମେ ଟିକେ ସୁସ୍ଥ ଅନୁଭବ କଲ ଆଗ ଅପେକ୍ଷା। କିନ୍ତୁ ମୁଣ୍ଡର ବାଳସବୁ ଉପୁଡ଼ି ଯାଇଥିଲା। ଭାରି ଶ୍ରୀହୀନ ଦେଖାଯାଉଥିଲ ସେତେବେଳେ। ପୁଣି ଅବଶ୍ୟ ପରେ ଚୁଟି ଉଠିଲା ତମର। ଶେଷ ବେଳକୁ ତ ମୁଁ ତମ ମୁଣ୍ଡରେ ଖୋଷା ବି କରି ଦଉଥିଲି। ତମ ପାଇଁ ଯିଏ ଯାହା କହୁଥିଲେ ସବୁକୁ ମୁଁ ମାନିନଉଥିଲି। ରାମ ଦେବଙ୍କର ଔଷଧ, ଚେରମୂଳି ଆଣି ସିଝେଇକି ଦବା, କାଟପାଣି ଆଣିଦବା ସବୁ ଚେଷ୍ଟା କରୁଥିଲି। ସବୁଦିନ ଠାକୁରଙ୍କୁ ସକାଳୁ ଉଠି ପ୍ରଣାମ କଲାବେଳେ ତମପାଇଁ କିଛି ଯନ୍ତ୍ରଣାହୀନ ଆୟୁଷ ମାଗୁଥିଲି। ଠାକୁରତ ଶୁଣିଲେ ନିଶ୍ଚୟ। ନହେଲେ ଆଶ୍ଚର୍ଯ୍ୟ ଭାବରେ କ୍ୟାନ‌୍‍ସର ଜଣାପଡ଼ିବାର ଦୁଇବର୍ଷ ପର୍ଯ୍ୟନ୍ତ ତମେ ବଞ୍ଚିରହିଲ କେମିତି? ବୋଧ‌୍‍ହୁଏ ମତେ ଶକ୍ତ କରି, ଦୃଢ଼ କରି ଠିଆ କରେଇବା ପାଇଁ, ତମର ଇଚ୍ଛାଶକ୍ତିଟା ଆୟୁଷର ରୂପ ନେଇଗଲା। ତମକୁ ବାଦ‌୍‍ଦେଇ ବଞ୍ଚିବା ପାଇଁ ମୁଁ ସେଇ ସମୟ ଭିତରେ ନିଜକୁ ପ୍ରସ୍ତୁତ କରିନେଲି।

 

ଶେଷ ବେଳକୁ ତମେ ଅସହ୍ୟ ଯନ୍ତ୍ରଣା ଭୋଗିଲ। କିଛି ଖାଇପାରିଲନି। ଧୀରେ ଧୀରେ ତମର ଜୀବନୀଶକ୍ତି କ୍ଷୟ ହେଇ ଆସିଲା। ଶେଷ ଦୁଇମାସ ତ ତମକୁ ଆଉ ଦେଖି ହଉ ନଥିଲା। ଛାତ ଉପରକୁ ଆଉ ଯାଇପାରିଲନି। ଦିନେ ମତେ ପଚାରିଥିଲ, ‘ମା ଲୋ! ଆମ ଗଂଗଶିଉଳି ଗଛରେ ଫୁଲ ଫୁଟିଲାଣିକି?’ ମୁଁ ମନା କରିଥିଲି। ତମ ମୁହଁ ଟିକେ ଶୁଖିଯାଇଥିଲା। ଶୁଣିଥିଲି ତମ ବୋଉ କୁଆଡେ଼ ତମକୁ ଗାଁରେ ଗୋଟେ ଗଂଗଶିଉଳି ଗଛ ମୂଳରେ ଜନ୍ମ କରିଥିଲେ। ସେଇଥିପାଇଁ କି କଣ ଗଂଗଶିଉଳି ପାଇଁ ତମର ଥିଲା ଏତେ ଅହେତୁକ ଆକର୍ଷଣ।

 

ଶେଷ ବେଳକୁ ତମର ଏ ଅବସ୍ଥା ଦେଖି ପାରିଲିନି। ସବୁଦିନ ଠାକୁରଙ୍କୁ ଡାକିଲି ତମକୁ ନେଇଯିବା ପାଇଁ। ଭୁଲ‌୍‍ କଲାପରି ଅନୁଭବ କଲି ତମପାଇଁ ଆୟୁଷ ମାଗିବାଟାକୁ। ମୋର ସବୁ ସଞ୍ଚିତ ପୁଣ୍ୟ ବଦଳରେ ତମର ମୁକ୍ତି ପାଇଁ ପ୍ରାର୍ଥନା କଲି। ସବୁ ଆରମ୍ଭର ତ ଶେଷ ଥାଏ। ସେମିତି ତମ ଜୀବନର ମଧ୍ୟ ଅନ୍ତବେଳା ଆସିଲା। ଦୀପ ଯେମିତି ଜଳି ଜଳି ସମସ୍ତଙ୍କୁ ଆଲୋକିତ କରି ଲିଭିଯାଏ, ଠିକ‌୍‍ ସେମିତି ତମେ ଶେଷ ଦୁଇବର୍ଷ ଯନ୍ତ୍ରଣା ସହିସହି ବଞ୍ଚିରହିଲ। ମତେ ଦୃଢ଼ ଆଉ ଶକ୍ତ କରେଇଲ। ମୋ ଭିତରେ ମନୋବଳ ଭରିଦେଲ ଆଉ ତା’ ପରେ ଆଖି ବୁଜିଦେଲ ମୋରି କୋଳରେ। ଶେଷ ବେଳକୁ ତମ ହାତଥିଲା ମୋ ହାତ ମୁଠାରେ ଆଉ ତମ ମୁଣ୍ଡ ଥିଲା ମୋ କୋଳରେ।

 

ମରୁଭୂମିରେ ଯେମିତି ବାଲିଝର ସମ୍ଭବ, ଠିକ‌୍‍ ସେମିତି ଯେତେବଡ଼ ଦୁଃଖଦ ମୂହୁର୍ତ୍ତରେ ବି ତମେ ସୁଖୀ ରହିପାରୁଥିଲ ଏବଂ ଅନ୍ୟକୁ ବି ସୁଖୀ କରିପାରୁଥିଲ। ଜୀବନକୁ ଜିଇଁବାର କଳା ଯେମିତି ଈଶ୍ୱର ତମ ଭିତରେ ଭରିଦେଇଥିଲେ।  ଏମିତିକି ବମ୍ୱେ ଯେତେବେଳେ ଯାଇଥିଲେ ଚେକ‌୍‍ଅପ‌୍‍ ପାଇଁ ସେଇଠି ବି ତମେ ମତେ ସାଙ୍ଗରେ ନେଇ ନିଜେ ଶାଢ଼ୀ କିଣିଥିଲ ଆଉ ମୋ ପାଇଁ ବି କିଣି ଦେଇଥିଲ। ଏତେ ବ୍ୟସ୍ତତା ମଧ୍ୟରେ ସେଇ ଶାଢ଼ୀଟା ତମର ପିନ୍ଧା ହେଇ ପାରି ନଥିଲା। ମୃତ୍ୟୁର ତିନିମାସ ପୂର୍ବରୁ ମୁଁ ସେଇଟା କାଢ଼ି ଦେଇଥିଲି ତମକୁ ପିନ୍ଧିବା ପାଇଁ। କାହିଁକି କେଜାଣି କହିଥିଲ, ‘ଏଇଟା ରଖିଦେ, ମୋ ଯିବାବେଳେ ପିନ୍ଧେଇକି ପଠେଇଦବୁ।’

 

ହଠାତ‌୍‍ ମୁଁ ବୁଝି ପାରିନଥିଲି ତମେ କୁଆଡେ଼ ଯିବାକଥା କହୁଥିଲ। ଆଜି ସେଇଟା ମୁଁ ଅନୁଭବ କରିପାରୁଛି। ସେଦିନ ରାତିରେ ସେଇ ଶାଢ଼ୀଟା ହିଁ କାଢ଼ି ତମକୁ ପିନ୍ଧେଇଲି। ସମସ୍ତେ ଭିଡ଼ି ପକୋଉଥିଲେ ତମର ଲୁଗାପଟା। ସମସ୍ତଙ୍କୁ କିନ୍ତୁ ମୁଁ ସେଠାରୁ ବିଦା କରିଦେଲି ଅଲଗା ରୁମ‌୍‍କୁ। ତମକୁ ଲାଜ ଲାଗି ଥାଆନ୍ତା ନା! ତମେ ତ ଭଲ ପାଅନା କାହା ଆଗରେ ଲୁଗା ବଦଳେଇବାକୁ। ସେଇ ଶାଢ଼ୀଟା ତମକୁ ପିନ୍ଧେଇ ଦେଲି। ନୂଆଚୂଡ଼ି, ସିନ୍ଦୁର, ଅଳତା ଏପରିକି ନେଲ‌୍‍ପଲିସ‌୍‍ ମଧ୍ୟ ଲଗେଇ ଦେଲି ତମ ଗୋଡ଼ ହାତର ନଖରେ। କେତେ ଐଶ୍ୱର୍ଯ୍ୟମୟୀ ଦିଶୁଥିଲ ତୁମେ ରୋଗାକ୍ରାନ୍ତ ଅବସ୍ଥାରେ, ଆଉ କେତେ ନିଃସ୍ୱ ହେଇଯାଇଥିଲି ମୁଁ ତମ ବିନା ସେଇ ମୁହୂର୍ତ୍ତରେ!

 

ତମକୁ ସ୍ୱର୍ଗଦ୍ୱାର ନିଆଗଲା ଶେଷକୃତ୍ୟ ପାଇଁ। ଖବର ପାଇକି ଶ୍ୟାମା ଓ ସଲିମ‌୍‍ ମଧ୍ୟ ଅସିଥିଲେ, କିନ୍ତୁ ମୁଁ ସେମାନଙ୍କୁ ମନାକଲି ତମ ଶବ ଛୁଇଁବାକୁ। ରାଗିଛ କି ସେଥିପାଇଁ? କାରଣ ଶ୍ୟାମା ତ ତମ ଜୀବନର ଅଂଶ ଥିଲା ନା। କିନ୍ତୁ କ’ଣ କରିଥାନ୍ତି କୁହ? ସେ ଛୁଇଁ ଦେଲେ କୁଟୁମ୍ୱମାନେ ଅଡ଼ି ବସିଥାଆନ୍ତେ, ତମର କ୍ରିୟାକର୍ମ ସୁରୁଖୁରୁରେ ହେଇ ପାରି ନଥାନ୍ତା। ଗୁମୁରି ଗୁମୁରି କାନ୍ଦୁଥିଲା ଶ୍ୟାମା। ଅପରାଧବୋଧରେ ସଢ଼ି ପଡ଼ୁଥିଲା ଯେମିତି।

 

ତା’ ପରେ ତମର କ୍ରିୟା ଧରିଲେ ତମ ପୁଅ। ସବୁଦିନ ତମ ଘଟ ପାଖରେ, ଦୀପ ପାଖରେ ନେଇ ତମ ପ୍ରିୟ ଲେମନ‌୍‍ ଚା’ରୁ ଆରମ୍ଭ କରି ସବୁ ଖାଇବା ଦିଏ, ପାଣିଦିଏ। ଥୋଇଦେଇ ଯେତେବେଳେ ଖାଅ ବୋଲି କହେ, ମୁଁ ଜାଣେନା ତମେ ଶୁଣିପାର କି ନାହିଁ, କିନ୍ତୁ ମୋ ଭିତରୁ କୋହ ଉଠିଆସେ। ତମର ସବୁଗୁଡ଼ିକ ପଣା ଭଲରେ କରିବା ପାଇଁ ଚେଷ୍ଟା କଲି। ଲୋକଙ୍କୁ ଖୁଏଇବାରେ ତ ଥିଲା ତମର ପ୍ରଚୁର ଆନନ୍ଦ। ସେଥିପାଇଁ ହୁଏତ ସବୁକିଛି ଭଲରେ ହେଇଗଲା। ସବୁ ବନ୍ଧୁବାନ୍ଧବ ଏମିତିକି ନାନୀ ଭାଇନା ମଧ୍ୟ କାଲି ବାରପତ୍ର ପଡ଼ିଲାପରେ ଚାଲିଗଲେ ବମ୍ୱେ। ସଂଧ୍ୟାରେ ଶ୍ୟାମା ଆସିଥିଲା। ବହୁତ କାନ୍ଦିଲା। ତମେ ତ ନାହଁ, କିଏ ତାକୁ ବୁଝେଇବ। ମୁଁ ଚେଷ୍ଟାକଲି ତାକୁ ବୁଝେଇବା ପାଇଁ ଯେମିତି ତମଠାରୁ ଶିଖିଛି ସେମିତି। ବାପାଙ୍କୁ ତ ତୁମ ଅନେକ ବାଗରେ ବୁଝେଇ ଦେଇ ଯାଇଥିଲ ନା! ସେ ବି ସବୁ ବୁଝିଲା ପରି ଶାନ୍ତ ରହୁଛନ୍ତି। କିନ୍ତୁ ପୂରାପୂରି ନିରବୀ ଯାଇଛନ୍ତି। ସ୍ଥାଣୁ ପାଲଟି ଯାଇଛନ୍ତି। ତମେ ମତେ ଧୈର୍ଯ୍ୟ ଦବ ତାଙ୍କୁ ସମ୍ଭାଳିବା ପାଇଁ।

 

ଆଜି ସିବୁ ଗହଳି ଭାଙ୍ଗିଲା ପରେ ଘର ଭିତରେ ମୁଁ ପଶିପାରୁନି। ଯୁଆଡେ଼ ଚାହିଁଲେ ତୁମରି ସ୍ମୃତି। ଡାଇନିଂ ଟେବୁଲ‌୍‍ ଉପରେ ତୁମରି ମେଡ଼ିସିନ‌୍‍ ଡ଼ବା, ଡ୍ରେସିଂ ଟେବୁଲ‌୍‍ ଖୋଲି ଦେଲେ ତୁମରି ଶୃଙ୍ଗାର ଜିନିଷ। ଖଟ ପାଖରେ ତୁମରି ଚଷମା। ତୁମର ପ୍ରତ୍ୟେକ ଜିନିଷକୁ ଗୋଟିଗୋଟି କରି ସାଇତିକି ରଖିଛି। ଆଜି ମତେ ଲାଗୁଛି ଯେମିତି ମୁଁ ମା ଛେଉଣ୍ଡ ହେଇଯାଇଛି।

 

ବାପା ଶୋଇଛନ୍ତି ତୁମ ଖଟରେ। ଇୟେ ଯାଇଛନ୍ତି କ୍ୟାଟରିଂ ବାଲାର ହିସାବ ତୁଟେଇବା ପାଇଁ। ମୁଁ ଚାଲି ଆସିଛି ଛାତ ଉପରକୁ ତୁମରି ଗଢ଼ା ଛୋଟିଆ ବଗିଚାଟିକୁ। ହଠାତ‌୍‍ ଏଇଠି ଆବିଷ୍କାର କଲି ଏଇ ଗଂଗଶିଉଳି ଗଛରେ ଫୁଟିଥିବା ପାଞ୍ଚଟି ଫୁଲକୁ। କେମିତି ସମ୍ଭବ ହେଲା? ଏତେ କମ‌୍‍ ଦିନରେ ତ ଫୁଟିବା କଥା ନୁହେଁ ଫୁଲ! ବୋଧହୁଏ ସେ ଫୁଟିଛି କେବଳ ତମରି ପାଇଁ, ତମରି କ୍ରିୟା ଭିତରେ। ଏତେ ଗହଳି ଭିତରେ ମୁଁ ମଧ୍ୟ ଜାଣିପାରିନି।

 

କ’ଣ କରିବି? ତାକୁ ତୋଳି ନେଇ ତୁମ ଫଟୋରେ ସଜେଇଦେବି? ନାଇଁ ସେମିତି କରିବିନି। ତୁମେ ପରା ସବୁବେଳେ କୁହ ଫୁଲ ଗଛରେ ଥିଲେ ସୁନ୍ଦର। ତାକୁ ସେଇଠି ଫୁଟି ସେଇଠି ଝରିଯିବାକୁ ଦେବା କଥା ବୋଲି। ତେଣୁ ଥାଉ ସେ ସେଇଠି ସେମିତି ଗଛରେ। ଯେମିତି ତୁମେ ଅଛ ମହାଶୂନ୍ୟରେ। ଠାକୁରଙ୍କୁ ତ କେବେ ଦେଖିନି। ତୁମେ ହିଁ ଥିଲ ମୋର ଚଳନ୍ତି ଠାକୁର, ମୋର ରକ୍ଷାକର୍ତ୍ତ୍ରୀ, ପ୍ରେରଣାଦାତ୍ରୀ। ଜନ୍ମ ନକରି ବି ବାତ୍ସଲ୍ୟ ରସରେ ଭିଜେଇ ଦେଇଥିଲ ମତେ। ତମକୁ ତ ହରେଇ ଦେଲି। ଆଉ ଏ ଜନ୍ମରେ ପାଇବିନି ଶତଚେଷ୍ଟା କଲେ ବି। ବଞ୍ଚିଥିବା ଯାଏ ଠାକୁରଙ୍କୁ ଡ଼ାକୁଥିବି, ସେ ସବୁ ଜନ୍ମରେ ମତେ ତମକୁ ହିଁ ଦିଅନ୍ତୁ ମୋ ବୋଉ ରୂପରେ। ତମ ପାଇଁ ମୁଁ ମୋକ୍ଷ ମାଗିବିନି। ମୋ ପାଇଁ ବି ନୁହେଁ। କାରଣ ମୋକ୍ଷ ପାଇଗଲେ ଆମେ ଆଉ ପୁନର୍ଜନ୍ମ ପାଇବା କେମିତି? କୁହ, ଆଉଥରେ ଆସିବ ତ ମୋ ପାଇଁ ଏ ସଂସାରକୁ? ମୁଁ ଅପେକ୍ଷା କରିଥିବି ତମ ପାଇଁ ଜନ୍ମପରେ ଜନ୍ମ କେତେ ଜନ୍ମ!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top