ବିକାଶ ପଥରେ ଭାରତ

News Story - Posted on 2017-07-07

ସିଏ. ବିବେକାନନ୍ଦ ନାୟକ

 

ଗଣତାନ୍ତ୍ରିକ ରାଷ୍ଟ୍ରରେ ଅର୍ଥନୈତିକ ଓ ରାଜନୈତିକ ଦୃଷ୍ଟିଦିଗ ମଧ୍ୟରେ ସବୁବେଳେ ମୂଲଚାଲ ଦେଖା ଦେଇଥାଏ। ଶାସନରେ ଥିବା ସରକାର ଦୃଢ ଅର୍ଥନୈତିକ ପଦକ୍ଷେପ- ଯାହା ସାଧାରଣ ଜନତାଙ୍କ ସ୍ୱାର୍ଥ ପ୍ରତି ବିରୋଧାତ୍ମକ ପ୍ରତୀୟମାନ ହୁଏ- ନେବାକୁ କୁଣ୍ଠାବୋଧ କରିଥାନ୍ତି। ଅନ୍ୟ ପକ୍ଷରେ ସରକାର ସାଧାରଣ ଲୋକମାନଙ୍କୁ ଲୋଭାଇଲା ପରି ଯୋଜନା କରିଥାନ୍ତି। ଏଭଳି ବ୍ୟବସ୍ଥାରେ  ଅନେକାଂଶରେ ଅର୍ଥନୈତିକ ଦୃଷ୍ଟିକୋଣ ଗୌଣ ହୋଇଯାଏ। ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ୟୁପିଏ ସରକାରଙ୍କର ୬୦,୦୦୦ କୋଟି ଟଙ୍କାର କୃଷି ଋଣ ଛାଡ ଏହାର ଏକ ଜ୍ୱଳନ୍ତ ଉଦାହରଣ। କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ସରକାର କୃଷିୠଣ ଛାଡ଼ କରିଛନ୍ତି। ବର୍ତ୍ତମାନ ମଧ୍ୟ ଓଡ଼ିଶା ସମେତ ଆଉ କେତେ ରାଜୟରେ କୃଷି ଋଣ ଛାଡ ଦାବୀର ଜୋର‌୍‍ ଧରିଲାଣି।

 

କୃଷି ବିପର୍ଯ୍ୟୟଜନିତ କୃଷକର ଦୁରବସ୍ଥା ବା ବିଶେଷ କରି କୃଷକ ଆତ୍ମହତ୍ୟା ପରି ଭୟଙ୍କର ସଂକଟକୁ ପରାହତ କରିବା ପାଇଁ ୠଣ ଛାଡ଼ ଏକ ସାମୟିକ ବ୍ୟବସ୍ଥା ହୋଇପାରେ। ଏହା ଦ୍ୱାରା ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ଏକ ନକରାତ୍ମକ ପ୍ରଭାବ ପଡିବା ସହିତ ଋଣ ନେଇ ଠିକ‌୍‍ ସମୟରେ ପରିଶୋଧ କରୁଥିବା ଚାଷୀମାନଙ୍କ ପାଇଁ ନିରୁତ୍ସାହଜନକ ହେବ। ଏହା ଦ୍ୱାରା ଚାଷୀର ଆର୍ଥିକ ଅବସ୍ଥାର କୌଣସି ମୌଳିକ ପରିବର୍ତ୍ତନ ହେବାର ଆଶା ନାହିଁ। ଚାଷୀର ଆର୍ଥିକ ସ୍ଥିତି ସୁଧାରିବା ପାଇଁ କୃଷିର ଭିତ୍ତିଭୂମି ବିକାଶର ଆବଶ୍ୟକତା ଅଛି। କେନ୍ଦ୍ର ସରକାରର ଶସ୍ୟବୀମା, ମାଟି ସ୍ୱାସ୍ଥ୍ୟକାର୍ଡ, ଜଳସେଚନ ଉପରେ ଗୁରୁତ୍ୱ, କୋଲ୍ଡ ଷ୍ଟୋରେଜ‌୍‍, କୃଷିଜାତ ଦ୍ରବ୍ୟର ବଜାର ସୃଷ୍ଟି ପରି ଭିତ୍ତିଭୂମି ସଂରଚନା ପାଇଁ ଯୋଜନା ଅଧିକ ଗୁରୁତ୍ୱପୂର୍ଣ୍ଣ।

 

୨୦୧୩-୧୪ରେ ଅର୍ଥନୈତିକ ବୃଦ୍ଧିହାର ୬.୮୪% ଥିବାବେଳେ ୨୦୧୪-୧୫, ୨୦୧୫-୧୬ ଓ ୨୦୧୬-୧୭ରେ ଯଥାକ୍ରମେ ୭.୧୮%, ୭.୯୩% ଓ ୭.୧%ରେ ପହଁଞ୍ଚିଛି। ଏହାଦ୍ୱାରା ଭାରତ ଚୀନ‌୍‍କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଦ୍ରୁତଗ୍ରାମୀ ଅର୍ଥନୀତି ହେବାର ସୌଭାଗ୍ୟ ଅର୍ଜନ କରିଛି। ବିଶ୍ୱ ଅର୍ଥନୀତିର ବୃଦ୍ଧି ୨୦୦୭ରେ ଶୀର୍ଷରେ ପହଁଞ୍ଚି ଥିଲା। ୨୦୦୮ ପ୍ରାରମ୍ଭରେ ସାରା ବିଶ୍ୱରେ ମାନ୍ଦାବସ୍ଥା ଆସିଥିଲା। ପରବର୍ତ୍ତୀ ସମୟରେ ବିଶ୍ୱର ଅର୍ଥନୈତିକକ ବୃଦ୍ଧି ବିଶେଷ ଭାବରେ ହ୍ରାସ ପାଇଥିଲା। ୨୦୦୮ ପୂର୍ବବର୍ତ୍ତୀ ଦଶନ୍ଧିରେ ବିଶ୍ୱ ଅର୍ଥନୀତି ହାରାହାରି ୪% ଗତିରେ ବୃଦ୍ଧି ପାଇଥିବା ବେଳେ, ୨୦୦୮ ପରବର୍ତ୍ତୀ ଦଶନ୍ଧିରେ (୨୦୧୭ ପର୍ଯ୍ୟନ୍ତ) ବୃଦ୍ଧିର ଗତି ଚିନ୍ତାଜନକ ୨.୫%ରେ ପହଁଞ୍ଚିଛି। ଏହା ପ୍ରଣିଧାନ ଯୋଗ୍ୟ ଯେ କୌଣସି ବୃହତ ଦେଶ ୨୦୦୮ ପୂର୍ବର ଅର୍ଥନୈତିକ ଅଭିବୃଦ୍ଧି ହାର ଫେରି ପାଇନାହିଁ। ବିଶ୍ୱର ଅଧିକ ଲୋକସଂଖ୍ୟା ବିଶିଷ୍ଟ ୫୦ ଗଣତନ୍ତ୍ରକୁ ନୀରିକ୍ଷଣ କଲେ ଜଣାପଡ଼େ ଯେ କେବଳ ୯ଟି ଦେଶର ଅର୍ଥନୀତିର ବୃଦ୍ଧିହାର ୨୦୦୭ ପରବର୍ତ୍ତୀ ମାନ୍ଦାବସ୍ଥା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇ ନାହାନ୍ତି ଏବଂ ସେମାନଙ୍କର ଅଭିବୃଦ୍ଧି ହାର ୨.୫% ରୁ ଅଧିକ ହୋଇ ପାରିଛି। ଏହି ୯ଟି  ଅର୍ଥନୀତି ମଧ୍ୟରୁ କେବଳ ଜର୍ମାନୀକୁ ଛାଡିଦେଲେ ବାକି ୮ଟି ଅତ୍ୟନ୍ତ ଛୋଟ ଅର୍ଥନୀତି। ୨୦୧୬ ନଭେମ୍ୱରରେ କେନ୍ଦ୍ର ସରକାର ବିମୁଦ୍ରୀକରଣ ପରି ଆର୍ଥିକ ସଂସ୍କାର ଘୋଷଣା କରିଥିଲେ। ଲୋକଙ୍କ ପାଖରେ ନଗଦ ଟଙ୍କାର ଅଭାବ ଦେଖା ଦେଇଥିଲା। ବିମୁଦ୍ରୀକରଣର ଆରମ୍ଭ ଓ ପୁନଃମୁଦ୍ରୀକରଣ ମଧ୍ୟରେ ସମୟ ବ୍ୟବଧାନ ହେତୁ ନଗଦ କାରବାର ଉପରେ ନିର୍ଭର କରୁଥିବା ବହୁ ବ୍ୟବସାୟ ପ୍ରଭାବିତ ହୋଇଥିଲା। ଫଳତଃ ୨୦୧୬-୧୭ର ଶେଷ କ୍ୱାର୍ଟର (ଜାନୁଆରୀ-ମାର୍ଚ୍ଚ)ର ବୃଦ୍ଧିହାର ବିଶେଷ କ୍ଷତିଗ୍ରସ୍ତ  ହୋଇଥିଲା। ଏହା ୬.୧% ଥିଲା। ଏହା ସତ୍ତ୍ୱେ ପୂରା ବର୍ଷର ୨୦୧୬-୧୭ ବୃଦ୍ଧିହାର ୭.୧%, ଯାହା ନିଶ୍ଚିତ ଭାବରେ ଉତ୍ସାହଜନକ।

 

ବିଶ୍ୱ ଅର୍ଥନୀତିରେ ଭାରତ ଏକ ଆକର୍ଷଣୀୟ ପୁଞ୍ଜି ନିବେଶ ଲକ୍ଷ୍ୟସ୍ଥଳ ହୋଇଛି। ଜନଧନ ଯୋଜନା, ଡିଜିଟାଇଜେସନ‌୍‍, ବିନିବେଶ ଯୋଜନା, ବିମୁଦ୍ରୀକରଣ, ଜିଏସ‌୍‍ଟି, ବ୍ୟାଙ୍କ ଏନ‌୍‍ପିଏ ଉପରେ ଲଗାମ, ବ୍ୟବସାୟ ପ୍ରକ୍ରିୟା ସରଳୀକରଣ ଇତ୍ୟାଦି ଯୋଜନା ବା ପଦକ୍ଷେପ ବିଦେଶୀ ପୁଞ୍ଜିକୁ ବିଶେଷ ଆକୃଷ୍ଟ କରିଛି। ଭିତ୍ତିଭୂମି ସଂରଚନାରେ ମଧ୍ୟ କ୍ଷୀପ୍ରତା ଆସିଛି। ୨୦୧୧-୧୪ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଦୈନିକ ହାରାହାରି ୭୩ କି.ମି. ହେଉଥିବା ବେଳେ, ୨୦୧୬-୧୭ରେ ଏଥିରେ ବିଶେଷ ବୃଦ୍ଧି ହୋଇ ଦୈନିକ ୧୩୩ କି.ମି. ରାସ୍ତା ତିଆରି ହୋଇପାରୁଛି। ଅର୍ଥନୈତିକ ବିକାଶର ପରିଣାମ ସ୍ୱରୂପ ଷ୍ଟକ‌୍‍ ମାର୍କେଟ‌୍‍ ଆଜି ରେକର୍ଡ ସ୍ତରରେ ପହଁଞ୍ଚିଛି। ଭାରତର କ୍ରେଡିଟ‌୍‍ ରେଟିଂ ମଧ୍ୟ ଉନ୍ନତ ହେବାକୁ ଯାଉଛି।

 

ରାଜନୈତିକ ଦୃଶ୍ୟପଟ୍ଟ ମଧ୍ୟ ବିଜେପି ନେତୃତ୍ୱାଧୀନ ସରକାରକୁ ଦୃଢ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଛି। ସର୍ବବୃହତ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟ ନିର୍ବାଚନରେ ବିଜେପିର ଆଶାତୀତ ସଫଳତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୃଢ଼ ଅର୍ଥନୈତିକ ପଦକ୍ଷେପ ନେବାପାଇଁ ସାହସ ଯୋଗାଇଛି। ବିଶ୍ୱ କୂଟନୀତିରେ କେନ୍ଦ୍ରୀଭୂତ କାର୍ଯ୍ୟକ୍ରମ ତଥା ମୋଦିଙ୍କର ଏ ଦିଗରେ ଗୁରୁତ୍ୱ ଦ୍ୱାରା ଭାରତର ସ୍ଥିତି ମଜଭୁତ ହୋଇଛି। ଭାରତ ଏକ ବିଶ୍ୱଶକ୍ତି ଭାବରେ ଉଭା ହୋଇଛି। ଆଭ୍ୟନ୍ତରୀଣ ଆଇନ ଶୃଙ୍ଖଳା ଦୃଷ୍ଟିରୁ କାଶ୍ମୀର ସମସ୍ୟା ନିଶ୍ଚିତ ଭାବରେ ଏକ କଳାଦାଗ। ପାକିସ୍ତାନର ପରୋକ୍ଷ ସହାୟତାରେ ଏହି ହିଂସାତ୍ମକ ଆନ୍ଦୋଳନ ତୀବ୍ର ହୋଇଛି। ବିଗତ ଦିନର ‘ଚଳେଇନେବା’ ନ୍ୟାୟରେ ପ୍ରଶାସନିକ କାର୍ଯ୍ୟକ୍ରମ ଓ ବିଚ୍ଛିନ୍ନତାବାଦୀଙ୍କ ସହିତ ବୁଝାମଣା ନିତିକୁ ଛାଡ଼ି କେନ୍ଦ୍ର ସରକାରଙ୍କର ବିଚ୍ଛିନ୍ନତାବାଦୀକୁ ଦୃଢ଼ ହସ୍ତରେ ଦମନ ଆଉ ଏକ ସ୍ୱାଗତଯୋଗ୍ୟ ମୌଳିକ ପରିବର୍ତ୍ତନ।

 

ନରେନ୍ଦ୍ର ମୋଦିଙ୍କର ବିକାଶ ଉପରେ ପ୍ରତିବଦ୍ଧତା ପ୍ରମାଣିତ। ସାଧାରଣରେ ମୋଦିଙ୍କର ଦୃଢ଼ ନିଷ୍ପତ୍ତି ପାଇଁ ପ୍ରଶଂସକ ସଂଖ୍ୟାଧିକ ବଢିଚାଲିଛି। ସାଧାରଣ ଜନତା ମୋଦିଙ୍କର ଦୃଢ଼ ନିଷ୍ପତ୍ତିକୁ ଅଙ୍ଗୀକାର କରିଛନ୍ତି। ବିମୁଦ୍ରୀକରଣ ପରି ଅସାଧାରଣ ପଦକ୍ଷେପକୁ ଜନସାଧାରଣଙ୍କ ସମର୍ଥନ ଏହାର ଏକ ଉଦାହରଣ।

 

ଗତ ତିନିବର୍ଷରେ ମୋଦିଙ୍କର ଆଲୋଚକମାନେ ଅଧିକ ଆକ୍ରମଣାତ୍ମକ ଭଙ୍ଗୀ ଆପଣେଇଛନ୍ତି। ପୁରସ୍କାର ଫେରାଇବା ଗୋଷ୍ଠୀଠାରୁ ଆରମ୍ଭ କରି ସଦ୍ୟତମ ନଟ‌୍‍ ଇନ‌୍‍ ମାଇଁ ନେମ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରିବାରେ ଚେଷ୍ଟା କରିଛି। ସେ ଯାହା ହେଉନା କାହିଁକି, ସାଧାରଣ ଜନମାସନରେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ। ଏହାର କାରଣ ଅନେକ। ବିଭିନ୍ନ ଆଂଚଳିକ ରାଜନୈତିକ ଦଳ ବିରୋଧରେ ସତ୍ତା ବିରୋଧି ହାୱା, ବିରୋଧୀ ଦଳରେ ଗୋଷ୍ଠୀ କନ୍ଦଳ, ନେତୃତ୍ୱ ପରିବର୍ତ୍ତନ ବା ହସ୍ତାନ୍ତରର ସମସ୍ୟା ଇତ୍ୟାଦି ସରକାର ବିରୋଧୀ ଆନ୍ଦୋଳନକୁ ପାଣିଚିଆ କରିଛି।

 

ବିଜେପି ତଥା ଅନ୍ୟ ସମଭାବାପନ୍ନ ସଂଗଠନ ଯଥା- ବିଶ୍ୱ ହିନ୍ଦୁ ପରିଷଦ, ବଜରଂଗଦଳ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଇତ୍ୟାଦିରେ କେତେ ନେତାଙ୍କର ବୟାନବାଜି ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। କଥିତ ଗାଈ ସୁରକ୍ଷା ମଞ୍ଚ ବା ଏହା ନାମରେ ଚାଲିଥିବା ହିଂସାତ୍ମକ କାର୍ଯ୍ୟକ୍ରମ ସାମଗ୍ରିକ ବିକାଶ ମାହୋଲକୁ ପାଣିଚିଆ କରିଛି। ପ୍ରଧାନମନ୍ତ୍ରୀଙ୍କର ବାରମ୍ୱାର ତାଗିଦ‌୍‍ ସତ୍ତ୍ୱେ ଏହି ହିଂସାତ୍ମକ ଆନ୍ଦୋଳନ ଥମିବାର ନାଁ ଧରୁନାହିଁ। ରାଷ୍ଟ୍ରର ବିକାଶଧାରାକୁ ବଜାଇ ରଖିବା ପାଇଁ ସୁସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ନିତ୍ୟାନ୍ତ ଜରୁରୀ। ଦୃଢ଼ ପ୍ରଶାସନିକ କ୍ରିୟାଶୀଳତା ଓ ସାମାଜିକ ସଚେତନତା ସୃଷ୍ଟିକରି ଏହି ହିଂସାତ୍ମକ ପନ୍ଥାକୁ ରୋକାଯିବା ଉଚିତ‌୍‍।

 

ବିଜେପି ତଥା ଏନ‌୍‍ଡିଏର ଅନ୍ୟ ଅଂଶୀଦାର ଦଳମାନେ ୨୦୧୯ରେ ପୁଣିଥରେ ଶାସନକୁ ଫେରିବା ପାଇଁ ଏକପ୍ରକାର ନିଶ୍ଚିତ ଅଛନ୍ତି। କିନ୍ତୁ ଏହା ମନେ ରଖିବାକୁ ହେବ ଯେ, ଏନ‌୍‍ଡିଏ ଗଠବନ୍ଧନ ୩୩୬ଟି ଆସନ ଜିତିଥିଲେ ମଧ୍ୟ ସାମଗ୍ରିକ ଭୋଟ ଅଂଶ ୩୮.୫% ଥିଲା। ତା’ମଧ୍ୟରୁ ବିଜେପିର ୩୧% ଭୋଟ ଥିଲା। ଅନ୍ୟପକ୍ଷରେ ୟୁପିଏ ଗଠବନ୍ଧନ ୨୦୦୪ରେ ୩୨୦ଟି ଆସନ ପାଇଥିବାବେଳେ, ତା’ର ଭୋଟ ଅଂଶ ୪୭% ଥିଲା। ଭାରତୀୟ ଗଣତନ୍ତ୍ରରେ କେବଳ ଅର୍ଥନୈତିକ ବିକାଶ ଯେ ନିର୍ବାଚନ ଜିତାଇବ, ତାହା କହିବା ଠିକ‌୍‍ ହେବ ନାହିଁ। ଆଇନ‌୍‍ ଶୃଙ୍ଖଳା ପରସ୍ଥିତି, ସାମାଜିକ ବ୍ୟବସ୍ଥାର ସନ୍ତୁଳନ ଏବଂ ସାଧାରଣ ମଣିଷର ଆର୍ଥିକ ସୁରକ୍ଷା ମଧ୍ୟ ନିର୍ବାଚନ ଜିତିବା ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ।

 

ଲେକ‌୍‍ଭିୟୁ ହୋମ‌୍‍ସ, ମଧୁସୁଦନ ନଗର, ଭୁବନେଶ୍ୱର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top