ଲୋପ ପାଇବ କିଆଫୁଲ ଅତର!
News Story - Posted on 2017-07-06
ହେମାଙ୍ଗ ପ୍ରସାଦ ରାଉଳ
କିଆ ଫୁଲ ଚାଷ କରୁଥିବା ଚାଷୀ ଆଜି ନିଜ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯିବାର ପରିଲକ୍ଷିତ କରାଯାଉଛି। ଦିନକୁ ଦିନ କିଆ ଫୁଲର ଚାହିଦା ହ୍ରାସ ପାଇବା ଫଳରେ ଏହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେବା ସହ ସେମାନଙ୍କ ପେଟ ପୋଷିବା କଷ୍ଟକର କରିଦେଇଛି। ବଜାର ଦର ଦିନକୁ ଦିନ ବୃଦ୍ଧି ହେଲେ ମଧ୍ୟ ସେହି ପରିମାଣରେ ଏହି ଫୁଲର ଚାହିଦା କମି କମି ଯାଉଛି। ଏହା ଫଳରେ ବଜାର ଦର ନିୟନ୍ତ୍ରଣ କରିବା ପାଇଁ କିଆ ଫୁଲ ଚାଷୀ କିଆ ଫୁଲ ଚାଷର ପରିମାଣ ବଢାଇଛନ୍ତି, ଯାହାଫଳରେ ଉତ୍ପାଦନ ବୃଦ୍ଧି ହେବ ଏବଂ କିଆ ଫୁଲ ସଂପୂର୍ଣ୍ଣ ପରିମାଣରେ ବଜାରକୁ ଛଡାଯାଇପାରିବ। ଚାଷୀ ଗାଁ ଗାଁ ବୁଲି ଏହି ଫୁଲ ସଂଗ୍ରହ କରିଥାନ୍ତି ମାତ୍ର ଏହା ବଜାରକୁ ଆଣିବା ପରେ ଏଥିରୁ ବହୁ ନଷ୍ଟ ହୋଇଯାଇଥାଏ। ଯାହାଫଳରେ ବେପାରୀ ଭଲ ଫୁଲ ଚୟନ କରିଥାଏ ଏବଂ ବାକିଗୁଡିକ ଚାଷୀକୁ ଫେରସ୍ତ ନେବାକୁ ପଡିଥାଏ।
ଦିନକୁ ଦିନ କିଆ ଫୁଲ ଭାଟି ବନ୍ଦ ହେବା ଯୋଗୁଁ ଚାଷୀମାନଙ୍କୁ ଏହାର ସଂପୂର୍ଣ୍ଣ ଟଙ୍କା ମଧ୍ୟ ମିଳେ ନାହିଁ। ଭାଟି ବନ୍ଦ ହେବାର ଅନ୍ୟ ଏକ କାରଣ ହେଉଛି କିଆ ଫୁଲର ଅତର ଏବଂ ଏହାର ଜଳୀୟ ଅଂଶ ଯାହା ତମ୍ୱାଖୁ ଏବଂ ଗୁଟଖା ସାମଗ୍ରୀ ତିଆରିରେ ବ୍ୟବହାର କରାଯାଏ ତାହା ସରକାର ଦ୍ୱାରା ନିଷେଧ ହେବା ପରେ ଏହାର ଚାହିଦା ଦିନକୁ ଦିନ ହ୍ରାସ ପାଉଛି। କିଆ ଫୁଲ ବ୍ୟବସାୟୀଙ୍କ କହିବା ଅନୁସାରେ ବିଗତ ବର୍ଷରେ କିଆ ଫୁଲ ସେଂଟ ଆରବ ଦେଶରେ ବେଶି ଚାହିଦା ଥିଲା। ଭାରତରେ ଏହି ଅତରକୁ ଗୁଟଖା କାରଖାରେ ବହୁ ମାତ୍ରାରେ ବ୍ୟବହାର ହେବା ଫଳରେ ସେହି ସମୟରେ ଗଂଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବହୁ କିଆ ଫୁଲ ଭାଟି ଗଢି ଉଠିଥିଲା। ଛତ୍ରପୁର ଠାରେ ଅବସ୍ଥିତ ଥିବା କଣମଣା, ବାସନାପୁଟି ଏବଂ ହରିପୁର ଗ୍ରାମର କିଆ ଫୁଲ ଚାଷୀଙ୍କ କହିବା ଅନୁସାରେ କିଆ ଫୁଲ ଭାଟି ହେବା ଫଳରେ ଗ୍ରାମର ଅବସ୍ଥିତ ଥିବା ୨୦୦ରୁ ଉର୍ଦ୍ଧ୍ୱ ପରିବାରର ଗୁଜୁରାଣ ମେଣ୍ଟୁଥିଲା। କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ଏହାର ପତନ ଘଟିବା ଫଳରେ ଚାଷୀମାନେ ଆଗପରି ପେଟ ପାଟଣା କରିପାରୁ ନାହାନ୍ତି, ଯାହା ଫଳରେ ସେମାନଙ୍କୁ ଅନ୍ୟ ବ୍ୟବସାୟରେ ନିୟୋଜିତ ହେବାକୁ ପଡୁଛି।
ଗଂଜାମ ଜିଲ୍ଲା ସାରା ଭାରତ ବର୍ଷରେ କିଆ ଫୁଲ ଅତର ତିଆରି କରିବାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ଗଂଜାମ ଜିଲ୍ଲାର ଭାରତର ୯୦ ଶତକଡାରୁ ଅଧିକ କିଆ ଫୁଲ ଅତର ତିଆରି ହୋଇଥାଏ। ଭାଟିଗୁଡିକ ବନ୍ଦ ହେବା ଫଳରେ ବିଗତ ବର୍ଷରେ ବ୍ୟବସାୟୀମାନେ ଯେଉଁ ପରିମାଣରେ ଅର୍ଥ ଦେଇ କିଆ ଫୁଲ ଅତର କ୍ରୟ କରୁଥିଲେ, ତାହା ବର୍ତ୍ତମାନ ସଂପୁର୍ଣ୍ଣ ନିମ୍ନ ଆଡକୁ ଗତି କରୁଛି। ବିଗତ ୨୦୦୦ରୁ ୨୦୦୮ ମସିହାରେ କିଆ ଫୁଲ ପରଫ୍ୟୁମ କିଲୋ ପିଛା ୩ ଲକ୍ଷ ଥିବା ବେଳେ ଏହା ୨୦୦୮ ବର୍ଷରୁ ହ୍ରାସ ପାଇ ବର୍ତ୍ତମାନ ପ୍ରାୟ ୧ ଲକ୍ଷରେ ପହଞ୍ଚିଲାଣି। ଏହାର ମୁଖ୍ୟ କାରଣ ହେଉଛି ଯେବେଠାରୁ ସୁପ୍ରିମ୍ କୋର୍ଟ ଦ୍ୱାରା ଗୁଟଖା ଏବଂ ତମ୍ୱାଖୁ ଏବଂ ପାନମସଲା ତିଆରି କରିବା ଏବଂ ବିକ୍ରୟ କରିବାରେ ରୋକ୍ ଲାଗିଲାଣି ସେବେଠାରୁ କିଆ ଫୁଲ ସେଂଟ ଉତ୍ପାଦନରେ ପ୍ରାୟ ଶତକତା ୮୦ ଭାଗ କ୍ଷତି ହେଉଛି। ଏହି କ୍ଷତି ଫଳରେ ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ଚାଷୀ ନିଜ ପେଟ ପୋଷିବା କଷ୍ଟସାଧ୍ୟ ହୋଇପଡୁଛି।
ଜଣେ ଚାଷୀ ଗୋଟିଏ କିଆ ଫୁଲ ପିଛା ୬ରୁ ୭ ଟଙ୍କା ପାଇଥାଏ, ମାତ୍ର ଚାଷୀକୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ କିଆ ଫୁଲ ବିକ୍ରୟ କରିବାକୁ ପଡିଥାଏ। ଏହାକୁ ବ୍ୟବସାୟୀ ଭାଟି ମାଲିକକୁ ୮ ଟଙ୍କାରେ ବିକ୍ରୟ କରିଥାଏ। ବର୍ତ୍ତମାନ ବ୍ୟବସାୟୀ ଏହି କିଆ ଫୁଲରୁ କେବଳ ୨୦୦ ଭଲ କିଆ ଫୁଲ ବାଛି ନେଇ ଅନ୍ୟ ସବୁ ଫେରାଇ ଦେଉଛି। ଯାହାଫଳରେ ଚାଷୀକୁ କ୍ଷତି ସହିବାକୁ ପଡୁଛି। ଯଦି ଏହି କିଆ ଫୁଲ କାରଖାନାକୁ ସରକାର ନିଜ ଅଧୀନକୁ ନ ନେବେ ତେବେ ଗଂଜାମ ଜିଲ୍ଲାରେ କିଆ ଫୁଲ ଭାଟି ସବୁ ବନ୍ଦ ହେବା ନିଶ୍ଚିତ।
କିଆ ଫୁଲ ଅତର ଉତ୍ପାଦନ ପ୍ରଣାଳୀ
କିଆ ଫୁଲ ଗଂଜାମ ଜିଲ୍ଲାର ୪ ଗୋଟି ଉପକୂଳବର୍ତ୍ତୀ ଅଞ୍ଚଳରେ ଉତ୍ପାଦନ କରାଯାଏ। ସେଥିମଧ୍ୟରୁ ଛତ୍ରପୁର, ରଙ୍ଗେଇଲୁଣ୍ଡା, ଗଂଜାମ, ଚିକିଟି ଅନ୍ୟତମ। କିଆ ଫୁଲକୁ ଭାଟିରେ ବାଷ୍ପିକରଣ କରାଯାଇ ସେଥିରୁ କିଆ ଫୁଲ ଅତର ପ୍ରସ୍ତୁତ କରାଯାଏ। ଗଂଜାମ ଜିଲ୍ଲାରେ ୨୦୦ରୁ ଉର୍ଦ୍ଧ୍ୱ କିଆଫୁଲ ଭାଟି ଥିବା ବେଳେ ବର୍ଷ ତମାମ ସଂପୂର୍ଣ୍ଣ ପ୍ରଣାଳୀ ଜରିଆରେ ୩୦୦ କିଗ୍ରା କିଆ ଫୁଲରୁ ୩୦ ଲକ୍ଷ କେଜି ଭଲ ଅତର ପ୍ରସ୍ତୁତ କରାଯାଏ। ସେହି ଅତର ମଧ୍ୟରୁ ୩ରୁ ୫ ପ୍ରତିଶତ କିଆର ଏବଂ ଅନ୍ୟ ଚନ୍ଦନ କାଠରେ ବ୍ୟବହାର କରାଯାଏ।
ଏହାକୁ ତିନିଟି ପର୍ଯ୍ୟାୟରେ ଉତ୍ପାଦନ କରାଯାଏ। ପ୍ରଥମ ଅଗାରି ମାଧ୍ୟମରେ ୧୦ରୁ ୧୨ କିଲୋ ଆରୋମେଟିକ୍ ଜଳ, ଦ୍ୱିତୀୟ ପର୍ଯ୍ୟାୟରେ ପୋଚ ଏବଂ ତୃତୀୟରେ ନିମ୍ନମାନର ଅତର ବାହାରି ଥାଏ। ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବାହାରି ଥିବା ଜଳ, ପୋଚକୁ ଶୀତଳିକରଣ କରାଯାଇଥାଏ। ଏହି ଦୁଇ ପର୍ଯ୍ୟାୟ କ୍ରମେ ବାହାରି ଥିବା ଅତରକୁ ମିଠା, ସର୍ଫ ଏବଂ ସଫ୍ଟ ଡ଼୍ରିଙ୍କ୍ ଆଦିରେ ବ୍ୟାବହାର କରାଯାଏ। ଏହି ଅତରକୁ ଖୀର ଏବଂ ଚିନି ଦ୍ୱାରା ବ୍ୟବହାର କରାଯାଇ ରସଗୋଲା, ଗୁଲାବ୍ଜାମୁନ୍, ରସମଲେଇ ଏବଂ ଚାଉଳ ସହ ମିଶାଇ ବିରିଆନି ଆଦି ପ୍ରସ୍ତୁତ କରାଯାଇଥାଏ। ଛତ୍ରପୁର ଅଞ୍ଚଳର ଜଣେ ବ୍ୟକ୍ତି ଶ୍ରୀ ସୁଧିର କୁମାର ରେଡୀଙ୍କ କହିବା ଅନୁଯାୟୀ ଯଦି ଏହି କିଆ ଫୁଲଚାଷ ଏବଂ ଏହାର ଭାଟିକୁ ସଂପୂର୍ଣ୍ଣ ରୂପେ ସରକାରୀକରଣ କରା ନଯାଏ ତେବେ ଆଗାମୀ ଦିନରେ ଏହା ଲୋପ ପାଇବା ଏବଂ ଏହାର ଉତ୍ପାଦନ ବନ୍ଦ ହୋଇଯିବ।