ପୁଲିସ ଖୋଲିବ ସୋସିଆଲ ମିଡିଆ ଲାବ‌୍‍!

News Story - Posted on 2017-07-06

ଭଦ୍ରକ ଦଙ୍ଗା ଓ ରାଉରକେଲା ସାଂପ୍ରଦାୟିକ ହିଂସା ପରେ ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିବାକୁ ଚିନ୍ତା ଆରମ୍ଭ କରିଛି ଓଡ଼ିଶା ପୁଲିସ। ସୋସିଆଲ ମିଡିଆରେ ଦିଆଯାଇଥିବା କେତେକ ଟିପ୍ପଣୀ ଯୋଗୁଁ ହିଁ ଭଦ୍ରକରେ ଦଙ୍ଗା ଓ ରାଉରକେଲାରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ତେଣୁ ଏଭଳି ଘଟିବା ଆଗରୁ ସୋସିଆଲ ମିଡିଆରେ ସାମାଜିକ ଶାନ୍ତି ଓ ସଂହତି ନଷ୍ଟ କଲା ଭଳି କ’ଣ କ’ଣ ପୋଷ୍ଟିଂ ହେଉଛି ସେ ସଂପର୍କରେ ତଥ୍ୟ ଜାଣିବାକୁ ଓଡ଼ିଶା ପୁଲିସ ସୋସିଆଲ ମିଡିଆ ଲାବ‌୍‍ ନାମରେ ଏକ ପ୍ରକୋଷ୍ଠ ଖୋଲିବା ପ୍ରସ୍ତାବ ଉପରେ ବିଚାର ବିମର୍ଶ ଆରମ୍ଭ କରିଛି।

 

ଜନସାଧାରଣଙ୍କ ଭାବ ଓ ଆବେଗ ବିଷୟରେ ଜାଣିବା ସହିତ ତାହାକୁ ଅନୁଶୀଳନ କରି ଆଗକୁ କେଉଁଠି କ’ଣ ଘଟିବ ସେ ସଂପର୍କରେ ଆକଳନ କରିବା ନିମନ୍ତେ ସୋସିଆଲ ମିଡିଆ ଅନୁଧ୍ୟାନର ଉନ୍ନତ ଅନୁଧ୍ୟାନ ହେବା ଆବଶ୍ୟକ। ପୁଲିସ ଏହା ଜାଣିପାରିଲେ ଘଟଣାକୁ ରୋକିବା ବା ନିୟନ୍ତ୍ରଣ କରିବା ସହଜ ହେବ। ଏହି ମର୍ମରେ ପୁଲିସ ବିଭାଗରେ ଏକ ନୋଟ ଆକାରରେ ପ୍ରସ୍ତାବ ଦିଆଯାଇଛି। ମହାରାଷ୍ଟ୍ର ଓ ପଶ୍ଚିମ ବଙ୍ଗରେ ଏପରି ସୋସିଆଲ ମିଡିଆ ଲାବ‌୍‍ ଅଛି। ଓଡ଼ିଶାରେ ସେହି ଢାଞ୍ଚାରେ ଏକ ବ୍ୟବସ୍ଥା ଆରମ୍ଭ କରାଯିବା ଦରକାର ବୋଲି ମତ ପ୍ରକାଶ ପାଇଛି।

 

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ କେବି ସିଂହ ଏଭଳି ପ୍ରସ୍ତାବ ସଂପର୍କରେ ମତ ଦେବାକୁ ମନା କରିଦେଇଥିଲେ ବି ସୋସିଆଲ ମିଡିଆ େୱବସାଇଟରେ ସାଧାରଣ ଜନତାଙ୍କର ଆବେଗ, ଭାବପ୍ରବଣତା, ବିଭିନ୍ନ ସଂପ୍ରଦାୟ ଓ ଗୋଷ୍ଠୀର ମତାମତ ଓ କାର୍ଯ୍ୟକଳାପ ସଂପର୍କରେ ଗୁଇନ୍ଦା ରିପୋର୍ଟ ହାସଲ କରିବାକୁ ଏଭଳି ଏକ ଲାବ‌୍‍ର ଆବଶ୍ୟକତା ରହିଥିବା ପୁଲିସ ଅଧିକାରୀମାନେ ଅନୁଭବ କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଥିିବା ସୋସିଆଲ ମିଡିଆ ପୋଷ୍ଟିଂକୁ ଲାଲ ଚିହ୍ନିତ କରି ତାହାକୁ ଅନୁସରଣ ଓ ଅନୁଧ୍ୟାନ କରିବା ହେଉଛି ଏଭଳି ଏକ ଲାବ‌୍‍ ଗଠନର ପ୍ରମୁଖ ଉଦ୍ଦେଶ୍ୟ।

 

ପ୍ରସ୍ତାବ ଅନୁସାରେ ସୋସିଆଲ ମିଡିଆ ଲାବ‌୍‍ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟ କରିବ। ଏହାର ମୁଖ୍ୟ ହେବେ ଜଣେ ଡିଏସପି ପାହ୍ୟା ଅଫିସର। ତାଙ୍କ ଅଧୀନରେ ୬୦ ଜଣ ପୁଲିସ କର୍ମଚାରୀ ଓ ସଫ୍ଟେୱଆର ବିଶେଷଜ୍ଞ କାର୍ଯ୍ୟ କରିବେ। ଏହି ଲାବ‌୍‍ ଦିନକ ୨୪ ଘଣ୍ଟା ସୋସିଆଲ ମିଡିଆ ଉପରେ ନଜର ରଖିବ।

 

ସଂପ୍ରତି ସମଗ୍ର ଦେଶରେ ସୋସିଆଲ ମିଡିଆର ସଂପ୍ରସାରଣ ଘଟିଚାଲିଛି। ଏବେ ସୁଦ୍ଧା ଦେଶର ୨୫ କୋଟି ଇଣ୍ଟର୍ନେଟ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୧୨ କୋଟି ଫେସ‌୍‍ବୁକ‌୍‍, ଟୁଇଟର, ହ୍ୱାଟ୍ସଆପ‌୍‍, ଇନଷ୍ଟାଗ୍ରାମ, ଟମ୍ୱଲର, ଲିଙ୍କଡଇନ‌୍‍ ଭଳି ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ସେମାନଙ୍କ ଭିତରେ ଥିବା କେତେକ ଖଳ ପ୍ରକୃତିର ଲୋକ ସମାଜରେ ଅସ୍ଥିରତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆକୁ ବ୍ୟବହାର କରୁଛନ୍ତି। ଅନ୍ୟ କିଛି ଗୋଷ୍ଠୀ ଲୋକମାନଙ୍କୁ ବିଭ୍ରାନ୍ତ କରି ରାଜନୀତିକ ଫାଇଦା ଉଠାଇବାକୁ ମଧ୍ୟ ତପିର ଅଛନ୍ତି।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲ ମାସରେ ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଜଣେ ଯୁବକ ଅନ୍ୟ ଏକ ସଂପ୍ରଦାୟର ଉପାସ୍ୟ ଦେବତାଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେବାରୁ ଭଦ୍ରକରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷର ଉତ୍ତ୍ୟକ୍ତ ଲୋକମାନେ ୪୦୦ ଉପରେ ଦୋକାନ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ପୋଡ଼ିବା ସହିତ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ନିମନ୍ତେ ଭଦ୍ରକ ସହରରେ ମାସାଧିକ କାଳ କର୍ଫ୍ୟୁ ଜାରି କରାଯାଇଥିଲା।

 

ସେହି ଏପ୍ରିଲରେ ସୋସିଆଲ ମିଡିଆ ପୋଷ୍ଟିଂକୁ ନେଇ କେନ୍ଦ୍ରାପଡ଼ାରେ ମଧ୍ୟ ସାଂପ୍ରଦାୟିକ ଉେତ୍ତଜନା ପ୍ରକାଶ ପାଇଥିଲା। ତେବେ ତାହା ନିଆଁ ଜାଳିବା ପୂର୍ବରୁ ପୁଲିସ ଉେତ୍ତଜନା ପ୍ରଶମିତ କରିବାରେ ସଫଳ ହୋଇଥିଲା। ଗତ ବର୍ଷ ରାଉରକେଲାରେ ବି ଏହି ଭଳି ଏକ କାରଣ ପାଇଁ ସାଂପ୍ରଦାୟିକ ଉେତ୍ତଜନା ସୃଷ୍ଟି ହୋଇଥିଲା।

 

ଏଭଳି ସାମାଜିକ ଦଙ୍ଗା ଓ ହିଂସା ବ୍ୟତିତ ଅନେକ ଅପରାଧ ପ୍ରବଣ ବ୍ୟକ୍ତି ସୋସିଆଲ ମିଡିଆ ବ୍ୟବହାର କରି ଅନ୍ୟ ଅନେକଙ୍କୁ ସାମାଜିକ ସ୍ତରରେ ବଦନାମ, ଶାରୀରିକ ଓ ଆଥିର୍କ ଶୋଷଣ କରିବାକୁ ମଧ୍ୟ ଜାଲ ବିଛାଇଥାନ୍ତି। ସେଭଳି ଠକେଇ ହୋଇଥିବା ଅନେକ ପୁରୁଷ ଓ ମହିଳା ନ୍ୟାୟ ପାଇଁ ପରେ ପୁଲିସର ଦ୍ୱାରସ୍ଥା ହୋଇଥାନ୍ତି। ପୁଲିସ ସୋସିଆଲ ମିଡିଆ ଲାବ‌୍‍ ଖୋଲିଲେ ଏଭଳି କେତେକ ଅପରାଧ ସଂପର୍କରେ ମଧ୍ୟ ଆଗୁଆ ସୂଚନା ପାଇପାରିବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top