ଯୋଗ ଦ୍ବାରା ଅବସାଦର ଅବସାନ

News Story - Posted on 2017-07-06

ରାଜୀବ ଏଚ‌୍‍. ମେହେଟ୍ଟା

 

୨୦୧୧ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂପର୍କରେ ଏକ ସର୍ଭେ କରାଯାଇଥିଲା। ଏଥିରୁ ଜଣାଯାଇଛି ଯେ, ସମଗ୍ର ବିଶ୍ୱରେ ଥିବା ମାନସିକ ଅବସାଦଗ୍ରସ୍ତ ଲୋକଙ୍କ ମଧ୍ୟରେ ଭାରତରେ ଏହାର ସଂଖ୍ୟା ଅଧିକ। ସବୁଠୁ ଚିନ୍ତାଜନକ ବିଷୟ ହେଲା କିଶୋରରୁ ଆରମ୍ଭ କରି ପ୍ରୌଢ ପର୍ଯ୍ୟନ୍ତ ସବୁ ବୟସର ଲୋକ ମାନସିକ ଅବସାଦର  ଶିକାର। ଅଭାବଗ୍ରସ୍ତ ଲୋକଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିବା ସବୁ ଆର୍ଥିକ ପୃଷ୍ଠଭୂମିର ଲୋକଙ୍କୁ ଏହା ପ୍ରଭାବିତ କରିଛି। ସବୁଠୁ ଉଦ‌୍‍ବେଗର ବିଷୟ  ଏହା ଯେ, ଅବସାଦଗ୍ରସ୍ତ ଲୋକଟି ଅନେକ ସମୟରେ ଭାବନାତ୍ମକ ରୂପେ ଦୁର୍ବଳ ମାନସିକ ଅବସ୍ଥା ଯୋଗୁଁ ଜୀବନକୁ ଶେଷ କରି ଦେବା ପାଇଁ ନିଷ୍ପତି ନେଇଥାଏ। ଭାରତରେ କିଶୋର ଏବଂ ଯୁବ ବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା କରିବାର ପ୍ରବୃତ୍ତି ଅଧିକ। ତେଣୁ ଏହି ରୋଗ ସଂପର୍କରେ ଗୁରୁତ୍ୱର ସହ ଚିନ୍ତା କରାଯିବା ଉଚିତ‌୍‍।

 

ଯେକୌଣସି ବ୍ୟକ୍ତିଠାରେ ଅବସାଦର ଆରମ୍ଭ ଅତ୍ୟନ୍ତ ଛୋଟ ଘଟଣା ନଗଣ୍ୟ କାରଣରୁ ହୋଇଥାଏ। ଯେପରିକି ଶ୍ରେଣୀରେ ପ୍ରଥମ ନ ହେବା କିମ୍ୱା ପରୀକ୍ଷାରେ ଆଶାନୁରୂପ ନମ୍ୱର ହାସଲ କରିନ ପାରିବା ଆଦି ଘଟଣା କେବଳ ଏତିକି ନୁହେଁ,  ଅବସାଦର କିଛି ଗୁରୁତ୍ୱପୂର୍ଣ୍ଣ କାରଣ ମଧ୍ୟ ରହିଛି। ଯେମିତିକି ଜଣେ ବ୍ୟକ୍ତିର ଅଂଗ ପକ୍ଷାଘାତ ହେବା କିମ୍ୱା କ୍ୟାନସର ଏବଂ ମାନସିକ ସନ୍ତୁଳନ ହରାଇବା ଆଦି ଘଟଣା ମଧ୍ୟ ଲୋକଙ୍କୁ ଅବସାଦ ଗ୍ରସ୍ତ କରାଇଥାଏ। ଏହାକୁ ସେକେଣ୍ଡାରୀ ଅବସାଦ କୁହାଯାଇଥାଏ। ଏହି ଘଟଣାରେ ଅବସାଦ ଧୀରେ ଧୀରେ ଦୁର୍ବଳ ହୋଇଯାଏ ଏବଂ ଲୋକଙ୍କ ବଡ ଧରଣର ରୋଗ ସହ ଲଢିବା ଶିଖିଯାଏ କିମ୍ୱା ଏହାର ସଫଳ ଚିକିତ୍ସା ମଧ୍ୟ ସମ୍ଭବ ହୋଇଥାଏ। ଅବସାଦଗ୍ରସ୍ତ ଘଟଣା ଓ କାରଣକୁ ବାଦ ଦେଲେ, ଏହାର ମୌଳିକ  ଲକ୍ଷଣ ପ୍ରାୟତଃ ଏକ ପ୍ରକାର। ସାଧାରଣତଃ ଅବସାଦଗ୍ରସ୍ତ ବ୍ୟକ୍ତିର କାନ୍ଧ ନଇଁ ଆସିବା ସହ ଛାତି ଭିତରେ ପଶିଯାଇ ଥାଏ। ଏହି ଧରଣର ବ୍ୟକ୍ତି ଭାବନାତ୍ମକ ରୂପେ ଦୁର୍ବଳ ଜଣାପଡନ୍ତି। ଜୀବନ ପ୍ରତି ଏମାନଙ୍କ ନିକଟରେ ଭିନ୍ନ ମନୋଭାବ ଥାଏ ଏବଂ ଉତ୍ତରଦାୟିତ୍ୱ ନ ଥାଏ। ବେଳେ ବେଳେ ଏହି  ଅବସାଦ ଧୀରେ ଧୀରେ ହ୍ରାସ ପାଇଥାଏ। ଏବଂ  ଅନେକ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ଆଚ୍ଛାଦିତ କରି ରଖିଥାଏ।

 

ବିଭିନ୍ନ ଧରଣର ଅବସାଦ ରହିଛି। ଏହାକୁ ରୋଗଗତ କିମ୍ୱା ଶରୀରଗତ  ଅବସାଦ କୁହାଯାଏ। କିଛି ଓୗଷଧ ଓ ଚିକିତ୍ସାର ପ୍ରଭାବରେ ଏହା ସୃଷ୍ଟି ହୋଇଥାଏ।

 

ଆଶା ଓ ବିଫଳତା ଆଧାରିତ ଅବସାଦ

 

ଆଶାନୁରୂପ ସଫଳତା ପାଉନଥିବା ବ୍ୟକ୍ତି ନିକଟରେ ଏ ପ୍ରକାର ଅବସାଦ ଦେଖଦେଇ ଥାଏ। ଉଦାହରଣ ସ୍ୱରୂପ ଜଣେ ବିଦ୍ୟାର୍ଥୀ କିମ୍ୱା କ୍ରୀଡାବିତ‌୍‍  ନିଜ ପରୀକ୍ଷାରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରିଲେ ଏ ପ୍ରକାର ଅବସାଦ ଘାରିଥାଏ। ତେବେ ଏହା କ୍ଷଣସ୍ଥାୟୀ। ଏଥିରୁ ମୁକ୍ତି ପାଇବା ପାଇଁ ଦୃଢ ମନୋବଳର ଆବଶ୍ୟକତା ରହିଛି। ଯଦ୍ୱାରା ପରବର୍ତ୍ତୀ ପ୍ରଦର୍ଶନ ଯେପରି ପ୍ରଭାବିତ ନ ହୁଏ।

 

ଭାବନାତ୍ମକ ଅବସାଦ

 

ଭାବନାତ୍ମକ ସଂପର୍କ ବାଧା ପ୍ରାପ୍ତ ହେଲେ ଏହା ସୃଷ୍ଟି ହୋଇଥାଏ। ଉଦାହରଣ ସ୍ୱରୂପ ଦୁଇଜଣ ବ୍ୟକ୍ତି ପରିସ୍ପରିର ଖୁବ‌୍‍ ଘନିଷ୍ଠ। ଏପରିସ୍ଥଳେ ଜଣଙ୍କର ଅଚାନକ ମୃତ୍ୟୁ ହୋଇଗଲେ, ଅନ୍ୟ ବ୍ୟକ୍ତି ଜଣକ ଅବସାଦର ଶିକାର ହୋଇଥାଏ।

 

ଅହଂ କେନ୍ଦ୍ରୀତ ଅବସାଦ

 

ସାଧାରଣ ଉଚ୍ଚ ପଦପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କ ନିକଟରେ ଏହି ଧରଣର ଅବସାଦ ଦେଖା ଦେଇଥାଏ। ମାତ୍ର  ହଠାତ‌୍‍ ପଦମର୍ଯ୍ୟାଦା କିମ୍ୱା ଅଧିକାର ଚାଲିଗଲେ ଏ ପ୍ରକାର ଅବସାଦ ସୃଷ୍ଟି ହୁଏ। ବିଶେଷ କରି ଅବସର ଗ୍ରହଣର ଅବ୍ୟବହିତ ପୂର୍ବରୁ କିମ୍ୱା ପରେ ଏହା ଦେଖା ଦେଇଥାଏ।

 

ଅବସାଦର ମୁକାବିଲା ନିମନ୍ତେ ଯୋଗ

 

ଯୋଗ ହେଉଛି ମାନସିକ ତଥା ଭାବନାର ବିଜ୍ଞାନ। ତେଣୁ  ଅବସାଦ ଲକ୍ଷଣଠାରୁ ଦୂରେଇ ରହିବା କ୍ଷେତ୍ରରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବ୍ୟକ୍ତି ନିକଟରେ ପ୍ରକାଶ ପାଉଥିବା ଲକ୍ଷଣ ଅନୁରୂପ ଚିକିତ୍ସା ଯୋଗାଇ ଦେବା ହେଉଛି ଅବସାର ଗ୍ରସ୍ତ ଲୋକ ନିମନ୍ତେ ତୁରନ୍ତ  ଆବଶ୍ୟକତା।

 

କୌଣସି ବ୍ୟକ୍ତିର ମାନସିକ ସ୍ଥିତି ଏବଂ ଭାବନା ତାହାର ଶାରୀରିକ ଭାବଭଙ୍ଗୀରେ ପ୍ରତିବିମ୍ୱିତ ହୋଇଥାଏ। ଶାରୀରିକ ଭାବ ଭଂଗୀରେ ସଂଶୋଧନ ଅଣାଯାଇ ପାରିଲେ ଏହା ବ୍ୟକ୍ତିର ଭାବନାତ୍ମକ ସ୍ଥିତିରେ ପରିବର୍ତ୍ତନ ଆଣି ପାରିଥାଏ। ଏପରି ସ୍ଥଳେ ଯୋଗର ବିଭିନ୍ନ ମୁଦ୍ରା ବା ଆସନ ଅବସାଦଗ୍ରସ୍ତ ବ୍ୟକ୍ତି ନିମନ୍ତେ ସହାୟକ ହୋଇଥାଏ। ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଏହାର ନିରନ୍ତର ଅଭ୍ୟାସ କରାଯାଇ ପାରିଲେ ଏହା ମଣିଷର ଭାବନାରେ ପରିବର୍ତ୍ତନ ଆଣିଥାଏ ଏବଂ ଅବସାଦରୁ ମୁକ୍ତି ଦେଇଥାଏ।

 

ବିଭିନ୍ନ ଆସନ ମଧ୍ୟରେ ସବୁଠାରୁ ଫଳପ୍ରଦ ଓ ପ୍ରଭାବଶାଳୀ ଆସନ ହେଉଛି ଉର୍ଦ୍ଧ୍ୱ ଧନୁରାସନ ଓ ବିପରୀତ ଦଣ୍ଡାସନ। ଏଥିରେ କାନ୍ଧକୁ ପଛକୁ ନିଆଯାଇଥାଏ। ଫଳରେ ଛାତି ପ୍ରଶସ୍ତ ହୋଇଥାଏ। ଏହା ଅବସାଦ ଦୂର ପାଇଁ ସହାୟକ ହୋଇଥାଏ। ତେବେ ଏହି ଆସନକୁ କିଛି ବ୍ୟକ୍ତି ତୁରନ୍ତ କରିପାରନ୍ତି ନାହିଁ। କାରଣ ଏଥିପାଇଁ ହାଡ ମେରୁଦଣ୍ଡକୁ ବଙ୍କା କରିବାକୁ ପଡିଥାଏ।

 

ଏହି କାରଣରୁ ଦଣ୍ଡାୟମାନ ହୋଇ କରାଯାଇପାରୁଥିବା ତ୍ରିକୋଣାସନ, ପାର୍ଶ୍ୱ କୋଣାସନ ଏବଂ  ଅର୍ଦ୍ଧଚନ୍ଦ୍ରାସାନ ଆଦି ଆସନ ସହାୟକ ହୋଇଥାଏ। ଏହା ମେରୁଦଣ୍ଡକୁ ମଜବୁତ କରି ବ୍ୟକ୍ତିକୁ ପଛ ପାର୍ଶ୍ୱକୁ ବୁଲିବାରେ ସାାହାଯ୍ୟ କରିଥାଏ। ପୂର୍ବରୁ କୁହାଯାଇଛି ଯେ, ଆସନ ଫଳପ୍ରଦ ହୋଇଥାଏ। ତେବେ ଏଥିପାଇଁ ଜଣେ ଅବସାଦଗ୍ରସ୍ତ ବ୍ୟକ୍ତିର ଇଚ୍ଛା ଶକ୍ତି ଓ ସଂକଳ୍ପର  ଆବଶ୍ୟକତା ରହିଛି। କିଛି କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଇଚ୍ଛାଶକ୍ତିର ଥିବା ଜରୁରୀ। ଏପରି ପରିସ୍ଥିତିରେ ବିଶିଷ୍ଟ ଯୋଗାଚାର୍ଯ୍ୟ ବି.କେ.ଏସ‌୍‍ ଅୟଙ୍କର ବ୍ୟାବହାରିକ ଦୃଷ୍ଟିକୋଣ ଆପଣେଇବା ପାଇଁ ପରାମର୍ଶ ଦେଇଛନ୍ତି ସେ ଘରେ ବ୍ୟବହୃତ ହେଉଥିବା ଫୋଲ୍ଡିଂ ଚେୟାରର ଉପଯୋଗ ପାଇଁ ପରାମର୍ଶ ଦେଇଛନ୍ତି। ଯଦ୍ୱାରା ଜଣେ ବ୍ୟକ୍ତି ଖୁବ‌୍‍ ସହଜରେ ବିପରୀତ ଦଣ୍ଡାସନ କରି ପାରିବ। ଏହା ଦ୍ୱାରା ମନ ଓ ମସ୍ତିସ୍କରେ ପରିବର୍ତ୍ତନ ସମ୍ଭବ ହେବ।

 

ଓଲଟା ଆସନ ଦ୍ୱାରା ଅବସାଦର ଲକ୍ଷଣ ଦୂର ହୋଇ ଥାଏ। ଏହି ଓଲଟା ଆସନ ମଧ୍ୟରେ ଅଧମୁଖ ବୃକ୍ଷାସନ, ପିଂଚମୟୁରାସନ, ଶୀର୍ଷାସନ ଏବଂ ସେତୁ ବନ୍ଧ ସର୍ବଶାସନ ଇତ୍ୟାଦି। ଏହି ସବୁ ଆସନରେ ଆମର ମସ୍ତିଷ୍କ ହୃଦୟଠାରୁ ନିମ୍ନକୁ ଆସିଥାଏ। ଜଣେ ଅବସାଦଗ୍ରସ୍ତ ବ୍ୟକ୍ତି ଭୟ ଦ୍ୱାରା ପୀଡିତ ହୋଇଥାଏ। ଏହି ସବୁ ଆସନ ଦ୍ୱାରା ଡର ବା ଭୟ, ବିଫଳତାର ଭୟ ଏବଂ ଶକ୍ତିହୀନତା ଆଦି ଦୂର ହୋଇଥାଏ।

 

ବୋଷ୍ଟନ ବିଶ୍ୱ ବିଦ୍ୟାଳୟ ମେଡିକାଲ ସେଂଟର ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ, ଯେଉଁ ବ୍ୟକ୍ତି ସପ୍ତାହରେ ଦୁଇଥର ଉପଯୁକ୍ତ ଉପକରଣ ଦ୍ୱାରା ଯୋଗାଭ୍ୟାସ କରେ, ସେ ଅବସାଦର ଲକ୍ଷଣଠାରୁ ଦୂରରେ ରୁହେ।

 

ପ୍ରତ୍ୟେକ ଆସନରେ ଶ୍ୱାସ ନେବାର ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି। ଜଣେ ବ୍ୟକ୍ତି ଏହାକୁ ଗରୁତ୍ୱର ସହ ନିରୀକ୍ଷଣ କରିବା ଆବଶ୍ୟକ ଏବଂ ଶ୍ୱାସକ୍ରିୟା ପ୍ରତି ନିଜ ମନରେ ସଚେତନତାର ବିକାଶ କରିବା  ଆବଶ୍ୟକ। ଶ୍ୱାସ କ୍ରିୟା ସଚେତନତା ଜନିତ ଆସନ କରାଗଲେ ଏହା ମଣିଷକୁ ଆସନ ସହ ଏକୀକୃତ କରିଥାଏ। ଏହା ଦ୍ୱାରା ଶ୍ୱାସ ଛାଡିବା ପ୍ରକ୍ରିୟା ଲମ୍ୱା ହୁଏ ଏବଂ ଏହା ଉତ୍ତେଜନାରୁ ମୁକ୍ତି ଦେଇଥାଏ। ଏ ପ୍ରକାର ଯଦି ଆମେ ଦୀର୍ଘ ଶ୍ୱାସ ନେଇଥାଉ ତେବେ ଆମ ମଧ୍ୟରେ ସାହସ ଭାବନା ଦୃୃଢ ହୋଇଥାଏ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top