ମଥୁରା : ୨୨/୦୬

News Story - Posted on 2017-07-02

ଗିରିଜାକୁମାର ବଳୀୟାରସିଂହ

୨୨ ଜୁନ‌୍‍ ୨୦୧୭ ଗୁରୁବାର ସଂଧ୍ୟା। ୧୫ ବର୍ଷ ବୟସ୍କ ଜଣେ ଭାରତୀୟ କିଶୋର ଜୁନୈଦ‌୍‍ର ସେ ସଂଧ୍ୟା ଥିଲା ଶେଷସଂଧ୍ୟା। ସେଦିନ ନିଜ ହରିୟାଣୀ ଗାଁ ବଲ୍ଲଭଗଡ଼ରେ ଇଦ‌୍‍ ପାଳିବାକୁ ସେ ଫେରୁଥାଏ ଦିଲ୍ଲୀରୁ ମଥୁରାଗାମୀ ଟ୍ରେନ‌୍‍ରେ। ସାଂଗରେ ୧୯ ବର୍ଷର ଭାଇ ସାହିବ‌୍‍ ଆଉ ସଂଗୀ ମୋୟିନ‌୍‍। ବାଟମଝିରେ ଓଖ‌୍‍ଲା ଷ୍ଟେସନ‌୍‍ରୁ ଟ୍ରେନ‌୍‍ ଚଢ଼ିଲେ ଦଳେ ଉତ୍‌ଶୃଙ୍ଖଳ ଯାତ୍ରୀ । ଆଗରୁ ନିଜ ନିଜ ସିଟ‌୍‍ରେ ବସି ରୁଟିମାଂସ ଖାଉଥିବା ଅବସ୍ଥାରେ ଜୁନୈଦ‌୍‍, ସାହିବ‌୍‍ ଓ ମୋୟିନ‌୍‍ଂକୁ ଜାଗା ଛାଡ଼ିଦେଇ ତୁରଂତ ଉଠିଯିବାକୁ ହୁକୁମ‌୍‍ ଦେଲେ ସେ ଦଳକ। ପ୍ରଥମେ ଜୁନୈଦ‌୍‍ର ମୁଂଡରୁ ଟୋପିଟାକୁ କାଢ଼ିନେଇ ଫୋପାଡ଼ିଦିଆଗଲା ଦୂରକୁ। ତାପରେ ବିଜାତୀୟ ଓ ଗୋମାଂସଭକ୍ଷକ ବୋଲି ଭର୍ତ୍ସନା କରି ମାର‌୍‍ଧର ସୁରୁ କରିଦେଲେ ସେମାନେ। ନିଜ ସଂପର୍କୀୟମାନଂକ ନିକଟରୁ ବିକଳରେ ସହାୟତା ଲୋଡୁଥିବାବେଳେ ଫରିଦାବାଦ‌୍‍ ପାଖ ଅଶୌତି ରେଲ‌୍‍େୱ ଷ୍ଟେସନ‌୍‍ରୁ ଟ୍ରେନ‌୍‍କୁ ଉଠି ସେ ବଗିରେ ପହଂଚିଥିଲେ ଜୁନୈଦ‌୍‍ର ଆଉଜଣେ ଭାଇ ଶାକିର‌୍‍। ମାତ୍ର ସେ ସମସ୍ତେ ସେତେବେଳେ ଏକାବେଳକେ ହୋଇପଡ଼ିଲେ ଉନ୍ମତ୍ତ ଆକ୍ରମଣକାରୀ ଦଳର ସମ୍ମିଳିତ ଶିକାର। ସେମାନଂକୁ ଅତି ନୃଶଂସଭାବରେ ବାରଂବାର ଛୁରା ଭୁସାଯାଇ ଟ୍ରେନ‌୍‍ରୁ ଫିଂଗିଦିଆଗଲା ପଦାକୁ।

 

୨୦୦ ଦେଖଣାହାରିଂକ ଜମିଯାଇଥିବା ଭିଡ଼ ଭିତରେ ଅଶୌତି ଷ୍ଟେସନ‌୍‍ର ୪ନଂ. ପ୍ଲାଟ‌୍‍ଫର୍ମ‌୍‍ରେ କିଛି ସମୟ ଧରି ପଡ଼ିରହିଥିଲା ରକ୍ତ-ଜୁଡ଼ୁବୁଡ଼ୁ ଜୁନୈଦ‌୍‍ର ଶବ - ସଂଧ୍ୟା ପ୍ରାୟ ୭.୨୧ ଯାଏଁ। ଦେଖି ମଧ୍ୟ ନ ଦେଖିବା ପରି ରହିଯାଇଥିଲେ ସମସ୍ତେ - ଜଣେ ବି କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ମିଳି ପାରି ନଥିଲେ ପୁଲିସ‌୍‍କୁ। ଏପରିକି ପ୍ଲାଟ‌୍‍ଫର୍ମରେ ଲାଗିଥିବା ସିସିଟିଭି କାମେରାର ତାରଗୁଡ଼ାକୁ ମଧ୍ୟ ନଷ୍ଟ କରିଦିଆଯାଇଥିଲା ପୂରାପୂରି।

 

ଏ ବର୍ଷର ପବିତ୍ର ଇଦ‌୍‍ମୁଖର ଜହ୍ନରାତିର ଅବ୍ୟବହିତ ପୂର୍ବରୁ, ୨୨ଜୁନ‌୍‍ ୨୦୧୭ରେ, ସେଇ ବର୍ବର ଧର୍ମାଂଧମାନଂକ ଛୁରିକାଘାତରେ ଅକାଳ ମୃତ୍ୟୁ ବରଣ କରିଥିବା ଜୁନୈଦ‌୍‍ର ଶୋଣିତାକ୍ତ ସ୍ମୃତି ଉଦ୍ଦେଶ୍ୟରେ ଏ କବିତା ସମର୍ପିତ।

 

(୧)

ଏଥର ଇଦ‌୍‍ର ଜହ୍ନ ଉଇଁବାର ଇଚ୍ଛାପତ୍ର ନୁହେଁ,

ଏ ଓଳାର ଓକାଳରେ ଓଘାଳୁଛି ଓଖ‌୍‍ଲାତ‌୍‍ନାମା

ମୁଁ ଶୁଣୁଛି। ଶୁଣ ତମେ। ଦେଖି ଯେଣୁ ଦେଖୁନାହୁଁ ଦୁହେଁ

ତରାର ତମାଦି ତୁଲେ ତ୍ରିରଂଗାର ତ୍ରିପଂଡ ତ୍ରିଯାମା।

 

ଦିଲ୍ଲୀରୁ ମଥୁରାଗାମୀ ଟ୍ରେନ‌୍‍ ମାପେ ଦୀର୍ଘ ରେଳପଥ

ହରିୟାଲୀ ହରିୟାଣୀ ହତା ଏଠୁ ଅଧୁରା ଅଧୁରା

ବଲ୍ଲଭଗଡ଼ରେ ଗାଁ। ଆମ୍ମାଜାନ‌୍‍ ଥିବ ଅସ୍ତବ୍ୟସ୍ତ

ମାତ୍ସରିକ ମାନଚିତ୍ର ମାତ୍ରକ ଏ ମାୟାଭ ମଥୁରା।

 

ଓଖ‌୍‍ଲା ଷ୍ଟେସନ‌୍‍ ଏବଂ ଏଇଠାରୁ ଓଲଟପାଲଟ

କିଏ ସେଠୁ ପାସେଂଜର‌୍‍ ପଂଦର ନା କୋଡ଼ିଏସରିକି?

ଜାଗା ପାଇଁ ଜାଂତବ କି ପାଟିତୁଂଡ ଦାଂତର ଦାପଟ

ଟୋପିଟାକୁ ଥୋପି ମାରି ଝିଂକାହୁଏ ଦିହାତ ଧରିକି।

 

ତୋବା ତୋବା ବୋବା ବୋଲେ : ଅନା ଆରେ ଆଖିଥିବା ଅଂଧ,

ଏ ଗେରୁଆ ଗୁରୁବାର ଗହଳିରେ ଗୋମାଂସର ଗଂଧ !

 

(୨)

ଏଥର ଇଦ‌୍‍ର ଜହ୍ନ ଅନେକଟା ଅବାକ‌୍‍ ଏଇଠି

ସେ ଟ୍ରେନ‌୍‍ଟା ଚେନ‌୍‍ ଟାଣେ ଅଶୌତିର ଷ୍ଟେସନ‌୍‍ରେ ମସ୍ତ‌୍‍

୩ ନଂ. ବଗି ଅଛି - କାହାଂତି ସେ ବାଳୁତକେଇଟି

ଯାହାଂକୁ ପଦାକୁ ଫିଂଗି ଫୁଃ’ କଲୁ ଜୋର‌୍‍ଜବର୍ଦସ୍ତ‌୍‍?

 

ବେଦଖଲ‌୍‍ କରୁ କିଆଁ ଏମାନଂକୁ ବଖରାରୁ ଆମେ?

ଏମାନେ କି ଆମ ଏଇ ଘଷାମଜା ଘରର ଅଳିଆ?

ଆଜି ତାଂକୁ ଡକା ହେବ କେଉଁ ମୁଖେ, କେଉଁ ଶୁଭନାମେ

ଜୁନୈଦ‌୍‍ ନା ହାସିବ‌୍‍ ନା ଶାକିର‌୍‍ ନା ମୈନୁଦୀନ‌୍‍ ମିଆଁ?

 

ସେ ରେଳଧାରଣାବତ‌୍‍ ଧାତବ ଏ ରକ୍ତମୁଖା ମନ

ଭୁଜାଲିର ଭୁସା ଭୋଗେ ଭଂଗାରୁଜା ଭୟାର୍ତ୍ତ ଭାରତ

କି ମିଥ୍ୟା ମଥୁରାମାର୍ଗ! ବ୍ରଜଭାଷୀ ବୃଥାବୃଂଦାବନ

ହେ ଅସ୍ତ୍ରର ଅଂଶୀଦାର‌୍‍, ବଂଶୀ ବେଶ‌୍‍ ବଜାଇପାର ତ!

 

୪ ନଂ. ପ୍ଲାଟ‌୍‍ଫର୍ମ‌୍‍। ରକ୍ତଚିହ୍ନ ଚଟାଣଟାସାରା

ସେ ରକ୍ତ କାହାର ରକ୍ତ? ଥିଲା କେଉଁ ଧମନୀର ଧାରା??

 

(୩)

ଏଥର ଇଦ‌୍‍ର ଜହ୍ନ ଓହ୍ଲାଇବ ଓକ‌୍‍ଗଛ ଶିଖେ

ଆକ୍ତାମାକ୍ତା ଆକାଶରେ ଆଉଟିବ ଅଂଧାର ଅରାଏ...

ତମେସବୁ ତୁନିହୋଇ ଟିମ‌୍‍ଟିମ‌୍‍ ଆଲୁଅରେ ଟିକେ

ମସ‌୍‍ଜିଦ‌୍‍ ମିନାର‌୍‍କୁ ମାଜୁଥାଅ, ମଉଳାତରା ହେ !

 

ଯମୁନାର ପୋଲତଳୁ ୨୨ର ଜୁଳୁଜୁଳୁ ଜୁନ‌୍‍

ଛାଣିନିଏ ଛାଇରୁ ହିଁ ଛୁରାହତ ସଂଜର ଚେହେରା

ଚଳଂତାଟ୍ରେନ‌୍‍ରେ ଚଢ଼ି କୈଶୋରକୁ କିଏ କରେ ଖୁନ‌୍‍?

ଏ ଜବାବ‌୍‍ ଜଣା ନାହିଁ - ହେ ଜନାବ‌୍‍, ଜାରି ଅଛି ଜେରା।

 

ଦ୍ରୁତତର ଦୃଶ୍ୟ ଦେଖେ ଦଳବଦ୍ଧ ଦର୍ଶକର ଦେଶ

ସ୍ୱଦେଶୀ ଶାସନମତେ ହାତ କାଳେ ବିଦେଶୀବିଦେଶୀ

ଯେଉଁ ହାତ ହତ୍ୟା କରେ, କେଉଁଠି ତା ହସ ହୁଏ ଶେଷ?

କାମେରାର କାଚ ଆଗେ କାତିଲ‌୍‍ ବି କାଂଦିପାରେ ବେଶି !

 

କିଏ ମୋ କୋହକୁ କିଂତୁ କଫିନ‌୍‍ରେ କରିପାରେ କୈଦ‌୍‍?

ସେ ଖୁନ‌୍‍କୁ ଖର୍ବ କରେ - ଏ ଜୁନ‌୍‍ରେ ଜୁନୈଦ‌୍‍, ଜୁନୈଦ‌୍‍!

 

(୪)

ଏଥର ଇଦ‌୍‍ର ଜହ୍ନ ଜଖମ‌୍‍ ଏ ଜଂକ‌୍‍ସନ‌୍‍କଡେ଼

ଆଂବୁଲାନ‌୍‍ସ‌୍‍ ଆସିଥିଲା ଏଇମାତ୍ର ଅଳ୍ପକ୍ଷଣ ଆଗୁ

ରକ୍ତପୋଛା ପାପୁଲିରୁ ରୁମାଲ‌୍‍ଟା ପତାକୁ ରଗଡେ଼

ସେ ପତାର ପାତାଳରେ ପାଣି ଜମେ କେଉଁ ଜଳଭାଗୁ?

 

ଅର୍ଧଚଂଦ୍ରାକାର ଏଠି ଯମୁନାର ଜଳଛବି ଚିରି

କଚ୍ଛପୀୟ କ୍ଳାଂତି କ୍ରମେ କୂଳ ଛାଡେ଼ କାଳଚକ୍ର ଚୁମି

ଗୁଣିହୁଏ ଗଂଗାଚିଲ ଗୋଧୂଳିର ଗୋବର୍ଧନଗିରି

କୃପାରେ କୃତାର୍ଥ କରେ କାହାକୁ ବା କୃଷ୍ଣଜନ୍ମଭୂମି?

 

କେ ମତାଅ କାମକ୍ରୋଧଲୋଭମୋହମଦରୁ ମାତ୍ସର୍ଯ୍ୟ

ମଥୁରାମଂଗଳ ନାମେ ମତ୍ସ୍ୟହ୍ରଦେ ମଂଗ ମଧ୍ୟ ଧର

ଭାଂଗିଦିଅ ଭାଷାତୀତ ଭାରତୀୟ ଭାବର ଭାସ୍କର୍ଯ୍ୟ

ଯମୁନାରେ ପାପ କଲେ ଗଂଗା ଯାଇ ପ୍ରାୟଶ୍ଚିତ୍ତ କର?

 

ଦୁଇଶ ଦେଖଣାହାରି। ଚାରିପଟେ ଚାରିଶହ ଆକ୍ଷି

ଆକ୍ଷି ଯିଏ ବୁଜିଦେଲା, ସେ ଆକ୍ଷିର କାହିଁ ଜଣେ ସାକ୍ଷୀ?

 

(୫)

ଇଦ‌୍‍ର ଜହ୍ନ କି ଏବେ ଅସ୍ତ ହେବ ଉଇଁବା ଆଗରୁ?

ହାସ୍ପାତାଳ ବିଛଣାରେ ବିଂଚିଦିଅ ହେନାଫୁଲ କିଛି

ପଂଦରବର୍ଷର ବାସ୍ନା ଚାଲିଯାଏ ଛୋଟ ଗୋଟେ ଘରୁ

ଜୁନୈଦ‌୍‍ କି ଜାଣିଥିଲା ଜହ୍ଲାଦ କେ ଜହ୍ନକୁ ଜଗିଛି !

 

ଆଜି ଏଠୁ ଆଷାଢ଼ ବି ବିଦା ହୁଏ ଅନୁମତି ବିନା

ହେ ମେଘ, ହେବାକୁ ମତେ ପ୍ରେମିକଟେ - ପକାଅନି ରାଣ

ଦୋସରା ମୋ ଦୁଃଖୀମୁହଁ ଦୋଷୀ ଦିଶେ। ଦିଶେ ଦରଚିହ୍ନା

କେଉଁଠି ସେ ନାଭିତୀର୍ଥ, କେଭେଁ ଯାହା ଦିଏନା ନିର୍ବାଣ?

 

ସାମ୍ନାରେ ଷ୍ଟେସନ‌୍‍ କେତେ? ପଛରେ ତ ଫାଂକା ମାଆକୋଡ଼

ସେ ଅଲଗା ଦିଶା କାହିଁ, ଦର୍ଶାଏ ଯା ଅଭଂଗାଭାରତ?

ହେ କବିତା, କାଢ଼ିଦିଅ କଂଟାପିଟା କଳା କାଠଗୋଡ଼

ଶୋକର ପୋଷାକପିଂଧା ଶବ୍ଦସବୁ ଶୋଭାଯାତ୍ରାରତ !

 

ଏଥର ଇଦ‌୍‍ର ଜହ୍ନ କଂଦାଇବ କହ କେତେଥର?

ହେ ମଥୁରା, ମତେ ବତା : କୁଆଡେ଼ ମୋ ମଣିଷର ଘର??

 

କଲ୍ୟାଣୀନଗର, କଟକ-୭୫୩୦୧୩, ଓଡ଼ିଶା

ଭ୍ରାମ୍ୟଭାଷ : ୮୨୬୦୦୦୪୩୯୨


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top