ଏକ ରାଷ୍ଟ୍ର, ଦୁଇ ଟିକସ!

News Story - Posted on 2017-06-30

ଆଜି ମଧ୍ୟରାତିରୁ ସାରା ଦେଶରେ ଲାଗୁ ହେଉଛି ସାମଗ୍ରୀ ଓ ସେବା କର ବା ଜିଏସଟି। ସେଥିପାଇଁ ସଂସଦରେ ମଧ୍ୟରାତିରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ଜିଏସଟି ପ୍ରଚଳନ ସଂପର୍କରେ ଲୋକମାନଙ୍କୁ ଅବଗତ କରିବା ନିମନ୍ତେ କେନ୍ଦ୍ର ସରକାର ପନ୍ଦର ଦିନ ହେଲା ବିଜ୍ଞାପନ ଅଭିଯାନ ଚଳାଇଛନ୍ତି। ମନ୍ତ୍ରୀମାନେ ମଧ୍ୟ ବୁଲିବୁଲି ଜିଏସଟି ଲାଗୁ ହେଲେ ଲୋକମାନଙ୍କର ଅନେକ ଫାଇଦା ହେବ ବୋଲି କହୁଛନ୍ତି। ଜିଏସଟି ପ୍ରଚଳନ ପାଇଁ ମୋଦି ସରକାର ଏକ ନୂଆ ସ୍ଲୋଗାନ ଚଳାଇଛନ୍ତି-ଏକ ରାଷ୍ଟ୍ର ଏକ ଟିକସ ଏକ ବଜାର।

 

କିନ୍ତୁ ଆଜି ରାତିରେ ଯେଉଁ ଜିଏସଟି ଲାଗୁ ହେଉଛି ତାହା ଏହି ସ୍ଲୋଗାନର ଯଥାର୍ଥତା ପ୍ରତିପାଦନ କରୁନାହିଁ। ଏବେ ଯେଉଁ ଜିଏସଟି ଲାଗୁ ହେବ ତା’ ପରିସରରେ ପେଟ୍ରୋଲ, ଡିଜେଲ ଏବଂ ଅନ୍ୟ ପେଟ୍ରୋ-ଉତ୍ପାଦ ରହିନାହିଁ। ସେହିପରି ମଦ ମଧ୍ୟ ଜିଏସଟି ପରିସରରୁ ବାହାରେ ଅଛି। ଏହାର ଅର୍ଥ ପେଟ୍ରୋ ଉତ୍ପାଦ ଓ ମଦ ଉପରୁ ଜିଏସଟି ଆଦାୟ ହେବ ନାହିଁ। ତେବେ ଏହା କ’ଣ ଟିକସମୁକ୍ତ ହେଲା? ସ୍ପଷ୍ଟ ଉତ୍ତର, ନା।

 

ଏବେ ପେଟ୍ରୋଲ ଉପରେ ସାଧାରଣ ଗରାଖ ୫୭ ପ୍ରତିଶତ ଟିକସ ଦେଉଛନ୍ତି। କେନ୍ଦ୍ର ସରକାର ଏହା ଉପରୁ ୨୩ ପ୍ରତିଶତ ଏକ୍ସାଇଜ‌୍‍ ଓ ରାଜ୍ୟ ସରକାର ୩୪ ପ୍ରତିଶତ ଭାଟ‌୍‍ ଆଦାୟ କରୁଛନ୍ତି। କିନ୍ତୁ ଏହାକୁ ଜିଏସଟି ପରିସରଭୁକ୍ତ କଲେ ଗ୍ରାହକମାନେ ସର୍ବାଧିକ ୨୮ ପ୍ରତିଶତ ଟିକସ ଦେବେ। କାରଣ ଜିଏସଟି ବ୍ୟବସ୍ଥାରେ ୨୮ ପ୍ରତିଶତରୁ ଅଧିକ ହାରର ଟିକସ ନାହିଁ।

 

ପେଟ୍ରୋଲକୁ ଜିଏସଟି ପରିସରଭୁକ୍ତ କଲେ ସାଧାରଣ ଖାଉଟିମାନେ ଲିଟର ପିଛା ପ୍ରାୟ ୧୫ ଟଙ୍କା ଫାଇଦା ପାଆନ୍ତେ। ଏବେ ପେଟ୍ରୋଲ ଲିଟର ପ୍ରାୟ ୬୬ ଟଙ୍କାରେ ବିକ୍ରି ହେଉଛି। ଏଥିରେ ୫୭ ପ୍ରତିଶତ ଏକ୍ସାଇଜ ଓ ଭାଟ‌୍‍ ମିଶିକି ଅଛି। ଏ ୫୭ ପ୍ରତିଶତ ଟିକସ ଛାଡ଼ ହେଲେ ପେଟ୍ରୋଲ ଲିଟର ୪୦ ଟଙ୍କାରେ ମିଳିବ। ଏହା ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେଲେ ସର୍ବାଧିକ ୧୨ ଟଙ୍କ ଟିକସ ପଡ଼ିବ। ଏ ହିସାବରେ ସାଧାରଣ ଖାଉଟି ସର୍ବାଧିକ ୫୨ ଟଙ୍କାରେ ପେଟ୍ରୋଲ ପାଇବ। ଡିଜେଲ ଓ ଅନ୍ୟାନ୍ୟ ପେଟ୍ରୋ ଉପିାଦର ଦର ମଧ୍ୟ ଏହି ହିସାବରେ କମିଯାଆନ୍ତା, ଯଦ୍ୱାରା ସାଧାରଣ ଗରାଖଙ୍କର ସଂଚୟ ବଢ଼ନ୍ତା।

 

ପେଟ୍ରୋଲକୁ ଜିଏସଟି ପରିସରଭୁକ୍ତ କଲେ ଲୋକେ କେବଳ ଏତିକି ଉପକାର ପାଆନ୍ତେ ନାହିଁ। ଏହା ସହିତ ଖାଉଟି ବଜାର ଉପରେ ମଧ୍ୟ ଏହାର ସୁପ୍ରଭାବ ପଡ଼ନ୍ତା। ଜିଏସଟି ଯୋଗୁଁ ଡିଜେଲ ଦର କମିଲେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ପରିବହନ ଖର୍ଚ୍ଚ ଯଥେଷ୍ଟ ପରିମାଣରେ ହ୍ରାସ ପାଇବ। ପରିବହନ ଖର୍ଚ୍ଚ କମିଲେ ପରିବାହିତ ସାମଗ୍ରୀ ଦର ମଧ୍ୟ ହ୍ରାସ ପାଇବ। ଏହାର ପ୍ରଭାବରେ ବଜାରରେ ଖାଉଟି ମୂଲ୍ୟ ସୂଚକାଙ୍କ ମଧ୍ୟ ତଳକୁ ଖସିବ।

 

ପରୋକ୍ଷରେ ଏହା ବଜାରରେ କାରବାର ବୃଦ୍ଧି କରିବାର ମଧ୍ୟ ସମ୍ଭାବନା ଅଛି। କାରଣ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଲେ ଖାଉଟିମାନଙ୍କର ଟଙ୍କା ବଂଚିବ। ଟଙ୍କା ବଂଚିଲେ ସେମାନେ ସଂଚୟ କରିବେ ବା ଖର୍ଚ୍ଚ କରିବେ। ଉଭୟ କ୍ଷେତ୍ରରେ ସରକାରଙ୍କର ଲାଭ। ସଂଚୟ ବଢ଼ିଲେ ପୁଂଜି ବଢ଼ିବ। ତାହା ଉତ୍ପାଦନ ବୃଦ୍ଧିରେ ସହାୟକ ହେବ। ସେହିପରି ଖର୍ଚ୍ଚ ବଢ଼ିଲେ ମଧ୍ୟ ଚାହିଦା ବଢ଼ିବ ଏବଂ ତାହା ବି ଉତ୍ପାଦନ ବୃଦ୍ଧିରେ ସହାୟକ ହେବ।

 

ଅଥଚ କେନ୍ଦ୍ର ସରକାର ଜୁଲାଇ ପହିଲାରୁ ସମଗ୍ର ଦେଶରେ ସାମଗ୍ରୀ ଓ ସେବା କର ଲାଗୁ କରିବାକୁ ଯାଉଥିଲେ ମଧ୍ୟ ପେଟ୍ରୋଲକୁ ଏହା ବାହାରେ ରଖିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦିନ ତଳେ ଭୁବନେଶ୍ୱରରେ କହିଥିଲେ ଯେ ସେ ଚାହୁଁଛନ୍ତି ପେଟ୍ରୋଲ ଉପରେ ବି ଜିଏସଟି ଲାଗୁ ହେଉ। ମନ୍ତ୍ରୀ ଯଦି ଚାହୁଁଛନ୍ତି ତେବେ ଏହାକୁ ଜିଏସଟି ପରିସରରୁ ବାହାରେ ରଖିବା ନିଷ୍ପତ୍ତି ନେଇଛି କିଏ? ଅର୍ଥମନ୍ତ୍ରୀ ଅରୁଣ ଜେଟଲି ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି? ଭାରତୀୟ ଜନତା ପାର୍ଟିର ସତ୍ୟବ୍ରତ ପଣ୍ଡାଙ୍କ ଦାବି ହେଲା ରାଜ୍ୟଗୁଡ଼ିକ ବିରୋଧ କରିବାରୁ କେନ୍ଦ୍ର ସରକାର ଏହାକୁ ଜିଏସଟି ପରିସରରୁ ବାଦ ଦେଇଛନ୍ତି। ତାଙ୍କ ହିସାବରେ ରାଜ୍ୟ ସରକାରମାନଙ୍କ ଆୟର ୪୦ ପ୍ରତିଶତ ପେଟ୍ରୋଲ ଉପରେ ବସିଥିବା ଟିକସରୁ ଆସୁଛି। ତେଣୁ ସେମାନେ ପେଟ୍ରୋଲକୁ ଜିଏସଟି ପରିସର ବାହାରେ ରଖିବାକୁ ଚାହୁଁଛନ୍ତି।

 

ମଦ ହିସାବ ମଧ୍ୟ ସେହିପରି। ମଦ ଉପରୁ ରାଜ୍ୟ ସରକାର ଚଢ଼ା ଦରରେ ଅବକାରୀ ଆଦାୟ କରନ୍ତି। ତାହାକୁ ଜିଏସଟି ପରିସରଭୁକ୍ତ କଲେ ସର୍ବାଧିକ ୨୮ ପ୍ରତିଶତ ଟିକସ ଆଦାୟ ହେବ। ତଦ୍ୱାରା ରାଜ୍ୟ ସରକାରଙ୍କର ରାଜସ୍ୱ କ୍ଷତି ହୋଇପାରେ। ମାତ୍ର, ସେଥିରେ ଯେ ଲୋକଙ୍କର ଉପକାର ହେବ ତାହା ରାଜ୍ୟ ସରକାର ବୁଝୁ ନାହାନ୍ତି।

 

ପେଟ୍ରୋ ଉତ୍ପାଦ ଓ ମଦ ଉପରେ ଜିଏସଟି ଲାଗୁ ନହେଲେ ଭାରତରେ ଏକ ଟିକସ ବ୍ୟବସ୍ଥା ପ୍ରଚଳିତ ହେଲା ବୋଲି କହି ହେବ ନାହିଁ। ତେଣୁ ସରକାରଙ୍କ ସ୍ଲୋଗାନରେ ଟିକେ ସଂଶୋଧନ କରାଯିବା ଦରକାର। ନୂଆ ସ୍ଲୋଗାନ ହେବା କଥା- ଏକ ରାଷ୍ଟ୍ର, ଦୁଇ ଟିକସ!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top